ସେନାପତିଙ୍କ ବିଧା

‘ନଇଁ ପଡ଼ିଥିବ ଯେତେ ବେଳେ, ବିଧାଏ ମାରିବ ସେତେ ବେଳେ’ ଭଳି ଏକ ସୁଯୋଗବାଦୀ ରଣନୈତିକ ପରାମର୍ଶ କେଉଁ ଅଜ୍ଞାତ ଅଥଚ ପ୍ରାଜ୍ଞ ଓଡ଼ିଆଙ୍କ ମୁଖରୁ ନିସୃତ ହୋଇଥିଲା କେଜାଣି; ତାକୁ ଯେ ଚୀନ୍‌ର ବର୍ତ୍ତମାନର ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ ଆପଣା କାର୍ଯ୍ୟରେ ପ୍ରୟୋଗ କରିବାରେ ଲାଗିଛନ୍ତି, ତାହା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି। ଏହା ସତ ଯେ ଓଡ଼ିଆ ଭାଷା ସହିତ ସି ଜିନ ପିଙ୍ଗଙ୍କ କୌଣସି ସ˚ପର୍କ ନାହିଁ, କିନ୍ତୁ ଉପରୋକ୍ତ ଓଡ଼ିଆ ଧାଡ଼ିରେ ନିହିତ ଥିବା ଦର୍ଶନ ସହିତ ମେଳ ଖାଉଥିବା ଅତ୍ୟନ୍ତ ପ୍ରସିଦ୍ଧ ପ୍ରାଚୀନ ଚୀନା ସମର ବିଶାରଦ ସୁନ ଜୁଙ୍କ ଶିକ୍ଷାର ପ୍ରଭାବ ତାଙ୍କ ଉପରେ ପଡ଼ିଥିବା ନିଶ୍ଚିତ। କାରଣ ତାହା ହୋଇ ନ ଥିଲେ, ଯେତେବେଳେ ସମଗ୍ର ପୃଥିବୀ କୋଭିଡ୍‌-୧୯ ଭୂତାଣୁର ମହା ସ˚କ୍ରମଣ କବଳରେ ଶ୍ବାସରୁଦ୍ଧ ଅବସ୍ଥାରେ, ସେତିକି ବେଳେ ତାଙ୍କ ନେତୃତ୍ବରେ ଚୀନ ହ˚କ˚କୁ ଉଦରସାତ୍‌ ଅଭିଯାନ ଆରମ୍ଭ କରି ନ ଥାଆନ୍ତା। କରୋନା ‘ପାନ୍‌ଡେମିକ’ ଭଳି ଅଭୂତପୂର୍ବ ବିପର୍ଯ୍ୟୟ ସୃଷ୍ଟିରେ ତାର ସନ୍ଦିଗ୍‌ଧ ଭୂମିକା ସତ୍ତ୍ବେ ସ˚ପୂର୍ଣ୍ଣ ବିବେକ ଦ˚ଶନ-ରହିତ ଚୀନ ଯେଉଁଭଳି ଏକ ଆକ୍ରମଣାତ୍ମକ ମୁଦ୍ରାରେ ତାର ସାମ୍ରାଜ୍ୟ ସ˚ପ୍ରସାରଣବାଦୀ ଗୋଟି ଚାଳନା ଆରମ୍ଭ କରିଛି, ତାହା ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।

