ନିର୍ମମ ବଜାର

‘ପଇସା ଦେଲେ ବାପା, ମା’ଙ୍କୁ ଛାଡ଼ି ବାକି ସବୁ ମିଳିବ’ ବୋଲି ଆଜିକୁ ଚାରି ବା ପାଞ୍ଚ ଦଶକ ତଳେ ଲୋକ ମୁଖରୁ ଅନେକ ସମୟରେ ଶୁଣାଯାଉଥିବା ଉକ୍ତିରେ ଏବେ ସାମାନ୍ୟ ପରିବର୍ତ୍ତନ ଘଟି ଶୁଣିବାକୁ ମିଳୁଛି ଯେ ‘ପଇସା ପକାଇଲେ ବାପା, ମା’ ମଧୢ ମିଳିଯିିବେ!’ ସୁତରା˚, ଏବେ ଯାହା ଶୁଣିବାକୁ ମିଳୁଛି ତହିଁରେ ରହିଥିବା ବ୍ୟଙ୍ଗର ପରସ୍ତ ଭେଦ କଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଏହି ଚାରି ପାଞ୍ଚ ଦଶକର ଅବଧି ମଧୢରେ ବଜାରର ତ ବ୍ୟାପ୍ତି ଘଟିଛି; ତା’ ସହିତ ବଜାର ଅଧିକ ନିର୍ମମ ମଧୢ ହୋଇଯାଇଛି। ତାହା ହୋଇ ନ ଥିଲେ ‘ବାପା-ମା’ମାନେ ମଧୢ ବଜାରରେ ଉପଲବ୍‌ଧ ହୋଇ ପାରନ୍ତି ବୋଲି ଅବଧାରଣାଟିଏ ସୃଷ୍ଟି ହୁଅନ୍ତା ବା କାହିଁକି? କିଣା-ବିକା ଓ ଲାଭ-କ୍ଷତିର ତତ୍ତ୍ବ ଉପରେ ଗଢ଼ି ଉଠିଥିବା ବଜାର ଯେ ଅତ୍ୟନ୍ତ ହୃଦୟହୀନ, ଏ କଥା ସମସ୍ତେ ସ୍ବୀକାର କରିଥାଆନ୍ତି। ସେଥି ଲାଗି ହୁଏ’ତ ଅତ୍ୟନ୍ତ ଦାରୁଣ ବିପର୍ଯ୍ୟୟ କାଳରେ ମଧୢ ମନୁଷ୍ୟର କଷଣରୁ ବଜାର ଲାଭ ଉଠାଇବାର ସୁଯୋଗ ସୃଷ୍ଟି କରିପାରେ। ବର୍ତ୍ତମାନ ‘କୋଭିଡ୍‌-୧୯ ପାନ୍‌ଡେମିକ୍‌’ କାଳରେ ଅନେକ କ୍ଷେତ୍ରରେ ଏଭଳି ସ୍ଥିତି ପରିଦୃଷ୍ଟ ହେଉଥିବା ବେଳେ ଏହି ପ୍ରସଙ୍ଗ ଏକ ସଂକ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

ଗୋଟିଏ ଦୃଷ୍ଟାନ୍ତରୁ ଆଲୋଚନାର ପ୍ରାରମ୍ଭ କରାଯାଉ। କରୋନା ଭାଇରସ୍‌ ଠାରୁ ସୁରକ୍ଷା ପାଇବା ସକାଶେ ଯଦି କୌଣସି ବ୍ୟକ୍ତି ନିଜ ଲାଗି ଗୋଟିଏ ‘ପର୍ସନାଲ ପ୍ରୋଟେକ୍‌ସନ୍‌ ଇକ୍ବିପ୍‌ମେଣ୍ଟ’ ବା ‘ପି.ପି.ଇ.’ କ୍ରୟ କରିବାକୁ ଇଚ୍ଛା କରୁଥାଆନ୍ତି ତେବେ ସେ ଯେ କୌଣସି ‘ଇ-କମର୍ସ’ ସାଇଟ୍‌କୁ ଗଲେ ୨୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୬୦୦ ଟଙ୍କା ମୂଲ୍ୟ ମଧୢରେ ତାହା ଖର୍ଦ୍ଦି କରିପାରିବେ। କିନ୍ତୁ ଯଦି ସେହି ବ୍ୟକ୍ତି ଦୈବାତ୍‌ କରୋନା ଦ୍ବାରା ଆକ୍ରାନ୍ତ ହୋଇ କୌଣସି ଘରୋଇ ହାସପାତାଳରେ କିଛି ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ବାହାରନ୍ତି, ସେତିକି ବେଳେ ତାଙ୍କୁ କିଛି ଲକ୍ଷ ଟଙ୍କାର ଯେଉଁ ବିଲ୍‌ଟି ଧରାଇ ଦିଆଯିବ, ତହିଁରେ ସେ ହୁଏ’ତ ଦେଖିବାକୁ ପାଇ ପାରନ୍ତି ଯେ ଚିକିତ୍ସାଧୀନ ଥିବା ବେଳେ ସେ ବ୍ୟବହାର କରିଥିବା ପ୍ରତି ପି.ପି.ଇ. ସକାଶେ ତାଙ୍କୁ ତିନି ହଜାରରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ। ସୁତରାଂ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ପୁଣେ ଏବ˚ ବେଙ୍ଗାଲୁରୁ ସମେତ ଭାରତର ବିଭିନ୍ନ ସହରରେ ସଦର୍ପେ ଉପସ୍ଥିତ ଘରୋଇ ହାସପାତାଳଗୁଡ଼ିକ ଏହି ଦାରୁଣ ମାନବ-ସ˚କଟ କାଳରେ ମଧ୍ୟ ବିପର୍ଯ୍ୟୟର ଏକ ବଜାର ସୃଷ୍ଟି କରିପାରିଛନ୍ତି। ନିକଟରେ ଗଣମାଧୢମରେ ଏ ସ˚କ୍ରାନ୍ତ ଅଭିଯୋଗ ସଂପର୍କିତ ସମ୍ବାଦ ସପ୍ରମାଣ ପ୍ରକାଶିତ ଏବ˚ ପ୍ରସାରିତ ହେବା ପରେ ଉଦ୍‌ବେଗ ସୃଷ୍ଟି କରିଥିଲେ ହେଁ ବଜାର ତନ୍ତ୍ରର ନିର୍ମମତା ସହିତ ପରିଚିତ ଥିବା ଅନେକ ଏଥିରେ ବିସ୍ମୟ ପ୍ରକାଶ କରନ୍ତି ନାହିଁ। କିଛି ଦିନ ତଳେ ଏଭଳି ଏକ ଅଭିଯୋଗ ମଧୢ ଆସିଥିଲା ଯେ ମୁମ୍ବାଇସ୍ଥିତ ଗୋଟିଏ ଭାରତ ପ୍ରସିଦ୍ଧ ‘ଡାଇଗ୍ନୋଷ୍ଟିକ୍‌ସ ସ˚ସ୍ଥା’ କେତେକ ଘରୋଇ ହାସପାତାଳର ହାତବାରିସୀ ସାଜି ସେଠାରେ ସ˚ଗୃହୀତ ‘ସ୍ବାବ୍‌’ ନମୁନା ପରୀକ୍ଷା ରିପୋର୍ଟରେ ‘ନେଗେଟିଭ୍‌’କୁ ‘ପଜିଟିଭ୍‌’ ବୋଲି ଦର୍ଶାଇ ଥିଲା; ଯାହା ଫଳରେ ଅନେକ ନିରୋଗ ବ୍ୟକ୍ତି ବିନା କାରଣରେ ସେହି ସବୁ ଘରୋଇ ଡାକ୍ତରଖାନାରେ କିଛି ଦିନ କାଟି ଅର୍ଥ ଶ୍ରାଦ୍ଧ କରି ଘରକୁ ବାହୁଡ଼ିଛନ୍ତି। ‘କୋଭିଡ୍‌-୧୯’ ସ˚କ୍ରମଣ ଲାଗି ରହିଥିବା ‘ଆର‌୍‌ଟି-ପିସିଆର‌୍‌’ ପରୀକ୍ଷାରେ ସଠିକ ନିରୂପଣର ହାର ଶତ ପ୍ରତିଶତ ହେଉ ନ ଥିବାର ସୁଯୋଗ ନେଇ ସମ୍ଭବତଃ ଏଭଳି ହୀନ କାର୍ଯ୍ୟଟିଏ କରାଯାଇଥିବ। ତେବେ ବିଡ଼ମ୍ବନାର ବିଷୟ ହେଲା, ବିପର୍ଯ୍ୟୟ ସମୟରେ ଲାଭ ଅର୍ଜନର ଅଭିଯୋଗରୁ ସରକାର ମଧୢ ମୁକ୍ତ ନୁହନ୍ତି। ଏ ସ˚ଦର୍ଭରେ ଗଣମାଧୢମରେ ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ‘କରୋନା’ ସ˚କ୍ରମଣ ସମୟରେ ସତର୍କତା ତଥା ଚିିକିତ୍ସା ଲାଗି ସର୍ବାଧିକ ଆବଶ୍ୟକ ସାନିଟାଇଜର, ଗ୍ଲୋଭ୍‌ସ, ଗଗଲ୍‌ସ, ଜୀବାଣୁ ବିଶୋଧକ ଠାରୁ ଆରମ୍ଭ କରି କରୋନା ଚିକିତ୍ସା ଲାଗି ଲୋଡ଼ା ବିଭିନ୍ନ ଅତ୍ୟାବଶ୍ୟକ ଡାକ୍ତରୀ ଯନ୍ତ୍ରପାତି ଏପରିକି ଥର୍ମୋମିଟର ପର୍ଯ୍ୟନ୍ତରେ ଅନେକ ସାମଗ୍ରୀ ଉପରେ ଜି.ଏସ୍‌.ଟି.ର ପରିମାଣ ହେଉଛି ୧୨% ବା ୧୮%, ଯାହା ‘ଜି.ଏସ୍‌.ଟି.’ ଟିକସ ସୋପାନରେ ଶୀର୍ଷ ପର୍ଯ୍ୟାୟ ଅନ୍ତର୍ଭୁକ୍ତ। କହିବା ବାହୁଲ୍ୟ ଯେ ଏହି ସବୁ ଦ୍ରବ୍ୟ ଉପରେ ‘ଜି.ଏସ୍‌.ଟି.’ ହ୍ରାସ ନିଶ୍ଚିତ ଭାବେ ସେ ସବୁର ଦରକୁ ନୀଚା ରଖନ୍ତା ଏବ˚ କରୋନା ସ˚କ୍ରମଣ ଓ ଲକ୍‌ଡାଉନ୍‌ କାରଣରୁ ସା˚ଘାତିକ ଉପାର୍ଜନ ସ˚କୋଚନର ଶିକାର ହୋଇଥିବା ଜନସାଧାରଣଙ୍କ ବୋଝକୁ ହାଲୁକା କରି ପାରନ୍ତା।

