ଝିଣ୍ଟିକା ଝାମେଲା’

ବାଇ‌ବେଲର ଓଲ୍‌ଡ ଟେଷ୍ଟାମେଣ୍ଟ ଅନ୍ତର୍ଗତ ‘ଏକ୍ସୋଡସ୍‌’ରେ ଈଶ୍ବରଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇ ମୋଜେସ୍‌ ଓ ଆରନ୍‌ ଇଜିପ୍ଟର ଶାସକ ‘ଫାରୋ’ଙ୍କୁ ଯାଇ କହିଛନ୍ତି: ଈଶ୍ବର ଆଜ୍ଞା ଦେଇଛନ୍ତି- ‘‘ମୋ’ ଲୋକମାନଙ୍କୁ ଯିବାକୁ ଦିଅ, ଯାହାଦ୍ବାରା ସେମାନେ ମୋର ଉପାସନା କରି ପାରିବେ। ତୁମେ ଯଦି ସେମାନଙ୍କୁ ନ ଛାଡ଼, ମୁଁ ଆସନ୍ତାକାଲି ତୁମ ଦେଶକୁ ପଙ୍ଗପାଳ ନେଇ ଆସିବି। ସେମାନେ ଭୂଇଁକୁ ଏପରି ଆଚ୍ଛାଦିତ କରି ଦେବେ ଯେ, ତାହା ଆଉ ଦେଖାଯିବ ନାହିଁ। ସେମାନେ କରକାପାତ ପରେ ତୁମର ଯାହା ଟିକିଏ ବି ବଞ୍ଚିଛି, ତାହାକୁ ଗିଳି ଦେବେ, ତୁମ କ୍ଷେତବାଡ଼ିରେ ଥିବା ପ୍ରତ୍ୟେକ ଗଛ ସହିତ। ସେମାନେ ତୁମର, ତୁମ ପାତ୍ରମନ୍ତ୍ରୀମାନଙ୍କର ଏବ˚ ପ୍ରତ୍ୟେକ ଇଜିପ୍ଟବାସୀଙ୍କ ଘରେ ଭର୍ତ୍ତି ହୋଇଯିବେ….।’’

ଭାରତର ପଶ୍ଚିମ ଅଞ୍ଚଳରେ ପଙ୍ଗପାଳ ଅନୁପ୍ରବେଶର ଯେଉଁ ଖବର ଏବ˚ ଚିତ୍ରମାନ ବର୍ତ୍ତମାନ ପ୍ରସାରିତ ହେଉଛି, ତାହା ଯେ କେବଳ ବାଇ‌େବଲର ବର୍ଣ୍ଣିତ ଏହି ଦୃଶ୍ୟ ଭଳି ମନେ ହୋଇଥାଏ, ତାହା ନୁହେଁ, ଈଶ୍ବରଙ୍କ ଧମକ ‘ଫାରୋ’ଙ୍କ ମନରେ ଭୀତି ସଞ୍ଚାର କଲା ଭଳି ଆମ ମନରେ ମଧୢ ଘୋର ଭୀତି ସଞ୍ଚାର କରିଥାଏ। ଏବ˚ ଯଦି ସେପରି କୌଣସି ଈଶ୍ବର ସତରେ ଥା’ନ୍ତି, ତାଙ୍କୁୁ ପଚାରିବାକୁ ଇଚ୍ଛା ହୁଏ, ଆମେତ ‘ଫାରୋ’ଙ୍କ ଭଳି କିଛି ଅପରାଧ କରିନାହୁଁ (‘ଫାରୋ’ ହିବ୍ରୁମାନଙ୍କୁ ଅଟକ ରଖିଥିଲେ- ଆମେ ତ ଆପଣାଛାଏଁ ସେଇ ଈଶ୍ବର ପଠାଇଥିବା ଚୀନା କରୋନା ଭୟରେ ନିଜ ନିଜ ଘର ଭିତରେ ଅଟକି ରହିଛୁ), ଏଠାକୁ କାହିଁକି ପଙ୍ଗପାଳ ପଠାଇଲେ?

