ଆଧୁନିକ ଆକାଶ ଯୁଦ୍ଧରେ ଶତ୍ରୁକୁ ପରାହତ କରିବାରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଭଳି ଭାରତର ଆତ୍ମଘାତୀ ରାଜନୈତିକ ପ୍ରତିବନ୍ଧକୁ ଭେଦ କରି ଶେଷରେ ପ୍ରଥମ ଛେକ ରାଫେଲ୍ ଯୁଦ୍ଧ ବିମାନ ଆସି ଦେଶରେ ପହଞ୍ଚିଛି। ଏହି ରାଜନୈତିକ ବିରୋଧର ନେତୃତ୍ବ ନେଇଥିବା ରାହୁଲ ଗାନ୍ଧୀ ଓ ତାଙ୍କ ଦଳ କ˚ଗ୍ରେସ ସୀମାନ୍ତରେ ଚୀନ୍ ପଟରୁ ସୃଷ୍ଟି ହୋଇଥିବା ରକ୍ତାକ୍ତ ଉତ୍ତେଜନା ପରେ ମଧୢ ନିଜର ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନେ ବୋଧହୁଏ ଚାହାନ୍ତି ୧୯୬୨ରେ ରାହୁଲଙ୍କ ପ୍ରପିତାମହ ଜଵହାରଲାଲ ନେହରୁଙ୍କ ଶାସନ କାଳରେ ଚୀନ୍ ଆକ୍ରମଣ ସମୟରେ ଭାରତର ସାମରିକ ବାହିନୀ ଯେଉଁଭଳି ଦୁର୍ବଳ ଅବସ୍ଥାରେ ଥିଲା, ସେମାନଙ୍କ ପରମ ଶତ୍ରୁ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ଚୀନ୍ ସମ୍ମୁଖରେ ସେଇଭଳି ଦୁର୍ବଳତା ପ୍ରଦର୍ଶନ କରୁ।
ଅଳ୍ପଦିନ ତଳେ ରାହୁଲ ଏକ ଅଭିଯୋଗ କରିବା ଦେଖାଯାଇଥିଲା ଯେ ମୋଦୀଙ୍କ ଟାଣୁଆ ନେତା ଭାବମୂର୍ତ୍ତିକୁ ଭାଙ୍ଗିବା ହିଁ ଥିଲା ଚୀନ୍ ଲାଦାଖ୍ରେ କରିଥିବା ଆକ୍ରମଣର ଉଦ୍ଦେଶ୍ୟ। ମନେହୁଏ ସେ ୧୯୬୨ର ଚୀନ୍ ଆକ୍ରମଣର ଏହା ଏକ ପୁନରାବୃତ୍ତି ବୋଲି ମନେ କରୁଛନ୍ତି। କାରଣ ୨୦୧୭ରେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ଦ୍ବାରା ପ୍ରକାଶିତ ସ୍ବିଡେନ୍ର ସାମ୍ବାଦିକ ବର୍ଟିଲ୍ ଲିଣ୍ଟ୍ନର୍ଙ୍କର କଠୋର ଗବେଷଣା ପ୍ରସୂତ ପୁସ୍ତକ ‘ଚାଇନାଜ୍ ଇଣ୍ତିଆ ଵାର୍’ (ଏହା ନେଭିଲ୍ ମାକ୍ସେଵଲ୍ଙ୍କ ବହୁଚର୍ଚ୍ଚିତ ଉଦ୍ଦେଶ୍ୟ ପ୍ରଣୋଦିତ ପୁସ୍ତକ, ‘ଇଣ୍ତିଆନ୍ ଚାଇନା ଵାର୍’ରେ ଥିବା ମୌଳିକ ମିଥ୍ୟାଚାର ସବୁ ଖଣ୍ତନ କରିଛି)ରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି ଯେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ନେହରୁ ନିଜ ପାଇଁ ସୃଷ୍ଟି କରିଥିବା ନେତୃସ୍ଥାନୀୟ ଭାବମୂର୍ତ୍ତିକୁ ଧ୍ବ˚ସ କରିବା ଉଦ୍ଦେଶ୍ୟରେ ହିଁ ମାଓ ଜେଡଙ୍ଗ୍ ୧୯୬୨ରେ ଭାରତ ଆକ୍ରମଣ ପାଇଁ ଚୀନା ସେନାବାହିନୀକୁ ନିର୍ଦ୍ଦେଶ ଦେଇଥିଲେ।
୧୯୫୫ର ବାନ୍ଦୁଙ୍ଗ୍ ସମ୍ମିଳନୀ ପରେ ନେହରୁ ଆଫ୍ରିକା ଓ ଏସିଆର ନବ ସ୍ବାଧୀନତାପ୍ରାପ୍ତ ଦେଶମାନଙ୍କୁ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ନିରପେକ୍ଷ ଦେଶମାନଙ୍କ ସ˚ଗଠନର ଜଣେ ଛାମୁହାଁ ନେତା ରୂପେ ଆବିର୍ଭୂତ ହେବା ୧୯୪୯ରେ କମ୍ୟୁନିଷ୍ଟ ଚୀନ୍ର ପ୍ରତିଷ୍ଠା କରିଥିବା ମାଓଙ୍କର ଆଦୌ ହଜମ ହେଉନଥିଲା। ମାଓ ଗୋଷ୍ଠୀ- ନିରପେକ୍ଷ ଆନ୍ଦୋଳନକୁ ଦୁର୍ବଳ କରି ‘ତୃତୀୟ-ବିଶ୍ବ’ ନାମକ ଚିନ୍ତାଧାରାର ପ୍ରବର୍ତ୍ତନ କରି ଚୀନ୍ ତଥା ନିଜକୁ ତୃତୀୟ ବିଶ୍ବର ଅପ୍ରତିଦ୍ବନ୍ଦ୍ବୀ ନେତା ରୂପେ ପ୍ରଦର୍ଶିତ କରିବାକୁ ଚାହୁଁଥିଲେ। ୧୯୬୨ରେ ସେଥିପାଇଁ ସେ ଯୋଜନାବଦ୍ଧ ଭାବରେ କୌଣସି ପୂର୍ବ ସୂଚନା ନ ଦେଇ ଆକମ୍ରଣ କରି ଭାରତକୁ ଶୋଚନୀୟ ଭାବେ ପରାସ୍ତ କରି ଏହି ଲକ୍ଷ୍ୟ ହାସଲ କରିଥିଲେ ବୋଲି ଲିଣ୍ଟ୍ନର୍ ତାଙ୍କ ପୁସ୍ତକରେ ଲେଖିଛନ୍ତି।
ଭାରତୀୟ ଅଞ୍ଚଳ ଦଖଲ ନୁହେଁ, କେବଳ ଭାରତ ଓ ନେହରୁଙ୍କ ଦୁର୍ବଳତା ପଦାରେ ପକାଇବା ଥିଲା ଚୀନ୍ର ଆକ୍ରମଣର ଉଦ୍ଦେଶ୍ୟ। ତା’ପରେ ଭାରତ ନୁହେଁ, ଚୀନ୍ ହିଁ ତୃତୀୟ ବିଶ୍ବର ନେତୃ ସ୍ଥାନ ଦଖଲ କଲା। ଏଠାରେ ଭାରତର ଦୁର୍ବଳତା ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଯାହା ସବୁ ବ୍ୟାପକ ଭାବରେ ଆଲୋଚିତ ହୋଇଛି, ସେସବୁର ପୁନରାବୃତ୍ତିର ଆବଶ୍ୟକତା ନାହିଁ। ତେବେ ଏତିକି କହିଲେ ଯଥେଷ୍ଟ ହେବ, ଅନ୍ୟାନ୍ୟ ଦୁର୍ବଳତାମାନଙ୍କ ମଧୢରେ ଯାହା ବୋଧହୁଏ ଥିଲା ସର୍ବାଧିକ ଅକ୍ଷମଣୀୟ, ତାହା ହେଲା ଆମେ ଏପରି ଅପ୍ରସ୍ତୁତ ଥିଲୁ ଯେ ଆମ ସୈନ୍ୟଙ୍କ ପାଦରେ ବେଳେ ବେଳେ ଜୋତା ନଥିଲା, ସେମାନଙ୍କ ହାତରେ ଥିବା ମରହଟ୍ଟିଆ ବୋଲ୍ଟ ଆକ୍ସନ ରାଇଫଲ ପାଇଁ ଗୁଳି ବି ନଥିଲା।
ରାହୁଲ ଗାନ୍ଧୀ ଏବେ ଯେଉଁ ମୋଦୀଙ୍କ ଟାଣୁଆ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ ଚୀନ୍ ବର୍ତ୍ତମାନ ଆକ୍ରମଣ କରିଛି ବୋଲି କହୁଛନ୍ତି, ତାହା ତାଙ୍କ ପୂର୍ବ ପୁରୁଷଙ୍କ ସମୟରେ ଘଟିଥିବା ଏହି ଘଟଣାର ପ୍ରତିଧ୍ବନି ଭଳି ଶୁଭୁ ନାହିଁକି? ଯଦି ତାହା ହିଁ ହୋଇଥାଏ, ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ସେ ବି ଚାହୁଁଥାଇପାରନ୍ତି ଯେ ମୋଦୀଙ୍କ ପାଇଁ ଫଳାଫଳ ନେହରୁଙ୍କ ଠାରୁ ଭଲ ନ ହେଉ। କିନ୍ତୁ ସମସ୍ତ ବିରୋଧ ଅତିକ୍ରମ କରି ରାଫେଲ୍ ଭାରତରେ ଆସି ପହଞ୍ଚିଯାଇଛି। ଏହା ଚୀନାମାନଙ୍କ ପାଇଁ ଆଦୌ ସୁଖବର ନୁହେଁ।
ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ହେଉଛି ଏକ ଅତ୍ୟନ୍ତ ସୁନ୍ଦରୀ ବିଷକନ୍ୟା ଭଳି, ଯାହାକୁ ଦେଖିଲେ ଆଖି ଲାଖିଯାଏ, କିନ୍ତୁ ଯାହାର ନିଃଶ୍ବାସ ସ୍ପର୍ଶରେ ପ୍ରାଣ ଚାଲିଯାଏ। ରାଫେଲ୍ର ଏହି ଚରିତ୍ରକୁ ଲକ୍ଷ୍ୟ କରି ଏହାର ଜନନୀ ଦେଶ ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଥିବା ଜାେଵଦ୍ ଆସ୍ରଫ୍ ଅତ୍ୟନ୍ତ ଯଥାର୍ଥ ଭାବରେ ଏକ ଲୋକପ୍ରିୟ ପରୀ କାହାଣୀର ଦୁଇ ପ୍ରମୁଖ ଚରିତ୍ରଙ୍କୁ ଏକତ୍ର କରି ଦେଇ ଏହାର ବର୍ଣ୍ଣନା କରିଛନ୍ତି: ‘ଉଭୟ ବିଉଟି ଏବ˚ ବିଷ୍ଟ୍’ (ସୁନ୍ଦରୀ ଓ ହି˚ସ୍ରପଶୁ)।।
୨୦୧୬ରେ କ୍ରୟ ବରାଦ ଦିଆଯାଇଥିବା ୩୬ଟି ରାଫେଲ୍ ବିମାନ ମଧୢରୁ ବୁଧବାର ଦିନ ପ୍ରଥମ ପାଞ୍ଚଟି ଭାରତରେ ପହଞ୍ଚିଛି। ଧାର୍ଯ୍ୟ ସମୟ ସୀମାଠାରୁ ପ୍ରାୟ ୯ ମାସ ବିଳମ୍ବରେ ପହଞ୍ଚିଥିବା ଏହି ବିମାନଗୁଡ଼ିକର ଘାତକ କ୍ଷମତା ସମ୍ବନ୍ଧରେ ସମସ୍ତ ସାମରିକ ବିଶାରଦମାନେ ଏକମତ। ୨୦୨୧ ଶେଷ ସୁଦ୍ଧା ସମସ୍ତ ୩୬ଟି ଯାକ ବିମାନ ଆମକୁ ମିଳିଯିବ ବୋଲି ବିଶ୍ବାସ କରାଯାଉଛି। ସାମରିକ ବିଶାରଦମାନେ ଏହି ବିମାନମାନଙ୍କରେ ବିଶେଷ ଭାବରେ ଖଞ୍ଜା ଯାଇଥିବା ଅତ୍ୟାଧୁନିକ ମାରଣାସ୍ତ୍ର ବ୍ୟବହାର କ୍ଷମତା ଯୋଗୁଁ ଏହାର ମୂଲ୍ୟ ବୃଦ୍ଧି ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ମତ ପ୍ରକାଶ କରିଥାନ୍ତି। ଦେଶର ନିରାପତ୍ତା ବ୍ୟାହତ ନ କରିବା ପାଇଁ ଏ ବିଷୟରେ ଅବଶ୍ୟ ସବିଶେଷ ବିବରଣୀ ପ୍ରକାଶ କରାଯାଇପାରିବ ନାହିଁ। କିନ୍ତୁ ବିଶେଷଜ୍ଞମାନେ କହନ୍ତି ଦୂରରୁ ଥାଇ ଏକାଧିକ ଲକ୍ଷ୍ୟ ଭେଦ କରିବା ପାଇଁ ଏହାର ଏପରି କ୍ଷମତା ରହିଛି ଯେ ଉଭୟ ଚୀନ୍ ପଟୁ ଓ ପାକିସ୍ତାନ ପଟୁ ଶତ୍ରୁ ଆକ୍ରମଣ ପ୍ରତିହତ କରିବା ପାଇଁ ତଥା ଶତ୍ରୁ ଇଲାକାରେ ଲକ୍ଷ୍ୟ ଭେଦ କରିବା ପାଇଁ ଏବ˚ ଉଭୟ ଶତ୍ରୁଙ୍କର ମୁକାବିଲା ପାଇଁ ପୂରା ଗୋଟିଏ ସ୍କ୍ବାଡ୍ରନ୍ର ୧୮ଟି ଯାକ ବିମାନ ମଧୢ ଦରକାର ହେବ ନାହିଁ।
