ଡାର୍ଓ୍ୱିନ୍ଙ୍କ ଡାହାଳ
‘‘ମୁଁ କହିବାକୁ ଚାହେଁ ଯେ ମୁଁ କେବେହେଲେ ଶ୍ବେତକାୟ ଏବ˚ କୃଷ୍ଣକାୟ ମାନଙ୍କ ମଧୢରେ ସାମାଜିକ ଏବ˚ ରାଜନୈତିକ ସମାନତା ଆଣିବାକୁ ଚାହେଁନା; ମୁଁ କେବେହେଲେ ନିଗ୍ରୋମାନଙ୍କୁ ଭୋଟ୍ ଅଧିକାର ପ୍ରଦାନ କରାଯିବା କିମ୍ବା ସେମାନଙ୍କୁ ଜୁରି ସଦସ୍ୟ ରୂପେ ନିଯୁକ୍ତ କରାଯିବା ସପକ୍ଷରେ ନ ଥିଲି ଏବ˚ ନାହିଁ; ସେମାନେ କୌଣସି ପଦପଦବି ପାଇଁ ଯୋଗ୍ୟ ବୋଲି ମୁଁ ବିଚାର କରେନା ଏବ˚ ସେମାନଙ୍କର ଶ୍ବେତକାୟଙ୍କ ସହ ବିବାହକୁ ମୁଁ ବିରୋଧ କରେ। ଏହା ବାଦ୍ ମୁଁ ମଧୢ କହିବାକୁ ଚାହେଁ ଯେ ଶ୍ବେତକାୟ ଓ କୃଷ୍ଣକାୟ ଜାତିମାନଙ୍କ ମଧୢରେ ଏକ ଶାରୀରିକ ପାର୍ଥକ୍ୟ ରହିଛି; ଯାହା ଚିର ଦିନ ପାଇଁ ଏ ଦୁଇ ଜାତିଙ୍କୁ ସାମାଜିକ ଓ ରାଜନୈତିକ ସମାନତା ଉପଭୋଗ କରି ଏକତ୍ରବାସ କରିବାକୁ ନିଷେଧ କରି ଚାଲିବ। ଯେହେତୁ ସମାନତା ସମ୍ଭବ ନୁହେଁ, ତେଣୁ ଉଚ୍ଚନୀଚ ଭେଦଭାବ ରହିବ ଏବ˚ ମୁଁ ହେଉଛି ଶ୍ବେତକାୟ ଜାତିକୁ ଉଚ୍ଚତର ସ୍ଥାନ ପ୍ରଦାନ ସପକ୍ଷରେ।’’
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଆମେରିକାରୁ ଆରମ୍ଭ ହୋଇ ପୃଥିବୀ ସାରା ଚୀନା କରୋନା ଭଳି ବ୍ୟାପି ଥିବା ‘ବ୍ଲାକ୍ ଲାଇଭ୍ସ ମାଟର୍’ (‘କୃଷ୍ଣକାୟର ଜୀବନ ମଧୢ ଜୀବନ’) ଆନ୍ଦୋଳନର କୌଣସି ଏକ ଅ˚ଶଗ୍ରହଣକାରୀଙ୍କୁ ଯଦି ପ୍ରଶ୍ନ କରାଯାଏ, ଏଭଳି ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଜଣକ କିଏ ହୋଇଥାଇ ପାରନ୍ତି?, ବୋଧହୁଏ ଯେଉଁ ଉତ୍ତର ମିଳିବାର ସମ୍ଭାବନା ହେଉଛି ପ୍ରାୟ ଶତ ପ୍ରତିଶତ, ତାହା ହେଉଛି: ଡୋନାଲ୍ଡ ଟ୍ରମ୍ପ୍। କିନ୍ତୁ ସମସ୍ତଙ୍କୁ ହତଚକିତ କରି ଦେବା ଭଳି ସଠିକ୍ ଉତ୍ତରଟି ହେଉଛି: ଆବ୍ରାହାମ୍ ଲିଙ୍କନ୍! ହଁ, ସେଇ ଆବ୍ରାହାମ୍ ଲିଙ୍କନ୍ ଯିଏ ଡୋନାଲ୍ଡ ଟ୍ରମ୍ପ୍ଙ୍କ ରାଜନୈତିକ ଦଳ ‘ରିପବ୍ଲିକାନ୍ ପାର୍ଟି’ର ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ଆମେରିକାରେ କୃଷ୍ଣକାୟମାନଙ୍କର ଦାସତ୍ବ ପ୍ରଥା ଉଚ୍ଛେଦର ନେତୃତ୍ବ ନେଇଥିଲେ ଏବ˚ ସେଇ କାରଣରୁ ଦ୍ବିତୀୟ ପାଳି ଆରମ୍ଭରେ ଆତତାୟୀ ଗୁଳିରେ ସହିଦ ହୋଇଥିଲେ।
୧୮୬୦ରେ ସେ ପ୍ରଥମ ପାଳି ରାଷ୍ଟ୍ରପତି ନିର୍ବାଚନ ଜିତିବା ପୂର୍ବରୁ ୧୮୫୮ରେ ଇଲିନୟ ରାଜ୍ୟର ସିନେଟ୍ ପାଇଁ ନିର୍ବାଚନ ଲଢ଼ିବା ସମୟରେ ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ତଥା ଆସୀନ ସିନେଟର୍ ଷ୍ଟିଫେନ୍ ଏ ଡଗ୍ଲାସ୍ଙ୍କ ସହିତ ପ୍ରସିଦ୍ଧ ସାତଦଫା ବିତର୍କରେ ଅ˚ଶ ଗ୍ରହଣ କରିବା ଅବସରରେ ଲିଙ୍କନ୍ କୃଷ୍ଣକାୟମାନଙ୍କ ସମ୍ବନ୍ଧରେ ତାଙ୍କର ଏଭଳି ବିଚାର ପ୍ରକାଶ କରିଥିଲେ। ଏହା ଯଦି ଆନ୍ଦୋଳନକାରୀଙ୍କୁ କ୍ଷଣକ ପାଇଁ ସ୍ତବ୍ଧ କରିଦିଏ, ତେବେ ଠିକ୍ ପ୍ରାୟ ସେଇ ସମୟରେ ୧୮୫୯ରେ ଚାର୍ଲସ ଡାର୍ଵିନ୍ଙ୍କର ଯୁଗାନ୍ତକାରୀ ବିବର୍ତ୍ତନବାଦ ତତ୍ତ୍ବ ବହନ କରୁଥିବା ପୁସ୍ତକ ‘ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍’ର ଆବିର୍ଭାବ ନିଗ୍ରୋମାନଙ୍କ ସମ୍ପର୍କରେ ଯେଉଁ ଭଳି ଏକ ବିଚାରଧାରାକୁ ଜନ୍ମ ଦେଇଥିଲା, ତାହାର ଏକ ନମୁନା ଦେଖିଲେ ସେମାନଙ୍କର ରକ୍ତ ତାତି ଉଠିବ।
ଡାର୍ଵିନ୍ଙ୍କ ବିବର୍ତ୍ତନବାଦ ତତ୍ତ୍ବର ଜଣେ ଛାମୁହାଁ ସମର୍ଥକ ଥିଲେ ପ୍ରସିଦ୍ଧ ସମସାମୟିକ ବ୍ରିଟିସ୍ ଜୈବ ବିଜ୍ଞାନୀ ତଥା ନୃତତ୍ତ୍ବବିତ୍ ଥମାସ୍ ହେନ୍ରୀ ହକ୍ସଲି (ପ୍ରସିଦ୍ଧ ହକ୍ସିଲଭ୍ରାତାମାନଙ୍କର ପିତାମହ)। ଡାର୍ଵିନ୍ବାଦ ପ୍ରତି ତାଙ୍କର ଦୃଢ଼ ସମର୍ଥନ ଯୋଗୁଁ ଟିଏଚ୍ ହକ୍ସଲିଙ୍କୁ ନାମ ଦିଆଯାଇଥିଲା: ‘ଡାର୍ଵିନ୍ସ ବୁଲ୍ଡଗ୍’ (‘ଡାର୍ଵିନ୍ଙ୍କ ଡାହାଳ କୁକୁର’)। ୧୮୭୧ରେ ଡାର୍ଵିନ୍ଙ୍କ ଏହି ଡାହାଳ ନିଗ୍ରୋମାନଙ୍କ ସମ୍ବନ୍ଧରେ କ’ଣ କହିଥିଲେ ଦେଖାଯାଉ: ‘‘କୌଣସି ତଥ୍ୟାଭିଜ୍ଞ ବୁଦ୍ଧିମାନ ବ୍ୟକ୍ତି ବିଶ୍ବାସ କରେ ନାହିଁ ଯେ ଏକ ସାଧାରଣ (ଆଭରେଜ୍) ନିଗ୍ରୋ ଏକ ଶ୍ବେତକାୟ ଠାରୁ ଉଚ୍ଚତର ଦୂରର କଥା, ତା’ସହିତ ସମାନ ବୋଲି। ଏବ˚ ଏହା ଯଦି ସତ ହୋଇଥାଏ, ତେବେ ଏହା ଆଦୌ ବିଶ୍ବାସଯୋଗ୍ୟ ନୁହେଁ ଯେ, ଯଦି ଆମର ଏହି ଲମ୍ବା ଥୋମଣି ଯୁକ୍ତ (ଉଦ୍ଗତ ହନୁ) ସମ୍ପର୍କୀୟମାନଙ୍କର ସମସ୍ତ ଦୁର୍ବଳତା ହଟାଇ ଦିଆଯାଏ ଏବ˚ ସେମାନଙ୍କୁ କୌଣସି ବିଶେଷ ସୁବିଧା ଦିଆ ନ ଯାଇ ଏକ ନ୍ୟାୟୋଚିତ ପ୍ରତିଯୋଗିତାର ସମ୍ମୁଖୀନ କରାଯାଏ, ତେବେ ସେମାନେ ସେମାନଙ୍କର ବୃହତ୍ତର ମସ୍ତିଷ୍କଧାରୀ ଓ କ୍ଷୁଦ୍ରତର ଥୋମଣିଧାରୀ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ସଫଳ ପ୍ରତିଯୋଗିତା କରିପାରିବେ- ଯଦି ତାହା ବୁଦ୍ଧିର ପ୍ରତିଯୋଗିତା ହୋଇଥାଏ, କାମୁଡ଼ା ପ୍ରତିଯୋଗିତା ହୋଇନଥାଏ। ସଭ୍ୟତାର ଶ୍ରେଣୀ ଗଠନରେ ଥିବା ସର୍ବୋଚ୍ଚ ସ୍ଥାନଗୁଡ଼ିକ ନିଶ୍ଚିତ ଭାବରେ କେବେହେଲେ ଆମର କୃଷ୍ଣକାୟ ଭ୍ରାତାମାନଙ୍କର ପହୁଞ୍ଚ ଭିତରକୁ ଆସିପାରିବ ନାହିଁ।’’
ଏଥିରେ ସନ୍ଦେହ ନାହିଁ ଯେ ଉଭୟ ଲିଙ୍କନ୍ ଓ ହକ୍ସଲି ତାଙ୍କ ସମୟରେ ଉଦାରପନ୍ଥୀ ରୂପେ ପରିଚିତ ଥିଲେ ଏବ˚ ସେମାନେ ଯଦି ଆଜିର ମଣିଷ ହୋଇଥାନ୍ତେ, ତେବେ ଯୁଗ ସହିତ ତାଳ ଦେଇ ସେମାନଙ୍କ ତୁଣ୍ତରୁ ମଧୢ ସ୍ଲୋଗାନ୍ ବାହାରୁଥାନ୍ତା: ‘ବ୍ଲାକ୍ ଲାଇଭ୍ସ ମାଟର୍’। କିନ୍ତୁ ଏଥିରେ ମଧୢ ସନ୍ଦେହ ନାହିଁ ଯେ ସମସ୍ତ ଉଦାରବାଦ ସତ୍ତ୍ବେ ପାଶ୍ଚାତ୍ୟ ଶ୍ବେତାଙ୍ଗମାନଙ୍କ ଠାରେ ଡାର୍ଵିନ୍ଙ୍କ ଡାହାଳର ରକ୍ତ ପୂରା ଲୋପ ପାଇନାହିଁ। ମିନିଆପଲିସ୍ରୁ ଆଟଲାଣ୍ଟା ପର୍ଯ୍ୟନ୍ତ କୃଷ୍ଣକାୟମାନେ ପୁଲିସ୍ ହାତରେ ପ୍ରାଣ ହରାଇବା ହେଉଛି ତା’ର ସଦ୍ୟତମ ପ୍ରମାଣ ଏବ˚ ସୁଦୂର ଅତୀତରୁ ବସା ବାନ୍ଧି ରହି ଆସିଥିବା ଏକ ଅବିଚ୍ଛିନ୍ନ ଜାତିବାଦ ଧାରାର ସଦ୍ୟତମ ପରିପ୍ରକାଶ।
ସ˚ଖ୍ୟାଲଘୁ କୃଷ୍ଣକାୟମାନଙ୍କ ପ୍ରତି ଆମେରିକୀୟ ପୁଲିସ୍ର ଆଭିମୁଖ୍ୟ ଦେଖିଲେ ଦିଲ୍ଲୀର ସାହିନ୍ବାଗ୍ କିମ୍ବା ରାଉରକେଲାର ନର୍ଲା ରୋଡ୍ଠାରେ ଭାରତୀୟ ପୁଲିସ ପ୍ରଦର୍ଶନ କରିଥିବା ସ˚ଯମ ଦେବଦୂତ ଶ୍ରେଣୀୟ ଭଳି ମନେ ହୋଇଥାଏ। ଅପରପକ୍ଷେ ଦେଶର ସାର୍ବଭୌମତା ଓ ଅଖଣ୍ତତାକୁ ଟୁକୁଡ଼ା ଟୁକୁଡ଼ା କରିବାକୁ ଚେଷ୍ଟା ଚଳାଇଥିବା ଆଭ୍ୟନ୍ତରୀଣ ଶତ୍ରୁମାନେ ଅନେକ ସମୟରେ ଭାରତରେ ମାନବାଧିକାର ଉଲ୍ଲ˚ଘନ ହେଉଛି ବୋଲି ଆମେରିକା ନିକଟରେ ଫେରାଦ ହେବା ଦେଖାଯାଇଥାଏ ଏବ˚ ଭାରତରେ ସହନଶୀଳତାର ଅଭାବ ଅଛି ବୋଲି ଆମେରିକୀୟ ମାନବାଧିକାର ଠିକାଦାରମାନେ ଭାରତକୁ ଭର୍ତ୍ସନା କରିବା ଦେଖାଯାଇଥାଏ। ଏଥିରେ ନିହିତ ଶଠତା, ଛଳନା ଓ ଆସ୍ପର୍ଦ୍ଧା ବର୍ତ୍ତମାନ ସାରା ଦୁନିଆ ସମ୍ମୁଖରେ ବିବସ୍ତ୍ର ହୋଇ ଦେଖାଦେଇଛି। କେବଳ ଭାରତ ନୁହେଁ, ପୃଥିବୀର ପ୍ରାୟ ସମସ୍ତ ଦେଶ ପାଇଁ ନିଜେ ନିଜକୁ ନୈତିକ ପୁଲିସ୍ ଭୂମିକା ପ୍ରଦାନ କରିଥିବା ଆମେରିକା ପାଇଁ ଏହା ଯେ, ଏକ ଅସ୍ବସ୍ତିକର ସମୟ, ଏହା କହିବା ହେଉଛି ପ୍ରକୃତ ସ୍ଥିତିର କାଣିଚାଏ ମାତ୍ର। ତେବେ ‘ବ୍ଲାକ୍ ଲାଇଭ୍ସ ମାଟର୍’ ଆନ୍ଦୋଳନ ଯଦି ଆମେରିକୀୟମାନଙ୍କର ଶଠତାକୁ ପଦାରେ ପକାଇଥାଏ, ବାହାର ଦୁନିଆର ଶଠତାକୁ ତାହା ମଧୢ କିଛି