ନିଶାଚର ଭୟ?

‘ଯେଖାନେ ରାତ୍ରି ହଏ, ଓଖାନେ ବାଘେର ଭୟ’ ବା ‘ଯେଉଁଠି ରାତ୍ରି ହୁଏ, ସେଇଠି ବାଘର ଭୟ’ ଭଳି ଧାଡ଼ିଟିର ସୃଷ୍ଟି ଯେଉଁ ଭଳି ଅରଣ୍ୟଭରା ଶ୍ବାପଦସ˚କୁଳ ଭାରତରେ ହୋଇଥିବ, ସେଭଳି ଭାରତ ଆଜି ଅନେକତ୍ର ନାହିଁ। ସେଭଳି ଅରଣ୍ୟରାଜି ମଧୢରୁ ଅଧିକା˚ଶ ଏବେ ଅପସରି ଗଲେଣି ଏବ˚ ବାଘ ସ˚ଖ୍ୟା ମଧୢ ହତାଶାଜନକ ଭାବେ ହ୍ରାସ ପାଇଗଲାଣି। ପୁଣି କେବଳ ସେତିକି ନୁହେଁ, ରାତ୍ରିକୁ ଉଦରସାତ୍‌ କରିବାର ପ୍ରତିଯୋଗିତାରେ ଅବତୀର୍ଣ୍ଣ ବିଜୁଳି ଆଲୁଅର ପଟୁଆରରେ ଅନ୍ଧକାର ମଧୢ ତାର ଗଭୀରତା ହରାଇଲାଣି। କିନ୍ତୁ ଏ ସବୁ ସତ୍ତ୍ବେ ରାତ୍ରିର ଅନ୍ଧକାର ପ୍ରତି ମାନବ ମଧୢରେ ରହି ଆସିଥିବା ଆଦିମ ଭୟ ଏବେ ସୁଦ୍ଧା ବଜାୟ ରହିଛି ଏବ˚ ଅନ୍ଧକାର ମଧୢରେ ଜଙ୍ଗଲୀ ବ୍ୟାଘ୍ରଙ୍କ ସ୍ଥାନରେ ବିଚରଣ କରୁଥିବା କିଛି ଦ୍ବି ପଦଧାରୀ ନିଶାଚର (ମାନବ ସମାଜରୁ) ଉପର ବର୍ଣ୍ଣିତ ଧାଡ଼ିର ଗୁରୁତ୍ବ ପ୍ରତିପାଦନ କରିବାରେ ଲାଗିଛନ୍ତି। କିନ୍ତୁ ପ୍ରାକୃତିକ ଭାବେ ମନୁଷ୍ୟ ଦିନ ବେଳା ବିଚରଣ କରୁଥିବା ପ୍ରାଣୀମାନଙ୍କ ମଧୢରୁ ଗୋଟିଏ ହୋଇଥିବାରୁ ତା ସକାଶେ ରାତ୍ରି ବିଶ୍ରାମର ସମୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଭାରତରେ ‘ଲକ୍‌ଡାଉନ୍‌’ ଧାରାବାହିକର ପଞ୍ଚମ ପର୍ଯ୍ୟାୟଟି ‘ଅନ୍‌ଲକ୍‌’ ଧାରାବାହିକର ପ୍ରଥମ ପର୍ଯ୍ୟାୟରେ ଦ୍ରବୀଭୂତ ହୋଇ ପ୍ରାୟ ସମସ୍ତ କ୍ଷେତ୍ରରେ କୋହଳତା ପ୍ରଦାନ କରିଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁର ବ୍ୟବସ୍ଥା ଅପରିବର୍ତ୍ତିତ ରହିବାର ଯୌକ୍ତିକତା ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଏହା ସତ ଯେ ଏକବି˚ଶ ଶତାବ୍ଦୀରେ ଔଦ୍ୟୋଗିକ ଓ ପ୍ରାବିଧିକ କାର୍ଯ୍ୟକଳାପର ବ୍ୟାପକତା କାରଣରୁ ଅନେକ କ୍ଷେତ୍ରରେ ଦିନ ବେଳାର କାରବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ˚ପ୍ରସାରିତ ହୋଇଛି। ସୂଚନା ପ୍ରଯୁକ୍ତି, ଗଣମାଧୢମ ତଥା ଅଭ୍ୟର୍ଥନା କ୍ଷେତ୍ରରେ (ହସ୍‌ପିଟାଲିଟି ସେକ୍ଟର)ରେ ଅନେକ ବ୍ୟକ୍ତି ରାତ୍ରିକାଳୀନ ପେସାରେ ନିୟୋଜିତ। ସୁତରା˚, ତିନି ମାସର ଦୀର୍ଘ ଓ ଅବିରାମ ରାତ୍ରିକାଳୀନ କର୍ଫ୍ୟୁ ସ୍ବାଭାବିକ ଭାବେ ସେମାନଙ୍କ କାର୍ଯ୍ୟ ସ˚ପାଦନରେ ଅନ୍ତରାୟ ସୃଷ୍ଟି କରୁଛି। କେବଳ ସେତିକି ନୁହେଁ, ସଡ଼କରେ ମାଲ ପରିବହନର ସ୍ରୋତ ମୁଖ୍ୟତଃ ରାତ୍ରି କାଳରେ ଗତିଶୀଳ ହେଉଥିବା ଦୃଷ୍ଟିରୁ ଅନେକ ‘ଟ୍ରାନ୍‌ସପୋର୍ଟ କ˚ପାନି’ ରାତ୍ରିକାଳୀନ କର୍ଫ୍ୟୁ କାରଣରୁ ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦ୍ରବ୍ୟ ପହଞ୍ଚାଇବାର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେଉଛନ୍ତି। ଏଭଳି ଏକ ବ୍ୟବସ୍ଥା ଅଧିକ କାଳ ବଳବତ୍ତର ରହିଲେ ସଚରାଚର ଯାହା ପରିଦୃଷ୍ଟ ହୋଇଥାଏ, ସେଭଳି ଦେଖିବାକୁ ମିଳିଛି ଏବଂ ମାଲ ପରିବାହୀ ଟ୍ରକ୍‌ଗୁଡ଼ିକର ଅବାଧ ଗତିକୁ ବଜାୟ ରଖିବା ଲାଗି ଉତ୍କୋଚର ଗଳାବାଟଟିଏ ମଧୢ ସୃଷ୍ଟି ହୋଇଯାଇଛି। ସେହି ଦୃଷ୍ଟିରୁ ରାତ୍ରିକାଳୀନ କର୍ଫ୍ୟୁର ଉପଯୋଗିତା ସ˚ପର୍କରେ ହୁଏ’ତ ପୁନଃ ଚିନ୍ତନର ଆବଶ୍ୟକତା ଅନୁଭବ କରି ହୋଇଥାଏ।

ଏହା ସମସ୍ତେ ସ୍ବୀକାର କରିବେ ଯେ ଜନଜୀବନ ତଥା ଅର୍ଥନୈତିକ ଗତିବିଧିକୁ ସ˚ପୂର୍ଣ୍ଣ ରୂପେ ପକ୍ଷାଘାତାକ୍ରାନ୍ତ କରି ପକାଇଥିବା ‘ଲକ୍‌ଡାଉନ’ ବ୍ୟବସ୍ଥା (‘କୋଭିଡ୍‌-୧୯’ ସ˚କ୍ରମଣକୁ ପ୍ରତିହତ କରିବା ଲାଗି)କୁ କୌଣସିମତେ ଚିରନ୍ତନ ଭାବେ ଲାଗୁ କରାଯାଇ ପାରନ୍ତା ନାହିଁ। ସୁତରା˚, କରୋନା ସ˚କ୍ରମଣର ଧାରା ଅବ୍ୟାହତ ରହିଥିବା ବେଳେ ଅତି ସତର୍କତାର ସହିତ ପର୍ଯ୍ୟାୟ କ୍ରମେ ତାଲା ଖୋଲାଯିବା ଜରୁରୀ ଥିଲା। ସେହି କାରଣରୁ ଏବର କୋହଳତା ମଧୢରେ ଆମ ଦେଶରେ ଅନେକ କ୍ଷେତ୍ରରେ କାରବାରର ସ୍ବାଭାବିକତା ଫେରି ଆସୁଥିବା ଲକ୍ଷ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ‘ଲକ୍‌ଡାଉନ୍‌’ର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ନିରବଚ୍ଛିନ୍ନ ଭାବେ ରାତ୍ରିକାଳୀନ କର୍ଫ୍ୟୁ ବ୍ୟବସ୍ଥା ବଳବତ୍ତର ରହିବା ଏକ କୌତୂହଳପ୍ରଦ ପ୍ରଶ୍ନ ଉତ୍‌ଥାପନ କରିଥାଏ। ତାହା ହେଲା ଗଭୀର ରାତିର (ସ˚ପ୍ରତି ଏହି କର୍ଫ୍ୟୁ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାରି ରହିଛି) ସ୍ବାଭାବିକ କୋଳାହଳଶୂନ୍ୟତା ସତ୍ତ୍ବେ ‘କୋଭିଡ୍‌-୧୯’ର ସ˚କ୍ରମଣକୁ ପ୍ରତିହତ କରିବା ଲାଗି ଏମିତି କର୍ଫ୍ୟୁର ଆବଶ୍ୟକତା ରହିଛି କି?

