ଚୀନା ଦଲାଇ

ମାନବ ଇତିହାସରେ ବୋଧହୁଏ କ୍ରୂରତମ ଏକଛତ୍ରବାଦୀ ରୂପେ ବିବେଚିତ ନାତ୍‌ସି ଜର୍ମାନୀର ଶାସକ ଆଡଲ୍‌ଫ ହିଟ୍‌ଲର୍‌ଙ୍କର ଧର୍ମବିଶ୍ବାସ ଦୋଳାୟମାନ ଥିଲା। କେତେବେଳେ ସେ ନିଜକୁ ଜଣେ ଧର୍ମପରାୟଣ ଈଶ୍ବରବିଶ୍ବାସୀ ଖ୍ରୀଷ୍ଟିଆନ୍ ରୂପେ ପ୍ରଦର୍ଶିତ କରୁଥିଲେ ତ ଆଉ କେତେବେଳେ ନିଜକୁ ଜଣେ ନାସ୍ତିକ ରୂପେ ଉପସ୍ଥାପନ କରୁଥିଲେ। ତାଙ୍କର ଏହି ଦ୍ବିତୀୟ ଅବତାର ସମୟର କେତେକ ଉକ୍ତି ‘ଟେବ୍‌ଲ ଟକ୍’ ଶୀର୍ଷକ ବହନ କରି ତାଙ୍କର ତତ୍‌କାଳୀନ ସେକ୍ରେଟାରିଙ୍କ ଦ୍ବାରା ଲିପିବଦ୍ଧ ହୋଇଥିଲା।

ହିଟ୍‌ଲର୍‌ ଥିଲେ କାର୍ଲ ମାର୍କ‌୍ସଙ୍କ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ସାମ୍ୟବାଦ ବା ‘ବଲ୍‌ସେଭିଜ୍‌ମ’ର ପ୍ରଚଣ୍ଡ ବିରୋଧୀ। ଆଜିର ଭାଷାରେ କହିଲେ, ହିଟ୍‌ଲର୍ ଥିଲେ କମ୍ୟୁନିଷ୍ଟବାଦର ଘୋର ବିରୋଧୀ। ଉପରୋକ୍ତ ‘ଟେବ୍‌ଲ ଟକ୍‌’ରେ ଉଲ୍ଲିଖିତ ହିଟ୍‌ଲର୍‌ ୧୯୪୧ କମ୍ୟୁନିଷ୍ଟବାଦ ବା ‘ବଲ୍‌ସେଭିଜ୍‌ମ୍’ ସମ୍ବନ୍ଧରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଥିଲା ଏହିପରି: ‘‘ବଲ୍‌ସେଭିଜ୍‌ମ୍ ହେଉଛି ଖ୍ରୀଷ୍ଟଧର୍ମର ଅବୈଧ ସନ୍ତାନ। ଉଭୟ ହେଉଛନ୍ତି ଇହୁଦୀମାନଙ୍କର ଉଦ୍ଭାବନ।’’ ସୂଚନାଯୋଗ୍ୟ, ସେ ଏହା ଦ୍ବାରା ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ଯେ ଉଭୟ ସେଣ୍ଟ୍ ପଲ୍ ଓ କାର୍ଲ ମାର୍କ‌୍ସ ଥିଲେ ଇହୁଦୀ ମୂଳର।

