ପ୍ରଭୁତ୍ୱ ସଂକଟ

ସଂପ୍ରତି ଯେତେବେଳେ ୨୦୨୦ ତାର ଶେଷାର୍ଧ ଆଡ଼କୁ ପାଦ ବଢ଼ାଇଛି ଏବଂ କରୋନା ‘ପାନ୍‌ଡେମିକ୍‌’ ଦ୍ବାରା ଜର୍ଜରିତ ଯୁକ୍ତରାଷ୍ଟ୍ର ଆମେରିକା ଆଉ ମାତ୍ର ଚାରି ମାସ ପରେ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି; ସେତିକି ବେଳେ ଉପଦ୍ରବୀ ଚୀନର ପରାକ୍ରମୀ ପ୍ରଭାବ ବିସ୍ତାର ପରିପ୍ରେକ୍ଷୀରେ ବିଶ୍ବର ଅନେକତ୍ର ଆଶଙ୍କା ପ୍ରକାଶ ପାଇଲାଣି ଯେ ୨୦୨୦ ପରବର୍ତ୍ତୀ ପୃଥିବୀରେ ପ୍ରଭୁତ୍ବର ଚେହେରା ଓ ଚରିତ୍ରରେ ହୁଏ’ତ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇପାରେ। ଏ ସଂଦର୍ଭରେ ପ୍ରସିଦ୍ଧ ଆମେରିକୀୟ ଲେଖକ ତଥା ରାଜନୈତିକ ପର୍ଯ୍ୟବେକ୍ଷକ ରିଚାର୍ଡ ହାସଙ୍କ ମତ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଏଭଳି ଏକ ସ୍ଥିତି ଯଦି ସତରେ ପରିଦୃଷ୍ଟ ହୁଏ, ତେବେ ଏଥିଲାଗି ସର୍ବାଧିକ ଦାୟୀ ରହିବ ସ୍ବୟଂ ଯୁକ୍ତରାଷ୍ଟ୍ର ଆମେରିକା।

ଉଲ୍ଲେଖଯୋଗ୍ୟ ଯେ ୨୦୦୧ ମସିହାରେ ନ୍ୟୁୟର୍କ ମହାନଗରୀରେ ଅବସ୍ଥିତ ଆମେରିକୀୟ ଶୌର୍ଯ୍ୟର ପ୍ରତୀକ ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ଟି ‘ଅଲ କାଇଦା’ ଆତଙ୍କବାଦୀଙ୍କ ଆକ୍ରମଣରେ ଚୂର୍ଣ୍ଣୀଭୂତ ହୋଇଯିବା ପରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁସ କେବଳ ଗୋଟିଏ ଉଦ୍ଦେଶ୍ୟ ସାଧନରେ ବ୍ରତୀ ହୋଇଯାଇଥିଲେ; ଯାହା ଥିଲା ଇସଲାମୀୟ ଆତଙ୍କବାଦର ନିର୍ମୂଳନ, ଯାହାର ଫଳଶ୍ରୁତି ଥିଲା ଆଫଗାନିସ୍ତାନ ଓ ପରେ ଇରାକ ଉପରେ ଆକ୍ରମଣ। ସେହି ସମୟରେ ବିଶ୍ବ ମଞ୍ଚରେ ଆଉ ଏକ ଦୃଶ୍ୟ ଅଭିନୀତ ହୋଇଥିଲା, ଯାହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତ୍ୟକ୍ଷ ତଥା ପରୋକ୍ଷ ସମର୍ଥନରେ ‘ଆରବ ସ୍ପ୍ରି˚’ ବା ‘ଆରବ ବସନ୍ତ’ ଅଭିଯାନର ପ୍ରାରମ୍ଭ। ଏହା ଫଳରେ ଆରବ ବିଶ୍ବର ଅନେକ ରାଷ୍ଟ୍ର ଏକଛତ୍ରବାଦୀ ଶାସନରୁ ମୁକ୍ତ ହୋଇଯିବେ ବୋଲି ଏକ ଧାରଣା ମଧୢ ସୃଷ୍ଟି ହୋଇଥିଲା। ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ଏହି ପ୍ରୟାସ ବଳରେ ପୃଥିବୀରେ ଇସଲାମୀୟ ଆତଙ୍କବାଦର ଗୋଟିଏ ଅଧୢାୟର ପରିସମାପ୍ତି (‘ଅଲ କାଇଦା’ର ନେତା ଓସାମା ବିନ୍‌ ଲାଡ଼େନ ଓ ‘ଆଇ.