ସବୁଜ ଉଦ୍ଧାର
ଯେଉଁମାନେ ସ˚କଟ ସମୟରେ ସର୍ବଦା ଏକ ଆଶାବାଦୀ ଆଭିମୁଖ୍ୟ ଗ୍ରହଣ କରନ୍ତି ସେମାନେ କଳାହାଣ୍ତିଆ ବାଦଲର ଆବିର୍ଭାବ ଦ୍ବାରା ମ୍ରିୟମାଣ ହେବା ପରିବର୍ତ୍ତେ ତା’ର ରୁପେଲି ଧାରକୁ ଦେଖି ସନ୍ତୋଷ ଲାଭ କରିବାକୁ ପସନ୍ଦ କରନ୍ତି। ଚାରି ମାସ ତଳେ ଆମ ଦେଶରେ ଯେତେବେଳେ ଚୀନା କରୋନାର ପ୍ରବେଶ ଆରମ୍ଭ ହେଲା ଏବ˚ ତାକୁ ଅଟକାଇବା ପାଇଁ ତୁହାକୁ ତୁହା ଲକ୍ଡାଉନ୍ ପାଳନ କରାଗଲା, କେତେକ ଲୋକ ଘର ଭିତରେ ବନ୍ଦ ହୋଇ ହତାଶାର କୁପ୍ରଭାବ ଅନୁଭବ କଲା ବେଳେ ଆଶାବାଦୀମାନେ ଏହାର ରୁପେଲି ଗାର ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଆରମ୍ଭ କରିଥିଲେ। ରୁପେଲି ଗାର ଥିଲା: ଗହଳିଶୂନ୍ୟ ରାଜପଥ, ଆବର୍ଜନାହୀନ ନଦୀନାଳ, ଧୂଳିଧୂଆଁମୁକ୍ତ ବାୟୁମଣ୍ତଳ, ଅବାଧ ବିଚରଣରତ ପଶୁପକ୍ଷୀ- ମୋଟ ଉପରେ ପ୍ରଦୂଷଣମୁକ୍ତ ପରିବେଶ।
Sambad is now on WhatsApp
Join and get latest news updates delivered to you via WhatsApp
ଇତି ମଧୢରେ ଆମେ ଆବିଷ୍କାର କରିସାରିଛୁ ଯେ ଚୀନାମାନଙ୍କ କୁଟିଳ ଚରିତ୍ର ପରି ଚୀନା କରୋନା ଭାଇରସ୍ ମଧୢ ଏକ କୁଟିଳ ଚରିତ୍ର ସମ୍ପନ୍ନ ଶତ୍ରୁ, ଯାହାକୁ ପ୍ରଥମେ ଆଶା କରାଯାଉଥିବା ଭଳି ମାତ୍ର କେତେ ସପ୍ତାହର ଲକ୍ଡାଉନ୍ ମାଧୢମରେ ଘଉଡ଼ାଇ ଦେଇ ହେବ ନାହିଁ। ଚୀନା କରୋନା ଏଠାରେ ଏବେ ଭଲ ଭାବରେ ଆସ୍ଥାନ ଜମାଇ ସାରିଲାଣି ଏବ˚ ଏଠାରୁ କେବେ ବିଦାୟ ନେବ, କାହାରିକୁ ଜଣାନାହିଁ। ଆଉ ଯାହା ଆଶାବାଦୀମାନଙ୍କୁ ମଧୢ ବର୍ତ୍ତମାନ ହତାଶା ଭିତରକୁ ଠେଲିଲାଣି, ତାହା ହେଲା ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗରୁ ଆକ୍ରମଣ କରି ଏହି ଚୀନା ଶତ୍ରୁ ସେମାନଙ୍କୁ ସାନ୍ତ୍ବନା ଦେଉଥିବା ରୁପେଲି ଗାରକୁ ମଧୢ ଲିଭାଇବାକୁ ଲାଗିଲାଣି। ପରିବେଶ ବର୍ତ୍ତମାନ ଏକ ନୂତନ ଚୀନା କରୋନାଜନିତ ପ୍ରଦୂଷଣର ସମ୍ମୁଖୀନ।