ଏହା ଯଦିବା ତୀବ୍ର ଇହୁଦୀ-ବିରୋଧୀ ମତାନ୍ଧ ହିଟ୍‌ଲର୍‌ଙ୍କର ପ୍ରଳାପ ସଦୃଶ ଥିଲା, ଏଥିରେ କିନ୍ତୁ ଯେଉଁ ଏକ ସତ୍ୟ ଅନ୍ତର୍ନିହିତ ଥିଲା, ତାହା ହେଲା କମ୍ୟୁନିଷ୍ଟବାଦରେ ଧର୍ମର ସ୍ଥାନ ନାହିଁ ବୋଲି ଦାବି କରାଯାଉଥିଲେ ହେଁ (କମ୍ୟୁନିଷ୍ଟ୍‌ମାନେ ମାର୍କ‌୍ସଙ୍କ ଉପଦେଶକୁ ପାଳନ କରିଥାନ୍ତି: ଧର୍ମ ହେଉଛି ସାଧାରଣ ଜନତାର ଅଫିମ। ତେଣୁ ସେମାନେ ଧର୍ମ ଠାରୁ ଦୂରେଇ ରହିଥାନ୍ତି।), ଧର୍ମ ସହିତ ପ୍ରକୃତରେ ତାହାର ଏକ ଛଳନାପୂର୍ଣ୍ଣ, ଅବୈଧ ସମ୍ପର୍କ ରହିଥାଏ। ଏହାର ଗୋଟିଏ ପରିପ୍ରକାଶ ଘଟିଥାଏ ଯେତେବେଳେ ଲେନିନ୍, ଷ୍ଟାଲିନ୍ ବା ମାଓ ଜେଡଙ୍ଗ୍‌ଙ୍କୁ କମ୍ୟୁନିଷ୍ଟ ଦେଶବାସୀ କ୍ରମେ ଦେବତା ଭଳି ପୂଜା କରିଥାନ୍ତି ଏବଂ ସେମାନଙ୍କ ମୁଖ ନିସୃତ ବାଣୀକୁ ଧର୍ମବାଣୀ ରୂପେ ପାଳନ କରିଥାନ୍ତି। ଏହାର ଅନ୍ୟ ଏକ ପରିପ୍ରକାଶ ଘଟିଥାଏ ଯେତେବେଳେ ନାସ୍ତିକ ବୋଲାଉଥିବା କମ୍ୟୁନିଷ୍ଟ ଶାସକମାନେ ନିଜର ସାମ୍ରାଜ୍ୟବାଦୀ ନି‌େଷ୍ପଷଣ ଲକ୍ଷ୍ୟ ସାଧନ ପାଇଁ ସେମାନେ ବିଶ୍ବାସ କରୁନଥିବା ଧର୍ମକୁ ହିଁ ଏକ ଆୟୁଧ ରୂପେ ବ୍ୟବହାର କରିଥାନ୍ତି।

ତିବ୍ବତୀୟମାନଙ୍କୁ ପଦାନତ କରି ରଖିବା ପାଇଁ ଚୀନ୍ ଯେଉଁ ସବୁ କୌଶଳ ଅବଲମ୍ବନ କରି ଆସିଛି, ସେଥିରେ ଏହି ଧର୍ମୀୟ ଶଠତାର ନଗ୍ନ ପ୍ରୟୋଗ ଏବେ ସଦ୍ୟ ସଦ୍ୟ ଏକ ଆନ୍ତର୍ଜାତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମଇ ୧୪ ତାରିଖରେ ଆମେରିକାର ‘ସିନେଟ୍‌’ର ‘ବୈଦେଶିକ-ସମ୍ପର୍କ କମିଟି’ରେ ଗତ ଜାନୁଆରିରେ କଂଗ୍ରେସର ଅନ୍ୟ ଗୃହ, ‘ହାଉସ୍ ଅଫ୍ ରିପପ୍ରଜେଣ୍ଟେଟିଭ୍‌ସ’ ଦ୍ବାରା ପାରିତ ହୋଇ ଆଇନରେ ପରିଣତ ହେବାକୁ ଅପେକ୍ଷା କରିଥିବା ଏକ ବିଲ୍ ଆଲୋଚନା ପାଇଁ ଉପସ୍ଥାପିତ ହୋଇଥିଲା। ଏହି ବିଲ୍‌ର ନାମ ହିଁ ଏହାର ଗୁରୁତ୍ବ ସୂଚାଇ ଥାଏ: ‘‘ତିବ୍ବତ ପଲିସି ଆଣ୍ଡ୍ ସପୋର୍ଟ ଆକ୍ଟ’’ (‘‘ତିବ୍ବତ ନୀତି ଓ ସହାୟତା ଆଇନ’’)। କରୋନାକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି, ବିଲ୍‌ଟି ଆଇନ୍‌ରେ ପରିଣତ ହୋଇ ସେଥିରେ କିପରି ନିଆଁରେ ଘିଅ ଢାଳିବା ନିଶ୍ଚିତ, ତାହା ବିଲ୍‌ରେ ଅନ୍ତର୍ଭୁକ୍ତ ହୋଇଥିବା ଗୋଟିଏ ବ୍ୟବସ୍ଥାରୁ ସ୍ପଷ୍ଟ ହୋଇଥାଏ।

ଏହି ଆଇନଗତ ବ୍ୟବସ୍ଥା ଅନୁସାରେ ଆମେରିକା ଯେଉଁ ନୀତି ଅବଲମ୍ବନ କରିବ, ତାହା ହେଲା, କେବଳ ତିବ୍ବତୀୟ ବୌଦ୍ଧଧର୍ମାବଲମ୍ବୀମାନେ ହିଁ ସେମାନଙ୍କର ଧର୍ମୀୟ ନେତାଙ୍କୁ ଚୟନ କରିପାରିବେ। ଏହାର ଅର୍ଥ ସେମାନଙ୍କର ସର୍ବୋଚ୍ଚ ଧର୍ମୀୟ ନେତା ୮୪ ବର୍ଷୀୟ ଦଲାଇ ଲାମାଙ୍କ ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବେ, ତାହା ତିବ୍ବତୀୟ ବୌଦ୍ଧମାନେ ହିଁ ସ୍ଥିର କରିବେ। ତିବ୍ବତୀୟ ବୌଦ୍ଧମାନେ ବିଶ୍ବାସ କରନ୍ତି ଯେ ଦଲାଇ ଲାମାଙ୍କ ମୃତ୍ୟୁ ପରେ ସେ ପୁନର୍ଜନ୍ମ ଗ୍ରହଣ କରି ଆବିର୍ଭୂତ ହେବେ। ଆମେରିକାର ଏହି ନୂତନ ଆଇନ ଅନୁସାରେ ଏହି ପୁନର୍ଜନ୍ମିତ ଦଲାଇଙ୍କୁ ଠାବ କରିବା କାର୍ଯ୍ୟରେ ଚୀନା ସରକାରଙ୍କର କୌଣସି ଅଧିକାରୀ ଯଦି ଦଖଲ ଦିଅନ୍ତି, ତେବେ ଆମେରିକା ସରକାର ତାଙ୍କ ପ୍ରତି କଠୋର ବାସନ୍ଦ ବ୍ୟବସ୍ଥା ଲାଗୁ କରିବେ।

ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ହିଟ୍‌ଲର୍‌ଙ୍କର ଉଦ୍ଧୃତ ମନ୍ତବ୍ୟକୁ ସତ ସାବ୍ୟସ୍ତ କଲା ଭଳି ଧର୍ମରେ ବିଶ୍ବାସ କରୁ ନଥିବା କମ୍ୟୁନିଷ୍ଟ ଚୀନ୍‌ର ସରକାର ପୁନର୍ଜନ୍ମିତ ଦଲାଇ ଲାମାଙ୍କୁ ଖୋଜି ବାହାର କରିବା କାର୍ଯ୍ୟକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେଇ ଯିବାକୁ ପ୍ରବଳ ଚେଷ୍ଟା ଚଳାଇଛି। ଏହି ଉଦ୍ଦେଶ୍ୟରେ ଚୀନା ସରକାର ୨୦୦୭ରେ ଏକ ଯୋଜନା ପ୍ରସ୍ତୁତ କରି ବିଧିବଦ୍ଧ ଭାବରେ ବଳବତ୍ତର କରିଥିଲେ: ‘‘ ଜୀବନ୍ତ ବୁଦ୍ଧଙ୍କର ପୁନର୍ଜନ୍ମର ପରିଚାଳନା ପାଇଁ ପଦକ୍ଷେପମାନ’’। ସେମାନେ ବୁଦ୍ଧଙ୍କୁ ବିଶ୍ବାସ କରନ୍ତି ନାହିଁ (କମ୍ୟୁନିଷ୍ଟ ଚୀନ୍‌ର ପ୍ରତିଷ୍ଠାତା ମାଓ ଜେଡଙ୍ଗ୍ ନୈଷ୍ଠିକ ବୌଦ୍ଧ ପିତାମାତାଙ୍କର ସନ୍ତାନ ଥିଲେ, କିନ୍ତୁ ଉତ୍ତର କୈଶୋରରେ ବୌଦ୍ଧଧର୍ମ ତ୍ୟାଗ କରି ନାସ୍ତିକ ହୋଇ ଯାଇଥିଲେ), କିନ୍ତୁ ବୁଦ୍ଧଙ୍କ ପୁନର୍ଜନ୍ମକୁ ସେମାନେ ହିଁ ନିୟନ୍ତ୍ରଣ କରିବେ। ଏହାଠାରୁ ଅଧିକ ଶଠତା ଆଉ କ’ଣ ହୋଇପାରେ?

