ଦର୍ପ ଚୂର୍ଣ୍ଣ

ସ˚ପ୍ରତି କରୋନାକୁ ଦୁଇଟି କ୍ଷେତ୍ରରେ ଦେଖି ହୁଏ: ଗୋଟିଏ ହେଲା ପରିସ˚ଖ୍ୟାନରେ, ଗ୍ରାଫ୍‌ରେ, ବୈଜ୍ଞାନିକ ସ˚ଦର୍ଭରେ, ସିଦ୍ଧାନ୍ତରେ, ପୂର୍ବାନୁମାନରେ, ଗାଣିତିକ ମଡେଲ ଇତ୍ୟାଦିରେ ଏବ˚ ଅନ୍ୟଟି ‘କ୍ବାରାଣ୍ଟାଇନ୍‌’ରେ, ଆଇସିୟୁରେ, ଭେଣ୍ଟିଲେଟରରେ, ନିଃସଙ୍ଗତାରେ ଓ ଶ୍ମଶାନର ହାହାକାରରେ। ଏହା ସହିତ ଆଉ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା କରୋନା ମୁକାବିଲା ନେଇ ପ୍ରଥମ କ୍ଷେତ୍ରରେ ବିଚରଣ କରୁଥିବା ମୁଷ୍ଟିମେୟ (ବିଜ୍ଞାନୀ ବା ବିଶାରଦ, ପ୍ରଶାସକ, ଶାସନ ମୁଖ୍ୟ) ନିର୍ଦ୍ଧାରଣ କରୁଥିବା ପନ୍ଥା ଦ୍ବିତୀୟ କ୍ଷେତ୍ରର ଚିତ୍ର ଓ ଚରିତ୍ରକୁ ନିର୍ଣ୍ଣୟ କରୁଛି। ଯେହେତୁ ‘କୋଭିଡ୍‌-୧୯’ ଏକ ସ˚ପୂର୍ଣ୍ଣ ନୂତନ ଭୂତାଣୁ ଏବ˚ ଏହା ଏ ଯାବତ୍‌ ମାତ୍ର ଆ˚ଶିକ ରୂପେ ବୋଧଗମ୍ୟ ହୋଇପାରିଛି, ଏହାର ମୁକାବିଲା ନେଇ ଖସଡ଼ା ପ୍ରସ୍ତୁତିରେ ନୀତି ନିର୍ଦ୍ଧାରକମାନଙ୍କ ଧାରଣା, ପୂର୍ବାଗ୍ରହ, ଭ୍ରାନ୍ତି, ଭୟ ଏବ˚ ଦର୍ପର ପ୍ରଭାବରୁ ପରିଣାମରେ ମଧୢ ଭିନ୍ନତା ପରିଲକ୍ଷିତ ହେଉଛି। ବିଭିନ୍ନ ପ୍ରକାର ମଡେଲ୍‌ର ଆବିର୍ଭାବ ଘଟିଛି ସତ, କିନ୍ତୁ କେଉଁ ମଡେଲ୍‌ଟି ସର୍ବୋତ୍ତମ ସେ ସ˚ପର୍କରେ ନିଶ୍ଚିତ ରୂପେ କୁହାଯାଇପାରୁନାହିଁ। ଉଦାହରଣ ସ୍ବରୂପ ଚୀନ ମଡେଲ୍‌ର ଦୃଷ୍ଟାନ୍ତ ଦେଇ କେହି ଯଦି ଏହି ଉପସ˚ହାରରେ ପହଞ୍ଚନ୍ତି ଯେ ଏକ ଅତ୍ୟନ୍ତ କଠୋର ‘ଲକ୍‌ଡାଉନ୍‌’ ବ୍ୟବସ୍ଥା କରୋନା ମୁକାବିଲାର ଏକମାତ୍ର ଉତ୍ତର ହୋଇଥିବାରୁ ଏକଛତ୍ରବାଦୀ ଶାସନ ଏଥିରେ ସଫଳତା ଲାଭ କରିବା ଅନିବାର୍ଯ୍ୟ, ତେବେ ଏକଛତ୍ରବାଦୀ ରୁଷିଆର ବିଫଳତା ସମ୍ମୁଖରେ ଆବିର୍ଭୂତ ହୋଇଥାଏ। ସେହିଭଳି କରୋନା ମୁକାବିଲାରେ ଅତ୍ୟନ୍ତ ସଫଳ ହୋଇଥିବା ଗଣତାନ୍ତ୍ରିକ ରାଷ୍ଟ୍ର