ଶରୀର ଦୁର୍ଗ

ଇ˚ରେଜୀ କବି ଟି.ଏସ୍‌. ଇଲିଅଟ୍‌ଙ୍କ ଦ୍ବାରା ଲିଖିତ କବିତା ‘ଦ ରକ୍‌’ର ଯେଉଁ ଦୁଇଟି ବାକ୍ୟ ଅତ୍ୟନ୍ତ ମନଛୁଆଁ ହୋଇ ପ୍ରାୟ ଆପ୍ତବାକ୍ୟସୁଲଭ ମର୍ଯ୍ୟାଦା ଲାଭ କରିପାରିଛି, ତାହା ହେଉଛି-‘ହ୍ବେୟାର ଇଜ୍‌ ଵିସ୍‌ଡମ ଵି ହାଭ ଲଷ୍ଟ ଇନ ନଲେଜ୍‌? ହ୍ବେୟାର ଇଜ୍‌ ନଲେଜ୍‌ ଵି ହାଭ ଲଷ୍ଟ ଇନ୍‌ ଇନଫର‌୍‌ମେସନ୍‌ସ?’; ଯାହାର ମର୍ମାର୍ଥ କହିଥାଏ ଯେ ପ୍ରଜ୍ଞା କେଉଁଠି ଯାହାକୁ ଆମେ ଜ୍ଞାନ ଭିତରେ ହଜାଇ ଦେଇଛେ? ଜ୍ଞାନ କେଉଁଠି ଯାହାକୁ ଆମେ ସୂଚନା ଭିତରେ ହରାଇ ସାରିଛେ?’ ଉପରୋକ୍ତ ଦୁଇଟି ବାକ୍ୟ ଆଧାରରେ ବିଚାର କଲେ ଏହା ସମସ୍ତଙ୍କ ଲାଗି ସ୍ପଷ୍ଟ ହୋଇଥାଏ ଯେ ଯାହାକୁ ଧାରଣ କରି ଆମ୍ଭମାନଙ୍କ ଭଳି ଆଧୁନିକ ମନୁଷ୍ୟମାନେ ବିଜ୍ଞ ବୋଲି ଆସ୍ଫାଳନ କରିଥାଉଁ, ତାହା ପ୍ରଜ୍ଞା ପଦବାଚ୍ୟ ହେବା ତ ଦୂରର କଥା, ତାହା ଜ୍ଞାନ ମଧୢ ହୋଇ ନ ପାରେ। କହିବା ବାହୁଲ୍ୟ ଯେ ସେ ସବୁ କେବଳ ବିଭିନ୍ନ ସୂତ୍ର ଏବ˚ ସ୍ରୋତରୁ ଆହରଣ କରାଯାଇଥିବା ସୂଚନାର ସମାହାର ଯାହା! ସେହି ଦୃଷ୍ଟିରୁ ସ˚ପ୍ରତି ‘କୋଭିଡ୍‌-୧୯’ ବିଶ୍ବ ସ˚କ୍ରମଣ ପରିପ୍ରେକ୍ଷୀରେ ସାଧାରଣ ଜନସମାଜ ଲାଗି ଦିଗ୍‌ଦର୍ଶନ ପ୍ରଦାନ କଲା ଭଳି ପ୍ରାଜ୍ଞସୁଲଭ ପରାମର୍ଶ ତ ପ୍ରାୟ ଅଦୃଶ୍ୟ; ସେମାନଙ୍କ ସମ୍ମୁଖରେ ଜ୍ଞାନ ରୂପେ ଯାହା ପରିବେଷଣ କରାଯିବାରେ ଲାଗିଛି, ତାହା ମଧ୍ୟ କେବଳ ପରିସ˚ଖ୍ୟାନ, ଗ୍ରାଫ୍‌, ଶତକଡ଼ା ହିସାବ ଏବ˚ ସ˚କ୍ରମଣ ଓ ମଡ଼କ ସମ୍ବନ୍ଧୀୟ ପୂର୍ବାନୁମାନ ଲାଗି ଅବଲମ୍ବନ କରାଯାଇଥିବା କେ‌େତକ ଗାଣିତିକ ମଡେଲ ମାତ୍ର! ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠିଥାଏ ଯେ ଜ୍ଞାନର ଛଦ୍ମବେଶରେ ଆବିର୍ଭୂତ ହୋଇଥିବା ଏଭଳି ସୂଚନାର ବନ୍ୟା ସାଧାରଣ ଲୋକଙ୍କ ମନରେ ଏହି ସ˚କ୍ରମଣ ସମ୍ବନ୍ଧରେ କୌଣସି ଅନ୍ତର୍ଦୃଷ୍ଟି ସୃଷ୍ଟି କରିବାରେ ସମର୍ଥ ହୋଇ ପାରିଛି ନା ଏହା ସେମାନଙ୍କ ମଧୢରେ ସ˚ଶୟ ଏବ˚ ଅନିଶ୍ଚିତତାକୁ ଆହୁରି ଘନୀଭୂତ କରିଛି?

