ସମୟର ଚକ୍ର

ପିଲା ବେଳେ ସ୍କୁଲରେ ପଢୁଥିବା ସମୟରେ ଯଦି ଗୋଟିଏ ‘ଆଟଲାସ୍‌’ କେବେ କାହାକୁ ଆକର୍ଷିତ କରିଥାଏ, ତେବେ ତାର କାରଣ ହୁଏ’ତ ହେବ ତହିଁରେ ସ୍ଥାନ ପାଇଥିବା ହରେକ ରଙ୍ଗ ଦ୍ବାରା ରଙ୍ଗାୟିତ ବିଭିନ୍ନ ଦେଶର ରାଜନୈତିକ ଓ ଭୌଗୋଳିକ ମାନଚିତ୍ର। ସେ ସବୁ ଦେଖୁଥିବା ବେଳେ କୌଣସି ବାଳକ ବା ବାଳିକାଙ୍କ ନିରୀହତା ପଣ ଅତିକ୍ରମ କରି ଏ କଥା ମୁଣ୍ତରେ ପ୍ରବେଶ କରି ନଥାଏ ଯେ ମାନଚିତ୍ରରେ ଦର୍ଶାଯାଇଥିବା ସୀମାରେଖାଗୁଡ଼ିକ କେବଳ ମାତ୍ର କାଗଜ ଉପରେ ପଡ଼ିଥିବା ଗାର ନୁହନ୍ତି; ଏ ସବୁ ଯେ କୌଣସି ରାଷ୍ଟ୍ର ସକାଶେ ସାର୍ବଭୌମ ସମ୍ମାନର ଅନତିକ୍ରମ୍ୟ ଲକ୍ଷ୍ମଣ ରେଖା। ପ୍ରାଚୀନ କାଳରେ ଯେତେବେଳେ ରାଜା ବା ସମ୍ରାଟମାନଙ୍କ ଦ୍ବାରା ରାଜ୍ୟ ବିସ୍ତାର କରିବା ଏକ ନିୟମିତ ପ୍ରକରଣ ଥିଲା, ସେତିକି ବେଳେ ଅନେକ ସମୟରେ ବିଭିନ୍ନ ରାଜ୍ୟ (ତତ୍କାଳୀନ ରାଜାମାନଙ୍କ ଲାଗି ଦେଶ)ର ମାନଚିତ୍ର ବଦଳି ଯାଉଥିଲା। ତେବେ ବି˚ଶ ଶତାବ୍ଦୀର ଶେଷାର୍ଧ ବେଳକୁ ଶିଳ୍ପ ବିପ୍ଳବ, ଉପନିବେଶବାଦର ସମାପ୍ତି ତଥା ଗଣତନ୍ତ୍ରର ବିକାଶ କ୍ରମରେ ପ୍ରାୟ ସମସ୍ତ ରାଷ୍ଟ୍ର ଆପଣା ଲାଗି ଗୋଟିଏ ଲେଖା ସ୍ଥିିର ମାନଚିତ୍ର ପାଇ ଯାଇଥିଲେ; ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ପୃଥିବୀରେ ରାଜବ˚ଶଗୁଡ଼ିକର ପରାକ୍ରମ ନିଷ୍ପ୍ରଭ ହୋଇଯାଇଥିଲା ଏବ˚ ରାଜ୍ୟ ସ˚ପ୍ରସାରଣ କରିବାର ମାନସିକତା ଅଚଳ ମୁଦ୍ରାରେ ପରିଣତ ହୋଇଥିଲା। ସୁତରା˚, ବି˚ଶ ଶତାବ୍ଦୀର ଶେଷାର୍ଧ ଓ ଏକବି˚ଶ ଶତାବ୍ଦୀରେ ଯେଉଁ ଭଳି ଏକ ବିଶ୍ବର ଚିତ୍ର ସାଧାରଣତଃ ସମସ୍ତଙ୍କ ପରିକଳ୍ପନାରେ ରହିଥିଲା, ତାହା ହେଉଛି ପ୍ରଭୂତ ଆର୍ଥିକ, ବୈଜ୍ଞାନିକ, ପ୍ରାଦ୍ୟୋଗିକ ତଥା ପ୍ରାବିଧିକ ବିକାଶ ସହିତ ଦାରିଦ୍ର୍ୟ ନିର୍ମୂଳନ, ସାମାଜିକ ନ୍ୟାୟ ପ୍ରତିଷ୍ଠା