ଯେହେତୁ ତିବ୍ବତୀୟ ମାନେ ବିଗତ ୬୧ବର୍ଷ ହେଲା ଭାରତରେ ନିର୍ବାସ‌ନରେ ଥିବା ବୁଦ୍ଧଙ୍କ ଅବତାରରୂପୀ ଦଲାଇ ଲାମାଙ୍କ ପ୍ରତି ସର୍ବାଧିକ ଆନୁଗତ୍ୟ ପ୍ରଦର୍ଶନ କରିଥାନ୍ତି, ତାଙ୍କର ଉତ୍ତରାଧିକାରୀଙ୍କୁ ନିଜର ନିୟନ୍ତ୍ରଣାଧୀନ କରି ତିବ୍ବତୀୟଙ୍କ ସମ୍ପୂର୍ଣ୍ଣ ଆନୁଗତ୍ୟ ହାସଲ କରିବା ହେଉଛି ଚୀନା ସରକାରଙ୍କର ଲକ୍ଷ୍ୟ। ଚୀନ୍ ଏଥିପାଇଁ କିଭଳି ଉଦ୍‌ଗ୍ରୀବ, ତାହାର ଏକ ନିଷ୍ଠୁର ଉଦାହରଣ ଦେଖିବାକୁ ମିଳିଥିଲା ୧୯୯୫ ମଇ ୧୭ ତାରିଖ ଦିନ, ଆଜିକୁ ଠିକ୍ ପ୍ରାୟ ୨୫ ବର୍ଷ ତଳେ। ସେଦିନ ଗେଧୁନ୍ ଚୋଏକି ନିମା ନାମକ ଏକ ଛ’ବର୍ଷ ବୟସର ବାଳକ ଓ ତାର ପିତାମାତାଙ୍କୁ ଚୀନା ସରକାର ତିବ୍ବତସ୍ଥିତ ସେମାନଙ୍କ ବାସଗୃହରୁ ଉଠାଇ ନେଇଥିଲା। ସେବେଠାରୁ ସେମାନଙ୍କ ସମ୍ବନ୍ଧରେ ଆଉ କୌଣସି ସୂଚନା ବାହାର ଦୁନିଆକୁ ଜଣା ନାହିଁ। ବାଳକଟିର ଅପରାଧ- ତିନି ଦିନ ପୂର୍ବେ ଦଲାଇ ଲାମା ଭାରତସ୍ଥିତ ତାଙ୍କର ମୁଖ୍ୟାଳୟରେ ଆ‌ୟୋଜିତ ଏକ ଉତ୍ସବରେ ସେ ବାଳକକୁ ଏକାଦଶ ପାଞ୍ଚେନ୍ ଲାମା ରୂପେ ଘୋଷଣା କରିଥିଲେ, ଅର୍ଥାତ୍ ୧୯୮୯ରେ ଦେହତ୍ୟାଗ କରିଥିବା ତିବ୍ବତୀୟମାନଙ୍କର ଦ୍ବିତୀୟ ସର୍ବୋଚ୍ଚ ଧର୍ମାଧୀଶ ଦଶମ ପାଞ୍ଚେନ୍ ଲାମାଙ୍କର ସେ ହେଉଛନ୍ତି ପୁନର୍ଜନ୍ମିତ ଅବତାର।

ତିବ୍ବତୀୟ ପରମ୍ପରା ଅନୁସାରେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚିହ୍ନଟ କରିବାରେ ପାଞ୍ଚେନ୍ ଲାମା ଏକ ମୁଖ୍ୟ ଭୂମିକା ନିର୍ବାହ କରିବେ। ନିମାଙ୍କୁ ଅପହରଣ କଲା ପରେ ଚୀନ୍ ସରକାର ଗ୍ୟାଲ୍‌ଟସେନ୍ ନୋର୍‌ବୁ ନାମକ ଅନ୍ୟ ଏକ ବାଳକକୁ ଏକାଦଶ ପାଞ୍ଚେନ୍ ଲାମା ବୋଲି ଘୋଷଣା କରିଦେଲେ, ଯାହାକୁ କିନ୍ତୁ ତିବ୍ବତୀୟ ମାନେ ଗ୍ରହଣ କରୁନାହାନ୍ତି। ଆମେରିକାର ଆଇନ ଚୀନ୍‌କୁ ଦଲାଇ ଲାମା ନିଯୁକ୍ତ କରିବାରୁ ନିବୃତ୍ତ କରିପାରିବ ନାହିଁ ସତ, କିନ୍ତୁ ଚୀନା ପାଞ୍ଚେନ୍ ଲାମା ଭଳି ଚୀନା ଦଲାଇ ଲାମା ମଧ୍ୟ ତିବ୍ବତୀୟ ମାନଙ୍କ ପାଇଁ ଗ୍ରହଣୀୟ ହେବ ନାହିଁ।

ସମ୍ବନ୍ଧିତ ଖବର