ଅହମିକା ଓ ଭ୍ରାନ୍ତି

ବାଇ‌ବଲର ‘ବୁକ୍‌ ଅଫ୍‌ ଜେନେସିସ୍‌’ରେ ମଣିଷ ଜାତିର ଜନ୍ମ ବୃତ୍ତାନ୍ତ ଭାବେ ଯାହା ବର୍ଣ୍ଣିତ ଅଛି, ତାହା ହେଲା ଈଶ୍ବରଙ୍କ ସହିତ ଦେବଲୋକରେ ଅବସ୍ଥାନ କରୁଥିବା ପୁରୁଷ ଆଦାମ ଓ ନାରୀ ଇଭ୍‌ ଈଶ୍ବରଙ୍କ ବାରଣ ସତ୍ତ୍ବେ ଐଶ୍ବରୀୟ ଉଦ୍ୟାନ ‘ଦ ଗାର୍ଡେନ୍‌ ଅଫ୍‌ ଏଡେନ୍‌’ରେ ଥିବା ‘ନିଷିଦ୍ଧ ବୃକ୍ଷ’ର ଫଳଟିକୁ ଭକ୍ଷଣ କରିଥିବାରୁ କ୍ରୋଧିତ ଈଶ୍ବର ସେ ଦୁହିଁଙ୍କୁ ଦେବଲୋକରୁ ବହିଷ୍କାର କରି ଦେଇଥିଲେ ଏବ˚ ସେମାନେ ମର୍ତ୍ତ୍ୟ ଲୋକରେ ପତିତ ହେବା ପରେ ପୃଥିବୀର ପ୍ରଥମ ପୁରୁଷ ଏବ˚ ନାରୀ ରୂପେ ପରିଗଣିତ ହୋଇଥିଲେ। କେହି କେହି ପ୍ରଶ୍ନ କରନ୍ତି ଯେ କ’ଣ କେବଳ ଈଶ୍ବରଙ୍କ ଆଦେଶ ଅମାନ୍ୟ କରିଥିବା କାରଣରୁ ସେମାନେ ଏଭଳି ଦଣ୍ତ ପାଇଥିଲେ ନା ଏହାର ଆଉ କିଛି କାରଣ ଥାଇପାରେ? ତେବେ ବିଷୟର ଗଭୀରତାକୁ ଯାଇଥିବା କିଛି ବିଦ୍ବାନ କହିଥାଆନ୍ତି ଯେ ଏଭଳି ଦଣ୍ତର କାରଣ ‘ଆଦେଶ ଅବମାନନା’ରେ ଯେତେ ନିହିତ ନାହିଁ, ଅଧିକ ଅଛି ‘ନିଷିଦ୍ଧ ଫଳ’ର ଚରିତ୍ରରେ। କାରଣ ସେହି ଫଳ ଭକ୍ଷଣ କରି ନ ଥିବା ପର୍ଯ୍ୟନ୍ତ ଆଦାମ ଓ ଇଭ୍‌ଙ୍କ ଠାରେ ଏକ ଶିଶୁସୁଲଭ ନିରୀହତା ଥିଲା, ଯେଉଁଥି ଲାଗି କୁତୂହଳ (ଶିଶୁସୁଲଭ)ର ବଶବର୍ତ୍ତୀ ହୋଇ ହୁଏ’ତ ସେମାନେ ବାରଣକୁ ଭ୍ରୂକ୍ଷେପ ନ କରି ଫଳକୁ ଚାଖିଥିଲେ; ଏବ˚ ଯାହାକୁ ହୁଏ’ତ ପରମ ପିତା ତାଙ୍କ ପ୍ରଶସ୍ତ ହୃଦୟ କାରଣରୁ କ୍ଷମା ପ୍ରଦାନ କରି ପାରିଥାଆନ୍ତେ। କିନ୍ତୁ ଯେଉଁ ‘ଫଳ’ ଆଦାମ ଓ ଇଭ୍‌ ଭକ୍ଷଣ କରିଥିଲେ, ତାହା ସେମାନଙ୍କ ଠାରେ ଏଭଳି ଏକ ଜ୍ଞାନ ବା ଚେତନାର ଉଦୟ ଘଟାଇଥିଲା, ଯହିଁରେ ସେମାନଙ୍କ ଶିଶୁସୁଲଭ ନିରୀହତା ଅପହୃତ ହୋଇଯାଇଥିଲା। ହୁଏ’ତ ସର୍ବନିୟନ୍ତା ଈଶ୍ବରଙ୍କୁ ଗୋଚର ଥିବ ଯେ ସେମାନେ ଆହରଣ କରିଥିବା ଜ୍ଞାନରୁ ସୃଷ୍ଟ ଅହଙ୍କାର ବା ଅହମିକା ଏଣିକି ସେମାନଙ୍କୁ ଦେବଲୋକର ଶୃଙ୍ଖଳା ଭଙ୍ଗ କରିବାକୁ ବାରମ୍ବାର ପ୍ରୋତ୍ସାହିତ କରିବ। ତାର ଏକ ପ୍ରମାଣ ରୂପେ ଆଜିର ପୃଥିବୀ ବିଦ୍ୟମନ ନାହିଁ କି?; ଯାହାକୁ ଆଦାମ ଓ ଇଭ୍‌ଙ୍କ ଦାୟାଦ ଭାବେ ପୃଥିବୀରେ ବିିଚରଣ କରି ଆସିଥିବା ମଣିଷ ଜାତି ‘ଧରାକୁ ସରା’ ମଣିବାର ମନୋବୃତ୍ତି ଦ୍ବାରା ଏକ ଅତ୍ୟନ୍ତ ଦୟନୀୟ ସ୍ଥାନରେ ପରିଣତ କରି ସାରିଛି!

‘କରୋନା ପାନ୍‌ଡେମିକ୍‌’ କାଳରେ ସମଗ୍ର ମାନବ ଜାତି ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ସମକ୍ଷରେ ଅତ୍ୟନ୍ତ ଅସହାୟ ହୋଇ ସାରିଥିବା ସତ୍ତ୍ବେ ବିଭିନ୍ନ ସମୟରେ ସାଧାରଣ ସ୍ତରରୁ ଆରମ୍ଭ କରି ଉଚ୍ଚ ସ୍ତର ପର୍ଯ୍ୟନ୍ତରେ ଅସ˚ଖ୍ୟ ମନୁଷ୍ୟ ପ୍ରଦର୍ଶନ କରି ଚାଲିିଥିବା ଅହମିକା ପରିପ୍ରେକ୍ଷୀରେ ବାଇବଲର ସର୍ଜନା କାହାଣୀର ଉପରୋକ୍ତ ଆଲୋଚନା ପ୍ରାସଙ୍ଗିକ ବୋଧ ହୁଏ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଜଣେ ବିତ୍ତଶାଳୀ ବ୍ୟବସାୟୀ ସମସ୍ତ ପ୍ରକାର କରୋନା କଟକଣା ଓ ନିୟମକୁ ଜଳାଞ୍ଜଳି ଦେଇ ହଜାରରୁ ଅଧିକ ସ˚ଖ୍ୟକ ଲୋକଙ୍କ ଉପସ୍ଥିତିରେ ନିଜ ପୁଅର ଭବ୍ୟ ବିବାହୋତ୍ସବ ସ˚ପନ୍ନ କରିବା ଠାରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ କରୋନାର ଏକ ବଡ଼ ସୁରକ୍ଷା କବଚ ଭାବେ ସବିଶ୍ବ ଗୃହୀତ ‘ମାସ୍କ୍‌’ ନ ପିନ୍ଧିବାର ଜିଦିରେ ଅଟଳ ରହିବା ପର୍ଯ୍ୟନ୍ତରେ ଅହମିକା ପ୍ରଦର୍ଶନର ଅନେକ ଉଦାହରଣ ମନୁଷ୍ୟର ଉଚ୍ଚତାକୁ ବୃଦ୍ଧି କରିବା ପରିବର୍ତ୍ତେ ଯେ କ୍ଷୁଦ୍ରତାକୁ ପ୍ରତିପାଦନ କରିଛି, ତାହା କହିବା ବାହୁଲ୍ୟ ମାତ୍ର। ଏ ସ˚ପର୍କରେ ଏକ ସ˚କ୍ଷିପ୍ତ ଆଲୋଚନା ଜରୁରୀ ବୋଲି ମନେ ହୁଏ।

କହିବା ନିଷ୍ପ୍ରୟୋଜନ ଯେ ଗୋପାଳପୁର ଠାରେ ଆୟୋଜିତ ହୋଇଥିବା ଉପରୋକ୍ତ ବିବାହୋତ୍ସବରେ ସ˚ପୃକ୍ତ ସମସ୍ତେ କରୋନା ସ˚କ୍ରମଣର ଭୟାବହତା ତଥା କରୋନା ମୁକାବିଲା ଲାଗି ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ କଟକଣା ବାବଦରେ ଅବଗତ ଥିବେ। ଯେଉଁ ହୋଟେଲରେ ହଜାରେରୁ ଅଧିକ ଅତିଥିଙ୍କ ଲାଗି ଏକ ବିପୁଳ ଭୋଜିର ଆୟୋଜନ କରାଯାଇଥିଲା, ସେହି ହୋଟେଲ କର୍ତ୍ତୃପକ୍ଷ ଏବ˚ କର୍ମଚାରୀମାନେ ମଧୢ ଏ ସ˚ଦର୍ଭରେ ସଚେତନ ଥିବା ନିଶ୍ଚିତ। ଯେଉଁ ସଡ଼କରେ ବାହାଘର ପଟୁଆର ବାଜା, ଗୀତ ଓ ରୋଷଣି ମଧ୍ୟରେ ମନ୍ଥର ଗତିରେ ଅଗ୍ରସର ହୋଇଥିବ, ସେହି ଅଞ୍ଚଳର ବାସିନ୍ଦାମାନେ ମଧୢ ଏ ସବୁ ବାବଦରେ ଆଦୌ ଅଜ୍ଞ ନ ଥିବେ। ତଥାପି ସର୍ବାଧିକ ସ˚ଖ୍ୟକ କରୋନା ସ˚କ୍ରମିତ ଏବ˚ ମୃତକଙ୍କୁ ଧାରଣ କରିଥିବା ହଟ୍‌ସ୍ପଟ୍‌ ଜିଲ୍ଲା ଗଞ୍ଜାମରେ ଏଭଳି ସତର୍କତାମୂଳକ ନିୟମାବଳୀର ଖୋଲା ଉଲ୍ଲ˚ଘନ କେବଳ ବିସ୍ମୟକର ନୁହେଁ, ଅକ୍ଷମଣୀୟ ପର୍ଯ୍ୟାୟର ମଧୢ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ଘଟଣା ପୁଲିସ ପ୍ରଶାସନର ଦୃଷ୍ଟିକୁ ଏଡ଼ାଇ ଗଲା କିପରି? ସାମାଜିକ ଗଣମାଧୢମରେ ଏହି ବିବାହୋତ୍ସବର ଭିଡିଓ ପ୍ରସାରିତ ହେବା ପରେ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। କରୋନା ‘ପାନଡେମିକ୍‌’ କାଳରେ ଯେତେବେଳେ ସାଧାରଣ ନାଗରିକମାନେ ‘ଲକ୍‌ଡାଉନ୍‌’, ‘ସଟ୍‌ଡାଉନ୍‌’, ୧୪୪ ଧାରା ଓ କର୍ଫ୍ୟୁ ଭଳି ନାଗରିକ ସ୍ବାଧୀନତାକୁ କ୍ଷୁଣ୍ଣ କରୁଥିବା ଭଳି ସରକାରୀ କଟକଣା ମଧୢ ଦେଇ ନିରବରେ ଗତି କରୁଛନ୍ତି ଏବ˚ ସେହି କାରଣରୁ ଅନେକ ସମୟରେ ଭୀଷଣ ବ୍ୟକ୍ତିଗତ ଅସୁବିଧାର ସାମନା କରୁଛନ୍ତି, ସେତିକି ବେଳେ ସରକାରୀ କଟକଣା ପ୍ରତି ପ୍ରଦର୍ଶିତ ବାଦଶାହୀ ବେଖାତିର ଢଙ୍ଗ ଏବ˚ ତାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ଏକ ଉଦାସୀନ ପ୍ରଶାସନ ସାଧାରଣରେ କ୍ଷୋଭ ସୃଷ୍ଟି କରିବା ସ୍ବାଭାବିକ। ଏହି ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକ ହେବା ଉଚିତ। କାରଣ କରୋନା ସ˚କ୍ରମଣ କାଳରେ ଏଭଳି ଦାୟିତ୍ବହୀନ ବ୍ୟକ୍ତି ପ୍ରକୃତରେ ଜନତାର ଶତ୍ରୁ।

ନିୟମକୁ ପାଳନ କରିବା ଦ୍ବାରା ପାଳନକାରୀ ଯେ ଅଧିକ ସଶକ୍ତ ହୋଇଥାଏ, ତାହା ହୃଦୟଙ୍ଗମ କରିବାରେ ଅସମର୍ଥ ଅସଂଖ୍ୟ ଏହାକୁ ଏକ ପ୍ରକାର ପରାଧୀନତା ରୂପେ ଦେଖି ଥାଆନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ‘ମାସ୍କ୍‌’ ପିନ୍ଧିବାକୁ ବ୍ୟକ୍ତି ସ୍ବାଧୀନତାର ହନନ ଭାବେ ଚିତ୍ରଣ କରାଯିବା ଏହାର ଏକ ପ୍ରମାଣ। କହିବା ବାହୁଲ୍ୟ ଯେ କରୋନା ସ˚କ୍ରମଣର ଭୟାବହତା ପରିପ୍ରେକ୍ଷୀରେ ଏଭଳି ଆଭିମୁଖ୍ୟ ସମ୍ଭବତଃ ନିଜକୁ ଅପରାଜେୟ ବୋଲି ମନେ କରିବାର ଏକ ଅଭିବ୍ୟକ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ‘ଚୀନା ଭୂତାଣୁ’କୁ ହେୟଜ୍ଞାନ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌, ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସାନାରୋ ଏବ˚ ଇ˚ଲାଣ୍ତର ରାଷ୍ଟ୍ରପତି ବୋରିସ ଜନସନଙ୍କ ଭଳି ସମୃଦ୍ଧ ରାଷ୍ଟ୍ରର ମୁଖ୍ୟମାନେ ‘କରୋନା ପାନ୍‌ଡେମିକ’ର ଆଦ୍ୟ ପର୍ବରେ ବିଭିନ୍ନ ସତର୍କତାମୂଳକ ନିୟମ ମାନିବା ବା ମାସ୍କ୍‌ ପିନ୍ଧିବା ଭଳି ବିଷୟକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ବୋରିସ ଜନସନ ସ୍ବୟ˚ ‘କୋଭିଡ୍‌-୧୯’ ଭୂତାଣୁ ଦ୍ବାରା ସ˚କ୍ରମିତ ହେବା ପରେ ଏଭଳି ମନୋବୃତ୍ତି ପରିହାର କରି ସାରିଥିବା ବେଳେ ଟ୍ରମ୍ପ୍‌ ଓ ବୋଲସାନାରୋଙ୍କ ଠାରେ ଅହମିକାର ଲକ୍ଷଣମାନ ଅଦ୍ୟାବଧି ଅବ୍ୟାହତ ରହିଛି। ପ୍ରକାଶ ଥାଉ କି ଆଜିକୁ ଶହେ ବର୍ଷ ତଳେ ୧୯୧୮ ମସିହାରେ ‘ସ୍ପେନିସ ଫ୍ଲୁ’ ‘ପାନ୍‌ଡେମିକ’ର ଭୟାବହ ସ˚କ୍ରମଣ କାଳରେ ମଧୢ ଅନେକ ସ୍ଥାନରେ ମୁହଁ ଓ ନାକ ଘୋଡ଼ାଇ ରଖିବାର ଉପଦେଶକୁ ଅମାନ୍ୟ କରାଯାଇଥିଲା ଏବ˚ ଏଭଳି କରିବା ଭୀରୁତା ତଥା ପୁରୁଷୋଚିତ ନୁହେଁ ବୋଲି ମଧୢ କୁହାଯାଉଥିଲା। ସୁତରା˚ ବିଭିନ୍ନ ସାଧାରଣ ତଥା ଅସାଧାରଣ ପରିସ୍ଥିତି ମଧୢରେ ମାନବୀୟ ଅହମିକାର ଜୟଯାତ୍ରା ଜାରି ରହିଛି। ପରିଶେଷରେ ଏ ପ୍ରସଙ୍ଗରେ ପୁଣେର ବ୍ୟବସାୟୀ ଶଙ୍କର କୁରାଡ଼େଙ୍କ ବିଷୟରେ ମଧୢ କୁହାଯିବା ଏଥି ଲାଗି ପ୍ରଣିଧାନଯୋଗ୍ୟ ଯେ ତାହା ମଧୢ ଗୋପାଳପୁରରେ ଆୟୋଜିତ ହୋଇଥିବା ଉପରେ ଆଲୋଚ୍ୟ ଧନୀକ ବାହାଘରରେ ପ୍ରଦର୍ଶିତ ଅହମିକାର ସମତୁଲ। ସ˚ପ୍ରତି ଯେତେବେଳେ ଭାରତର ଅର୍ଥନୀତି କରୋନା ସ˚କ୍ରମଣଜନିତ ସ୍ଥିତି ହେତୁ ଦୟନୀୟ ଭାବେ ନିମ୍ନଗାମୀ ଏବ˚ ଏହି କାରଣରୁ ଦରିଦ୍ର ଓ ବିସ୍ଥାପିତଙ୍କ ସ˚ଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି, ସେତିକି ବେଳେ ଏହି ବ୍ୟକ୍ତି ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ସୁବର୍ଣ୍ଣ ମାସ୍କ୍ ପରିଧାନ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ମନେ ରଖିବାକୁ ହେବ ଯେ ଅହମିକା ପ୍ରଦର୍ଶନ କରୁଥିବା ମନୁଷ୍ୟ ଏଥିରୁ ସୃଷ୍ଟ ଭ୍ରାନ୍ତି ଦ୍ବାରା ନିଜ ଚକ୍ଷୁରେ ନିଜକୁ ବୃହଦାକାର ରୂପେ ଦେଖୁଥିଲେ ମଧ୍ୟ ଅନ୍ୟମାନଙ୍କ ଚକ୍ଷୁରେ ତାଙ୍କର କ୍ଷୁଦ୍ରତା ଧରା ପଡ଼ିଯାଉଥାଏ। ଏହା ଏକ ବିଡ଼ମ୍ବନା। କିନ୍ତୁ ତା ଠାରୁ ଅଧିକ ବିଡ଼ମ୍ବନା ହେଉଛି ଅସଂଖ୍ୟ ବିଜ୍ଞ ବ୍ୟକ୍ତି ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି।

ସମ୍ବନ୍ଧିତ ଖବର