ଅବଶ୍ୟ, ଏହା ସ୍ବୀକାର୍ଯ୍ୟ ଯେ ରାତ୍ରିକାଳୀନ କର୍ଫ୍ୟୁ କାରଣରୁ ସମଗ୍ର ରାଷ୍ଟ୍ରରେ ଚୋରି ଭଳି ଅନେକ ଅପରାଧରେ ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତରେ ହ୍ରାସ ଘଟିଛି। ଏହାର କାରଣ ବିଳମ୍ବିତ ରାତ୍ରିରେ ସଡ଼କରେ ବିଚରଣ କରୁଥିବା ଅପରାଧମନସ୍କ ନିଶାଚରମାନଙ୍କ ଅନୁପସ୍ଥିତି। ସେହି ଦୃଷ୍ଟିରୁ ହୁଏ’ତ କେହି କେହି ଯୁକ୍ତି କରି ପାରନ୍ତି ଯେ ଏହା ହିଁ ଏଭଳି ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବା ଲାଗି ଏକ ବଡ଼ କାରଣ। କିନ୍ତୁ ଏହି ସ˚ଦର୍ଭରେ ଯାହା ବିଚାର୍ଯ୍ୟ ତାହା ହେଲା ନିୟମ ଉଲ୍ଲ˚ଘନକାରୀ ନିଶାଚରମାନଙ୍କ ମନରେ ଭୟ ଉଦ୍ରେକ କରିବା ପାଇଁ ପୁଲିସ ବଳ ଦ୍ବାରା ସ˚ପ୍ରତି ପ୍ରଦର୍ଶନ କରାଯାଉଥିବା କଠୋର ଆଭିମୁଖ୍ୟ ଦାୟୀ ନା କେବଳ କର୍ଫ୍ୟୁ ଲାଗୁ କରାଯିବା ଦାୟୀ? ବିନା କର୍ଫ୍ୟୁରେ ମଧୢ ଏଭଳି କଠୋରତା ଅପରାଧକାମୀ ନିଶାଚରମାନଙ୍କ ବିଚରଣକୁ ଅସ୍ବଚ୍ଛନ୍ଦ କରିପକାନ୍ତା।

ସାଧାରଣତଃ ଦେଖାଯାଇଥାଏ ଯେ ଅଧିକା˚ଶ ଭାରତୀୟ ପରିବାରର ଅଭିଭାବକମାନେ ସେମାନଙ୍କ ସନ୍ତାନସନ୍ତତିମାନେ ବିଳମ୍ବିତ ରାତ୍ରି ଯାଏ ପଦାରେ ନ ରହନ୍ତୁ ବୋଲି ନିରନ୍ତର ବାରଣ (କର୍ଫ୍ୟୁସୁଲଭ) କରି ଆସିଥାଆନ୍ତି। ଆମ ସମାଜରେ ଅଭ୍ୟାସଗତ ଭାବେ ବିଳମ୍ବିତ ରାତ୍ରିରେ ପଦାରେ ବିଚରଣ କରିବାକୁ ପସନ୍ଦଯୋଗ୍ୟ ବୋଲି ବିବେଚନା କରାଯାଇ ନ ଥାଏ। ସେହି କାରଣରୁ ଆମ ଦେଶରେ ବିଳମ୍ବିତ ରାତ୍ରିଗୁଡ଼ିକ କୋଳାହଳମୟ ହୋଇ ନ ଥାଏ। ତେଣୁ ‘କୋଭିଡ୍‌-୧୯’ର ସ˚କ୍ରମଣ ରୋକିବା ଲାଗି ରାତ୍ରିକାଳୀନ କର୍ଫ୍ୟୁ ବିଶେଷ ପ୍ରାସଙ୍ଗିକତା ବହନ କରି ନ ଥାଏ। ବର˚ ‘ଅନ୍‌ଲକ୍‌-୧’ କାଳୀନ କୋହଳତା ପରିପ୍ରେକ୍ଷୀରେ ଦିନ ବେଳେ ସଡ଼କ ବା ବଜାର ବା ଦପ୍ତର ଆଦି କୋଳାହଳମୟ ହୋଇ ପଡ଼ିଥିବା ସହିତ ଅନେକଙ୍କ ମଧୢରେ ‘କୋଭିଡ୍‌-୧୯’ ଜନିତ ସର୍ବନିମ୍ନ ସତର୍କତା ମଧୢ ଅଦୃଶ୍ୟ ହୋଇ ପଡ଼ିଥିବା ପରିଲକ୍ଷିତ ହେଉଛି। ସୁତରା˚, ରାତ୍ରିକାଳୀନ କର୍ଫ୍ୟୁ ତୁଳନାରେ ଦିବାକାଳୀନ କଟକଣା ଓ କଠୋରତା ପ୍ରଦର୍ଶନ ଅଧିକ ଉପଯୋଗୀ ହୁଅନ୍ତା।

ପ୍ରାଗୈତିହାସିକ କାଳରୁ ଅନ୍ଧକାର ଭିତରେ ଲୁଚି ରହିଥିବା ଅଜଣା ବା ଅଦୃଶ୍ୟ ବିପଦ ମଣିଷ ମନରେ ଯେଉଁ ଭୀତି ସ˚ଚାର କରି ଆସିଥିଲା, ତାହା ଏବେ ମଧୢ ମୁଣ୍ତ ଗୁ˚ଜି ରହିଛି। ଏକବି˚ଶ ଶତାବ୍ଦୀରେ ଉଜ୍ଜ୍ବଳ ଆଲୋକର ରାଜୁତି ଅଧୀନସ୍ଥ ପୃଥିବୀରେ ଯେଉଁଠି ବି ବହଳ ଅନ୍ଧକାର ଘନୀଭୂତ ହୋଇଥାଏ, ସେଠାରେ ଏକ ଅଦୃଶ୍ୟ ବିପଦର ଭୟ ମଣିଷର ଛାତିକୁ ଥରାଇ ଦେଇଥାଏ। କିନ୍ତୁ ‘କୋଭିଡ୍‌ -୧୯’ ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଏହି ଅଦୃଶ୍ୟ ଘାତକ ଆକ୍ରମଣ କରିବା ସକାଶେ ଅନ୍ଧକାର ଲୋଡ଼ି ନ ଥାଏ। ବର˚ ଦିବାଲୋକରେ ଆମ ସମସ୍ତଙ୍କ ଅସତର୍କତାର ସୁଯୋଗ ନେଇ ଏହା ଅତି ସହଜରେ ଅଧିକ ଆକ୍ରମଣକ୍ଷମ ହୋଇପାରେ। ସେହି ପରିପ୍ରେକ୍ଷୀରେ ଏବର ପରିସ୍ଥିତିରେ ରାତ୍ରିକାଳୀନ କର୍ଫ୍ୟୁ ତୁଳନାରେ ଯାହା ଅଧିକ ଜରୁରୀ ତାହା ସହଜରେ ବୋଧଗମ୍ୟ ହୋଇ ସାରିବଣି। ଏବେ ନିଶାଚରମାନେ ନୁହନ୍ତି, ବର˚ ଭୟର କାରଣ ଅସତର୍କ ଏବ˚ ବେପରୁଆ ଦିବା ବିଚରଣକାରୀ।

ସମ୍ବନ୍ଧିତ ଖବର