ତଥା ପାରସ୍ପରିକ ସହଯୋଗ ଓ ପ୍ରତିଯୋଗିତାର ଏକ ସୂକ୍ଷ୍ମ ଭାରସାମ୍ୟ ଆଧାରରେ ଆର୍ଥିକ ସମୃଦ୍ଧି ଦିଗରେ ଅଗ୍ରସର ହେଉଥିବା ଏକ ପୃଥିବୀ। ହୁଏ’ତ ଏକବି˚ଶ ଶତାବ୍ଦୀର ପ୍ରଥମ ଊଣେଇଶ ବର୍ଷର ସମାପ୍ତି ପର୍ଯ୍ୟନ୍ତ ଏଭଳି ଆଶା ଅତ୍ୟନ୍ତ ଜୀବନ୍ତ ଥିଲା।

କିନ୍ତୁ ୨୦୨୦ ବର୍ଷ ପ୍ରାରମ୍ଭର ମାତ୍ର ଛଅ ମାସ ସମୟ ଖଣ୍ତ ମଧୢରେ କିଭଳି ଦୃଶ୍ୟ ଦେଖିବାକୁ ମିଳିଛି? ଏକ ‘ପାନ୍‌ଡେମିକ୍‌’ (ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ମେଡିକାଲ କଲେଜମାନଙ୍କରେ ପଢ଼ାଯାଉଥିବା ‘କମ୍ୟୁନିଟି ମେଡିସିନ୍‌’ ପାଠ୍ୟକ୍ରମରେ ଏ କଥା କୁହାଯାଉଥିଲା ଯେ ଅନ୍ତତଃ ଆଜି ପୃଥିବୀ ସ୍ବାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଯେତିକି ପ୍ରଗତି ହାସଲ କରିଛି, ତହିଁରେ ଅନ୍ତତଃ ପକ୍ଷେ ‘ପାନ୍‌ଡେମିକ୍‌’ଟିଏ ହେବାର ଆଶଙ୍କା ନାହିଁ), ବର୍ଣ୍ଣ-ବୈଷମ୍ୟ ଆଧାରରେ ବିଭାଜିତ ଜନ ସମୁଦାୟ, ମାନଚିତ୍ରରେ ପ୍ରଦର୍ଶିତ ସୀମାରେଖାକୁ ଅଗ୍ରାହ୍ୟ କରି ପୃଥିବୀର ଦୁଇଟି ସର୍ବାଧିକ ଜନବହୁଳ ରାଷ୍ଟ୍ର ତଥା ଦୁଇ ବୃହତ୍‌ ଶକ୍ତି ଓ ପଡ଼ୋଶୀ ସେମାନଙ୍କ ବିଶାଳ ସୈନ୍ୟ ବଳକୁ ସୀମାନ୍ତରେ ପରସ୍ପରର ମୁହାଁମୁହିଁ ଛିଡ଼ା କରାଇ ସୃଷ୍ଟି କରିଥିବା ଏକ ଅତ୍ୟନ୍ତ ବିପଜ୍ଜନକ ଯୁଦ୍ଧପ୍ରାୟ ପରିସ୍ଥିତି; ଯହିଁରୁ ଏଭଳି ଏକ ଧାରଣା ଜାତ ହୋଇଥାଏ ସତେ ଯେମିତି ପୃଥିବୀ ହଠାତ୍‌ ନିଜକୁ ଅନେକ ବର୍ଷ ତଳେ ଅବତୀର୍ଣ୍ଣ ହୋଇଥିବା ଭଳି ଆବିଷ୍କାର କରିଛି; ହୁଏ’ତ ସେହି କ୍ରମରେ ଆଜିକାର ‘ମିଲେନିଏଲ୍‌’ ବା ‘ଜେନେରେସନ୍‌ ଜେଡ୍‌’ର ସନ୍ତାନମାନେ ‘ଗୁଗଲ’ରେ ‘ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍‌ସ’ ବା ‘ଏ.ଆଇ.’ ସମ୍ବନ୍ଧରେ ଅଧିକ ଜାଣିବା ଲାଗି ତଥ୍ୟର ଅନୁସନ୍ଧାନ ନ କରି ଚୀନର କ୍ବିଙ୍ଗ ରାଜବ˚ଶ, ମାକମୋହନ ଲାଇନ, ସ୍ପେନିସ ଫ୍ଲୁ ଏବ˚ ବର୍ଣ୍ଣ-ବୈଷମ୍ୟବାଦର ଇତିହାସ ସ˚ପର୍କରେ ସଘନ ସନ୍ଧାନ ପ୍ରାରମ୍ଭ କରି ଦେଇଛନ୍ତି; ପୁଣି ପୁରୁଣା ଆଟଲାସ ଖୋଲି ଦେଶର ସୀମାରେଖା ଉପରେ ଧାରଣା ସୃଷ୍ଟିର ପ୍ରୟାସ କରାଯାଉଛି।

