ଅନୁକୂଳ ଭାଷା

ଗଲା ମଙ୍ଗଳବାର ଦିନ ‘ଅନ୍‌ଲକ୍‌-୨’ ଘୋଷଣା କରାଯିବାର ଅବ୍ୟବହିତ ପୂର୍ବରୁ ଯେଉଁ ଭାରତୀୟମାନେ ଅତ୍ୟନ୍ତ ଉତ୍ସୁକତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦେଶ ଉଦ୍ଦେଶ୍ୟରେ ପ୍ରଦାନ କରାଯିବାକୁ ଥିବା ବାର୍ତ୍ତା ଶୁଣିବାକୁ ଅପେକ୍ଷା କରିଥିଲେ, ସେମାନଙ୍କ ମଧୢରୁ ଅନେକ ତାଙ୍କ ଭାଷଣ ଶେଷରେ ଏହି କାରଣରୁ ହତାଶ ହୋଇଥିଲେ ଯେ ତହିଁରେ ପ୍ରଧାନମନ୍ତ୍ରୀ ଚୀନ ଓ ଭାରତ ମଧୢରେ ସୃଷ୍ଟି ହୋଇଥିବା ସ˚ଘର୍ଷ ଏବ˚ ତତ୍‌ ପରବର୍ତ୍ତୀ ଅତ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ସମ୍ବନ୍ଧରେ ଗୋଟିଏ ପଦ ହେଲେ ସୁଦ୍ଧା ଉଚ୍ଚାରଣ କରି ନ ଥିଲେ। ଅନେକ ରାଜନୈତିକ ତଥା ରଣନୈତିକ ବ୍ୟାଖ୍ୟାକାର ଏହାକୁ ‘ମୋଦୀ ସୁଲଭ’ ଆଚରଣ ବିପରୀତ ବୋଲି ଅଭିହିତ କରି ତହିଁରୁ ଏକ ନିଷ୍କର୍ଷରେ ଉପନୀତ ହେବାକୁ ଚେଷ୍ଟା କରିଛନ୍ତି ଯେ ସମ୍ଭବତଃ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ଟିକିଏ ଦୁର୍ବଳ ପଡ଼ିଯାଇଛନ୍ତି। ଭାଷଣ ବା କଥାର ଉଚ୍ଚାଟରେ ନେତୃତ୍ବ ପ୍ରଦାନ କରିବାର ଧାରା ପ୍ରବର୍ତ୍ତନ କରିଥିବା ‘ଆଲ୍‌ଫା ମେଲ୍‌’(ଶକ୍ତ ପୁରୁଷ) ଚରିତ୍ର ବହନକାରୀ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ସଂଦର୍ଭରେ ନିରବତା ଅବଲମ୍ବନ କରିବାର କାରଣ ତାଙ୍କର ଏହି ଉପର ବର୍ଣ୍ଣିତ ଦୌର୍ବଲ୍ୟ ନା ତା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ନିହିତ ରହିଛି, ତାହା ପ୍ରଣିଧାନଯୋଗ୍ୟ। ଏହା ସହିତ ଏକ ପ୍ରଶ୍ନ ମଧୢ ଉଠିଥାଏ ଯେ ସ˚ପ୍ରତି ଯେତେବେଳେ ସମଗ୍ର ଭାରତ ଏକ ଚୀନ ବିରୋଧୀ ଜାତୀୟତାବାଦର ତରଙ୍ଗ ଦ୍ବାରା ଆପ୍ଳୁତ, ସେତିକି ବେଳେ ପ୍ରଧାନମନ୍ତ୍ରୀଙ୍କ ମୁଖ ନିସୃତ କିଛି ବକ୍ତବ୍ୟ ରାଷ୍ଟ୍ରବାସୀଙ୍କୁ ପରିତୃପ୍ତ କରିବା ସହିତ ତାଙ୍କ ଦୃଢ଼ତାକୁ ପ୍ରଦର୍ଶିତ କରି ନ ଥାଆନ୍ତା କି? କିନ୍ତୁ, ଇତିହାସ ପୃଷ୍ଠାରେ ଉପଲବ୍‌ଧ ଦୃଷ୍ଟାନ୍ତ ଆଧାରରେ ତର୍ଜମା କଲେ ହୁଏ’ତ ପ୍ରଧାନମନ୍ତ୍ରୀଙ୍କ ଏହି ନିରବତାରେ ଏକ ବିଶେଷ ବିଜ୍ଞତାକୁ ମଧ୍ୟ ଆବିଷ୍କାର କରାଯାଇପାରେ।

ଇତିହାସ ପୃଷ୍ଠାରୁ ଗୋଟିଏ ସମୟ ଖଣ୍ତରେ ଦୃଷ୍ଟିଗୋଚର ହୋଇଥିବା ଦୁଇଟି ପ୍ରାୟ ସମତୁଲ ପରିସ୍ଥିତିରେ ପୃଥିବୀର ଦୁଇ ମହାନ ନେତା ପ୍ରଦର୍ଶନ କରିଥିବା ଆଚରଣକୁ ଦୃଷ୍ଟାନ୍ତ ରୂପେ ନେଇ ପ୍ରସଙ୍ଗଟିର ଆଲୋଚନା କରାଯାଇପାରେ। ଏହି ନେତା ଦ୍ବୟ ଥିଲେ ଭାରତର ପ୍ରଧାନମନ୍ତ୍ରୀ ପଣ୍ତିତ ଜଵହରଲାଲ ନେହରୁ ଏବ˚ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡି। ପ୍ରଥମ ଘଟଣାଟିରେ ଭାରତର ଜନ ସାଧାରଣ, ବିରୋଧୀ ରାଜନୈତିକ ଦଳ ଏବ˚ ନିଜ ଦଳ ମଧୢରେ ରହିଥିବା ବିରୋଧୀମାନଙ୍କ କଟୁ ସମାଲୋଚନା(ସରକାର କିଛି କରୁ ନାହାନ୍ତିି)ର ଚାପରେ ଅତିଷ୍ଠ ପଣ୍ତିତ ନେହରୁ ୧୯୬୨ ମସିହା ଅକ୍ଟୋବର ମାସ ୨୦ ତାରିଖରେ ପୂର୍ବ ଲଦାଖ ଠାରେ ଚୀନ ଅତିକ୍ରମଣ ବିରୋଧରେ ଯୁଦ୍ଧ ଘୋଷଣା କରି ଦେଇଥିଲେ। କହିବା ନିଷ୍ପ୍ରୟୋଜନ ଯେ ଏଭଳି ଏକ ସହସା ଯୁଦ୍ଧ ସକାଶେ ନା ଭାରତୀୟ ସୈନ୍ୟ ବଳ ନା ସରକାର ପ୍ରସ୍ତୁତ ଥିଲେ। ଶୁଣିବାକୁ ମିଳେ ଯେ ସେହି ଦିନ ନେହରୁଙ୍କ ବିମାନ ଉଡ଼ାଣ ଭରିବା ପୂର୍ବରୁ ସାମ୍ବାଦିକମାନଙ୍କୁ ସେ ଯେଉଁ ବକ୍ତବ୍ୟ-‘ଚୀନାମାନଙ୍କୁ ତଡ଼ିବା ଲାଗି ଆଦେଶ ଦେଇ ଦେଇଛି’-ପ୍ରଦାନ କରିଥିଲେ, ତହିଁରେ କୌଣସି ଦୃଢ଼ତା ନ ଥିଲା, ବର˚ ତହିଁରୁ ପ୍ରତିଭାତ ହେଉଥିଲା ଚାପରୁ ମୁକ୍ତ ହେବା ଲାଗି କୌଣସିମତେ ଏକ ନିଷ୍ପତ୍ତି ନେଇଯାଇଥିବା ଜନିତ ଅସହଜ ଆଶ୍ବସ୍ତି। କହିବା ବାହୁଲ୍ୟ, ଏହି ଯୁଦ୍ଧରେ ଭାରତର ଶୋଚନୀୟ ପରାଜୟ ପରିପ୍ରେକ୍ଷୀରେ ନେହରୁ ସ୍ବୟଂ ଏଭଳି ଏକ ନିଷ୍ପତ୍ତିର ଅପରିଣାମଦର୍ଶିତା ବିଷୟ ହୃଦୟଙ୍ଗମ କରି ପାରିଥିଲେ।

ଦ୍ବିତୀୟ ଘଟଣାଟି ଘଟିଥିଲା ପ୍ରଥମ ଘଟଣାଟି ଘଟିବାର ପାଞ୍ଚ ଦିନ ପୂର୍ବରୁ ଅର୍ଥାତ୍‌ ୧୯୬୨ ମସିହା, ଅକ୍ଟୋବର ୧୫ ତାରିଖରେ। ଆମେରିକୀୟ ଗୁଇନ୍ଦା ସୂତ୍ରରୁ ପ୍ରାପ୍ତ କିଛି ଫଟୋ ଓ ସୂଚନା ଆଧାରରେ ଯେତେବେଳେ ଜଣାପଡ଼ି ଯାଇଥିଲା ଯେ କ୍ୟୁବାରେ ସୋଭିଏତ୍‌ ରୁଷିଆ ପକ୍ଷରୁ ‘ଆଣବିକ କ୍ଷେପଣାସ୍ତ୍ର’ ଘାଟିମାନ ସ୍ଥାପନ କରାଯାଇ ପ୍ରାୟ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାକୁ ରୁଷିଆର ଆଣବିକ ପ୍ରହାରର ବଳୟରେ ରଖାଯିବାର ଉଦ୍ୟମ କରାଯାଉଛି, ସେତିକି ବେଳେ ଆମେରିକାରେ ସୋଭିଏତ୍‌ ବିରୋଧୀ ଜାତୀୟତାବାଦର ଜୁଆର ସୃଷ୍ଟି ହୋଇଥିଲା ଏବଂ ଏହି ପରିପ୍ରେକ୍ଷୀରେ କେନେଡିଙ୍କ ସମାଲୋଚକ ଏବ˚ ପ୍ରଶ˚ସକମାନଙ୍କ ଠାରୁ ଆରମ୍ଭ କରି ବିଜ୍ଞ-ବିଦ୍ବାନ ଓ ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତରେ ଆମେରିକାରେ ଐକ୍ୟ ତାନ ଶୁଣିବାକୁ ମିଳିଥିଲା ଯେ କ୍ୟୁବା ଉପରେ ବିମାନ ଦ୍ବାରା ବୋମା ବର୍ଷଣ କରାଯାଇ ସ˚ପୂର୍ଣ୍ଣ ପ୍ରକଳ୍ପକୁ ପ୍ରାରମ୍ଭରୁ ହିଁ ଧ୍ବ˚ସ କରିଦିଆଯାଉ। ସ୍ମରଣଯୋଗ୍ୟ ଯେ ତାହା ଥିଲା ସୋଭିଏତ୍‌ ରୁଷିଆ ଏବ˚ ଯୁକ୍ତରାଷ୍ଟ୍ର ଆମେରିକା ମଧୢରେ ଶକ୍ତି ପ୍ରତିପାଦନ ସକାଶେ ଚାଲିଥିବା ପ୍ରତିଦ୍ବନ୍ଦ୍ବିତାର ଏକ ତିକ୍ତତମ କ୍ଷଣ। କୁହାଯାଇଥାଏ ଯେ କେନେଡିଙ୍କ ଦ୍ବାରା ପ୍ରଦତ୍ତ କି˚ବଦନ୍ତୀୟ ଉକ୍ତି-‘ମାଇ ଡିସିସନ ଇଜ୍‌ ନୋ ଡିସିସନ୍‌’ ଅର୍ଥାତ୍‌ ‘ମୋ ନିଷ୍ପତ୍ତିି ହେଉଛି