ଖାଲି ପାଦର ଯାତ୍ରା

ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କରିଥିବା ଆମେରିକୀୟ ଗୀତିକାର ଓ ଗାୟକ ବବ୍‌ ଡିଲାନଙ୍କ ଅନ୍ୟତମ ସର୍ବପ୍ରସିଦ୍ଧ ଗୀତ ‘ବ୍ଲୋଇଙ୍ଗ ଵିଥ ଦ ଵିଣ୍ତ୍‌’ର ପ୍ରଥମ ପଦ (ଯାହା ଏକ ଅତ୍ୟନ୍ତ ବହୁଳ ବ୍ୟବହୃତ ଉଦ୍ଧୃତିରେ ପରିଣତ ହୋଇ ସାରିଛି)ଟି ଏହିପରି: ‘ହାଉ ମେନି ରୋଡ୍‌ସ ମଷ୍ଟ ଏ ମ୍ୟାନ୍‌ ଵାକ୍‌ ଡାଉନ୍‌ ବିଫୋର ୟୁ କ୍ୟାନ କଲ୍‌ ହିମ୍‌ ଏ ମ୍ୟାନ୍‌?/ ହାଉ ମେନି ସିଜ୍‌ ମଷ୍ଟ ଏ ହ୍ବାଇଟ୍‌ ଡୋଭ୍‌ ସେଲ୍‌ ବିଫୋର ସି ସ୍ଲିପ୍‌ସ ଇନ୍‌ ଦ ସ୍ୟାଣ୍ତ୍‌?’ ଏହି ଅତ୍ୟନ୍ତ ମର୍ମସ୍ପର୍ଶୀ ତଥା ମାନବବାଦୀ କବିତାର ପ୍ରଥମ ପଦର ଅନୁବାଦ ପ୍ରଶ୍ନ କରିଥାଏ- ‘ଜଣେ ମନୁଷ୍ୟ କେତେ ରାସ୍ତା ଚାଲିବା ପରେ ଯାଇ ତାକୁ ମନୁଷ୍ୟ ବୋଲି କହିହେବ? କେତେ ସାଗର ପହଁରିବା ପରେ ଗୋଟିଏ ଶ୍ବେତ ହ˚ସ ବାଲିରେ ଶୋଇ ପଡ଼ିବ?’ ଯଦି ଏହି ପ୍ରତୀକାତ୍ମକ ପଦରେ ନିହିତ ଥିବା ମର୍ମାର୍ଥ ବୁଝିବାକୁ ଚେଷ୍ଟା କରାଯାଏ, ତେବେ ଜାଣି ହେବ ଯେ ତାହା ‘ସାମର୍ଥ୍ୟର ସୀମା’ ସ˚ପର୍କରେ ହିଁ କହିଛି, ଯାହା ସଭ୍ୟତାର ଉନ୍ମେଷ କାଳରୁ ଏହି ମାନବ ଜାତି ଦ୍ବାରା ବାରମ୍ବାର ‘ଅସୀମ’ ବୋଲି ହିଁ ପ୍ରମାଣିତ ହୋଇ ଆସିଛି। ବର୍ତ୍ତମାନ ଯେତେବେଳେ ଦେଶର ବିଭିନ୍ନ ସ୍ଥାନରୁ ଦଳ ଦଳ ହୋଇ ବା ଏକାକୀ କ୍ଷୁଧାତୁର ଓ ଅତ୍ୟନ୍ତ ଅସହାୟ ମଣିଷମାନଙ୍କ ଅକଳ୍ପନୀୟ ଦୀର୍ଘ ପଦଯାତ୍ରାର ଫଟୋ ଓ ଖବର ଦ୍ବାରା ଗଣମାଧୢମ ଭରପୂର ହେବାରେ ଲାଗିଛି, ସେତିକି ବେଳେ ୧୯୬୨ ମସିହାରେ ରଚିତ ବବ୍‌ ଡିଲାନଙ୍କ ଏହି ଗୀତ ଆଧାରରେ ମନେ ହୋଇଥାଏ ଯେ ସତେ ଯେମିତି