ମଲ୍ଲଯୋଦ୍ଧାଙ୍କ ସ˚ଯମ

ପ୍ରାରମ୍ଭରୁ ଏଭଳି ଏକ ଚିତ୍ର ମନକୁ ଆଣନ୍ତୁ। ଦୁଇ ଅତ୍ୟନ୍ତ ବିଶାଳ ରାଷ୍ଟ୍ର ଯହିଁରେ ପୃଥିବୀ ଜନସ˚ଖ୍ୟାର ପ୍ରାୟ ଏକ ତୃତୀୟା˚ଶ ବାସ କରନ୍ତି, ଯେଉଁ ଦୁହିଁଙ୍କ ଠାରେ ରହିଛି ପୃଥିବୀର ସର୍ବାଧିକ ବିଶାଳ ସୈନ୍ୟ ବଳ ଏବ˚ ଅଣୁ ଶକ୍ତି ସ˚ପନ୍ନତା; ସେହି ଦୁଇ ରାଷ୍ଟ୍ରର ସୈନିକମାନେ ଏକ ବିବାଦୀୟ ଓ ଅସ୍ପଷ୍ଟ ସୀମାରେଖା ଉପରେ ପରସ୍ପରକୁ ମୁଥ ମରାମରି ତଥା ପରସ୍ପର ଉପରେ ପଥର ଫିଙ୍ଗାରେ ବ୍ୟସ୍ତ! ପରସ୍ପର ଉପରେ ଆକ୍ରମଣ ଲାଗି ଉଦ୍ୟତ ଦୁଇ ପହେଲଵାନ କୁସ୍ତିରେ ବ୍ୟାପୃତ ନ ହୋଇ କେବଳ ପରସ୍ପରକୁ ନିଜ ନିଜର ସ୍ଫୀତ ମା˚ସପେଶୀ ଦେଖାଇବାରେ ବ୍ୟସ୍ତ ଥିବା ଭଳି ସ୍ଥିତିର ଏକ ଆଭାସ ଏଥିରୁ ମିଳୁନାହିଁ କି? ଯଦିଓ ୧୯୬୨ ମସିହାରେ ଏହି ଦୁଇ ରାଷ୍ଟ୍ର ଏକ ତିକ୍ତ ସମରରେ ଅବତୀର୍ଣ୍ଣ ହୋଇଥିଲେ; ତା’ ପର ଠାରୁ ଦୀର୍ଘ ଛଅ ଦଶନ୍ଧି ଧରି ନିୟମିତ ସମୟ ଅନ୍ତରାଳରେ ଏହି ଦୁଇ ପଡ଼ୋଶୀ ମୁହାଁମୁହିଁ ହେଉଥିଲେ ସୁଦ୍ଧା ୧୯୬୭ ମସିହା ଉପରାନ୍ତ ଏମାନଙ୍କ ମଧୢରେ ଗୋଟିଏ ବି ଗୁଳି ବିନିମୟ ହୋଇନାହିଁ। ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସତ୍ତ୍ବେ କୌଣସି ନା କୌଣସି କାରଣରୁ ଏକ ପ୍ରକାର ସ˚ଯମର ଆବିର୍ଭାବ ଘଟି ଏହି ଦୁଇ ରାଷ୍ଟ୍ରକୁ ଏକ ଯୁଦ୍ଧ ଠାରୁ ଦୂରରେ ରଖିଛି; ଯାହା ପୁଣି ଥରେ ଗଲା ବୁଧବାର ଦିନ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ଗଲା କିଛି ଦିନ ଧରି ଲଦାଖ ସୀମାରେ ଚୀନ ଓ ଭାରତ ମଧୢରେ ଉତ୍ତେଜନା ବୃଦ୍ଧି ପାଇ ଏକ ସମ୍ଭାବ୍ୟ ଯୁଦ୍ଧସୁଲଭ ପରିସ୍ଥିତି ଜାତ କରିଥିଲା। ସ˚ପ୍ରତି କିଞ୍ଚିତ ପ୍ରଶମିତ ହୋଇଥିବା ଉତ୍ତେଜନା ଯଦିଓ ଆତ୍ମତୃପ୍ତି ଲାଗି ଅବକାଶ ସୃଷ୍ଟି କରିନାହିଁ, ତଥାପି ଅତୀତର ଧାରାରୁ ଏଭଳି ଏକ ଉପସ˚ହାରରେ ଉପନୀତ ହେବାରେ ବାଧା ନାହିଁ ଯେ ଏହି ଦୁଇ ରାଷ୍ଟ୍ର ମଧୢରେ ଏକ ଯୁଦ୍ଧର ଆଶଙ୍କା ହୁଏତ ଅତ୍ୟନ୍ତ କ୍ଷୀଣ।