ହିନ୍ଦୁ ଏବ˚ ବୌଦ୍ଧ ଧର୍ମୀୟ ଦର୍ଶନରେ ସମୟ ଚକ୍ର (ଚକା)କୁ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ଏହି ଦର୍ଶନ କହିଥାଏ ଯେ ସମୟ କୌଣସି ଗୋଟିଏ ଦିଗରେ ପ୍ରବହମାନ ଧାରା ନୁହେଁ; ଏହା ଚକ୍ରାକାରରେ ଘୂର୍ଣ୍ଣାୟମାନ ହେଉଥାଏ; ଯାହା ଫଳରେ ପୃଥିବୀ ପୃଷ୍ଠରେ ଅତୀତର ପୁନରାବୃତ୍ତି ଘଟି ଚାଲିଥାଏ। ସ˚ପ୍ରତି କରୋନା ‘ପାନ୍‌ଡେମିକ୍‌’ ସବିଶ୍ବ ଯେଉଁଭଳି ଏକ ପରିସ୍ଥିତି ସୃଷ୍ଟି କରିଛି, ତହିଁରେ ଏହା ନିଶ୍ଚିତ ହୋଇ ସାରିଲାଣି ଯେ ବିଶ୍ବର ଆର୍ଥିକ ଦୁରବସ୍ଥା ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ସ୍ଥିତି ସହିତ ସମତୁଲ ହୋଇଯିବ ବା ତା’ ଠାରୁ ଆହୁରି ନିମ୍ନଗାମୀ ହୋଇପାରେ। ଏକ ପ୍ରତିଷେଧକ ବା ଔଷଧର ଅନୁପସ୍ଥିତିରେ ଏଭଳି ଏକ ‘ପାନ୍‌ଡେମିକ୍‌’ ସହିତ କିଭଳି ଆଚରଣ ପ୍ରଦର୍ଶନ କରାଯିବା ଉଚିତ, ସେ ନେଇ ପୃଥିବୀର ସର୍ବାଧିକ ବୁଦ୍ଧିମାନ ଏବ˚ ବିଦ୍ବାନଙ୍କ ଦ୍ବାରା ସମୃଦ୍ଧ ରାଷ୍ଟ୍ରମାନେ ମଧୢ କି˚କର୍ତ୍ତବ୍ୟବିମୂଢ଼; ଯେଉଁଭଳି ସ୍ଥିତି ଦେଇ ଆଜିକୁ ଶହେ ବର୍ଷ ତଳେ ଅର୍ଥାତ୍‌ ୧୯୧୮ର ‘ସ୍ପେନିସ୍‌ ଫ୍ଲୁ’ ସମୟରେ ହୁଏ’ତ ଏହି ସବୁ ରାଷ୍ଟ୍ର ଗତି କରିଥିବେ। ଏହି ସ˚ଦର୍ଭରେ ସ˚ପ୍ରତି ଚୀନର ସାମ୍ରାଜ୍ୟ ସ˚ପ୍ରସାରଣ ମାନସିକତା, ଯାହା ଏସୀୟ ଭୂଖଣ୍ତରେ ଭାରତ ସମେତ ଜାପାନ, ତାଇଵାନ, ଫିଲିପାଇନ୍‌ସ, ଭିଏତ୍‌ନାମ, ଇଣ୍ତୋନେସିଆ ପର୍ଯ୍ୟନ୍ତରେ ବିଭିନ୍ନ ରାଷ୍ଟ୍ରକୁ ‘ପ୍ରଭୁତ୍ବ ସାବ୍ୟସ୍ତ’ ମୂଳକ ସ˚ଘାତମୟ ପରିବେଶ ଭିତରକୁ ଟାଣି