‘ରାଫେଲ ଏମର୍ଜେନ୍‌ସି’

ଘୋର ଝଡ଼ି ବର୍ଷା ବା ବାତ୍ୟା କାଳରେ ତୁମେ କ’ଣ କର? ବୋଲି ଜଣେ ପରିପକ୍ବ ଚାଷୀଙ୍କୁ ପ୍ରଶ୍ନ କରାଯିବାରେ ତାଙ୍କର ଉତ୍ତର ଥିଲା ଯେ ସେତିକି ବେଳେ ସେ ନିଶ୍ଚିନ୍ତରେ ଶୋଇ ଥାଆନ୍ତି। ସ୍ବାଭାବିକ ଭାବେ ଏଥିରେ ଅବାକ ପ୍ରଶ୍ନକର୍ତ୍ତା ତାଙ୍କୁ ଏହାର କାରଣ ପଚାରନ୍ତେ ଚାଷୀ ଜଣକ ବୁଝାଇ ଦେଇଥିଲେ ଯେ ଝଡ଼ି ବର୍ଷା ବା ବାତ୍ୟା ଭଳି ବିପତ୍ତି ଆସି ଦୁଆର ମୁହଁରେ ଆବିର୍ଭୂତ ହେବା ପୂର୍ବରୁ ହିଁ ସେ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେଇ ସାରିଥାଆନ୍ତି; ଯାହା କରି ନ ଥିବାରୁ ଅନ୍ୟ ଚାଷୀମାନେ ବିପତ୍ତି କାଳରେ ଚିନ୍ତା ଓ ବ୍ୟସ୍ତତାର ବିନିଦ୍ର ରଜନୀ ଅତିବାହିତ କରନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି କ୍ଷୁଦ୍ର ଉପାଖ୍ୟାନଟି ସ୍ମରଣକୁ ଆସିଥାଏ ସେତିକି ବେଳେ, ଯେତେବେଳେ ଫ୍ରାନ୍‌ସରୁ ଉଡ଼ିଆସି ପାଞ୍ଚଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ ଆମ୍ବାଲା ଠାରେ ଭାରତର ଭୂମି ସ୍ପର୍ଶ କଲେ ଏବ˚ ତହିଁରୁ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନଟିଏ ଉଭା ହେଲା ଯେ ରାଷ୍ଟ୍ରର ସୁରକ୍ଷା ସକାଶେ ଅତ୍ୟନ୍ତ ଜରୁରୀ ରାଫେଲ ଯୁଦ୍ଧବିମାନ ଭେଳାର ଏହି କ୍ଷୁଦ୍ର ଅ˚ଶକୁ ପାଇବା ଲାଗି ଆମକୁ ଏକ ଆପତ୍‌କାଳୀନ ପରିସ୍ଥିତିକୁ ଅପେକ୍ଷା କରି ରହିବାକୁ ହେଲା କାହିଁକି? ଏହି ପରିପ୍ରେକ୍ଷୀରେ ଏ ସ˚ପର୍କରେ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି ହୋଇଛି।

ଏହା ସମସ୍ତଙ୍କୁ ଗୋଚର ଯେ ଗଲଵାନ ଉପତ୍ୟକା ଅଞ୍ଚଳରେ ବିପୁଳ ସ˚ଖ୍ୟକ ଭାରତୀୟ ଓ ଚୀନା ସୈନିକ ମୁହାଁମୁହି ହୋଇ ଦୀର୍ଘ କାଳ ଧରି ଦଣ୍ଡାୟମାନ ରହତି ଯେଉଁ ଏକ ସ˚ଘାତମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ, ସେହି ପରିପ୍ରେକ୍ଷୀରେ ଭାରତ ଲାଗି ଏକ ‘ରାଫେଲ ଏମର୍ଜେନ୍‌ସି’ ସୃଷ୍ଟି ହୋଇଥିଲା। ସୁତରା˚, ତୁରନ୍ତ ପାଞ୍ଚଟି ରାଫେଲ ଲଢୁଆ ବିମାନକୁ ଭାରତ ଅଣାଯାଇଛି। କରୋନା ସ˚କ୍ରମଣ କାଳୀନ ଉଦାସ ଭିତରେ ମଧୢ ଏହା ଆମ ଦେଶର ପରିବେଶକୁ ଉତ୍ସବାୟିତ କରି ପକାଇଛି। ତେବେ ଏଥିରେ ନିହିତ ଥିବା ଯେଉଁ ଏକ ଅପ୍ରୀତିକର ବିଡ଼ମ୍ବନା ଲୁଚି ରହି ପାରିନାହିଁ, ତାହା ହେଲା ରାଫେଲ ବିମାନ କ୍ରୟ ପ୍ରକଳ୍ପର ପ୍ରାରମ୍ଭ ଆଜିକୁ ଦୀର୍ଘ ୧୯ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଏବ˚ ଏକ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ହିଁ ଆମକୁ ତରବର ହୋଇ ପ୍ରଥମ ବ୍ୟାଚ୍‌ର ବିମାନ ଆଣିବାକୁ ପଡ଼ିଲା। ଯଦିଓ ଏହି ପ୍ରକରଣର ଅୟମାରମ୍ଭ ହୋଇଥିଲା ୟୁପିଏ ସରକାର ଅମଳରେ, ୨୦୧୪ରେ କ୍ଷମତାସୀନ ହୋଇଥିବା ଏନ୍‌ଡିଏ ସରକାରର ଅବଧିରେ ଏଥିରେ ତ୍ବରଣ ଦେଖିବାକୁ ମିଳିଥିଲା। ୨୦୧୫ ମସିହା, ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍‌ସ ଗସ୍ତ କାଳରେ ରାଫେଲ ବିମାନ କ୍ରୟ ନେଇ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଗ୍ରାଧିକାର ତାଲିକାରେ ଏହା ଶୀର୍ଷରେ ଥିବା ସତ୍ତ୍ବେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ୨୦୧୬ର ଶେଷ ଭାଗକୁ ଅର୍ଥାତ୍‌ ବର୍ଷାଧିକ କାଳ ପରେ। ଏବ˚ ଏହାର ଚାରି ବର୍ଷ ପରେ ଏକ ଆପତ୍‌କାଳୀନ ଆବଶ୍ୟକତା ରୂପେ ୩୬ଟିକିଆ ରାଫେଲ ଭେଳାର ଏକ କ୍ଷୁଦ୍ର ଅ˚ଶ ଭାରତରେ ପହଞ୍ଚିଛି। ତେବେ ଏହା ମଧୢ ସ୍ମରଣରେ ରହିବା ଉଚିତ ଯେ କେବଳ ରାଫେଲ ଯୁଦ୍ଧ ବିମାନ ନୁହେଁ, ସ˚ପ୍ରତି ଅସ˚ଖ୍ୟ ପ୍ରତିରକ୍ଷା ଚୁକ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି, ଯାହା ଫଳରେ ଭାରତୀୟ ସେନାବାହିନୀ ହାତକୁ ଅତ୍ୟାଧୁନିକ ‘ସୋର୍ସି˚ ରାଇଫଲ, ଡ୍ରୋନ୍‌, ସ୍ବତନ୍ତ୍ର ପ୍ରକାରର ଗୁଳିଗୋଳା ଏବ˚ ‘ଆସଲ୍‌ଟ ରାଇଫଲ’ ସମେତ ‘ନାଇଟ୍‌ ଭିଜନ ଗଗଲ୍‌ସ’ ଏବ˚ ‘ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌’ ଇତ୍ୟାଦି ଆସିବ। କହିବା ବାହୁଲ୍ୟ ଯେ ଶୀତଳ ଯୁଦ୍ଧର ସମାପ୍ତି ପରବର୍ତ୍ତୀ ଆନ୍ତର୍ଜାତିକ ରାଜନୈତିକ ପରିସ୍ଥିତିରେ ଦକ୍ଷିଣ ଏସୀୟ ଅଞ୍ଚଳରେ ଉପଦ୍ରବ ଆରମ୍ଭ କରିି ଦେଇଥିବା ଚୀନ ଏବ˚ ତାର