ଶେଷ ସମ୍ମାନ

ଗତ ଶୁକ୍ରବାର ଦିନ କ˚ଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସି˚ହ ଶେଷରେ ଯୁଗପୁରୁଷ ସ୍ବର୍ଗୀୟ ପିଭି ନରସି˚ହ ରାଓଙ୍କ ପ୍ରତି ବିଳମ୍ବିତ ସମ୍ମାନ ପ୍ରଦର୍ଶନ ସ୍ବରୂପ ତାଙ୍କର ଗୁଣ ଗାନ କରି ଏହି ମହାନ୍‌ ନେତାଙ୍କର ଯେତିକି ଉପକାର ନ କରିଛନ୍ତି, ତାହା ଅପେକ୍ଷା ଅଧିକ ନିଜର ଉପକାର କରିଛନ୍ତି। ତେଲେଙ୍ଗାନା କ˚ଗ୍ରେସ୍‌ ସେଠାରେ ଶାସକ ଟିଆର‌୍‌ଏସ୍‌ ଓ ବିଜେପି ଚାପରେ ଆରମ୍ଭ କରିଥିବା ନରସି˚ହ ରାଓ ଶତବାର୍ଷିକୀ ଉତ୍ସବ ଉଦ୍‌ଘାଟନ ଅବସରରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସମୟରେ ମନମୋହନ ସି˚ହ ଊନବି˚ଶ ଶତାବ୍ଦୀର ଫରାସୀ ସାହିତ୍ୟିକ ଭିକ୍ଟର‌୍‌ ହ୍ୟୁଗୋଙ୍କର ଏକ ଉକ୍ତି ଉଦ୍ଧାର କରିଥିଲେ, ଯାହା ସେ ଅତୀତରେ ଭିନ୍ନ ପ୍ରସଙ୍ଗରେ ମଧୢ ଉଦ୍ଧାର କରିବା ଦେଖାଯାଇଥାଏ। ଭିକ୍ଟର‌୍‌ ହ୍ୟୁଗୋଙ୍କର ଏହି ଉକ୍ତିଟି ହେଲା: ‘‘ଯେଉଁ ଚିନ୍ତାଧାରାର ସମୟ ଉପସ୍ଥିତ ତାହାକୁ ପୃଥିବୀର କୌଣସି ବି ଶକ୍ତି ଅଟକାଇ ପାରିବ ନାହିଁ।’’ ୧୯୯୧ରେ ରାଓ ଦେଶରେ ପ୍ରବର୍ତ୍ତନ କରିଥିବା ଅର୍ଥନୈତିକ ସ˚ସ୍କାର ସମ୍ବନ୍ଧରେ ସି˚ହ ହ୍ୟୁଗୋଙ୍କର ଏହି ମନ୍ତବ୍ୟ ଉଦ୍ଧାର କରିଥିଲେ।

ରାଓଙ୍କର ବିଳମ୍ବିତ ଗୁଣଗାନ କରି ମନମୋହନ ସି˚ହ ନିଜର କିପରି ଉପକାର କରିଛନ୍ତି, ତାହା ସ୍ପଷ୍ଟ ହୋଇଥାଏ ଭିକ୍ଟର‌୍‌ ହ୍ୟୁଗୋଙ୍କର ସମସାମୟିକ ବିଖ୍ୟାତ ବ୍ରିଟିସ୍‌ ଐତିହାସିକ ଥମାସ୍‌ କାର୍ଲାଇଲ୍‌ ପ୍ରଦାନ କରିଥିବା ଏହି ମନ୍ତବ୍ୟରୁ। କାର୍ଲାଇଲ୍‌ ବିଶ୍ବାସ କରୁଥିଲେ ଯେ ମହାନ୍‌ ବ୍ୟକ୍ତିମାନେ ନିଜର ଉତ୍କୃଷ୍ଟତର ମେଧା, ସାହସ ଓ ଐଶୀ-ପ୍ରେରଣା ବଳରେ ନିର୍ଣ୍ଣାୟକ, ଐତିହାସିକ ପ୍ରଭାବ ସୃଷ୍ଟିକାରୀ ନିଷ୍ପତ୍ତିମାନ ନେଇଥାନ୍ତି। ସେ କହିଥିଲେ: ‘‘ମହାନ୍‌ ବ୍ୟକ୍ତିଙ୍କ ପ୍ରତି ଅବିଶ୍ବାସ ଅପେକ୍ଷା ଜଣେ ବ୍ୟକ୍ତି ନିଜର କ୍ଷୁଦ୍ରତା ସମ୍ବନ୍ଧରେ ଆଉ କରୁଣତର ପ୍ରମାଣ କିଛି ପ୍ରଦାନ କରିପାରିବ ନାହିଁ।’’