କମ୍ ଅନାବୃତ କରିନଥାଏ। ଏଥିପୂର୍ବରୁ ଆମେରିକାରୁ ବାହାରିଥିବା ‘ମିଠୁ’ ଆନ୍ଦୋଳନ ଭଳି ‘ବ୍ଲାକ୍ ଲାଇଭ୍ସ’ ଆନ୍ଦୋଳନକୁ ଅନୁକରଣ କରି ଅଧିକା˚ଶ ଶ୍ବେତାଙ୍ଗ ସ˚ଖ୍ୟାଗରିଷ୍ଠ ଇଉରୋପୀୟ ଦେଶମାନଙ୍କରେ ବିକ୍ଷୋଭ ଓ ଶୋଭାଯାତ୍ରାମାନ ପ୍ରଦର୍ଶିତ ହୋଇ ଚାଲିଛି। ଇଉରୋପୀୟମାନେ ନିଜକୁ ସର୍ବଦା ପୃଥିବୀର ସର୍ବଶ୍ରେଷ୍ଠ ଉଦାରବାଦୀ ରୂପେ ପ୍ରଦର୍ଶିତ କରିଥାନ୍ତି। ‘ବ୍ଲାକ୍ ଲାଇଭ୍ସ’ ବିକ୍ଷୋଭ ସେମାନଙ୍କୁ ଏହି ଦାବିର ଫମ୍ପାପଣକୁ ଲୋକଲୋଚନକୁ ଆଣିଛି।
କିନ୍ତୁ ଏହି ଆନ୍ଦୋଳନର ଏକ ବିଡ଼ମ୍ବନା ପ୍ରତି ମଧୢ ଦୃଷ୍ଟି ଆକର୍ଷଣ ନ କରି ରହି ହେଉନାହିଁ। କେବଳ କ’ଣ ଶ୍ବେତାଙ୍ଗ ବହୁଳ ଦେଶମାନଙ୍କରେ ହିଁ କୃଷ୍ଣକାୟମାନଙ୍କର ଜୀବନର ମୂଲ୍ୟ ଅଛି? କୃଷ୍ଣକାୟ ବହୁଳ ଦେଶମାନଙ୍କରେ, ଯେମିତି ଆଫ୍ରିକାରେ କ’ଣ କୃଷ୍ଣକାୟ ଜୀବନର ମୂଲ୍ୟ ନାହିଁ? ସତ କହିବାକୁ ଗଲେ ଆଫ୍ରିକାର ୫୦ଟିରୁ ଅଧିକ ଦେଶ ମଧୢରେ ଏମିତି କୌଣସି ଏକ ଦେଶ ନାହିଁ ଯେଉଁଠି ଅତ୍ୟାଚାରୀ ଶାସକ କିମ୍ବା କ୍ଷମତାଶାଳୀ ଗୋଷ୍ଠୀମାନଙ୍କର ନୃଶ˚ସ ଅତ୍ୟାଚାରର ଶିକାର ହେଉଥିବା ସାଧାରଣ ନାଗରିକର ଦୁର୍ଦଶା ଆମେରିକାରେ କୃଷ୍ଣକାୟମାନେ ସମ୍ମୁଖୀନ ହେଉଥିବା ଦୁର୍ଦଶାଠାରୁ ହଜାରେ ଗୁଣ ଭୟଙ୍କର ନୁହେଁ। ଦକ୍ଷିଣ ଆଫ୍ରିକାରୁ ସୋମାଲିଆ ପର୍ଯ୍ୟନ୍ତ, କେନିଆରୁ ନାଇଜେରିଆ ପର୍ଯ୍ୟନ୍ତ ଏହିପରି ଅବସ୍ଥା। ହାସ୍ୟାସ୍ପଦ ଭାବରେ କୁହାଯାଉଛି ଯେ ଏସବୁ ଦେଶମାନେ ଆମେରିକାକୁ ଅନୁକରଣ କରି ହିଁ ନିଜ ନାଗରିକମାନଙ୍କ ଉପରେ ପୁଲିସ୍ ବର୍ବରତା ପ୍ରଦର୍ଶନ କରୁଛନ୍ତି। ନିଜର ଦୋଷ ଦୁର୍ବଳତା ଘୋଡ଼ାଇବା ପାଇଁ ଏଭଳି ବିକଳ ପ୍ରୟାସ ଶ୍ବେତାଙ୍ଗ ଶଠତା ଠାରୁ ଅଧିକ ହୀନ ମନେହୁଏ।