ଗୁଣିଆ ଗଢ଼େ ଲୋ ଡାଆଣୀ

‘‘କୁହାଯାଏ ଯେ ମଣିଷ ଗୋଟିଏ ବିଚାରବନ୍ତ ପ୍ରାଣୀ। ମୋର ସାରା ଜୀବନ ମୁଁ ଏହି କଥାର ସତ୍ୟତା ସପକ୍ଷରେ ପ୍ରମାଣ ଖୋଜିବା ଲାଗି ଚେଷ୍ଟା କରିବା ସତ୍ତ୍ବେ, ତାହା ମୁଁ ଆଜିଯାଏଁ ପାଇନାହିଁ।’’ ଏ କଥାଟି ବି˚ଶ ଶତାବ୍ଦୀର ପ୍ରସିଦ୍ଧ ଦାର୍ଶନିକ ବର୍ଟ୍ରାଣ୍ତ ରସେଲ କହିଥିଲେ। ଆମେମାନେ ସମସ୍ତେ ଜାଣନ୍ତି ଯେ ବର୍ଟ୍ରାଣ୍ତ ଆର୍ଥର ଉଇଲିୟମ ରସେଲ (୧୮୭୨-୧୯୭୦)ଙ୍କୁ ୧୯୫୦ରେ ନୋବେଲ ପୁରସ୍କାର ମିଳିଥିଲା। ରସେଲ ଏକଥା କହିବାର ବହୁ ଦଶନ୍ଧି ଏହା ଭିତରେ ବିତିଗଲାଣି, ମାତ୍ର ତାଙ୍କର ସେହି ଅନାସକ୍ତ ବକ୍ତବ୍ୟକୁ ଅସତ୍ୟ ପ୍ରମାଣିତ କରିବା ଭଳି କୌଣସି ଘଟଣା ଏହା ଭିତରେ ଘଟିନାହିଁ।

ଗତ ସପ୍ତାହରେ ଏହି ସମ୍ବାଦପତ୍ରରେ ଏକ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ ପାଇଥିଲା ଯହିଁରେ ଦର୍ଶାଯାଇଥିଲା ଯେ ଜଳଡୁବି, ସର୍ପାଘାତ, ବଜ୍ରପାତ, ଅଗ୍ନିକାଣ୍ତ ଏବ˚ ଅ˚ଶୁଘାତ ପରି ବିପର୍ଯ୍ୟୟ ଯୋଗୁଁ ଓଡ଼ିଶାରେ ଦୈନିକ ୧୮ ଜଣ ଲୋକଙ୍କର ପ୍ରାଣହାନି ଘଟୁଥିଲେ ସୁଦ୍ଧା କ୍ଷତିପୂରଣ ଦେବା ଭିନ୍ନ ଅନ୍ୟ କୌଣସି ରଣନୀତି ସରକାରଙ୍କ ପାଖରେ ନାହିଁ। ତେବେ ଏହି ରିପୋର୍ଟରେ ଆଉ ଏକ ଗୁରୁତର ବିପର୍ଯ୍ୟୟ କଥା ସ୍ଥାନ ପାଇ ନଥିଲା, ଯେଉଁଥିରେ ଡାଆଣୀ ସନ୍ଦେହରେ ଅକାଳରେ ଶହ ଶହ ଅସହାୟ ପ୍ରାଣ ହରାଉଛନ୍ତି। ଏକ ପରିସ˚ଖ୍ୟାନ ଅନୁସାରେ ସାରା ଭାରତରେ ଅନ୍ୟୂନ ଦୁଇଶହ ଲୋକ ପ୍ରାଣ ହରାଉଥିଲାବେଳେ ପ୍ରତିବର୍ଷ କେବଳ ଓଡ଼ିଶାରେ ୩୦ରୁ ୪୦ ଜଣ ଏହି ମନୁଷ୍ୟକୃତ ବିପର୍ଯ୍ୟୟ ଯୋଗୁଁ ନିଜ ନିଜର ଅମୂଲ୍ୟ ଜୀବନ ମାନ ହରେଇ ବସୁଛନ୍ତି।