ବେଡ଼ି ଉପରେ କୋରଡ଼ା ଭଳି କରୋନା ମଝିରେ ପୂର୍ବ ଭାରତକୁ ‘ଅମ୍ଫାନ୍‌’ ବାତ୍ୟା ପଠାଇ ଧ୍ବସ୍ତବିଧ୍ବସ୍ତ କଲା ପରେ ପରେ ପଶ୍ଚିମ ଓ ଉତ୍ତର ଭାରତରେ ଦୁର୍ଭିକ୍ଷ ସୃଷ୍ଟି କରିବା ପାଇଁ ପଙ୍ଗପାଳ ପଠାଇବାର କାରଣ କ’ଣ? ବର୍ତ୍ତମାନ ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧୢପ୍ରଦେଶ, ପଞ୍ଜାବ ଏବ˚ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ପଙ୍ଗପାଳ ଆବିର୍ଭାବ ଯୋଗୁଁ ବ୍ୟାପକ ଫସଲ ଧ୍ବ˚ସ ହେବାର ସମ୍ଭାବନା ଦେଖା ଦେଇଛି। ସୂଚନାଯୋଗ୍ୟ ଯେ ଏ ପଙ୍ଗପାଳମାନଙ୍କର ଉତ୍ପତ୍ତିସ୍ଥଳ ହେଉଛି ବାଇ‌େବଲର ଉପରୋକ୍ତ ଦୃଶ୍ୟ ଅଭିନୀତ ହୋଇଥିବା ପୂର୍ବ ଆଫ୍ରିକା ଓ ମଧୢପ୍ରାଚ୍ୟ ଅଞ୍ଚଳରେ ହିଁ।

ଯଦିବା ପଙ୍ଗପାଳ ଆତଙ୍କ ପାଇଁ ଈଶ୍ବରଙ୍କୁ ଦାୟୀ କରିବା ହେଉଛି ଆମର ସ୍ବାଭାବିକ ପ୍ରଥମ ପ୍ରତିକ୍ରିୟା, ତଥାପି ଏହା ପଛରେ ରହିଥିବା ମନୁଷ୍ୟର ଭୂମିକା ସମ୍ବନ୍ଧରେ ମଧୢ ଆମେ ଅବଗତ ହେବା ଆବଶ୍ୟକ। ବର୍ତ୍ତମାନ ଯେଉଁ ପଙ୍ଗପାଳ ଦଳମାନଙ୍କର ଆବିର୍ଭାବ ଦେଖା ଦେଇଛି, ତାହାର ପ୍ରଥମ ସୂଚନା ମିଳିଥିଲା ପ୍ରାୟ ଦୁଇ ବର୍ଷ ତଳେ ଆରବ ଉପଦ୍ବୀପ ଅଞ୍ଚଳରେ। ଗତ ବର୍ଷ ଜୁଲାଇରେ ଜାତିସ˚ଘର ‘କୃଷି ଓ ଖାଦ୍ୟ ସ˚ଗଠନ’ (‘ଏଫ୍‌ଏଓ’) ସତର୍କବାଣୀ ଶୁଣାଇଥିଲା ଯେ ଯଦି ସେ ଅଞ୍ଚଳରେ ଜରୁରୀକାଳୀନ ଭିତ୍ତିରେ ପ୍ରତିରୋଧ ପଦକ୍ଷେପମାନ ନିଆନଯାଏ, ତେବେ ସେ ପଙ୍ଗପାଳମାନେ ବ˚ଶବିସ୍ତାର କରି ଶରତ ଋତୁ ବେଳକୁ ଯାଇ ସୋମାଲିଆ, ଇଥିଓପିଆ ଆଦି ଅଞ୍ଚଳ ଏବ˚ ଡିସେମ୍ବର ବେଳକୁ କେନିଆରେ ପହଞ୍ଚି ଯିବେ।

ପଙ୍ଗପାଳମାନଙ୍କର ଧ୍ବ˚ସ ସାଧନ କରିବାର ସବୁଠୁ ଫଳପ୍ରଦ ଉପାୟ ହେଉଛି ସେମାନଙ୍କୁ ଶୈଶବ ଅବସ୍ଥାରେ ହିଁ ନିପାତ କରିବା। ପଙ୍ଗପାଳଟିଏ ମାତ୍ର ତିନିରୁ ପାଞ୍ଚମାସ ପର୍ଯ୍ୟନ୍ତ ବଞ୍ଚିଥାଏ। ସେମାନେ କିନ୍ତୁ ଅତି ଦ୍ରୁତ ହାରରେ ବ˚ଶ ବୃଦ୍ଧି କରିଥାନ୍ତି। ପରିବେଶ ସେମାନଙ୍କ ପାଇଁ ଯଦି ଅନୁକୂଳ ଥାଏ, ତେବେ ପଙ୍ଗପାଳ ଦଳର ପ୍ରତ୍ୟେକ ପିଢ଼ିର ଆକାର ଠିକ୍‌ ପୂର୍ବ ପିଢ଼ିର ଆକାରର ୨୦ ଗୁଣ ହୋଇଥାଏ। ଏହାଯୋଗୁଁ କିଭଳି ଅତି ବିଶାଳ ଆକାରର ପଙ୍ଗପାଳ ଦଳ ସୃଷ୍ଟି ହୋଇପାରେ, ତାହାର ଏକ ଉଦାହରଣ ଗତବର୍ଷ ଶେଷ ବେଳକୁ ଦେଖିବାକୁ ମିଳିଥିଲା ଉତ୍ତର-ପୂର୍ବ କେନିଆରେ- ଗୋଟିଏ ଦଳରେ ଥିଲେ ପ୍ରାୟ ୨୦,୦୦୦ କୋଟି ସ˚ଖ୍ୟାରେ ଏହି ଝିଣ୍ଟିକା ଏବ˚ ସେମାନେ ଆକାଶରେ ଯେତିକି ସ୍ଥାନ ଦଖଲ କରି ଉଡୁଥିଲେ, ତାହାର ଆକାର ନ୍ୟୁୟର୍କ ନଗରୀର ଆୟତନର ପ୍ରାୟ ତିନିଗୁଣ ଥିଲା। ପୂର୍ବ ଆଫ୍ରିକାରେ ଏହିପରି ଡଜନ୍‌ ଡଜନ୍‌ ପଙ୍ଗପାଳ ଦଳ ରହିଛନ୍ତି। ଏପରି ଗୋଟିଏ ପଙ୍ଗପାଳ ଦଳ ଗୋଟିଏ ଦିନରେ ଯେତିକି ଗଛପତ୍ର ଶସ୍ୟ ଆଦି ଖାଇ ଦିଅନ୍ତି, ତାହା ଗୋଟିଏ ମଧୢମ ଆକାରର ଦେଶର ସମସ୍ତ ଲୋକ ଗୋଟିଏ ଦିନରେ ଖାଉଥିବା ଖାଦ୍ୟ ପରିମାଣ ସହ ସମାନ।

ନୂଆ ଛେକ ପଙ୍ଗପାଳ ଛୁଆମାନେ ଉଡ଼ିବା ପାଇଁ ସକ୍ଷମ ହେବା ପୂର୍ବରୁ ଯଦି ସେମାନଙ୍କ ଉପରେ କୀଟନାଶକ ସ୍ପ୍ରେ କରିବା ପାଇଁ ପଦକ୍ଷେପ ନିଆଯାଏ, ତେବେ ତାହା ‘ମୂଳୁ ମାରିଲେ ଯିବ ସରି’ ଭଳି କାର୍ଯ୍ୟ କରେ। ଉଡ଼ିବା ଆରମ୍ଭ କଲା ପରେ ଗୋଟିଏ ପଙ୍ଗପାଳ ଦଳ ଦିନରେ ପ୍ରାୟ ୧୫୦ କିମି ଅତିକ୍ରମ କରି ଯାଇଥାଏ। ସେତେବେଳେ ସେମାନଙ୍କୁ ନିପାତ କରିବା କଷ୍ଟକର ହୁଏ। ଶିଶୁ ପଙ୍ଗପାଳ ଭୂଇଁରେ ଅଟକି ରହିଥିବା ବେଳେ ପାଦରେ ଚାଲି ତଥା ଗାଡ଼ି ମଟର ବ୍ୟବହାର କରି ସେମାନଙ୍କ ଉପରେ କୀଟନାଶକ ପ୍ରୟୋଗ କରାଯାଇ ପାରିବ। ଆକାଶରେ ଏ କାର୍ଯ୍ୟ ଦୁରୂହ ଓ ବ୍ୟୟବହୁଳ ହୋଇଥାଏ।

