ମନ ବଡ଼ଦାଣ୍ତ

ଯେ କୌଣସି ଧର୍ମୀୟ ବିଶ୍ବାସର ମୂଳାଧାର ଭାବେ ଗୃହୀତ ଆଧୢାତ୍ମିକ ଭାବନା, ତାର ସ୍ଫୁରଣ ଏବ˚ ବିକାଶ ଲାଗି ଯେଉଁ ଏକାକୀ ପଣ ଲୋଡ଼ିଥାଏ, ତାହା ହୁଏ’ତ ସଙ୍ଗରୋଧ କାଳୀନ ନିଃସଙ୍ଗ ବାସରେ ଉପଲବ୍‌ଧ ହୋଇପାରେ, କିନ୍ତୁ ବିଭିନ୍ନ ଧର୍ମାବଲମ୍ବୀଙ୍କ ଦ୍ବାରା ଆସ୍ଥା ପ୍ରକଟର ଉଚ୍ଚାଟନରେ ଯେଉଁ ଗଣ-ଉତ୍ସବାନୁଷ୍ଠାନମାନ ଅନୁଷ୍ଠିତ ହୋଇଥାଏ ଏବ˚ ତହିଁରେ ଯେଉଁଭଳି ରୂପେ ହଜାର ହଜାର ଶ୍ରଦ୍ଧାଳୁ ନରନାରୀ ଆପଣା ଆସ୍ଥା କେନ୍ଦ୍ର ସମକ୍ଷରେ ଆତ୍ମ-ବିସ୍ମୃତିରେ ତଲ୍ଲୀନ ହୋଇ ଯାଆନ୍ତି, ତହିଁରେ ‘ସଙ୍ଗରୋଧ’ ବା ‘ସାମାଜିକ ଦୂରତା’ ଭଳି ଅବଧାରଣାଗୁଡ଼ିକ ବସ୍ତୁତଃ ମୂଲ୍ୟହୀନ ହୋଇ ପଡ଼ନ୍ତି। ସେହି ପରିପ୍ରେକ୍ଷୀରେ କରୋନା ‘ପାନ୍‌ଡେମିକ୍‌’ ଦ୍ବାରା ଜର୍ଜରିତ ଏହି କାଳ ଖଣ୍ତରେ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ ରଖିବା ଲାଗି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ତିନି ଜଣିଆ ଖଣ୍ତପୀଠ ପ୍ରଦାନ କରିଥିବା ନିର୍ଦ୍ଦେଶ ଯଦିଓ କୋଟି କୋଟି ଜଗନ୍ନାଥ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି; ଏହା କହିଲେ ଭୁଲ ହେବ ନାହିଁ ଯେ ସେମାନଙ୍କ ଭିତରୁ ଅନେକଙ୍କ ଲାଗି ଏହା ଆଦୌ ଅପ୍ରତ୍ୟାଶିତ ନ ଥିବ। କାରଣ ସ˚ପ୍ରତି ସାରା ବିଶ୍ବ ‘ସଙ୍ଗରୋଧ’ ଏବ˚ ‘ସାମାଜିକ (ଶାରୀରିକ) ଦୂରତାକୁ ଅତ୍ୟନ୍ତ ଗୁରୁତ୍ବ ପ୍ରଦାନ କରୁଥିବା ବେଳେ ଧାର୍ମିକ ଉତ୍ସବାନୁଷ୍ଠାନ ଦ୍ବାରା ସମ୍ଭାବ୍ୟ ଜନସମୁଦ୍ରର ତରଙ୍ଗ କରୋନା ସ˚କ୍ରମଣକୁ ପ୍ରତିହତ କଲା ଭଳି ସତର୍କତା ଅବଲମ୍ବନ କରିବାର ସୁଯୋଗ ଦେଇ ନ ଥାଏ।