ନରସି˚ହ ରାଓ ଯେ ଜଣେ ମହାନ୍‌ ନେତା ଥିଲେ, ତାହା ପ୍ରଖ୍ୟାତ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଡେଭିଡ୍‌ ଏଲଡ୍‌ ଜର୍ଜଙ୍କର ଏହି ବୟାନ ପ୍ରୟୋଗ କଲେ ସାବ୍ୟସ୍ତ ହୋଇଥାଏ। ସେ କହିଥିଲେ: ‘‘ଜଣେ ପ୍ରତିଭାବାନ୍‌ କିମ୍ବା ଦୃଢ଼ମନା ବ୍ୟକ୍ତି ଏକ ଆସନ୍ନପ୍ରାୟ ସ˚କଟକୁ ଶତାବ୍ଦୀ ଶତାବ୍ଦୀ ପାଇଁ ଟାଳି ଦେଇଥାଏ, ଯାହା ତା’ ବିନା ଆମକୁ ନିଶ୍ଚିତ ଗ୍ରାସ କରିଥାନ୍ତା।’’ ନରସି˚ହ ରାଓ ୨୧ ଜୁନ୍‌ ୧୯୯୧ ଦିନ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ, ଦେଶ ଏହିପରି ଏକ ଲଏଡ୍‌ ଜର୍ଜ ବର୍ଣ୍ଣିତ ସ˚କଟର ଦ୍ବାର ଦେଶରେ ଉଭା ହୋଇଥିଲା। ଦେଶରେ ମୁଦ୍ରାସ୍ଫୀତି ହାର ଦୁଇ ଅଙ୍କ ଅତିକ୍ରମ କରି ୧୩% ଛୁଇଁଥିଲା। ଦେଶର ବୈଦେଶିକ ମୁଦ୍ରା ପାଣ୍ଠି ଶୂନ୍ୟ ପ୍ରାୟ ହୋଇ ଯାଇଥିଲା। ଆନ୍ତର୍ଜାତିକ ଋଣଦାତାମାନଙ୍କ ନିକଟରେ ଦେବାଳିଆ ହେବାରୁ ରକ୍ଷା ପାଇବା ପାଇଁ ରାଓଙ୍କ ପୂର୍ବବର୍ତ୍ତୀ ଚନ୍ଦ୍ରଶେଖର ସରକାର ବ୍ୟାଙ୍କ୍‌ ଅଫ୍‌ ଇ˚ଲାଣ୍ତ ଠାରେ ଦେଶର ସୁନା ବନ୍ଧକ ରଖି ୨୦୦ ନିୟୁତ ଡଲାର‌୍‌ ଋଣ ଉଠାଇ ଥିଲା। ଦେଶରେ ଯେତିକି ବୈଦେଶିକ ମୁଦ୍ରା ଉପଲବ୍‌ଧ ଥିଲା ତଦ୍ଦ୍ବାରା ଦେଶର ମାତ୍ର ୧୫ ଦିନର ଆମଦାନି ଚାହିଦା କଷ୍ଟେମଷ୍ଟେ ପୂରଣ କରି ହୁଅନ୍ତା।

