ମହାଭାରତ ଯୁଦ୍ଧର ମଧ୍ୟ ଭାଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ଧର୍ମରାଜ ଯୁଧିଷ୍ଠିର ଅଶ୍ବତ୍‌ଥାମା ନାମକ ଏକ ହସ୍ତୀର ମୃତ୍ୟୁରେ ଚିତ୍କାର କରି କହିଲେ ଯେ ‘ନରେ ବା ଗୁଞ୍ଜରେ ଅଶ୍ବତ୍‌ଥାମା ହତ’, ସେତିକି ବେଳେ ଏହା ଶ୍ରୀକୃଷ୍ଣଙ୍କ ପ୍ରଚ୍ଛନ୍ନ ଉଦ୍ଦେଶ୍ୟକୁ ସଫଳ କରି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଅସ୍ତ୍ର ତ୍ୟାଗର କାରଣ ହୋଇଥିଲା। ଏହି ସ୍ତମ୍ଭର ପାଠକପାଠିକାମାନଙ୍କୁ ଅବଗତ ଥିବା ଭଳି ‘ଗୁଞ୍ଜରେ’ ଶବ୍ଦଟି ଯୁଧିଷ୍ଠିରଙ୍କ ମୁଖ ନିସୃତ ହେବା କ୍ଷଣି ଶ୍ରୀକୃଷ୍ଣଙ୍କ ପଞ୍ଜଜନ୍ୟ ଶଙ୍ଖ ବାଜି ଉଠି ତାକୁ ମିଳାଇ ଦେଇ ଥିବାରୁ ସତ୍ୟବାଦୀ ଯୁଧିଷ୍ଠିର କଦାପି ମିଥ୍ୟା କହନ୍ତି ନାହିଁ ବୋଲି ନିଶ୍ଚିତ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ଏକମାତ୍ର ପୁତ୍ର ଅଶ୍ବତ୍‌ଥାମାର ମୃତ୍ୟୁ ଘଟିଛି ବୋଲି ଧାରଣାରେ ଶୋକାତୁର ହୋଇ ଶସ୍ତ୍ର ତ୍ୟାଗ କରିଥିଲେ ଏବ˚ ଧୃଷ୍ଟଦ୍ୟୁମ୍ନଙ୍କ ନାରାଚରେ ପ୍ରାଣପାତ କରିଥିଲେ। ସେହି ସମୟରେ ଶ୍ରୀକୃଷ୍ଣଙ୍କ ଏଭଳି ଏକ ରଣକୌଶଳ ଥିଲା ମନସ୍ତାତ୍ତ୍ବିକ ଆକ୍ରମଣର ଏକ ଦୃଷ୍ଟାନ୍ତ। କହିବା ନିଷ୍ପ୍ରୟୋଜନ ଯେ ଯୁଦ୍ଧ ସମୟରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟିକାରୀ ଉପାୟ ଅବଲମ୍ବନ କରିବା ହେଉଛି ଗୋଟିଏ ଅତି ପ୍ରାଚୀନ ରଣକୌଶଳ; ସମ୍ଭବତଃ ଏହା ଯୁଦ୍ଧ ଭଳି ପୁରାତନ। ସେହି ପରିପ୍ରେକ୍ଷୀରେ ଗଲଵାନ ଉପତ୍ୟକା ଅଞ୍ଚଳରେ ଚୀନ ସହ ଭାରତର ସ˚ଘର୍ଷ ପରେ ଭାରତ ବିରୋଧରେ ଚୀନ ଦ୍ବାରା ପ୍ରାରମ୍ଭ କରାଯାଇଥିବା ଉତ୍କଟ ମନସ୍ତାତ୍ତ୍ବିକ ଆକ୍ରମଣ ଆଦୌ ଅପ୍ରତ୍ୟାଶିତ ନୁହେଁ। କିନ୍ତୁ ଏହି ପ୍ରସଙ୍ଗରେ ଚୀନର ଚରିତ୍ରକୁ ଅନାବରଣ କରିବାର ମଧ୍ୟ ଏକ ସୁଯୋଗ ରହିଛି, ଯାହା ଆଲୋଚନା ସାପେକ୍ଷ।

