‘ସେ ଥିଲେ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ସର୍ବଶ୍ରେଷ୍ଠ ବ୍ରାହ୍ମଣ ବୀର ପର୍ଶୁରାମଙ୍କ ସମତୁଲ। ସେ କ୍ଷତ୍ରିୟଙ୍କୁ ଦଣ୍ତ ଦେବା ଲାଗି ଧରାବତରଣ କରିଥିଲେ। ତାଙ୍କୁ ହତ୍ୟା କରି କ୍ଷତ୍ରିୟମାନେ ଏକ ମସ୍ତବଡ଼ ଭୁଲ କରି ଦେଇଛନ୍ତି।’ ଏହି ଉକ୍ତିଟି କେଉଁ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଅଭିପ୍ରେତ ବୋଲି ଯେଉଁ ପାଠକପାଠିକାମାନେ ଭାଳି ହେଉଥିବେ, ସେମାନଙ୍କ ସ˚ଶୟ ଦୂର କରିବା ଲାଗି ଏଠାରେ ଉଲ୍ଲେଖ କରିଦେବା ଉଚିତ ହେବ ଯେ ‘ପର୍ଶୁରାମଙ୍କ ସମତୁଲ ସେହି ବ୍ରାହ୍ମଣ ବୀର ଆଉ କେହି ନୁହେଁ; ସେ ହେଉଛି ପୁଲିସ ହାତରେ ନିହତ ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେ। କହିବା ବାହୁଲ୍ୟ ଯେ ଏହି ଉକ୍ତିଟି ହେଉଛି ବିକାଶ ଦୁବେକୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମାଜିକ ଗଣମାଧୢମରେ ପ୍ରସାରିତ ହେଉଥିବା ଶହ ଶହ ପୋଷ୍ଟଗୁଡ଼ିକ ଭିତରୁ ଗୋଟିଏ। ଭାରତର ସର୍ବ ବୃହତ୍ ତଥା ରାଜନୈତିକ ଦୃଷ୍ଟିକୋଣରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଜାତିବାଦ କିଭଳି ତୀବ୍ର ରୂପ ପରିଗ୍ରହଣ କରିପାରେ, ଏହା ହେଉଛି ତାର ଏକ ପ୍ରମାଣ। ଉତ୍ତରପ୍ରଦେଶର ଚୌବେପୁର କସବାର ଜଣେ ଜଣାଶୁଣା ଅପରାଧୀ ବିକାଶ ଦୁବେକୁ ଗିରଫ କରିବାକୁ ଯାଇଥିବା ପୁଲିସ ଦଳ ଉପରେ ଦୁବେ ଗ୍ୟାଙ୍ଗ୍ର ଅପରାଧୀମାନଙ୍କ ଅତର୍କିତ ଆକ୍ରମଣ ଫଳରେ ଜଣେ ପୁଲିସ ଡିଏସ୍ପିଙ୍କ ସମେତ ଆଠ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇବା ସହିତ ଦୁବେକୁ ସର୍ବଭାରତୀୟ କୁଖ୍ୟାତି ପ୍ରଦାନ କରିଥିଲା। ତେବେ ଏହି ଘଟଣା ପରେ ପଳାୟନ କରିଥିବା ବିକାଶ ଦୁବେ ଗଲା ଗୁରୁବାର ଦିନ ଆତ୍ମସମର୍ପଣ କରିବା ପରେ ଏକ ଏନ୍କାଉଣ୍ଟରରେ ନିହତ ହେବା ତତୋଧିକ ଚାଞ୍ଚଲ୍ୟର କାରଣ ହେବା ସହିତ ଏକ ସନ୍ଦେହ ଜାତ କରିଥାଏ ଯେ ଉତ୍ତରପ୍ରଦେଶରେ ସର୍ବବିଦ୍ୟମାନ ସ୍ଥିତିରେ ଥିବା ରାଜନେତା-ପୁଲିସ-ଅପରାଧୀଙ୍କ ମଧୁଚନ୍ଦ୍ରିକା କାଳେ ପ୍ରକାଶ୍ୟ ହୋଇଯିବ, ସେଥି