ମୂଷିକର ପ୍ରଶ୍ନ

କେରଳର ପାଲାକାଡ଼ ଜିଲ୍ଲାରେ ‘ନିରବ ଉପତ୍ୟକା ଜାତୀୟ ଉଦ୍ୟାନ’ ଦେଇ ପ୍ରବାହିତ ଭେଲିୟର ନଦୀ ମଝିରେ ଅର୍ଧ ମଗ୍ନ ଓ ନିଃସଙ୍ଗ ଭାବେ ଛିଡ଼ା ହୋଇ ରହିଥିବା ଗୁରୁତର ରୂପେ ଆହତ ଗର୍ଭବତୀ ହାତୀଟି ଗଲା ମେ ୨୭ ତାରିଖରେ ମୃତ୍ୟୁବରଣ କରିଥିବା ଭଳି ଘଟଣାଟିଏ ଭାରତ ସମେତ ସମଗ୍ର ପୃଥିବୀର ସାମୂହିକ ବିବେକ ଦ˚ଶନ କରିବା ପଛରେ ଯାହା ନିହିତ ଅଛି, ତାହା ହେଲା ତାର ମୃତ୍ୟୁର କାରଣ ହୋଇଥିବା ଏକ ଦାରୁଣ ବିଶ୍ବାସଘାତକତା। ଜଙ୍ଗଲୀ ହାତୀଟି ଖାଦ୍ୟ ଅନ୍ବେଷଣରେ ଆସି ଯେଉଁ ସପୁରିଟି ଖାଇଥିଲା, ତାହା ଯେ ପ୍ରକୃତରେ ଥିଲା ବିପଜ୍ଜନକ ବାରୁଦ ଭରା ଏକ ଛଦ୍ମବେଶୀ ପ୍ରାଣଘାତୀ ଫଳ, ତାହା ହୁଏ’ତ ସେ ଘୁଣାକ୍ଷରରେ ଚିନ୍ତା କରି ପାରି ନ ଥିବ। କହିବା ନିଷ୍ପ୍ରୟୋଜନ ଯେ ସେହି ବାରୁଦର ବିସ୍ଫୋରଣରେ ଆହତ ହାତୀ ଦୁର୍ବାର ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ତାର ଶୁଣ୍ଢକୁ ନଦୀ ଜଳରେ ବୁଡ଼ାଇ ରଖି ଛିଡ଼ା ହୋଇଥିବ, ଯେଉଁଠାରେ ତାର ଜଳସମାଧି ଘଟିିଥିଲା। ଏଭଳି ଏକ ଦୁଃସ୍ଥିତିରୁ ତାକୁ ରକ୍ଷା କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା କେରଳର ଜଣେ ବନ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ସାମାଜିକ ଗଣମାଧୢମରେ ପୋଷ୍ଟ କରାଯାଇଥିବା ସେହି ହାତୀର ଫଟୋ ଏବ˚ ଭିଡିଓ ସହିତ ତାଙ୍କର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଲେଖା ଏହି ଘଟଣାକୁ ଲୋକ ଲୋଚନକୁ ଆଣିଥିଲା। ତା’ ପରେ କେବଳ ପରିବେଶବିତ୍‌ ବା ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ସମର୍ପିତ ବ୍ୟକ୍ତବିଶେଷ ନୁହନ୍ତି, ରାଜନେତା, ଅଭିନେତା, କଳାକାର ଏବ˚ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟକ୍ତିବିଶେଷଙ୍କ ପର୍ଯ୍ୟନ୍ତରେ ଅସୁମାରି ଲୋକ ହତଭାଗ୍ୟ ହାତୀଟିର ଏଭଳି କରୁଣ ମୃତ୍ୟୁରେ ବ୍ୟଥିତ ହେବା ସହିତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ହାତୀଟିର ମୃତ୍ୟୁ ପରିପ୍ରେକ୍ଷୀରେ ଶୁଣିବାକୁ ମିଳିଥାଏ ଯେ କେରଳ ଗ୍ରାମାଞ୍ଚଳରେ ବଣୁଆ ଘୁଷୁରି ବା ବାରହାମାନଙ୍କ ଠାରୁ ଫସଲ ସୁରକ୍ଷା ନିମନ୍ତେ ଏଭଳି ବାରୁଦ ଭରା ଫଳକୁ ଏକ ‘ମାରକ ଯନ୍ତା’ (ଟ୍ରାପ୍‌) ରୂପେ ପ୍ରାୟ ନିୟମିତ ଭାବେ ବ୍ୟବହାର କରାଯାଇଥାଏ, ଯାହାକୁ ଦୁର୍ଭାଗ୍ୟ କ୍ରମେ ହାତୀଟି ଭକ୍ଷଣ କରି ଦେଇଥିଲା। ତେବେ, ଏହା କେବଳ ଏକମାତ୍ର ଘଟଣା ନୁହେଁ; ଗଲା ଏପ୍ରିଲ ମାସରେ କେରଳର କୋଲ୍ଲାମ ଜିଲ୍ଲାରେ ଏହିଭଳି ଏକ ବାରୁଦ ଭରା ଫଳ ଖାଇ ଆଉ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଏହି ପରିପ୍ରେକ୍ଷୀରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଭାରତର ବିଭିନ୍ନ ରାଜ୍ୟରେ ସ˚ପ୍ରତି ହାତୀ ସହିତ ମଣିଷର ସ˚ଘାତ ଏକ ଚରମ ସ୍ଥିତିରେ ପହଞ୍ଚିଛି ଏବ˚ ସେଥିଲାଗି କେଉଁଠାରେ ବିଷ ପ୍ରୟୋଗ କରି ତ କେଉଁଠାରେ ତାର ବାଡ଼ରେ ବିଜୁଳି ସ˚ଯୋଗ କରି ହାତୀମାନଙ୍କୁ ମାରି ଦେବାର ଉଦ୍ୟମ କରାଯାଉଛି। ଉଲ୍ଲେଖନୀୟ ଯେ ଭାରତରେ ସ˚ପ୍ରତି ପ୍ରାୟ ୩୦,୦୦୦ ସ˚ଖ୍ୟକ ହାତୀ ଛନ୍ଦାଛନ୍ଦି ହୋଇ ରହିଥିବା ୧୦୧ଟି ଚଲାପଥରେ ବିଚରଣ କରୁଥିବା ସତ୍ତ୍ବେ ସେମାନଙ୍କ ପ୍ରାକୃତିକ ଖାଦ୍ୟ ଓ ବାସସ୍ଥାନର ସୁରକ୍ଷା ଲାଗି କୌଣସି ନିର୍ଦ୍ଦିଷ୍ଟ ସରକାରୀ ନୀତି ବା ସେମାନଙ୍କ ଗତିବିଧିକୁ ନିୟନ୍ତ୍ରଣରେ ରଖିବା ଲାଗି କୌଣସି ବୈଜ୍ଞାନିକ ଆଭିମୁଖ୍ୟ ପରିଦୃଷ୍ଟ ହେଉନାହିଁ। ସୁତରା˚, ହାତୀ ଓ ମଣିଷ ଭିତରେ ସ˚ଘାତ ଏକ ଚରମ ସ୍ଥିତିରେ ପହଞ୍ଚିଲାଣି। କେବଳ ସେତିକି ନୁହେଁ ଅଦୂରଦର୍ଶୀ ବିକାଶର ଯାତ୍ରାରେ ସ˚ରକ୍ଷିତ ବନାଞ୍ଚଳରେ ବ୍ୟାପକ ମାନବକୃତ ଅତିକ୍ରମଣ ଏଭଳି ସ୍ଥିତିକୁ ଆହୁରି ଗୁରୁତର କରୁଛି। ପ୍ରକାଶ ଥାଉ କି କରୋନାକାଳୀନ ‘ଲକ୍‌ଡାଉନ୍‌’ କାଳରେ ମଧୢ ‘ଭିଡିଓ କନ୍‌ଫରେନ୍‌ସି˚’ ମାଧୢମରେ ଏଭଳି ଅନେକ ପ୍ରକଳ୍ପକୁ ମ˚ଜୁରି ପ୍ରଦାନ କରାଯାଇଛି, ଯାହା ସ˚ରକ୍ଷିତ ଅରଣ୍ୟ ପରିସର ମଧୢରେ ଅଚିରେ ମୁଣ୍ତ ଟେକିବ। ଏ ସ˚ଦର୍ଭରେ ପ୍ରଖ୍ୟାତ ପରିବେଶବିତ୍‌ ମାଧବ ଗାଡ଼ଗିଲଙ୍କ ଦ୍ବାରା ପ୍ରଦତ୍ତ ରିପୋର୍ଟ, ଯାହା ଜୈବ ବିବିଧତାର ଏକ ଅପୂର୍ବ ଗନ୍ତାଘର