କ୍ୟାପଟେନ ଆମେରିକା!

ମୁଲ୍ଲା ନସିରୁଦ୍ଦିନଙ୍କ ସମ୍ବନ୍ଧରେ ଏକ ଚଟୁଳ ଗଳ୍ପର ଅବତାରଣା କରା ଯାଇଥାଏ। ଥରେ ପତ୍ନୀଙ୍କୁ ପ୍ରହାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଅଦାଲତରେ ପେସ କରାଯାଆନ୍ତେ ମୁଲ୍ଲା ନିଜ ପକ୍ଷ ରଖି କହିଥିଲେ: ‘ଧର୍ମାବତାର, ସେ ଦିନ ମୋର ଅନେକ କାମ ଥିଲା ସତ; କିନ୍ତୁ ଯେତେବେଳେ ଦେଖିଲି ମୋ ସମ୍ମୁଖରେ ମୋତେ ପଛ କରି ମୋ ପତ୍ନୀ ଦଣ୍ତାୟମାନ, ନିକଟରେ ଠେଙ୍ଗାଟିଏ ଡେରା ହୋଇ ରହିଛି ଏବ˚ ବାହାରକୁ ପଳାଇ ଯିବା ସକାଶେ ଦରଜା ଉନ୍ମୁକ୍ତ; ଆଉ ସମ୍ଭାଳି ପାରିଲି ନାହିଁ’।’ ସେଦିନ ତାଙ୍କର ଅନ୍ୟାନ୍ୟ ବ୍ୟସ୍ତତା ସତ୍ତ୍ବେ ଅତ୍ୟନ୍ତ ଅନାବଶ୍ୟକ କାର୍ଯ୍ୟଟିଏ କରିବା ଲାଗି ମୁଲ୍ଲା ପ୍ରଦର୍ଶନ କରିଥିବା ଆତୁରତା ଭଳି ଏକ ଉଦାହରଣ ସ˚ପ୍ରତି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ର˚ପ୍‌ଙ୍କ ଠାରେ; ଯେତେବେଳେ ସେ ସ˚ପୂର୍ଣ୍ଣ ଅଯାଚିତ ଭାବେ ଭାରତ ଓ ଚୀନ ମଧ୍ୟରେ ଲଦାଖ ଠାରେ ସୃଷ୍ଟି ହୋଇଥିବା ସୀମା ବିବାଦରେ ମଧ୍ୟସ୍ଥତା ଲାଗି ଆଗକୁ ବାହାରି ପଡ଼ିଛନ୍ତି। କହିବା ନି‌ଷ୍ପ୍ରୟୋଜନ ଯେ ସ˚ପ୍ରତି କରୋନା ସ˚କ୍ରମଣର ସୁନାମିରେ ମଗ୍ନପ୍ରାୟ ତାଙ୍କ ନିଜ ରାଷ୍ଟ୍ର ଆମେରିକା ଅଣନିଃଶ୍ବାସୀ ହୋଇ ତହିଁରୁ ଉଦ୍ଧାର ଲାଭ କରିବାର ମାର୍ଗ ଖୋଜୁଛି। ଏଭଳି ଏକ ପରିସ୍ଥିତିରେ ଏକ ନିତାନ୍ତ ଅବା˚ଛିତ ପ୍ରସ୍ତାବ ରୂପରେ ଟ୍ର˚ପଙ୍କ ଆଉ ଏକ ଦୁର୍ବୋଧୢ କାର୍ଯ୍ୟ ତାଙ୍କ ପଦର ଗାମ୍ଭୀର୍ଯ୍ୟକୁ ନିଷ୍ପ୍ରଭ କରିଛି। ସ୍ବାଭାବିକ ଭାବେ ଉଭୟ ଭାରତ ଓ ଚୀନର ପ୍ରତିକ୍ରିୟା ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରେ ହିଁ ପ୍ରକାଶିତ ହୋଇଛି।