ଲାଗି ଏକ ‘ନକଲି ଏନ୍କାଉଣ୍ଟର’ ଜରିଆରେ ଦୁବେକୁ ଚିର ଦିନ ଲାଗି ନିରବ କରିଦିଆଗଲା ନାହିଁ ତ? କିନ୍ତୁ ସେ ସ˚ପର୍କରେ ଏକ ଆଲୋଚନା ଏହି ସ୍ତମ୍ଭର ଲକ୍ଷ୍ୟ ନୁହେଁ। ଏଠାରେ ଯାହା ଆଲୋଚିତ ହେବାକୁ ଯାଉଛି ତାହା ହେଲା କିଭଳି ଉତ୍ତରପ୍ରଦେଶରେ ଜାତି ପ୍ରାଧାନ୍ୟ ମାନସିକତା ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଛି, ଯହିଁରେ ଅପରାଧୀମାନେ ସାଧାରଣ ନାଗରିକମାନଙ୍କ ଦ୍ବାରା ମହିମା ମଣ୍ତିତ ହୋଇ ଅବତାରୀ ପୁରୁଷମାନଙ୍କ ପ୍ରତୀକରେ ପରିଣତ ହେଲେଣି।
ଉତ୍ତରପ୍ରଦେଶରେ ଏକ ବିଚିତ୍ର ଧାରଣା ଅନୁଯାୟୀ ପୁଲିସ ବା ପ୍ରଶାସନରେ କାର୍ଯ୍ୟରତ କର୍ମଚାରୀମାନେ ଜାତି ବିବର୍ଜିତ ହୋଇଥାଆନ୍ତି; କାରଣ ଯେଉଁ ରାଜନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦାସୀନ ହୁଅନ୍ତି, ତାଙ୍କ ଜାତିକୁ ପୁଲିସ ଓ ପ୍ରଶାସନ ନିଜ ଜାତି ରୂପେ ଧାରଣ କରନ୍ତି। ଉଦାହରଣ ସ୍ବରୂପ ଉତ୍ତରପ୍ରଦେଶର ପୁଲିସ ଓ ପ୍ରଶାସନ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାକୁର ସ˚ପ୍ରଦାୟର ଅର୍ଥାତ୍ କ୍ଷତ୍ରିୟ(ରାଜପୁତ) ଜାତିର ଅଧୀନ ବୋଲି ସେହି ରାଜ୍ୟର ସାଧାରଣ ଲୋକେ ବିଶ୍ବାସ କରନ୍ତି। ସୁତରା˚, ସେହି ପରିପ୍ରେକ୍ଷୀରେ ପୁଲିସ ଦ୍ବାରା ବିକାଶ ଦୁବେର ହତ୍ୟାକୁ କ୍ଷତ୍ରିୟ ଦ୍ବାରା ଜଣେ ବ୍ରାହ୍ମଣର ନିଧନ ରୂପେ ପ୍ରଦର୍ଶନ କରାଯିବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ ବିକାଶ ଦୁବେ ଗ୍ୟାଙ୍ଗ୍ ହାତରେ ପ୍ରାଣ ହରାଇଥିବା ଡିଏସ୍ପି ଦେବେନ୍ଦ୍ର ମିଶ୍ର ସ୍ବୟ˚ ବ୍ରାହ୍ମଣ ଜାତିର; ଏବ˚ ଦେବେନ୍ଦ୍ର ମିଶ୍ର ଥିଲେ ସେହି ପୁଲିସ ଅଧିକାରୀ ଯିଏ ବିକାଶ ଦୁବେ ସହିତ ସ୍ଥାନୀୟ ପୁଲିସର ମଧୁର ମେଣ୍ଟ ସ˚ପର୍କରେ ଅଭିଯୋଗ ଉଠାଇ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ବିକାଶ ଦୁବେକୁ ବ୍ରାହ୍ମଣ ପ୍ରାଧାନ୍ୟର ଏକ ପ୍ରତୀକ ବୋଲି ବିଚାର କରୁଥିବା ଉତ୍ତରପ୍ରଦେଶର ଜାତିଆଣବାଦୀ ବ୍ରାହ୍ମଣମାନେ ଦେବେନ୍ଦ୍ର ମିଶ୍ରଙ୍କ ବ୍ରାହ୍ମଣତ୍ବକୁ (ଠାକୁର ସ˚ପ୍ରଦାୟର ମୁଖ୍ୟମନ୍ତ୍ରୀଙ୍କ ସରକାରର ଜଣେ କର୍ମଚାରୀ ହୋଇଥିବାରୁ) ନଜରଅନ୍ଦାଜ କରିଥାଆନ୍ତି। ଏହା ହିଁ ହେଉଛି ଉତ୍ତରପ୍ରଦେଶର ଏକ ଅପଲକ୍ଷଣ, ଯେଉଁଠି ଅପରାଧୀମାନେ ଜାତି ସ୍ବାର୍ଥର ରକ୍ଷାକର୍ତ୍ତା ଭାବେ ଶ୍ରଦ୍ଧା ଓ ସମ୍ମାନ ଲାଭ କରିଥାଆନ୍ତି।