ଜାତିସ˚ଘର ‘ଏଫ୍‌ଏଓ’ ଏ ସମ୍ବନ୍ଧରେ ସଚେତନ ହୋଇ ପଙ୍ଗପାଳ ଦମନ ପାଇଁ ଆବଶ୍ୟକ ଅର୍ଥ ଦାନ କରିବା ପାଇଁ ଧନୀ ଦେଶମାନଙ୍କୁ ବାରମ୍ବାର ଅନୁରୋଧ କରି ଆସିଥିଲେ ହେଁ, ସେମାନେ ଏଥିପାଇଁ ସହଯୋଗର ହାତ ବଢ଼ାଇ ନାହାନ୍ତି। ଯେହେତୁ ପଙ୍ଗପାଳଙ୍କର ଜନ୍ମ ଅଞ୍ଚଳର ଦେଶମାନେ ଅତ୍ୟନ୍ତ ଦରିଦ୍ର ଶ୍ରେଣୀର, ସେମାନେ ମଧୢ ଏ ଦିଗରେ ଯଥେଷ୍ଟ ସମ୍ବଳ ବିନିଯୋଗ କରିପାରୁନାହାନ୍ତି। ଅପରପକ୍ଷେ, ଏକ ବିଡ଼ମ୍ବନା ଭଳି ସେସବୁ ଦେଶମାନେ ଯେତେବେଳେ ପଙ୍ଗପାଳ ଆକ୍ରମଣ ଜନିତ ଫସଲ ହାନି ଯୋଗୁଁ ଦୁର୍ଭିକ୍ଷର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଧନୀ ଦେଶମାନେ ଏବ˚ ବଦାନ୍ୟ ଅନୁଷ୍ଠାନମାନେ ସେମାନଙ୍କୁ ଅନାହାରରୁ ବଞ୍ଚାଇବା ପାଇଁ ଦାନ ଦେବାକୁ ଆରମ୍ଭ କରନ୍ତି।

ଏ ବିଡ଼ମ୍ବନାର କାରଣ ବୁଝିବା କଷ୍ଟ ନୁହେଁ: ପଙ୍ଗପାଳ ଆକାଶରେ ଦେଖା ଦେବା ପୂର୍ବରୁ ତାହା ଏକ ସ˚କଟର ରୂପ ନେଇନଥାଏ; ସେମାନେ ଫସଲ ଧ୍ବ˚ସ କଲାପରେ ଯାଇ ଖାଦ୍ୟ ସ˚କଟ ସୃଷ୍ଟି ହୁଏ। ସ˚କଟ ହିଁ ସହାୟତା ଆକର୍ଷିତ କରେ। ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥାଏ, ଯାହାର ପରିଣାମ ଆମେ ଏବେ ଦେଖିବାକୁ ପାଉଛୁ। ଅନ୍ତତଃ ଭାରତରେ ସେମାନଙ୍କର ବ˚ଶ ବିସ୍ତାରକୁ ପ୍ରତିହତ କରିବା ଆମର ଦାୟିତ୍ବ ହେବା ଉଚିତ। ସରକାରଙ୍କ ପାଇଁ ଏହା ଆଉ ଏକ ଆହ୍ବାନ।

ସମ୍ବନ୍ଧିତ ଖବର