ପିଣ୍ତ ବ୍ରହ୍ମାଣ୍ତ

ଓଡ଼ିଶାର ନାଥ ସ˚ସ୍କୃତିର ‘ପିଣ୍ତ ବ୍ରହ୍ମାଣ୍ତ’ ତତ୍ତ୍ବରୁ ବାଇବ୍‌ଲର ‘ଧୂଳିରୁ ଧୂଳିକୁ’ ଧାରଣା ପର୍ଯ୍ୟନ୍ତର ବିଜ୍ଞାନରେ ଯଦି କିଛି ସମତୁଲ୍ୟ ବର୍ଣ୍ଣନା ଥାଏ, ତାହା ହେଉଛି ‘ତାରକା ଧୂଳି’ ବା ‘ଷ୍ଟାର‌୍‌ ଡଷ୍ଟ’। କ୍ଷୁଦ୍ରାତିକ୍ଷୁଦ୍ର ଚୀନା କରୋନା ଭୂତାଣୁ ଯେତେବେଳେ ନିଜକୁ ଅମିତ ଶକ୍ତିଶାଳୀ ମନେକରୁଥିବା ମନୁଷ୍ୟର ଅହମିକାକୁ ଧୂଳିରେ ମିଶାଇ ଦେଇଛି, ଠିକ୍‌ ସେତିକିବେଳେ ବୋଧହୁଏ ମନୁଷ୍ୟକୁ ଚେତାଇ ଦେବାକୁ ଯେ ତା’ର ନିଜର ପିଣ୍ତ ଠାରୁ ବ୍ରହ୍ମାଣ୍ତ ପର୍ଯ୍ୟନ୍ତ କେବଳ ମୁଠାଏ ଧୂଳି ଛଡ଼ା ଆଉ କିଛି ନୁହେଁ, ପୃଥିବୀ ଆଡ଼କୁ ମାଡ଼ି ଆସିବାର ଅଭିନୟ କରି କ୍ଷଣକ ପାଇଁ ଆମକୁ ଡରାଇ ଦେଇଛି ଏକ ବିଶାଳ ଗ୍ରହାଣୁ ପିଣ୍ତ।

ଚୀନା କରୋନା ଭଳି ‘ପାଣ୍ତେମିକ୍‌’ ବା ବିଶ୍ବ ମହାମାରୀ ଯେମିତି ପ୍ରଳୟର ଭୟ ସୃଷ୍ଟି କରିଥାଏ, ତାହାଠାରୁ ଆହୁରି ଭୟଙ୍କର ପ୍ରଳୟର ଆଶଙ୍କା ସୃଷ୍ଟି କରିଥାଏ ପୃଥିବୀପୃଷ୍ଠରେ ଏକ ବିଶାଳ ଗ୍ରହାଣୁ ପିଣ୍ତ ମାଡ଼ ହେବାର ସମ୍ଭାବନା। ଜୁନ୍‌ ୬ ତାରିଖ ଦିନ ୦୩୨୦ଟା ଗ୍ରିନ୍‌ଵିଚ୍‌ ମିନ୍‌ ଟାଇମ୍‌ ସମୟରେ ପୃଥିବୀ ନିକଟ ଦେଇ ଚାଲିଯାଇଥିବା ଗ୍ରହାଣୁ ପିଣ୍ତ ଏହିପରି ଏକ ପ୍ରଳୟ ସୃଷ୍ଟିକାରୀ କ୍ଷମତା ବହନ କରୁଥିଲା- ଏହାର ଆକାର ଥିଲା ଏକ ଫୁଟ୍‌ବଲ୍‌ ଷ୍ଟାଡିଅମ୍‌ ପରି। ଯଦି ପୃଥିବୀ ଉପରେ ଏହି ‘୨୦୦୨ଏନ୍‌ଏନ୍‌୪’ ନାମକ ଗ୍ରହାଣୁ ପିଣ୍ତ ଆସି ବାଡ଼େଇ ହୋଇଯାଇଥାନ୍ତା, ତେବେ ଏଠାରେ ବିଧ୍ବ˚ସକାରୀ ଭୂମିକମ୍ପରୁ ଆରମ୍ଭ କରି ପ୍ରଳୟଙ୍କରୀ ସୁନାମି ଓ ପୃଥିବୀବ୍ୟାପୀ ଦାବାଗ୍ନିକାଣ୍ତ ଆରମ୍ଭ ହୋଇଯାଆନ୍ତା ଏବ˚ ପୃଥିବୀର ବାୟୁମଣ୍ତଳ ଦୀର୍ଘକାଳ ଧରି ଧୂଳି ଓ ଧୂଆଁର ଘନ ପଟଳ ଦ୍ବାରା ଆଚ୍ଛାଦିତ ହୋଇ ଯାଆନ୍ତା।