ଦକ୍ଷିଣ କୋରିଆର ଉଦାହରଣ ଗୋଟିଏ ପାର୍ଶ୍ବରେ ଉପସ୍ଥିତ ଥିବା ବେଳେ ଅନ୍ୟ ପାର୍ଶ୍ବରେ ଦୟନୀୟ ଭାବେ ବିଫଳ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପ ସହିତ ପ୍ରାୟ ସମସ୍ତ ଉନ୍ନତ ଗଣତାନ୍ତ୍ରିକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ଏ ସବୁ ସତ୍ତ୍ବେ ଏହା ଭିତରେ ଯଦି କୌଣସି ଗୋଟିଏ କଥା ସ୍ପଷ୍ଟ ହେବାରେ ଲାଗିଛି, ତାହା ହେଲା ଏୟା ଯେ ଏହି ଭୂତାଣୁ କୌଣସି ପ୍ରକାର ମାନବୀୟ ଦର୍ପ ବା ଅହମିକାକୁ କ୍ଷମା ପ୍ରଦାନ କରେନାହିଁ।

ଉଲ୍ଲେଖଯୋଗ୍ୟ ଯେ ‘କୋଭିଡ୍‌-୧୯’ ଯେତେବେଳେ ଚୀନରୁ ବାହାରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସ˚କ୍ରମଣ କରିବା ଆରମ୍ଭ କରିଥିଲା, ସେତିକି ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଡୋନାଲଡ୍‌ ଟ୍ରମ୍ପ୍‌ ହୁଅନ୍ତୁ ବା ଇ˚ଲାଣ୍ତର ପ୍ରଧାନମନ୍ତ୍ରୀ ବୋରିସ ଜନସନ ହୁଅନ୍ତୁ ଅଥବା ବ୍ରାଜିଲର ଶାସନ ମୁଖ୍ୟ ଜାଇର ବୋଲସୋନାରୋ ହୁଅନ୍ତୁ; ସମସ୍ତଙ୍କ ମନୋଭାବରେ ଏବ˚ ମନ୍ତବ୍ୟରେ ଏହି ଭୂତାଣୁର ସ˚କ୍ରମଣ ଏବ˚ ମାରକ କ୍ଷମତା ନେଇ ଅତ୍ୟନ୍ତ ହେୟ ଭାବ ପ୍ରକଟିତ ହୋଇଥିଲା। ଏଭଳି ମନୋଭାବର ପ୍ରଭାବରେ ନିଆଯାଇଥିବା ପଦକ୍ଷେପ ଯୋଗୁ ସେ ସବୁ ରାଷ୍ଟ୍ରରେ କରୋନା ସ˚କ୍ରମଣ ଏବ˚ ମୃତ୍ୟୁର ହାର କିଭଳି ସ୍ତରରେ ପହଞ୍ଚିଛି, ତାର ବର୍ଣ୍ଣନା ନିଷ୍ପ୍ରୟୋଜନ। ‘ଲକ୍‌ଡାଉନ୍‌’ ବା ସାମାଜିକ ଦୂରତା ଭଳି ସତର୍କତାମୂଳକ ପଦକ୍ଷେପକୁ ବିଦ୍ରୂପ କରିଥିବା ଏହି ରାଷ୍ଟ୍ରମୁଖ୍ୟମାନେ ପରିଶେଷରେ ସେହି ସବୁ ପଦକ୍ଷେପ ନେଇଥିଲେ ସିନା, ପରିସ୍ଥିତିକୁ ଅଧିକ ଶୋଚନୀୟ ହେବାରୁ ବଞ୍ଚାଇ ପାରି ନ ଥିଲେ। ତେବେ କେବଳ କ୍ଷମତାଧାରୀ ରାଜନେତାମାନଙ୍କ ଅହମିକା