ସୁଦୀର୍ଘ କ˚ଗ୍ରେସ ଶାସନ ସମୟରେ ଅନୁସୃତ ବଣ୍ଟନଭିତ୍ତିକ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି, ଔଦ୍ୟୋଗିକ-ଶ୍ବାସରୁଦ୍ଧକାରୀ ଅମଲାତାନ୍ତ୍ରିକ ଲାଇସେନ୍‌ସ ପର‌୍‌ମିଟ୍‌ରାଜ୍‌ ଓ ତା’ର ଯାଁଳାଭାଇ ସର୍ବବ୍ୟାପୀ ଦୁର୍ନୀତି ମିଶି ଦେଶର ରାଜକୋଷକୁ ଖାଲି କରିବା ସହିତ ଶିଳ୍ପ ବାଣିଜ୍ୟ କ୍ଷେତ୍ରକୁ ପଙ୍ଗୁ କରି ଦେଇଥିଲା। ବ୍ୟାଙ୍କ୍‌ ବ୍ୟବସ୍ଥାର ମେରୁଦଣ୍ତ ଭାଙ୍ଗିବା ଭଳି ନିଆଯାଇଥିବା ବିଭିନ୍ନ ପଦକ୍ଷେପମାନଙ୍କ ମଧୢରୁ ଗୋଟିଏ ଥିଲା ରାଜନୈତିକ ସ୍ବାର୍ଥ ସାଧନ ଓ ପ୍ରିୟାପ୍ରୀତି ତୋଷଣ ପାଇଁ ଉଦ୍ଦିଷ୍ଟ-ଲୋନ୍‌ ମେଳା। ନରସି˚ହ ରାଓ କ୍ଷମତା ଗ୍ରହଣ ପରେ ଏହି ବିଷାକ୍ତ ସ˚ସ୍କୃତି ଓ ପରିବେଶରେ ପରିବର୍ତ୍ତନ ଘଟାଇ ଦେଶର ଅର୍ଥନୀତିରେ ନୂତନ ପ୍ରାଣ ସଞ୍ଚାର କରିବା ପାଇଁ ବାହାରି ପଡ଼ିଲେ। ତାହା ପୁଣି ଯେତେବେଳେ ତାଙ୍କ ପାଖରେ ଯଥେଷ୍ଟ ରାଜନୈତିକ ଶକ୍ତି ଉପଲବ୍‌ଧ ନ ଥିଲା। ଲୋକସଭାରେ କ˚ଗ୍ରେସର ନିଜସ୍ବ ସ˚ଖ୍ୟାଗରିଷ୍ଠତା ନ ଥିଲା- ଦଳର ଦଖଲରେ ଥିଲା ୨୩୨ଟି ଆସନ। କ୍ଷମତାରେ ତିଷ୍ଠି ରହିବା ପାଇଁ ରାଓଙ୍କୁ ଏକାଧିକ ଛୋଟ ଛୋଟ ପାର୍ଟିକୁ ତୁଷ୍ଟ କରି ରଖିବାକୁ ପଡ଼ୁଥିଲା। ଏହାସତ୍ତ୍ବେ ପୁରୁଣା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଭଳି ଅପ୍ରିୟ ଅଭିଯାନ ଚଳାଇବା ପାଇଁ ନରସି˚ହ ରାଓ ଅଭୂତପୂର୍ବ ମନୋବଳ ଓ ରାଜନୈତିକ ସାହସିକତା ପ୍ରଦର୍ଶନ କରିଥିଲେ।

ଏଥିପାଇଁ ସେ ଯେଉଁ ଜଣେ ଅଣରାଜନୈତିକ-ଅମଲାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ସ୍ଥାପନ କରିଥିଲେ ସେ ହେଉଛନ୍ତି ଅର୍ଥନୀତିଜ୍ଞ ମନମୋହନ ସି˚ହ। (ନିଜ କ୍ୟାରିଅର‌୍‌ରେ ଯେ କୌଣସି ରାଜନେତାଙ୍କ ଠାରୁ ଅଧିକ ସଫଳତା ହାସଲ କରିପାରିଥିଲେ ହେଁ ମନମୋହନ ସି˚ହ ଏବେ ବି ବସ୍ତୁତଃ ହେଉଛନ୍ତି ଜଣେ ଅଣ-ରାଜନୈତିକ ବ୍ୟକ୍ତି- ସେ ଜୀବନରେ ଗୋଟିଏ ବି ନିର୍ବାଚନରେ ମତଦାତାଙ୍କ ସ˚ଖ୍ୟାଗରିଷ୍ଠ ସମର୍ଥନ ଲାଭ କରିପାରି ନାହାନ୍ତି)। ସି˚ହଙ୍କୁ ନିଜର ବିତ୍ତମନ୍ତ୍ରୀ ରୂପେ ନିଯୁକ୍ତ କରି ରାଓ ନିଜର ପରିକଳ୍ପନାକୁ ସାକାର କରିବା ଦାୟିତ୍ବ ପ୍ରଦାନ କରିଥିଲେ।