ଏସ୍‌.ଆଇ.ଏସ.’ର ନେତା ଆଲ ବାଗଦାଦୀର ନିିଧନ ସହିତ) ଘଟିଛି, କିନ୍ତୁ ଇସଲାମୀୟ ଆତଙ୍କବାଦର ଯେ ବିଲୁପ୍ତି ଘଟିଛି ତାହା ସନ୍ଦିହାନ ଏବ˚ ସେହିଭଳି ଆରବ ବିଶ୍ବରେ ଗଣତନ୍ତ୍ରର ଅଭ୍ୟୁଦୟ ମଧୢ କେବଳ ଆ˚ଶିକ ଭାବେ ସଫଳ ହେବା ସହିତ ସିରିଆ ଓ ୟେମେନ ଭଳି ରାଷ୍ଟ୍ରରେ ଏ ଯାବତ୍‌ ଅବର୍ଣ୍ଣନୀୟ ରକ୍ତପାତ ଓ ହି˚ସା ଘଟି ଚାଲିଛି। ଏଭଳି ସ୍ଥଳେ ସ˚ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ସଂପ୍ରତି ଯାହା ଆବିଷ୍କାର କରୁଛି, ତାହା ହେଲା ଏହି ଦୁଇ ଦଶନ୍ଧି ସମୟ ଖଣ୍ତ ମଧୢରେ ଯଦି ତାହା ଇସଲାମୀୟ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଅନ୍ଧ ଭଳି ବ୍ୟାପୃତ ନ ହୋଇ ଅନ୍ୟ କିଛି ଦିଗରେ ସୁଦୂରପ୍ରସାରୀ ଦୃଷ୍ଟି ନିକ୍ଷେପ କରିଥାଆନ୍ତା, ତେବେ ହୁଏତ ଚୀନର ଆକ୍ରାମକ ଉଚ୍ଚାଭିଳାଷକୁ ପୂର୍ବରୁ ଦେଖିପାରି ତାହାର ପ୍ରତିରୋଧ କରିବାର ଉଦ୍ୟମ କରିଥାଆନ୍ତା; ଫଳରେ ତାର ପ୍ରଭୁତ୍ବ ଏବେ ଯେଉଁଭଳି ସ˚କଟଗ୍ରସ୍ତ ହୋଇଛି, ସେଭଳି ହୋଇ ନ ଥାଆନ୍ତା।

ଏହି ପରିପ୍ରେକ୍ଷୀରେ ରିଚାର୍ଡ ହାସଙ୍କ ମତ ବିଶେଷ ଗୁରୁତ୍ବ ବହନ କରିଥାଏ। ସେ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ନୀତି ଗତ ଦୁଇ ଦଶନ୍ଧି ମଧୢରେ ତିନି ରାଷ୍ଟ୍ରପତି ଯେଭଳି କି ଜର୍ଜ ବୁଶ ଜୁନିଅର, ବାରାକ ଓବାମା ଏବ˚ ଡୋନାଲଡ ଟ୍ରମ୍ପ୍‌ଙ୍କ ମଧୢ ଦେଇ ଗତି କରି ଏଭଳି ବିବିଧତା ତଥା ଅନେକ ସମୟରେ ପରସ୍ପର ବିପରୀତ ମନୋଭାବ ବହନକାରୀ ଆଭିମୁଖ୍ୟ ପ୍ରଦର୍ଶନ କରିଛି ଯେ ତହିଁରୁ ସୃଷ୍ଟ ସ୍ଥିତି ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭୁତ୍ବ ହିଁ ଦାରୁଣ ଭାବେ କ୍ଷୁଣ୍ଣ ହୋଇଛି। ଉଦାହରଣ ସ୍ବରୂପ ଦେଖିବାକୁ ମିଳିଛି ଯେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ପ୍ରାରମ୍ଭ କରିଥିବା ଆମେରିକା ଦୁଇ ଦଶନ୍ଧି ପରେ ତାର ଲକ୍ଷ୍ୟ ସାଧନରେ ଅସଫଳ (ଆଫଗାନିସ୍ତାନକୁ ତାଲିବାନଙ୍କ କବଳରୁ ମୁକ୍ତ କରି ଏକ ଗଣତନ୍ତ୍ର