ଭୂତାଣୁ ନାଶକ

ଅନେକ ପଣ୍ତିତଙ୍କ ମତରେ ପାଶ୍ଚାତ୍ୟ ଦର୍ଶନ ଯାହା ଆରିଷ୍ଟୋଟଲଙ୍କ ଚିନ୍ତନ ଉପରେ ଆଧାରିତ, ଏହି ପୃଥିବୀ ତଥା ପ୍ରକୃତିକୁ ଏକ ପ୍ରତିଦ୍ବନ୍ଦ୍ବୀ ରୂପେ ଦେଖିଥାଏ। ସୁତରା˚ ପାଶ୍ଚାତ୍ୟ ଦର୍ଶନ ବା ଚିନ୍ତନ ଆଶ୍ରୟୀ ବିଜ୍ଞାନର ଭାଷାରେ ପ୍ରକୃତି ଉପରେ ବିଜୟ ଲାଭ କରିବା ମଣିଷର ଏକ ଧେୢୟ ରୂପେ ବିବେଚିତ ହୋଇ ଆସିଛି। କିନ୍ତୁ ଦେବ ମୁଖ ନିସୃତ ବୋଲି ବିଶ୍ବାସ କରାଯାଉଥିବା ବେଦ (ଅପୌରୁଷେୟ) ଓ ପରବର୍ତ୍ତୀ କାଳରେ ଉପନିଷଦ୍‌ ଉପରେ ଆଶ୍ରୟ କରି ଗଢ଼ି ଉଠିଥିବା ଭାରତୀୟ ଚିନ୍ତନ ମନୁଷ୍ୟ ତଥା ସମଗ୍ର ଜୀବ ଜଗତ୍‌କୁ ପୃଥିବୀ ଓ ପ୍ରକୃତିର ଏକ ଅ˚ଶ ରୂପେ ବିବେଚନା କରିଥାଏ। ସୁତରା˚, ଭାରତୀୟ ପାର˚ପରିକ ଦର୍ଶନରେ ପ୍ରକୃତି ସହିତ ମଣିଷର ସ˚ଘର୍ଷର ସ˚ଦର୍ଭ ନ ଥାଏ। ସେହି ଦୃଷ୍ଟିରୁ ତାହା ଏକ ସମନ୍ବିତ ଜୀବନଶୈଳୀ (ମୂଳତଃ ସମ୍ୟକ ଆହାର, ସମ୍ୟକ ବିଚାର ଏବ˚ ସମ୍ୟକ ନିଦ୍ରା ଉପରେ ଆଧାରିତ) କଥା ହିଁ କହିଥାଏ; ସ˚ପ୍ରତି ଯାହାର ଅନୁପସ୍ଥିତିରେ ପୃଥିବୀର ସର୍ବତ୍ର ମାନବ ଜୀବନ ମାରାତ୍ମକ ବ୍ୟାଧି ବେଷ୍ଟିତ ହୋଇ ଏକ ଗୁରୁତର ସ୍ବାସ୍ଥ୍ୟ ସ˚କଟ ସୃଷ୍ଟି କରିଛି। ତେଣୁ ଏହା ମଧୢ କୁହାଯାଇପାରେ ଯେ କୌଣସି ଭୂତାଣୁ ବା ଜୀବାଣୁର ମୂଳପୋଛ କରି ରୋଗକୁ ଜୟ କରିବାର ଚିନ୍ତନ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନର ମୂଳ ତତ୍ତ୍ବ ହୋଇଥିଲା ବେଳେ ଭାରତୀୟ ଚିକିତ୍ସା ବିଜ୍ଞାନ ଏଭଳି କୌଣସି ସ˚ଘର୍ଷ କଥା ନ କହି, ବରଂ ନିଜ ଶରୀରକୁ ଏକ ରୋଗ ପ୍ରତିରୋଧୢ ଦୁର୍ଗରେ ପରିଣତ କରିବା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଥାଏ; ଯାହା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ ହିଁ କରିପାରିବ ନାହିଁ। ସେହି ଦୃଷ୍ଟିରୁ ଗଲା ମଙ୍ଗଳବାର ଦିନ ଘମାଘୋଟ ପ୍ରଚାର ସହିତ ବଜାରରେ ପ୍ରବେଶ କରିଥିବା ପତଞ୍ଜଳି ଉଦ୍ୟୋଗ ଦ୍ବାରା ପ୍ରସ୍ତୁତ ଆୟୁର୍ବେଦୀୟ ଔଷଧ ‘କରୋନିଲ୍‌’ ଯଦି ନିଜକୁ ‘କୋଭିଡ୍‌-୧୯’ ଭୂତାଣୁ ନାଶକ (କାରଣ ଦାବି ଅନୁସାରେ କରୋନା ସ˚କ୍ରମିତମାନେ ଦୁଇ ସପ୍ତାହ ମଧୢରେ ‘ନେଗେଟିଭ୍‌’ ହୋଇଯାଉଛନ୍ତି) ବୋଲି ଦମ୍ଭୋକ୍ତି ନ କରି ଏହା ବୁଝାଇ ଦେଇଥାଆନ୍ତା ଯେ ଏହାର ବ୍ୟବହାର ଶରୀରକୁ କରୋନା ଅଭେଦ୍ୟରେ ପରିଣତ କରି ଦେଇପାରେ; ତେବେ ହୁଏ’ତ ତାହା ପ୍ରାଚ୍ୟ ଚିନ୍ତନର ଅନୁକୂଳ ହେବା ସହିତ କୌଣସି ବିବାଦକୁ ଜନ୍ମ ଦେଇ ନ ଥାଆନ୍ତା। ସ˚ପ୍ରତି କରୋନା ‘ପାନ୍‌ଡେମିକ୍‌’ ଦ୍ବାରା ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ପୃଥିବୀ ଗୋଟିଏ ପ୍ରତିଷେଧକ ଅଥବା ଫଳପ୍ରଦ ଔଷଧକୁ ନିର୍ନିମେଷ ନୟନରେ ଚାହିଁ ବସିଥିବା ବେଳେ ସମସ୍ତଙ୍କୁ ଚମକାଇ ଦେଇ ସହସା ‘କରୋନିଲ’ର ଆବିର୍ଭାବ ଓ ତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ସ˚କ୍ଷିପ୍ତ ଆଲୋଚନାର ଆବଶ୍ୟକତା ରଖେ।

ପ୍ରକାଶଯୋଗ୍ୟ କି ‘କରୋନିଲ’ର ବଜାର ପ୍ରବେଶର ମାତ୍ର କେଇ ଘଣ୍ଟା ମଧୢରେ ଆୟୁଷ ମନ୍ତ୍ରଣାଳୟ ସତର୍କ ହୋଇଯାଇ କ˚ପାନିକୁ ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାର ଉତ୍ତରରେ କ˚ପାନି ପକ୍ଷରୁ ଅନୁମୋଦନ ପତ୍ର ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏବେ ଯାହା ସ୍ପଷ୍ଟ ହୋଇଛି ତାହା ହେଲା ଏହି ଅନୁମୋଦନ ଲାଗି ଉଦ୍ୟୋଗ ପକ୍ଷରୁ ଆବେଦନ କରାଗଲା ବେଳେ ତହିଁରେ ଏହା ‘କରୋନା’ ନିବାରକ ଔଷଧ ବୋଲି କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲା; ବର˚ ଥଣ୍ତା, କଫ ଓ କାଶ ଭଳି ଉପସର୍ଗକୁ ପ୍ରତିହତ କରିପାରୁଥିବା ଏକ ଶରୀର ପ୍ରତିରୋଧକ ଶକ୍ତିବର୍ଦ୍ଧକ ଔଷଧ ଭାବେ ଏହାକୁ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଏହି ଔଷଧର ‘କରୋନା ନିବାରକ ଫଳପ୍ରଦତା’କୁ ପ୍ରମାଣସିଦ୍ଧ କରିବା ଲାଗି ଯେତିକି ସ˚ଖ୍ୟକ ବ୍ୟକ୍ତିଙ୍କ ଉପରେ ଯେତିକି ପର୍ଯ୍ୟାୟରେ ପ୍ରୟୋଗ ଓ ପରୀକ୍ଷଣ କରାଯିବା ଆବଶ୍ୟକ, ତାହା ହୋଇ ନ ଥିଲା। ସୁତରା˚, କରୋନା ସ˚କ୍ରମଣକୁ ପ୍ରତିହତ କରିବା ବା କରୋନା ସ˚କ୍ରମିତଙ୍କ ଚିକିତ୍ସାରେ ଏହାର ନିର୍ଦ୍ଦିଷ୍ଟ ସଫଳତା ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

କହିବା ବାହୁଲ୍ୟ ଯେ ଭାରତୀୟ ପରିବାରରେ ଆୟୁର୍ବେଦର ଉପସ୍ଥିତି ସର୍ବଦା ରହି ଆସିଛି, ଯାହା ଆଈ ମା’ ଅମଳର ‘ଘରେଲୁ ନୁସ୍‌କା’ (ଘରୋଇ ଉପଚାର) ନାମରେ ପରିଚିତ। ଉଦାହରଣ ସ୍ବରୂପ ଥଣ୍ତା, କଫ ବା କାଶ ଲାଗି ତୁଳସୀପତ୍ର ରସରେ ମହୁ ଓ ଅଦା ରସ ମିଶ୍ରିତ ଦ୍ରବଣ ସେବନ କରିବା ଏବେ ସୁଦ୍ଧା ପ୍ରାୟ ଅଧିକା˚ଶ ଭାରତୀୟ ପରିବାରରେ ପରିଦୃଷ୍ଟ। ବୈଦିକ ଯୁଗରୁ ଉପଲବ୍‌ଧ ଏହି ଜ୍ଞାନ (ଋକ୍‌ ଓ ଅଥର୍ବ ବେଦର ଅ˚ଶ) ବିବର୍ତ୍ତିତ ହୋଇ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ସୁଶ୍ରୁତ (ଶଲ୍ୟ ଚିକିତ୍ସକ) ଏବ˚ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଚରକ (ଔଷଧ ବିଶାରଦ)ଙ୍କ ଦ୍ବାରା ପ୍ରଣୀତ ଯଥାକ୍ରମେ ‘ସୁଶ୍ରୁତ ସ˚ହିତା’ ଏବ˚ ‘ଚରକ ସ˚ହିତା’ ରୂପରେ ଉଭୟ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତିର ମାନ୍ୟତା ପାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଉଚ୍ଚତର ଗବେଷଣା ତଥା ଏହାକୁ ଯୁଗୋପଯୋଗୀ କରାଯିବାର ପ୍ରଚେଷ୍ଟା ଅଭାବରୁ ଏହି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯେତିକି ପ୍ରଗତି ହେବା କଥା, ତାହା ହୋଇପାରିନାହିଁ। ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ଭାରତରେ ଶହେରୁ ଦେଢ଼ ଶହ ବର୍ଷର ପୁରୁଣା ଆୟୁର୍ବେଦୀୟ ଔଷଧ ଏବ˚ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ ଉଦ୍ୟୋଗ ରହି ବେଶ୍‌ ଲାଭଜନକ ବ୍ୟବସାୟ କରି ଆସିଥିବା ସତ୍ତ୍ବେ ଏହି କିଛି ବର୍ଷ ହେଲା ଭାରତରେ ଆୟୁର୍ବେଦ ଯେଉଁ ଜନାଦୃତି ଲାଭ କରିଛି, ତା’ ପଛରେ ରହିଛି ‘ପତଞ୍ଜଳି ଉଦ୍ୟୋଗ’ ଏବ˚ ଏହାର ପ୍ରତିଷ୍ଠାତା ବାବା ରାମଦେବଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ। କେବଳ ସେତିକି ନୁହେଁ, ବିଜେପି ନେତୃତ୍ବାଧୀନ ‘ଏନ୍‌ଡିଏ’ ସରକାରଙ୍କ ଅମଳରେ ଆୟୁର୍ବେଦର ପ୍ରସାର ଓ ଗବେଷଣା ଉପରେ ବିଶେଷ ଧୢାନ ଦିଆଯିବା ସହିତ ଏହାର ତତ୍ତ୍ବାବଧାନ ଲାଗି ‘ଆୟୁଷ ମନ୍ତ୍ରଣାଳୟ’ର ଗଠନ କରାଯାଇଛି। କହିବା ବାହୁଲ୍ୟ ଯେ ଉଦ୍ଭିଦ ସ˚ପଦରେ ନିହିତ ଥିବା ଚମତ୍କାରୀ ଔଷଧୀୟ ସମ୍ଭାବନା ଆଧାରରେ ବିକଶିତ ଆୟୁର୍ବେଦ ମଧୢ ଏକ ବିଜ୍ଞାନ, ଯାହାର ବିକାଶ ଆଧୁନିକ ବୈଜ୍ଞାନିକ ଆଭିମୁଖ୍ୟ ବହନକାରୀ ଉଚ୍ଚତର ଗବେଷଣା ଦ୍ବାରା ସମ୍ଭବ। ଏବ˚ ଏଥିରେ ସଫଳତା ଲାଭ କରିବା ପାଇଁ ସମୟ, ନିଷ୍ଠା ଓ ଅଧୢବସାୟ ଆବଶ୍ୟକ। ଏହି ତିନିଟି ବିଭବ ଉପରେ ଗୁରୁତ୍ବ ନ ଦେଇ ପାଶ୍ଚାତ୍ୟ ପୃଷ୍ଠପୋଷକତାରେ ସ˚ପ୍ରତି ସବିଶ୍ବ ମୁଖ୍ୟ ସ୍ରୋତର ଚିକିତ୍ସା ପଦ୍ଧତି ଭାବେ ଗୃହୀତ ‘ଏଲୋପାଥି’ ସହିତ ଏକା ବେଳକେ ପ୍ରତିଦ୍ବନ୍ଦ୍ବିତାରେ ଓହ୍ଲାଇ ପଡ଼ି ତତ୍‌କ୍ଷଣାତ୍‌ ବିଜୟ ଲାଭ କରିବାର ଆଗ୍ରହାତିଶଯ୍ୟରେ ଯଦି କୌଣସି ଉଦ୍ଭାବନ କରିବାର ଦାବି କରାଯାଏ ଏବ˚ ପର କ୍ଷଣରେ ତାହା ବିଭ୍ରାନ୍ତିକର ବୋଲି ଜଣାପଡ଼େ, ତେବେ ତାହା ପ୍ରକାରାନ୍ତରେ ଆୟୁର୍ବେଦ ଶାସ୍ତ୍ର ଓ ଚିକିତ୍ସା ପଦ୍ଧତି ଲାଗି ହିଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ; ଏଭଳି ଉଦ୍ୟମ ହୁଏ’ତ ଏକ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିପାରେ।

ଏହା ଅନସ୍ବୀକାର୍ଯ୍ୟ ଯେ ଭାରତର ଏକ ବିଶାଳ ସ˚ଖ୍ୟକ ଜନସାଧାରଣଙ୍କ ଉପରେ ବାବା ରାମଦେବ ଓ ପତଞ୍ଜଳି ବ୍ରାଣ୍ତର ଗଭୀର ପ୍ରଭାବ ରହିଛି। ସୁତରା˚, ଏହା ସେହି ଉଦ୍ୟୋଗର ଦାୟିତ୍ବକୁ ବହୁଗୁଣିତ କରିଥାଏ। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୭ରେ ବନ୍ଧ୍ୟା ଦୋଷ ଦୂର କରିବା ଲାଗି ‘ଦିବ୍ୟ ଫର୍ମାସି’ ଦ୍ବାରା ପ୍ରସ୍ତୁତ ଏକ ଆୟୁର୍ବେଦୀୟ ଔଷଧ ପୁତ୍ର ସନ୍ତାନ ଉପୁଜାଇବାର ପ୍ରତିଶ୍ରୁତି ପ୍ରଦାନ କରିଥିଲା; ଯାହା ସେହି ସମୟରେ ଏକ ବିବାଦର କାରଣ ମଧୢ ହୋଇଥିଲା। ଏଭଳି ପ୍ରତିଶ୍ରୁତି ଯଦି ବିଜ୍ଞାନ ସମ୍ମତ ଗବେଷଣା ଦ୍ବାରା ପ୍ରମାଣସିଦ୍ଧ, ତେବେ, ତାହା ସ୍ବାଗତଯୋଗ୍ୟ। କିନ୍ତୁ ଭରସାସ୍ପଦ ହେଉ ନ ଥିବା ଉପଚାରର ପ୍ରତିଶ୍ରୁତି ଯେଉଁ ବିଶ୍ବାସ ହାନିର କାରଣ ହେବ, ତାହା ଦ୍ବାରା ପ୍ରକୃତରେ ଆୟୁର୍ବେଦ ହିଁ ଅଧିକ କ୍ଷତିଗ୍ରସ୍ତ ହେବ।

ସମ୍ବନ୍ଧିତ ଖବର