ଉଦ୍‌ବେଗର କଥା ହେଉଛି ଯେ ଡାଆଣୀ ଓ ଗୁଣିଗାରେଡ଼ି ପରି ବର୍ବର ମଧୢଯୁଗୀୟ କର୍ମକାଣ୍ତ ବିରୋଧରେ ଆଇନ ପ୍ରଣୟନ କରିଥିବା ଭାରତର ଅଳ୍ପ କେତୋଟି ରାଜ୍ୟ ମଧୢରୁ ଓଡ଼ିଶା ଅନ୍ୟତମ। ବହୁ ବର୍ଷର ଅବହେଳା ଏବ˚ ଉଦାସୀନତା ବିରୋଧରେ ପ୍ରତିବାଦ ଜଣାଇ ୨୦୧୧ ମସିହାରେ ଶଶିପ୍ରଭା ବିନ୍ଧାଣୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିବା ପରେ ମୁଖ୍ୟ ନ୍ୟାୟମୂର୍ତ୍ତି ଭି.ଗୋପାଳଗୌଡ଼ ଏବ˚ ନ୍ୟାୟମୂର୍ତ୍ତି ଏସ୍‌.କେ. ମିଶ୍ର ଏହାର ବିଚାର କରି ୨୦୧୨ ମସିହା ଅପ୍ରେଲ ମାସରେ ସେମାନଙ୍କର ରାୟ ଶୁଣାଇଥିଲେ ଯହିଁରେ ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ ତୁରନ୍ତ ଏ ପ୍ରକାର ଅନ୍ଧବିଶ୍ବାସ ବିରୋଧୀ ଏକ ଆଇନ ପ୍ରଣୟନ ଲାଗି ନିର୍ଦ୍ଦେଶ ଥିଲା। ତଦନୁଯାୟୀ ଓଡ଼ିଶା ସରକାର ୨୦୧୩ ଫେବ୍ରୁଆରି ମାସ ଗେଜେଟ୍‌ରେ ‘ଓଡ଼ିଶା ପ୍ରିଭେନ୍‌ସନ୍‌ ଅଫ୍‌ ଉଇଚ-ହଣ୍ଟି˚ ଆକ୍ଟ’ କଥା ଘୋଷଣା କରିଥିଲେ। ତେବେ ଉଲ୍ଲେଖ କରିବାରେ ଦ୍ବିଧା ନାହିଁ ଯେ, କେବଳ ଆଇନଟି ପ୍ରଣୟନ କରିବା ଭିନ୍ନ ରାଜ୍ୟରୁ ଏ ଧରଣର ମାରାତ୍ମକ ଅନ୍ଧବିଶ୍ବାସ ଦୂର କରିବା, ଯେଉଁମାନେ ଏ ପ୍ରକାର ବ୍ୟବସ୍ଥାକୁ ଚଳେଇ ରଖୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ବା ଏହି ପ୍ରକାର ଡାଆଣୀ ପରିକଳ୍ପନା ଯେ ସ˚ପୂର୍ଣ୍ଣ ଅବାସ୍ତବ ଓ ତୁଚ୍ଛା ଅନ୍ଧବିଶ୍ବାସ ସେହି କଥା ସ˚ପର୍କରେ ସର୍ବସାଧାରଣଙ୍କୁ ଆବଶ୍ୟକ ଢଙ୍ଗରେ ସଚେତନ କରିବା ଦିଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ଆନ୍ତରିକତା ଦେଖାଯାଇନାହିଁ।

ଏ ପ୍ରକାର ନିଷ୍କ୍ରିୟତାର କାରଣ କ’ଣ ହୋଇପାରେ ତାହା ଜାଣିବାକୁ ହେଲେ ଆମକୁ ଜଷ୍ଟିସ ଗୌଡ଼ ଏବ˚ ଜଷ୍ଟିସ ମିଶ୍ରଙ୍କର ରାୟର କେତୋଟି ବାକ୍ୟ ପାଖକୁ ଫେରିଯିବାକୁ ପଡ଼ିବ। ଡାଆଣୀ ହୋଇ ଲାଗିବା ବା ଡାଆଣୀ ଦ୍ବାରା କେହି କବଳିତ ହୋଇଥିବା ପରି ଅନ୍ଧବିଶ୍ବାସ ଯେ କେବଳ ଓଡ଼ିଶା ରାଜ୍ୟରେ ରହିଛି ତାହା ନୁହେଁ, ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଏହି ଅନ୍ଧବିଶ୍ବାସ ରହିଛି। ଦରିଦ୍ର, ଅନୁନ୍ନତ ଓ ଅଶିକ୍ଷିତମାନଙ୍କ ମନରେ ଏ ଧରଣର ଅନ୍ଧବିଶ୍ବାସ ରହିବାର କାରଣ ଦାରିଦ୍ର୍ୟ, ବ୍ୟାଧି, ଧନହାନି ବା ସ˚ପର୍କୀୟଙ୍କ ମୃତ୍ୟୁ ଇତ୍ୟାଦି ହୋଇଥିବାବେଳେ ଶିକ୍ଷିତମାନଙ୍କ ମଧୢରେ ସୁଦ୍ଧା ସମାନ ଧରଣର କାରଣ ନିମିତ୍ତ ଏହି ଅନ୍ଧବିଶ୍ବାସ ଆସନ ମାଡ଼ି ବସିଥିବା ଏ କ୍ଷେତ୍ରରେ ବଡ଼ ଅନ୍ତରାୟ। ନ୍ୟାୟମୂର୍ତ୍ତି ଦ୍ବୟ ସେମାନଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ‘ଆମେ ସମସ୍ତେ ଜାଣନ୍ତି ଯେ ଜଣେ ଅଶିକ୍ଷିତ ଅନ୍ଧବିଶ୍ବାସୀ ଅପେକ୍ଷା ଜଣେ ପାଠଶାଠ ପଢ଼ିଥିବା ଶିକ୍ଷିତ ଅନ୍ଧବିଶ୍ବାସୀ ସମାଜ ପାଇଁ ଅଧିକ କ୍ଷତିକାରକ। ଏହା ସାଙ୍ଗକୁ ବିଭିନ୍ନ ଗଣମାଧୢମରେ ପ୍ରକାଶ ପାଉଥିବା ଭିତ୍ତିହୀନ ଓ କପୋଳକଳ୍ପିତ ରିପୋର୍ଟ, ପ୍ରବନ୍ଧ ଓ ବିବୃତି ଲୋକଙ୍କ ଭିତରେ ଥିବା ଏ ପ୍ରକାର ଅନ୍ଧବିଶ୍ବାସର ଚେର ମୂଳରେ ପାଣି ଦେଇଥାଏ।’ ଏହି ରାୟରେ ନ୍ୟାୟମୂର୍ତ୍ତି ଦ୍ବୟ ଦର୍ଶାଇଥିଲେ ଯେ ଅଧିକା˚ଶ କ୍ଷେତ୍ରରେ ଅସହାୟ ଲୋକର ଜମି ହଡ଼ପ ପାଇଁ, ରାଜନୈତିକ ପ୍ରତିଶୋଧ ନେବାଲାଗି, ନିଃସଙ୍ଗ ବିଧବାକୁ ନିଜର ଯୌନଲାଳସାର ଶିକାର ସଜେଇବା ଲାଗି ପ୍ରତିପକ୍ଷକୁ ଡାଆଣୀ ଅପବାଦ ଦିଆଯାଉଥିବାବେଳେ ଅଗମ୍ୟ, ଅନୁନ୍ନତ ଅଞ୍ଚଳରେ ଦେଖାଦେଉଥିବା ଦୁରାରୋଗ୍ୟ ବ୍ୟାଧି, ଶିଶୁମୃତ୍ୟୁ, ବନ୍ଧ୍ୟାତ୍ବ, ଅପସ୍ମାର, ଉନ୍ମାଦ, ଦାରିଦ୍ର୍ୟ ଇତ୍ୟାଦି ଭୋଗୁଥିବା ଲୋକ ମୁଣ୍ତରେ ଡାଆଣୀ ଲାଗିଥିବା ଅପବାଦ ଲଦି ଦିଆଯାଇଥାଏ। କିଛି ମଣିଷଙ୍କର ଅନ୍ଧବିଶ୍ବାସ ହେଲା, ଆକାଶରେ ଯିଏ ଅଛି ସିଏ ଦେବତା ଏବଂ ସେ ତାହାର ଭଲ କରିଥାଏ, ମାତ୍ର ତାଆରି ଗାଁ କି ପଡ଼ାରେ ରହୁଥିବା ଡାଆଣୀ ଅଭିସନ୍ଧି କରି ତାକୁ ବିପଦରେ ପକେଇ ଦେଇଥାଏ। ସିଏ ହିଁ ତା ଛୁଆ ଦେହରୁ ରକ୍ତ ଶୋଷିନିଏ, ଗାଈପହ୍ନାରୁ କ୍ଷୀର ଖାଲି କରିଦିଏ, ଜମିରୁ ଫସଲ ଏବ˚ ତା ଘର ଭିତରୁ ସମସ୍ତ ସୌଭାଗ୍ୟ ପୋଛି ନିଏ। ଓଡ଼ିଶାରେ ଦେଖା ଦେଇଥିବା ଡାଆଣୀ ପ୍ରକରଣର ମୃତ୍ୟୁ ପଛରେ ଅଧିକା˚ଶ କାରଣ ପିଲାର ମୃତ୍ୟୁ ଅଥବା ଦୁରାରୋଗ୍ୟ ବ୍ୟାଧି। ଯଦି ସରକାରୀ କଳର ସ୍ବାସ୍ଥ୍ୟସେବା ଠିକଣା ଢଙ୍ଗରେ କାର୍ଯ୍ୟ କରୁଥାଆନ୍ତା ତାହା ହେଲେ ଏହି ପ୍ରକାର ସନ୍ଦେହରେ ମରିଥିବା ଅନେକ ଜୀବନକୁ ବ˚ଚାଯାଇପାରିଥାଆନ୍ତା। ଏହା ପଛକୁ ବଡ଼ କାରଣ ହେଲା ମାନସିକ ରୁଗ୍‌ଣତା।

ଯେଉଁ ଅସହାୟା ବୁଢ଼ୀ, ନିରାଶ୍ରୟା ମହିଳା କି ଅସମର୍ଥ ବୁଢ଼ାଲୋକଟି ଉପରେ ଡାଆଣୀ-ଗୁଣିଆ ଭଳି ଅପବାଦ ଦିଆଯାଏ, ତାହା ପ୍ରତି କି ଧରଣର ଅମାନୁଷିକ ଅତ୍ୟାଚାର କରାଯାଏ ସେକଥା ସହଜରେ କଳ୍ପନା କରିହେବ ନାହିଁ। ତାହାକୁ ଜବରଦସ୍ତ ବିଷ୍ଠା ଖୁଆଇବାଠାରୁ ନେଇ ତାର ଦାନ୍ତ ଗୁଡ଼ିକ ବାଡ଼େଇ ବାଡ଼େଇ ଭାଙ୍ଗିଦେବା, ତାର ଘରଦ୍ବାର ଜାଳିଦେବା ଏବ˚ ତାକୁ ଲଙ୍ଗଳା କରି ସର୍ବାଙ୍ଗରେ ନିଆଁ ଚେଙ୍କ ଦେବା ଏହି ପ୍ରକାର ନିର୍ଯାତନାର କେତୋଟି ଉଦାହରଣ। ଦୁର୍ଭାଗ୍ୟର କଥା ଯେ ୨୦୧୩ରୁ ଓଡ଼ିଶାରେ ଏ ସଂକ୍ରାନ୍ତ ଆଇନ ପ୍ରଣୟନ ହୋଇଥିବା ସତ୍ତ୍ବେ ଏ ଧରଣର ଅପରାଧରେ ଅଭିଯୁକ୍ତ ଦୋଷୀମାନଙ୍କ ପ୍ରତି ଓଡ଼ିଶା ପୁଲିସ ଆଶାନୁରୂପ ଦୃଢ଼ ହୋଇନାହିଁ। ଗତ ସପ୍ତାହରେ ମାଲକାନଗିରି ବ୍ଲକ୍‌ର ଚାଲାଣ୍ତଗୁଡ଼ା ପଞ୍ଚାୟତରେ ଘଟିଥିବା ଘଟଣାର ପ୍ରତିକ୍ରିୟା ପ୍ରତି ଦୃଷ୍ଟି ଦେଲେ ମନ ଭିତରେ ଉପର୍ଯ୍ୟୁକ୍ତ ଧାରଣା ସୃଷ୍ଟି ହେବା ସ୍ବାଭାବିକ। ଗୁଣି ସନ୍ଦେହରେ ଏଠାକାର ସ୍ବାମୀ-ସ୍ତ୍ରୀ ଦୁଇଜଣଙ୍କୁ ବୀଭତ୍ସଭାବେ ହତ୍ୟା କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଗିରଫ କରାଯାଇନାହିଁ।