ପ୍ରୋତ୍ସାହନରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଗଲା ସାତ ଦଶନ୍ଧି ଧରି ମାତି ଆସିଥିବା ପାକିସ୍ତାନ ଏବ˚ ତହିଁରେ ଏବେ ନୂତନ ଭାବେ ସାମିଲ ହୋଇଥିବା ନେପାଳ ମିଳିତ ହୋଇ ଯେଉଁ ତ୍ରି-ରାଷ୍ଟ୍ରୀୟ ବ୍ୟୂହ ରଚନା କରିବାରେ ଲାଗିଛନ୍ତି, ସେହି ପରିପ୍ରେକ୍ଷୀରେ ଭାରତ ସକାଶେ ତା ନିଜ ପ୍ରତିରକ୍ଷା ବଳକୁ ପୃଥିବୀର ଅନ୍ୟତମ ସର୍ବାଧିକ ସୁସଜ୍ଜିତ ବାହିନୀରେ ପରିଣତ କରିବା ଏକ ପ୍ରାଥମିକ ଆବଶ୍ୟକତାରେ ପରିଣତ ହୋଇଛି। ସୁତରା˚, ଏଭଳି ସ୍ଥଳେ ପୂର୍ବ ପ୍ରସ୍ତୁତି ହିଁ ଯେ ଏକ ମାତ୍ର ଉତ୍ତର, ତହିଁରେ ସନ୍ଦେହନାହିଁ।

ତେବେ, ପ୍ରଶ୍ନ ଉଠିଥାଏ ଯେ ଏ ସବୁ ପ୍ରକରଣ ହତାଶାଜନକ ଭାବେ ଦୀର୍ଘସୂତ୍ରୀ ହେବାର କାରଣ କ’ଣ ହୋଇପାରେ? ଉତ୍ତରରେ ବିନା ଦ୍ବିଧାରେ କୁହାଯାଇପାରେ କି ଏଥି ଲାଗି ଯାହା ପ୍ରମୁଖ ଭାବେ ଦାୟୀ ତାହା ହେଉଛି ଅଯଥା ଅମଲାତାନ୍ତ୍ରିକ ହସ୍ତକ୍ଷେପ, ଯାହା ନିଷ୍ପତ୍ତି ନେବାରେ ଏବ˚ ତାକୁ କାର୍ଯ୍ୟକାରୀ କରିବାରେ ମନ୍ଥରତା ଏବ˚ ଅକାରଣ ଜଟିଳତା ସୃଷ୍ଟି କରୁଛି। ସ˚ପ୍ରତି ୫ଟି ରାଫେଲ ଭାରତରେ ପହଞ୍ଚି ଯାଇଛନ୍ତି ସିନା, ଭାରତୀୟ ବାୟୁସେନା ସକାଶେ ଆବଶ୍ୟକ ଥିବା ଅବଶିଷ୍ଟ ୧୧୪ଟି ଯୁଦ୍ଧ ବିମାନ କେବେ ଆସିବ ସେ ନେଇ କୌଣସି ନିଶ୍ଚିତତା ନାହିଁ। ସେଥି ଲାଗି ଏ ଯାବତ୍‌ କୌଣସି ଟେଣ୍ତର ମଧୢ ଦିଆଯାଇନାହିଁ। ସେହିଭଳି ୮୩ଟି ‘ଏଲସିଏ-ଏମକେ ୧ଏ’ ବିମାନ ନିର୍ମାଣ ଲାଗି ବାୟୁସେନା ପକ୍ଷରୁ ୨୦୧୭ ମସିହା ଡିସେମ୍ବର ମାସରେ ରାଷ୍ଟ୍ରାୟତ୍ତ ସ˚ସ୍ଥା ‘ହିନ୍ଦୁସ୍ଥାନ ଏରୋନେଟିକ୍‌ସ ଲିମିଟେଡ୍‌’ ବା ‘ହାଲ୍‌’କୁ ଏକ ଅନୁରୋଧମୂଳକ ପ୍ରସ୍ତାବ ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାୟୁସେନା ଏବ˚ ‘ହାଲ୍‌’ ମଧୢରେ ଚୁକ୍ତି ସ୍ବାକ୍ଷରିତ ହୋଇପାରିନାହିଁ। ମହାତ୍ତ୍ବାକା˚କ୍ଷୀ ‘୭୫ ଆଇ-କ୍ଲାସ୍‌’ ବୁଡ଼ାଜାହଜ ପ୍ରକଳ୍ପ ବିଷୟରେ ୨୦୦୭ ମସିହାରୁ ଆଲୋଚନା ଓ ଉଦ୍ୟମ ଆରମ୍ଭ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏ ସ˚କ୍ରାନ୍ତ ବିଧିବଦ୍ଧ ଟେଣ୍ତରଟିଏ ମଧ୍ୟ ପ୍ରକାଶ ପାଇପାରିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷିଆ ଗସ୍ତ କାଳରେ ଏ.