କହିବା ବାହୁଲ୍ୟ ଯେ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଅର୍ଜନ କରି ସାରିଥିବା କୌଣସି ରାଷ୍ଟ୍ର ତାର ପଡେ଼ାଶୀ ସହିତ ବିବାଦରେ ସ˚ପୃକ୍ତ ହୋଇ ପଡ଼ିଲେ ତାର ସମାଧାନର ପଥ ଦ୍ବି-ପାକ୍ଷିକ ଆଲୋଚନା ମାଧ୍ୟମରେ ଅନ୍ବେଷଣ କରିଥାଏ। ତହିଁରେ ଏକ ବାହ୍ୟ ତୃତୀୟ ରାଷ୍ଟ୍ରର ମଧୢସ୍ଥତାକୁ ଅଧିକା˚ଶ ରାଷ୍ଟ୍ର ଆପଣା କୂଟନୈତିକ ଦୁର୍ବଳତା ବୋଲି ବିବେଚନା କରିଥାଆନ୍ତି। ସେହି ଦୃଷ୍ଟିରୁ ଭାରତ ଓ ଚୀନ ଭଳି ପୃଥିବୀର ଦୁଇ ବିଶାଳ ଓ ଶକ୍ତିଶାଳୀ ରାଷ୍ଟ୍ର ପାରସ୍ପରିକ ମତଭେଦ ଦୂର କରିବା ଲାଗି ନିଜ ନିଜ ରାଷ୍ଟ୍ର ଶକ୍ତିରେ ଅନ୍ତର୍ନିହିତ ସବଳ ଓ ଦକ୍ଷ କୂଟନୈତିକ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିବା ସ୍ବାଭାବିକ। ସେହି କାରଣରୁ ଡୋନାଲଡ ଟ୍ର˚ପଙ୍କ ପ୍ରସ୍ତାବ ଅପା˚କ୍ତେୟ ହୋଇ ପଡ଼ିବା ଅବଧାରିତ ଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ନେତୃତ୍ବ ନେବାର ଦକ୍ଷତା ମଧୢସ୍ଥତା କରିବାରେ ପ୍ରତିପାଦିତ ହୁଏ ବୋଲି ଟ୍ର˚ପ୍‌ଙ୍କର ଏକ ଧାରଣା ରହିଛି କି? କାରଣ ଗତ ବର୍ଷ ମଧୢ ରାଷ୍ଟ୍ରପତି ଟ୍ର˚ପ୍‌ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧୢରେ ମଧୢସ୍ଥତା କରିବାର ପ୍ରସ୍ତାବ ଦେଇଥିଲେ। କେବଳ ସେତିକି ନୁହେଁ, ସେ ଏହା ମଧୢ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗ୍ରହ କ୍ରମେ ସେ ଏଭଳି ମଧୢସ୍ଥତା କରିବାକୁ ପ୍ରସ୍ତୁତ। କହିବା ବାହୁଲ୍ୟ, ତାଙ୍କର ଏଭଳି ସନ୍ଦିଗ୍‌ଧ ମନ୍ତବ୍ୟ ଭାରତ ଦ୍ବାରା କଡ଼ା ପ୍ରତିବାଦର ସମ୍ମୁଖୀନ ହୋଇ ସ୍ବାଭାବିକ ଭାବେ ତାର ମହତ୍ତ୍ବ ହରାଇଥିଲା।

ଏ ପରିପ୍ରେକ୍ଷୀରେ ଦ୍ବିତୀୟ ପ୍ରଶ୍ନଟି ହେଲା ସ˚ପ୍ରତି କରୋନା ସ˚କ୍ରମଣର ଘନଘଟା ମଧୢରେ ରାଷ୍ଟ୍ରପତି ଟ୍ର˚ପ୍‌ ଏଭଳି ଏକ ଅଯାଚିତ ପ୍ରସ୍ତାବ ଦେଲେ କାହିଁକି ବା ଏଭଳି ଏକ ଅପରିପକ୍ବ ଆଚରଣ ପ୍ରଦର୍ଶନ କଲେ କାହିଁକି? ହୁଏ’ତ ଏହାର ଉତ୍ତର ନିହିତ ରହିଛି ନେତୃତ୍ବ ନେଇ ସେ ପୋଷଣ କରୁଥିବା ସେହି ଧାରଣାରେ। ତାଙ୍କର ଏଭଳି ଧାରଣା ଅନେକତ୍ର ପରିଦୃଶ୍ୟ ହେବାରେ ଲାଗିଛି। ‘ଆମେରିକୀୟ ପ୍ରାଧାନ୍ୟବାଦ’ର ଯେଉଁ ଅବବୋଧ ଦ୍ବାରା ସେ ପରିଚାଳିତ, ତାହା ବିଶ୍ବକୁ ନେତୃତ୍ବ ଦେବାରେ ପରିଭାଷିତ ନ ହୋଇ ବର˚ ଅନେକ ବିଶ୍ବ ସ୍ତରୀୟ ସ˚ସ୍ଥାରୁ ଆମେରିକାକୁ ଓହରାଇ ନେଇ ସେ ତାହା ପ୍ରତିପାଦନ କରିବାକୁ ଉଦ୍ୟମ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ବ ତମାମ ପ୍ରକାଶ କରାଯାଉଥିବା ଉଦ୍‌ବେଗକୁ ଏକ ଅତିର˚ଜିତ ଆଶଙ୍କା ବୋଲି ଅଭିହିତ କରି ‘ପ୍ୟାରିସ ଜଳବାୟୁ ଚୁକ୍ତି’ରୁ ଓହରିଯିବା ବା ‘କୋଭିଡ୍‌-୧୯’ର ସ˚କ୍ରମଣ ଏକ ପାନ୍‌ଡେମିକ୍‌ରେ ପରିଣତ ହେବାରେ ଚୀନର ସନ୍ଦିଗ୍‌ଧ ଭୂମିକା ପରିପ୍ରେକ୍ଷୀରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’କୁ ଚୀନର ହାତବାରିସୀ ବୋଲି ଦାୟୀ କରି ଏହି ବିଶ୍ବ ସ୍ତରୀୟ ଅନୁଷ୍ଠାନକୁ ଆର୍ଥିକ ଅନୁଦାନ ବନ୍ଦ କରି ଦେବା ଅଥବା ତାଲିବାନ ଭଳି ଏକ ଆତଙ୍କବାଦୀ ଗୋଷ୍ଠୀ ସହିତ ଏକ ଅତ୍ୟନ୍ତ ନୈରାଶ୍ୟଜନକ ଚୁକ୍ତିି ସ୍ବାକ୍ଷର କରି ସ˚ପୂର୍ଣ୍ଣ ଆଫଗାନିସ୍ତାନକୁ ମରଣାନ୍ତକ ବିପଦ ଓ ଅନିଶ୍ଚିତତାର ଅନ୍ଧକାର ମଧୢକୁ ଠେଲି ଦେବା ଇତ୍ୟାଦି ହେଉଛି ଏଭଳି କେତେକ ଉଦାହରଣ। କେବଳ ସେତିକି ନୁହେଁ, ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ଧାରଣା, ପୂର୍ବାଗ୍ରହ ଏବ˚ ଭ୍ରାନ୍ତି ଦ୍ବାରା ପ୍ରଭାବିତ, ଯାହା ତାଙ୍କୁ ଅନେକ ସମୟରେ ‘ଆଡ଼ବାୟା’ ରାଜା ରୂପେ ପ୍ରଦର୍ଶିତ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସ˚କ୍ରମଣକୁ ପ୍ରତିହତ କରିବାର ବିଫଳତା ଲାଗି ତାଙ୍କ ଅହ˚କାର ଏବ˚ ଅପରିପକ୍ବତାକୁ ହିଁ ଦାୟୀ କରାଯିବାରେ ଲାଗିଛି। ‘କୋଭିଡ୍‌-୧୯’ର ସ˚କ୍ରମଣରୁ ମୁକ୍ତ ରହିବା ଲାଗି ‘ସାନିଟାଇଜର’ ପାନ କରିବାର ତାଙ୍କର ଅବିମୃଶ୍ୟକାରୀ, ଅବାସ୍ତବ ଓ ବିପଜ୍ଜନକ ପରାମର୍ଶ ଏବେ ଚୁଟକୁଲା ସ୍ତରରେ ପହଞ୍ଚିଲାଣି। ଏଭଳି ସ୍ଥଳେ ଆଉ ମାତ୍ର ଛଅ ମାସ ପରେ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ଡୋନାଲଡ ଟ୍ର˚ପ୍‌ ନିଜ ଭାବମୂର୍ତ୍ତିକୁ ସଜାଡ଼ିବା ତଥା ନିଜକୁ ଜଣେ ବିଶ୍ବ ନେତା ରୂପେ ପ୍ରତିପାଦନ କରିବାର ଏକ ଅନ୍ତିମ ପ୍ରୟାସ ସ୍ବରୂପ ବୋଧହୁଏ ସେ ଏଭଳି ଅବାଂଛିତ ପ୍ରସ୍ତାବଟି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଏହା ମଧୢ କୁହାଯାଇପାରେ ଯେ ଭାରତର ଏକ ରଣନୈତିକ ସହଯୋଗୀ ଏବ˚ ମିତ୍ର ରାଷ୍ଟ୍ର ବୋଲି ବରାବର କହୁଥିବା ଟ୍ର˚ପ୍‌ ଯଦି ଭାରତ ପକ୍ଷରେ ମତ ରଖିଥାଆନ୍ତେ, ତେବେ ହୁଏ’ତ ତାଙ୍କ ଠାରେ ନେତୃତ୍ବ ସୁଲଭ ଦକ୍ଷତାକୁ ଭାରତ ଆବିଷ୍କାର କରିଥାଆନ୍ତା; ଯାହା ଭାରତ ସକାଶେ ଆମେରିକାର ନିର୍ଭରଯୋଗ୍ୟତାର ଏକ ପ୍ରମାଣରେ ପରିଣତ ହୁଅନ୍ତା। କିନ୍ତୁ ଟ୍ରଂପ୍‌ ସେଭଳି କରି ନାହାନ୍ତି। ଚୀନା ବିରୋଧରେ ତାଙ୍କ ଲଢ଼େଇରେ ସହଯୋଗ କରିବାକୁ ସେ ଭାରତ ସମେତ ଅନେକ ରାଷ୍ଟ୍ରକୁ ଆହ୍ବାନ ଦେଉଥିବା ସତ୍ତ୍ବେ ସେମାନଙ୍କ ବିଶ୍ବାସ ଜିଣିବା ସକା‌ୋ କିଛି କରି ନାହାନ୍ତି।

ସ˚ପ୍ରତି କରୋନା ପରବର୍ତ୍ତୀକାଳୀନ ପୃଥିବୀରେ ଆପାତତଃ ଶକ୍ତିହୀନ ହୋଇ ପଡ଼ିଥିବା ଗଣତାନ୍ତ୍ରିକ ପାଶ୍ଚାତ୍ୟ ବିଶ୍ବ ସମ୍ମୁଖରେ ଯେତେବେଳେ କମ୍ୟୁନିଷ୍ଟ ଚୀନ ଏକ ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଆବିର୍ଭୂତ ହେବାର ଉଦ୍ୟମ ଆରମ୍ଭ କରି ଦେଇଛି, ସେତିକି ବେଳେ ତାର ଗତିରୋଧ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଏକ କ୍ୟାପେଟନ ସୁଲଭ ନେତୃତ୍ବର ଭୂମିକା ଆଶା କରାଯାଇଥାଏ, ଏକ ରେଫରି ତୁଲ୍ୟ ମଧୢସ୍ଥିର ଭୂମିକା ନୁହେଁ। କିନ୍ତୁ କ୍ୟାପଟେନ୍‌ ଟ୍ର˚ପଙ୍କ ନେତୃତ୍ବରେ ବୋଧହୁଏ ‘ମାର୍ଭେଲ କମିକ୍‌ସ’ ଦ୍ବାରା ସୃଷ୍ଟ ପୃଥିବୀ ପ୍ରସିଦ୍ଧ ଚରିତ୍ର ‘କ୍ୟାପଟେନ୍‌ ଆମେରିକା’ ବହନ କରିଥିବା ଶକ୍ତି ଓ ସାମର୍ଥ୍ୟ ନାହିଁ।

ସମ୍ବନ୍ଧିତ ଖବର