ପକ୍ୱ କେଶାଙ୍କ ପୃଥିବୀ!

ପ୍ରଖ୍ୟାତ ୟିଦ୍ଦିସ ଗାଳ୍ପିକ ଆଇଜାକ ବାସେଭିସ ସିଙ୍ଗର ଥରେ କହିଥିଲେ ଯେ ଏ ପୃଥିବୀ ତରୁଣମାନଙ୍କର। ଏହି ବାକ୍ୟ ଦ୍ବାରା ସେ ଯାହା ସୂଚାଇ ଦେବାକୁ ଚାହିଁଥିଲେ, ତାହା ହେଲା ତରୁଣମାନେ ଶକ୍ତି, ସାମର୍ଥ୍ୟ ଓ ପ୍ରେରଣାର କେନ୍ଦ୍ର ହୋଇଥିବାରୁ ସର୍ବଦା ପୃଥିବୀ ସେମାନଙ୍କ ଦ୍ବାରା ଏବ˚ ସେମାନଙ୍କ ଲାଗି ପରିଚାଳିତ ହେବ। ଯେଉଁମାନେ ତାରୁଣ୍ୟ ଅତିକ୍ରମ କରି ବୟସର ସାୟାହ୍ନରେ ପ୍ରବେଶ କରୁଥିବେ, ସେମାନେ କ୍ରମେ ପୃଥିବୀର କେନ୍ଦ୍ରରୁ ଅପସରି ଯାଇ ସୀମା ପାର୍ଶ୍ବବର୍ତ୍ତୀ ହେବାରେ ଲାଗିଥିବେ। ଯେଉଁ ସମୟରେ ସିଙ୍ଗର ଏହି କଥାଟି କହିଥିଲେ ତାହା ଥିଲା ୧୯୫୦ ଓ ୧୯୬୦ ମସିହା ମଧ୍ୟବର୍ତ୍ତୀ କାଳ। ଅବଶ୍ୟ ସେହି ସମୟରେ ପୃଥିବୀ ଜନସ˚ଖ୍ୟାର ୫୫ ପ୍ରତିଶତ ଥିଲେ ତରୁଣ ଏବ˚ ସେମାନଙ୍କ ହାରାହାରି ବୟସ ଥିଲା ୨୫ ବର୍ଷ ତଳେ। କିନ୍ତୁ ଏହାର ପ୍ରାୟ ଛଅ ଦଶନ୍ଧି ପରେ ଅର୍ଥାତ୍‌ ୨୦୧୫ ବେଳକୁ ତରୁଣମାନଙ୍କ ଭାଗ ପୃଥିବୀର ଜନସ˚ଖ୍ୟାର ୨୫ ପ୍ରତିଶତରୁ ଆହୁରି ତଳକୁ ଖସି ଯାଇଥିଲା ଏବ˚ ପକ୍ବକେଶା ପ୍ରବୀଣମାନଙ୍କ ସ˚ଖ୍ୟା ଯାହା ୧୯୫୦-୬୦ ବେଳକୁ ପୃଥିବୀର ଜନସ˚ଖ୍ୟାର ୫ ପ୍ରତିଶତ ଥିଲା, ୨୦୧୫ ବେଳକୁ ପାଞ୍ଚ ଗୁଣ ବୃଦ୍ଧି ପାଇ ପହଞ୍ଚିଥିଲା ୨୬ ପ୍ରତିଶତରେ। ଏହା ପଛରେ ଯେଉଁ ପ୍ରମୁଖ କାରଣଟି ରହିଥିଲା, ତାହା ହେଉଛି ଚିକିତ୍ସା ବିଜ୍ଞାନର ଅଭୂତପୂର୍ବ ବିକାଶ କାରଣରୁ ମନୁଷ୍ୟର ହାରାହାରି ଆୟୁଷରେ ବୃଦ୍ଧି ଏବ˚ ସେହି ସୂତ୍ରରେ ସ୍ବାଭାବିକ ଭାବେ ପ୍ରବୀଣମାନଙ୍କ ସ˚ଖ୍ୟାଧିକ୍ୟ। କିନ୍ତୁ କହିବା ବାହୁଲ୍ୟ ଯେ ପୃଥିବୀରେ ତରୁଣଙ୍କ ସ˚ଖ୍ୟାଗତ ଅବନତି