ପ୍ରାରମ୍ଭରୁ ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ କରୋନା ପ୍ରାଦୁର୍ଭାବ କାରଣରୁ ଚଳିତ ବର୍ଷର ରଥଯାତ୍ରାକୁ ସ˚ପନ୍ନ କରାଯିବା ନେଇ ଅନେକ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ତା’ ସତ୍ତ୍ବେ ରଥଯାତ୍ରା ପୂର୍ବରୁ ହେବାକୁ ଥିବା ବିଭିନ୍ନ ନୀତିକାନ୍ତି ଏକ ନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ ସମୟାନୁସାରେ ସ˚ପାଦିତ ହୋଇଥିଲା। ମହାରଣା ସେବକମାନଙ୍କ ଦ୍ବାରା ରଥ ନିର୍ମାଣ କାର୍ଯ୍ୟ ଯଥାରୀତି ଅଗ୍ରଗତି ଲାଭ କରିଥିଲା; ଶ୍ରଦ୍ଧାଳୁମାନଙ୍କ ଅନୁପସ୍ଥିତିରେ କେବଳ ସେବକମାନଙ୍କ ଦ୍ବାରା ସ୍ନାନଯାତ୍ରା ପର୍ବ ସମାହିତ ହୋଇଥିଲା ଏବ˚ ପରିଶେଷରେ ରଥଯାତ୍ରାକୁ କିଭଳି ଚୂଡ଼ାନ୍ତ ରୂପ ଦିଆଯିବ ସେଥି ନେଇ ବିଭିନ୍ନ ପନ୍ଥାର ଅନ୍ବେଷଣ ମଧୢ ଚାଲିଥିଲା। ଇତିମଧୢରେ ରଥଯାତ୍ରା ପାଳନର ସପକ୍ଷ ଓ ବିପକ୍ଷବାଦୀମାନେ ଏକାଧିକ ଜନସ୍ବାର୍ଥମୂଳକ ମାମଲା (ପି.ଆଇ.ଏଲ୍‌.) ଅଦାଲତରେ ଦାଖଲ କରିଥିଲେ, ଯାହାର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ଗଲା ଗୁରୁବାର ଦିନ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହା ଅବଶ୍ୟ ସତ ଯେ ଇତିହାସରେ ପ୍ରମାଣ ଥିବା ଭଳି ରଥଯାତ୍ରାର ମହାନ ପର˚ପରା ୧୫୬୮ରୁ ୧୭୩୫ ମସିହା ମଧ୍ୟରେ ବିଭିନ୍ନ କାରଣରୁ ପ୍ରାୟ ୩୨ ଥର ଭଙ୍ଗ ହୋଇଛି। ଆଜକୁ ୨୮୪ ବର୍ଷ ତଳେ ‌େଶଷ ଥର ଲାଗି ରଥଯାତ୍ରାକୁ ବନ୍ଦ ରଖାଯାଇଥିଲା। କହିବା ନିଷ୍ପ୍ରୟୋଜନ ଯେ ଇତିହାସ ବକ୍ଷରେ ସେହି ସବୁ ଚିହ୍ନ ଗୋଟିଏ ଗୋଟିଏ ଅସାଧାରଣ ସମୟ ଓ ପରିସ୍ଥିତିର ପ୍ରତୀକ ଥିଲା (ମୁଖ୍ୟତଃ ଯବନ ଆକ୍ରମଣ), ଯହିଁରେ ଏବେ ୨୦୨୦ ଏକ ନୂତନ ଶଙ୍କୁ ଭାବେ ଯୋଡ଼ି ହୋଇଯାଇଛି। ତଥାପି ପୂର୍ବେ ଏଭଳି ସ୍ଥିତିରେ ବିଧି ରକ୍ଷା ପୂର୍ବକ ଶ୍ରୀମନ୍ଦିର ବେଢ଼ା ମଧୢରେ ସାଙ୍କେତିକ ଭାବେ ଏହି ମହାନ ପର୍ବ ପାଳନର ଦୃଷ୍ଟାନ୍ତ ରହିଛି; ଯାହାର ଅନୁସରଣରେ ଚଳିତ ବର୍ଷ ରଥଯାତ୍ରା ସଂପନ୍ନ କରାଯିବ। ଏହି ପରିପ୍ରେକ୍ଷୀରେ ପୁରୀ ଶଙ୍କରାଚାର୍ଯ୍ୟ, ମୁକ୍ତି ମଣ୍ତପର ପଣ୍ତିତ ସଭା ତଥା ଶ୍ରୀ ଜଗନ୍ନାଥ ତତ୍ତ୍ବବାଗୀଶମାନେ ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ ବୋଲି ଆଶା।

ଉଲ୍ଲେଖଯୋଗ୍ୟ ଯେ କରୋନା ସ˚କ୍ରମଣ ଏକ ‘ପାନ୍‌ଡେମିକ୍‌’ରେ ପରିଣତ ହେବା ପଛରେ ଯେଉଁ କିଛି ପ୍ରମୁଖ କାରଣ ନିହିତ ରହିଛି, ତା ମଧୢରେ ରହିଛି ବିଭିନ୍ନ ଧର୍ମୀୟ ଉତ୍ସବାନୁଷ୍ଠାନ ଦ୍ବାରା ସୃଷ୍ଟି ହୋଇଥିବା ଜନସମାବେଶ। ଚୀନରେ ପାର˚ପରିକ ନବ ବର୍ଷ ପାଳନ ଯେଉଁ ଭଳି ଅଭୂତପୂର୍ବ ଜନ-ସମାଗମ ସୃଷ୍ଟି କରିଥିଲା, ତହିଁରେ କୋଭିଡ-୧୯ ଭୂତାଣୁ ସେହି ଚୀନ ଭୂଖଣ୍ତରେ ହିଁ ଅତ୍ୟନ୍ତ ଦ୍ରୁତ ଗତିରେ ତାର ମାନବ ଶରୀର ପରିକ୍ରମା ଆରମ୍ଭ କରି ଦେଇଥିଲା। ଛୁଟିରେ ଘରକୁ ଫେରିଥିବା ଚୀନାମାନେ ନବ ବର୍ଷ ପାଳନ ଉପରାନ୍ତ ସେମାନଙ୍କ କର୍ମସ୍ଥଳକୁ (ପୃଥିବୀର ସର୍ବତ୍ର) ଭୂତାଣୁ ବହନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଏକ ‘ପାନ୍‌ଡେମିକ୍‌’ ପରିସ୍ଥିତି ଜାତ ହୋଇଥିଲା। ଚୀନ ବାହାରେ ପ୍ରଥମ କରୋନା ‘ହଟ୍‌ ସ୍ପଟ୍‌’ରେ ପରିଣତ ହୋଇଥିବା ରାଷ୍ଟ୍ର ଇରାନରେ ଏହା ବ୍ୟାପି ଥିଲା ‘କ୍ବମ’ ଠାରେ ଅନୁଷ୍ଠିତ ହୋଇଥିବା ବିଶାଳ ଧର୍ମୀୟ ସମାବେଶରୁ। କେବଳ ଇରାନ ନୁହେଁ, ଦକ୍ଷିଣ କୋରିଆରେ ମଧୢ ଏକ ଧର୍ମୀୟ ସମାଗମ, ନ୍ୟୁୟର୍କରେ ଏକ ‘ସାଇନାଗଗ୍‌’ (ଇହୁଦୀମାନଙ୍କ ଉପାସନା ସ୍ଥଳ) ଏବ˚ ଭାରତରେ ‘ତବଲିଘି ମରକଜ’ କରୋନା ‘ସୁପର ସ୍ପ୍ରେଡର‌୍‌’ ଭାବେ ସ˚କ୍ରମଣକୁ ଉଭୟ ବେଗ ଓ ବ୍ୟାପ୍ତି ପ୍ରଦାନ କରିଥିଲେ। ସେହିଭଳି ଇସ୍ରାଏଲର ରକ୍ଷଣଶୀଳ ସରକାର ଦ୍ବାରା ଉପାସନା ସ୍ଥଳ ଏବ˚ ଧର୍ମୀୟ ଉତ୍ସବାନୁଷ୍ଠାନକୁ ବନ୍ଦ କରା ନ ଯିବା ଫଳରେ ଯେ ସେଠାରେ ସ˚କ୍ରମଣ ଅତି ବ୍ୟାପକ ରୂପ ଧାରଣ କରିଛି, ତାହା ସ˚ପ୍ରତି ସମସ୍ତେ ସ୍ବୀକାର କରୁଛନ୍ତି।

ଆମ ଦେଶରେ ‘ଲକ୍‌ଡାଉନ୍‌’ର ପ୍ରାରମ୍ଭରୁ ହିଁ ସରକାର ଉପାସନା ସ୍ଥଳଗୁଡ଼ିକୁ ବନ୍ଦ କରି ଦେବା ସହିତ ଜନସମାଗମ ସୃଷ୍ଟିକାରୀ ଧର୍ମୀୟ ଅନୁଷ୍ଠାନ ଉପରେ କଟକଣା ଲଗାଇଥିଲେ। ସେହି କ୍ରମରେ ‘ଲକ୍‌ଡାଉନ୍‌’ ସମୟ ମଧୢରେ ଅନୁଷ୍ଠିତ ହୋଇଥିବା ଶ୍ରୀରାମ ନବମୀ ଓ ମହାଶିବରାତ୍ରି ଭଳି ପର୍ବରେ ବିଭିନ୍ନ ପ୍ରସିଦ୍ଧ ପୁରୁଷୋତ୍ତମ ଓ ଶୈବ କ୍ଷେତ୍ରଗୁଡ଼ିକ ଜନଶୂନ୍ୟ ରହିଥିଲା। ସେହିଭଳି ମୁସଲମାନ ଧର୍ମାବଲମ୍ବୀମାନେ ଇଦ୍‌ ପାଳନ ଅବସରରେ ମସଜିଦ୍‌ରେ ଏକତ୍ର ନ ହୋଇ ନିଜ ନିଜ ବାସସ୍ଥାନରେ ପ୍ରାର୍ଥନା ଅର୍ପଣ କରିଥିଲେ। ସେହି ଦୃଷ୍ଟିରୁ ବର୍ତ୍ତମାନର ଏଭଳି ଏକ ଅସାଧାରଣ ପରିସ୍ଥିତିରେ ପାର˚ପରିକ ରୀତିରେ ରଥଯାତ୍ରା ଅନୁଷ୍ଠିତ କରାଯିବା ହୁଏ’ତ ଅପରିଣାମଦର୍ଶୀ ହୁଅନ୍ତା।

ଅବଶ୍ୟ, ଅନେକ ଶ୍ରଦ୍ଧାଳୁ ଏଭଳି ମତ ପୋଷଣ କରୁଥିବା ଶୁଣିବାକୁ ମିଳୁଛି ଯେ ଉଦ୍ୟମ କରିଥିଲେ ହୁଏ’ତ ସାମାଜିକ ଦୂରତା ରକ୍ଷା ପୂର୍ବକ ବଡ଼ଦାଣ୍ତରେ ରଥଯାତ୍ରା ସ˚ପନ୍ନ କରିବାର ପନ୍ଥା ଆବିଷ୍କୃତ ହୋଇପାରିଥାଆନ୍ତା। କିନ୍ତୁ ଏହା ମଧୢ ସ୍ମରଣରେ ରଖିବାକୁ ହେବ ଯେ ରଥଯାତ୍ରା ହେଉଛି ଏଭଳି ଏକ ଅନନ୍ୟ ପର୍ବ ଯହିଁରେ ବର୍ଷକୁ ଥରେ ପରମ ଆରାଧୢ ପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ଦାଣ୍ତରେ ବିଜେ କରି ଭକ୍ତମାନଙ୍କ ସହିତ ଏକାକାର ହୋଇଯାଇଥାଆନ୍ତି। ସୁତରା˚, ଏହି ପର୍ବର ବିଶେଷତ୍ବ ନିହିତ ରହିଛି ମହାପ୍ରଭୁଙ୍କ ସହିତ ଏକପ୍ରାଣ ହେବା ଲାଗି ଭକ୍ତମାନଙ୍କ ଠାରେ ସୃଷ୍ଟି ହେଉଥିବା ଦୁର୍ବାର ଆକର୍ଷଣରେ। ସେହି କାରଣରୁ ସ˚ପ୍ରତି ସାରା ଦେଶରେ ଲକ୍‌ଡାଉନ୍‌ ଅନେକା˚ଶରେ କୋହଳ ହୋଇ ଯାନବାହନ ଚଳାଚଳ ଆରମ୍ଭ ହୋଇଯାଇଥିବାରୁ ହୁଏ’ତ ଶ୍ରଦ୍ଧାଳୁମାନଙ୍କ ସ୍ରୋତକୁ ଅଟକାଇବା ସରକାର ଓ ପ୍ରଶାସନ ପକ୍ଷରେ ଏକ ଦୁରୂହ କାର୍ଯ୍ୟରେ ପରିଣତ ହୁଅନ୍ତା।

ଭାରତୀୟମାନଙ୍କ ଭଳି ଏକ ଭାଗ୍ୟବାଦୀ ଜନସମାଜ ଅନେକ ସମୟରେ ମନୁଷ୍ୟ ସାମର୍ଥ୍ୟ ଅତିକ୍ରମକାରୀ ଘଟଣାରେ ନିଜକୁ ସ˚ପୂର୍ଣ୍ଣ ସମର୍ପଣ ମୁଦ୍ରାରେ ରଖି ସବୁ କିଛି ‘ପ୍ରଭୁଙ୍କ ଇଚ୍ଛା’ ବୋଲି ଗ୍ରହଣ କରିନିଅନ୍ତି। ସେଇ ଦୃଷ୍ଟିରୁ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇ ନ ପାରିବାକୁ ପ୍ରଭୁଙ୍କର ଇଚ୍ଛା ବୋଲି ଧରି ନେବାକୁ ହେବ। ଏହି ପରିପ୍ରେକ୍ଷୀରେ ୧୯୮୩ରେ ନନ୍ଦ କିଶୋର ସି˚ହଙ୍କ ରଚିତ ଏବ˚ ଦିବାକର ମହାନ୍ତିଙ୍କ ଦ୍ବାରା ବୋଲାଯାଇଥିବା ଏକ ଲୋକପ୍ରିୟ ଜଗନ୍ନାଥ ଭଜନ ମନକୁ ଆସେ, ଯାହା କହିଥାଏ: ‘ବଡ଼ଦାଣ୍ତେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ତେ ବାରେ ଆସ ଜଗନ୍ନାଥ।’ ଏହି ପ୍ରାର୍ଥନାରେ ସନ୍ନିହିତ ଶ୍ରୀ ଜଗନ୍ନାଥଙ୍କୁ ଆବାହନ କରିବାର ଆକୁଳତା ଏହି ସମୟରେ ଅସ˚ଖ୍ୟ ଜଗନ୍ନାଥ ପ୍ରେମୀଙ୍କ ଧେୢୟ ହେଉ। ଏବେ କେବଳ ନିଜ ମନର ବଡ଼ଦାଣ୍ତକୁ ଉଦ୍‌ଘାଟିତ ଏବ˚ ଉନ୍ମୋଚିତ କରିବାର ବେଳ।

ସମ୍ବନ୍ଧିତ ଖବର