ଚୀନର କ୍ଷୁଧା!

୧୯୬୨ ମସିହାରେ ଚୀନ ଅତର୍କିତ ଭାବେ ଭାରତ ଉପରେ ଆକ୍ରମଣ କରି ସୀମାନ୍ତବର୍ତ୍ତୀ କିଛି ଅଞ୍ଚଳ ଦଖଲ କରିନେବା ପରେ ସ˚ସଦରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ପ୍ରଦାନ କରିଥିବା ବକ୍ତବ୍ୟଟି ଥିଲା ଏହା ଯେ ଚୀନ ଦ୍ବାରା ଅଧିକୃତ ଅଞ୍ଚଳରେ ଦୁବଟିଏ ସୁଦ୍ଧା କଅଁଳେ ନାହିଁ। ଏହା ଦ୍ବାରା ପଣ୍ତିତ ନେହରୁ ବୋଧହୁଏ ଏକ ଯୁଦ୍ଧ ପରାଜିତ ରାଷ୍ଟ୍ରକୁ ଆଶ୍ବସ୍ତ କରିବା ଲାଗି ଚାହିଁଥିଲେ ଯେ ସେଭଳି ଏକ ପର୍ବତ-ବନ୍ଧୁର ବନ୍ଧ୍ୟା ଭୂମି ବିଶେଷ ଗୁରୁତ୍ବ ବହନ କରେନାହିଁ। (ଅବଶ୍ୟ ଏହାର ଉତ୍ତରରେ ସା˚ସଦ ମହାବୀର ପ୍ରସାଦ ତ୍ୟାଗୀ ପ୍ରତ୍ୟୁତ୍ପନ୍ନମତିତାର ଏକ ସ୍ମରଣୀୟ ଦୃଷ୍ଟାନ୍ତ ଦେଇ ନିଜ ଚନ୍ଦା ମୁଣ୍ତକୁ ଦେଖାଇ କହିଥିଲେ: ପ୍ରଧାନମନ୍ତ୍ରୀ ମହୋଦୟ, ଏଠି ଚୂଳଟିଏ ନାହିଁ ବୋଲି ଏହାକୁ ବି କ’ଣ ଅଦରକାରୀ ବୋଲି କହିବେ?) କିନ୍ତୁ ନେହରୁଙ୍କ ଏହି ବକ୍ତବ୍ୟକୁ ଯଦି ଟିକିଏ ଗହୀରେଇ ଦେଖାଯାଏ, ତେବେ ତହିଁରୁ ଭାରତୀୟ ମାନସିକତାର ଯେଉଁ ବିଭାବଟି ପରିଦୃଷ୍ଟ ହେବ, ତାହା ହେଲା ଏକ କୃଷି ପ୍ରଧାନ ଚିନ୍ତାଧାରା ଆଧାରରେ ଯେଉଁ ଭୂମି ବନ୍ଧ୍ୟା, ତାହା ଅନୁପଯୋଗୀ। କିନ୍ତୁ ଅପର ପକ୍ଷରେ ଚୀନର ଆଭିମୁଖ୍ୟକୁ ଲକ୍ଷ୍ୟ କଲେ ଯାହା ଦେଖିବାକୁ ମିଳିଥାଏ ତାହା ହେଲା ସବୁ କିଛି ଗ୍ରାସ ଯୋଗ୍ୟ; ବନ୍ଧ୍ୟା ଭୂମି ମଧୢ, କାରଣ (ସୀମାନ୍ତ ଅଞ୍ଚଳରେ ଥିବାରୁ) କିଛି ନ ହେଲେ ତାହା ରଣନୈତିକ ଦୁରଭିସନ୍ଧି ଚରିତାର୍ଥ କରିବାରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ସେହି ଦୃଷ୍ଟିରୁ ସ˚ପ୍ରତି ଲଦାଖର ଉଭୟ ପୂର୍ବ ଓ ପଶ୍ଚିମ ପ୍ରାନ୍ତରେ ଭାରତୀୟ ଓ ଚୀନା ସୈନିକ ଏକ ମୁହାଁମୁହିଁ ସ୍ଥିତିରେ ରହିବା ଏବ˚ ଗଲା ୧୫ ତାରିଖରେ ‘ଗାଲଵାନ ଭ୍ୟାଲି’ (ଉପତ୍ୟକା) ଠାରେ ଦୁଇ ସେନାଙ୍କ ମଧୢରେ ଏକ ପ୍ରାଣଘାତୀ ସ˚ଘର୍ଷ ଘଟି ଏକ ଅତ୍ୟନ୍ତ ବିସ୍ଫୋରକ ସ୍ଥିତିକୁ ଜନ୍ମ ଦେବା ପଛରେ ଯେ ଚୀନର ଏହି ଅତ୍ୟନ୍ତ କୁତ୍ସିତ ରଣନୈତିକ ଷଡ୍‌ଯନ୍ତ୍ର ରହିଛି, ତାହା କହିବା ନିଷ୍ପ୍ରୟୋଜନ।

ପ୍ରାଚୀନ ଚୀନା ସମର ବିଶାରଦ ସୁନ ଜୁ ତାଙ୍କ ରଚନାରେ ରଣକୌଶଳ (ଟ୍ୟାକ୍ଟ)କୁ ଏକ ଚାତୁରୀ ମାତ୍ର ରୂପେ ବର୍ଣ୍ଣନା କରି ରଣନୀତି (ଷ୍ଟ୍ରାଟେଜି)କୁ ଗୁରୁତ୍ବ ପ୍ରଦାନ କରିଛନ୍ତି; ଯାହାକୁ ଚୀନ ତାର ପ୍ରଭୁତ୍ବ ବିସ୍ତାରୀ ଅଭିସନ୍ଧି ଲାଗି ଅକ୍ଷରେ ଅକ୍ଷରେ ପାଳନ କରି ଆସିଛି। ଗୋଟିଏ ଦୃଷ୍ଟାନ୍ତ ଦେଲେ ତାହା ପ୍ରାଞ୍ଜଳ ହେବ। ଗତ ଶତାବ୍ଦୀର ପଞ୍ଚମ ଦଶକରେ ତିବ୍ବତକୁ ପ୍ରାଚୀନ ଚୀନ ସାମ୍ରାଜ୍ୟର ଏକ ଅ˚ଶ ବୋଲି ଦାବି କରି ଯେତେବେଳେ ଚୀନ ତାକୁ ଅଧିକାର କରି ନେଲା, ସେତିକି ବେଳେ ହୁଏତ ଅନେକ ରାଷ୍ଟ୍ରର ନେତୃବର୍ଗ ତାହାକୁ ଗୋଟିଏ ନିରୀଶ୍ବରବାଦୀ କମ୍ୟୁନିଷ୍ଟ ରାଷ୍ଟ୍ର ଦ୍ବାରା ଗୋଟିଏ ଧର୍ମ ଗୁରୁ (ଦଲାଇ ଲାମା) ଶାସିତ କ୍ଷୁଦ୍ର ରାଷ୍ଟ୍ରର ଅତିକ୍ରମଣ ବୋଲି ଧରି ନେଇ ବିଶେଷ ଚିନ୍ତା ପ୍ରକଟ କରି ନ ଥିଲେ। ଏ ସ˚ଦର୍ଭରେ ଭାରତର ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟଲିଙ୍କ ଠାରେ ପ୍ରତିବାଦ କରନ୍ତେ ଅଟଲି ମହାଶୟ ନେହରୁଙ୍କୁ ପ୍ରଦାନ କରିଥିବା ପରାମର୍ଶଟି କୁଆଡେ଼ ଥିଲା: ଏଥିରେ ମୁଣ୍ତ ପୂରାଅ ନାହିଁ। କିନ୍ତୁ ଏବେ ତର୍ଜମା କଲେ ବୁଝି ହୁଏ ଯେ ପ୍ରକୃତରେ ତିବ୍ବତ ଅତିକ୍ରମଣ ଥିଲା, ଭବିଷ୍ୟତରେ ସୀମାନ୍ତ ଅଞ୍ଚଳରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିବା ଲାଗି ଏକ ସୁଚିନ୍ତିିତ ରଣକୌଶଳ। କାରଣ ଅପେକ୍ଷାକୃତ ସମତଳ ତିବ୍ବତର ଭୂମି ଉପରେ ଚୀନ ପ୍ରଭୂତ ଭିତ୍ତିଭୂମିଗତ ବିକାଶ ସାଧନ କରି ଭାରତ ଓ ଚୀନ ମଧୢରେ ରହିଥିବା ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବା ‘ଏଲ୍‌ଏସି’ ପର୍ଯ୍ୟନ୍ତ ତାର ସାମରିକ ଉପସ୍ଥିତି ଓ ରଣନୈତିକ ପ୍ରଭାବକୁ ଅତ୍ୟନ୍ତ ସୁଦୃଢ଼ କରି ପାରିଛି, ଯାହାର ଲାଭ ସେ ଏବେ ଅର୍ଥାତ୍‌ ତିବ୍ବତ ଅତିକ୍ରମଣର ପ୍ରାୟ ଛଅ ଦଶକ ପରେ ଲାଭ କରୁଛି।

ସ˚ପ୍ରତି ଗାଲଵାନ ଉପତ୍ୟକା ଠାରେ ଭାରତର ଭୂମି ଉପରେ ସେହି ଅଞ୍ଚଳର ଅଧିକାର ଦାବି କରିବା ମଧୢ ଚୀନର ଦୁରଭିସନ୍ଧିଭରା ରଣନୀତିର ଏକ ଅ˚ଶ। ଏଠାରେ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଗାଲଵାନ ଉପତ୍ୟକା ନିକଟରେ ‘ଏଲ୍‌ଏସି’ ବା ‘ପ୍ରକୃତ ନିୟନ୍ତ୍ରଣ ରେଖା’କୁ ନେଇ ପୂର୍ବରୁ କୌଣସି ବିବାଦ ନ ଥିଲା। ତେବେ, ବର୍ତ୍ତମାନର ଏନ୍‌ଡିଏ ସରକାରଙ୍କ ଅମଳରେ ସେହି ଅଞ୍ଚଳରେ ଭାରତ ଦ୍ବାରା ଦ୍ରୁତ ଭିତ୍ତିିଭୂମିଗତ ବିକାଶ ଚୀନକୁ ଅସୁରକ୍ଷିତ କରି ପକାଇଥିବା କାରଣରୁ ଚୀନ ଏଭଳି ଏକ ଆକ୍ରମକ ଆଭିମୁଖ୍ୟ ପୋଷଣ କରିଥିବା କଥା ବେଶ୍‌ ସ୍ପଷ୍ଟ। ସ୍ୟକ୍‌ ନଦୀର କୂଳେ କୂଳେ ସ୍ୟକ୍‌ ଗ୍ରାମରୁ ‘ଦୌଲତ ବେଗ ଓଲଡି’ ଦେଇ ‘ଏଲ୍‌ଏସି’ ନିକଟସ୍ଥ ଭାରତର ଅନ୍ତିମ ତଥା ୧୪ ନମ୍ବର ପେଟ୍ରୋଲି˚ ପଏଣ୍ଟ ପର୍ଯ୍ୟନ୍ତ ନିର୍ମାଣାଧୀନ ରାଜପଥକୁ ପ୍ରତିରୋଧ କରି ଚୀନ ଏଭଳି ଏକ ପଦକ୍ଷେପ ନେଇଛି। ଏଠାରେ ପ୍ରଶ୍ନ ଉଠିଥାଏ ଯେ ‘ଏଲ୍‌ଏସି’ର ଅପର