ଚାଇନା କ୍ରଚ୍‌

କଦଳୀ କଷ ଭଳି କିଛି ଏମିତି ର˚ଜକ ପଦାର୍ଥ ରହିଛି, ଯାହା ଥରେ କୌଣସି ଲୁଗାରେ ଲାଗିଗଲେ ଏଭଳି ଭେଦି ଯାଇଥାଏ ଯେ ତାକୁ ହଟାଇବା ଲାଗି ପୃଥିବୀର ସର୍ବୋତ୍କୃଷ୍ଟ ଡିଟରଜେଣ୍ଟ୍‌ ବୋଲି ଦାବି କରୁଥିବା ଲୁଗା ଧୁଆ ପାଉଡର ମଧୢ ବିଫଳ ହୋଇପାରେ। ସେହି ପରିପ୍ରେକ୍ଷୀରେ ପୃଥିବୀ ଉପରେ ଚୀନର ପ୍ରଭାବ ବିଷୟରେ ଆଲୋଚନା କଲା ବେଳେ ଯଦି କେହି ଏହାକୁ ଏକ ଉପମା ଭାବେ ଗ୍ରହଣ କରି ପ୍ରଶ୍ନ କରେ ଯେ ଚୀନ କ’ଣ ଉପରୋକ୍ତ କଷ ଭଳି ପୃଥିବୀକୁ ଭେଦି ଯାଇ ସର୍ବତ୍ର ତାର ଉପସ୍ଥିତିକୁ ଚିରସ୍ଥାୟୀ କରିବାକୁ ବସିଲାଣି କି?, ତେବେ ତହିଁରେ ଅସ˚ଗତି ବାରିବାର ବି‌େଶଷ କାରଣ ନାହିଁ। ବର˚, ତା ସହିତ ଏତିକି ଯୋଡ଼ା ଯାଇପାରେ ଯେ ଏଥିରୁ ସୃଷ୍ଟ ପରିସ୍ଥିତି ଚୀନର ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ଔଦ୍ଧତ୍ୟକୁ ଏଭଳି ସ୍ଫୀତ କରିଛି ଯେ ସେ ବିଶ୍ବର ଅନ୍ୟ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର-ମୁଖ୍ୟମାନଙ୍କୁ- ଯୁକ୍ତରାଷ୍ଟ୍ର ଆମେରିକାର ଡୋନାଲଡ୍‌ ଟ୍ରମ୍ପ୍‌ ହୁଅନ୍ତୁ ବା ଇ˚ଲଣ୍ତର ବୋରିସ ଜନସନ ବା ଭାରତର ନରେନ୍ଦ୍ର ମୋଦୀ- ବିଶେଷ ଗୁରୁତ୍ବ ପ୍ରଦାନ କରୁନାହାନ୍ତି! ତେବେ, ଏଭଳି ଧାରଣା ପଛରେ କି ତାତ୍ପର୍ଯ୍ୟ ନିହିତ ଅଛି, ତାହା ବୁଝିବା ଲାଗି ହୁଏ’ତ ଏକ ସାମନ୍ୟ ବିସ୍ତୃତ ଆଲୋଚନା ଜରୁରୀ।

ପ୍ରଥମେ ଭାରତ ଓ ଚୀନର ଦ୍ବିପାକ୍ଷିକ ସ˚ପର୍କକୁ ନେଇ ଏକ ବିଚିତ୍ର ପରିସ୍ଥିତିକୁ ଲକ୍ଷ୍ୟ କରାଯାଉ। ୧୯୬୨ ମସିହା ପର ଠାରୁ ଭାରତ ପ୍ରତି ଶତ୍ରୁଭାବାପନ୍ନ ଆଭିମୁଖ୍ୟ ପୋଷଣ କରି ଆସିଥିବା ଏବ˚ ବିଗତ କିଛି ବର୍ଷ ଧରି ଭାରତର ସୀମାନ୍ତରେ ଅକାରଣ (ଅବଶ୍ୟ ଚୀନ ଲାଗି ଅକାରଣ ବୋଲି କିଛି ନାହିଁ!) ଉତ୍ତେଜନା ସ୍ଥିତି ସୃଷ୍ଟି କରି ସ˚ପ୍ରତି ଭାରତକୁ ଏକ ଯୁଦ୍ଧପ୍ରାୟ ସ୍ଥିତିକୁ ଟାଣି ନେଇଥିବା ସତ୍ତ୍ବେ ଚୀନ ସହିତ ଭାରତର ବାଣିଜ୍ୟିକ ସ˚ପର୍କ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି! ଏହି ପରିପ୍ରେକ୍ଷୀରେ ‘ବ୍ଲୁମବର୍ଗ-କ୍ବିଣ୍ଟ୍‌’ ସୂତ୍ରରୁ ଉପଲବ୍‌ଧ ତଥ୍ୟ କହିଥାଏ ଯେ ଗଲା ୨୦୧୫ ମସିହାରେ ଭାରତ ଦ୍ବାରା ଚୀନା ଦ୍ରବ୍ୟର ଆମଦାନି ୪୪୩୬୮୭ କୋଟି ଡଲାର ଥିବା ବେଳେ ୨୦୧୯ରେ ତାହା ବୃଦ୍ଧି ପାଇ ୫୫୦୭୮୫ କୋଟି ଡଲାରରେ ପହଞ୍ଚିଛି। ସେହିଭଳି କେବଳ ୨୦୧୯-୨୦ରେ ଭାରତର ବିଭିନ୍ନ ଉଦ୍ୟୋଗରେ ଚୀନ ପ୍ରାୟ ୪.୧୪ ବିଲିଅନ ଡଲାର (ଚୀନର ଦାବି ୮ ବିଲିଅନ ଡଲାର) ବିନିଯୋଗ କରିଛି। ଇଲେକ୍ଟ୍ରୋନିକ୍‌ସ ଓ ବୈଦ୍ୟୁତିକ ସାମଗ୍ରୀ ଠାରୁ ଆରମ୍ଭ କରି ସାର ଓ ଔଷଧ ପର୍ଯ୍ୟନ୍ତରେ ଭାରତର ବଜାରରେ ଚୀନର ଆଧିପତ୍ୟ ବେଶ୍ ସ୍ପଷ୍ଟ ଭାବେ ପରିଦୃଷ୍ଟ। କହିବା ବାହୁଲ୍ୟ ଯେ ଭାରତ ଭଳି ପୃଥିବୀର ଅନ୍ୟତମ ସର୍ବବୃହତ୍‌ ‘ସ୍ମାର୍ଟ ଫୋନ୍‌’ ବଜାରରେ ଚୀନା ଦ୍ରବ୍ୟର ଉପସ୍ଥିତି ୭୩%ରୁ ଅଧିକ। ଭାରତରେ ୭୫ଟି କାରଖାନାରେ ଫୋନ୍‌ ଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତରେ ଅନେକ ଦ୍ରବ୍ୟ ନିର୍ମାଣ କରାଯାଇ ତହିଁରେ ‘ମେଡ୍‌ ଇନ୍‌ ଚାଇନା’ ଲେବଲ ଲଗାଯାଇ ବଜାରକୁ ଛଡ଼ା ଯାଉଛି। ବିଭିନ୍ନ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ରରେ ଚୀନା ପତିଆରାର ଏକ ଉଦାହରଣ ରୂପେ ଭାରତୀୟ ଔଷଧ ଶିଳ୍ପ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଔଷଧ ଶିଳ୍ପର ଆକାର ହେଉଛି ପୃଥିବୀରେ ତୃତୀୟ ବୃହତ୍ତମ। ଗଲା ଆର୍ଥିକ ବର୍ଷରେ ଭାରତ କେବଳ ଯୁକ୍ତରାଷ୍ଟ୍ର ଆମେରିକାକୁ ୧୪ ବିଲିଅନ ଡଲାର ମୂଲ୍ୟର ଔଷଧ ରପ୍ତାନି କରିଥିଲା। କିନ୍ତୁ ବିଡ଼ମ୍ବନାଟି ହେଲା, ଏହି ସବୁ ଔଷଧର ପ୍ରସ୍ତୁତି ଲାଗି ଲୋଡ଼ା ପଡୁଥିବା ‘ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଏଣ୍ଟ୍’ ବା ‘ଏ.ପି.ଆଇ.’(ଔଷଧ ତିଆରି ମୂଳ ଉପାଦାନ)ର ଦୁଇ ତୃତୀୟା˚ଶ ପ୍ରସ୍ତୁତ କରିଥାଏ ଚୀନ। ଚୀନର ‘ଇନର ମଙ୍ଗୋଲିଆ’ର ମରୁ ଅଞ୍ଚଳରେ ପୃଥିବୀର ପ୍ରାୟ ସମସ୍ତ ଔଷଧ ଉଦ୍ୟୋଗ ଲାଗି ‘ଏ.ପି.ଆଇ.’ ପ୍ରସ୍ତୁତ କରାଯାଇଥାଏ। କେବଳ ସେତିକି ନୁହେଁ, ଭାରତର ଅସ˚ଖ୍ୟ ଷ୍ଟାର୍ଟଅପ୍‌ରେ ଚୀନର ପ୍ରଭୂତ ବିତ୍ତ ବିନିଯୁକ୍ତ ହୋଇଛି। ଉଦାହରଣ ସ୍ବରୂପ ‘ଫ୍ଲିପ୍‌ କାର୍ଟ’ରେ ୩୦୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ, ‘ବିଗ୍‌ ବାସ୍କେଟ୍‌’ରେ ୨୩୦ ବିଲିଅନ ଡଲାରରୁ ଅଧିକ, ‘ଓଲା’ରେ ୫୦୦ ନିୟୁତ ଡଲାରରୁ ଅଧିକ ଏବଂ ‘ଓୟୋ’ରେ ୧୦୦ ନିୟୁତ ଡଲାରରୁ ଅଧିକ(ମାତ୍ର ଅଳ୍ପ କିଛି ଦୃଷ୍ଟାନ୍ତ) ଚୀନା ଅର୍ଥ ନିୟୋଜିତ ହୋଇଛି। କେବଳ ଭାରତ ନୁହେଁ, ପୃଥିବୀର ପ୍ରାୟ ସମସ୍ତ ପ୍ରମୁଖ ରାଷ୍ଟ୍ରର ଉଦ୍ୟୋଗ ଓ ବଜାର ବର୍ତ୍ତମାନ ଚୀନ ଉପରେ ନିର୍ଭରଶୀଳ। କରୋନା ସ˚କ୍ରମଣର ପ୍ରାରମ୍ଭିକ କାଳରେ ଏହାର ଉତ୍ପତ୍ତି ସ୍ଥଳ ଚୀନର ଉହାନ ନଗରୀ ‘ଲକ୍‌ଡାଉନ୍‌’ ଅଧୀନକୁ ଚାଲିଯାଇଥିବା ବେଳେ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆଶଙ୍କା ଓ ଉଦ୍‌ବେଗ ପ୍ରକାଶ ପାଇଥିଲା ଯେ ଯଦି ଚୀନରେ ସ˚କ୍ରମଣ ବ୍ୟାପକ ରୂପ ଧାରଣ କରେ, ତେବେ ହୁଏ’ତ ଔଷଧ ନିର୍ମାଣ ଶିଳ୍ପ(ଏ.ପି.ଆଇ. ଅଭାବରୁ) ପ୍ରାୟ ଅଚଳ ହୋଇ ପଡ଼ିବ। ଚୀନ ଉପରେ ଏଭଳି ମାତ୍ରାଧିକ ନିର୍ଭରଶୀଳତା ଯେ କୌଣସି ବିଶେଷ ପରିସ୍ଥିତିରେ ସମ୍ଭାବ୍ୟ ବିପଦକୁ ଜନ୍ମ ଦେଇପାରେ; ସେ ମର୍ମରେ ହୁଏ’ତ ସେହି ସମୟରେ ଅନେକ ରାଷ୍ଟ୍ରଙ୍କ ଚୈତନ୍ୟ ଉଦୟ ହୋଇଥିବ। କିନ୍ତୁ ସେତେବେଳକୁ ଚୀନ ତାର ପ୍ରାଚୀନ ସମର ବିଶାରଦ ସୁନ ଜୁଙ୍କ ପନ୍ଥା ଅବଲମ୍ବନ କରି ଏକ ସାଧାରଣ ସମୟ ବା ଏକ ଅପାତତଃ ଶାନ୍ତିପୂର୍ଣ୍ଣ କାଳର ସୁଯୋଗ ନେଇ ଅତ୍ୟନ୍ତ ସନ୍ତର୍ପଣରେ ବିଶ୍ବର ଅର୍ଥ ବ୍ୟବସ୍ଥାରେ ଏଭଳି ଭେଦି ଓ ର˚ଜି ଗଲାଣି ଯେ ସେହି ଦାଗକୁ ଦୂର କରିବା ଏକ ଦୁରୂହ ବ୍ୟାପାର ବୋଲି ଏବେ ସ୍ପଷ୍ଟ ହେଉଛି।

ସମ୍ଭବତଃ ଯାହା ଚୀନର ସଫଳତମ ରଣନୀତି ମଧୢରୁ ଗୋଟିଏ, ତାହା ହେଲା ଦୁର୍ବଳତାର ସୁଯୋଗ ନେଇ ଏଭଳି କୌଶଳରେ ଜଣକୁ କ୍ରଚ୍‌ଟିଏ ଧରାଇ ଦିଅ ଯେ ତା ଉପରେ ଅବଲମ୍ବନ କରି ସେ ଯେମିତି ଅବଲୀଳା କ୍ରମେ ଆପଣା ଗୋଡ଼ରେ ଛିଡ଼ା ହେବା ବା ଚାଲିବାର ସାମର୍ଥ୍ୟକୁ ପାଶୋରି ଯିବ।। କହିବା ନିଷ୍ପ୍ରୟୋଜନ ଯେ ପୃଥିବୀର ଅନେକ ରାଷ୍ଟ୍ର ଆଜି ଚୀନ(ଦ୍ରବ୍ୟ) ଉପରେ ନିର୍ଭରଶୀଳତାରୂପକ ଦାସତ୍ବର ଅଧୀନରେ। କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଯଦି ସାରା ବିଶ୍ବରେ ଦୋକାନ ଥାକମାନଙ୍କରୁ ହଠାତ୍‌ ଚୀନା ଦ୍ରବ୍ୟ ସବୁ ଉଭେଇ ଯାଆନ୍ତି, ତେବେ ସେହି ଶୂନ୍ୟ ସ୍ଥାନ ଯେଉଁ ଖାଉଟି ସ˚କଟ ସୃଷ୍ଟି କରିବ, ତାକୁ ସହଜରେ ଦୂର କରାଯିବା ସମ୍ଭବପର ହୋଇ ନ ପାରେ। ପୁଞ୍ଜିବାଦୀ ଉଦାର ଅର୍ଥନୀତିର ସୁଯୋଗ ନେଇ କମ୍ୟୁନିଷ୍ଟ ଚୀନ ତାର ଅର୍ଥନୈତିକ ଉପନିବେଶ ସ˚ପ୍ରସାରଣରେ ଅତ୍ୟନ୍ତ ସଫଳ ହେବା ସହିତ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ଏହା ଜଣାଇ ଦେଇଛି ଯେ ଡୋନାଲ୍‌ଡ ଟ୍ରମ୍ପ୍ ନୁହନ୍ତି, ଆମେରିକାର ଖାଉଟି ହିଁ ପ୍ରକୃତରେ ଚୀନର ପରମ ପୃଷ୍ଠପୋଷକ, ଯେଉଁମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ଚୀନର ଏକ ବିକଳ୍ପ ପ୍ରଦାନ କରିବାର ସାମର୍ଥ୍ୟ ଟ୍ରମ୍ପ୍‌ଙ୍କର ନାହିଁ। ସୁତରା˚, ସେ କାହିଁକି ଟ୍ରଂପଙ୍କୁ ବା ସେହି ବିଚାରରେ ଅନ୍ୟ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଗୁରୁତ୍ବ ପ୍ରଦାନ କରନ୍ତେ!

ସେହି ଦୃଷ୍ଟିରୁ ବିଚାର କରି କୁହାଯାଇପାରିବ ଯେ ଭାରତ ଓ ଚୀନ ମଧୢରେ ସଦ୍ୟ ସୃଷ୍ଟ ବିସ୍ଫୋରକ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତରେ ଚୀନା ଦ୍ରବ୍ୟର ବର୍ଜନ ଲାଗି ଯେଉଁ ଉଗ୍ର ଆକୁଳତା ପ୍ରକାଶ ପାଉଛି, ତାହା କେବଳ ଫଳପ୍ରଦ ହେବ ଯଦି ଏକ ନିରବ ବିପ୍ଳବ ସ˚ଘଟିତ ହୋଇ ଭାରତର ବିଶାଳ ମାନବ ସମ୍ବଳ ମାଧ୍ୟମରେ ଉତ୍ପାଦିତ ଦ୍ରବ୍ୟ ଦ୍ବାରା ଚୀନା ଦ୍ରବ୍ୟକୁ ନିଜ ରାଷ୍ଟ୍ର ତଥା ପୃଥିବୀର ଅନ୍ୟ ରାଷ୍ଟ୍ରର ଦୋକାନ ଥାକରୁ ଅପସାରଣ କରାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ’ର ଯେଉଁ ପରିକଳ୍ପନା କରିଛନ୍ତି, ତାର ମୂଳରେ ରହିଛି ଏହି ଭାବନା। ଚାଇନା କ୍ରଚ୍‌କୁ ଫୋପାଡ଼ି ଦେବାକୁ ହେଲେ ପ୍ରଥମେ ଆପଣା ଗୋଡ଼ରେ ଛିଡ଼ା ହେବାର ସାମର୍ଥ୍ୟ ଜୁଟାଇବାକୁ ହେବ। କ୍ରଚ୍‌ ତ୍ୟାଗ ନ କଲେ ଦାସତ୍ବରୁ ମୁକ୍ତି ନାହିଁ।

ସମ୍ବନ୍ଧିତ ଖବର