ପ୍ରତିଷ୍ଠା) ରହିବା ସତ୍ତ୍ବେ ସ˚ପ୍ରତି ସେହି ତାଲିବାନ ଆତଙ୍କବାଦୀଙ୍କ ସହିତ ଏକ ଚୁକ୍ତି ସ୍ବାକ୍ଷର ପୂର୍ବକ ସେଠାରୁ ସୈନ୍ୟ ଅପସାରଣ କରିବାର ପ୍ରକରଣ ପ୍ରାରମ୍ଭ କରିଛି। ଫଳତଃ ଆଫଗାନିସ୍ତାନରେ ଆମେରିକାର ଉଦ୍ୟମ ଓ ସମର୍ଥନରେ ପ୍ରତିଷ୍ଠିତ ଏକ ଗଣତାନ୍ତ୍ରିକ ସରକାର ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଥିଲା ବେଳେ କ୍ରୂର ତାଲିବାନର କରୁଣାଶ୍ରିତ ହୋଇ ଅସହାୟ ହୋଇପଡ଼ିଛି। ସେହି ଭଳି ବିଶ୍ବକୁ ନେତୃତ୍ବ ପ୍ରଦାନ କରିବା ଦାୟିତ୍ବରୁ ଓହରି ଯିବାର ଆହୁରି ଦୁଇଟି ଗୁରୁତ୍ବପୂର୍ଣ୍ଣ ଦୃଷ୍ଟାନ୍ତ ହେଉଛି ପ୍ୟାରିସ ଜଳବାୟୁ ଚୁକ୍ତିରୁ ବାହାରି ଯିବା ଏବ˚ କରୋନା ‘ପାନ୍‌ଡେମିକ୍‌’ର ଘନଘଟା ମଧୢରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (ଚୀନର ବୋଲକରା ହୋଇଥିବାର ଅଭିଯୋଗ କରି) ଠାରୁ ଦୂରେଇ ଯିବା। ଏଭଳି ନିଷ୍ପତ୍ତି ଦ୍ବାରା ଆମେରିକା ଯେଉଁ ସନ୍ଦେଶ ପ୍ରଦାନ କରିଛି, ତାହା ହେଲା ଯୁକ୍ତରାଷ୍ଟ୍ର ଆମେରିକା ଆଉ ବିଶ୍ବକୁ ନେତୃତ୍ବ ଦେବାକୁ ଆଗ୍ରହୀ ନୁହେଁ। କିନ୍ତୁ ଉଲ୍ଲେଖଯୋଗ୍ୟ ଭାବେ କରୋନା କାଳୀନ ବିପର୍ଯ୍ୟୟ ବେଳେ ଏହି ଆମେରିକୀୟ ଅନାଗ୍ରହ ଯେ ତାର ଏକ ଅସାମର୍ଥ୍ୟ; ସେଭଳି ଆଭାସ ମିଳିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ କହିଲେ ଭୁଲ ହେବନାହିଁ ଯେ ଉତ୍ତର କୋରିଆ ଭଳି ଏକ ଦୁଷ୍ଟ ରାଷ୍ଟ୍ର ଏବ˚ ପାକିସ୍ତାନ ଭଳି ଏକ ଆତଙ୍କବାଦ ପ୍ରୋତ୍ସୋହନକାରୀ ରାଷ୍ଟ୍ରକୁ ପ୍ରକାଶ୍ୟରେ ସମର୍ଥନ ପ୍ରଦାନ କରୁଥିବା ସତ୍ତ୍ବେ ଚୀନର ପ୍ରଭାବକୁ ନିଷ୍ପ୍ରଭ କରି ବିଶ୍ବ ନେତୃତ୍ବ କ୍ଷେତ୍ରରେ ଏକ ଭାରସାମ୍ୟ ରକ୍ଷା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ତଥା ତାର ସମର୍ଥକ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଉଦାସୀନତା ଯେ ଏକ ଦାରୁଣ ଅବିମୃଶ୍ୟକାରିତା ଥିଲା ତାହା ଚୀନର ନୂଆ ଉପଦ୍ରବ ସହିତ ସ୍ପଷ୍ଟ ହୋଇଛି। ରିଚାର୍ଡ ହାସଙ୍କ ମତରେ ଏସିଆରେ ଏକ ‘ନାଟୋ’ ତୁଲ୍ୟ ସମଭାବାପନ୍ନ ରାଷ୍ଟ୍ରଙ୍କ ସ˚ଗଠନ ରଚନାରେ ଯଦି ଯୁକ୍ତରାଷ୍ଟ୍ର ଆମେରିକା ଯଥାର୍ଥ ସମୟରେ ଆଗ୍ରହ ପ୍ରକାଶ କରିଥାଆନ୍ତା, ତେବେ ହୁଏ’ତ ଆଜି ଚୀନ ଯେଉଁଭଳି ରୂପ ପରିଗ୍ରହଣ କରି ଆବିର୍ଭୂତ ହୋଇଛି, ସେଭଳି ହୋଇ ପାରି ନ ଥାଆନ୍ତା। ଅବଶ୍ୟ ୨୦୦୬ ମସିହାରେ ଚୀନର ଉପଦ୍ରବରେ ବିରକ୍ତ ହୋଇ ଜାପାନର ଆହ୍ବାନ କ୍ରମେ ଭାରତ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ ଏକ ‘କ୍ବାଡିଲାଟେରାଲ ସିକ୍ୟୁରିଟି ଡାଇଲଗ୍‌’ (ଚତୁର୍ଦେଶୀୟ ସୁରକ୍ଷା କଥାବାର୍ତ୍ତା) ବା ‘କ୍ବାଡ୍‌’ ଗଠନ କରାଯାଇଥିଲା। କିନ୍ତୁ ଚୀନର ଚାପ ଯୋଗୁ କିଛି ବର୍ଷ ଧରି ଅଷ୍ଟ୍ରେଲିଆ ତହିଁରୁ ବାହାରେ ରହିବାକୁ ବାଧୢ ହୋଇଥିଲା ଏବ˚ ‘କ୍ବାଡ୍‌’ ପ୍ରାୟତଃ ନିଷ୍କ୍ରିୟ ରହିଥିଲା। ତଥାପି ଚୀନକୁ ପ୍ରଭାବହୀନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୌଣସି ଉଦ୍ୟମ ହୋଇ ନ ଥିଲା। ବର˚ ଏହି ସମୟ ଭିତରେ ଚୀନ ସମଗ୍ର ପାଶ୍ଚାତ୍ୟ ବିଶ୍ବର କାରଖାନାରେ ପରିଣତ ହୋଇ ସାରା ପୃଥିବୀର ବଜାରରେ ଯୋଗାଣ ପାର୍ଶ୍ବକୁ ନିଜ ଅକ୍ତିଆରକୁ ଆଣି ସାରିଥିଲା। ଏହା ସହିତ ଚୀନ ପରିଣତ ହୋଇଥିଲା ଏକ ଅତ୍ୟନ୍ତ ଶକ୍ତିଶାଳୀ ସୈନ୍ୟ ବଳ ଧାରଣ କରିଥିବା ଗୋଟିଏ ୧୪.୧୪ ଟ୍ରିଲିଅନ ଡଲାର ଅର୍ଥନୀତିରେ।

ଏହା କହିବା ଅନାବଶ୍ୟକ ଯେ କୋଭିଡ୍‌ ‘ପାନ୍‌ଡେମିକ୍‌’ର ସ୍ଥିତି ଏବ˚ ନଭେମ୍ବର ୩ ତାରିଖରେ ହେବାକୁ ଥିବା ଆମେରିକୀୟ ନିର୍ବାଚନ ଫଳାଫଳ ହୁଏ’ତ ସ୍ପଷ୍ଟ କରିବ ଯେ ଆଗାମୀ ଦିନରେ ବିଶ୍ବ ଉପରେ ପ୍ରଭୁତ୍ବ ଦାବିରେ ଆମେରିକାର କେତେ ଦମ୍‌ ରହିବ। ରିଚାର୍ଡ ହାସଙ୍କ ମତରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପୁଣି ଯହିଁରେ ସ˚ପ୍ରତି ବାମ ଓ ଦକ୍ଷିଣ ପନ୍ଥୀଙ୍କ ମଧୢରେ ଧ୍ରୁବୀକରଣ ଅତ୍ୟନ୍ତ ଗଭୀର ହୋଇସାରିଛି; ସେଭଳି ସ୍ଥଳେ ଏହା ହୁଏତ ଏକଛତ୍ରବାଦୀ ଚୀନକୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିପାରେ। କାରଣ ଉପଦ୍ରବୀ ଉଚ୍ଚାଭିଳାଷକୁ ସାକାର କରିବା ଲାଗି ଯେଉଁ ଦୃଢ଼ମନସ୍କ ଓ ନିରଙ୍କୁଶ ନେତୃତ୍ବର ଆବଶ୍ୟକତା ରହିଛି ତାହା ଏବେ ଏକଛତ୍ରବାଦୀ ଚୀନ ଠାରେ ହିଁ ଉପଲବ୍‌ଧ।

ସମ୍ବନ୍ଧିତ ଖବର