‘ମଇଳା’ ରଙ୍ଗ

ସବୁ ଓଡ଼ିଆଙ୍କ ଏକାନ୍ତ ପରିଚିତ ଗାୟକ ଅକ୍ଷୟ ମହାନ୍ତିଙ୍କ ଏକ ଅଭୁଲା ଗୀତ ‘ଯା’ରେ ନଉକା ଭାସି ଯାଆ’ରେ ଥିବା ଗୋଟିଏ ଧାଡ଼ି- ‘ଯିଏ ଦେଖୁଛି, ନାକ ଟେକୁଛି, ମୁଁ କାଳେ କାଳୀ କନିଆ’-ରେ ଜଣେ ଯୁବତୀ ତାର ତ୍ବଚାର ବର୍ଣ୍ଣ ସକାଶେ ବିଭିନ୍ନ ସମ୍ଭାବ୍ୟ ବରପାତ୍ରଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବାର ଯେଉଁ ମର୍ମଦାହ ପ୍ରକାଶ କରିଛି, ତାହା ଆମ ଭିତରେ ଅତ୍ୟନ୍ତ ଦେହସୁହା ହୋଇ ଯାଇଥିବା ରଙ୍ଗ‌େଭଦ ହେତୁ ବିଶେଷ କୌଣସି ସାମୂହିକ ବିଚଳିତବୋଧ ସୃଷ୍ଟି କରି ନଥାଏ। ଭାରତ ଭଳି ଏକ ରାଷ୍ଟ୍ର, ଯହିଁରେ ଜନସ˚ଖ୍ୟାର ଅର୍ଧାଧିକ ବାଦାମୀ (ଗହମ) ବା ଶ୍ୟାମଳ ବର୍ଣ୍ଣୀ ତ୍ବଚାର ଅଧିକାରୀ, ସେଠାରେ ଗୌର ବର୍ଣ୍ଣ ଦ˚ପତିଙ୍କ ଠାରେ ଜନ୍ମିତ ଶ୍ୟାମାଙ୍ଗ ସନ୍ତାନ ‘ମଇଳା’ ରଙ୍ଗର ବୋଲି ସାଧାରଣରେ ବର୍ଣ୍ଣିତ ହେବା ଯେଉଁ ବିଦ୍ବେଷ ବହନକାରୀ ମନୋଭାବର ପରିଚୟ ଦେଇଥାଏ, ତାହା ହୁଏ’ତ ଯୁକ୍ତରାଷ୍ଟ୍ର ଆମେରିକା ବା ଦକ୍ଷିଣ ଆଫ୍ରିକାରେ ପରିଦୃଶ୍ୟ ହେଉଥିବା ଭଳି କିଛି ନାଗରିକ ଅଧିକାରର ହନନ କରୁ ନ ଥାଇପାରେ, କିନ୍ତୁ ତାହା ଅତ୍ୟନ୍ତ ବିମର୍ଷକର ସାମାଜିକ ଲା˚ଛନାର କାରଣ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗଲା ଜୁନ୍‌ ୨୫ ତାରିଖରେ ଭାରତର ସର୍ବାଧିକ ଲୋକପ୍ରିୟ ମୁହଁରେ ବୋଳା ଯାଉଥିବା କ୍ରିମ୍‌ ‘ଫେୟାର‌୍‌ ଏଣ୍ତ ଲଭ୍‌ଲି’ ତାର ନାମରୁ ‘ଫେୟାର’ ବା ‘ଗୋରା’ ଶବ୍ଦଟିକୁ ହଟାଇ ନେବା ସକାଶେ ଗ୍ରହଣ କରିଥିବା ଏକ ନିଷ୍ପତ୍ତି ବିଶେଷ ପ୍ରଣିଧାନଯୋଗ୍ୟ। ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଣ୍ଣବୈଷମ୍ୟକୁ କେନ୍ଦ୍ର କରି ଜଳି ଉଠିଥିବା ବିରୋଧର ନିଆଁ ପରିପ୍ରେକ୍ଷୀରେ ଅଳ୍ପ ଦିନ ତଳେ ବହୁରାଷ୍ଟ୍ରୀୟ କ˚ପାନି ‘ଜନ୍‌ସନ୍‌ସ ଏଣ୍ତ ଜନ୍‌ସନ୍‌ସ’ ତାର ଏକ ଲୋକପ୍ରିୟ ବ୍ରାଣ୍ତ ‘କ୍ଲିନ୍‌ ଏଣ୍ତ କ୍ଲିଅର୍‌’ର ଉତ୍ପାଦନକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେବା ପରେ ‘ଫେୟାର୍‌ ଏଣ୍ତ ଲଭ୍‌ଲି’ର ନିର୍ମାଣକାରୀ କ˚ପାନି ‘ହିନ୍ଦୁସ୍ଥାନ ୟୁନିଲିଭର’ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠିଥାଏ, ତାହା ହେଲା ଏଭଳି ଏକ ପଦକ୍ଷେପ କ’ଣ ଆମ ସମାଜରେ ଅନ୍ତଃ ସଲିଳା ଭାବେ ପ୍ରବହମାନ ରଙ୍ଗ ଭେଦର ଅବସାନ ଘଟାଇବା ଦିଗରେ କିଛି ନୂତନ ଚିନ୍ତନ ବା ବିବେକବୋଧ ସୃଷ୍ଟି କରିବ? ନା ଏହା କେବଳ ମାତ୍ର ପ୍ରସାଧନଧର୍ମୀ ହୋଇ ରହିଯିବ?