ରାଓ ହେଉଛନ୍ତି ନିର୍ବିବାଦରେ ଭାରତର ସର୍ବାଧିକ ବିଦ୍ବାନ ଓ ବିଜ୍ଞ ପ୍ରଧାନମନ୍ତ୍ରୀ। ସେ ଆଇନ ଅଧୢୟନ କରିବା ସହିତ ଦେଶ-ବିଦେଶର ଡଜନେରୁ ଅଧିକ ଭାଷାରେ ପାଣ୍ତିତ୍ୟ ଲାଭ କରିଥିଲେ। ଭାରତୀୟ ସ˚ସ୍କୃତିରେ ତାଙ୍କର ଚେର ଥିଲା ଗଭୀର- ସେ ଥିଲେ ଭାରତୀୟ ସ˚ସ୍କୃତିର ଏକ ଅବିଚ୍ଛେଦ୍ୟ ଅ˚ଶ। କ˚ଗ୍ରେସ ସରକାରରେ ଏକଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ନଟବର ସି˚ହ ଥରେ ନେହରୁଙ୍କ ସହିତ ରାଓଙ୍କର ତୁଳନା କରି କହିଥିଲେ: ‘‘ନେହରୁଙ୍କ ଠାରୁ ତାଙ୍କର ଫରକ୍‌ ହେଲା, ତାଙ୍କର ସ˚ସ୍କୃତରେ ଅଗାଧ ଜ୍ଞାନ ଥିଲା। ନେହରୁଙ୍କର ରାଗ ଥିଲା, ପିଭିଙ୍କର ଥିଲା ଅନୁରାଗ। ଭାରତର ଆଧୢାତ୍ମିକ ଓ ଧାର୍ମିକ ମାଟିରେ ତାଙ୍କର ଚେର ଥିଲା ଗଭୀର। ତାଙ୍କର ‘ଭାରତକୁ ଆବିଷ୍କାର’ କରିବା ଦରକାର ନ ଥିଲା’’ (ନେହରୁଙ୍କ ରଚିତ ‘ଡିସ୍‌କଭରି ଅଫ୍‌ ଇଣ୍ତିଆ’କୁ କଟାକ୍ଷ କରି)। ରାଷ୍ଟ୍ରପତି ଅବଦୁଲ୍‌ କାଲାମ୍‌ ରାଓଙ୍କ ବିଷୟରେ କହିଥିଲେ: ‘‘ସେ ଥିଲେ ଜଣେ ଦେଶଭକ୍ତ ରାଷ୍ଟ୍ରନାୟକ ଯିଏ ବିଶ୍ବାସ କରୁଥିଲେ ଯେ ରାଜନୈତିକ ବ୍ୟବସ୍ଥା ଠାରୁ ଦେଶ ହେଉଛି ବଡ଼।’’

୧୯୯୬ରେ ରାଓ କ୍ଷମତାରୁ ଅପସରି ଯିବା ବେଳକୁ ଦେଶର ଅର୍ଥନୀତିରେ ଚମକପ୍ରଦ ପରିବର୍ତ୍ତନ ଘଟି ସାରିଥିଲା। ତାହା ଏବେ ଇତିହାସ। ତା’ର ସୁଫଳ ସ୍ବରୂପ ଅର୍ଥନୀତି ଏକ ଉଚ୍ଚ ଅଭିବୃଦ୍ଧି ପଥରେ ପାଦ ଦେଇଥିଲା ଏବ˚ ୨୦୦୪ରେ ତାଙ୍କର ମୃତ୍ୟୁ ସମୟକୁ ଦେଶରେ ବୈଦେଶିକ ମୁଦ୍ରା ଭଣ୍ତାରରେ ଅଭୂତପୂର୍ବ ରାଶି ୧୪୦ ବିଲିଅନ୍‌ ଡଲାର‌୍‌ ଜମା ହୋଇଥିଲା। ପଞ୍ଜାବରେ ଆତଙ୍କବାଦର ଲୋପ ଘଟାଇଥିଲେ ରାଓ, ନଚେତ୍‌ ପଞ୍ଜାବ ଭାରତରୁ ବିଚ୍ଛିନ୍ନ ହେବା ପ୍ରାୟ ନିଶ୍ଚିତ ଥିଲା। ଭାରତରେ ପରମାଣୁ ଶକ୍ତିର ବିକାଶ ଓ ଦେଶର ପ୍ରତିରକ୍ଷା କ୍ଷମତାରେ ବୃଦ୍ଧିରେ ରାଓଙ୍କର ଅବଦାନ ମଧୢ ହେଉଛି ଅତୁଳନୀୟ।