ଘଟି ଚାଲିଥିଲେ ସୁଦ୍ଧା ପୃଥିବୀ ଅଦ୍ୟାପି ସେହି ତରୁଣମାନଙ୍କର ହୋଇ ରହି ଆସିଛି। ତେବେ, ପ୍ରଶ୍ନ ଉଠିପାରେ ଯେ ଏଠାରେ ଏଭଳି ଏକ ପ୍ରସଙ୍ଗ ଉତ୍‌ଥାପନ କରାଯିବାର କାରଣ କ’ଣ? କାରଣଟି ହେଉଛି ବିଶ୍ବ ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ଭିତ୍ତିକ ପତ୍ରିକା ‘ଲାନ୍‌ସେଟ୍‌’ରେ ସଦ୍ୟ ପ୍ରକାଶିତ ଏକ ଅନୁଶୀଳନମୂଳକ ନିବନ୍ଧ ଯହିଁରେ ୨୧୦୦ ମସିହାରେ ପୃଥିବୀର ଆନୁମାନିକ ଜନସ˚ଖ୍ୟା ଏବ˚ ତହିଁରେ ତରୁଣ ଓ ପ୍ରବୀଣମାନଙ୍କ ସ˚ଖ୍ୟା ଅନୁପାତ ଏବ˚ ପୃଥିବୀ ଉପରେ ତାର ସମ୍ଭାବ୍ୟ ପ୍ରଭାବ ସ˚ପର୍କରେ ଏକ ବିଶଦ ଆଲୋଚନା ହୋଇଛି; ଯାହା ଏକ ସଂକ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। ଏହି ଅନୁଶୀଳନରେ ଜନସ˚ଖ୍ୟାର ଅଭିବୃଦ୍ଧିର ଧାରାକୁ ନେଇ ଯେଉଁ ଗ୍ରାଫ୍‌ର ପରିକଳ୍ପନା କରାଯାଇଛି, ତାହା ହୁଏ’ତ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକାମାନଙ୍କ ଲାଗି ବିସ୍ମୟର କାରଣ ମଧୢ ହୋଇପାରେ।

‘ଲାନ୍‌ସେଟ୍‌’ରେ ପ୍ରକାଶିତ ଏହି ନିବନ୍ଧରେ ୧୯୫ଟି ରାଷ୍ଟ୍ରର ‘ଡାଟା ବେସ୍‌’ ବା ସୂଚନା ଭଣ୍ତାରର ବିଶ୍ଳେଷଣ କରାଯାଇଛି, ଯହିଁରୁ ଏକ ପୂର୍ବାନୁମାନ ସମ୍ବଳିତ ନିଷ୍କର୍ଷ ମିଳିଥାଏ ଯେ ପୃଥିବୀର ଜନସ˚ଖ୍ୟା ଅଭିବୃଦ୍ଧି ପଥରେ ଶୃଙ୍ଗାରୋହଣ କରି ୨୦୬୪ ମସିହାରେ ଶିଖର ସ୍ପର୍ଶ କରିବ, ଯେଉଁ ସମୟରେ ପୃଥିବୀର ଜନସ˚ଖ୍ୟା ପହଞ୍ଚିବ ୯୭୩ କୋଟିରେ। କିନ୍ତୁ ତା’ ପର ଠାରୁ ଜନସ˚ଖ୍ୟା ହାରରେ ଅବନତି ଘଟି ୨୧୦୦ ବେଳକୁ ତାହା ପହଞ୍ଚିଯିବ ୮୭୯ କୋଟିରେ। ସେହି ନିବନ୍ଧ ପୃଥିବୀର ଦ୍ବିତୀୟ ସର୍ବାଧିକ ଜନବହୁଳ ଦେଶ ଭାରତ ଲାଗି ପୂର୍ବାନୁମାନ କରି କହିଛି ଯେ ଏଠାରେ ଜନସ˚ଖ୍ୟା ୨୦୪୮ ମସିହା ବେଳକୁ ଅର୍ଥାତ୍‌ ଭାରତ ସ୍ବାଧୀନତା ଲାଭ କରିବାର ଠିକ୍‌ ଶହେ ବର୍ଷ ପରେ ଶୀର୍ଷତମ ବିନ୍ଦୁ ଛୁଇଁ ୧୬୦ କୋଟିରେ ପହଞ୍ଚିବ ଏବ˚ ତା’ ପରେ ତାହା ତଳକୁ ଅବରୋହଣ କରି ୨୧୦୦ ବେଳକୁ ୧୦୯ କୋଟିରେ ପରିଣତ ହେବ, ଅର୍ଥାତ୍‌ ୨୦୪୮ରୁ ୨୧୦୦ ମଧୢରେ ଭାରତୀୟ ଜନସ˚ଖ୍ୟାରେ ୩୨ ପ୍ରତିଶତ ହ୍ରାସ ଘଟିଥିବ। ୨୦୧୭ରେ ପ୍ରାୟ ୧୩୬ କୋଟି ଜନସ˚ଖ୍ୟା ଧାରଣ କରିଥିବା ଆମ ଦେଶ ଏକବି˚ଶ ଶତାବ୍ଦୀର ପ୍ରଥମ ଶତାବ୍ଦୀର ଶେଷ ବେଳକୁ ହ୍ରାସ ପାଇଥିବା କଥାଟି ଜନସ˚ଖ୍ୟା ବିସ୍ଫୋରଣକୁ ନେଇ ରହି ଆସିଥିବା ଧାରଣା ଓ ଆକଳନର ବିପରୀତ ନୁହେଁ କି? କିନ୍ତୁ କେବଳ ଭାରତ ନୁହେଁ, ୨୧୦୦ ବେଳକୁ ବର୍ତ୍ତମାନ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର ଜନସ˚ଖ୍ୟା ୭୦ କୋଟିରେ ପହଞ୍ଚିଥିବ। ୨୧୦୦ ବେଳକୁ ଭାରତ ହୋଇଯାଇଥିବ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ଏବ˚ ଚୀନ ତୃତୀୟ ସ୍ଥାନରେ ରହିଥିବ। ସେହି ସମୟରେ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିବ ନାଇଜେରିଆ ଏବ˚ ଚତୁର୍ଥ ସ୍ଥାନରେ ରହିଥିବ ଯୁକ୍ତରାଷ୍ଟ୍ର ଆମେରିକା। କେବଳ ସେତିକି ନୁହେଁ, ଏମିତି ବି ହୋଇଥିବ ଯେ ଜାପାନ, ଥାଇଲାଣ୍ତ, ଇଟାଲି ଓ ସ୍ପେନ ଭଳି ଚାରିଟି ଦେଶର ଜନସ˚ଖ୍ୟା ବର୍ତ୍ତମାନର ଜନସ˚ଖ୍ୟାର ପ୍ରାୟ ଅଧାଅଧି ହୋଇଯାଇଥିବ।