ଉଲ୍ଲେଖଯୋଗ୍ୟ ଯେ ‘କୋଭିଡ୍‌-୧୯’ ସ˚କ୍ରମଣ କାଳରେ ଏହି ରହସ୍ୟମୟ ଭୂତାଣୁ ସମ୍ବନ୍ଧରେ ଅବଗତ ହେବା ଲାଗି ସାଧାରଣ ଲୋକେ ଯେଉଁ ତିନିଟି ବର୍ଗର ବିଶେଷଜ୍ଞମାନଙ୍କ ଉପରେ ସ˚ପୂର୍ଣ୍ଣ ରୂପେ ନିର୍ଭରଶୀଳ, ସେମାନେ ହେଉଛନ୍ତି ଯଥାକ୍ରମେ ‘ଭାଇରୋଲୋଜିଷ୍ଟ୍’ ବା ‘ଭୂତାଣୁ ବିଶେଷଜ୍ଞ’, ‘ଏମିଡେମିଓଲୋଜିଷ୍ଟ’ ବା ‘ସ˚କ୍ରମଣ ବିଶେଷଜ୍ଞ’ ଏବ˚ ‘ଇମ୍ୟୁନୋଲୋଜିଷ୍ଟ’ ବା ‘ପ୍ରତିରୋଧକ ଶକ୍ତି ବିଶେଷଜ୍ଞ’। ତେବେ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ତାହା ହେଲା ସାଧାରଣରେ ଉପଲବ୍‌ଧ ହେଉଥିବା ତଥ୍ୟ ବା ସୂଚନା ରାଜି ଆସୁଛି ‘ଭାଇରୋଲୋଜିଷ୍ଟ’ ଏବ˚ ‘ଏପିଡେମିଓଲୋଜିଷ୍ଟ’ମାନଙ୍କ ଠାରୁ, ଯାହା ପ୍ରତ୍ୟହ ଗଣମାଧୢମର ଅଧିକା˚ଶ ଭାଗ ଅଧିକାର କରିବା ସହିତ ଜନ-ଧାରଣାକୁ ରୂପ ଦେବାରେ ଲାଗିଛି। କିନ୍ତୁ ଏହି ପ୍ରେକ୍ଷାପଟରେ ଯେଉଁ ବୈଜ୍ଞାନିକ ଗୋଷ୍ଠୀ ପ୍ରାୟତଃ ନିରବ ରହିଥିବା ପରିଲକ୍ଷିତ ହେଉଛି, ସେମାନେ ହେଉଛନ୍ତି ‘ଇମ୍ୟୁନୋଲୋଜିଷ୍ଟ’; ଅଥଚ ସତ କହିଲେ ‘କୋଭିଡ୍‌-୧୯’ର ସ˚କ୍ରମଣ ବିଷୟ ହେଉ ବା ସ˚କ୍ରମିତମାନେ ଆରୋଗ୍ୟ ଲାଭ କରିବା ସ˚ଦର୍ଭ ହେଉ; ଏ ନେଇ ଯେ କୌଣସି ଆଲୋଚନା ସମୟରେ ଶରୀରର ପ୍ରତିରୋଧକ ଶକ୍ତି ବା ‘ଇମ୍ୟୁନିଟି’ ସମ୍ବନ୍ଧୀୟ କ୍ଷେତ୍ରକୁ ନଜରଅନ୍ଦାଜ କରାଯିବା ଅସମ୍ଭବ। ବର୍ତ୍ତମାନ କରୋନାରୁ ମୁକ୍ତ ହେବା ସକାଶେ କୌଣସି ଔଷଧ ବା ପ୍ରତିଷେଧକର ଅନୁପସ୍ଥିତିରେ ଶରୀରର ପ୍ରତିରୋଧକ ଶକ୍ତିକୁ ସ˚କ୍ରମଣ ବିରୋଧରେ ଏକ ପ୍ରକୃତି ପ୍ରଦତ୍ତ ଆୟୁଧ ରୂପେ ବିଚାର କରାଯାଇପାରେ। ଏହି ପରିପ୍ରେକ୍ଷୀରେ ସ˚କ୍ରମଣର ଚରିତ୍ରକୁ ଅଧିକ ଗଭୀର ଭାବେ ବୁଝିବା ଲାଗି ହୁଏ’ତ ‘ଇମ୍ୟୁନୋଲୋଜିଷ୍ଟ’ମାନଙ୍କ ସାହାଯ୍ୟ ନିଆଯାଇପାରେ, ଯାହା ଏହି ସ˚କ୍ରମଣ ସ˚ପର୍କରେ କିଛି ଅନ୍ତର୍ଦୃଷ୍ଟି ସୃଷ୍ଟି କରିପାରିବ।

ଏହି ପରିପ୍ରେକ୍ଷୀରେ ନିକଟରେ ସ୍ବିଜରଲାଣ୍ତସ୍ଥିତ ବନ୍‌ ବିଶ୍ବବିଦ୍ୟାଳୟର ‘ଇମ୍ୟୁନୋଲୋଜି’ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ବୈଜ୍ଞାନିକ ହେଡା. ଏଚ୍‌. ଷ୍ଟାଡଲରଙ୍କ ଦ୍ବାରା ଲିଖିତ ଏକ ନିବନ୍ଧ ବିଶେଷ ଗୁରୁତ୍ବ ବହନ କରିଥାଏ। ତହିଁରେ ସେ ଉଲ୍ଲେଖ କରିଥିବା କିଛି ବିଷୟ ଯେ କେବଳ ସ˚କ୍ରମଣର ଚରିତ୍ରକୁ ବୁଝିବାରେ କିଛିଟା ସହାୟକ ହେବ, ତାହା ନୁହେଁ; ଏହା ବର୍ତ୍ତମାନର ଭୟ ଜର୍ଜର ସମୟରେ ଅନେକଟା ଆଶ୍ବାସନାମୂଳକ ମଧ୍ୟ। ଷ୍ଟାଡଲରଙ୍କ ମତରେ ଏହି ଭୂତାଣୁ ଯେତେବେଳେ ପ୍ରଥମେ ଚିହ୍ନଟ ହୋଇଥିଲା, ସେତେବେଳେ ତାକୁ ପ୍ରଦାନ କରାଯାଇଥିବା ନାମ ‘ସାର୍ସ‌୍‌-୨’ ହିଁ ଥିଲା ପ୍ରକୃତରେ ଏକ ଯଥାର୍ଥ ନାମ, କାରଣ ଏହି ଭୂତାଣୁ ହେଉଛି ୨୦୦୨ ମସିହାରେ ‘ସାର୍ସ‌୍‌’ ମହାମାରୀ ସୃଷ୍ଟି କରିଥିବା କରୋନା ଭୂତାଣୁର ଏକ ପରିବର୍ତ୍ତିତ ସ˚ସ୍କରଣ। ସୁତରା˚, ଏହା ଏକ ପୁରୁଣା ଭୂତାଣୁ, ଯାହାର ପରବର୍ତ୍ତୀ ନାମକରଣ ‘ନଭେଲ କରୋନା ଭାଇରସ୍‌’ ବା ‘ନୂଆ କରୋନା ଭୂତାଣୁ’ ଏହାକୁ ଏଭଳି ଏକ ଅନାବଶ୍ୟକ ନୂତନତ୍ବ (ନଭେଲ୍‌ଟି) ପ୍ରଦାନ କଲା ଯେ ତହିଁରେ ନୂତନତା ଅନ୍ବେଷଣ କରି ଅନେକ ଗବେଷକ ସେମାନଙ୍କ ସମୟ ଅପଚୟ କରିଛନ୍ତି। ଷ୍ଟାଡଲର କହନ୍ତି ଯେ ପ୍ରତି ବର୍ଷ ଲୋକେ ଯେଉଁ ସାଧାରଣ ଥଣ୍ତା, କାଶ, କଫ ଓ ଜ୍ବର ଇତ୍ୟାଦି ଦ୍ବାରା ଆକ୍ରାନ୍ତ ହୋଇ ପୁଣି ଅନାୟାସରେ ସୁସ୍ଥତା ଲାଭ କରନ୍ତି, ତାର କାରଣ ମଧୢ ଏକ ପ୍ରକାରର କରୋନା ଭାଇରସ୍‌, ଯାହାକୁ ‘ବେଟା କରୋନା ଭାଇରସ୍‌’(‘ବେଟା’ ହେଉଛି ଦୁର୍ବଳତାର ସୂଚକ) ବୋଲି କୁହାଯାଇଥାଏ। ସୁତରା˚, ଏହି ଭୂତାଣୁ ଦ୍ବାରା ପୀଡ଼ିତ ହୋଇ ସୁସ୍ଥତା ଲାଭ କରିଥିବା ଅସ˚ଖ୍ୟ ବ୍ୟକ୍ତିବିଶେଷଙ୍କ ଶରୀରରେ ଏଭଳି ଭୂତାଣୁ ପ୍ରତିରୋଧୀ ‘ଆଣ୍ଟି ବଡି’ ମହଜୁଦ ହୋଇ ରହିଛି। ତାଙ୍କ ମତରେ ଏହି କାରଣରୁ ହିଁ ବର୍ତ୍ତମାନ ଏଭଳି ଅନେକ ବ୍ୟକ୍ତିଙ୍କ ଶରୀରରେ ‘କୋଭିଡ୍‌-୧୯’ ଭୂତାଣୁ ରହିଥିବା ବିଷୟ ‘ଆର‌୍‌ଟି-ପିସିଆର‌୍‌’ ପରୀକ୍ଷାରୁ ଜଣାପଡୁଥିଲେ ମଧୢ ସେମାନେ ରୋଗର ଲେଶମାତ୍ର ଲକ୍ଷଣ ପ୍ରକାଶ କରି ନ ଥାଅନ୍ତି। ଏହାର ଅର୍ଥ ସେମାନଙ୍କ ଶରୀରରେ ପୂର୍ବରୁ ଥିବା ‘ଆଣ୍ଟି ବଡି’ ‘କୋଭିଡ୍‌-୧୯’ ଭୂତାଣୁକୁ ମଧୢ ନିପାତ କରିବାରେ ସମର୍ଥ ହୋଇପାରିଛି। ଷ୍ଟାଡଲର କହନ୍ତି ଯଦି ତାହା ହେଉ ନ ଥାଆନ୍ତା, ତେବେ ସ˚କ୍ରମିତ ବ୍ୟକ୍ତିଙ୍କ ଠାରେ ଯେ କୌଣସି ମୃଦୁ ଲକ୍ଷଣ ପ୍ରକାଶ ପାଇବା ଅନିବାର୍ଯ୍ୟ। ଯଦି କେହି ପ୍ରଶ୍ନ କରନ୍ତି ଯେ ତାହା ହେଲେ ‘ଆର‌୍‌ଟି-ପିସିଆର‌୍‌’ ପରୀକ୍ଷାରେ ଏଭଳି ଲକ୍ଷଣବିହୀନ ବ୍ୟକ୍ତିଙ୍କ ଶରୀରରେ ‘କୋଭିଡ୍‌’ ଭୂତାଣୁର ଅବସ୍ଥିତି ସୂଚିତ ହେଉଛି କିପରି?, ତେବେ ଷ୍ଟାଡଲରଙ୍କ ଉତ୍ତର ହେଲା ଯେ ‘ଆର‌୍‌ଟି-ପିସିଆର‌୍‌’ ପରୀକ୍ଷା ଯେଉଁ ପଦ୍ଧତିର ଅବଲମ୍ବନରେ କରାଯାଇଥାଏ, ତାହା ସକ୍ରିୟ ଭୂତାଣୁ ଓ ନିଷ୍କ୍ରିୟ ଭୂତାଣୁ ମଧୢରେ ଥିବା ପ୍ରଭେଦକୁ ଠଉରାଇବାକୁ ଅକ୍ଷମ। ସୁତରା˚, ଲକ୍ଷଣହୀନ ବ୍ୟକ୍ତିମାନଙ୍କ ଶରୀରରେ ଚିହ୍ନଟ ହେଉଥିବା ‘କୋଭିଡ୍‌-୧୯’ ହେଉଛି ପରାହତ ଓ ବିଧ୍ବସ୍ତ ଭୂତାଣୁର ଅବଶେଷ ମାତ୍ର। ଏହା କେବଳ କୋଭିଡ୍‌ ଭୂତାଣୁର ‘ଆର‌୍‌.ଏନ୍‌.ଏ.’ର ଛାପ, ଯାହା କୌଣସି ପ୍ରକାରର ସ˚କ୍ରମଣ ସୃଷ୍ଟି କରିପାରି ନ ଥାଏ।

ଏହି ପରିପ୍ରେକ୍ଷୀରେ ପ୍ରତ୍ୟହ ଗଣମାଧୢମର ଶିରୋନାମା ମଣ୍ତନ କରୁଥିବା ସମ୍ବାଦ ଓ ଆଲେଖ୍ୟଗୁଡ଼ିକରେ ପ୍ରଦତ୍ତ କରୋନା ସ˚କ୍ରାନ୍ତ ସୂଚନାର ଝଡ଼ ଭିତରେ ଷ୍ଟାଡଲରଙ୍କ ନିବନ୍ଧରୁ ସୃଷ୍ଟ ଆଶ୍ବାସନା ପ୍ରଦାନକାରୀ ଧାରଣାଟି ଯେଉଁ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ ତାହା ହେଲା କରୋନା ଭୂତାଣୁର ମୁକାବିଲା ଲାଗି ଆମ ଶରୀରଟି ଦୈବୀ ପ୍ରଦତ୍ତ ଏକ ଦୁର୍ଗ ରୂପେ ବିଦ୍ୟମାନ ଏବଂ ଏହାକୁ ଅଭେଦ୍ୟ କରି ଗଢ଼ି ତୋଳିବା ଆମର ଏକ ଦାୟିତ୍ବ। ଏହି ଶରୀର ଦୁର୍ଗ ଲାଗି ହିଁ ସଂପ୍ରତି ପୃଥିବୀରେ କରୋନା ଆରୋଗ୍ୟର ହାର ୯୩ ପ୍ରତିଶତ।

ସମ୍ବନ୍ଧିତ ଖବର