ହ˚କ˚ ସ˚ପର୍କିତ ବିବାଦର ଆଲୋଚନା ପୂର୍ବରୁ ଇତିହାସ ଉପରେ ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ ଯେ ‘ଅଫିମ ଯୁଦ୍ଧ’(ଓପିଅମ ଵାର୍‌)ରେ ପରାଜିତ ହେବା ପରେ ଚୀନ୍‌ର କ୍ବି˚ଗ୍‌ ରାଜବ˚ଶ ୧୮୯୮ ମସିହାରେ ଏକ ସନ୍ଧି ସର୍ତ୍ତାନୁସାରେ ବିଜୟୀ (ରାଣୀ ଭିକ୍ଟୋରିଆଙ୍କ) ବ୍ରିଟେନ୍‌ ହାତରେ ହ˚କ˚କୁ ଏକ ‘ଅନେଶତ ବର୍ଷିଆ’ ଲିଜ୍‌ ସୂତ୍ରରେ ଟେକି ଦେଇଥିଲା। ସେହି ଦିନ ଠାରୁ ହ˚କ˚ ବ୍ରିଟେନର ଏକ ଉପନିବେଶ ଦ୍ବୀପ ଭାବେ ରହି ଆସି ଗଣତନ୍ତ୍ର, ଉଦାରବାଦ ତଥା ଉଦ୍ୟୋଗିକ ଓ ବାଣିଜ୍ୟିକ ବିକାଶର ଏକ ଅସାଧାରଣ ଦୃଷ୍ଟାନ୍ତରେ ପରିଣତ ହୋଇଛି। ତେବେ, ଅନ୍ୟ ଦିଗରେ ଏହି ଅନେଶତ ବର୍ଷର କାଳଖଣ୍ତରେ ଚୀନ୍‌ରେ ରାଜବ˚ଶର ପତନ ସହିତ ଏକଛତ୍ରବାଦୀ ସାମ୍ୟବାଦର ଅଭ୍ୟୁଦୟ ଓ ବିକାଶ ଘଟି ଆଜି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ପୃଥିବୀର ଅନ୍ୟତ୍ର ଏହି ରାଜନୈତିକ ଦର୍ଶନ ଆଧାରିତ ଶାସନ ବ୍ୟବସ୍ଥା ବିଲୁପ୍ତ ଅଥବା ମୁମୂର୍ଷୁ ହୋଇସାରିଥିବା ବେଳେ ଚୀନ୍‌ରେ ତାହା ସି˚ହ ବିକ୍ରମରେ ଅଗ୍ରସର ହେବାରେ ଲାଗିଛି। ତେବେ, ୧୯୯୭ ମସିହାରେ ଏହି ଲିଜ ଅବଧିର ସମାପ୍ତି ପରେ ବ୍ରିଟେନ ଠାରୁ ଚୀନକୁ ହସ୍ତାନ୍ତରିତ ହୋଇଥିବା ହ˚କ˚ରେ ଆଗାମୀ ପଚାଶ ବର୍ଷ ଯାଏ ‘ଗୋଟିଏ ରାଷ୍ଟ୍ର ଦୁଇଟି ବ୍ୟବସ୍ଥା’ ବା ‘ଵାନ୍‌ କନ୍‌ଟ୍ରି ଟୁ ସିଷ୍ଟମ’ ଶାସନ ପଦ୍ଧତିର ପ୍ରବର୍ତ୍ତନ କରାଯିବ ବୋଲି ଚୀନ୍‌ର ଡେଙ୍ଗ ଜିଆଓପିଙ୍ଗ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହାର ଅର୍ଥ ଥିଲା ଯେ ହ˚କ˚ ଚୀନ ଅଧୀନକୁ ଆସିଥିବା ସତ୍ତ୍ବେ ସେଠାରେ ସାମ୍ୟବାଦୀ ଶାସନ ବ୍ୟବସ୍ଥାର ପ୍ରବର୍ତ୍ତନ କରା ନ ଯାଇ ପୂର୍ବ ଭଳି ମୁକ୍ତ ଓ ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରହିବ। ସେହି କାରଣରୁ ହ˚କ˚ ସକାଶେ ‘ବେସିକ୍‌ ଲ’(ମୌଳିକ ଆଇନ)ର ପ୍ରବର୍ତ୍ତନ କରାଯାଇଥିଲା, ଯାହା ଥିଲା ହ˚କ˚କୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିଥିବା ଏକ ସମ୍ବିଧାନ ସହିତ ସମତୁଲ। ତେବେ ଦୁଇ ଦିନ ତଳେ ଚୀନ୍‌ର ‘ନେସନାଲ ପିପୁଲ୍‌ସ କ˚ଗ୍ରେସ’ରେ ଗୃହୀତ ଏକ ଆଇନ ବଳରେ ହ˚କ˚ ତାର ସେହି ସ୍ବାଧୀନତା ହରାଇବା ସହିତ ଅଚିରେ ମୂଳ ଚୀନ ଭୂଖଣ୍ତ ସହିତ ଏକାକାର ହୋଇଯିବାର କ୍ରମ ଆରମ୍ଭ ହୋଇ ଯାଇଛି।

କିନ୍ତୁ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ମାତ୍ର ୩୬,୦୧୯ ବର୍ଗ କିଲୋମିଟର ଆୟତନ ତଥା ଏକ କୋଟି ଜନସ˚ଖ୍ୟା ବିଶିଷ୍ଟ ଏକ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ରକୁ ଚୀନ ଆଇନସମ୍ମତ ଭାବେ ଅଧିକାର କରିଥିବା ସତ୍ତ୍ବେ ବିଶ୍ବ ତମାମ (ମୁଖ୍ୟତଃ ପାଶ୍ଚାତ୍ୟ ବିଶ୍ବରେ) ଏଭଳି ଆଲୋଡ଼ନ ଏବ˚ ପ୍ରତିକ୍ରିୟା ଦେଖିବାକୁ ମିଳିଛି କାହିଁକି? (ଉଲ୍ଲେଖଯୋଗ୍ୟ ଯେ ଏକ ତତ୍‌କ୍ଷଣାତ୍‌ ଓ ଶାଣିତ ପ୍ରତିକ୍ରିୟା ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା ଏହି ନୂତନ ହ˚କ˚ ସହିତ ତାର ସମସ୍ତ ବାଣିଜ୍ୟିକ ସ˚ପର୍କ ଛିନ୍ନ କରିବ ବୋଲି ଘୋଷଣା କରିଛି।) ଏହାର କାରଣ ହେଉଛି ହ˚କ˚ର ବିଲୟ ସହିତ ଏକ ଅସାଧାରଣ ଭାବେ ସର୍ଜନଶୀଳ ତଥା ଏକ ଅତ୍ୟନ୍ତ ସଫଳ ଓ ମୁକ୍ତ ରାଷ୍ଟ୍ରର ଆସନ୍ନ ମରଣ। କହିବା ବାହୁଲ୍ୟ ଯେ ୧୪.୧୪୦ ଟ୍ରିଲିଅନ୍ ଡଲାର‌୍‌ର ମୋଟ ଜାତୀୟ ଆୟ ବା ଜିଡିପିର ଅଧିକାରୀ ହ˚କ˚ ହେଉଛି ଚୀନା ଅଧୢବସାୟ ସହିତ ମୁକ୍ତ ଗଣତାନ୍ତ୍ରିକ ଶାସନର ମିଳନରେ ସମ୍ଭବ ‌ହୋଇଥିବା ଏକ କୁହୁକ, ଯାହାର ଏକ ବୃହତ୍‌ ହିତାଧିକାରୀ ହେଉଛି ପାଶ୍ଚାତ୍ୟ ବିଶ୍ବ। ପ୍ରକାଶ ଥାଉ କି ଯେତେବେଳେ ଲିଜ୍‌ର ସମାପ୍ତି ଘଟିଥିଲା, ସେତିକି ବେଳେ ବୁଝା ପଡ଼ି ଯାଉଥିଲା ଯେ ଚୀନ୍‌ର ଅର୍ଥନୈତିିକ ବିକାଶରେ ହ˚କ˚ ଇନ୍ଧନର ଭୂମିକା ନିର୍ବାହ କରିବ। ବୋଧହୁଏ, ସେହି କାରଣରୁ ସ୍ଥିତାବସ୍ଥାରେ କୌଣସି ବିଶେଷ ପରିବର୍ତ୍ତନ ନ ଘଟାଇ ଚୀନ ସରକାର ‘ଗୋଟିଏ ରାଷ୍ଟ୍ର ଦୁଇଟି ବ୍ୟବସ୍ଥା’ ପଦ୍ଧତିର ଉଦ୍ଭାବନ କରିଥିଲେ। କିନ୍ତୁ ସା˚ପ୍ରତିକ ପରିବର୍ତ୍ତିତ ସ୍ଥିତିରେ ବିଶ୍ବର ଅର୍ଥନୀତିକୁ ବେଗବାନ କରି ରଖିବା ଲାଗି ଚୀନ ସ୍ବୟ˚ ଯେତେବେଳେ ଏକ ମୁଖ୍ୟ ଇନ୍ଧନରେ ପରିଣତ ହୋଇଛି, ସେତିକି ବେଳେ ହ˚କ˚ ତାର ପୂର୍ବ ଗୁରୁତ୍ବ ହରାଇ ବସିଛି। ଅବଶ୍ୟ, ଚୀନର ଏଭଳି ପଦକ୍ଷେପ ପରେ ବିପୁଳ ସ˚ଖ୍ୟକ ଉଦ୍ୟୋଗୀ, ଅସାଧାରଣ ସର୍ଜନଶୀଳ ହ˚କ˚ବାସୀ ମୁକ୍ତ ଗଣତନ୍ତ୍ରର ପବନରେ ଶ୍ବାସ ନେବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ପଳାୟନ କରିପାରନ୍ତି। କିନ୍ତୁ ଏହା ଯେ ଏବର ଚୀନକୁ ଆଦୌ ବିଚଳିତ କରିବ ନାହିଁ, ତାହା କହିବା ନିଷ୍ପ୍ରୟୋଜନ।

ସ୍ମରଣଯୋଗ୍ୟ ଯେ ଚଳିତ ବର୍ଷର ପ୍ରାରମ୍ଭରେ ଚୀନର ସମ୍ଭାବ୍ୟ ଆକ୍ରମଣାତ୍ମକ ଅତିକ୍ରମଣ ଆଶଙ୍କା ବିପକ୍ଷରେ ହ˚କ˚ବାସୀ ଅନେକ ଦିନ ଧରି ବିଶାଳ ପ୍ରତିବାଦ ବିକ୍ଷୋଭର ସୂତ୍ରପାତ କରିଥିଲେ। ଏହିଭଳି ଏକ ସ୍ଥିତିରେ ଚୀନ ସରକାର ସ୍ବାଭାବିକ ଭାବେ ଯେଉଁଭଳି ଅତ୍ୟନ୍ତ ହି˚ସ୍ର ପ୍ରତିକ୍ରିୟା ପ୍ରଦର୍ଶନ କରିଥାଆନ୍ତି, (ଚୀନରେ ଟିଆନାନମେନ୍‌ ସ୍କୋୟାର ବିକ୍ଷୋଭର ଅନ୍ତ ବିଷୟ ସ୍ମରଣଯୋଗ୍ୟ), ତାହା ଏହି ଆନ୍ଦୋଳନ ବେଳେ ଦେଖିବାକୁ ମିଳି ନ ଥିଲା। ସୁତରାଂ, ଏକ ନିରବଦ୍ରଷ୍ଟା ଭୂମିକାରେ ଚୀନକୁ ଦେଖି ହ˚କ˚ ଆନ୍ଦୋଳନକାରୀମାନେ ବୋଧହୁଏ ଆକଳନ କରି ନେଇଥିଲେ ଯେ ସମ୍ଭବତଃ ଏହା ସେମାନଙ୍କର ଗୋଟିଏ ବିଜୟ। କିନ୍ତୁ ସୁନ୍‌ ଜୁଙ୍କ ପୁରୁଖା ଚାଟ ସି ଜିନ ପିଙ୍ଗ ଯେ ତାଙ୍କ ଗୁରୁ କହିଥିବା ଭଳି ‘ଏକ ଉଚିତ ସମୟ’କୁ ଅପେକ୍ଷା କରିଥିଲେ, ତାହା ବୋଧହୁଏ ସେମାନଙ୍କ ଧାରଣା ବହିର୍ଭୂତ ଥିଲା।

ଏଇ ମର୍ମରେ ସ୍ମରଣକୁ ଆସେ ଗଲା ଅଷ୍ଟମ ଦଶକରେ ହଂକଂ ହସ୍ତାନ୍ତରଣ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ମାର୍ଗାରେଟ ଥାଚର ଏବ˚ ଚୀନର ଡେଙ୍ଗ ଜିଆଓପିଙ୍ଗଙ୍କ ମଧୢରେ ହୋଇଥିବା କଥୋପକଥନର ଏକ ଅ˚ଶ। ସେ ଦିନ ଉଭୟେ ହ˚କ˚ ଠାରେ ପ୍ରାତଃ ଜଳଖିଆ କରୁଥିବା ବେଳେ ଜିଆଓପିଙ୍ଗଙ୍କ ଏକ ମନ୍ତବ୍ୟ ଏହି ଭଳି ଥିଲା ଯେ ଯଦି ଚୀନ ଚାହେ ତେବେ ମଧୢାହ୍ନ ଭୋଜନ ବେଳକୁ ହ˚କ˚କୁ ଅଧିକାର କରି ନେଇଥିବ। ଏହାର ଉତ୍ତରରେ ମାର୍ଗାରେଟ ଥାଚର କହିଥିଲେ- ‘ତାହା ଅବଶ୍ୟ ଠିକ। କିନ୍ତୁ ସେ ଭଳି କଲେ ପୃଥିବୀ ଆଗରେ ଚୀନ ଆଉ ସେହି ଚୀନ ହୋଇ ରହିବ ନାହିଁ।’ ଅର୍ଥାତ୍‌ ଥାଚରଙ୍କ ବକ୍ତବ୍ୟ ଅନୁସାରେ ତାହା ଚୀନର ଭାବମୂର୍ତ୍ତିକୁ ଗଭୀର ଭାବେ କ୍ଷୁଣ୍ଣ କରନ୍ତା।

ସି ଜିନ ପିଙ୍ଗଙ୍କ ଲାଗି କିନ୍ତୁ ଏଭଳି ଭାବମୂର୍ତ୍ତି-ସ˚କଟ ଜନିତ ନୈତିକ ପ୍ରଶ୍ନ ବିଶେଷ ଗୁରୁତ୍ବ ବହନ କରି ନ ଥାଏ। କାରଣ ସେ ନିଜକୁ ଏମିତି ଜଣେ ସେନାପତି ରୂପେ ପ୍ରଦର୍ଶିତ କରିବାକୁ ବ୍ୟଗ୍ର, ଯାହାର ଏକାଧିପତ୍ୟ ପ୍ରଶ୍ନାତୀତ। କିନ୍ତୁ ଏଠାରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଅପଯଶ ଅର୍ଜନ କରିବା ଭୟରେ ଜଣେ ଅସଲ ସେନାପତି ନଇଁ ପଡ଼ିଥିବା ବ୍ୟକ୍ତିକୁ ବିଧାଏ ମାରି ଧରାଶାୟୀ କରି ନ ଥାଏ। କିନ୍ତୁ ସି ଜିନ ପିଙ୍ଗ ସେ କାଟରର ସେନାପତି ନୁହନ୍ତି।

ସମ୍ବନ୍ଧିତ ଖବର