ଆଉ ଗୋଟିଏ ଉଦାହରଣ ଦେଖାଯାଉ, ଯାହାର ସ˚ପର୍କ ଯୁକ୍ତରାଷ୍ଟ୍ର ଆମେରିକା ସହିତ ରହିଛି। ‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ଏକ ସମ୍ବାଦ ଅନୁସାରେ ଗଲା ଜୁନ୍‌ ୨୬ ତାରିଖରେ ଦକ୍ଷିଣ ସାନ୍‌ ଫ୍ରାନ୍‌ସିସ୍‌କୋରେ ଅବସ୍ଥିତ ‘ଭ୍ୟାକ୍‌ସାର୍ଟ‌୍’ ନାମକ ଏକ ଅଖ୍ୟାତ ବା ଅଳ୍ପ ଖ୍ୟାତ ଔଷଧ କ˚ପାନି ଏକ କରୋନା ‘ଭ୍ୟାକ୍‌ସିନ୍‌’ର ନିର୍ମାତା ପ୍ରାର୍ଥୀ ରୂପେ ଆମେରିକାର ସରକାରୀ ପ୍ରୋତ୍ସାହନ ପ୍ରକଳ୍ପ ‘ଵାର୍ପ ସ୍ପିଡ୍‌’ର ଅନୁମୋଦନ ଲାଭ କରିଛି ବୋଲି ଏକ ସମ୍ବାଦ ସେଠାକାର ବିଭିନ୍ନ ଗଣମାଧୢମରେ ପ୍ରକାଶିତ ହେବା ପରେ ଷ୍ଟକ୍‌ ବଜାରରେ ସହସା ସେହି କ˚ପାନିର ସେୟାର ମୂଲ୍ୟ ଛଅ ଗୁଣ ବୃଦ୍ଧି ପାଇ ନିମିଷକ ମଧୢରେ କ˚ପାନିକୁ ୨୦ ନିୟୁତ ଡଲାରର ଆୟ ଠୁଳ କରିବାରେ ସମର୍ଥ କଲା। କିନ୍ତୁ ପ୍ରକୃତରେ କ˚ପାନିଟି ସେଭଳି କିଛି ଚମକପ୍ରଦ ଉପଲବ୍‌ଧିର ଅଧିକାରୀ ହୋଇନାହିଁ। କେବଳ ଏତିକି ହୋଇଛି ଯେ କ˚ପାନିଟି ପ୍ରସ୍ତୁତ କରିଥିବା ଏକ ସମ୍ଭାବ୍ୟ ‘ଭ୍ୟାକ୍‌ସିନ’ ତାର ପ୍ରାରମ୍ଭିକ ପରୀକ୍ଷଣ ମାଙ୍କଡ଼ମାନଙ୍କ ଉପରେ କରିବା ସକାଶେ ଏକ ଫେଡେରାଲ ବା ସରକାରୀ ସ˚ସ୍ଥା ଦ୍ବାରା ଅନୁମୋଦନ ଲାଭ କରିଛି, ଯେଉଁ ସରକାରୀ ସ˚ସ୍ଥାଟି ‘ଅପରେସନ ଵାର୍ପ ସ୍ପିଡ୍‌’ ସହିତ ସ˚ଯୁକ୍ତ। ସେହି ଦୃଷ୍ଟିରୁ ‘ଭ୍ୟାକ୍‌ସାର୍ଟ‌୍’ ଦ୍ବାରା ପ୍ରଚାରିତ ‘ଭ୍ୟାକସିନ୍‌’ଟି କେବେ ଯେ ସୂର୍ଯ୍ୟାଲୋକ ଦେଖିବ ଅଥବା ଆଦୌ ଦେଖିବ ନାହିଁ, ତାହା ନିଶ୍ଚିତ କରି କହିହେବନାହିଁ। କିନ୍ତୁ ଏହା ସତ୍ତ୍ବେ ଏକ ବିଭ୍ରାନ୍ତିମୂଳକ ଖବର ପ୍ରସାରଣ କରି କ˚ପାନିଟି ଏକ ଅଗ୍ରଣୀ ‘ଭ୍ୟାକ୍‌ସିନ’ ପ୍ରସ୍ତୁତକର୍ତ୍ତା ବୋଲି ଧାରଣା ସୃଷ୍ଟି କରି ଲାଭ ଲୁଟି ନେଇ ପାରିଛି। ‘ନ୍ୟୁୟର୍କ ଟାଇମ୍‌ସ’ର ରିପୋର୍ଟ କହିଥାଏ ଯେ ‘ଭ୍ୟାକ୍‌ସିନ’ ଲାଗି ସତୃଷ୍ଣ ନୟନରେ ଚାହିଁ ରହିଥିବା ଏକ ଅସହାୟ ପୃଥିବୀରେ ଏକ ବିଭ୍ରାନ୍ତିର ପରିବେଶ ସୃଷ୍ଟି କରି ଚଞ୍ଚକତାପୂର୍ଣ୍ଣ ଭାବେ ଅନେକ କ˚ପାନି ଇତିମଧୢରେ ପ୍ରାୟ ୧ ବିଲିଅନ ଆମେରିକୀୟ ଡଲାରରୁ ଅଧିକ ଉପାର୍ଜନ କରିସାରିଲେଣି।

କିନ୍ତୁ ଯେଉଁମାନେ ବଜାରର ଚରିତ୍ରକୁ ନିକଟରୁ ଅନୁଧୢାନ କରିଛନ୍ତି ସେମାନେ ବଜାରର ନିର୍ଦ୍ଦୟତାରେ ବିସ୍ମୟ ପ୍ରକାଶ କରନ୍ତି ନାହିଁ। କାରଣ କେବଳ ଲାଭ-କ୍ଷତିର ଭାଷା ବୁଝୁଥିବା ବଜାରରେ ଦୟା ବା କରୁଣା ହେଉଛି ଏକ ଅଚଳ ମୁଦ୍ରା। ପୃଥିବୀର ସବୁଠାରୁ ଅଧିକ ବ୍ୟବସାୟ ଓ ଉପାର୍ଜନ କରୁଥିବା ଅସ୍ତ୍ରଶସ୍ତ୍ର ଉଦ୍ୟୋଗ ଆତଙ୍କବାଦୀମାନଙ୍କ ହାତରେ ଯେଉଁ ଅସ୍ତ୍ରଶସ୍ତ୍ର ଧରାଇଥାଏ, ସେହି ଅସ୍ତ୍ରଶସ୍ତ୍ରକୁ ସେମାନଙ୍କ ବିରୋଧରେ ଲଢୁଥିବା ସୈନିକମାନଙ୍କ ହାତରେ ମଧୢ ଦେଇଥାଏ। ପୃଥିବୀ ଯେତେ ଯେତେ ଯୁଦ୍ଧ, ସ˚ଘାତ ଓ ସନ୍ତ୍ରାସରେ ଜର୍ଜରିତ ହେଉଥାଏ, ଯୁଦ୍ଧାସ୍ତ୍ରର ଏହି ବଜାରରେ ସେତେ ସେତେ ପୁଲକ ଅନୁଭୂତ ହେଉଥାଏ। ତେଣୁ କରୋନା ପାନ୍‌ଡେମିକ ଭଳି ଏକ ଅତ୍ୟନ୍ତ ଦାରୁଣ ମାନବୀୟ ବିପର୍ଯ୍ୟୟ(ଏକ ଅଦୃଶ୍ୟ ଭୂତାଣୁ ବିରୋଧରେ ମାନବ ଜାତିର ଯୁଦ୍ଧ) ବେଳେ ଅନେକ ବ୍ୟବସାୟ କ୍ଷେତ୍ର ଓ ବ୍ୟବସାୟୀ ଅସହାୟ ଜନସାଧାରଣଙ୍କୁ ଶୋଷଣ କରି ହସି ଉଠିବାରେ ବିସ୍ମିତ ହେବାର କ’ଣ ଅଛି? କହିବା ବାହୁଲ୍ୟ ଯେ ନିର୍ମମ ବଜାର ବିପର୍ଯ୍ୟୟର ବଣିକମାନଙ୍କ ଲାଗି ସର୍ବଦା ସୁଯୋଗ ସୃଷ୍ଟି କରି ଚାଲିଥାଏ।

ସମ୍ବନ୍ଧିତ ଖବର