କହିବା ବାହୁଲ୍ୟ ଯେ ଭାରତର କ୍ରମବର୍ଦ୍ଧିଷ୍ଣୁ ଜନସ˚ଖ୍ୟା ସରକାରଙ୍କ ଠାରୁ ଆରମ୍ଭ କରି ସଚେତନ ନାଗରିକମାନଙ୍କ ପର୍ଯ୍ୟନ୍ତରେ ଏକ ଘୋର ଉଦ୍‌ବେଗର କାରଣ ହୋଇ ରହିଛି। ସ୍ମରଣଯୋଗ୍ୟ ଯେ ଗତ ସ୍ବାଧୀନତା ଦିବସରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଅଭିଭାଷଣରେ ଶୁଣିବାକୁ ମିଳିଥିଲା ଯେ ସନ୍ତାନ ସ˚ଖ୍ୟାକୁ ସୀମିତ ରଖିପାରିଥିବା ଭାରତୀୟ ହିଁ ପ୍ରକୃତ ଦେଶପ୍ରେମୀ। ଏଭଳି ସ୍ଥିତିରେ ଆଗାମୀ ଶତାବ୍ଦୀର ଅନ୍ତ ବେଳକୁ ଭାରତର ଜନସ˚ଖ୍ୟାକୁ ନେଇ କରାଯାଇଥିବା ଉପରୋକ୍ତ ପୂର୍ବାନୁମାନ ଆଶ୍ବାସନାମୂଳକ। ତେବେ ଜନସ˚ଖ୍ୟା ବୃଦ୍ଧି ହାରରେ ବିରାମ ଲାଗିବା ପଛରେ ଯେଉଁ କାରଣଟି ଦାୟୀ ରହିବ, ତାହା ହେଲା ମହିଳାମାନଙ୍କ ଠାରେ ଅଧିକ ସ˚ଖ୍ୟକ ସନ୍ତାନ ଧାରଣ କରିବା ନେଇ ଅନାଗ୍ରହ। ଶିକ୍ଷା, ସଚେତନତା, ସ୍ବାବଲମ୍ବୀ ହୋଇଥିବା କାରଣରୁ ନିଜ ଲାଗି ନିଷ୍ପତ୍ତି ନେବାର କର୍ତ୍ତୃତ୍ବ ତଥା ସେମାନେ ପରିଗ୍ରହଣ କରିଥିବା ବିଭିନ୍ନ ବୃତ୍ତି ଜନିତ ବାଧୢବାଧକତା ସେମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାରୁ କ୍ଷାନ୍ତ କରିବ ଏବ˚ ଗର୍ଭ ନିରୋଧକ ପ୍ରଣାଳିର ସହଜ ଲଭ୍ୟତା ଏ କ୍ଷେତ୍ରରେ ସାହାଯ୍ୟ କରିବ। ଉଲ୍ଲେଖଯୋଗ୍ୟ ଯେ ୧୯୫୦ ବେଳକୁ ଭାରତର ଜନସ˚ଖ୍ୟା ଥିଲା ପ୍ରାୟ ୩୬ କୋଟି। କିନ୍ତୁ ସେତିକି ବେଳେ ଜଣେ ଭାରତୀୟ ନାରୀଙ୍କ ଟି.ଏଫ୍‌.ଆର‌୍‌ (ଟୋଟାଲ ଫର୍ଟିଲିଟି ରେଟ୍‌) ବା ସନ୍ତାନ ଧାରଣ ହାର ଥିଲା ୫.୬ ଅର୍ଥାତ୍‌ ପ୍ରତି ମହିଳା ହାରାହାରି ୫.୬ଟି ସନ୍ତାନର ଜନନୀ ହେଉଥିଲେ। ସ˚ପ୍ରତି ଭାରତୀୟ ମହିଳାମାନଙ୍କ ‘ଟି.ଏଫ୍‌.ଆର‌୍‌.’ ହେଉଛି ୨.୧୪ ଯାହା ୨୧୦୦ ବେଳକୁ ହ୍ରାସ ପାଇ ପହଞ୍ଚିଥିବ ୧.୨୯ରେ।

