ଗଣିତ-ଗପ!

କୌଣସି ‘ସାଇନ୍‌ସ ଫିକ୍‌ସନ୍‌’ ବା ବିଜ୍ଞାନ-ଗପ ପାଠ କରିଥିବା ସମସ୍ତେ ଅବଗତ ଥିବେ ଯେ ବିଜ୍ଞାନର ଅବଲମ୍ବନରେ ଗଢ଼ି ଉଠିଥିବା ସେହି ଲେଖାଟି କିନ୍ତୁ କପୋଳକଳ୍ପିତ। କିନ୍ତୁ ପ୍ରଶ୍ନ ଉଠେ ବିଜ୍ଞାନ ଭଳି ଗଣିତର ଅବଲମ୍ବନରେ କୌଣସି ଗପର ସୃଷ୍ଟି କରାଯାଇ ପାରେ କି? ଏହାର ଉତ୍ତର ଯଦି ଅସ୍ତିବାଚକ ହୁଏ ତେବେ ଟିକିଏ ଅନୁମାନ ସହାୟତାରେ ଏହା ମଧୢ କୁହାଯାଇପାରିବ ଯେ ଯଦି କୌଣସି ଗଣିତ- ଗପ କେବେ ଲେଖାଯାଏ, ତେବେ ନିଜ କଳ୍ପନାକୁ ସ˚ପୂର୍ଣ୍ଣ ସତ୍ୟ ବୋଲି ପ୍ରତିପାଦନ କରିବା ସକାଶେ ଲେଖକ ଗଣିତ ବା ଗାଣିତିକ ପରିସ˚ଖ୍ୟାନର ସାହାଯ୍ୟ ନେଇପାରନ୍ତି। କାରଣ ବିଶ୍ବାସ କରାଯାଏ ଯେ ବିଜ୍ଞାନର ଶାଖାଗୁଡ଼ିକ ମଧୢରୁ ଯେଉଁ ଶାଖାଟି କେବଳ ନିରୋଳା ସତ୍ୟକୁ ଧାରଣ କରିଥାଏ, ତାହା ହେଉଛି ଗଣିତ। ଏହି ପରିପ୍ରେକ୍ଷୀରେ ସଂପ୍ରତି ଏକ ଆଲୋଡ଼ନ ସୃଷ୍ଟିକାରୀ ଘଟଣାରେ ପରିଦୃଷ୍ଟ ହୋଇଥିବା ତିନି ଜଣ ବିଶିଷ୍ଟ ଭାରତୀୟ ଚିକିତ୍ସକ(ଚିକିତ୍ସା ବିଜ୍ଞାନୀ)ଙ୍କ ଏକ ଉଦ୍ୟମ ଯେ ଏଭଳି ଗଣିତ-ଗପ ପର୍ଯ୍ୟାୟର, ତାହା କହିଲେ ବୋଧହୁଏ ଅତିର˚ଜନ ହେବନାହିଁ।

ତେବେ, ଉପରୋକ୍ତ ଘଟଣା ସମ୍ବନ୍ଧରେ ଆଲୋଚନା କରାଯିବା ପୂର୍ବରୁ ବିଶ୍ବପ୍ରସିଦ୍ଧ ଚିକିତ୍ସା-ଗ‌େବଷଣା-ଭିତ୍ତିକ ପତ୍ରିକା ‘ଦ ଲାନ୍‌ସେଟ୍‌’ ଉପରେ କିଞ୍ଚିତ ଆଲୋକପାତ କରାଯିବା ଆବଶ୍ୟକ। ଇ˚ଲାଣ୍ତରୁ ପ୍ରକାଶିତ ୧୯୭ ବର୍ଷ ପୁରୁଣା ଏହି ଅତ୍ୟନ୍ତ ମର୍ଯ୍ୟାଦାଜନକ ପତ୍ରିକାକୁ ଚିକିତ୍ସା ଗବେଷଣା କ୍ଷେତ୍ରରେ ବେଦତୁଲ୍ୟ ଜ୍ଞାନ କରାଯାଇଥାଏ। ଆନ୍ତର୍ଜାତିକ ସ୍ତରରେ ସ୍ଥିରୀକୃତ ଏହାର ‘ଇ˚ପାକ୍‌ଟ ଇନ୍‌ଡେକ୍‌ସ’ ବା ପ୍ରଭାବ ସୂଚକାଙ୍କ ହେଉଛି ୫୯.୧, ଯାହା ଅତ୍ୟୁଚ୍ଚ ସ୍ତରର। ଏହି ପତ୍ରିକାରେ ସ୍ଥାନିତ ନିବନ୍ଧଗୁଡ଼ିକ ପ୍ରକାଶନ ପୂର୍ବରୁ ଏକ ବିଶେଷଜ୍ଞ ଦଳ ଦ୍ବାରା ଉତ୍ତମ ଭାବେ ଯାଞ୍ଚ କରାଯାଇଥାଏ। ସେହି ଦୃଷ୍ଟିରୁ ମନଦୀପ ଆର ମେହରା (ହାର୍ଭାର୍ଡ‌୍‌ ଶିକ୍ଷାପ୍ରାପ୍ତ ହୃଦ୍‌ରୋଗ ବିଶେଷଜ୍ଞ) ସପନ ଦେଶାଇ (ପ୍ରସିଦ୍ଧ ସର୍ଜନ) ଏବ˚ ଅମିତ ପଟେଲ (ଉଟା ବିଶ୍ବବିଦ୍ୟାଳୟର ହୃଦ୍‌-ଶଲ୍ୟ ଚିକିତ୍ସକ)ଙ୍କ ଭଳି ତିନି ଜଣ ଅତି ବିଶିଷ୍ଟ ଆମେରିକା-ନିବାସୀ ଭାରତୀୟ ଚିକିତ୍ସକଙ୍କ ଦ୍ବାରା ଲିଖିତ ଏବଂ ‘ଦ ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ନିବନ୍ଧ ଏହା କହିବା ଯେ ‘କୋଭିଡ୍‌-୧୯’ ସ˚କ୍ରମିତଙ୍କ ଚିକିତ୍ସାରେ ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌’ ବା ‘ଏଚ୍‌ସିକ୍ୟୁ’ ଦ୍ବାରା କୌଣସି ଲାଭ ମିଳୁନାହିଁ; ଆପତତଃ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷ ଭଳି ମନେ ହୋଇଥିଲା। ଏହି ସିଦ୍ଧାନ୍ତକୁ ପ୍ରକାଶିତ କରିବା ଲାଗି ଗବେଷକ ତ୍ରୟ ଯେଉଁ ଏକ ବିଶାଳ ‘ଡାଟା ବେସ୍‌’ର ସାହାଯ୍ୟ ନେଇଥିଲେ, ତହିଁରେ ଅନ୍ତର୍ଭୁକ୍ତ ଥିଲେ ଛଅଟି ମହାଦେଶର ୬୭୧ଟି ହାସପାତାଳରେ ଚିକିତ୍ସିତ ହେଉଥିବା ପ୍ରାୟ ଏକ ଲକ୍ଷ ରୋଗୀ। ସେମାନଙ୍କ ମଧୢରୁ ‘ଏଚ୍‌ସିକ୍ୟୁ’ ଦ୍ବାରା ଚିକିତ୍ସିତ ହେଉଥିବା ୧୫,୦୦୦ ଜଣ ଏବ˚ ତାହା ବିନା ଚିକିତ୍ସିତ ହେଉଥିବା ୮୧,୦୦୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁଧୢାନ କରାଯାଇ କରୋନା ମୁକାବିଲାରେ ‘ଏଚ୍‌ସିକ୍ୟୁ’ର ବ୍ୟର୍ଥତା ବିଷୟ ଦର୍ଶା ଯାଇଥିଲା। କହିବା ବାହୁଲ୍ୟ, ଏହା ପରେ କରୋନା ବିରୋଧୀ ଯୁଦ୍ଧରୁ ‘ଏଚ୍‌ସିକ୍ୟୁ’ ଅପସାରିତ ହୋଇଗଲା। ‘ଏଚ୍‌ସିକ୍ୟୁ’କୁ କେନ୍ଦ୍ର କରି ହେଉଥିବା ଗବେଷଣାକୁ ବନ୍ଦ କରିବାକୁ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପରାମର୍ଶ ଦେଲା। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅଧିକା˚ଶ ପାଶ୍ଚାତ୍ୟ ରାଷ୍ଟ୍ର, ଯେଉଁଠି କରୋନା ପ୍ରତିହତ ଲାଗି ଔଷଧର ଅନୁପସ୍ଥିତିରେ ‘ଏଚ୍‌ସିକ୍ୟୁ’ ଏକ ବିଶଲ୍ୟକରଣୀ ତୁଲ୍ୟ ବିବେଚିତ ହେଉଥିଲା, ସେଠାରେ ତାହା ଅପାଂକ୍ତେୟ ହୋଇଗଲା।