ଆଣିଛି, ଆଜକୁ ଶହେ ବର୍ଷ ତଳର ପ୍ରଥମ ବିଶ୍ବ ଯୁଦ୍ଧକାଳୀନ ପରିବେଶ ସୁଲଭ ମନେ ହେଉ ନାହିଁ କି? ସୁତରା˚, ମାତ୍ର ବର୍ଷକ ପୂର୍ବରୁ ଏକ ବିକାଶ-ଉଜ୍ଜ୍ବଳ ପୃଥିବୀ ଯାହା ପ୍ରାୟତଃ ଏକ ସହଯୋଗିତାପୂର୍ଣ୍ଣ ପରିବେଶରେ ଆଗକୁ ଅଗ୍ରସର ହେବାରେ ଲାଗିଥିଲା, ସ˚ପ୍ରତି ଯେମିତି କାଳ ବକ୍ଷରେ ପଶ୍ଚାତ୍‌ଗମନ କରିବାରେ ଲାଗିଛି। ବିକାଶ, ଉଦାର ବଜାର ବ୍ୟବସ୍ଥା, ସାମାଜିକ ନ୍ୟାୟ ଆଦି ସ˚ଦର୍ଭରେ ଆଲୋଚନା ଅବ୍ୟାହତି ନେଇ ଯାଇଛନ୍ତିି ଏବ˚ ସେମାନଙ୍କ ସ୍ଥାନ ନେଇଛନ୍ତି ଦାରିଦ୍ର୍ୟ, ମହାମାରୀ, ଯୁଦ୍ଧ ଇତ୍ୟାଦି ସ˚ପର୍କିତ ଚିନ୍ତା ଓ ଚିନ୍ତନ। ତେଣୁ ସତରେ ବୋଧ ହେଉ ନାହିଁ କି ଯେ ବିଶ୍ବ ଯେମିତି ଶହେ ବର୍ଷ ପଛକୁ ପ୍ରତ୍ୟାବର୍ତ୍ତନ କରିଯାଇଛି, ଯେତେବେଳେ ଆଜି ଭଳି ପୃଥିବୀ ପୃଷ୍ଠରେ ଅଭିନୀତ ହେଉଥିବା ନାଟକରେ ପାନ୍‌ଡେମିକ୍‌, ପ୍ରଥମ ବିଶ୍ବଯୁଦ୍ଧ, ଉପନିବେଶବାଦ ଓ ଦାରିଦ୍ର୍ୟ ଇତ୍ୟାଦି ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ?

କରୋନା ପାନ୍‌ଡେମିକ୍‌ କାଳୀନ ‘ଲକ୍‌ଡାଉନ୍‌’ ଦ୍ବାରା ପୃଥିବୀର ବାତାବରଣ ଏଭଳି ବିଶୁଦ୍ଧ ହୋଇ ଯାଇଥିବା ଦେଖିବାକୁ ମିଳିଲା ଯେ ଯହିଁରେ ଅନେକ ବର୍ଷ ଧରି ଦୃଶ୍ୟମାନ ହେଉ ନ ଥିବା ବିରଳ ପଶୁପକ୍ଷୀ ଓ କୀଟପତଙ୍ଗ ହଠାତ୍‌ ଆତ୍ମପ୍ରକାଶ କଲେ। ପ୍ରଦୂଷିତ ଗଙ୍ଗା ପୁଣି ନିର୍ମଳ ହେଲା। ତିରିଶ ବର୍ଷ ପରେ ପୁନର୍ବାର ଜଳନ୍ଧରରୁ ହିମାଳୟର ଅପୂର୍ବାନୁମେୟ ଦୃଶ୍ୟ ଦୃଷ୍ଟିଗୋଚର ହେଲା। ଯେଉଁମାନେ ମାନବ ବିକାଶର କ୍ରମରେ ଏକ କ୍ଷତିଗ୍ରସ୍ତ ଧରିତ୍ରୀ କ୍ରମେ ମୁମୂର୍ଷୁ ହୋଇଯାଉଥିବା ଚିନ୍ତାରେ ମ୍ରିୟମାଣ ଥିଲେ, ସେମାନେ ସ୍ବସ୍ତିରେ ନିଃଶ୍ବାସ ମାରି କହିଲେ ଯାହା ହେଉ ପୃଥିବୀ ଅତୀତର ନିର୍ମଳତାକୁ ପ୍ରତ୍ୟାବର୍ତ୍ତନ କଲା। ଏହା ବି ତ ସମୟର ଚକ୍ର!

ସମ୍ବନ୍ଧିତ ଖବର