ଯଦିଓ ଏହି ପୂର୍ବାନୁମାନ ଆଧାରିତ ନିଷ୍କର୍ଷରୁ ଏକ ସାନ୍ତ୍ବନା ମିଳିଥାଏ ଯେ ଭାରତର ବା ସେହି କ୍ରମରେ ପୃଥିବୀର ଜନସ˚ଖ୍ୟା ସେଭଳି ଭୟାବହ ବା ଅଣାୟତ୍ତ ଭାବେ ସ୍ଫୀତ ନ ହୋଇ ବର˚ କ୍ରମାଗତ ଭାବେ କୃଶ ହେବାକୁ ଲାଗିବ ଏବ˚ ପ୍ରାକୃତିକ ସ˚ସାଧନ ଠାରୁ ଆରମ୍ଭ କରି ମନୁଷ୍ୟକୃତ କୃତ୍ରିମ ସ˚ପଦ ଉପରୁ ଜନସ˚ଖ୍ୟା ବୃଦ୍ଧି ଜନିତ ଚାପ ହ୍ରାସ ପାଇବ, ତେବେ ଯାହା ଚିନ୍ତାଜନକ ତାହା ହେଲା ତରୁଣଙ୍କ ସ˚ଖ୍ୟାରେ କ୍ଷୟ ପରିଲକ୍ଷିତ ହେଉଥିବା ବେଳେ ପକ୍ବକେଶାମାନଙ୍କ ସ˚ଖ୍ୟା ବୃଦ୍ଧି ପାଉଥିବ। ଆକଳନ ଅନୁସାରେ ୨୦୫୦ ମସିହା ସୁଦ୍ଧା ପୃଥିବୀରେ ଷାଠିଏ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କ ଅନୁପାତ ପୃଥିବୀର ଜନସ˚ଖ୍ୟାର ୨୨ ପ୍ରତିଶତ ହୋଇଯାଇଥିବ ଏବ˚ ୨୧୦୦ ମସିହା ବେଳକୁ ଏହି ବୟସର ନାଗରିକଙ୍କ ସ˚ଖ୍ୟା ପହଞ୍ଚିଥିବ ୨୩୭ କୋଟିରେ ଯେତେବେ‌େଳ କି ତରୁଣଙ୍କ ସ˚ଖ୍ୟା ଥିବ ୧୭୦ କୋଟି। ସୁତରା˚, ସ˚ଖ୍ୟାଲଘୁ ତରୁଣଙ୍କ ଉପରେ ଏକ ବିଶାଳ ସ˚ଖ୍ୟକ ପ୍ରବୀଣଙ୍କ ଯତ୍ନ ଓ ତତ୍ତ୍ବ ନେବାର ଚାପ ବୃଦ୍ଧି ପାଇବ। ଏହା ମଧୢ ହୋଇପାରେ ଯେ ଜନସ˚ଖ୍ୟାରେ ପକ୍ବକେଶାମାନଙ୍କ ଭାଗ ବୃଦ୍ଧି ସମାଜର ଧାରଣକ୍ଷମତାକୁ ଆକ୍ରାନ୍ତ କରିପାରେ। କିନ୍ତୁ, ଏହା କହିବା ନିଷ୍ପ୍ରୟୋଜନ ଯେ ପକ୍ବକେଶାଙ୍କ ସ˚ଖ୍ୟାଧିକ୍ୟ ସତ୍ତ୍ବେ ପୃଥିବୀ ସର୍ବଦା ତରୁଣମାନଙ୍କର ହୋଇ ରହିିବ; ଯଦି ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନର ପ୍ରସାଦରୁ ପକ୍ବକେଶାମାନେ ପରମାୟୁୁ ବୃଦ୍ଧି ସହିତ ଶକ୍ତି ଓ ସାମର୍ଥ୍ୟରେ ବୃଦ୍ଧି ହାସଲ କରିବେ, ତେବେ ହୁଏ’ତ ତରୁଣଙ୍କ ପୃଥିବୀରେ ସେମାନଙ୍କ ଯୋଗଦାନର ପଦଚିହ୍ନ ଦେଖିବାକୁ ମିଳିପାରେ।

ସମ୍ବନ୍ଧିତ ଖବର