‘କୋଭିଡ୍‌-୧୯’ ପାନ୍‌ଡେମିକ ପରିପ୍ରେକ୍ଷୀରେ ଚୀନ୍‌ର ଭାବମୂର୍ତ୍ତି ଯେ କେବଳ ଅନ୍ତର୍ଜାତୀୟ ସ୍ତରରେ କ୍ଷୁଣ୍ଣ ହୋଇଛି, ତାହା ନୁହେଁ; ନିଜ ଦେଶରେ ମଧୢ ଚୀନ ସରକାର ଜନ ରୋଷର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହି ଭୂତାଣୁର ସ˚କ୍ରମଣ ଓ ମାରକ କ୍ଷମତା ସ˚ପର୍କରେ ଚୀନ୍‌ର ଜଣେ ଡାକ୍ତର ଯଥେଷ୍ଟ ପୂର୍ବରୁ ସ˚କେତ ଦେଇଥିବା ସତ୍ତ୍ବେ ଚୀନ ସରକାର ସବୁ ସୂଚନାକୁ ନିଶ୍ଚିହ୍ନ କରି ଦେବାର ଉଦ୍ୟମ କରିବା ସହିତ ସ˚ପୃକ୍ତ ଡାକ୍ତରଙ୍କ (ପରିଶେଷରେ ସେହି ଡାକ୍ତରଙ୍କ କରୋନାରେ ହିଁ ମୃତ୍ୟୁ ଘଟିଥିଲା) କଣ୍ଠରୋଧ କରାଯିବାର ପ୍ରୟାସ ପ୍ରଘଟ ହୋଇଯିବା ପରେ ଚୀନ୍‌ର ଅସ˚ଖ୍ୟ ନାଗରିକ ସେଠାକାର କମ୍ୟୁନିଷ୍ଟ ସରକାର ଉପରେ ରୁଷ୍ଟ। କେବଳ ସେତିକି ନୁହେଁ, ଜଗତ୍‌କରଣ ଅଧୀନସ୍ଥ ପୃଥିବୀରେ ଚୀନ୍‌ର ଅମାପ ସ୍ବାର୍ଥ ବିଭିନ୍ନ ବାହାର ଦେଶରେ ନିହିତ ଥିବା ବେଳେ ଏହି ‘ପାନ୍‌ଡେମିକ୍‌’ ସୃଷ୍ଟିରେ ଚୀନ୍‌ର ସନ୍ଦିଗ୍‌ଧ ଭୂମିକା କାରଣରୁ ତାହା ଘୋର ଅନିଶ୍ଚିତତା ମଧୢରେ ରହିଛି। ପୃଥିବୀର ଅନେକ ରାଷ୍ଟ୍ରରେ ଚୀନ୍‌ର ନାଗରିକମାନେ ସନ୍ଦେହାସ୍ପଦ ହୋଇ ପଡ଼ିଛନ୍ତି। ଏହା ସହିତ ଆଉ ଯାହା ଦେଖିବାକୁ ମିଳିଛି, ତାହା ହେଲା ଚୀନ୍‌କୁ କୋଣଠେସା କରିବା ଲାଗି ଆନ୍ତର୍ଜାତିକ ସ୍ତରରେ ଏକ ପଥିକୃତ୍‌ ଉଦ୍ୟମର ସୂତ୍ରପାତ। ସୁତରା˚, ଏଭଳି ଏକ କ୍ଷଣରେ ଚୀନ ସରକାର ନିଜ ରାଷ୍ଟ୍ରରେ ଏକ ଜାତୀୟତାବାଦୀ ଆବେଗର ସ୍ଫୁରଣ କରିବା ସକାଶେ ଉତ୍କଟ ସ˚ପ୍ରସାରଣବାଦୀ ମନୋଭାବ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସୀମାନ୍ତରେ ଭାରତ ସହିତ ମୁକାବିଲା ଏହି ଆଭିମୁଖ୍ୟର ଏକ ଅ˚ଶ ହୋଇପାରେ। ଏହା ମଧୢ ସମ୍ଭବ ଯେ କରୋନା ‘ପାନ୍‌ଡେମିକ୍‌’ ଦ୍ବାରା ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ହୀନବଳ ହୋଇ ପଡ଼ିଥିବାର ଧାରଣା ସୃଷ୍ଟି ହେବା ପରିପ୍ରେକ୍ଷୀରେ ଚୀନ ନିଜକୁ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପ୍ରମାଣିତ କରିବାକୁ ଅଧୈର୍ଯ୍ୟ ହୋଇ ପଡ଼ିଛି।

କିନ୍ତୁ ଭାରତ ସହିତ ଚୀନ୍‌ର ଏକ ସମ୍ଭାବ୍ୟ ଯୁଦ୍ଧ ବାବଦରେ ଆଲୋଚନା କଲା ବେଳେ ଯାହା ଅଚିରେ ସ୍ପଷ୍ଟ ହୋଇଯାଇଥାଏ, ତାହା ହେଲା ଏହି ଦୁଇ ବିଶାଳ ଶକ୍ତିଶାଳୀ ରାଷ୍ଟ୍ର ଏକ ପ୍ରକୃତ ଯୁଦ୍ଧରେ ଅବତୀର୍ଣ୍ଣ ହେବାର ସମ୍ଭାବନା ପ୍ରାୟ ଶୂନ୍ୟ ତୁଲ୍ୟ। କାରଣ ଏହି ଦୁଇ ରାଷ୍ଟ୍ର ଜାଣନ୍ତି ଯେ ଭୌଗୋଳିକ-ରାଜନୈତିକ ଦୃଷ୍ଟିକୋଣରୁ ତଥା କୂଟନୀତି, ରଣନୀତି ଠାରୁ ଆରମ୍ଭ କରି ବାଣିଜ୍ୟ ନୀତି ପର୍ଯ୍ୟନ୍ତରେ ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ନିହିତ ଥିବା ଉଭୟ ରାଷ୍ଟ୍ରର ସ୍ବାର୍ଥ କେବଳ ଏକ ସଦ୍‌ଭାବପୂର୍ଣ୍ଣ ବାତାବରଣରେ ହିଁ ବିକଶିତ ହେବା ସମ୍ଭବ। ସୁତରା˚, ଉଭୟ ରାଷ୍ଟ୍ରର ସୀମାରେ ଉତ୍ତେଜନା ବୃଦ୍ଧି ପାଇଲେ କୂଟନୈତିକ ସ୍ତରରେ ପରିସ୍ଥିତିକୁ ସମ୍ଭାଳି ନେବାର ଉଦ୍ୟମ ହିଁ ହେଉଛି ଏକମାତ୍ର ସ୍ବାଭାବିକ ପନ୍ଥା, ଯାହା ବାରମ୍ବାର ପରିଦୃଶ୍ୟ ହୋଇଛି। ଅନେକଙ୍କ ସ୍ମରଣରେ ଥାଇପାରେ ଯେ ଗଲା ଶତାବ୍ଦୀର ଅଷ୍ଟମ ଦଶକର ମଧୢ ଭାଗରେ ‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ଏକ ସମ୍ବାଦ ସାରା ବିଶ୍ବରେ ଏକ ଧାରଣା ସୃଷ୍ଟି କରିଥିଲା ଯେ ଭାରତ ଓ ଚୀନ ମଧୢରେ ଏକ ଯୁଦ୍ଧ ଆସନ୍ନ। କାରଣ ସେହି ଖବରକାଗଜ ସୂଚନା ପ୍ରଦାନ କରିଥିଲା ଯେ ତିବେତ ପାର୍ବତ୍ୟ ଘାଟି ଦେଇ ଅସୁମାରି ଗୁଳିଗୋଳା ଓ ତୋପବାହୀ ଚୀନା ସାମରିକ ଯାନ ଭାରତୀୟ ସୀମାନ୍ତ ଆଡ଼କୁ ଧାଡ଼ି ବାନ୍ଧି ଚାଲିଛନ୍ତି। କିନ୍ତୁ ସେହି ଅନୁମାନ ଭ୍ରାନ୍ତ ସାବ୍ୟସ୍ତ ହେଲା। ନିକଟ ଅତୀତରେ ଚୁମାର ଏବ˚ ଡୋକଲାମ ଠାରେ ଭାରତ ଓ ଚୀନା ସୈନ୍ୟ ବାହିନୀ ମୁହାଁମୁହିଁ ହୋଇଥିଲେ; ଡୋକଲାମ ଠାରେ ଦୀର୍ଘ ବାସ୍ତରି ଦିନ ଧରି ଏକ ସ˚ଘାତସୁଲଭ ପରିସ୍ଥିତି ଲାଗି ରହିଥିଲା; କିନ୍ତୁ କୁଟନୈତିକ ସ୍ତରରେ ତାହାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ହୋଇପାରିଲା। ସା˚ପ୍ରତିକ ଘଟଣାରେ ଉତ୍ତେଜନାର ପାରଦ ଲଗାତାର ଊର୍ଦ୍ଧ୍ବମୁଖୀ ହେଉଥିବା ବେଳେ ଗଲା ବୁଧବାର ଦିନ ଦୁଇ ପ୍ରମୁଖ ଚୀନା କୂଟନୀତିଜ୍ଞଙ୍କ ବୟାନ ଏଥିରେ ଶୀତଳତା ଆଣିଛି। ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ପ୍ରବକ୍ତା ଲିଜିଆନ ଝାଓ ଏବ˚ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସୁନ ୱିଡଙ୍ଗଙ୍କ ସଦ୍ୟତମ ବୟାନରେ ଏହା ସ୍ପଷ୍ଟ ହୋଇଛି, ଯାହାର ମର୍ମାର୍ଥ ହେଲା ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ପରସ୍ପର ଲାଗି ସୁଯୋଗ ସୃଷ୍ଟି କରିବାର ଅଜସ୍ର ସମ୍ଭାବନା ଏବେ ବିଦ୍ୟମାନ। ଉଲ୍ଲେଖ ନିଷ୍ପ୍ରୋୟଜନ ଯେ ଏଭଳି ଏକ ଉତ୍ତେଜନା ପ୍ରଶମନକାରୀ ସ୍ଥିତି ଲାଗି ତୁଙ୍ଗ ଭାରତୀୟ କୂଟନୀତିଜ୍ଞ ଦଳ(ଡୋକଳାମ ଟିମ୍‌)ର ପ୍ରୟାସ ମଧ୍ୟ ବେଶ୍‌ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ‌ହୋଇଛି।