ଉତ୍ତରପ୍ରଦେଶରେ ଏଭଳି ବିଚାର ଏକ ଜାତିଆଣବାଦ ଆଧାରିତ ଅପରାଧ-ତନ୍ତ୍ର ସୃଷ୍ଟି କରିଛି। ସେଠାକାର ଶାସନ ମୁଖ୍ୟଙ୍କ ଜାତିର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଉପଦ୍ରବରୁ ନିଜ ଜାତିର ଲୋକଙ୍କୁ ସୁରକ୍ଷା ଦେବା ଲାଗି ବିକାଶ ଦୁବେ ଭଳି ଅପରାଧୀଙ୍କ ଜନ୍ମ ଏହି ଅପରାଧ-ତନ୍ତ୍ରକୁ ପରିପୁଷ୍ଟ କରିବା ସହିତ ଏକ ଧାରାବାହିକତା ମଧୢ ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଗୋରଖପୁରକୁ ଏକ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇପାରେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମି ଗୋରଖପୁର ହେଉଛି ଠାକୁରମାନଙ୍କ ଆଧିପତ୍ୟାଧୀନ ଅଞ୍ଚଳ। ସୁତରା˚, ସେଠାକାର ବ୍ରାହ୍ମଣମାନେ ଅସୁରକ୍ଷିତ ହୋଇ ପଡ଼ିଥିବା କାରଣରୁ ଅନେକ ବର୍ଷ ତଳେ ଯେଉଁ ଗ୍ୟାଙ୍ଗ୍ ଗଠନ କରିଥିଲେ ତାର ନେତୃତ୍ବ ନେଇଥିଲେ ହରିଶଙ୍କର ତିଵାରୀ। ବର୍ତ୍ତମାନ ଅଶୀ ବର୍ଷ ବୟସ ଅତିକ୍ରମ କରି ସାରିଥିବା ହରି ଶଙ୍କରଙ୍କ ଗ୍ୟାଙ୍ଗ୍ର ପ୍ରତିପକ୍ଷ ଥିଲେ ଠାକୁର ଗ୍ୟାଙ୍ଗ୍ର ପରିଚାଳକ ବୀରେନ୍ଦ୍ର ସାହି। ହରିଶଙ୍କର ତିଵାରୀ ରାଜନୀତିରେ ଯୋଗ ଦେଇ ନିଜ ନିର୍ବାଚନ ମଣ୍ତଳୀରୁ ଲଗାତାର ଛଅ ଥର ବିଜୟ ଲାଭ କରିଥିଲେ ଏବ˚ ଏକଦା ତାଙ୍କୁ ଅପରାଜେୟ ବୋଲି ବିବେଚନା କରାଯାଉଥିଲା। ସେହି ଦୃଷ୍ଟିରୁ ସେ ହେଉଛନ୍ତି ଉତ୍ତର ପ୍ରଦେଶର ସବୁଠାରୁ ପୁରୁଣା ଦାଗୀ ରାଜନେତାଙ୍କ ମଧୢରୁ ଜଣେ। ଉଲ୍ଲେଖନୀୟ ଯେ ହରିଶଙ୍କର ତିଵାରୀଙ୍କ ବିରୋଧରେ ଅସ˚ଖ୍ୟ ହତ୍ୟା ଓ ଅପହରଣ ଭଳି ଗୁରୁତର ଅପରାଧର ଆରୋପ ଥିବା ସତ୍ତ୍ବେ ନିର୍ବାଚନରେ ବିପୁଳ ଭୋଟ ଲାଭ କରି ନିର୍ବାଚନ ଜିଣିବାର ସେ ଯେଉଁ ଅପୂର୍ବ ସାମର୍ଥ୍ୟ ପ୍ରତିପାଦନ କରିଥିଲେ, ତାହା ହିଁ ତ ହେଉଛି ଗଣତନ୍ତ୍ରରେ ସଫଳତାର ଏକମାତ୍ର ମାପକାଠି! ସେହିପରି ଆଉ ଗୋଟିଏ ଉଦାହରଣ ଭାବେ ରଘୁରାଜ ପ୍ରତାପ ସି˚ହ ବା ରାଜା ଭୈୟାଙ୍କୁ ଦେଖାଯାଇପାରେ। ଅସ˚ଖ୍ୟ ଜଘନ୍ୟ ଆପରାଧିକ ରେକର୍ଡ ସତ୍ତ୍ବେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜ ନିର୍ବାଚନ ମଣ୍ତଳୀ କୁନ୍ଦାରୁ ଲଗାତର ଭାବେ ସେ ନିର୍ବାଚିତ ହୋଇ ଆସୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶରେ ସେ (ବିଜେପି ସରକାରରେ) ତିନି ଥର କ୍ୟାବିନେଟ୍ ମନ୍ତ୍ରୀ ମଧୢ ହୋଇଛନ୍ତି। ତେବେ, ୨୦୦୨ରେ ବିଏସ୍ପିର ମାୟାବତୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କଲା ପରେ ଠାକୁର ସ˚ପ୍ରଦାୟର ରାଜା ଭୈୟାଙ୍କୁ ଜଣେ ଆତଙ୍କବାଦୀ ବୋଲି ଘୋଷଣା କରି ‘ପ୍ରିଭେନ୍ସନ୍ ଅଫ୍ ଟେରରିଜମ ଆକ୍ଟ’ ବା ‘ପୋଟା’ ବଳରେ ଗିରଫ କରି ଜେଲରେ ପୂରାଇ ଥିଲେ। ତେବେ, ମୁଲାୟମ ସି˚ହ ଯାଦବଙ୍କ ସରକାର କ୍ଷମତାକୁ ଆସିବା ପରେ ଠାକୁର ସ˚ପ୍ରଦାୟର ଅମର ସି˚ହଙ୍କ ଜରିଆରେ ରାଜପୁତ ଓ ଯାଦବଙ୍କ ମଧୢରେ ଏକ ମିଳାମିଶା କରାଯାଇ ରାଜା ଭୈୟାଙ୍କୁ ଜେଲରୁ ମୁକ୍ତ କରାଗଲା। ସ˚ପ୍ରତି ଜଣେ ବିଧାୟକ ଥିବା ରାଜା ଭୈୟାଙ୍କ ପଛରେ ରହିଛି ଏକ ଅତ୍ୟନ୍ତ ବିଶାଳ ଠାକୁର ଭୋଟ ବ୍ୟାଙ୍କ, ଯାହା ଆପରାଧିକ ରେକର୍ଡ ସତ୍ତ୍ବେ ତାଙ୍କ ରାଜନୈତିକ ଔଜ୍ଜ୍ବଲ୍ୟକୁ ନିଷ୍ପ୍ରଭ କରିପାରିନାହିଁ।
ସେହି ପରିପ୍ରେକ୍ଷୀରେ ଏହା ଅନସ୍ବୀକାର୍ଯ୍ୟ ଯେ ବିକାଶ ଦୁବେ ଯଦି ରାଜନୀତିରେ ପ୍ରବେଶ କରିଥାଆନ୍ତା, ତେବେ ନିର୍ବାଚନରେ ଅବଶ୍ୟ ଜୟଲାଭ ମଧୢ କରିଥାଆନ୍ତା। ତେଣୁ ତା’ ହତ୍ୟା ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ସମବେଦନାର ଧାରା ସୃଷ୍ଟି ହେବା ବିଶେଷ ବିସ୍ମୟକର ନୁହେଁ। ଭାରତୀୟ ଗଣତନ୍ତ୍ରରେ ଏହା ଏକ ବିଡ଼ମ୍ବନା। ତା’ ଠାରୁ ଅଧିକ ବିଡ଼ମ୍ବନା ହେଉଛି ଯେ ଏକବି˚ଶ ଶତାବ୍ଦୀରେ ମଧୢ ଭାରତର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଅପରାଧୀମାନଙ୍କୁ ମହିମା ମଣ୍ତିତ କରିବା ସକାଶେ ସେମାନଙ୍କ ଠାରେ ପୌରାଣିକ ଅବତାରୀ ପୁରୁଷମାନଙ୍କୁ ମଧ୍ୟ ଆବିଷ୍କାର କରାଯାଉଛି।