କିନ୍ତୁ ନିହାତି ଲଜ୍ଜାଜନକ ଭାବେ ସେହି ନିବନ୍ଧରେ ଥିବା ଛିଦ୍ରଗୁଡ଼ିକ ସେତିକି ବେଳେ ପ୍ରକଟିତ ହେବାକୁ ଲାଗିଲା, ଯେତିକି ବେଳେ ‘ଡାଟା’ ଅନ୍ତର୍ଗତ ଅଷ୍ଟ୍ରେଲିଆର ଡାକ୍ତରଖାନାଗୁଡ଼ିକରେ ହୋଇଥିବା କରୋନା ମୃତ୍ୟୁ ସ˚ଖ୍ୟା ସହିତ ସେ ଦେଶରେ ଆଧିକାରିକ ଭାବେ ଉପଲବ୍‌ଧ ସ˚ଖ୍ୟା ମେଳ ଖାଇଲା ନାହିଁ। ଯଦିଓ ନିବନ୍ଧକାରମାନେ ଏହାକୁ ଆଖିରୁ ଖସି ଯାଇଥିବା ଏକ ତ୍ରୁଟି ବୋଲି ଅଭିହିତ କରି ସେହି ସ˚ଖ୍ୟା ପ୍ରକୃତରେ ଏସିଆର କିଛି ଡାକ୍ତରଖାନାରେ ଘଟିଥିବା ମୃତ୍ୟୁ ସ˚ଖ୍ୟା ବୋଲି ସଫେଇ ପ୍ରଦାନ କରିଥିଲେ, ତାହା କିନ୍ତୁ ଅନେକ ଗବେଷକଙ୍କ ବିଶ୍ବାସ ଜିଣିପାରି ନ ଥିଲା। ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଅନେକ ଗବେଷକ ପତ୍ର ମାଧୢମରେ ‘ପ୍ରାଇମେରି ଡାଟା’ ବା ‘ମୂଳ ସୂଚନା’ ଦେଖିବାକୁ ଦାବି କଲେ। ତେବେ ସର୍ବେକ୍ଷଣରେ ସାମିଲ ବ୍ୟକ୍ତିବିଶେଷଙ୍କ ଗୋପନୀୟତାକୁ ଆଳ କରି ଡାଟା ପ୍ରସ୍ତୁତ କରିଥିବା କ˚ପାନି ‘ସର୍ଜିସ୍ପିଅର’ ତାହା ପ୍ରଦାନ କରିବାକୁ ପ୍ରତ୍ୟାଖ୍ୟାନ କଲା। ଏଥିରେ ଯାହା ସର୍ବାଧିକ ବିବାଦାସ୍ପଦ ଥିଲା, ତାହା ହେଉଛି ‘ସର୍ଜିସ୍ପିଅର’ର ମାଲିକ ନିଜେ ଡାକ୍ତର ସପନ ଦେଶାଇ; ନିବନ୍ଧକାର ତ୍ରୟଙ୍କ ମଧୢରୁ ଜଣେ। ଇତି ମଧୢରେ ପ୍ରଖ୍ୟାତ ଆମେରିକୀୟ ଖବରକାଗଜ ‘ଦ ଗାର୍ଡିଆନ’ ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ କହିଛି ଯେ ‘ସର୍ଜିସ୍ପିଅର’ର ଦୁଇ ପ୍ରମୁଖ କର୍ମକର୍ତ୍ତାଙ୍କ ମଧୢରୁ ଜଣେ ହେଉଛନ୍ତି ବିଜ୍ଞାନ-ଗପର ଲେଖକ ଏବ˚ ଦ୍ବିତୀୟ ଜଣକ ପ୍ରାପ୍ତ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଚଳଚ୍ଚିତ୍ରର ତାରକା। ଏହି ବିବାଦ ପରେ ଲେଖକ ତ୍ରୟ ସେମାନଙ୍କ ନିବନ୍ଧକୁ ପ୍ରତ୍ୟାହାର କରି ନେଇଛନ୍ତି ଏବ˚ ‘ଦ ଲାନ୍‌ସେଟ୍‌’ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।

ପ୍ରଶ୍ନ ଉଠିଥାଏ ଯେ ଆମେରିକାର ମାଟିରେ ବାସ କରୁଥିବା ଏହି ତିନି ଜଣ ଭାରତୀୟ ଡାକ୍ତର ଏଭଳି ଏକ ଲଜ୍ଜାଜନକ ପ୍ରୟାସ କଲେ କାହିଁକି? ଏହାର ଉତ୍ତରର ଅନ୍ବେଷଣ ଦୁଇ ପ୍ରକାର ସମ୍ଭାବ୍ୟ ରାଜନୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ଭାରତରେ ସର୍ବାଧିକ ପରିମାଣରେ ପ୍ରସ୍ତୁତ ‘ଏଚ୍‌ସିକ୍ୟୁ’ ଭଳି ଏକ ଅତ୍ୟନ୍ତ ଶସ୍ତା ଏବ˚ ପୁରୁଣା (୭୦ ବର୍ଷରୁ ଅଧିକ) ଔଷଧ କରୋନା ମୁକାବିଲା କ୍ଷେତ୍ରରେ ହଠାତ୍‌ ଆବିର୍ଭୂତ ହେବା ସମ୍ଭବତଃ ‘କୋଭିଡ୍‌-୧୯’ର ପ୍ରତିଷେଧକ ପ୍ରସ୍ତୁତିରେ ଅମିତ ଅର୍ଥ ଓ ଶ୍ରମ ବ୍ୟୟ କରି ଚାଲିଥିବା ବିଶାଳ ଔଷଧ କ˚ପାନିଗୁଡ଼ିକୁ ଅସୁରକ୍ଷିତ କରି ତୋଳିଥିବ; ଯେଉଁମାନଙ୍କ ସ୍ବାର୍ଥ ରକ୍ଷା ଲାଗି ହୁଏତ ଏହି ନିବନ୍ଧକାରମାନେ ଉଦ୍ୟମ କରିଥିଲେ। ଏହା ‌ହୋଇପାରେ ପ୍ରଥମ ରାଜନୀତି। ଦ୍ବିତୀୟ ରାଜନୀତିଟି ଏହା ହୋଇପାରେ ଯେ ‘ପାନ୍‌ଡେମିକ’ର ପ୍ରାରମ୍ଭ କାଳରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କ ଆକୁଳ ଆଗ୍ରହ ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହାର ବିପୁଳ ଯୋଗାଣ ପରେ ଯେତେବେଳେ ‘ଏଚ୍‌ସିକ୍ୟୁ’ ସହିତ ମୋଦୀ-ଟ୍ରମ୍ପ୍‌ଙ୍କ ଯୁଗଳବନ୍ଦୀର ଖ୍ୟାତି ସର୍ବତ୍ର ଆଲୋଚିତ ହେବାକୁ ଲାଗିଲା, ସେତିକି ବେଳେ ଅଣ-ଦକ୍ଷିଣପନ୍ଥୀ ଗବେଷକମାନେ ସମ୍ଭବତଃ ‘ଏଚ୍‌ସିକ୍ୟୁ’କୁ ହୀନବଳ ବୋଲି ଦର୍ଶାଇ ତହିଁରେ ବିରାମ ଲଗାଇବାକୁ ଚେଷ୍ଟା କରିଥିଲେ।

ଏହା ସତ ଯେ ‘ଏଚ୍‌ସିକ୍ୟୁ’ର ସଫଳତା ଏ ଯାବତ୍‌ ‘ଧୂସର ଇଲାକା’ରେ ହିଁ ରହିଛି। କରୋନା ଚିକିତ୍ସା କ୍ଷେତ୍ରରେ ଏ ଯାବତ୍‌ ଏହା ଏକ ମିଶ୍ର ଫଳ ପ୍ରଦର୍ଶନ କରିଛି। କିନ୍ତୁ ବିଶିଷ୍ଟ ଗବେଷକମାନଙ୍କ ଦ୍ବାରା ଲିଖିତ ଓ ଅନ୍ୟତମ ସର୍ବପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକାରେ ପ୍ରକାଶିତ ନିବନ୍ଧଟି ଏହାକୁ ଯେମିତି ‘ଧୂସର ଇଲାକା’ରୁ ‘ଲୋହିତ ଇଲାକା’ ବା ଏକ ନିଷିଦ୍ଧାଞ୍ଚଳକୁ ବିତାଡ଼ିତ କରି ଦେଲା, ତାହା ଥିଲା ଦୁର୍ଭାଗ୍ୟଜନକ। ଯେଉଁ ସବୁ ରାଷ୍ଟ୍ରରେ ଏହାର ବ୍ୟବହାରକୁ ବନ୍ଦ କରିଦିଆଗଲା, ହୁଏ’ତ ତାହା ହୋଇ ନ ଥିଲେ ସେ ସବୁ ରାଷ୍ଟ୍ରରେ କିଛି ପ୍ରାଣ ରକ୍ଷା କରାଯାଇ ପାରିଥାଆନ୍ତା। ଏବେ ‘ଏଚ୍‌ସିକ୍ୟୁ’ ହୁଏ’ତ ପୁଣି କିଛି ପ୍ରାଧାନ୍ୟ ପାଇପାରେ। ସାନ୍ତ୍ବନାର ବିଷୟ ଗଣିତରେ ତ୍ରୁଟି ଗବେଷଣାରୂପୀ ଗପରେ ଥିବା ମିଛକୁ ଧରାଇ ଦେଇଛି।

ସମ୍ବନ୍ଧିତ ଖବର