କହିବା ନିଷ୍ପ୍ରୟୋଜନ ଯେ ତ୍ବଚାର ରଙ୍ଗକୁ କୃଷ୍ଣ ବା ଶ୍ୟାମଳରୁ ଗୌରକୁ ରୂପାନ୍ତରିତ କରିବାର ପ୍ରତିଶ୍ରୁତିର ମୂଳଦୁଆ ଉପରେ ହିଁ ଆମ ଦେଶରେ ପ୍ରସାଧନ ଉଦ୍ୟୋଗର ବିଶାଳ ହର୍ମ୍ୟ ଦଣ୍ତାୟମାନ। ପ୍ରାକ୍‌-ସ୍ବାଧୀନତା କାଳରୁ ‘ଆଫଗାନ ସ୍ନୋ’ରୁ ଆରମ୍ଭ କରି ଆଜିର ‘ଫେୟାର‌୍‌ ଏଣ୍ତ ଲଭ୍‌ଲି’ ପର୍ଯ୍ୟନ୍ତରେ ବିଭିନ୍ନ ବ୍ରାଣ୍ତ୍‌ର ଅସ˚ଖ୍ୟ କ୍ରିମ୍‌ ଏବ˚ ଲୋସନ ତ୍ବଚାର ରଙ୍ଗ ପରିବର୍ତ୍ତନ କରିପାରିବାର ସାମର୍ଥ୍ୟ ନେଇ ଦାବି କରି ଆସିଛନ୍ତି। ଏକ ହିସାବରୁ ଜଣାପଡ଼ିଛି ଗୋଟିଏ ଗୌର ବର୍ଣ୍ଣା ଭାରତ ସୃଷ୍ଟିର ଲକ୍ଷ୍ୟରେ ଏହି ବ୍ରାଣ୍ତ୍‌ଗୁଡ଼ିକ ବାର୍ଷିକ ପ୍ରାୟ ୩.୫୦୦ କୋଟି ଟଙ୍କାର ବ୍ୟବସାୟ କରିଥାଆନ୍ତି। ପୁଣି ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଆମ ଦେଶରେ ବିବାହ କ୍ଷେତ୍ରରେ ଏବେ ସୁଦ୍ଧା ‘ଆରେନ୍‌ଜ୍‌ଡ ମ୍ୟାରେଜ୍‌’ ବା ‘ବନ୍ଦୋବସ୍ତ ବାହାଘର’ ମୁଖ୍ୟ ସ୍ରୋତୀୟ ହୋଇ ରହିଥିବାରୁ କନ୍ୟାର ତ୍ବଚାର ରଙ୍ଗ କୌଣସି ସମ୍ଭାବ୍ୟ ବରପାତ୍ର ବା ତା’ ପରିବାର ଦ୍ବାରା ଚୟନର ଏକ ମୁଖ୍ୟ ମାପକାଠି ହୋଇ ରହି ଆସିଛି। ସେଥିଲାଗି ବାହାଘର ସକାଶେ ପାତ୍ରୀ ଅନ୍ବେଷଣ ଲାଗି ଦିଆଯାଉଥିବା ବିଜ୍ଞାପନରେ ସର୍ବଦା ଗୌର ବର୍ଣ୍ଣକୁ ହିଁ ପସନ୍ଦଯୋଗ୍ୟତାର ତାଲିକାରେ ଶୀର୍ଷତମ ସ୍ଥାନରେ ରଖାଯାଇଥାଏ। ଏହି କାରଣରୁ ଶ୍ୟାମଳାଙ୍ଗୀ କନ୍ୟା ସନ୍ତାନଙ୍କ ପିତାମାତାମାନେ ଅନେକ ସମୟରେ ଝିଅର ଜନ୍ମ କ୍ଷଣରୁ ହିଁ ତାର ବିବାହ ଯୋଗ୍ୟତାରେ ଏହି ଖୁଣକୁ ନେଇ ମୁହ୍ୟମାନ ହୋଇ ପଡ଼ନ୍ତି। ସେହି ଦୃଷ୍ଟିରୁ ଭାରତୀୟ ସମାଜରେ ତ୍ବଚାର ବର୍ଣ୍ଣ ଯେ ଲିଙ୍ଗଭିତ୍ତିକ ତାରତମ୍ୟ ମଧୢ ସୃଷ୍ଟି କରିଥାଏ, ତାହା କହିବା ବାହୁଲ୍ୟ ମାତ୍ର। ଏହି ସ˚ଦର୍ଭରେ ଭାରତୀୟ ଚଳଚ୍ଚିତ୍ର ଜଗତ୍‌କୁ ଏକ ଉଦାହରଣ ରୂପେ ନିଆଯାଇପାରେ; ଯେମିତି କି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ରଜନୀକାନ୍ତ ବା ବିଜୟ ଇତ୍ୟାଦିଙ୍କ ଭଳି ଅନେକ କୃଷ୍ଣକାୟ ଅଭିନେତା ଚଳଚ୍ଚିତ୍ରରେ ସେମାନଙ୍କ ପ୍ରାକୃତିକ ତ୍ବଚାର ରଙ୍ଗ ସହ ପ୍ରଦର୍ଶିତ ହୋଇ ‘ସୁପର‌୍‌ ଷ୍ଟାର’ ରୂପେ ଅନତିକ୍ରମ୍ୟ ଲୋକପ୍ରିୟତା ହାସଲ କରିପାରିଥିବା ବେଳେ ‘ସୁପର ହିରୋଇନ୍‌’ମାନଙ୍କୁ ଶ୍ୟାମଳାଙ୍ଗୀ ରୂପେ ପ୍ରଦର୍ଶିତ କରାଯାଇ ନ ଥାଏ। ଏଠାରେ ଯାହା ପ୍ରାସଙ୍ଗିକ ତାହା ହେଲା ଦକ୍ଷିଣ ଭାରତୀୟ ସିନେମାର ସି˚ହ ଭାଗ ହେଉଛି ତାମିଲ ଚଳଚ୍ଚିତ୍ର ଏବ˚ ଏହାର ମୁଖ୍ୟ ପୃଷ୍ଠପୋଷକ ରାଜ୍ୟ ତାମିଲନାଡୁର ଜନସ˚ଖ୍ୟାର ୭୫%ରୁ ଅଧିକ ଶ୍ୟାମଳାଙ୍ଗ। ସେହିଭଳି ବଲିଉଡ୍‌ରେ ଏକଦା ସ୍ମିତା ପାଟିଲ ବା ନନ୍ଦିତା ଦାସଙ୍କ ଭଳି ଅତ୍ୟନ୍ତ ପ୍ରତିଭାମୟୀ ଅଭିନେତ୍ରୀ ଆବିର୍ଭୂତ ହୋଇଥିଲେ ମଧୢ ସେମାନଙ୍କ ତ୍ବଚାର ରଙ୍ଗ ସମ୍ଭବତଃ ସେମାନଙ୍କୁ ସେହିଭଳି ଲୋକପ୍ରିୟତା ପ୍ରଦାନ କରି ନ ଥିଲା, ଯେଉଁଥି ଲାଗି ସେମାନଙ୍କ ଠାରେ ଯୋଗ୍ୟତାର ଅଭାବ ନ ଥିଲା। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏକ ପ୍ରସାଧନ ସାମଗ୍ରୀର ବ୍ରାଣ୍ତ୍‌ ନାମରେ ପରିବର୍ତ୍ତନ କରିଦେଲେ ଭାରତୀୟମାନଙ୍କ ମାନସିକତାରେ ଗୌର ବର୍ଣ୍ଣ ପ୍ରତି ଥିବା ଅହେତୁକ ଆକର୍ଷଣ ହ୍ରାସ ପାଇବ କି? ବ୍ରାଣ୍ତ୍‌ର ନାମରେ ରଙ୍ଗ ଭେଦର ଚିହ୍ନ ରହି ନ ପାରେ; କିନ୍ତୁ ଏହାର ବିକ୍ରୟ ଲାଗି କ’ଣ ପ୍ରତିଶ୍ରୁତି ଦିଆଯିବ?