ପାରମ୍ପରିକ ଯୁଦ୍ଧରେ ସୈନ୍ୟମାନେ ନିଜକୁ ଶତ୍ରୁର ଆଘାତରୁ ସୁରକ୍ଷିତ ରଖିବା ପାଇଁ ସାଞ୍ଜୁ ପିନ୍ଧୁଥିବା ପରି ଚିକିତ୍ସାସେବା ପ୍ରଦାନକାରୀ କରୋନା ଯୋଦ୍ଧାମାନେ ମହାକାଶଚାରୀ ପୋଷାକ ସଦୃଶ ‘ପିପିଇ’ ସହିତ ମାସ୍କ୍, ଗ୍ଲୋଭ୍ସ ଏବ˚ ଜୋତା କଭର୍ ଆଦି ପରିଧାନ କରୁଥିବା ବେଳେ ଦେଶର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ମାସ୍କ୍ ବ୍ୟବହାର କରୁଛନ୍ତି। ସମସ୍ୟା ହେଲା ଏ ସମସ୍ତ ପଦାର୍ଥମାନ ମୁଖ୍ୟତଃ ପ୍ଲାଷ୍ଟିକ୍ରେ ତିଆରି ଏବ˚ ତାହା ପୁଣି ପୁନଃବ୍ୟବହାର (ରିସାଇକ୍ଲ)କ୍ଷମ ନୁହଁନ୍ତି କିମ୍ବା ଜୈବକ୍ଷୟଶୀଳ (ବାୟୋଡିଗ୍ରେଡେବ୍ଲ) ନୁହଁନ୍ତି। ତେଣୁ, ଦେଶସାରା କ୍ରମେ ପାହାଡ଼ ପ୍ରମାଣର ଏଭଳି ବର୍ଜ୍ୟବସ୍ତୁ ସବୁର ଆବିର୍ଭାବ ଘଟିବାକୁ ଆରମ୍ଭ କଲାଣି। ଜନବସତିରେ ପ୍ରତିଦିନ ସୃଷ୍ଟି ହେଉଥିବା ଅଳିଆ ଆବର୍ଜନାରେ ମୁଖ୍ୟତଃ ମାସ୍କ୍ର ଅ˚ଶ ବୃଦ୍ଧି ପାଇ ଯେଉଁ ସମସ୍ୟା ସୃଷ୍ଟି କରୁଛି, ତାହା କେବଳ ଅଳିଆ ପରିଚାଳନାରେ ସୀମିତ ନୁହେଁ। ନିକଟ ଅତୀତରେ ପ୍ଲାଷ୍ଟିକ୍ ମୁଣା ଯେଉଁଭଳି ଚତୁର୍ଦ୍ଦିଗରେ ଭରି ହୋଇ ଯାଇ ଜଳ ନିଷ୍କାସନରୁ ମୃତ୍ତିକା ସ୍ବାସ୍ଥ୍ୟ ହାନି ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରୁଥିଲା, ପରିତ୍ୟକ୍ତ ମାସ୍କ୍ମାନ କ୍ରମେ ସେଇ ଭଳି ସମସ୍ୟାମାନ ସୃଷ୍ଟି କରିବାର ଆଶଙ୍କା ଦେଖା ଦେଲାଣି।
ଏ ସମସ୍ୟାର ଆବିର୍ଭାବ ପୂର୍ବରୁ ପରିବେଶ ଉପରେ ପ୍ଲାଷ୍ଟିକ୍ର ବିଷାକ୍ତ ପ୍ରଭାବ ସମ୍ବନ୍ଧରେ ସଚେତନତା ଦ୍ରୁତ ବୃଦ୍ଧି ପାଇବା ଦେଖାଯାଇଥିଲା ଓ ତାହାର କିପରି ଫଳପ୍ରଦ ମୁକାବିଲା କରାଯିବ, ସେ ନେଇ କୌଣସି ନିଶ୍ଚିତ ଉପାୟ ତଥାପି ମିଳିପାରି ନଥିଲା। ଏହି ସମୟରେ ହଠାତ୍ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ଏକ ନୂତନ ଓ ବିଶାଳ ପ୍ଲାଷ୍ଟିକ୍ ବୋଝର ଆବିର୍ଭାବ ଅସହନୀୟ ହୋଇ ପଡ଼ିଲାଣି। ମନେହେଉଛି ପ୍ଲାଷ୍ଟିକ୍ମୁକ୍ତ ଭାରତ ସ୍ବପ୍ନ ଏଥିଯୋଗୁଁ ଆହୁରି ଅନେକ ଦିନ ଧରି ଏକ ସ୍ବପ୍ନ ହୋଇ ରହିଯିବ।
ଏହାର ବିପଦ କେବଳ ପରିବେଶ ପ୍ରଦୂଷଣରେ ମଧୢ ସୀମିତ ନୁହେଁ। ପରିତ୍ୟକ୍ତ ମାସ୍କ୍ ଆଦି ମଧୢ ଭୂତାଣୁର ବାହକ ହୋଇପାରନ୍ତି। ବାସଗୃହମାନଙ୍କରେ ସୃଷ୍ଟି ହେଉଥିବା ଦୈନନ୍ଦିନ ଆବର୍ଜନାରେ ଏ ପଦାର୍ଥମାନଙ୍କୁ ଅଲଗା କରି ରଖା ନଯାଇ ଅନ୍ୟ ଅଳିଆ ସହିତ ମିଶାଇ ଦିଆଯାଉଛି। ଅଳିଆ ସ˚ଗ୍ରହ ସେବା ପ୍ରଦାନକାରୀ କର୍ମୀମାନେ ଏ ସବୁର ସ˚ସ୍ପର୍ଶରେ ଆସି ଭୂତାଣୁ ସ˚କ୍ରମଣ ସମ୍ଭାବନାର ସମ୍ମୁଖୀନ ହୋଇଥାନ୍ତି। ଯଦି ସେମାନେ ସ˚କ୍ରମିତ ହୁଅନ୍ତି, ସେମାନେ ବାସ କରୁଥିବା ଘନ ଜନବସତି ଅଞ୍ଚଳରେ ସ˚କ୍ରମଣର ପ୍ରସାର ଘଟାଇବେ। ଏବେ ଯାହା ଜଣାପଡ଼ିଲାଣି ସ˚କ୍ରମିତ ବ୍ୟକ୍ତିଠାରେ ଲକ୍ଷଣ ପ୍ରକାଶ ନପାଇଲେ ମଧୢ ସେ ଅନ୍ୟକୁ ସ˚କ୍ରମିତ କରିପାରେ।
ହସ୍ପିଟାଲ୍ ଓ କ୍ବାରେଣ୍ଟାଇନ୍ କେନ୍ଦ୍ର ମାନଙ୍କରୁ ବାହାରୁଥିବା କରୋନା-ବର୍ଜ୍ୟବସ୍ତୁ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ସ୍ବାଭାବିକ ଭାବରେ ବହୁ ଅଧିକ ଗୁରୁତର ଶ୍ରେଣୀର। ସଙ୍ଗରୋଧ ସମସ୍ୟାର ସୁବିଧାଜନକ ମୁକାବିଲା ପାଇଁ କ୍ବାରେଣ୍ଟାଇନ୍ କେନ୍ଦ୍ରଗୁଡ଼ିକର ବିକେନ୍ଦ୍ରୀକରଣ ଆବଶ୍ୟକ ହୋଇଛି, କିନ୍ତୁ ଏହି ବିଛେଇ ହୋଇଥିବା କେନ୍ଦ୍ରମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନାରେ କଠୋର ନିୟମ ପାଳନ ସମ୍ଭବ ହେଉନାହିଁ। ସହରାଞ୍ଚଳ ହସ୍ପିଟାଲ୍ମାନଙ୍କରେ ମଧୢ ପରିସ୍ଥିତି ବହୁ ଅଧିକ ସନ୍ତୋଷଜନକ ନୁହେଁ। କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର, ନର୍ସ, ଵାର୍ଡ ବଏ ଆଦି ମାନଙ୍କୁ ଯେ କେବଳ ଅତ୍ୟନ୍ତ ଅସ୍ବସ୍ତିକର ‘ପିପିଇ’ ପରିଧାନ କରିବାକୁ ପଡୁଛି, ତାହା ନୁହେଁ ଏହି ଦୁଷ୍ଟ ଭୂତାଣୁର ଚରିତ୍ର ଏମିତି ଯେ ତାକୁ ଶୀତଳ ପରିବେଶ ସୁହାଉଥିବାରୁ କରୋନା ରୋଗୀ ଥିବା ଵାର୍ଡ ମାନଙ୍କରେ ଏଆର୍କଣ୍ତିସନର୍ ଚାଲୁ କରାଯାଏ ନାହିଁ। ଫଳରେ ପିପିଇ ଭିତରେ ସେମାନେ ଗଳଦ୍ଘର୍ମ ହୋଇଯାଉଥିବାରୁ ସେମାନଙ୍କୁ ଦିନ ଭିତରେ ଏକାଧିକ ଥର ‘ପିପିଇ’ ବଦଳାଇବାକୁ ପଡ଼ିଥାଏ। ଗୋଟିଏ ‘ପିପିଇ’କୁ ଏକାଧିକ ଥର ବ୍ୟବହାର କରାଯାଏ ନାହିଁ। ଏଥିଯୋଗୁଁ ପରିତ୍ୟକ୍ତ ପିପିଇ, ମାସ୍କ୍, ଗ୍ଲୋଭ୍ସ ଆଦି ସ˚ଖ୍ୟାରେ ବହୁତ ବୃଦ୍ଧି ଘଟିଥାଏ।
ହସ୍ପିଟାଲ୍ ମାନଙ୍କରେ ଆଗରୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ଠାରୁ ଏହି ନୂତନ ବୋଝ ବହୁ ଅଧିକ ହୋଇପଡ଼ିଛି। ଫଳରେ ଅନେକ ସ୍ଥାନରେ ଏଭଳି ହସ୍ପିଟାଲ୍-ବର୍ଜ୍ୟବସ୍ତୁ ହସ୍ପିଟାଲ ନିକଟରେ ଓ ରାସ୍ତା କଡ଼ରେ କୁଢ଼ କୁଢ଼ ଗଦା ହେବା ଦେଖିବାକୁ ମିଳୁଛି। ଯେଉଁଠି ବି ଏଭଳି ବର୍ଜ୍ୟବସ୍ତୁସବୁର ବିଧିବଦ୍ଧ ପରିଚାଳନା କରାଯାଉଛି, ସେଠାରେ ମଧୢ ଯାହା ଘଟିଥାଏ, ତାହା ହେଲା ସେଗୁଡ଼ିକୁ ଦହନ ଯନ୍ତ୍ର ବା ‘ଇନ୍ସିନରେଟର’ ବ୍ୟବହାର କରି ଜଳାଇ ଦିଆଯାଇଥାଏ। ପରିବେଶବିତ୍ମାନେ ଜାଣନ୍ତି ଯେ ଏହି ଦହନ ପ୍ରକ୍ରିୟାରୁ ଦୁଇଟି କ୍ଷତିକାରକ, କ୍ୟାନ୍ସର୍ ସୃଷ୍ଟିକାରୀ ବାଷ୍ପ ନିର୍ଗତ ହୋଇଥାଏ: ଡାଇଅକ୍ସିନ୍ ଓ ଫିଉରାନ୍। ଆମ ହସ୍ପିଟାଲ୍ ମାନଙ୍କରେ ବ୍ୟବହାର କରାଯାଉଥିବା ଅଧିକା˚ଶ ଇନ୍ସିନରେଟର୍ ମାନଙ୍କରେ ଏହି ବିଷାକ୍ତ ବାଷ୍ପକୁ ଛାଣି ଅଟକାଇ ଦେବା ପାଇଁ ଆବଶ୍ୟକ ବିଶେଷ ଫିଲ୍ଟର୍ ଖଞ୍ଜା ହେବା ଦେଖାଯାଇ ନଥାଏ। ଇନ୍ସିନରେଟର୍ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ସେମାନଙ୍କ ଅଜାଣତରେ ଏ ଯେଉଁ ପ୍ରଦୂଷଣର ସମ୍ମୁଖୀନ ହୁଅନ୍ତି, କେତେ ବର୍ଷ ପରେ ମଧୢ ତାହା ସେମାନଙ୍କଠାରେ କ୍ୟାନ୍ସର୍ ରୂପେ ଦେଖା ଦେଇପାରେ। ଏଥିରୁ ଅନ୍ୟାନ୍ୟ ରୋଗ ମଧୢ ସୃଷ୍ଟି ହୋଇଥାଏ।