Advertisment

ଏହା ସ୍ବାଭାବିକ ଯେ ଏକ ସ˚ଘର୍ଷ ସମୟରେ ତହିଁରେ ଲିପ୍ତ ରାଷ୍ଟ୍ରଗୁଡ଼ିକ ପରସ୍ପର ଉପରେ ମନସ୍ତାତ୍ତ୍ବିକ ଆକ୍ରମଣକୁ ଏକ ସମର୍ଥ ରଣକୌଶଳ ରୂପେ ଗ୍ରହଣ କରିଥାଆନ୍ତି। ୧୯୭୧ରେ ଭାରତ ଓ ପାକିସ୍ତାନ ମଧୢରେ ଯୁଦ୍ଧ କାଳରେ ଭାରତୀୟ ବିମାନ-ବାହିନୀର ଅନେକ ହେଲିକପ୍ଟର ଜରିଆରେ ଲକ୍ଷ ଲକ୍ଷ ପ୍ରଚାର ପତ୍ର ତତ୍କାଳୀନ ପୂର୍ବ ପାକିସ୍ତାନରେ ବୁଣି ଦିଆଯାଇଥିଲା, ଯହିଁରେ ଭାରତୀୟ ସେନାଧୢକ୍ଷ ଜେନେରାଲ ସାମ ମାନେକ୍‌ସଙ୍କ ଦସ୍ତଖତରେ ଏକ ଆଶ୍ବାସନାମୂଳକ ପ୍ରତିଶ୍ରୁତି ପ୍ରଦତ୍ତ ଥିଲା ଯେ ଯଦି ସେଠାରେ ଥିବା ପାକିସ୍ତାନୀ ସୈନିକମାନେ ଆତ୍ମ-ସମର୍ପଣ କରନ୍ତି, ତେବେ ସେମାନଙ୍କୁ ଯଥୋଚିତ ସମ୍ମାନର ସହିତ ଯୁଦ୍ଧବନ୍ଦୀ ଭାବେ ସ୍ବୀକାର କରି ନିଆଯିବ। ଏହାର ଫଳ ସ୍ବରୂପ ଯୁଦ୍ଧରେ ପରିସମାପ୍ତି ଘଟାଇ ପୂର୍ବ ପାକିସ୍ତାନରେ ଅବସ୍ଥାପିତ ଥିବା ପ୍ରାୟ ଏକ ଲକ୍ଷ ସରିକି ପାକିସ୍ତାନୀ ସୈନିକ ଜେନେରାଲ ନିଆଜିଙ୍କ ନେତୃତ୍ବରେ ଆତ୍ମ-ସମର୍ପଣ କରିଥିଲେ। ଯୁଦ୍ଧ ସମୟରେ ମନସ୍ତାତ୍ତ୍ବିକ ଆକ୍ରମଣ କରି ସଫଳ ହେବାର ଏହା ଥିଲା ଏକ ଚମତ୍କାର ଉଦାହରଣ। କିନ୍ତୁ ଚୀନ କ୍ଷେତ୍ରରେ ଯାହା ଏକ ବ୍ୟତିକ୍ରମ, ତାହା ହେଲା, ଯୁଦ୍ଧର ଅନୁପସ୍ଥିତି ସତ୍ତ୍ବେ ଏକ ଶାନ୍ତିପୂର୍ଣ୍ଣ କାଳରେ ମଧୢ ତାହା ବିଭିନ୍ନ ରାଷ୍ଟ୍ର ଉପରେ ମନସ୍ତାତ୍ତ୍ବିକ ଆକ୍ରମଣ ଜାରି ରଖିଥାଏ ଏବ˚ ସେହି ସୂତ୍ରରେ ତାର ଯୁଦ୍ଧଖୋର ପ୍ରକୃତିକୁ ପ୍ରମାଣ କରି ଚାଲିଥାଏ। ଉଦାହରଣ ସ୍ବରୂପ, ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ‘ପାନ୍‌ଡେମିକ୍‌’ର ପ୍ରାରମ୍ଭିକ ପ୍ରାବଲ୍ୟ ସମୟରେ ଯେତେବେଳେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ କରୋନା ଭୂତାଣୁକୁ ‘ଚୀନା’ ଭାଇରସ୍‌ ଭାବେ ଅଭିହିତ କଲେ, ସେତିକି ବେଳେ ଚୀନ ସରକାର ତତ୍‌କ୍ଷଣାତ୍‌ ପ୍ରତିକ୍ରିୟା ପ୍ରକାଶ କରି ମନ୍ତବ୍ୟ ପ୍ରଦାନ କଲେ ଯେ ଏଭଳି ବକ୍ତବ୍ୟ ବର୍ଣ୍ଣ-ବୈଷମ୍ୟବାଦୀ ଆମେରିକୀୟ ଚରିତ୍ରର ପ୍ରମାଣ। ଟିକିଏ ଗହୀରେଇ ଦେଖିଲେ ସ୍ପଷ୍ଟ ହେବ ଯେ ଏହା ଥିଲା ଆମେରିକା ବିରୋଧରେ ଚୀନର ଏକ ମନସ୍ତାତ୍ତ୍ବିକ ଆକ୍ରମଣ। ମନସ୍ତାତ୍ତ୍ବିକ ଯୁଦ୍ଧରେ ଅବିରତ ଭାବେ ଲାଗିଥିବା ଚୀନା ବିଶାରଦମାନେ ଏହା ପୂର୍ବରୁ ଅନୁମାନ କରି ନେଇଥିଲେ ଯେ ଏଭଳି ଏକ ଆକ୍ରମଣରେ ଆମେରିକାର ମୁକ୍ତ ଗଣମାଧ୍ୟମ ତଥା ସେଠାରେ ଉପଲବ୍‌ଧ ପ୍ରଶସ୍ତ ସ୍ବାଧୀନତା ଦ୍ବାରା ପରିପୁଷ୍ଟ ଭିନ୍ନ ମତ ପ୍ରଦାନକାରୀମାନେ ନିଜ ଅଲକ୍ଷ୍ୟରେ ଚୀନର ସହାୟକ ରୂପେ ଅବତୀର୍ଣ୍ଣ ହେବେ। ପ୍ରଣିଧାନଯୋଗ୍ୟ ଯେ ଭୂତାଣୁ ବା ଜୀବାଣୁମାନଙ୍କ ନାମକରଣ ସେମାନଙ୍କ ଉତ୍ପତ୍ତି ସ୍ଥଳ ଅନୁସାରେ କରାଯିବା (ଇବୋଲା ଭଳି) ଏକ ସାଧାରଣ ଘଟଣା। ସେହି ଦୃଷ୍ଟିରୁ ଚୀନା ଭାଇରସ୍‌ ଆଦୌ ଏକ ବର୍ଣ୍ଣବୈଷମ୍ୟବାଦୀ ଅଭିବ୍ୟକ୍ତି ହୁଅନ୍ତା ନାହିଁ। କିନ୍ତୁ ‘ବର୍ଣ୍ଣବୈଷମ୍ୟବାଦୀ’ ଆରୋପ ସହିତ ଚୀନ ଯୁକ୍ତରାଷ୍ଟ୍ର ଆମେରିକାର ଏକ ପୁରୁଣା ଅଥଚ ଏବେ ସୁଦ୍ଧା ପୀଡ଼ା ପ୍ରଦାନ କରୁଥିବା କ୍ଷତକୁ ଉଖୁରେଇ ଦେଇଥିଲା ମାତ୍ର। ଏଥିରୁ ଦେଖିବାକୁ ମିଳିଥିଲା କିଭଳି ଏକ ପ୍ରତିକୂଳ ସ୍ଥିତିକୁ ନିଜ ପକ୍ଷରେ ପରିବର୍ତ୍ତନ କରିବା ଲାଗି ଚୀନର ମନସ୍ତାତ୍ତ୍ବିକ ସମର-ତନ୍ତ୍ର ସର୍ବଦା