ଯାହା କିନ୍ତୁ ଏକ ବକ୍ରୋକ୍ତି ଭଳି ମନେ ହୋଇପାରେ, ତାହା ହେଲା, ଆମ ଶରୀର, ଜୀବଜଗତ୍‌, ପୃଥିବୀରୁ ସୂର୍ଯ୍ୟ ଓ ତାଙ୍କ ପରିବାର ପର୍ଯ୍ୟନ୍ତ ଯେଉଁ ତାରକା ଧୂଳିରୁ ପ୍ରସୂତ, ଏହି ଗ୍ରହାଣୁ ପିଣ୍ତଟି ମଧୢ ସେଇ ତାରକା ଧୂଳିର ସନ୍ତାନ। ଆଉ ଏ ତାରକା ଧୂଳି ହେଉଛି କୌଣସି ଏକ ବିଶାଳ ତାରକାର ନିଜର ମାଧୢାକର୍ଷଣ ଚାପରେ ଭୁଶୁଡ଼ି ପଡ଼ି ‘ସୁପର‌୍‌ନୋଭା’ ରୂପେ ପରିଚିତ ଏକ ଭୟାନକ ବିସ୍ଫୋରଣରେ ଅନ୍ତ ଘଟିବା ପରେ ମହାଶୂନ୍ୟରେ ବିଛାଡ଼ି ହୋଇ ଯାଇଥିବା ତା’ର ତଥାକଥିତ ଧୂଳିକଣାମାନ। ଆରମ୍ଭରେ ଏକ ତାରାରେ ଥିବା କେବଳ ଉଦ୍‌ଯାନ ଅଣୁମାନ ସେଇ ତାରାର ମାଧୢାକର୍ଷଣର ଭୀଷଣ ଚାପରେ ମିଳିତ ହୋଇ ପ୍ରଥମେ ସାମାନ୍ୟ ଅଧିକ ଓଜନଦାର ହିଲିଅମ୍‌ ଓ ପରେ ପରେ ଅଙ୍ଗାର, ଅମ୍ଳଜାନ, ଯବକ୍ଷାରଜାନ, ଲୌହ ଭଳି ଆହୁରି ଅଧିକ ଓଜନଦାର ଅଣୁ ସୃଷ୍ଟି ହୋଇଥାଏ। ‘ସୁପର‌୍‌ନୋଭା’ ବିସ୍ଫୋରଣରେ ଏହାଠାରୁ ମଧୢ ଅଧିକ ଓଜନଦାର ମୌଳିକ ପଦାର୍ଥମାନ (ସୁନା, ୟୁରାନିଅମ୍…) ସୃଷ୍ଟି ହୋଇଥାଏ। ଏଥିରେ ଜୀବନ ସୃଷ୍ଟି ପାଇଁ ଆବଶ୍ୟକ ମୌଳିକ ପଦାର୍ଥମାନ ଅନ୍ତର୍ଭୁକ୍ତ।

ମହାଶୂନ୍ୟରେ ବିଛାଡ଼ି ହୋଇଯାଇଥିବା ଏହି ଧୂଳି ପଟଳ କ୍ରମେ ଘନୀଭୂତ ହୋଇ ପୁଣି ଥରେ ନୂତନ ତାରକା ଓ ଗ୍ରହ ଆଦିର ସୃଷ୍ଟି ହୋଇଥାଏ ଓ ଏହି ମହାଜାଗତିକ ଦୃଶ୍ୟ ବାରମ୍ବାର ଅଭିନୀତ ହୋଇ ଚାଲିଥାଏ ବୋଲି ପଦାର୍ଥ ବିଜ୍ଞାନୀମାନେ ଆବିଷ୍କାର କରିଛନ୍ତି। ଆମର ସମଗ୍ର ସୌରଜଗତ୍‌ର ଉତ୍ପତ୍ତି ଏହି ତାରକା ଧୂଳି ପଟଳରୁ ହିଁ ଘଟିଛି। ମହାଶୂନ୍ୟରେ ଭାସି ବୁଲୁଥିବା ସମସ୍ତ ପଦାର୍ଥ ପରି କୌଣସି ଏକ ‘ସୁପର‌୍‌ନୋଭା’ରୁ ସମ୍ଭୂତ ଧୂଳି ଓ ବାଷ୍ପ ଆଦିର ଏକ ବିଶାଳ ବାଦଲଖଣ୍ତ ଧୀରେ ଧୀରେ ଏକ ଚକ୍ର ପରି ଘୂରିବାକୁ ଆରମ୍ଭ କରିଥିବ। ନିଜର ଅକ୍ଷକୁ କେନ୍ଦ୍ର କରି ଘୂରୁଥିବା ଏହି ବାଦଲରେ ଥିବା ଧୂଳି, ବାଷ୍ପ ଓ ପଦାର୍ଥ ଖଣ୍ତ ମାନ କ୍ରମେ ମାଧୢାକର୍ଷଣ ବଳରେ ନିଜ ନିଜର ପଡ଼ୋଶୀମାନଙ୍କ ସହିତ ମିଳିତ ହୋଇ ବଡ଼ ବଡ଼ ପଦାର୍ଥ ଖଣ୍ତ ମାନଙ୍କରେ ପରିଣତ ହେବାରେ ଲାଗିଲେ। ବଡ଼ ଖଣ୍ତମାନ ନିଜର ଅଧିକ ଶକ୍ତିଶାଳୀ ମାଧୢାକର୍ଷଣ ବଳରେ ପଡ଼ିଶାରେ ଥିବା ଛୋଟ ଛୋଟ ଖଣ୍ତମାନଙ୍କୁ ଭିଡ଼ି ନେଇ ନିଜ ସହିତ ମିଶାଇ ନିଜର ଆକାର ବୃଦ୍ଧି କରିବାରେ ଲାଗିଲେ। ଏହି ତାରକା ଧୂଳିର ଘୂର୍ଣ୍ଣାୟମାନ ଥାଳିଆର କେନ୍ଦ୍ରରେ ଏହି ପ୍ରକ୍ରିୟାରେ ଯେଉଁ ସବୁଠାରୁ ବଡ଼ ପଦାର୍ଥଟିର ଆବିର୍ଭାବ ଘଟିଲା, ନିଜର ବିଶାଳ ଆକାର ଯୋଗୁଁ ତାହା ଏକ ତାରାରେ ପରିଣତ ହେଲା। ସେ ହେଉଛନ୍ତି ଆମର ପରିବାରର ମୁଖ୍ୟ- ସୂର୍ଯ୍ୟ।

ଯେଉଁମାନଙ୍କୁ ଦୂରତା ଯୋଗୁଁ ସୂର୍ଯ୍ୟ ଭିଡ଼ି ନେଇ ନିଜ ଦେହରେ ମିଶାଇ ଦେଇପାରିଲେ ନାହିଁ, ସେମାନେ ହେଲେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ଇନ୍ଦ୍ର, ବରୁଣ ଏବ˚ (ବର୍ତ୍ତମାନ ଗ୍ରହର ମାନ୍ୟତା ହରାଇଥିବା) ଯମ ଆଦି ନବଗ୍ରହ। ଏକ ଭିନ୍ନ ପରିସ୍ଥିତିରେ ମଙ୍ଗଳ ଓ ବୃହସ୍ପତିଙ୍କର କକ୍ଷ ପଥର ମଧୢବର୍ତ୍ତୀ ଅଞ୍ଚଳରେ ଥିବା ତାରକା ଧୂଳି ଜମାଟ ବାନ୍ଧି ଆଉ ଏକ ଗ୍ରହର ଉତ୍ପତ୍ତି ହୋଇପାରିଥାନ୍ତା; କିନ୍ତୁ ତାହା ନଘଟି ସେମାନେ ଖଣ୍ତ ଖଣ୍ତ ହୋଇ ଗ୍ରହାଣୁ ପୁଞ୍ଜ ନାମରେ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଛନ୍ତି, ଠିକ୍‌ ଗ୍ରହମାନେ ଯେପରି ସୂର୍ଯ୍ୟଙ୍କୁ ନିଜ ନିଜର କକ୍ଷ ପଥରେ ପରିକ୍ରମା କରି ଚାଲିଛନ୍ତି। ଏହି ଗ୍ରହାଣୁ ଖଣ୍ତ ମାନ ପରସ୍ପରକୁ ଆକର୍ଷିତ କରି ଏକାଠି ହୋଇ ଏକ ଗ୍ରହରେ ପରିଣତ ହୋଇ ନପାରିବାର କାରଣ ବୋଧହୁଏ ହେଉଛି ଅନତି ଦୂରରେ ଥିବା ଧୢାନରତ ବୃହତ୍ତମ ଗ୍ରହ ବୃହସ୍ପତି, ଯାହାର ଶକ୍ତିଶାଳୀ ମାଧୢାକର୍ଷଣର ପ୍ରଭାବରୁ ମୁକୁଳି ଏହି ଗ୍ରହାଣୁ ଖଣ୍ତ ମାନେ ଏକାଠି ହୋଇ ଜମାଟ ବାନ୍ଧି ପାରୁନାହାନ୍ତି।