ନୃତତ୍ତ୍ବବିତ୍‌ମାନଙ୍କ ଗବେଷଣା କହିଥାଏ ଯେ ବିବର୍ତ୍ତନର ସ୍ରୋତରେ ‘ନାଚୁରାଲ ସିଲେକ୍‌ସନ’ ବା ‘ପ୍ରାକୃତିକ ଚୟନ’ ଦ୍ବାରା ଯେଉଁ ମର୍କଟ ପୁଞ୍ଜାକ ଭବିଷ୍ୟତ୍‌ରେ ମଣିଷ ହେବା ଦିଗରେ ପାଦ ବଢ଼ାଇଲେ, ସେମାନଙ୍କ ଶରୀରର ଲୋମ କ୍ରମେ ଲୋପ ପାଇବା ସହିତ ସେମାନଙ୍କ ଅନାବୃତ ଚର୍ମକୁ ସୂର୍ଯ୍ୟଙ୍କ କିରଣରୁ ସୁରକ୍ଷା ଦେବା ଲାଗି ପ୍ରାକୃତିକ ରୂପେ ‘ୟୁ-ମେଲାନିନ୍‌’ର ଆବିର୍ଭାବ ଘଟିଥିଲା। ଏହି ମେଲାନିନ କାରଣରୁ ଆଫ୍ରିକାରେ ହିଁ ସୃଷ୍ଟିର ପ୍ରଥମ ମାନବ କୃଷ୍ଣକାୟ ଶରୀର ଧାରଣ କରି ଉଭା ହୋଇଥିଲା। ପରବର୍ତ୍ତୀ କାଳରେ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ଗମନ କରିଥିବା ଏହି ମଣିଷମାନେ ସୂର୍ଯ୍ୟ କିରଣର ପ୍ରାବଲ୍ୟ ଅନୁସାରେ କମ୍‌ ବା ଅଧିକ ମେଲାନିନ ଧାରଣ କରି ସ୍ଥଳ ବିଶେଷରେ କୃଷ୍ଣକାୟ, ଶ୍ୟାମଳ, ଗୌର ବର୍ଣ୍ଣ ଏବ˚ ଶ୍ବେତାଙ୍ଗ ଏପରିକି ଧବଳ ଶୁଭ୍ରାଙ୍ଗରେ ପରିଣତ ହୋଇଥିଲେ। କିନ୍ତୁ ସଭ୍ୟତାର ବିକାଶ କ୍ରମରେ ପୃଥିବୀ ‌େଶ୍ବତାଙ୍ଗଙ୍କ (ଭାରତରେ ଗୌର ବର୍ଣ୍ଣର ଆର୍ଯ୍ୟ) ପ୍ରଭାବ କ୍ଷେତ୍ରରେ ପରିଣତ ହେବା କାରଣରୁ ମାନବୀୟ ପରିକଳ୍ପନାରେ ରଙ୍ଗ ଭେଦ ଆଧାରରେ ଶ୍ବେତ ବର୍ଣ୍ଣ ଓ କୃଷ୍ଣ ବର୍ଣ୍ଣ ଯଥାକ୍ରମେ ଉଚ୍ଚ ଓ ନୀଚ ସ୍ଥାନ ପରିଗ୍ରହଣ କଲେ, ଯାହା ଏ ଯାବତ୍‌ ମଣିଷର ମନରେ ଓ ଧାରଣାରେ ବଳବତ୍ତର ହୋଇ ରହିଆସିଛି।

ନିକଟରେ ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ତ୍ୟା ତାଙ୍କର ବାନ୍ଧବୀ ସର୍ବୀୟ ଗଣତନ୍ତ୍ରର କନ୍ୟା ତଥା ଅଭିନେତ୍ରୀ ଶୁଭ୍ରାଙ୍ଗୀ ନତାଶା ଷ୍ଟାନକୋଭିକ୍‌ଙ୍କୁ ବିବାହ କରିବା ପରେ ସେମାନଙ୍କ ମଧୢରେ ଥିବା ତ୍ବଚାଗତ ବର୍ଣ୍ଣ ପ୍ରଭେଦକୁ ନେଇ ସେ ସାମାଜିକ ଗଣମାଧୢମରେ ଅନେକ ପରିହାସର ସାମନା କରିଛନ୍ତି। ଏହି ବିଦ୍ରୂପକାରୀଙ୍କ ମଧୢରେ ଅସ˚ଖ୍ୟ ଅଛନ୍ତି ମିଲେନିଏଲ୍‌ ଏବ˚ ଏବର ‘ଜେନେ‌େରସନ ଜେଡ୍‌’ ବର୍ଗର। ଏହି ଘଟଣାଟି ଯାହା ପ୍ରମାଣ କରିଛି ତାହା ହେଲା ବିଭିନ୍ନ ଉଦାର ଚିନ୍ତାଧାରା ଦ୍ବାରା ଅତ୍ୟନ୍ତ ପ୍ରଶସ୍ତ ହୋଇଥିବା ଭାରତୀୟଙ୍କ ମନ ଭିତରେ ଏବେ ବି ରଙ୍ଗ ଭେଦ ଏକ ମଇଳା ଭଳି ରହିଛି, ଯାହା ଶୀଘ୍ର ଦୂର ହେବାର ଆଶା କ୍ଷୀଣ।

ସମ୍ବନ୍ଧିତ ଖବର