୧୯୭୪ ସାଲର ଏକ ଅପରାହ୍ଣରେ ଯୁବ ଆମେରିକୀୟ ଅର୍ଥନୀତିଜ୍ଞ ଆର୍ଥର୍ ଲାଫର୍ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡଙ୍କ ପ୍ରଶାସନର ଦୁଇ ଛାମୁହାଁ ସଦସ୍ୟ- ଡିକ୍ ଚେନି ଓ ଡୋନାଲ୍ଡ ରମ୍ସଫେଲ୍ଡଙ୍କ ସହିତ ଏକ ଆଲୋଚନାରେ ଭାଗ ନେବା ଅବସରରେ ସାମନାରେ ଟେବୁଲ୍ ଉପରେ ଥୁଆ ହୋଇଥିବା ଏକ ନାପ୍କିନ୍ ଭିଡ଼ି ନେଇ ତା’ ଉପରେ ଏକ ସରଳ ରେଖାଚିତ୍ର ବା ‘କର୍ଭ’ ଅଙ୍କନ କରିଦେଲେ। ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାରେ ସହାୟକ ହେବା ପାଇଁ ଲାଫର୍ ଏ ଯେଉଁ ବକ୍ର ରେଖାଟି ଅଙ୍କନ କରିଥିଲେ, ପରବର୍ତ୍ତୀ ସମୟରେ ତାହା ‘ଲାଫର୍ କର୍ଭ୍’ ନାମ ବହନ କରି ଅର୍ଥଶାସ୍ତ୍ରରେ ଆର୍ଥର୍ ଲାଫର୍ଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି।
ଏହି ବକ୍ର ରେଖାଟି କୌଣସି ଦେଶର ଟିକସ ନୀତି ସମ୍ବନ୍ଧରେ ଯେଉଁ ଜ୍ଞାନ ପ୍ରଦାନ କରିବାକୁ ଚେଷ୍ଟା କରିଥାଏ, ତାହା ହେଉଛି ଅସଲରେ ଏକ ସାଧାରଣ ଜ୍ଞାନ ମାତ୍ର; କିନ୍ତୁ ସବୁ ସାଧାରଣ ଜ୍ଞାନ ଭଳି ଅସାଧାରଣ ହୋଇଥାଏ- ଅର୍ଥାତ୍ ତାହାର ପାଳନ ବିରଳ ହୋଇଥାଏ। ‘ଲାଫର୍ କର୍ଭ୍’ ଯାହା ଦର୍ଶାଇଥାଏ, ତାହା ହେଲା: ସରକାର ଯଦି ଆୟକରର ହାର ଶୂନ୍ୟ କରିଦିଅନ୍ତି, ସରକାରଙ୍କର ସେଥିରୁ ସଂଗୃହୀତ ସମ୍ବଳ ଶୂନ୍ୟ ହେବ; ଏବଂ ସରକାର ଯଦି ଆୟକର ହାର ୧୦୦% କରି ଦିଅନ୍ତି, ତେବେ ମଧ୍ୟ ସରକାରଙ୍କର ସମ୍ବଳ ସଂଗ୍ରହ ଶୂନ୍ୟ ହେବ, କାରଣ କୌଣସି ନାଗରିକ-କରଦାତା ଆଉ ଆଦୌ କାମ କରି ଅର୍ଜନ କରିବାକୁ ଆଗେଇ ଆସିବେ ନାହିଁ, ଯଦି ସମସ୍ତ ଅର୍ଜନ ସରକାର ଛଡ଼ାଇ ନେବେ।