ସେମାନେ ସମସ୍ତେ ମନୁଷ୍ୟର ଅନତିକ୍ରମ୍ୟ ସାମର୍ଥ୍ୟ ପ୍ରତିପାଦନ କରିବାର ପରୀକ୍ଷାରେ ଅବତୀର୍ଣ୍ଣ। ସୁତରା˚, ପ୍ରବାସୀ ଶ୍ରମିକମାନଙ୍କ ଘର ବାହୁଡ଼ା ପଦଯାତ୍ରା ଭଳି ଏକ ଅତିବାସ୍ତବ ଉଦ୍ୟମ ସ˚ପ୍ରତି ଏକ ଦୈନନ୍ଦିନ ବାସ୍ତବତାରେ ପରିଣତ ହୋଇଥିବା ବେଳେ ଅତ୍ୟନ୍ତ ହେୟ ବୋଲି ବିଚାର କରାଯାଉଥିବା ଏହି ମଣିଷମାନଙ୍କ ସହନଶୀଳତା ଓ ସାହସର ଅସାଧାରଣ ଗାଥା କି˚ବଦନ୍ତୀୟ ରୂପ ନେବାରେ ଲାଗିଛି।

କରୋନା ସ˚କ୍ରମଣକୁ ପ୍ରତିହତ କରିବା ଲାଗି ଯେତେବେଳେ ମାର୍ଚ୍ଚ ୨୩ ତାରିଖରେ ସାରା ଦେଶରେ ତାଲା ପକାଇ ଭାରତକୁ ଦୁଇ ଭାଗରେ ବିଭକ୍ତ କରିଦିଆଗଲା, ସେତିକି ବେଳେ ସରକାର କେବଳ ‘ଭିତରେ ରହିଯାଇଥିବା ଭାରତ’ କଥା ଚିନ୍ତା କଲେ ଏବ˚ ‘ବାହାରେ ରହିଯାଇଥିବା ଭାରତ’ ସମସ୍ତଙ୍କ ହେଜ ବାହାରେ ହିଁ ରହିଗଲା। ସେଥି ଲାଗି ‘ତାଲାବନ୍ଦ’ ପରବର୍ତ୍ତୀ କାଳରେ ଜନସାଧାରଣଙ୍କ ଦୁଃଖ ଓ କଷଣ ପ୍ରଶମନକାରୀ ଯେଉଁ ସବୁ ପଦକ୍ଷେପମାନ ନିଆଗଲା, ତାହା କେବଳ ଏହି ‘ଭିତରେ ରହୁଥିବା ଭାରତ’ ଲାଗି ନିଆଗଲା, ଯହିଁରେ ଅନ୍ତର୍ଭୁକ୍ତ ଥିଲେ ସ୍ବଚ୍ଛଳ ମଧୢବିତ୍ତ ଶ୍ରେଣୀରୁ ଆରମ୍ଭ କରି ଗାଁ ଗହଳି ବା ସହରର ବସ୍ତିରେ ରହୁଥିବା ସ୍ଥାନୀୟ ଦରିଦ୍ର ବର୍ଗ । ଏବ˚ ଯେଉଁମାନେ ସେତିକି ବେଳେ ବିସ୍ମୃତ ହୋଇଯାଇଥିଲେ ସେମାନେ ଥିଲେ ବାହାରେ ରହିଯାଇଥିବା ପ୍ରବାସୀ ଶ୍ରମିକ। ତେବେ, ‘ଲକ୍‌ଡାଉନ’ର ଧାରାବାହିକ ଅଗ୍ରଗତି ଜାରି ରହିବାରୁ ବିଦେଶ ମାଟିରେ ନିଜ ଆୟର ପନ୍ଥା ଓ ରୋଜଗାର ହରାଇଥିବା ତଥା ସ˚ଚୟ ନିଃଶେଷ କରି ସାରିଥିବା ଏହି ପ୍ରବାସୀ ଶ୍ରମିକମାନେ ଯେତେବେଳେ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଅତ୍ୟନ୍ତ ବ୍ୟାକୁୁଳ ହୋଇ ଉଠିଲେ, ସେତିକି ବେଳେ ସେମାନଙ୍କ ସ˚ଖ୍ୟା (ଏକ କୋଟିରୁ ଅଧିକ) ହଠାତ୍‌ ଯେମିତି ଲୋକଲୋଚନକୁ ଆସି ସମସ୍ତଙ୍କୁ ହତଚକିତ କରି ପକାଇଥିଲା। ତା’ ସତ୍ତ୍ବେ ବିଡ଼ମ୍ବନା ହେଲା, ବାହାରେ ରହିଯାଇଥିବା ଏହି ଅତ୍ୟନ୍ତ ବିଶାଳ ସ˚ଖ୍ୟକ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବା ସକାଶେ ଅନେକ ରାଜ୍ୟ କୁଣ୍ଠା ପ୍ରକାଶ ମଧୢ କରିଥିଲେ। ତେବେ ବିଳମ୍ବରେ ହେଉ ପଛକେ ପରିଶେଷରେ ଯେତେବେଳେ ସେମାନଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଲାଗି ସରକାରୀ ଆୟୋଜନ ପ୍ରାରମ୍ଭ ହେଲା, ସେମାନେ ବୋଧହୁଏ ଅନୁମାନ ଲଗାଇ ସାରିଥିଲେ ଯେ ସେମାନଙ୍କ ସ˚ଖ୍ୟା ତୁଳନାରେ ଏ ଆୟୋଜନ ଅତ୍ୟନ୍ତ ସୀମିତ। ସୁତରା˚ ନିରବରେ ନିଜ ନିଜ ଭିଟାମାଟି ଉଦ୍ଦେଶ୍ୟରେ ପାଦରେ ଚାଲି ଚାଲି ବା ସାଇକେଲରେ ଯାତ୍ରା ଆରମ୍ଭ କରିବା ଛଡ଼ା ଗତ୍ୟନ୍ତର ନାହିଁ; ଯାହାର କରୁଣ ଚିତ୍ର ଏବେ ସର୍ବତ୍ର ପରିଦୃଷ୍ଟ ହେବାରେ ଲାଗିଛି।

ଏଭଳି ଏକ ବିମର୍ଷକର ସ୍ଥିତିରେ ଯଦି ଏକ ପ୍ରଶ୍ନ ଉତ୍ପନ୍ନ ହୁଏ ଯେ ଭାରତରେ ପ୍ରବାସୀ ଶ୍ରମିକମାନଙ୍କ ଏ ବିଶାଳ ସ˚ଖ୍ୟା ଭାରତର ଅତି ଉତ୍କଟ ଦାରିଦ୍ର୍ୟକୁ ପ୍ରଦର୍ଶନ କରୁନାହିଁ କି? (ତା’ ନ ହେଲେ ଏଭଳି ଗଣ ବହିର୍ଗମନର କାରଣ କ’ଣ ହୋଇପାରେ?), ତେବେ ତାର ଉତ୍ତର ଲାଗି ଟିକିଏ ଗହୀରେଇ ଦେଖିଲେ ବୁଝି ହେବ ଯେ ଦାରିଦ୍ର୍ୟରୁ ମୁକ୍ତି ପାଇବା ଲାଗି ନୁହେଁ, ବର˚ ନିଜ ଲାଗି ତଥା ନିଜ ପରିବାର ଲାଗି ଏକ ଉନ୍ନତ ଜୀବନ ଉପଲବ୍‌ଧ କରାଇବାର