ନୁହେଁ, ଅତ୍ୟନ୍ତ ପ୍ରବୁଦ୍ଧ ବୈଜ୍ଞାନିକଙ୍କ ଅହମିିକା ମଧୢ ଯେ କରୋନା ମୁକାବିଲାରେ ବିଫଳତାର କାରଣ ହୋଇପାରେ, ତାର ଦୃଷ୍ଟାନ୍ତ ମଧୢ ମିଳିଛି। ସଂପ୍ରତି ‘ସ୍ବିଡେନ୍‌’ ମଡେଲ୍‌ ଏହାର ଉଦାହରଣ ସ୍ବରୂପ ଆମ ସମକ୍ଷରେ ବିଦ୍ୟମାନ।

ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ‘ଲକ୍‌ଡାଉନ୍‌’ ଓ ‘ସାମାଜିକ ଦୂରତା ରକ୍ଷା’କୁ କରୋନା ସ˚କ୍ରମଣ ବିରୋଧରେ ଏକମାତ୍ର ପନ୍ଥା ରୂପେ ସାରା ବିଶ୍ବ ଗ୍ରହଣ କରି ନେଇଥିଲା, ସେତିକି ବେଳେ ସ୍ବିଡେନ୍‌ ତାଙ୍କ ରାଷ୍ଟ୍ରର ସର୍ବପ୍ରସିଦ୍ଧ ‘ଏପିଡେମିଓଲୋଜିଷ୍ଟ’(ସ˚କ୍ରାମକ ରୋଗ ବିଶେଷଜ୍ଞ) ଆଣ୍ତର୍ସ ଟେଜନେଲଙ୍କ ପରାମର୍ଶାନୁସାରେ ସବୁ ଉପାୟକୁ ନାକଚ କରି କେବଳ ‘ହର୍ଡ ଇମ୍ୟୁନିଟି’ ବା ‘ଗୋଠ ପ୍ରତିରୋଧକ’ ସୃଷ୍ଟିକୁ କରୋନା ମୁକାବିଲାର ପନ୍ଥା ରୂପେ ଗ୍ରହଣ କରିଥିଲା। ଏହି କ୍ରମରେ ସ୍ବିଡେନ୍‌ର ନାଗରିକମାନଙ୍କୁ ସାମାଜିକ ଦୂରତା ରକ୍ଷା ବାବଦରେ କେବଳ ନାମକୁ ମାତ୍ର ସଚେତନ କରି ଦିଆଯାଇ ଦେଶରେ ସମସ୍ତ ପ୍ରକାର କାରବାରକୁ ପୂର୍ବବତ୍‌ ଚାଲୁ ରଖାଗଲା। ଜନ ସାଧାରଣଙ୍କ ଉପରେ ସ˚ପୂର୍ଣ୍ଣ ଆସ୍ଥା ପ୍ରକଟ କରି କୌଣସି ପ୍ରକାର କଟକଣା ଲଗାଗଲା ନାହିଁ। (କେବଳ ଯାହା ଜରା ନିବାସଗୁଡ଼ିକୁ ଯିବା ଉପରେ ବାରଣ ରହିଲା।) ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ତରୁଣମାନେ ସ୍ବଚ୍ଛନ୍ଦରେ ବିଚରଣ କରି ଏହି ଭୂତାଣୁ ଦ୍ବାରା ସ˚କ୍ରମିତ ହୁଅନ୍ତୁ ଓ କିଛି ଦିନର ଅସୁସ୍ଥତା ପରେ ସୁସ୍ଥ ହୋଇ ନିଜ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି କରନ୍ତୁ। ଏଥିରେ ଯଦିଓ କିଛି ଲୋକଙ୍କର ମୃତ୍ୟୁ ଘଟିବା ଅନିବାର୍ଯ୍ୟ ଥିଲା; ତଥାପି କରୋନା ବିରୋଧରେ ବିଜୟ ଲାଭ କରିବା ଲାଗି ସମଗ୍ର