ତଥା ଅସ˚ଖ୍ୟ ବିରଳ ବନ୍ୟଜନ୍ତୁଙ୍କ (ହାତୀଙ୍କ ସମେତ) ଆଶ୍ରୟ ସ୍ଥଳୀ ‘ପଶ୍ଚମ ଘାଟ’ ପାର୍ବତ୍ୟାଞ୍ଚଳକୁ ବିକାଶ ଜନିତ ଅତିକ୍ରମଣରୁ ମୁକ୍ତ ରଖିବା ଲାଗି ପରାମର୍ଶ ଦେଇଥାଏ; ସ˚ପ୍ରତି ଏକ ଗୁରୁତ୍ବହୀନ ଦସ୍ତାବିଜ ଭଳି ପଡ଼ି ରହିଛି। ଅଥଚ, ଏହାର ବିପରୀତରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ହତଭାଗ୍ୟ ହାତୀଟିର ମୃତ୍ୟୁକୁ ନେଇ ରାଜନୀତୀକରଣ କରିବାରେ ରାଜନେତାମାନଙ୍କ ଚମକପ୍ରଦ ସାମର୍ଥ୍ୟ; ଯାହା ପ୍ରାଣୀ ଅଧିକାର ସୁରକ୍ଷା ଲାଗି ଅହର୍ନିଶ କାର୍ଯ୍ୟରତ ବିଜେପି ସାଂସଦ ମନେକା ଗାନ୍ଧୀଙ୍କ ଦ୍ବାରା ପ୍ରଦତ୍ତ ବକ୍ତବ୍ୟରେ ପରିଦୃଷ୍ଟ ହୋଇଛି। ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ତାଙ୍କ ମନ୍ତବ୍ୟର ମର୍ମ ହେଲା ହିନ୍ଦୁମାନେ ହାତୀକୁ ପୂଜା କରୁଥିବାରୁ ଏହା ଏକ ନିର୍ଦ୍ଦିଷ୍ଟ ସ˚ପ୍ରଦାୟର କାର୍ଯ୍ୟ ହୋଇଥିବା ସମ୍ଭବ। ଏଭଳି ଏକ ମର୍ମନ୍ତୁଦ ଘଟଣା ପରେ ହାତୀ ଓ ମଣିଷ ମଧୢରେ ସୁସ˚ପର୍କ ସ୍ଥାପନ ଲାଗି କୌଣସି ନୂତନ ଚିନ୍ତନର ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ରାଜନୈତିକ ଅପରିପକ୍ବତା ଦ୍ବାରା ତାକୁ କିପରି ନିଷ୍ପ୍ରଭ କରି ଦିଆଯାଇ ପାରେ, ଏହା ତାର ଏକ ଦୃଷ୍ଟାନ୍ତ।

ତେବେ ଏ ସ˚ଦର୍ଭରେ ଆଶ୍ବାସନା ପ୍ରଦାନ କରୁଥିବା ଭଳି କେତେକ ଉଦାହରଣ ମଧୢ ରହିଛି, ଯହିଁରେ ଅହି˚ସ ଉପାୟରେ ହାତୀମାନଙ୍କୁ ନିଜ ନିଜ ଚାଷ ଜମିରୁ ଦୂରେଇ ରଖିବା ଲାଗି ସାଧାରଣ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି। ସାତକୋଶିଆ ଅଞ୍ଚଳର ବିମରିପାଳ ଗ୍ରାମର କୁମୁଦ ପ୍ରଧାନ ଧାନ ପରିବର୍ତ୍ତେ ଲେମ୍ବୁ ଚାଷକୁ ଆପଣାଇବା ହେଉ ଅଥବା ଝାରଖଣ୍ତର କେତେକ ଚାଷୀ ‘ଲେମନ ଗ୍ରାସ୍‌’ ଚାଷ କରିବା ହେଉ; ଏହାର ଗୋଟିଏ ଗୋଟିଏ ଉଦାହରଣ। ଏବେ ହାତୀ-ମଣିଷର ସ˚ଘାତକୁ ଦୂର କରିବା ଲାଗି ଏହିଭଳି ଉପାୟର ଆବିଷ୍କାର ଚିନ୍ତନର କେନ୍ଦ୍ରବିନ୍ଦୁ ହେବା ଜରୁରୀ।