ଏହା ଦେଶବାସୀଙ୍କୁ ଭଲ ରୂପେ ଜଣା ଅଣ-ନେହରୁ-ଗାନ୍ଧୀ ନରସି˚ହ ରାଓ କ୍ଷମତାରୁ ଅପସାରିତ ହେବା ପରେ କିପରି ଉଭୟ ସେ ପରିବାର ଓ କ˚ଗ୍ରେସ ପାର୍ଟି ପାଇଁ ସମ୍ପୂର୍ଣ୍ଣ ଅସ୍ପୃଶ୍ୟ ହୋଇ ପଡ଼ିଥିଲେ। ଏହାର ଏକ ହୃଦୟ ବିଦାରକ ଉଦାହରଣ ଦେଖିବାକୁ ମିଳିଥିଲା ୨୦୦୪ରେ ରାଓଙ୍କ ମୃତ୍ୟୁ ପରେ ପରେ। ରାଓଙ୍କ ପରଲୋକ ଘଟିଥିଲା ଦିଲ୍ଲୀରେ ସେ ବର୍ଷ ଡିସେମ୍ବର ମାସରେ। ସେତେବେଳକୁ ମଇ ମାସରୁ ରାଓଙ୍କର ଅତି ବିଶ୍ବସ୍ତ ମନମୋହନ ସି˚ହ କ˚ଗ୍ରେସର ସର୍ବମୟକର୍ତ୍ତ୍ରୀ ସୋନିଆ ଗାନ୍ଧୀଙ୍କର ମଧୢ ଅନୁରୂପ ଢ଼ଙ୍ଗରେ ବିଶ୍ବାସଭାଜନ ହୋଇ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସି ସାରିଥାନ୍ତି। ରାଓଙ୍କ ମର ଶରୀର ବହନ କରୁଥିବା ଯାନ ଦିଲ୍ଲୀର ୨୪, ଆକବର‌୍‌ ରୋଡ୍‌ସ୍ଥିତ କ˚ଗ୍ରେସ ମୁଖ୍ୟାଳୟ ଫାଟକ ବାହାରେ ଅପେକ୍ଷା କରି ରହିଥାଏ ଭିତରକୁ ପ୍ରବେଶ କରିବା ପାଇଁ। କିନ୍ତୁ ବର୍ତ୍ତମାନ କୋଭିଡ୍‌-ମୃତକଙ୍କ ଭଳି ତାଙ୍କ ପ୍ରତି ଆଚରଣ ପ୍ରଦର୍ଶନ କରାଯାଇ ସେଠାରେ ପ୍ରବେଶ କରିବାକୁ ଦିଆଯାଇନଥିଲା କିମ୍ବା ଦିଲ୍ଲୀରେ ମଧୢ ତାଙ୍କର ଶେଷକୃତ୍ୟ କରିବାକୁ ଦିଆଯାଇନଥିଲା। ପ୍ରଧାନମନ୍ତ୍ରୀ ମନମୋହନ ସି˚ହ ରାଓଙ୍କ ପ୍ରତି ତାଙ୍କର ପୂର୍ବ ଆନୁଗତ୍ୟ ପାଶୋରି ଯାଇ ଏହି ସାମାନ୍ୟ ଶେଷ ସମ୍ମାନ ପ୍ରଦର୍ଶନ ପାଇଁ କୌଣସି ପଦକ୍ଷେପ ନେଇନଥିଲେ। ଆଜି ବିଳମ୍ବରେ ହେଉ ପଛକେ ରାଓଙ୍କର ଏଭଳି ଉଚ୍ଛ୍ବସିତ ଗୁଣଗାନ ହୁଏତ କାର୍ଲାଇଲ୍‌ଙ୍କ ଦୃଷ୍ଟିରେ ମନମୋହନଙ୍କୁ ଦୋଷମୁକ୍ତ କରିପାରେ।

ସମ୍ବନ୍ଧିତ ଖବର