ପାର୍ଶ୍ବରେ ଚୀନ ପ୍ରଭୂତ ଭିତ୍ତିଭୂମିଗତ ବିକାଶ କରି ସାରିଥିବା ସ୍ଥଳେ ଏବଂ ଭାରତର ବାରଣ ସତ୍ତ୍ବେ ‘ଜି-୨୧୯’ ରାଜପଥ ନିର୍ମାଣ କରିଥିବା ସତ୍ତ୍ବେ ଅତ୍ୟନ୍ତ ଅଯୌକ୍ତିକ ଭାବେ ଭାରତ ଦ୍ବାରା ଭାରତ ମାଟିରେ ହେଉଥିବା ଭିତ୍ତିଭୂମିଗତ ବିକାଶକୁ ବିରୋଧ କରୁଛି କାହିଁକି? ଏହା ପଛରେ ନିହିତ ରହିଥିବା କାରଣଟି ହେଉଛି ‘ଗାଲଵାନ ଉପତ୍ୟକା’ର ଉଚ୍ଚତା, ଯାହାକୁ ନିଜ ଅଧିକାରକୁ ଆଣିପାରିଲେ ଚୀନ ପକ୍ଷରୁ ଭାରତୀୟ ଗତିବିଧି ଉପରେ ନଜର ରଖିବା ସହଜ ହେବ; ଏବ˚ ଯାହା ତାକୁ ଏକ ରଣନୈତିକ ଶାଣ ପ୍ରଦାନ କରିବ। ପୁନଶ୍ଚ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା, କେବଳ ‘ଗାଲଵାନ ଉପତ୍ୟକା’ ନୁହେଁ, ‘ଏଲ୍‌ଏସି’ ନିକଟସ୍ଥ ‘ହଟ ସ୍ପ୍ରି˚’ ଅଞ୍ଚଳ ଏବ˚ ‘ଫିଙ୍ଗର ଜୋନ୍‌’ରେ ମଧୢ ଭାରତର ବୋଲି ଗୃହୀତ ହୋଇ ଆସୁଥିବା ଅଞ୍ଚଳରେ ଚୀନ ବିବାଦ ସୃଷ୍ଟି କରିଛି। କହିବା ବାହୁଲ୍ୟ ଯେ ଭାରତ ଓ ଚୀନ ମଧୢସ୍ଥ ସୀମାରେଖା ଅନେକତ୍ର ଅସ୍ପଷ୍ଟ ଓ ପରସ୍ପରର ଧାରଣା ଉପରେ ପର୍ଯ୍ୟବସିତ ହୋଇ ବିବାଦୀୟ ହୋଇ ରହିଥିବା କାରଣରୁ ଚୀନ ନିଜ ରଣନୈତିକ ଚକ୍ରାନ୍ତକୁ ସଫଳ କରିବା ଲାଗି ଏହାର ସୁଯୋଗ ନେଉଛି।

ଏ କଥା ବର୍ତ୍ତମାନ ବିଶ୍ବ ବ୍ୟାପୀ ସର୍ବତ୍ର ବୋଧଗମ୍ୟ ହୋଇ ସାରିଛି ଯେ କମ୍ୟୁନିଷ୍ଟ ଏକଛତ୍ରବାଦୀ ଶାସନାଧୀନ ଚୀନ ହେଉଛି ଏକ ଅତ୍ୟନ୍ତ ଉଚ୍ଚାଭିଳାଷୀ, ଅତିକ୍ରମଣ ପ୍ରବଣ, ସାମ୍ରାଜ୍ୟବାଦୀ, ବିଶ୍ବାସ-ଅଯୋଗ୍ୟ ତଥା ଅବିବେକୀ ରାଷ୍ଟ୍ର। କେବଳ ଭୌଗୋଳିକ ଅତିକ୍ରମଣ ନୁହେଁ (ଯାହାର ଶିକାର ଇଣ୍ତୋନେସିଆ, ଭିଏତନାମ ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତରେ ଅନେକ ରାଷ୍ଟ୍ର), ଉଦାର ଅର୍ଥନୀତିର ସୁଯୋଗ ନେଇ ଅତି ଚତୁରତାର ସହିତ ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥାକୁ କବଳିତ କରିବାରେ ଚୀନର ହୀନ ଉଦ୍ୟମ ‘କରୋନା ପାନ୍‌ଡେମିକ୍‌’ କାଳରେ ହଠାତ୍‌ ଦୃଶ୍ୟମାନ ହୋଇ ଉଠିଛି। କିନ୍ତୁ ବିବେକ ଦ˚ଶନ ରହିତ ଚୀନ ତାର ସାମ୍ରାଜ୍ୟବାଦୀ ଆଭିମୁଖ୍ୟକୁ ଆହୁରି ଶାଣିତ କରି କରୋନା ଜର୍ଜରିତ ଦୁର୍ବଳ ପୃଥିବୀ ଉପରେ ଯେ କୌଣସି ମତେ ପ୍ରଭୁତ୍ବ ବିସ୍ତାର କରିବାକୁ ତତ୍ପର।

ଗଲା ସୋମବାର ଦିନ ରାତ୍ରିର ଅନ୍ଧକାର ମଧୢରେ ଆଦିମ ଅସ୍ତ୍ରଶସ୍ତ୍ର ଦ୍ବାରା ସଜ୍ଜିତ ଚୀନ ସୈନିକମାନଙ୍କ ଦ୍ବାରା ସ˚ଘଟିତ ବର୍ବରୋଚିତ ଆକ୍ରମଣ ପୁଣି ଥରେ ଚୀନର ସୈତାନୀ ଚେହେରାକୁ ପ୍ରକଟ କରିଛି। ଏଭଳି ଏକ ଅତର୍କିତ ଆକ୍ରମଣ ଲାଗି ଅପ୍ରସ୍ତୁତ ଥିବା ଭାରତୀୟ ସେନା ବଳ ତଥାପି ଯଥାର୍ଥ ପାଲଟା ଜବାବ ଦେଇ ଏ କଥା ମଧୢ ସିଦ୍ଧ କରିପାରିଛନ୍ତି ଯେ ୧୯୬୨ର ଭାରତ ଏବ˚ ୨୦୨୦ର ଭାରତ ମଧୢରେ ଅନେକ ପ୍ରଭେଦ ରହିଛି। ଚୀନ ଏହା ପାଶୋରି ଯିବା ଉଚିତ ନୁହେଁ ଯେ ଏହି ପ୍ରଭେଦ ଚୀନକୁ ତାର ଦୁରଭିସନ୍ଧି ଚରିତାର୍ଥ କରିବାର ସୁଯୋଗ ଦେବ ନାହିଁ। ଏକ ରାଜନୈତିକ ବା କୂଟନୈତିକ ସମାଧାନର ପନ୍ଥା ଉନ୍ମୋଚିତ ନ ହେଲେ ଏ ସ˚ଘର୍ଷ ସହଜରେ ସମାପ୍ତ ହୋଇ ନ ପାରେ। ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିବ ନିଶ୍ଚୟ। କିନ୍ତୁ ଯେଉଁଠି ଭାରତୀୟ ରାଷ୍ଟ୍ରର ସାର୍ବଭୌମତ୍ବର ପ୍ରଶ୍ନ ନିହିତ, ସେଠାରେ ସର୍ବଗ୍ରାସୀ ଚୀନର ବନ୍ଧ୍ୟା ଭୂମିର କ୍ଷୁଧାକୁ ମଧ୍ୟ ଭାରତ ପ୍ରଶମିତ ହେବାକୁ ଦେବ ନାହିଁ।

ସମ୍ବନ୍ଧିତ ଖବର