ଜ୍ଞାନୀ ନାଉରି

ଜଣେ ପଣ୍ତିତ ଏବ˚ ନାଉରିଙ୍କୁ କେନ୍ଦ୍ର କରି ବହୁଳ ଭାବେ କଥିତ ଗୋଟିଏ ଗଳ୍ପରେ ଦେଖିବାକୁ ମିଳିଥାଏ କିଭଳି ନାଉରି ଜଣକ ବେଦ ବା ଉପନିଷଦ୍‌ ବା ଭାଗବତ ଭଳି ଶାସ୍ତ୍ର ପୁରାଣ ପାଠ କରି ନ ଥିବାରୁ ତାଙ୍କ ଜୀବନ ବାର’ଣା ବ୍ୟର୍ଥ ଯାଇଛି ବୋଲି ପଣ୍ତିତ ଜଣକ ତାଚ୍ଛଲ୍ୟ କରି କହୁଥିବା ବେଳେ ମଝି ନଈରେ ପହଞ୍ଚିଥିବା ନଉକାଟିରେ ଏକ ଛିଦ୍ର ଦେଇ ପାଣି ପ୍ରବେଶ କରୁଥିବାର ଦେଖି ଅଗତ୍ୟା ନାଉରି ଜଣକ ଶାସ୍ତ୍ରଜ୍ଞଙ୍କୁ ପଚାରି ଯେତେବେଳେ ଜାଣନ୍ତି ଯେ ସେ ସନ୍ତରଣ ଜ୍ଞାନ ବିବର୍ଜିତ; ସେତିକି ବେଳେ ପଣ୍ତିତଙ୍କ ଜୀବନର ଷୋହଳ ଅଣା(ପୂରା ଜୀବନ) ବ୍ୟର୍ଥ ଯାଇଛି ବୋଲି ସୂଚାଇ ଦେଇ ସେ ନଈକୁ ଲମ୍ଫ ପ୍ରଦାନ କରନ୍ତି। ଏହି ଗଳ୍ପଟିରେ ରହିଥିବା ବ୍ୟଙ୍ଗକୁ ଅତିକ୍ରମ କରି ନିରେଖି ଦେଖିଲେ ଯେଉଁ ବିବିଧ ପ୍ରସ୍ଥୀୟ ଅର୍ଥ ଦେଖିହୁଏ, ତହିଁର ପ୍ରଥମଟି ଅତି ସଳଖ ଯାହା କହିଥାଏ ଯେ ଶାସ୍ତ୍ରରୁ ଆହରଣ କରାଯାଇଥିବା ଜ୍ଞାନ ଅନେକ ସମୟରେ ନିରର୍ଥକ ସାବ୍ୟସ୍ତ ହୁଏ, ଯେତିକି ବେଳେ ଜୀବନ ବିଦ୍ୟାଳୟରୁ ଆହରଣ କରାଯାଇଥିବା ଜ୍ଞାନ ମୂଲ୍ୟବାନ ହୋଇପଡ଼େ। ଦ୍ବିତୀୟରେ ତହିଁରେ ଏହା ମଧୢ ଦିଶିଥାଏ ଯେ ଶାସ୍ତ୍ର-ଜ୍ଞାନଧାରୀଙ୍କ ଅହମିକା ସେମାନଙ୍କ ମନରେ ଏକ ଶ୍ରେଷ୍ଠତ୍ବ ବୋଧ ଜାତ କରୁଥିବାରୁ ସେମାନଙ୍କ ଚକ୍ଷୁରେ ସାଧାରଣ ବର୍ଗର ଲୋକେ ଅକାରଣେ ନ୍ୟୂନ ପ୍ରତୀୟମାନ ହୁଅନ୍ତି। ତେବେ, ଯଦି ସେ ଦିନ ଡଙ୍ଗାରେ ଛିଦ୍ରଟିଏ ହୋଇ ନ ଥାଆନ୍ତା, ତେବେ ହୁଏ’ତ ପଣ୍ତିତପ୍ରବର ନିଜ ଅହମିକା ଏବ˚ ନାଉରି ଜଣକ ଏକ ହୀନମନ୍ୟତାକୁ ଧାରଣ କରି (ନିଜ ପହଁରା ଦକ୍ଷତାର ଗୁରୁତ୍ବ ଉପଲବ୍‌ଧି କରିବାର ସୁଯୋଗ ନ ପାଇ) ନିଜ ନିଜ ବାଟରେ ନିଷ୍କ୍ରାନ୍ତ ହୋଇଥାଆନ୍ତେ। ଅଥବା ଯଦି ପଣ୍ତିତପ୍ରବର ସନ୍ତରଣପଟୁ ହୋଇଥାଆନ୍ତେ ଏବ˚ ନାଉରି ଜଣକ ହୋଇ ଥାଆନ୍ତେ ପାଠ ପଢୁଆ; ତେବେ ହୁଏ’ତ ଏକ ଆଦର୍ଶ-ସ୍ଥାନୀୟ ପରିସ୍ଥିତି ସୃଷ୍ଟି ହୁଅନ୍ତା ଏବ˚ ନଉକା ଯାତ୍ରାଟି ସେଭଳି ହୁଅନ୍ତା ନାହିଁ, ଯେଭଳି ହେଲା। ସେଭଳି ସ୍ଥଳେ ଉଭୟେ ହୁଏ’ତ ପରସ୍ପର ପ୍ରତି ସମ୍ମାନ ଜ୍ଞାପନ କରି ପରସ୍ପର ଠାରୁ ବିଦାୟ ନେଇଥାଆନ୍ତେ। ଏହି ପରିପ୍ରେକ୍ଷୀରେ ଗଲା ବୁଧବାର ଦିନ ଘୋଷିତ ଜାତୀୟ ଶିକ୍ଷା ନୀତି-୨୦୨୦ ଉପରେ ଏକ ବିହଙ୍ଗାବଲୋକନ କରାଗଲେ ଉପରୋକ୍ତ ଲୋକକଥାଟି ସ୍ମରଣକୁ ଆସେ ଏବ˚ ମନେ ହୋଇଥାଏ ଯେ ପଣ୍ତିତ ଏବ˚ ନାଉରିଙ୍କ ଭିତରେ ସେତୁ ବାନ୍ଧି ଏକ ଆଦର୍ଶ-ସ୍ଥାନୀୟ ପରିସ୍ଥିତି ସୃଷ୍ଟି କରିବା ଦିଗରେ ଏହା ଏକ ସ୍ବାଗତଯୋଗ୍ୟ ଉଦ୍ୟମ।

ଉଲ୍ଲେଖଯୋଗ୍ୟ ଯେ ଏହି ନୂତନ ଶିକ୍ଷାନୀତିର ଆବିର୍ଭାବ ଘଟିଛି ୩୪ ବର୍ଷ ପରେ ଏବ˚ ଏଥିରେ ପୂର୍ବବର୍ତ୍ତୀ ଶିକ୍ଷାନୀତିରେ ବିଶେଷ ଢାଞ୍ଚାମୂଳକ ପରିବର୍ତ୍ତନ ଅଣାଯିବାର ଉଦ୍ୟମ ହୋଇଛି। ଏହି ସ˚ଦର୍ଭରେ ଏ ଯାବତ୍‌ ଆମ ଦେଶରେ ପ୍ରଚଳିତ ରହି ଆସିଥିବା ଶିକ୍ଷା ବ୍ୟବସ୍ଥାରେ ନିହିତ ଏକ ବିଡ଼ମ୍ବନାକୁ ଲକ୍ଷ୍ୟ କରାଯାଉ। ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ପରିବେଶରେ ଜଣେ ୧୮ ବର୍ଷ ବୟସ୍କ ଛାତ୍ର ବା ଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିବାକୁ (ସ୍ଥିତି ଏଭଳି ଯେ ୯୦% ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ମଧୢ ନିଜକୁ ଅପଦାର୍ଥ ବୋଲି ମଣିଲେଣି) ବା ଦେଶର କୌଣସି ପ୍ରସିଦ୍ଧ ଆଇ.ଆଇ.ଟି.