ଦୁର୍ଭାଗ୍ୟର କଥା ଯେ ଡାଆଣୀ-ଗୁଣିଆ ଅନ୍ଧବିଶ୍ବାସ ଆମ ସମାଜର ବୌଦ୍ଧିକ ପ୍ରଗତି ଏବଂ ସାମାଜିକ ବିକାଶର ମୂଳଦୁଆକୁ ଦୋହଲାଇ ଦେଉଥିଲେ ସୁଦ୍ଧା ଏହାର ନିରାକରଣ ପାଇଁ ଯେଉଁ ପ୍ରକାର ସାମାଜିକ, ରାଜନୈତିକ ଓ ସା˚ସ୍କୃତିକ ଜାଗରଣ ଦରକାର ତାହା ଦେଖିବାକୁ ମିଳୁନାହିଁ। ତନ୍ତ୍ର ମନ୍ତ୍ର ଉପରେ ସମାଜର ବହୁ ବଡ଼ ବଡ଼ ବ୍ୟକ୍ତିଙ୍କର ଅଖଣ୍ତ ବିଶ୍ବାସ ଏହାର ଗୋଟିଏ ଗୁରୁତ୍ବପୂର୍ଣ୍ଣ କାରଣ। ସେହି ବଡ଼ ବଡ଼ ଲୋକମାନେ ହୁଏତ କ୍ଷମତାର ନିଶୁଣିରେ ଆହୁରି ଉଚ୍ଚକୁ ଉଠିବା ପାଇଁ, ପ୍ରଚୁର ସ˚ପତ୍ତି ଅର୍ଜନ ବା ନିରଙ୍କୁଶ ରାଜନୈତିକ କ୍ଷମତା ହାସଲ ପାଇଁ ଏ ଧରଣର ଉଦ୍‌ଭ୍ରାନ୍ତ ବ୍ୟବସ୍ଥାକୁ ଆପଣଉଥିବେ ମାତ୍ର ଏହି ପ୍ରକ୍ରିୟାରେ ଉଚ୍ଛନ୍ନ ହେଉଥିବା ଶହ ଶହ ଦରିଦ୍ର ଲୋକଙ୍କ ଦୀର୍ଘଶ୍ବାସ ପ୍ରତି ଆମର ସମାଜ, ପ୍ରଶାସନ ଓ ନାଗରିକ ସମାଜ ଉଦାସୀନ ରହିବା ବାସ୍ତବିକ ଉଦ୍‌ବେଗଜନକ। ଏହା କେବଳ ମାନବିକ ସମ୍ବେଦନାର ପ୍ରସଙ୍ଗ ନୁହେଁ, ସମ୍ବିଧାନ ତଥା ଜାତିସ˚ଘ ସନନ୍ଦର ମଧୢ ମୌଳିକ ଆହ୍ବାନ। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆଦିବାସୀ, ହରିଜନ, ଦରିଦ୍ର, ଅସହାୟା ଏବ˚ ବିଶେଷତଃ ମହିଳାମାନେ ଏହି କୁସ˚ସ୍କାର ଦାନବର ସର୍ବାଧିକ ଶିକାର- ଯେଉଁମାନଙ୍କର ସୁରକ୍ଷା ଲାଗି ସମ୍ବିଧାନ, ଶାସନ ଓ ସମାଜ ଅଧିକ ସ୍ପର୍ଶକାତର ବୋଲି ବିଚାର କରାଯାଏ। ଏ କ୍ଷେତ୍ରରେ ବହୁ କାର୍ଯ୍ୟ ବାକୀ ରହିଥିବା ବେଳେ ପ୍ରଥମ ପ୍ରୟୋଜନ ହେଉଛି ଡାଆଣୀ ତିଆରି କରୁଥିବା ଦୁଷ୍ଟଶକ୍ତି ଗୁଣିଆମାନଙ୍କୁ ଚିହ୍ନଟ କରିବା ଏବ˚ ଦ୍ବିତୀୟ ହେଉଛି କରୋନା ସ˚ପର୍କରେ ଜନସଚେତନତା ସୃଷ୍ଟି ପରି ସବୁ ସ୍ତରରେ ଏ ଧରଣର ଅନ୍ଧବିଶ୍ବାସ ବିରୋଧରେ ସଚେତନତା ସୃଷ୍ଟି କରିବା। ଆଶା କରାଯାଉ, ଏପର୍ଯ୍ୟନ୍ତ ଏହି କୁସଂସ୍କାର ରୋକିବାରେ ବିଫଳ ହୋଇଥିବା ଓଡ଼ିଶା ସରକାର ବିଳମ୍ବରେ ହେଲେ ମଧ୍ୟ ଏବେ ଅନ୍ତତଃ ନିଜ ଦାୟିତ୍ବସଚେତନତାର ଦୃଢ଼ ପ୍ରମାଣ ଦେବେ।

ସମ୍ବନ୍ଧିତ ଖବର