ସ୍ବିଡେନ୍‌ ରୋଗ ପ୍ରତିରୋଧୀ ହେବା ସକାଶେ ଏଭଳି ମୃତ୍ୟୁ ସହନୀୟ ବୋଲି ଧାରଣାଟିଏ ମଧୢ ପ୍ରାଧାନ୍ୟ ଲାଭ କରିଥିଲା। କହିବା ବାହୁଲ୍ୟ ଯେ ସ୍ବିଡେନ୍‌ ହେଉଛି ବିଶ୍ବର ଅନ୍ୟତମ ସର୍ବାଧିକ ଶିକ୍ଷିତ ଓ ସଚେତନ ରାଷ୍ଟ୍ର। ଏହି ରାଷ୍ଟ୍ର ମଧୢ ପୃଥିବୀର ସର୍ବାଧିକ ଧନୀ ରାଷ୍ଟ୍ରଙ୍କ ମଧ୍ୟରୁ ଗୋଟିଏ, ଯହିଁରେ ନାଗରିକମାନଙ୍କ ମୁଣ୍ତପିଛା ଆୟ ୫୮, ୦୦୦ ଆମେରିକୀୟ ଡଲାର; ଏଠାରେ ପ୍ରତି ବର୍ଗ କିଲୋମିଟରରେ ମାତ୍ର ୨୫ ଜଣ ଲୋକ ବାସ କରନ୍ତି; ଏବ˚ ସେଠାକାର ସାର୍ବଜନୀନ ସ୍ବାସ୍ଥ୍ୟ ସେବା ବିଶ୍ବରେ ସର୍ବୋତ୍କୃଷ୍ଟ (ଘରୋଇ ସ୍ବାସ୍ଥ୍ୟ ସେବା ସ˚ପୂର୍ଣ୍ଣ ଅନୁପସ୍ଥିତ)। ସ୍ବାଭାବିକ ଭାବେ ପ୍ରଥମେ ପ୍ରତୀତ ହୋଇଥିଲା ଯେ ସ୍ବିଡେନ୍‌ ବୋଧହୁଏ ‘ଲକ୍‌ଡାଉନ୍‌’ ଧାରାର ବିପରୀତରେ ଯାଇ ସଫଳତାର ଏକ ମଡେଲ୍‌ ସ୍ଥାପନ କରିବ। ଅଥଚ ସ˚ପ୍ରତି ଏ ଚିତ୍ର ବଦଳି ଯାଇଛି ଏବଂ ସେଠାରେ କରୋନା ସ˚କ୍ରମଣ ଏକ ଘୋର ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଛି। ଏବେ ସ୍ବିଡେନରେ ମୃତ୍ୟୁ ସ˚ଖ୍ୟା ପହଞ୍ଚିଛି ୪୬୫୬ରେ। ଯଦି ସେଠାକାର ଜନସ˚ଖ୍ୟା ସହିତ ମୃତ୍ୟୁ ସ˚ଖ୍ୟାର ଅନୁପାତକୁ ଭାରତର ଜନସ˚ଖ୍ୟା ଆଧାରରେ ବିଚାର କରାଯାଏ ତେବେ ମୃତ୍ୟୁ ସ˚ଖ୍ୟା ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ହୁଅନ୍ତା। ବର୍ତ୍ତମାନ ନିୟୁତ ପିଛା ମୃତ୍ୟୁ ସ˚ଖ୍ୟା ହାରରେ ସ୍ବିଡେନ୍‌ର ସ୍ଥାନ ହେଉଛି ପୃଥିବୀରେ ଚତୁର୍ଥ ଏବ˚ ଏହି ଗ୍ରାଫ୍‌ ଊର୍ଦ୍ଧ୍ବମୁଖୀ ହୋଇ ଚାଲିଛି। କିନ୍ତୁ ପାରଂପରିକ ଲକଡାଉନ୍‌ ପଦ୍ଧତି ଗ୍ରହଣ କରିଥିବା ଏହାର ପଡ଼ୋଶୀ ରାଜ୍ୟ ନର‌େଵରେ ମୃତ୍ୟୁ ସ˚ଖ୍ୟା ମାତ୍ର ୨୩୮ ଏବ˚ ଫିନଲାଣ୍ତରେ ତାହା ମାତ୍ର ୩୨୨। ଏବ˚ ଏହା ସହିତ ଆଉ ଯାହା ପରିଲକ୍ଷିତ ହୋଇଛି, ତାହା ହେଲା ଲକ୍‌ଡାଉନ୍‌ ଘୋଷଣା କରାଯାଇ ନ ଥିବା ସତ୍ତ୍ବେ ସ୍ବିଡେନ୍‌ର ଆର୍ଥିକ ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆକ୍ରାନ୍ତ ଓ ମୃତ୍ୟୁର ତାଣ୍ତବ ଭିତରେ ବୋଧହୁଏ ସ୍ବିଡେନ୍‌ବାସୀ ଏବେ ଆତ୍ମଘୋଷିତ ‘ଲକ୍‌ଡାଉନ୍‌’ରେ। ଏବେ ଟେଜନେଲ ମହାଶୟ ଏଭଳି ଏକ ପଦକ୍ଷେପରେ ନିହିତ ଥିବା ତ୍ରୁଟି ସ୍ବୀକାର କରିଛନ୍ତି, କିନ୍ତୁ କହିବା ବାହୁଲ୍ୟ ଯେ ବୌଦ୍ଧିକ ଅନମନୀୟତାର ପରିଣାମ ସ୍ବିଡେନ୍‌ ଭୋଗ କରି ସାରିଛି।

ନୋବେଲ ପୁରସ୍କାର ଗ୍ରହଣ କରିବା ଅବସରରେ ବିଶ୍ବପ୍ରସିଦ୍ଧ ଗାଳ୍ପିକ ଆଇଜାକ ବାସେଭିସ ସିଙ୍ଗର ପ୍ରଦାନ କରିଥିବା ଅଭିଭାଷଣରେ ଶୁଣିବାକୁ ମିଳିଥାଏ କିଭଳି କେବଳ ଗୋଟିଏ ଉପାୟରେ ତାଙ୍କ ମାତୃଭାଷା ୟିଦ୍ଦିସ ଅତ୍ୟନ୍ତ କମ୍‌ ସ˚ଖ୍ୟକ ଲୋକଙ୍କ ଦ୍ବାରା ବ୍ୟବହୃତ ହେଉଥିବା ସତ୍ତ୍ବେ ଏବ˚ ଅନ୍ୟାନ୍ୟ ଭାଷାମାନଙ୍କ ଆକ୍ରମଣ ଓ ଅତିକ୍ରମଣ ସତ୍ତ୍ବେ ଅତି ପ୍ରାଚୀନ କାଳରୁ ନିଜକୁ ବଞ୍ଚାଇ ପାରିବାରେ ସମର୍ଥ ହୋଇଥିଲା। ସିଙ୍ଗରଙ୍କ ଭାଷାରେ ତାହା ଥିଲା ନମନୀୟତ।। ସେ କହିଥିଲେ ଯେ ୟିଦ୍ଦିସ ଭାଷାଟି କେଉଁଠି ହେଲେ ଦର୍ପ ପ୍ରକାଶ କରିନାହିଁ; ଲୁଚି ଛପି, ଗଳି ପଶି ଅତି ସନ୍ତର୍ପଣରେ ନିଜକୁ ବଞ୍ଚାଇ ରଖି ତିଷ୍ଠି ରହିପାରିଛି। ସେହି ଆଧାରରେ ବିଚାର କଲେ କେବଳ ଏକ ଭାଷା କ୍ଷେତ୍ରରେ ନୁହେଁ, ଜୀବନର ଯେ କୌଣସି ସ˚ଦର୍ଭରେ ବିପର୍ଯ୍ୟୟ ମୁହଁରେ ତିଷ୍ଠି ରହିବା ଲାଗି ଦର୍ପ ନୁହେଁ, ନମନୀୟତା ହିଁ ହେଉଛି ବୋଧହୁଏ ସର୍ବାଧିକ ଗୂଢ଼ ଉପାୟ। ସେହି ପରିପ୍ରେକ୍ଷୀରେ ସଂପ୍ରତି କରୋନା ବିପର୍ଯ୍ୟୟ କାଳରେ କୋଭିଡ୍‌-୧୯ ନାମକ ଭୂତାଣୁଟି ଏଭଳି ଦର୍ପ ଚୂର୍ଣ୍ଣ କରି ଚାଲିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର