ଅଜେୟ ୬୨

ଭାରତରେ ‘ଇଣ୍ତିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ’ (‘ଆଇସିଏମ୍‌ଆର‌୍‌’) ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌-୧୯ ପାଇଁ ଏକ ଟିକା ପ୍ରସ୍ତୁତ କରାଯାଇ ପାରିବାର ସମ୍ଭାବନା ରହିଛି ବୋଲି ପ୍ରଦାନ କରିଥିବା ସୂଚନାର ବିଶ୍ବସନୀୟତା ଏକ ବିବାଦ ଘେରରେ ଛନ୍ଦି ହୋଇ ପଡ଼ିଥିବା ବେଳେ, ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଏକ ଅଧିକ ଲମ୍ବା ସମୟସୀମା ପ୍ରତି ଇସାରା ଦେଇ କହିଛନ୍ତି ଯେ ୨୦୨୧ ସୁଦ୍ଧା ଏଭଳି କୌଣସି ଟିକାର ଆବିର୍ଭାବ ଘଟି ପାରେ। ସେ କହିଛନ୍ତି ପୃଥିବୀର ବିଭିନ୍ନ ସ୍ଥାନରେ ପରୀକ୍ଷା ଚାଲିଥିବା ପ୍ରାୟ ୧୫୦ଟି ଏଭଳି ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ସେଇ ସମୟ ସୁଦ୍ଧା ଅନ୍ତତଃ ଗୋଟିଏ ଫଳପ୍ରଦ ଟିକା ଆମକୁ ମିଳି ଯାଇପାରେ। ଏ ସମସ୍ତ ପରୀକ୍ଷାର ତୃତୀୟ ସ୍ତର ଉପରେ ‘ହୁ’ କଡ଼ା ନଜର ରଖିବ ବୋଲି ସ୍ବାମୀନାଥନ୍‌ ଘୋଷଣା କରିଛନ୍ତି। ତୃତୀୟ ସ୍ତର ପରୀକ୍ଷାରେ ଅଧିକ ସ˚ଖ୍ୟକ ଲୋକଙ୍କ ଉପରେ ସମ୍ଭାବ୍ୟ ଟିକାର ପ୍ରୟୋଗ କରାଯାଇ ତା’ର ପ୍ରଭାବ ଆକଳନ କରାଯାଇଥାଏ।

ଚୀନା କରୋନା ଭାଇରସ୍‌ ବର୍ତ୍ତମାନ ସମୟରେ ଏହି କୋଭିଡ୍‌-୧୯ ନାମକ ବିଶ୍ବ ମହାମାରୀ ବା ‘ପାନ୍‌ଡେମିକ୍‌’ ସୃଷ୍ଟି କରିବା ପରଠାରୁ ଏହାକୁ ନିୟମିତ ଭାବରେ ୧୯୧୮ର ‘ପାନ୍‌ଡେମିକ୍‌’ ‘ସ୍ପାନିସ୍‌ ଫ୍ଲୁ’ ସହିତ ତୁଳନା କରା ହୋଇ ଆସିଛି, ଯେଉଁଥିରେ ସାରା ପୃଥିବୀରେ ପ୍ରାୟ ପାଞ୍ଚ କୋଟି ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ। ବର୍ତ୍ତମାନ ପରି ସେତେବେଳେ ମଧୢ ସାମାଜିକ ଦୂରତା ରକ୍ଷାରୁ ଆରମ୍ଭ କରି ମୁଖୋସ୍‌ ପିନ୍ଧା ପର୍ଯ୍ୟନ୍ତ ଏକ ସାଧାରଣ ଆଚରଣରେ ପରିଣତ ହୋଇଯାଇଥିଲା। ସେତେବେଳେ ମଧୢ ବର୍ତ୍ତମାନ ଭଳି ଏକ ଟିକା ଉଦ୍ଭାବନ କରିବା ପାଇଁ ପ୍ରବଳ ଉଦ୍ୟମ ମାନ ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନର ଟିକା ଅନୁସନ୍ଧାନ ଅଭିଯାନ ପରିପ୍ରେକ୍ଷୀରେ ସେ ସମୟରେ ହୋଇଥିବା ଏପରି ଏକ ନିର୍ଦ୍ଦିଷ୍ଟ ଉଦ୍ୟମ ଓ ତା’ର ଫଳାଫଳ ଏଭଳି ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୋଇଥାଏ ଯେ ଏଠାରେ ତାହାର ଅବତାରଣା ପ୍ରାସଙ୍ଗିକ ହେବ ବୋଲି ଆମେ ମନେକରୁ।

ଟିକା ଉଦ୍ଭାବନର ଏହି ଉଦ୍ୟମର ସ୍ଥାନ ଥିଲା ଆମେରିକାର ବୋଷ୍ଟନ୍‌ ବନ୍ଦରସ୍ଥିତ ଡିଅର‌୍‌ ଆଇଲାଣ୍ତ୍‌ ସାମରିକ କାରାଗାର। ପରୀକ୍ଷାରେ ଭାଗ ନେବା ପାଇଁ ସ୍ବେଚ୍ଛାକୃତ ଭାବରେ ଆଗେଇ ଆସିଥିବା ବନ୍ଦୀମାନଙ୍କ ଉପରେ ଗବେଷକମାନେ ଏହି ପରୀକ୍ଷା ଚଳାଇଥିଲେ। ଯେଉଁ ବନ୍ଦୀମାନେ ପରୀକ୍ଷା ଶେଷରେ ଜୀବିତ ରହିବେ, ସେମାନଙ୍କୁ କ୍ଷମା ପ୍ରଦାନ କରାଯାଇ ମୁକ୍ତ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏ ପରୀକ୍ଷାର ମାନ ଥିଲା ଅକଥନୀୟ ଭାବରେ କଠୋର ଶ୍ରେଣୀର। ପ୍ରଥମେ ମୃତ ରୋଗୀମାନଙ୍କର ଫୁସ୍‌ଫୁସ୍‌ରୁ ତନ୍ତୁ (ଟିସ୍ୟୁ) ସ˚ଗ୍ରହ କରି ତାହାକୁ ସ୍ବେଚ୍ଛାସେବୀମାନଙ୍କ ଶରୀରରେ ଇଞ୍ଜେକ୍‌ସନ୍‌ ଦିଆଯାଉଥିଲା; ତା’ପରେ ସେମାନଙ୍କ ଆଖି, ନାକ ଓ ମୁଖ ଗହ୍ବରରେ ସ˚କ୍ରାମକ କଣିକା (ଏରୋସୋଲ୍‌)ମାନ ସ୍ପ୍ରେ କରାଯାଉଥିଲା।

ଯଦି ଏ ସବୁ ସତ୍ତ୍ବେ ମଧୢ ସେମାନଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଉନଥିଲା କିମ୍ବା ମୃତ୍ୟୁ ଘଟୁ ନଥିଲା, ତା’ହେଲେ ରୋଗୀମାନଙ୍କଠାରୁ ଏବ˚ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଥିବା ସ˚କ୍ରମିତ ପୀଡ଼ିତ ମାନଙ୍କଠାରୁ ନିର୍ଗତ ଲାଳ, କଫ ଆଦି ସ˚ଗ୍ରହ କରି ତାହାକୁ ସ୍ବେଚ୍ଛାସେବୀମାନଙ୍କର ଗଳା ଭିତରେ ବୋଳି ଦିଆଯାଉଥିଲା। ଯଦି ଏ ସବୁର କୌଣସି ପ୍ରଭାବ ଦେଖାନଗଲା, ତେବେ ସ୍ବେଚ୍ଛାସେବୀମାନଙ୍କୁ ପାଟି ଆଁ କରି ବସିବାକୁ କୁହାଯାଉଥିଲା ଏବ˚ ଅତି ଗୁରୁତର ରୋଗୀମାନଙ୍କୁ ଏହି ସ୍ବେଚ୍ଛାସେବୀମାନଙ୍କ ମୁହଁ ଆଗରେ କାଶିବାକୁ କୁହାଯାଉଥିଲା।

ସେଇ ବନ୍ଦୀଶାଳାରୁ ସ୍ବେଚ୍ଛାସେବୀ ହେବାକୁ ସମ୍ମତି ଦେଇଥିବା ମୋଟ ପ୍ରାୟ ୩୦୦ ଜଣ ବନ୍ଦୀମାନଙ୍କ ମଧୢରୁ ଡାକ୍ତରମାନେ ୬୨ ଜଣ ବନ୍ଦୀଙ୍କୁ ଉପରବର୍ଣ୍ଣିତ ପରୀକ୍ଷାରେ ଅ˚ଶ ଗ୍ରହଣ କରିବା ପାଇଁ ବାଛିଥିଲେ। ଆଶ୍ଚର୍ଯ୍ୟର କଥା- ସେମାନଙ୍କ ମଧୢରୁ ଜଣେ କେହି ବି ଏ ସବୁ ଅଗ୍ନି ପରୀକ୍ଷା ପରେ ଫ୍ଲୁ ଦ୍ବାରା ଆକ୍ରାନ୍ତ ହେଲେ ନାହିଁ। ଏକ ବିଡ଼ମ୍ବନା ଭଳି, ଯେଉଁ ଜଣେ ମାତ୍ର ବ୍ୟକ୍ତି କିନ୍ତୁ ସ˚କ୍ରମଣର ଶିକାର ହେଲେ ଏବ˚ ପ୍ରାଣ ହରାଇଲେ, ସେ ଥିଲେ ସେ ରୋଗୀମାନଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଵାର୍ଡ ଡାକ୍ତର। ପରବର୍ତ୍ତୀ ସମୟରେ ଏହାର ଯେଉଁ ସମ୍ଭାବ୍ୟ କାରଣ ଦର୍ଶା ଯାଇଥିଲା, ତାହା ହେଲା- କେତେ ସପ୍ତାହ ତଳେ ସମଗ୍ର ବନ୍ଦୀଶାଳା ମହାମାରୀର କବଳରେ ପଡ଼ିଥିଲା ଏବ˚ ସମ୍ପୃକ୍ତ ସ୍ବେଚ୍ଛାସେବୀମାନେ ତା’ପରେ ଜୀବିତ ରହିଥିଲେ; ତେଣୁ ସେମାନଙ୍କଠାରେ ଫ୍ଲୁ ବିରୋଧରେ ପ୍ରାକୃତିକ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହୋଇ ଯାଇଥିଲା। (ଏହା ଦାର୍ଶନିକ ଫ୍ରେଡ୍‌ରିକ୍‌ ନିଚାଙ୍କ ପ୍ରସିଦ୍ଧ ଉକ୍ତିର ଏକ ବାସ୍ତବ ପ୍ରମାଣ ଭଳି ଥିଲା: ‘‘ଯାହା ଆମକୁ ମାରି ଦିଏ ନାହିଁ, ତାହା ଆମକୁ ଆହୁରି ମଜଭୁତ କରି ଦିଏ।’’)