କେ.-୨୦୩ ରାଇଫଲ କ୍ରୟ ଲାଗି ଘୋଷଣା କରାଯାଇଥିଲା। କିନ୍ତୁ ସେ ସ˚ପର୍କରେ ମଧ୍ୟ କୌଣସି ଅଗ୍ରଗତି ହୋଇ ନ ଥିବା ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଭାରତୀୟ ପ୍ରତିରକ୍ଷା ବଳର ତିନି ବାହିନୀ ମଧୢରେ ସମନ୍ବୟର ଅଭାବ ମଧୢ ବିଭିନ୍ନ ଯୁଦ୍ଧ ସରଞ୍ଜାମ ଆହରଣ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଆପାଚି ହେଲିକପ୍‌ଟର କ୍ରୟ ଲାଗି ଭାରତୀୟ ସ୍ଥଳ ସେନା ଏବ˚ ବାୟୁ ସେନା ପୃଥକ୍‌ ଭାବେ ଚୁକ୍ତି ସ˚ପାଦନ କରିଥିବାରୁ ଏହି ହେଲିକପ୍‌ଟର ଲାଗି ୨୫୦୦ କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ପଡ଼ିଥିଲା। ଭାରତୀୟ ପ୍ରତିରକ୍ଷା ବଳର ସମସ୍ୟାକୁ ତିନି ବାହିନୀ ଏକ ସାମଗ୍ରିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରି ପଦକ୍ଷେପ ନେବାର ସମୟ ଉପନୀତ ବୋଲି ସମର ବିଶାରଦମାନେ ଏକମତ। ସେମାନେ ଏହା ମଧ୍ୟ କହିଥାଆନ୍ତି ଯେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସମୟ-ନଷ୍ଟକରୀ ଅଯଥା କାଗଜପତ୍ର କାର୍ଯ୍ୟର ପ୍ରାବଲ୍ୟରୁ ମୁକ୍ତ ହେବାକୁ ପଡ଼ିବ।

କହିବା ନିଷ୍ପ୍ରୟୋଜନ ଯେ କରୋନାକାଳୀନ ଘୋର ଦୁର୍ଦିନ ସମୟରେ ମଧ୍ୟ ଚୀନ ନିଜର ଶକ୍ତି ପ୍ରତିଷ୍ଠା ଲାଗି ହୀନ ଉଦ୍ୟମ ଆରମ୍ଭ କରିଛି, ଯେଉଁଥି ଲାଗି ଭାରତୀୟ ଉପମହାଦେଶୀୟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହୋଇଛି ଏବ˚ ତାହା ଆଗକୁ ଲାଗି ରହିବାର ମଧ୍ୟ ଅନେକ ଆଶଙ୍କା ରହିଛି। ଭୁଲି ଯିବା ଉଚିତ ନୁହେଁ ଯେ ତାର ଏକ ପ୍ରତିଦ୍ବନ୍ଦ୍ବୀ ଶକ୍ତି ରୂପେ ଏହି ଭୂଖଣ୍ତରେ ଭାରତର ଆବିର୍ଭାବକୁ ପ୍ରତିହତ କରିବା ଲାଗି ଚୀନ ସର୍ବଦା ଉଦ୍ୟମଶୀଳ ରହିବ। ଏହି କାରଣରୁ ଭାରତ ଲାଗି ଯାହା ସର୍ବାଧିକ ଆବଶ୍ୟକ, ତାହା ହେଲା ନିରନ୍ତର ପ୍ରସ୍ତୁତି। ବିପତ୍ତିକୁ ଦ୍ବାର ମୁହଁରେ ଦେଖି ମୁକାବିଲା ଲାଗି ଉଦ୍ୟମ କେବଳ ଚିନ୍ତା ଓ ବ୍ୟସ୍ତତାରେ ରାତ୍ରି ଉଜାଗର ରହିବାକୁ ବାଧ୍ୟ କରିବ।

ସମ୍ବନ୍ଧିତ ଖବର