ଏଥିରୁ ଟିକସ ନୀତି ନିର୍ଦ୍ଧାରଣ ପାଇଁ ଯେଉଁ ଦିଗ୍ଦର୍ଶନ ମିଳିଥାଏ, ତାହା ହେଲା: ଯଦି ଆୟକର ହାର ଅତ୍ୟଧିକ ଉଚ୍ଚା ହୋଇଥାଏ, ତା’ ହେଲେ ତାକୁ କିଛି ତଳକୁ ଖସାଇ ଆଣିଲେ ସରକାରଙ୍କ ସମ୍ବଳ ସଂଗ୍ରହରେ ପ୍ରକୃତରେ ବୃଦ୍ଧି ଘଟିବ। ‘ସପ୍ଲାଇ-ସାଇଡ୍’ ବା ଯୋଗାଣ ପାର୍ଶ୍ବ-ବାଦୀ ଅର୍ଥନୀତିଜ୍ଞମାନେ ସେବେଠାରୁ ଦେଶରେ ଟିକସ ହାରକୁ ଅତି ଉଚ୍ଚା କିମ୍ବା ଅତି ନୀଚା ସ୍ତରରେ ନରଖିବା ସପକ୍ଷରେ ଯୁକ୍ତି କଲା ବେଳେ ଏହି ‘ଲାଫର୍ କର୍ଭ୍’କୁ ଏକ ଆୟୁଧ ରୂପେ ବ୍ୟବହାର କରିଆସିଛନ୍ତି।
ଆମେ କହି ପାରିବା ଯେ ଆର୍ଥର୍ ଲାଫର୍ କୌଣସି ଏକ ଦେଶ ପାଇଁ ତାଙ୍କର ବକ୍ର ରେଖାରେ ଯେଉଁ ସର୍ବୋତ୍ତମ ବିନ୍ଦୁ ଦର୍ଶାଇଥାନ୍ତି, ତାହା ହେଉଛି ପୃଥିବୀ ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ଘୂରିବା ପାଇଁ ଏକ ‘ଗୋଲ୍ଡିଲକ୍ସ ପୋଜିସନ୍’ ବାଛି ଥିବା ଭଳି- ସୂର୍ଯ୍ୟଙ୍କର ଅତି ନିକଟ ନୁହେଁ କିମ୍ବା ଅତି ଦୂର ନୁହେଁ, ତେଣୁ ଅତି ତାତିଲା ନୁହେଁ କିମ୍ବା ଅତି ଶୀତଳ ନୁହେଁ। ଏହି ସୁନିର୍ବାଚିତ ‘ପୋଜିସନ୍’ ବା ସ୍ଥାନ ଯୋଗୁଁ ହିଁ ସୂର୍ଯ୍ୟଙ୍କ ପରିବାରର ଆଠଟି ସଦସ୍ୟ ଗ୍ରହମାନଙ୍କ ମଧ୍ୟରୁ କେବଳ ପୃଥିବୀରେ ହିଁ ଜୀବନର ଆବିର୍ଭାବ ଘଟି ପାରିଛି।
ପାଖାପାଖି ଅର୍ଧ ଶତାବ୍ଦୀ ତଳେ ଏକ ଦେଶର ଟିକସ ନୀତି ପାଇଁ ଏକ ‘ଗୋଲ୍ଡିଲକ୍ସ ପୋଜିସନ୍’ ନିର୍ଣ୍ଣୟ କରିଥିବା ଯୁବ ଅର୍ଥନୀତିଜ୍ଞ ଲାଫର୍ ବର୍ତ୍ତମାନ ଅଶୀ ବର୍ଷ ବୟସ ଛୁଇଁସାରିଲେଣି। ପ୍ରାୟ ଦୁଇ ସପ୍ତାହ ତଳେ ସେଇ ଆର୍ଥର୍ ଲାଫର୍ଙ୍କୁ ବର୍ତ୍ତମାନର ଚୀନା କରୋନା ଜନିତ ଲକ୍ଡାଉନ୍ ହଟାଇ ଦିଆଯିବାର ବେଳ ଉପସ୍ଥିତ କି ନୁହେଁ, ସେ ସମ୍ବନ୍ଧରେ ଏକ ଆଲୋଚନାଚକ୍ରରେ ଭାଗ ନେବା ଦେଖାଯାଇଥିଲା। ସେଥିରେ ଅଂଶ ଗ୍ରହଣ କରିଥିବା ଅନ୍ୟ କେତେକ ବିଶିଷ୍ଟ ଅର୍ଥନୀତିଜ୍ଞ ମତ ପ୍ରକାଶ କରିଥିଲେ ଯେ ଲୋକମାନଙ୍କର ବ୍ୟାପକ ପରୀକ୍ଷା ବା ଟେଷ୍ଟିଙ୍ଗ୍ କରାଯାଇ, କେବଳ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ବାହାରିବ, ସେଇମାନଙ୍କୁ କର୍ମ କ୍ଷେତ୍ରକୁ ଫେରିବା ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ।
