ବୈଜ୍ଞାନିକ ଆଇନ୍ଷ୍ଟାଇନ୍ ଓ ଦାର୍ଶନିକ ଲେବ୍ନିଜ୍ ଆଦିଙ୍କୁ ପ୍ରଭାବିତ କରିଥିବା ସପ୍ତଦଶ ଶତାବ୍ଦୀର ଓଲନ୍ଦାଜ-ଇହୁଦୀ ଦାର୍ଶନିକ ବାରୁକ୍ ସ୍ପିନୋଜା ମାତ୍ର ୪୫ ବର୍ଷ ବୟସରେ ପରଲୋକ ଗମନ କରିବା ସମୟରେ ଅସମାପ୍ତ ଛାଡ଼ି ଯାଇଥିବା ତାଙ୍କର ରାଜନୈତିକ ଦର୍ଶନ ସମ୍ବଳିତ ସ˚କ୍ଷିପ୍ତ ରଚନା, ‘ଟ୍ରାକ୍ଟାଟସ୍ ପଲିଟିକ୍ସ୍’, ବର୍ତ୍ତମାନର ଆନ୍ତର୍ଜାତିକ ରାଜନୈତିକ ମଞ୍ଚରେ ଚୀନ୍ର ଆଚରଣ ବୁଝି ପାରିବାରେ ଆମକୁ ଯେଉଁଭଳି ସହାୟକ ହୋଇଥାଏ, ବୋଧହୁଏ ଅନ୍ୟ କୌଣସି ଅନୁଶୀଳନ ସେଭଳି ହେବ ନାହିଁ। ସ୍ପିନୋଜା ଧରିନେଇଥାନ୍ତି ଯେ ଅତୀତରେ ମନୁଷ୍ୟ ସମ୍ପୂର୍ଣ୍ଣ ରୂପେ ଏକ ନିଃସଙ୍ଗ ଜୀବନ ଯାପନ କରୁଥିଲା, ଯେତେବେଳେ ସେ ନିଜ ବ୍ୟତୀତ ଆଉ କାହାରି ପାଖରେ ଆଦୌ ଉତ୍ତରଦାୟୀ ନଥିଲା। ସେତେବେଳେ କୌଣସି ସାମାଜିକ ସ˚ଗଠନ ନଥିଲା କିମ୍ବା ଆଇନକାନୁନ ନଥିଲା। ତେଣୁ ସେ ସମୟରେ ନ୍ୟାୟ ଅନ୍ୟାୟ, ଠିକ୍ ଭୁଲର ଧାରଣା ହିଁ ନଥିଲା। ନିଜର ବଳ ଅନୁସାରେ ବ୍ୟକ୍ତି ଯାହା ବି କରି ପାରୁଥିଲା, ତାହା ହିଁ ଥିଲା ଠିକ୍- ଯାହାକୁ କୁହାଯାଏ: ‘ମାଇଟ୍ ଇଜ୍ ରାଇଟ୍।’
ବର୍ତ୍ତମାନ ସ˚ଗଠିତ ସମାଜରେ ବାସ କରିଆସୁଥିବା ମନୁଷ୍ୟମାନଙ୍କ ପକ୍ଷରେ ଏହାର ବାସ୍ତବତା ହୃଦୟଙ୍ଗମ କରିବା ଅତ୍ୟନ୍ତ କଷ୍ଟକର ମନେ ହୋଇପାରେ। ଏହାକୁ ସହଜରେ ବୁଝିବା ପାଇଁ ବାରୁକ୍ ସ୍ପିନୋଜା ଆମ ସମ୍ମୁଖରେ ଏକ ଉଦାହରଣର ଅବତାରଣା କରିଛନ୍ତି: ରାଷ୍ଟ୍ରମାନଙ୍କ ଆଚରଣ। ଆଧୁନିକ ରାଷ୍ଟ୍ରମାନେ (ସ୍ପିନୋଜାଙ୍କ ସମୟରେ) ଠିକ୍ ସେହିପରି ଆଚରଣ ପ୍ରଦର୍ଶନ କରିଥାନ୍ତି, ଯେମିତି ପ୍ରାକୃତିକ ଅବସ୍ଥା (ଷ୍ଟେଟ୍ ଅଫ୍ ନେଚର୍)ରେ ବ୍ୟକ୍ତି ପ୍ରଦର୍ଶନ କରୁଥିଲା। ରାଷ୍ଟ୍ର ନିଜେ ଏକ ସ˚ଗଠନ ହୋଇଥିଲେ ହେଁ, ଯେହେତୁ ତାହା ଅନ୍ୟ ଏକ ବୃହତ୍ତର ସ˚ଗଠନର ଅ˚ଶ ହୋଇ ନଥାଏ (ସେତେବେଳେ ମିଳିତ ଜାତିସ˚ଘର ଆବିର୍ଭାବ ଘଟି ନଥିଲା), ଆଦିମ ବ୍ୟକ୍ତି ଭଳି ଆଧୁନିକ ରାଷ୍ଟ୍ର ସମ୍ପୂର୍ଣ୍ଣ ରୂପେ କେବଳ ନିଜର