ରେ ଏକ ନିର୍ବାଚିତ ‘ଷ୍ଟ୍ରିମ୍‌’ରେ ଇ˚ଜିନିଅରି˚ ପାଠ ପଢ଼ିବାକୁ ପ୍ରାୟ ପାଞ୍ଚ ବର୍ଷର ଗଳଦ୍‌ଘର୍ମ ବିନିଦ୍ର ରଜନୀ ପରିଶ୍ରମ ଅନ୍ତେ ସାଫଲ୍ୟ ଲାଭ କରି ପରିବାରର ଚକ୍ଷୁ ପିତୁଳା ପାଲଟି ଯାଆନ୍ତି ସିନା; କିନ୍ତୁ ପାଠ ଶେଷରେ ସେମାନେ ନିଜର ଇ˚ଜିନିଅରି ବିଦ୍ୟା ସହିତ ଆଦୌ କୌଣସି ସ˚ପର୍କ ନ ଥିବା ଏକ ଚାକିରିରେ (ଯଦିଓ ବେଶ୍‌ ମୋଟା ଦରମାରେ) ଯୋଗ ଦେଇ କୌଣସି ଏକ ବ୍ରାଣ୍ତ୍‌ର କଫି ବା ଵାସି˚ ପାଉଡର ବିକ୍ରି କରିବା ପ୍ରକରଣର ଅ˚ଶ ପାଲଟି ଯାଇ ପାରନ୍ତି। ହିନ୍ଦୀ ଭାଷାରେ ପ୍ରଚଳିତ ରୁଢ଼ି ‘ପଢ଼େ ଫାର୍ସୀ, ବେଚେ ତେଲ’ (ପାର୍ସୀ ଭାଷାରେ ଶିକ୍ଷିତ ହୋଇ ତେଲ ବିକିବା)ରେ ନିହିତ ରହିଥିବା ବିରୋଧାଭାସ ସମ୍ବଳିତ ଆକ୍ଷେପଟିକୁ ସେମାନେ ହୁଏତ ସେତିକି ବେଳେ ହିଁ ମର୍ମେମର୍ମେ ହୃଦୟଙ୍ଗମ କରିପାରନ୍ତି ବା ପରୀକ୍ଷାରେ ଅତ୍ୟୁଚ୍ଚ ନମ୍ବର ରଖି ନିଜକୁ ଅନ୍ୟମାନଙ୍କ ତୁଳନାରେ ଉଚ୍ଚତର (ଉପରେ ବର୍ଣ୍ଣିତ ଗଳ୍ପରେ ପଣ୍ତିତପ୍ରବରଙ୍କ ଭଳି) ବୋଲି ପୋଷଣ କରିଥିବା ଧାରଣାର ଅର୍ଥହୀନତା ବାବଦରେ ମଧୢ ସଚେତନ ହୋଇପାରନ୍ତି। ସେହି ପରିପ୍ରେକ୍ଷୀରେ ନୂତନ ଶିକ୍ଷା ନୀତିରେ ପରୀକ୍ଷା-ଲବ୍‌ଧ ‘ମାର୍କ‌୍‌’ ଭିତ୍ତିକ ପ୍ରତିଭା ଆକଳନ ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଏକ ସାମଗ୍ରିକ ମୂଲ୍ୟାୟନର ବ୍ୟବସ୍ଥା କରାଯାଇଛି। ସେହି ଭଳି କଲେଜ ସ୍ତରୀୟ ପାଠ୍ୟକ୍ରମରେ ବିଜ୍ଞାନ ଓ କଳା (ହ୍ୟୁମାନିଟିଜ) ବିଭାଗକୁ ଏକତ୍ର କରିବାର ଉଦ୍ୟମ ମଧୢ ବିଶେଷ ପ୍ରଣିଧାନଯୋଗ୍ୟ। ଏହାଦ୍ବାରା ଜଣେ ଛାତ୍ର ବା ଛାତ୍ରୀ ଇଚ୍ଛା କଲେ ନିଜ ଆଗ୍ରହ ମୁତାବକ ବିଜ୍ଞାନ ସହିତ କଳା ବିଷୟକୁ ନେଇ ଶିକ୍ଷା ଗ୍ରହଣ କରିପାରିବେ; ଉଦାହରଣ ସ୍ବରୂପ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ସହିତ ଇତିହାସ ବା ଦର୍ଶନ ବା ରାଜନୀତି ବିଜ୍ଞାନ। ଏହାଦ୍ବାରା ଜ୍ଞାନର ‘ସ୍ପେକ୍ଟ୍ରମ୍‌’ ତ ପ୍ରଶସ୍ତ ହେବ; ତା’ ଛଡ଼ା ଆଉ ଯାହା ଘଟିବ, ତାହା ହେଲା ଏକ ବିଭାଜନକାରୀ ଧାରଣାର ଅନ୍ତ ହେବ ଯେ ‘ବିଜ୍ଞାନ’ ପଢୁଥିବା ଛାତ୍ର ବା ଛାତ୍ରୀ ହିଁ ମେଧାବୀ ବା ‘କଳା’ ବିଷୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ବା ଛାତ୍ରୀ ସେମାନଙ୍କ ସମସ୍ତ ମେଧା ଓ ବିଚକ୍ଷଣତା ସତ୍ତ୍ବେ ନ୍ୟୂନ।

ସେହିଭଳି ଷଷ୍ଠ ଶ୍ରେଣୀରୁ ପୁସ୍ତକ ଶିକ୍ଷା ସହିତ ଧନ୍ଦାମୂଳକ ଶିକ୍ଷା ବା ଦକ୍ଷତା ବିକାଶ ମୂଳକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଏହି ଶିକ୍ଷା ନୀତିର ଆଉ ଏକ ବଡ଼ ସ˚ସ୍କାର। ସ˚ପ୍ରତି ଯାହା ପରିଲକ୍ଷିତ ହୋଇଥାଏ, ତାହା ହେଲା କଲେଜ ପଢୁଆ ଅସ˚ଖ୍ୟ ଯୁବକଯୁବତୀ ଏକ ‘ଲେଖା ପଢ଼ା’ର ଚାକିରି ବ୍ୟତିରେକ ଅନ୍ୟ ଯେ କୌଣସି ବୃତ୍ତିକୁ ହୀନ ଦୃଷ୍ଟିରେ ଦେଖିଥାଆନ୍ତି। ସେହିଭଳି କୌଣସି ବିଶେଷ ବୃତ୍ତିଭିତ୍ତିକ ଦକ୍ଷତା ହାସଲ ଲାଗି ଉଦ୍ଦିଷ୍ଟ ଶିକ୍ଷା ବା ତାଲିମକୁ ସାଧାରଣତଃ ବିଦ୍ୟା ଆୟତ୍ତ କରିବାକୁ ଅସମର୍ଥ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ର ବୋଲି ବିବେଚନା କରାଯାଇଥାଏ। ସୁତରା˚, ଏଭଳି ଏକ ନିରର୍ଥକ ଅବଧାରଣା ଦୂର କରି ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ସନ୍ତରଣକ୍ଷମ ପଣ୍ତିତ ଅଥବା ପାଠ ପଢୁଆ ନାଉରିଆରେ ପରିଣତ କରିବାର ପ୍ରୟାସ ଏହି ନୂତନ ଶିକ୍ଷାନୀତିରେ ଲକ୍ଷ୍ୟ କରାଯାଇପାରେ।