ଏହି ଗ୍ରହାଣୁ ପୁଞ୍ଜ ମଧୢରେ ଥିବା ସବୁଠାରୁ ବଡ଼ ଖଣ୍ତର ବ୍ୟାସାର୍ଦ୍ଧ ହେଉଛି ପ୍ରାୟ ୧,୦୦୦ କି.ମି! କିନ୍ତୁ ଏମାନଙ୍କ ମଧୢରେ ଅନେକ ଛୋଟ ଛୋଟ ପଥର ଖଣ୍ତ ଭଳି ଗ୍ରହାଣୁମାନ ମଧୢ ଅଛନ୍ତି। କକ୍ଷ ପଥରେ ଘୂରିବା ବେଳେ ସେମାନେ ପରସ୍ପର ସହିତ ଧକ୍‌କା ଖାଇଥାନ୍ତି ଓ ବେଳେ ବେଳେ ସେଥିଯୋଗୁଁ କକ୍ଷ ଚ୍ୟୁତ ହୋଇ ଅନ୍ୟ କୌଣସି ଗ୍ରହର ନିକଟବର୍ତ୍ତୀ ହୋଇଯାଆନ୍ତି। ପୃଥିବୀ ଦିଗରେ ଆସି ଆମର ବାୟୁମଣ୍ତଳରେ ପ୍ରବେଶ କରି ଘର୍ଷଣ ଯୋଗୁଁ ଜଳି ଯାଉଥିବା ଛୋଟ ଛୋଟ ଗ୍ରହାଣୁ ଖଣ୍ତକୁ ଆମେ ଉଲ୍‌କା ରୂପେ ଜାଣୁ ଓ ତାର ଆତସବାଜିକୁ ଉପଭୋଗ କରୁ।

କିନ୍ତୁ ବଡ଼ ଆକାରର ଗ୍ରହାଣୁପିଣ୍ତ ଭୂପୃଷ୍ଠରେ ପଡ଼ିବା ପୂର୍ବରୁ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ପାରିନଥାଏ; ତେଣୁ ପ୍ରଳୟ ସୃଷ୍ଟି କରେ, ଯେମିତି ଘଟିଥିଲା ପ୍ରାୟ ୬୫ ନିୟୁତ ବର୍ଷ ତଳେ। କେନ୍ଦ୍ରୀୟ ଆମେରିକାର ୟୁକାଟାନ୍‌ ଅଞ୍ଚଳରେ ଆସି ପିଟି ହୋଇ ଯାଇଥିବା ଏହି ଗ୍ରହାଣୁ ଖଣ୍ତ ଆଘାତରୁ ନିର୍ଗତ ଶକ୍ତିର ପରିମାଣ ପୃଥିବୀରେ ବର୍ତ୍ତମାନ ଥିବା ସମସ୍ତ ପରମାଣୁ ବୋମାମାନଙ୍କର ମିଳିତ ବିସ୍ଫୋରଣର କେତେ ଶହ ଗୁଣ ଥିଲା ବୋଲି ଆକଳନ କରାଯାଇଛି। ଏଥିଯୋଗୁ ସମସ୍ତ ଗଛଲତା, ଜୀବଜନ୍ତୁ ସହିତ ଡାଇନୋସର‌୍‌ମାନେ ମଧୢ ପୃଥିବୀପୃଷ୍ଠରୁ ଲୋପ ପାଇଗଲେ। ତଥାପି ଯେ ପୃଥିବୀରୁ ଜୀବନ ପୂରା ଲୋପ ପାଇଗଲା ନାହିଁ, ଆମେ ହେଉଛୁ ତା’ର ପ୍ରମାଣ। ହୁଏତ ଆଜି ଯଦି ପ୍ରଳୟ ଘଟିଥାନ୍ତା, ତାରକା ଧୂଳିରୁ ପୁଣି ସେହିପରି ଜୀବନର ଆବିର୍ଭାବ ଘଟନ୍ତା- ବ୍ରହ୍ମାଣ୍ତରୁ ପୁଣି ପିଣ୍ତର ଉତ୍ପତ୍ତି ଘଟନ୍ତା!

ସମ୍ବନ୍ଧିତ ଖବର