ସ୍ବାର୍ଥ ଦ୍ବାରା ପରିଚାଳିତ ହୋଇଥାଏ, ଏହା ପାଇଁ ନୈତିକତା, ପରୋପକାର ଆଦି ନିରର୍ଥକ ହୋଇଥାଏ। ଆଦିମାନବ ଭଳି ଅନ୍ୟ ରାଷ୍ଟ୍ର ସହିତ ଏକ ରାଷ୍ଟ୍ରର ସମ୍ପର୍କ, ଯେଉଁ ଏକମାତ୍ର ନିୟମ ଅନୁସରଣ କରିଥାଏ, ତାହା ହେଉଛି ପୂର୍ବୋକ୍ତ ‘ମାଇଟ୍ ଇଜ୍ ରାଇଟ୍’ (ଜୋର୍ ଯାର ମୁଲକ ତା’ର)।
ସ୍ପିନୋଜା କହିଥିବା ଭଳି ଜଙ୍ଗଲରେ ଗୋଟିଏ ପ୍ରଜାତିର ପ୍ରାଣୀର ଅନ୍ୟ ପ୍ରଜାତିର ପ୍ରାଣୀମାନଙ୍କ ପ୍ରତି କୌଣସି ଏକାତ୍ମ ଭାବ ବା ନୈତିକ ଦାୟିତ୍ବବୋଧ ନଥିବା ଭଳି (ହରିଣର ଠେକୁଆମାନଙ୍କ ମଙ୍ଗଳ ଚିନ୍ତା ନଥାଏ, ହାତୀର ବାଘମାନଙ୍କ ମଙ୍ଗଳ ଚିନ୍ତା ନଥାଏ; ଆଉ ବାଘ ଓ ହରିଣମାନଙ୍କ ମଧୢରେ ଥିବା ସମ୍ପର୍କ ଆମକୁ ଭଲ ଭାବରେ ଜଣା), ରାଷ୍ଟ୍ର-ରାଷ୍ଟ୍ର ମଧୢରେ ସମ୍ପର୍କ ସମ୍ପୂର୍ଣ୍ଣ ରୂପେ ସ୍ବେଚ୍ଛାଚାର ଉପରେ ପ୍ରତିଷ୍ଠିତ ହୋଇଥାଏ। ରାଷ୍ଟ୍ରମାନେ ଯେତେ ଛଳନା କଲେ ମଧୢ ଏହା ହିଁ ହେଉଛି ଏକ ରାଷ୍ଟ୍ରର ପ୍ରକୃତ ପରିଚୟ- ରାଷ୍ଟ୍ର ହେଉଛି ଏକ ଆଦିମାନବ। ସ୍ପିନୋଜାଙ୍କ ଭାଷାରେ ସମସ୍ତ ଛଳନା ସତ୍ତ୍ବେ, ବେଳେ ବେଳେ ଅସତର୍କ ମୁହୂର୍ତ୍ତରେ କୌଣସି ଏକ ରାଷ୍ଟ୍ର ମୁହଁରୁ ସତ କଥା ବାହାରି ଯିବା ଦେଖା ଯାଇଥାଏ, ଯେତେବେଳେ ସେ ନିଜକୁ ବର୍ଣ୍ଣନା କରିବା ପାଇଁ ଏକ ଶବ୍ଦ ବ୍ୟବହାର କରିଥାଏ- ‘ମହାଶକ୍ତି’। ଅସଲ ସତ୍ୟ ହେଲା- ଶକ୍ତି; ତାହା ହିଁ ଏକମାତ୍ର ସତ୍ୟ।
ସୂଚାଇବା ଅନାବଶ୍ୟକ, ସ୍ପିନୋଜାଙ୍କ ପରେ ପୃଥିବୀରେ ଅନେକ ପରିବର୍ତ୍ତନ ଘଟିଛି; ପୃଥିବୀର ସମସ୍ତ ରାଷ୍ଟ୍ର ବର୍ତ୍ତମାନ ଗୋଟିଏ ବିଶ୍ବ ପରିବାରର ଅ˚ଶ ରୂପେ ବିବେଚିତ। ସେମାନେ ପରସ୍ପର ପ୍ରତି ଅବାଧ ମନମୁଖୀ ଆଚରଣ ପ୍ରଦର୍ଶନ କରିବା ଯେମିତି ସହଜ ନହେଁ, ନିଜ ଦେଶ ଭିତରେ ନାଗରିକମାନଙ୍କ ପ୍ରତି ଅମାନବୀୟ ଆଚରଣ ପ୍ରଦର୍ଶନ କରିବା ମଧୢ ସେହିପରି ସହଜ ନୁହେଁ। ମିଳିତ ଜାତିସ˚ଘରୁ ଆନ୍ତର୍ଜାତିକ ଆପରାଧିକ ଅଦାଲତ ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶ ଉପରେ ଏଥିପାଇଁ ନଜର ରଖିଥାନ୍ତି। ତେବେ ଏବେ ବି ପୃଥିବୀରେ ଗୋଟିଏ ଏପରି ଦେଶ ଅଛି, ଯିଏ ସମୟ ସହିତ ପାଦ ମିଳାଇ ନଚାଲି, ସେଇ ବାରୁକ୍ ସ୍ପିନୋଜଙ୍କ ସମୟର ଦୁନିଆରେ ଅଟକି ରହି ଯାଇ ସ୍ପିନୋଜା ବର୍ଣ୍ଣିତ ଆଦିମାନବ ଭଳି ଆଚରଣ ପ୍ରଦର୍ଶନ କରିଚାଲିଛି। ସେ ଦେଶ ଏକ ଛୋଟିଆ ଦେଶ ନୁହେଁ- ସବୁ ଦୃଷ୍ଟିରୁ ବିଶାଳ ଚୀନ୍। ଏବ˚ ଯାହା ତାକୁ ଏଭଳି ଆଦିମାନବରେ ପରିଣତ କରିଛି, ତାହା ହେଉଛି ତା’ର ‘ମହାଶକ୍ତି’ ବୋଲାଇବାର ନିଶା।
୧୯୮୦ ଦଶକରେ ଡେଙ୍ଗ୍ ସିଆଓ ପିଙ୍ଗ୍ଙ୍କର ଅର୍ଥନୈତିକ ଉଦାରୀକରଣ ଅଭିଯାନ ଚୀନ୍କୁ ମାଓ ଜେଡଙ୍ଗ୍ଙ୍କର ବର୍ବର ନିଷ୍ପେଷଣଜନିତ ଦାରିଦ୍ର୍ୟରୁ ଯେତେବେଳେ ମୁକୁଳାଇବାକୁ ଆରମ୍ଭ କଲା, ଚୀନ୍ ସେତେବେଳେ ନିଜକୁ ଏସିଆର ଏକ ଅ˚ଶ ରୂପେ ବିବେଚନା କରି ଆଗାମୀ ସମୟରେ ସମଗ୍ର ଏସିଆ ମହାଦେଶକୁ ପୃଥିବୀର ଅଗ୍ରଣୀ ଅଞ୍ଚଳରେ ପରିଣତ କରିବାରେ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇବାକୁ ଆଗେଇ ଆସିବ ବୋଲି ମନେ ହେଉଥିଲା। ଡେଙ୍ଗ୍ କେବଳ ଯେ ନିଜ ଦେଶ ଭିତରେ ମାଓଙ୍କ ଅତ୍ୟାଚାରର କ୍ଷତ ସବୁ ଶୁଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ, ତାହା ନୁହେଁ, ଦେଶର ସୀମା ସେପଟେ ମାଓ ପଡ଼ୋଶୀମାନଙ୍କ ସହିତ ସୃଷ୍ଟି କରିଥିବା ତିକ୍ତତାମାନ ଅବସାନ ପାଇଁ ମଧୢ ସେ ଆଗ୍ରହୀ ଥିଲେ। ଡେଙ୍ଗ୍ଙ୍କ ପରେ ଚୀନ୍ କିନ୍ତୁ ପୁଣି ତାର ଆଦିମାନବସୁଲଭ ଚରିତ୍ରକୁ ଫେରିଯାଇଛି, ବିଶେଷ କରି ପ୍ରାୟ ଏକ ଦଶନ୍ଧି ହେବ ଶାସନ କ୍ଷମତା ଦଖଲରେ ଥିବା ସି ଜିନ୍ପିଙ୍ଗ୍ଙ୍କ ସମୟରେ; ସେ ଆଜୀବନ କ୍ଷମତାରେ ରହିବା ପାଇଁ ବନ୍ଦୋବସ୍ତ କରିଛନ୍ତି।
ଡେଙ୍ଗ୍ ଯେଉଁ ଅର୍ଥନୈତିକ ଉଦାରୀକରଣ ଆରମ୍ଭ କରିଥିଲେ, ତାହା ଯୋଗକୁ ଠିକ୍ ସେଇ ସମୟରେ ଆରମ୍ଭ ହୋଇଥିବା ଜଗତ୍କରଣ ସ୍ରୋତ ସହିତ ଏପରି ଖାପ୍ ଖାଇଗଲା ଯେ, ସାରା ପୃଥିବୀର କମ୍ପାନିମାନେ ଚୀନ୍ ମୁହାଁ ହୋଇ ଚୀନ୍କୁ ପୃଥିବୀର କର୍ମଶାଳାରେ ପରିଣତ କରିଦେଲେ। ସେଥିରୁ ସୃଷ୍ଟ ସମୃଦ୍ଧି କ୍ରମେ ଜାପାନକୁ ସ୍ଥାନଚ୍ୟୁତ କରି ଚୀନ୍କୁ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରି ଦେଲା। ଆମେରିକା ପରେ ଚୀନ୍ ନିଜକୁ ପୃଥିବୀର ଦ୍ବିତୀୟ ମହାଶକ୍ତି ରୂପେ ଦେଖିବାକୁ ଆରମ୍ଭ କଲା। ଆଉ ଏସିଆକୁ ପୃଥିବୀର ଅଗ୍ରଣୀ ଅଞ୍ଚଳ ରୂପେ ଦେଖିବାକୁ ନଚାହିଁ, ଚୀନ୍ କେବଳ ନିଜକୁ ସେ ସ୍ଥାନରେ ଦେଖିବାକୁ ଚାହିଁଲା ଏବ˚ ଏସିଆକୁ ନିଜର କରଦ ଅଞ୍ଚଳରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ କଲା। ଏଥିପାଇଁ ସି ଜିନ୍ପିଙ୍ଗ୍ ଯେଉଁ ଛଳ କପଟର ଆଶ୍ରୟ ନେଇଛନ୍ତି, ତାହାର ନାମ ଅବଶ୍ୟ ହେଉଛି ‘ବେଲ୍ଟ ରୋଡ୍ ଇନିସିଏଟିଭ୍’ ଓ ‘ଆର୍ସିଇପି’। ଭାରତ କିନ୍ତୁ ସେ ଜାଲରେ ନପଡ଼ି ଦୂରେଇ ରହି ଚୀନ୍ର ସେ ଯୋଜନାକୁ ପଣ୍ତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସୀମାନ୍ତରେ ଚୀନ୍ ଘଟାଉଥିବା ସାମରିକ ଉତ୍ତେଜନାମାନ ସେଇ ହତାଶାର ପ୍ରତିଫଳନ।
ଆଦିମାନବ କିନ୍ତୁ ସ୍ବାଭାବିକ ଭାବରେ ଛଳନାର ଆବଶ୍ୟକତା ଅନୁଭବ କରି ନଥାଏ, କାରଣ ସେ ନିଜକୁ କାହା ପାଖରେ ଉତ୍ତରଦାୟୀ ମଣି ନଥାଏ। ତେଣୁ ଦେଖାଯାଇଛି ଚୀନ୍ ତାର ସୀମାନ୍ତସାରା- ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ସବୁ ଦିଗରେ ଅନ୍ତତଃ ଦେଢ଼ ଡଜନ ଜବରଦଖଲ ଅଭିଯାନମାନ ଚଳାଇଛି। ଏକ ବିକୃତ ବିଡ଼ମ୍ବନା ସ୍ବରୂପ ଚୀନ୍ ଜାତିସ˚ଘର ନିରାପତ୍ତା ପରିଷଦର ଜଣେ ଭିଟୋ କ୍ଷମତାପ୍ରାପ୍ତ ସ୍ଥାୟୀ ସଦସ୍ୟ ବୋଲାଉଥିଲେ ହେଁ, ସେ ଜାତିସ˚ଘର କୌଣସି ନିର୍ଦ୍ଦେଶକୁ ସମ୍ମାନ ଦିଏ ନାହିଁ ( ଯେମିତି ଦକ୍ଷିଣ ଚୀନ୍ ସାଗର), ଦ୍ବିପାକ୍ଷିକ ଚୁକ୍ତି ମାନେ ନାହିଁ (ଯେମିତି ହ˚କ˚) ଏବ˚ ସାରା ମାନବ ଜାତିର ସ୍ଥିତି ବିପନ୍ନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ (ଯେମିତି କରୋନାର ସୃଷ୍ଟି ଓ ପ୍ରସାର)। ସ୍ପିନୋଜାଙ୍କର ଆଦିମାନବର ଆଚରଣ ଠିକ୍ ଏଇ ଭଳି ହୋଇଥାଏ।