ସେହି ଭଳି ଅଧାରୁ ପାଠ ଛାଡୁଥିବା ଛାତ୍ର-ଛାତ୍ରୀ ଆଜୀବନ ‘ଡ୍ରପ୍‌ ଆଉଟ୍‌’ ହୋଇ ରହିଯିବାର ବାଧୢବାଧକତାରୁ ମୁକ୍ତ ହେବା ବା ଛଅ ବର୍ଷ ବୟସରେ ନ ପହଞ୍ଚିବା ପର୍ଯ୍ୟନ୍ତ ସାର୍ବଜନୀନ ଶିକ୍ଷା ଅଧିକାରର ସୁଯୋଗ ଲାଭ କରି ନ ପାରିବା ଭଳି କେତେକ ସମସ୍ୟାର ସମାଧାନ ଏହି ନୂତନ ଶିକ୍ଷା ନୀତିରେ ରହିଛି। ଜଣେ ‘ଡ୍ରପ୍‌ ଆଉଟ୍‌’ ଯେତେବେଳେ ଚାହିଁବେ, ତାଙ୍କର ଅଧା ପାଠ ସମାପ୍ତ କରି ଡିଗ୍ରି ହାସଲ କରିପାରିବେ ଏବ˚ ଏଣିକି ତିନି ବର୍ଷ ବୟସରୁ ଶିଶୁମାନେ ସାର୍ବଜନୀନ ଶିକ୍ଷା ଅଧିକାରର ପରିସରଭୁକ୍ତ ହୋଇ ଅଠର ବର୍ଷ ବୟସ ଯାଏ ତାହାର ଲାଭ ଉଠାଇ ପାରିବେ। ସେହି ଭଳି ଆଉ ଏକ ଗୁରୁତ୍ବପୂର୍ଣ୍ଣ ମୌଳିକ ସ˚ସ୍କାର ହେଲା ‘ଅଣ୍ଡର ଗ୍ରାଜୁଏଟ୍‌’ ସ୍ତରରେ ଚାରି ବର୍ଷର ପାଠ୍ୟକ୍ରମ ପରେ ଜଣେ ଇଚ୍ଛା କଲେ ସିଧାସଳଖ ଗବେଷଣା କ୍ଷେତ୍ରରେ ପ୍ରବେଶ କରି ପାରିବାର ସାମର୍ଥ୍ୟ ଓ ସ୍ବାଧୀନତା। ଏହା ଫଳରେ ସ୍ନାତକୋତ୍ତର ଏବ˚ ଏମ୍‌ଫିଲ ସମାପ୍ତ କରିବା ଭଳି ଚାରି ବର୍ଷର ସମୟ ବ୍ୟୟ ଆଉ ଆବଶ୍ୟକ ହେବ ନାହିଁ। ଏହି ଭଳି ଅନେକ ମୌଳିକ ସଂସ୍କାର ନୂତନ ଶିକ୍ଷାନୀତିରେ ରହିଛି।

ତେବେ କହିବା ବାହୁଲ୍ୟ ଯେ ଏଭଳି ଏକ ବଡ଼ ଧରଣର ଢାଞ୍ଚାଗତ ପରିବର୍ତ୍ତନକୁ ସାକାର କରାଯିବା ବେଳେ ଅନେକ ଜଟିଳତା ସୃଷ୍ଟି ହୋଇପାରେ ଏବ˚ ତାର ପ୍ରୟୋଗ ପରେ ହିଁ ତହିଁରେ ଥିବା ‘ଫଲ୍‌ଟ ଲାଇନ୍‌’ ପ୍ରାଞ୍ଜଳ ହୋଇପାରେ। କିନ୍ତୁ ଏହା ସ୍ବୀକାର କରିବାକୁ ହେବ ଯେ ଶିକ୍ଷା ବ୍ୟବସ୍ଥାରେ ଏଭଳି ଏକ ସ˚ସ୍କାର ବହୁ ପ୍ରତୀକ୍ଷିତ ଥିଲା। କହିବା ନିଷ୍ପ୍ରୟୋଜନ ଯେ ଜଣେ ସନ୍ତରଣକ୍ଷମ ପଣ୍ତିତ ବା ଜଣେ ଜ୍ଞାନୀ ନାଉରି ହିଁ ଆମ ମାନବ ସମ୍ବଳକୁ ଋଦ୍ଧିମନ୍ତ କରିପାରିବେ, ଯାହା ଯେ କୌଣସି ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେବା ଉଚିତ।

ସମ୍ବନ୍ଧିତ ଖବର