ନିଷ୍ପତ୍ତି ନେବି ନାହିଁ’- ସେହି ଘନଘଟାମୟ ମୁହୂର୍ତ୍ତର ଉପଜ; ଏବଂ ଉଲ୍ଲେଖଯୋଗ୍ୟ ଯେ ସେହି ଉକ୍ତି ଏବଂ ପରବର୍ତ୍ତୀ କାଳରେ କେନେଡି ପ୍ରଦର୍ଶନ କରିଥିବା ବୁଦ୍ଧିମାନୀ ବିଷୟ ପୃଥିବୀର ଅନେକ ସମ୍ମାନାସ୍ପଦ ମ୍ୟା‌ନେଜମେଣ୍ଟ ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ସ୍ଥାନ ପାଇ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେବାର କଳା କ୍ଷେତ୍ରରେ ମାର୍ଗଦର୍ଶନ କରି ଆସୁଛି।

ରାଷ୍ଟ୍ରପତି କେନେଡି ଯଦିଓ ଏ ପ୍ରସଙ୍ଗରେ ବିବିଧ ମତାମତ ଲୋଡୁଥିଲେ, ‘ଗ୍ରୁପ୍‌ ଥିଙ୍କିଙ୍ଗ’ ବା ‘ଗୋଷ୍ଠୀ ଚିନ୍ତନ’ରେ ଅନ୍ତର୍ନିହିତ ଦୁର୍ବଳତା (ଯାହା ହେଲା ଦଳଗତ ଆଲୋଚନା ପରେ ସର୍ବସମ୍ମତ ଭାବେ କୌଣସି ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବାର ମାତ୍ରାତିରିକ୍ତ ବ୍ୟାକୁଳତା ଓ ଉତ୍କଣ୍ଠା, ଯହିଁରେ ବିରୋଧୀ ମତକୁ ତାଚ୍ଛଲ୍ୟ ପ୍ରଦର୍ଶନ ପୂର୍ବକ ଖାରଜ କରିଦିଆଯାଇଥାଏ) ପ୍ରତି ମଧ୍ୟ ସେ ସଚେତନ ଥିଲେ। ସୁତରାଂ, ତାଙ୍କ ଆଗ୍ରହରେ ଛୋଟ ଛୋଟ ଅନୌପଚାରିକ ଦଳଗତ ବିତର୍କ ଓ ଆଲୋଚନା ଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରାଗଲା, ଯହିଁରୁ ଏକ ବିକଳ୍ପର ଉଦୟ ମଧ୍ୟ ଘଟିଲା, ଯାହା କହିଲା ଯେ କ୍ୟୁବା ଉପରେ ଆକ୍ରମଣ ଦ୍ବାରା ଭବିଷ୍ୟତ୍‌ରେ ଏକ ଜଟିଳ ପରିସ୍ଥିତି ସୃଷ୍ଟି ନ କରି ବର˚ ଯୁକ୍ତରାଷ୍ଟ୍ର ଆମେରିକାର ନୌବାହିନୀ କ୍ୟୁବା ଚତୁଃପାର୍ଶ୍ବରେ ଏକ ସାମୁଦ୍ରିକ ଅବରୋଧ ସୃଷ୍ଟି କରୁ। ତାହା ହିଁ କରାଗଲା। ଘରେ ପ୍ରବେଶ କରିବା ପୂର୍ବରୁ ଏରୁଣ୍ତି ବନ୍ଧକୁ ଝୁଣ୍ଟିବାର ଆଶଙ୍କା ଦେଖି ସୋଭିଏତ୍‌ ରୁଷିଆ ଏହି ପ୍ରକଳ୍ପରୁ ଓହରି ଯାଇଥିଲା। ସେତିକି ବେଳେ କେନେଡି ଯଦି ଆମେରିକାରେ ଉଠୁଥିବା ତରଙ୍ଗରେ ମଗ୍ନ ହୋଇଯିବାର ପ୍ରବଣତା ପ୍ରଦର୍ଶନ କରିଥାଆନ୍ତେ, ତେବେ ହୁଏ’ତ ଇତିହାସ ଆଜି ତାଙ୍କୁ ଏକ ଭିନ୍ନ ଆଲୋକରେ ଦେଖୁ ଥାଆନ୍ତା।

ପ୍ରାଜ୍ଞଙ୍କ ମତରେ କେଉଁଠାରେ କଥା କୁହାଯିବା ଉଚିତ ତାହା ଠଉରାଇ ପାରିବା ଅପେକ୍ଷା କେଉଁଠାରେ ନିରବ ରହିବା ଉଚିତ ତାହା ଠଉରାଇ ପାରିବାରେ ପ୍ରକୃତ ବିଜ୍ଞତା ନିହିତ ଥାଏ। ସେହି ଦୃଷ୍ଟିରୁ ଅନେକ କ୍ଷେତ୍ରରେ ନିରବତା ଏକ ଢାଲ ନ ହୋଇ ଅସ୍ତ୍ର ମଧୢ ହୋଇପାରେ। ସ˚ପ୍ରତି ଭାରତ ଓ ଚୀନ ସୀମାନ୍ତରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିବା ସତ୍ତ୍ବେ ଯେତେବେଳେ ସାମରିକ ପଦାଧିକାରୀଙ୍କ ସ୍ତରରେ ଦୀର୍ଘ ସମୟ ବ୍ୟାପୀ ବହୁ ପ୍ରସ୍ଥୀୟ ଆଲୋଚନା ଜାରି ରହିଛି, ସେତିକି ବେଳେ ପ୍ରଶ˚ସକ ବା ସମାଲୋଚକଙ୍କ କୋଳାହଳ ଅଥବା ମୁଖ୍ୟ ସ୍ରୋତୀୟ ଗଣମାଧୢମ ଏବ˚ ସାମାଜିକ ଗଣମାଧୢମରେ ପରିଦୃଷ୍ଟ ଚୀନା ବିରୋଧୀ ବାଚନିକ ଆକ୍ରମଣର ସଘନ ସାନ୍ଦ୍ରତା ମଧୢରେ ଦିଗଭ୍ରଷ୍ଟ ନ ହୋଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ବିବେଚନାପୂର୍ଣ୍ଣ ନିରବତା ଅବଲମ୍ବନ କରିବା ହେଉଛି ପରିପକ୍ବତାର ପ୍ରମାଣ। ଅନେକ ସମୟରେ ଭାଷା ଯାହା ପ୍ରକାଶ କରି ପାରି ନ ଥାଏ, ନିରବତା ତାହା ପ୍ରକାଶ କରିଥାଏ। ଇତିମଧୢରେ ଭାରତ ଅଣଷଠିଟି ଚୀନା ଆପ୍‌କୁ ନିଷେଧ କରି ଦର୍ଶାଇ ସାରିଛି ଯେ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ କରିବାରେ କୁଣ୍ଠା ନାହିଁ। କିନ୍ତୁ ଯେତେବେଳେ ସୀମାନ୍ତରେ ଉତ୍ତେଜନା ପ୍ରଶମନ ଲାଗି ଅହର୍ନିଶ ଉଦ୍ୟମ ଅବ୍ୟାହତ ରହିଛି, ସେତିକି ବେଳେ ପ୍ରଧାନମନ୍ତ୍ରୀଙ୍କ ନିରବତା ହିଁ ଏକ ଅନୁକୂଳ ଭାଷା।

ସମ୍ବନ୍ଧିତ ଖବର