ପ୍ରସ୍ତୁତ। ସେହି ପରିପ୍ରେକ୍ଷୀରେ ଭାରତ ସହ ଏକଦା ମିତ୍ର ଭାବ ପୋଷଣ କରୁଥିବା ପଡ଼ୋଶୀ ରାଷ୍ଟ୍ର ଯେମିତିକି ନେପାଳ, ଶ୍ରୀଲଙ୍କା ଓ ବା˚ଲାଦେଶ ଆଦିଙ୍କୁ ବିଭିନ୍ନ କୌଶଳ ମାଧ୍ୟମରେ ନିଜ ପକ୍ଷକୁ ଆଣି ଭାରତର ଚତୁର୍ଦ୍ଦିଗରେ ଏକ ଅମିତ୍ର ଭାବାପନ୍ନ ପଡ଼ୋଶୀମାନଙ୍କ ବ୍ୟୂହ ରଚନା କରିବାର ଉଦ୍ୟମ ମଧ୍ୟ ପ୍ରଣିଧାନଯୋଗ୍ୟ। ଅନେକ ବର୍ଷ ହେଲାଣି ଚୀନର ମନସ୍ତାତ୍ତ୍ବିକ ଯୁଦ୍ଧ ସ˚ଚାଳକମାନେ ଏହା ଚଳାଇ ଆସିଛନ୍ତି, ଯାହା କେବଳ ତାର ଯୁଦ୍ଧଖୋର ମନୋଭାବକୁ ହିଁ ପ୍ରମାଣିତ କରିଛି।

ସେହି ଦୃଷ୍ଟିରୁ ସଦ୍ୟ ସ˚ଘଟିତ ସୀମାନ୍ତ ସ˚ଘର୍ଷ ପ୍ରେକ୍ଷାପଟରେ ଭାରତ ଉପରେ ଚୀନ ଦ୍ବାରା ଆରମ୍ଭ କରାଯାଇଥିବା ଉତ୍କଟ ମନସ୍ତାତ୍ତ୍ବିକ ଆକ୍ରମଣ ଆଦୌ ଅପ୍ରତ୍ୟାଶିତ ନୁହେଁ। ଏହି କ୍ରମରେ ସାମାଜିକ ଗଣମାଧ୍ୟମ ମଞ୍ଚରେ ୧୯୬୨ ଯୁଦ୍ଧରେ ଚୀନ ଦ୍ବାରା ଭାରତର ପରାଜୟ ବରଣ ବିଷୟ ଭିଡ଼ ଜମାଇବାରେ ଲାଗିଛି। ଏହା ସର୍ବଦା ଦେଖିବାକୁ ମିଳି ଆସିଛି ଯେ ଯୁଦ୍ଧରେ ଭୋଗୁଥିବା ଧନଜୀବନର କ୍ଷୟକ୍ଷତିକୁ ଚୀନ କଦାପି ପ୍ରକାଶ୍ୟ କରି ନ ଥାଏ। ସେଇ ଆଧାରରେ ୧୯୬୨ ଯୁଦ୍ଧରେ ଚୀନର ବିଜୟକୁ ସେତେବେଳେ ଯେମିତି ଏକ ବୃହତ୍‌ ଆକାର ପ୍ରଦାନ କରାଯାଇଥିଲା ବା ଏବେ ବି କରାଯାଉଛି, ବାସ୍ତବ ସ୍ଥିତି ତା’ ଠାରୁ ଭିନ୍ନ। ସେହି ଯୁଦ୍ଧରେ ଏକ ଅପ୍ରସ୍ତୁତ ଭାରତୀୟ ସେନା ପରାଭବ ବରଣ କରିଥିଲା ସତ, କିନ୍ତୁ ସାହସିକ ପ୍ରତିରୋଧ ମଧୢ କରିଥିଲା। ୧୯୯୪ରେ ଚୀନ ସରକାରଙ୍କ ଦ୍ବାରା ପ୍ରକାଶ୍ୟ ହୋଇଥିବା ଏକ ଦସ୍ତାବିଜ କହିଥାଏ ଯେ ସେହି ଯୁଦ୍ଧରେ ଚୀନର ୮୦୦ରୁ ଅଧିକ ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ହିଁ ପ୍ରାଣ ଦେଇଥିଲେ, ଯାହା ଚୀନ ଲୁଚାଇ ରଖିଥିଲା। ସେହିଭଳି ସ˚ପ୍ରତି ‘ଟ୍ବିଟର’ରେ ଅତ୍ୟନ୍ତ ବିଶ୍ବାସଯୋଗ୍ୟ ପ୍ରତୀୟମାନ ହେଉଥିବା ହ୍ୟାଣ୍ତଲରୁ ଯେଉଁ ସବୁ ଚୀନା ପ୍ରାୟୋଜିତ ଭିଡିଓମାନ ଭାଇରାଲ ହେବାରେ ଲାଗିଛି ତାହା କେବଳ ଚୀନା ମିଥ୍ୟା ପ୍ରଚାରର ଅ˚ଶ। ଗୋଟିଏ ଭିଡିଓ ଯାହା କିଛି ଚୀନା ସୈନିକଙ୍କ ସମକ୍ଷରେ ଅସହାୟ ଭାରତୀୟ ସୈନିକଙ୍କୁ ଦେଖାଇଥାଏ, ତାହା ପ୍ରକୃତରେ ହଣ୍ତୁରାସର ଦୃଶ୍ୟ, ଯେଉଁଠାରେ ଚୀନା ଶାନ୍ତିରକ୍ଷା ବାହିନୀ କିଛି ବର୍ଷ ତଳେ ମୁତୟନ ହୋଇଥିଲେ। ଭାରତୀୟ ସେନା ୟୁନିଫର୍ମ ସହିତ ହଣ୍ତୁରାସ ସେନାଙ୍କ ୟୁନିଫର୍ମର ସାମଞ୍ଜସ୍ୟ ଚୀନକୁ ଏଭଳି ମିଥ୍ୟା ପ୍ରଚାର ଲାଗି ସୁଯୋଗ ଦେଇଥିଲା।

କହିବା ବାହୁଲ୍ୟ ଯେ ଏକ ମନସ୍ତାତ୍ତ୍ବିକ ଯୁଦ୍ଧ ତାର ପ୍ରଭାବ ସେତେବେଳେ ହରାଇଥାଏ, ଯେତେବେଳେ ତାହା ଏକ ଧାରାରେ ପରିଣତ ହୋଇ ଘଷରା ହୋଇଯାଏ। ଏଭଳି ହେଲେ ପ୍ରତିପକ୍ଷ ମଧୢ ନିଜ ପକ୍ଷରୁ ଏହାର ମୁକାବିଲା ଲାଗି କୌଶଳର ଆବିଷ୍କାର କରିଥାଏ। ସେହି ପରିପ୍ରେକ୍ଷୀରେ ଭାରତୀୟ ତର୍ଜମାକାରୀ ବିଶାରଦମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରି ଚୀନ ପ୍ରଚାର ତନ୍ତ୍ରର ବିଭିନ୍ନ ମିଥ୍ୟାକୁ ଉନ୍ମୋଚନ କରିବାରେ ଲାଗିଛନ୍ତି। ମହାଭାରତ ଯୁଦ୍ଧରେ ଯଦି ସେହି ଦିନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ କର୍ଣ୍ଣରେ ‘ଗୁଞ୍ଜରେ’ ଶବ୍ଦଟି ବାଜିଥାଆନ୍ତା, ତେବେ ହୁଏ’ତ ଯୁଦ୍ଧର ପରିଣତି ଭିନ୍ନ ହୋଇଥାଆନ୍ତା। ସେହି ଆଧାରରେ କୁହାଯାଇ ପାରେ ଯେ ସ˚ପ୍ରତି ଚୀନର ପ୍ରଚାର ତନ୍ତ୍ର ସୃଷ୍ଟି କରୁଥିବା କୁହାଟ ଭିତରୁ ଆମକୁ ‘ଗୁଞ୍ଜରେ’ ଶବ୍ବଗୁଡ଼ିକୁ ଶୁଣି ନେବାକୁ ହେବ।