ପ୍ରାୟ ୬୦୦ କିମି ଦୂରରୁ ଏହା ଶତ୍ରୁ ଅଞ୍ଚଳରେ ଥିବା ଲକ୍ଷ୍ୟସ୍ଥଳୀମାନଙ୍କ ଉପରେ ଆଣବିକ ଅସ୍ତ୍ର ଖଞ୍ଜା ହୋଇଥିବା କ୍ଷେପଣାସ୍ତ୍ର ମାଡ଼ କରିପାରିବ। ଅର୍ଥାତ୍, ପାକିସ୍ତାନର ଅଭ୍ୟନ୍ତରରେ ଥିବା ଲକ୍ଷ୍ୟସ୍ଥଳୀ ଉପରେ ଆକ୍ରମଣ କରିବା ପାଇଁ ରାଫେଲ୍ ବିମାନକୁ ଭାରତର ସୀମା ମଧୢ ଅତିକ୍ରମ କରିବାକୁ ପଡ଼ିବ ନାହିଁ। ଏହି ବିମାନରେ ଲାଗିଥିବା ଏଭିଓନିକ୍ ସିଷ୍ଟମ୍ର ସ୍ବୟ˚ଚାଳିତ ନିୟନ୍ତ୍ରଣ ଦ୍ବାରା ତଥ୍ୟ ସ˚ଗ୍ରହ ପାଇଁ ପଇଁତରା ମାରିବା ଠାରୁ ଆରମ୍ଭ କରି ଆକାଶରେ ଶତ୍ରୁ ବିମାନ ସହ ଲଢ଼େଇ ଓ ଭୂମିରେ ଥିବା ଲକ୍ଷ୍ୟସ୍ଥଳୀମାନଙ୍କ ଉପରେ ଆକ୍ରମଣ କରାଯାଇ ପାରିବ। ପୂର୍ବରୁ ଯେଉଁ ସାଧାସିଧା ୧୨୬ଟି ବିମାନ କ୍ରୟ କରିବା ପାଇଁ ପ୍ରସ୍ତାବ ଥିଲା, ତା’ ଅପେକ୍ଷା ଏହି ଉନ୍ନତତର ବ୍ୟୟବହୁଳ ୩୬ଟି ରାଫେଲ୍ ବିମାନ ବହୁ ଅଧିକ ପ୍ରଭାବଶାଳୀ ହେବ ବୋଲି ଭାରତୀୟ ବାୟୁସେନା ଦୃଢ଼ ନିଶ୍ଚିତ।
ତଥାପି ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଫେଲ୍ର ଉପସ୍ଥିତି ସତ୍ତ୍ବେ ଆମ ବାୟୁସେନା ପାଇଁ ୪୨ଟି ସ୍କ୍ବାଡ୍ରନ୍ ଯୁଦ୍ଧ ବିମାନ ଆବଶ୍ୟକ ଥିବାବେଳେ, ଆମ ପାଖରେ ବର୍ତ୍ତମାନ ରହିଛି ମାତ୍ର ୩୦ ସ୍କ୍ବାଡ୍ରନ୍। ସେଥିମଧୢରୁ ଅନେକ ମିଗ୍ ଓ ମିରାଜ୍ ବିମାନ ପୁରୁଣା ହୋଇଗଲେଣି ଏବ˚ ସେଗୁଡ଼ିକୁ କ୍ରମେ ହଟାଇ ଦିଆଯିବା ଆବଶ୍ୟକ। ରାଫେଲ୍ ଆମ ବିମାନ ବାହିନୀର କେନ୍ଦ୍ରୀୟ ଶକ୍ତି ହେବାକୁ ଯାଉଥିଲେ ହେଁ, ସହାୟକ ଭୂମିକା ନିର୍ବାହ କରିବା ପାଇଁ ଆମ ପାଖରେ ଯଥେଷ୍ଟ ସ˚ଖ୍ୟକ ଅନ୍ୟ ବିମାନ ରହିବା ଦରକାର। ଏହି ପରିପ୍ରେକ୍ଷୀରେ ‘ହାଲ୍’ ଦ୍ବାରା ନିର୍ମିତ ଉଚ୍ଚମାନର ହାଲୁକା ଯୁଦ୍ଧ ବିମାନ ‘ତେଜସ୍’ର ଆଧୁନିକୀକରଣ କରାଯାଇ ତାହାର ଅଧିକ ସ˚ଖ୍ୟାରେ ନିର୍ମାଣ କରାଯିବା ଜରୁରୀ। ରାଫେଲ୍ ଓ ତେଜସ୍ ଏକତ୍ର କାମ କରିପାରିବେ।