ତେଣୁ ବର୍ତ୍ତମାନ ଅନୁଭବ କରାଗଲାଣି ଯେ କୋଭିଡ୍-୧୯ ମହାମାରୀକୁ ନିୟନ୍ତ୍ରଣ କରିବାରେ ଚିକିତ୍ସା, ସ୍ବାସ୍ଥ୍ୟସେବା ଯୋଗାଣ କିମ୍ବା ସଙ୍ଗରୋଧ ପାଳନ, ହାତ ଧୋଇବା, ମାସ୍କ୍ ପିନ୍ଧିବା ଭଳି ଉପଯୁକ୍ତ ଆଚରଣ ଅବଲମ୍ବନ ଆଦି ଯେଉଁଭଳି ଗୁରୁତ୍ବପୂର୍ଣ୍ଣ, ଉଭୟ ମେଡିକାଲ୍ ଓ ଘରୋଇ ବର୍ଜ୍ୟବସ୍ତୁ ସବୁର ନିରାପଦ ପରିଚାଳନା ମଧୢ ସେଇଭଳି ଗୁରୁତ୍ବପୂର୍ଣ୍ଣ। ଏ ସମସ୍ୟାର ପ୍ରଥମ ଆବିର୍ଭାବ ଅବଶ୍ୟ ଦେଖାଯାଇଥିଲା କରୋନାର ଅନ୍ତୁଡ଼ିଶାଳ ଚୀନ୍ର ସେଇ ଉହାନ୍ରେ। ପୂର୍ବରୁ ସେଇ ସହରର ମେଡିକାଲ୍ମାନଙ୍କରେ ଦୈନିକ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ପରିମାଣ ଥିଲା ହାରାହାରି ୪୦ରୁ ୫୦ ଟନ୍ ମଧୢରେ। କୋଭିଡ୍-୧୯ ସେଠାରେ ଆତ୍ମପ୍ରକାଶ କରିବା ପରେ ପରେ ମାର୍ଚ୍ଚ ପହିଲା ତାରିଖରେ ଏହା ବୃଦ୍ଧି ପାଇ ୨୪୭ ଟନ୍ ହୋଇ ଯାଇଥିଲା ବୋଲି ସେଠାକାର ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଭାରତ ସମେତ ପୃଥିବୀ ସାରା ଏହି ଧାରା ରାଜତ୍ବ କରି ଚାଲିଛି।
ପରିବେଶ ଉପରେ ଚୀନା କରୋନାର ମନ୍ଦ ପ୍ରଭାବ ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ସରକାର ଓ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷ ତାହାକୁ ନିୟନ୍ତ୍ରଣ କରିବା ପାଇଁ ବିହିତ ପଦକ୍ଷେପ ନେବା ଏକ ନୂତନ ଆହ୍ବାନ ରୂପେ ଦେଖାଦେଲାଣି। ଦେଶକୁ କରୋନାରୁ ଉଦ୍ଧାର କରିବା ସହିତ ପରିବେଶକୁ ମଧୢ ସୁରକ୍ଷିତ ରଖିବା ଏକ ମିଳିତ ଲକ୍ଷ୍ୟରେ ପରିଣତ ହୋଇଛି: ଗ୍ରିନ୍ ରିକଭରି (ସବୁଜ ଉଦ୍ଧାର)।