ଏହି ସ˚ଦର୍ଭରେ ଏକ ଚୀନା କାହାଣୀ ପ୍ରଣିଧାନଯୋଗ୍ୟ। ବୌଦ୍ଧଧର୍ମ ଦ୍ବାରା ଦୀକ୍ଷିତ ପ୍ରାଚୀନ ଚୀନ ଭ୍ରମଣରେ ଯାଇଥିବା ଜଣେ ପରିବ୍ରାଜକ ସେଠାରେ ଏକ ବିଚିତ୍ର ମଲ୍ଲଯୁଦ୍ଧ ଦେଖି ଆଚମ୍ବିତ ହୋଇଥିଲେ। ସେହି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିବା ଦୁଇ ବିଶାଳ ବପୁବନ୍ତ ପହେଲଵାନ ପରସ୍ପର ସହିତ ଲଢ଼ିବା ପାଇଁ ଆଖଡ଼ାରେ ଚକ୍ରାକାରରେ ଘୂରି ବୁଲି ବିଭିନ୍ନ ଅଙ୍ଗଭଙ୍ଗୀ ଆଦି ଦ୍ବାରା ପରସ୍ପରକୁ ଆକ୍ରମଣ କରିବାକୁ ଆହ୍ବାନ ଦେଇ ଚାଲୁଥିଲେ ସୁଦ୍ଧା କେହି କାହା ଉପରେ ଆକ୍ରମଣ କରୁ ନ ଥିଲେ। ପରିଶେଷରେ ଯେତେବେଳେ ଜଣେ ପହେଲଵାନ ଧୈର୍ଯ୍ୟ ହରାଇ ଆକ୍ରମଣ କଲେ, ତତ୍‌କ୍ଷଣାତ୍‌ ସେ ପରାଜିତ ବୋଲି ଘୋଷଣା କରାଗଲା। ସୁତରା˚, ସେହି ମଲ୍ଲଯୁଦ୍ଧ ପ୍ରକୃତରେ ଥିଲା ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧୢରେ ସ˚ଯମର ଏକ ପରୀକ୍ଷା। ସ˚ପ୍ରତି ଭାରତ ଓ ଚୀନ ମଧୢରେ ସୃଷ୍ଟି ହୋଇଥିବା ସ୍ଥିତିରେ ଏଭଳି ଏକ ମଲ୍ଲଯୁଦ୍ଧର ଛାୟାକୁ ବୋଧହୁଏ ଦେଖି ହେଉଛି। ସୀମାନ୍ତରେ ମୁହାଁମୁହିଁ ସେନାବାହିନୀ ଜରିଆରେ ଏହି ଦୁଇ ରାଷ୍ଟ୍ର ଯେତେବେଳେ ପରସ୍ପରକୁ ଆହ୍ବାନ ଦେବାରେ ବ୍ୟସ୍ତ, ସେତିକି ବେଳେ କୂଟନୈତିିକ ପଦକ୍ଷେପ ଏହି ରାଷ୍ଟ୍ର ଦ୍ବୟ ଭିତରେ ଅନ୍ତର୍ନିହିତ ସ˚ଯମ ଭଳି ସେମାନଙ୍କୁ ପରସ୍ପର ଉପରେ ଆକ୍ରମଣ କରିବାରୁ କ୍ଷାନ୍ତ ରଖୁୁଛି। ତେଣୁ ଉପରୋକ୍ତ କାହାଣୀ ଆଧାରରେ ବିଚାର କରି କହି ହେବ ଯେ ଏଭଳି ସ˚ଯମ ରକ୍ଷା କରିବାରେ ଯେଉଁ ରାଷ୍ଟ୍ର ପ୍ରଥମେ ବିଫଳ ହେବ, ସେ ହିଁ ପ୍ରକୃତରେ ଏ ସ˚ଘାତରେ ପରାଜିତ ହେବ। କାରଣ ସତ କହିଲେ, ଭାରତ ଓ ଚୀନ ମଧୢରେ ଏବେ ଯଦି ଏକ ପ୍ରକୃତ ଯୁଦ୍ଧ ସ˚ଘଟିତ ହୁଏ, ତେବେ ଏହା ନିଶ୍ଚିତ ଯେ କେହି କାହାକୁ ପରାଜିତ କରି ପାରିବେ ନାହିଁ।

ସମ୍ବନ୍ଧିତ ଖବର