ତେବେ, ଏ ପ୍ରସଙ୍ଗରେ ଯାହା ସମସ୍ତେ ମନେରଖିବା ଆବଶ୍ୟକ, ତାହା ହେଲା ଆବହମାନ କାଳରୁ ପଶୁ ଏବ˚ ମନୁଷ୍ୟ ମଧୢରେ ଚାଲି ଆସିଥିବା ସ˚ଘର୍ଷର ଧାରାରେ ମନୁଷ୍ୟ ଦ୍ବାରା ପ୍ରଦର୍ଶିତ ବିଶ୍ବାସଘାତକତାର ଇତିହାସ ଅତ୍ୟନ୍ତ ଦୀର୍ଘ ଓ ପୁରୁଣା। ବ୍ରିଟିସ ଶାସନାଧୀନ ଭାରତରେ ଜିମ କର୍ବେଟ ବା କେନେଥ ଆଣ୍ତରସନଙ୍କ ଭଳି ସମର୍ଥ ଶିକାରୀମାନଙ୍କ ଦ୍ବାରା ରଚିତ ଅତ୍ୟନ୍ତ ରୋମାଞ୍ଚଭରା ଶିକାର ଗଳ୍ପରେ ବର୍ଣ୍ଣିତ ହୋଇଥିବା ଭଳି ଗଛ ମୂଳରେ ଛେଳିଟିଏ ବନ୍ଧାଯାଇ ଆଖପାଖରେ ଲୁଚି ବୁଲୁଥିବା ବ୍ୟାଘ୍ରକୁ ନିରବ ନିମନ୍ତ୍ରଣ ଜଣାଇ ମଞ୍ଚା ଉପରେ ବନ୍ଧୁକ ବାଗେଇ ଜଗି ବସିଥିବା ଶିକାରୀକୁ ନେଇ ସୃଷ୍ଟ ଏ ସ˚ପୂର୍ଣ୍ଣ ପ୍ରକରଣରେ ଏକ ବିଶ୍ବାସଘାତକତା ଦିଶି ଯାଇ ନ ଥାଏ କି? ସେଇଭଳି ମାଟି ଉପରେ ଶସ୍ୟ ବିଞ୍ଚି ଦେଇ ତା ଉପରେ ଅଦୃଶ୍ୟ ପ୍ରାୟ ଜାଲ ବିଛେଇ ପକ୍ଷୀ ଶିକାର କରିବାଠାରୁ ଆରମ୍ଭ କରି ଅତି ଦେହସୁହା ତଥା ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବନଶୀ ଥୋପ ଏଭଳି ବିଶ୍ବାସଘାତକତାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ ନୁହେଁ କି? ଭେଲିୟାର ନଦୀରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ମୃତ୍ୟୁ ଲାଭ କରିଥିବା ହାତୀଟିର ସ୍ଥିର ଚିତ୍ର ଅନେକ କାଳ ଯାଏ ମାନସପଟଳରେ ଅଲିଭା ହୋଇ ରହିଯିବ। ତା ସହିତ ଏହା ‘ବିଶ୍ବାସଘାତକତା’ ଭଳି ଯେଉଁ ମାନବୀୟ ବିକୃତି (ଏଭଳି ବିଶ୍ବାସଘାତକତା କେବଳ ମାନବ ଦ୍ବାରା ହିଁ ସମ୍ଭବ ହେଉଥିବାରୁ ଏହାକୁ ଅମାନବୀୟ ବୋଲି ମଧୢ କୁହାଯାଇ ନ ପାରେ!)କୁ ଦର୍ଶାଇଛି, ତାକୁ କେନ୍ଦ୍ର କରି ମଧ୍ୟ ଅନେକ ଦିନ ଯାଏ ବିମର୍ଷକର ଆଲୋଚନା ଚାଲିପାରେ! ଏବ˚ ଏତିକି ବେଳେ ହୁଏ’ତ କାହା କାହା କାନରେ କୌଣସି ଏକ ପରଲୋକଗତ ମୂଷିକର ଅନୁଚ୍ଚ ଆର୍ତ୍ତନାଦମୂଳକ ସ୍ବର ପଡ଼ିଯାଉଥାଇପାରେ! ଯଦି ଟିକିଏ କାନ ଡେରି ଶୁଣିବେ, ତେବେ କ୍ଷୁଦ୍ର ମୂଷିକ ପଚାରିଥିବା ପ୍ରଶ୍ନଟି ହୁଏ’ତ ସ୍ପଷ୍ଟ ଶୁଣାଯାଇପାରେ; ଯାହା ହେଲା ମୋତେ ପ୍ରଲୁବ୍‌ଧ କଲା ଭଳି ଶୁଖୁଆ ବା ରୁଟି ଟୁକୁଡ଼ାରେ ବିଷ ମିଶାଇ ଆପଣମାନେ ନିଜ ନିଜ ଘରେ ଯାହା କରି ଚାଲିଛନ୍ତି, ତାହା ଆଉ କ’ଣ କି?

ସମ୍ବନ୍ଧିତ ଖବର