ଲାଫର୍ ଟେଷ୍ଟିଙ୍ଗ୍ର ଆବଶ୍ୟକତା ସମ୍ବନ୍ଧରେ ସହମତ ହୋଇଥିଲେ, କିନ୍ତୁ ତାଙ୍କର ଲକ୍ଡାଉନ୍ ଉଠାଇ ଦିଆଯିବା ସମ୍ବନ୍ଧରେ ମତ ଥିଲା ଭିନ୍ନ। ସେ କହିଥିଲେ ଯେ ଲୋକମାନେ ଭଲ ଭାବରେ ଜାଣନ୍ତି ସେମାନଙ୍କ ପାଇଁ କ’ଣ ଉତ୍ତମ ହେବ। ତାଙ୍କର ବିଶ୍ବାସ ଯେ ଲୋକମାନେ ଜାଣନ୍ତି ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ହୋଇଥିବା ଏବଂ ଅନ୍ୟାନ୍ୟ କୌଣସି ଗୁରୁତର ବ୍ୟାଧି ବହନ କରୁଥିବା ପୁରୁଷମାନେ କରୋନା ଯୋଗୁଁ ଅଧିକ ବିପଦରେ ପଡ଼ିବାର ସମ୍ଭାବନା ଥାଏ। ଲକ୍ଡାଉନ୍କୁ ଯେତେ କୋହଳ କରାଯିବ ଏବଂ ଏହାକୁ ଯେତେ ଅଧିକ ଲୋକମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ଛାଡ଼ି ଦିଆଯିବ ତାହା ଆମମାନଙ୍କ ପାଇଁ ସେତେ ଅଧିକ ମଙ୍ଗଳପ୍ରଦ ହେବ ବୋଲି ଲାଫର୍ କହିଥିଲେ। ଏଥି ସହିତ ସରକାର ଟିକସ ଛାଡ଼ ଆଦି ପଦକ୍ଷେପ ନେଇ ଅର୍ଥନୀତିରେ ପ୍ରାଣ ସଞ୍ଚାର କରିବା ପାଇଁ ଲାଫର୍ ଉପଦେଶ ଦେଇଥିଲେ। ‘ଲାଫର୍ କର୍ଭ୍’ରେ ଦର୍ଶାଯାଇଥିବା ପରି ଏହାକୁ ଆମେ ‘ଗୋଲ୍ଡିଲକ୍ସ ଲକ୍ଡାଉନ୍ ପୋଜିସନ୍’ ବୋଲି କହିପାରିବା। ଲକ୍ଡାଉନ୍ ଅତି କଠୋର ହେଲେ ଅର୍ଥନୀତି ଧ୍ବଂସ ପାଇବ, ଅତି ହୁଗୁଳା ହେଲେ ମଧ୍ୟ ରୋଗ ବ୍ୟାପି ଅର୍ଥନୀତି ଧ୍ବଂସ ପାଇବ। ଏଣୁ କୋହଳ ଲକ୍ଡାଉନ୍ ହିଁ ପ୍ରକୃଷ୍ଟ ନୀତି ବୋଲି ଲାଫର୍ଙ୍କର ମତ। ଭାରତ ସରକାର ଜୁନ୍ ପହିଲାଠାରୁ ଯେଉଁ ପଞ୍ଚମ ପାଳି ଲକ୍ଡାଉନ୍ ବା ପ୍ରଥମ ପାଳି ‘ଅନ୍ଲକ୍’ ଲାଗୁ କରିଛନ୍ତି, ତାହା ନିଶ୍ଚିତ ରୂପେ ଲାଫର୍ଙ୍କର ଅନୁମୋଦନ ଲାଭ କରନ୍ତା।
ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପି ସାରିଥିବା ବେଳେ ଅର୍ଥନୀତିରେ ଦେଖା ଦେଇଥିବା ଅଧୋଗତି ୧୯୩୦ ଦଶକର ଅବପାତ ପରେ ସର୍ବାଧିକ ସାଂଘାତିକ ଶ୍ରେଣୀର- ଯାହାର ମୁକାବିଲା ପାଇଁ ଲାଫର୍ ଲକ୍ଡାଉନ୍ କୋହଳ କରିବା ସପକ୍ଷରେ ଏଭଳି ଯୁକ୍ତି କରିଛନ୍ତି। ଭାରତରେ ଆରମ୍ଭରୁ ଅନୁସୃତ କଠୋର ଲକ୍ଡାଉନ୍ ନୀତି ଯୋଗୁଁ ଏଠାରେ କରୋନା ମୃତ୍ୟୁ ସଂଖ୍ୟାକୁ ସର୍ବନିମ୍ନ ଶ୍ରେଣୀରେ ରଖା ଯାଇ ପାରିଥିଲେ ହେଁ ଅର୍ଥନୀତି ଉପରେ ଏହାର ଚାପ ଅସମ୍ଭାଳ ହୋଇ ସାରିଲାଣି। ମାତ୍ର ପ୍ରଥମ ସପ୍ତାହର ଲକ୍ଡାଉନ୍ ଅନ୍ତର୍ଭୁକ୍ତ ହୋଇଥିବା ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠ (ଜାନୁଆରି-ମାର୍ଚ୍ଚ୍)ରେ ଜିଡିପିରେ ବୃଦ୍ଧି ହାର ହୋଇଛି ମାତ୍ର ୩.୧%। ପୂରା ଲକ୍ଡାଉନ୍ ଥିବା ଦ୍ବିତୀୟ ଚଉଠରେ ତେଣୁ ଅର୍ଥନୀତି ଅବସ୍ଥା କ’ଣ ହୋଇଥିବ, ଅନୁମାନ କରିବା କଷ୍ଟକର ନୁହେଁ।
ତେଣୁ ଲାଫର୍ଙ୍କ ଉପଦେଶକୁ ସତେ ଯେମିତି ଅନୁସରଣ କଲା ଭଳି ବର୍ତ୍ତମାନ ଭାରତରେ ଲକ୍ଡାଉନ୍କୁ କୋହଳ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅନ୍ୟ ଉପାୟ ନଥିଲା। ପ୍ରଧାନମନ୍ତ୍ରୀ ତାଙ୍କର ରେଡିଓ ବାର୍ତ୍ତାରେ ଏଥର ଯେଉଁ ଲକ୍ଡାଉନ୍ କୋହଳ ନୀତି ଘୋଷଣା କରିଛନ୍ତି, ଚୁମ୍ବକରେ ତାହା ହେଲା: କେବଳ କେତେକ ଚିହ୍ନିତ ଅଞ୍ଚଳ ଓ କାର୍ଯ୍ୟକୁ ଛାଡ଼ିଦେଲେ ବାକି ଦେଶରେ ସ୍ବାଭାବିକ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯିବ ଏବଂ ଏଥି ସହିତ ଦେଶବାସୀ ସାମାଜିକ ଦୂରତା ରକ୍ଷା, ମୁଖୋସ୍ ପରିଧାନ, ହାତ ଧୋଇବା ଭଳି ନିରାପଦ ଆଚରଣମାନ ଅବଲମ୍ବନ କରି ଚାଲିବେ ବୋଲି ଆଶା କରାଯାଏ। ଏହି ଲାଫର୍ସୁଲଭ ଲକ୍ଡାଉନ୍ ବା ଅନ୍ଲକ୍ ହେଉଛି ଆମର ଶେଷ ଭରସା।