ସ୍ବପ୍ନରୁ ଏଭଳି ବହିର୍ଗମନର ଧାରା ସୃଷ୍ଟି ହୋଇଛି। କାରଣ, ଏମାନେ କେହି ନିଜ ନିଜ ଅଞ୍ଚଳରେ ଅନାହାରରେ ନ ଥିଲେ। ‘ମନରେଗା’ ଓ ଅନ୍ୟାନ୍ୟ ଦାରିଦ୍ର୍ୟ ବିମୋଚନ ଯୋଜନା ତଥା ଗାଁରେ ସେମାନଙ୍କ ଲାଗି ଉପଲବ୍‌ଧ ‘ପ୍ରାକୃତିକ ସହାୟତା ବ୍ୟବସ୍ଥା’ ବା ‘ନାଚୁରାଲ ସପୋର୍ଟ ସିଷ୍ଟମ’ ସେମାନଙ୍କୁ କଦାପି କ୍ଷୁଧାରେ ରଖନ୍ତା ନାହିଁ; କିନ୍ତୁ ଏମାନଙ୍କ ଭିତରୁ ଅଧିକା˚ଶ ନିଜ ମାଟିରେ ଢୋକେ ପିଇ, ଦଣ୍ତେ ଜିଇବାରେ ସନ୍ତୁଷ୍ଟ ନ ଥିଲେ। ନିଜ ଚାଳ ଘରକୁ ପକ୍କା କରିବା ବା ନିଜ ସନ୍ତାନକୁ ଇ˚ରେଜୀ ମାଧୢମ ସ୍କୁଲ୍‌ରେ ପଢାଇବା ହୁଏ’ତ ଏଭଳି ସ୍ବପ୍ନର କେନ୍ଦ୍ରରେ ଥାଇପାରେ, ଯେମିତି ସ୍ବଚ୍ଛଳ ପରିବାରର ଦାୟାଦମାନେ ଉନ୍ନତତର ଜୀବନର ମହାତ୍ତ୍ବାକା˚କ୍ଷା ରଖି ବିଦେଶ ଗମନ କରିଥାଆନ୍ତି। ଏଣୁ ଏଭଳି ସ୍ଥଳେ ଏହି ମହାତ୍ତ୍ବାକା˚କ୍ଷୀ, ସ୍ବାଭିମାନୀ ଓ ପରିଶ୍ରମୀ ଜନସମାଜକୁ ଦରିଦ୍ର ଭିକ୍ଷୁକ ଭଳି ସ୍ଥିତିରେ ପହଞ୍ଚାଇ ଦିଆଯିବା ହିଁ ହେଉଛି ଏହି ଲକ୍‌ଡାଉନ୍‌ କାଳର ଏକ ସର୍ବବୃହତ୍‌ ଟ୍ରାଜେଡି।

ଲକ୍‌ଡାଉନ୍‌ର ତୃତୀୟ ପାଦ ସମାପ୍ତ ହେବାକୁ ବସିଥିବା ବେଳେ କେନ୍ଦ୍ର ସରକାର ଏହି ପ୍ରବାସୀ ଶ୍ରମିକମାନଙ୍କ ଲାଗି ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଛଡ଼ା ଦେଶର ଯେ କୌଣସି ସ୍ଥାନରେ ଯେ କେହି ପିଡିଏସ୍‌ ସୁବିଧା ଲାଭ କରିବା ଲାଗି ‘ଗୋଟିଏ ରାଷ୍ଟ୍ର, ଗୋଟିଏ ପଡ଼ିକାର୍ଡ’ର ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ବେ ସ୍ବୀକାର କରିବାକୁ ହେବ ଯେ ଏଭଳି ପଦକ୍ଷେପ ସେମାନଙ୍କୁ ନିଜ ଘରବାହୁଡ଼ା ଯାତ୍ରାରୁ କ୍ଷାନ୍ତ କରିପାରି ନାହିଁ। ସେମାନେ ନିଜ ପରିଶ୍ରମ ବଳରେ ଯେଉଁ ସବୁ ରାଜ୍ୟର ବିକାଶ ସାଧନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଲକ୍‌ଡାଉନ୍‌ କାଳରେ ସେ ସବୁ ରାଜ୍ୟରେ ମଧୢ ସେମାନେ ବହିରାଗତ ଭାବେ ବିଦ୍ବେଷର ଶିକାର ହୋଇଛନ୍ତି, ଯାହା ଆଉ ଏକ ବିଡ଼ମ୍ବନା। ତେବେ, ଏହା ଏକ ଭିନ୍ନ କଥା ଯେ ଏହି ପ୍ରବାସୀ ଶ୍ରମିକମାନଙ୍କ ଅନୁପସ୍ଥିତିରେ ସେହି ସବୁ ରାଜ୍ୟର ଜନ-ଜୀବନ ଯାତ୍ରା ଆଉ ପୂର୍ବ ଭଳି ସ୍ବାଭାବିକ ହୋଇ ରହିବ ନାହିଁ। କେବଳ ସେତିକି ନୁହେଁ, ନିଜ ନିଜ ଘରକୁ ଅର୍ଥ ପ୍ରେରଣ କରି ସେମାନେ ଆପଣା ରାଜ୍ୟର ଅର୍ଥନୈତିକ ବିକାଶରେ ମଧୢ ସାହାଯ୍ୟ କରିଛନ୍ତି। ସେହି ପରିପ୍ରେକ୍ଷୀରେ ସେମାନେ ଉଭୟ ସରକାର ଏବ˚ ଦେଶବାସୀଙ୍କ ଦ୍ବାରା ଅପା˚କ୍ତେୟ ବୋଲି ବିବେଚିତ ହେବା ଯେ ଏକ ମସ୍ତବଡ଼ ଭୁଲ, ତାହା ହେଉଛି ଲକ୍‌ଡାଉନ୍‌ କାଳର ସର୍ବାଧିକ ମୂଲ୍ୟବାନ ଉପଲବ୍‌ଧି।

ଏହି ପ୍ରବାସୀ ଶ୍ରମିକମାନେ ନିଜ ନିଜ ଉଦ୍ୟମରେ ଆରମ୍ଭ କରିଥିବା ଅତିମାନବୀୟ ଘର ବାହୁଡ଼ା ଯାତ୍ରା ସ˚ନ୍ଦର୍ଭରେ ମନ୍ତବ୍ୟ ଦେଇ ‘ଦ ପ୍ରିଣ୍ଟ’ର ମୁଖ୍ୟ ସ˚ପାଦକ ତଥା ପ୍ରବୀଣ ସାମ୍ବାଦିକ ଶେଖର ଗୁପ୍ତା ପ୍ରଦାନ କରିଥିବା ଏକ ହୃଦୟସ୍ପର୍ଶୀ ମନ୍ତବ୍ୟ ସହିତ ଏହି ଆଲୋଚନାର ସମାପ୍ତି କରାଯାଇପାରେ। ସେ କହିଛନ୍ତି- ‘ଡହଡହ ଖରାରେ ପିଚୁ ସଡ଼କରେ ଖାଲି ପାଦରେ ଚାଲୁଥିବା ସେମାନଙ୍କୁ ଦେଖି ଭାବ ନାହିଁ ଯେ ସେମାନେ ଦରିଦ୍ର। ପୃଥିବୀରେ ଏମିତି କୌଣସି ଚପଲ ତିଆରି ହୋଇନାହିଁ ଯାହା ହଜାରେ କିଲୋମିଟର ନିରବଚ୍ଛିନ୍ନ ଭାବେ ଚାଲିପାରିବ!’

ସମ୍ବନ୍ଧିତ ଖବର