୧୯୧୮ର ସ୍ପାନିସ୍‌ ଫ୍ଲୁ ମହାମାରୀର ଅନେକ ଦିଗ ଏ ପର୍ଯ୍ୟନ୍ତ ମଧୢ ଅବୋଧୢ ହୋଇ ରହିଛି। ଗୋଟିଏ ଏଭଳି ରହସ୍ୟମୟ ଦିଗ ହେଉଛି ନଦୀ, ସମୁଦ୍ର, ପାହାଡ଼ ପର୍ବତ ପାର ହୋଇ ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରାୟ ଏକ ସମୟରେ ଏହି ଫ୍ଲୁର କିପରି ଆବିର୍ଭାବ ଘଟିଲା? ଏକ ଜୀବନ୍ତ ଶରୀର ବାହାରେ ଭାଇରସ୍‌ ମାତ୍ର କେତେ ଘଣ୍ଟାରୁ ଅଧିକ ସମୟ ବଞ୍ଚି ରହି ପାରି ନଥାଏ; ତା’ହେଲେ ଗୋଟିଏ ସପ୍ତାହ ଭିତରେ ଭାରତର ବମ୍ବେ, ସ୍ପେନ୍‌ର ମାଡ୍ରିଡ୍‌ ଓ ଆମେରିକାର ଫିଲାଡେଲ୍‌ଫିଆ ଭଳି ଲକ୍ଷ ଲକ୍ଷ ଯୋଜନ ତଫାତ୍‌ରେ ଥିବା ସ୍ଥାନ ମାନଙ୍କରେ ଭୂତାଣୁର ଆବିର୍ଭାବ ଘଟିଲା କିପରି? ସେହିପରି ବୟୋବୃଦ୍ଧ ଓ ଶିଶୁମାନଙ୍କ ଅପେକ୍ଷା ଯୁବ ପିଢ଼ି ପାଇଁ ୧୯୧୮ର ଫ୍ଲୁ କାହିଁକି ଅଧିକ ଘାତକ ସାବ୍ୟସ୍ତ ହୋଇଥିଲା, ତା’ର କାରଣ ମଧୢ କାହାରିକୁ ଜଣା ନାହିଁ। ଠିକ୍‌ ଯେମିତି ଚୀନା କରୋନାର ଅନେକ ଦିଗ ସମ୍ବନ୍ଧରେ ଆମେ ଏବେ ବି ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛୁ: ବାୟୁ ଦ୍ବାରା ସ˚କ୍ରମଣ ହୁଏ କି ହୁଏ ନାହିଁ?, ବସ୍ତୁ (ଫୋମାଇଟ୍‌) ଦ୍ବାରା ସ˚କ୍ରମଣ ହୁଏ କି ନାହିଁ?, ଲକ୍ଷଣହୀନ ରୋଗୀ ଦ୍ବାରା ସ˚କ୍ରମଣ ଘଟେ ନା ନାହିଁ?, ହାଇଡ୍ରକ୍‌ସିକ୍ଲୋରୋକୁଇନ୍‌ ସେବନ ଉଚିତ ନା ନୁହେଁ? ସ˚କ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଠାରେ ନିଶ୍ଚିତ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହୁଏ ନା ନାହିଁ?, ଇତ୍ୟାଦି।

ଆରମ୍ଭରେ ଆଭାସ ଦିଆଯାଇଥିବା ଭଳି ଏହାର ମୁକାବିଲା ପାଇଁ ଟିକା ଉଦ୍ଭାବନ ଉଦ୍ୟମ ମଧୢ ବିଭିନ୍ନ ଦାବି, ପ୍ରତି-ଦାବି ଓ ସ˚ଶୟ ମଧୢରେ ଛନ୍ଦି ହେବା ଦେଖା ଯାଉଛି। ଆଶା, ଶୀଘ୍ର ନହେଲେ ମଧୢ ବିଳମ୍ବରେ ଫଳପ୍ରଦ କୌଣସି ଏକ ଟିକାର ଆବିର୍ଭାବ ଘଟିବ। ଯଦି ତାହା ନହୁଏ, ତେବେ ଡିଅର‌୍‌ ଆଇଲାଣ୍ତ୍‌ ସାମରିକ କାରାଗାରର ଅନୁଭୂତି ଆଜିର ମାନବ ସମାଜ ପାଇଁ ଏକ ବିଷଣ୍ଣ ସାନ୍ତ୍ବନା ଭଳି କାର୍ଯ୍ୟ କରିପାରେ। ତାହା ହେଲା, ୧୯୧୮ର ସ୍ପାନିସ୍‌ ଫ୍ଲୁ ମାନବ ଜାତିର ବିଲୟ ସାଧନ କରିପାରି ନଥିବା ଭଳି ଆଜିର ଚୀନା କରୋନା ମଧୢ ତାହା କରିବାରେ ବିଫଳ ହେବ, ଏବ˚ ସେ ୬୨ ଜଣ ସ୍ବେଚ୍ଛାସେବୀଙ୍କ ଭଳି ଯେଉଁମାନେ ଏଥିରୁ ବର୍ତ୍ତିଯିବେ, ସେମାନେ ଅଜେୟ ହୋଇଯିବେ।

ସମ୍ବନ୍ଧିତ ଖବର