ଶିକ୍ଷକ ଛାତ୍ରଟିକୁ ସାଙ୍ଗରେ ନେଇ ଗୁଡ଼ି ଉଡ଼େଇବାକୁ ବାହାରି ଗଲେ। ଆକାଶରେ ଉଡ଼ୁଥିବା ଗୁଡ଼ିର ଛାଇ ପଡ଼ୁଥାଏ ପଡ଼ିଆରେ। ଶିକ୍ଷକ ଛାତ୍ରଟିକୁ ସେଇ ଛାଇକୁ ଚାହିଁ ଆକାଶରେ ଗୁଡ଼ିର ସ୍ଥାନ ନିରୂପଣ କରିବାକୁ କହିଲେ। ଛାତ୍ରଟି ଗୁଡ଼ି ଉଡ଼ାଇବା ସହିତ ଏହି କୌଶଳ ମଧୢ ଅଭ୍ୟାସ କରିବାକୁ ଲାଗିଲା। ଗୁଡ଼ି ଉଡ଼ା ସାରି ବାହାରୁ ଫେରିବା ବେଳକୁ ଛାତ୍ରଟି ଯାହା ଯାହା ଶିଖିଲା ତାହା ହେଲା- ଛାଇ ବିଷୟରେ, ଦୁଇଟି ବସ୍ତୁ ମଧୢରେ ପାରସ୍ପରିକ ସମ୍ପର୍କ ସମ୍ବନ୍ଧରେ ଏବ˚ ଗୁଡ଼ି ଉଡ଼ାଇବା ପାଇଁ ଆବଶ୍ୟକ ଅଙ୍ଗସଞ୍ଚାଳନ କୌଶଳ ସମ୍ବନ୍ଧରେ।
ଯେଉଁ ପୁସ୍ତକଟିରେ ଏହି ଶିକ୍ଷାଦାନ କୌଶଳ ବର୍ଣ୍ଣିତ ହୋଇଛି, ତାହାର ଏକ ବିରଳ ଖ୍ୟାତି ରହିଛି। ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ସାନ୍ଧ୍ୟ ଭ୍ରମଣରେ ବାହାରୁଥିଲେ, ଯାହା ଏପରି ନିଶ୍ଚିତ ଓ ନିର୍ଦ୍ଦିଷ୍ଟ ଥିଲା ଯେ ଲୋକମାନେ ତାଙ୍କୁ ଦେଖି ନିଜର ଘଡ଼ିର ସମୟ ଠିକ୍ କରୁଥିଲେ। କଥିତ ଅଛି କାଣ୍ଟ୍ ତାଙ୍କ ଜୀବନକାଳରେ ମାତ୍ର ଦୁଇ ଥର ଏଥିରେ ବ୍ୟତିକ୍ରମ ଘଟାଇଥିଲେ- ଥରେ ହେଉଛି ଏହି ପୁସ୍ତକଟି ସ˚ଗ୍ରହ କରିବାକୁ ସେ ଅନ୍ୟ ଏକ ରାସ୍ତାରେ ଯାଇଥିଲେ। ଅନ୍ୟ ଏକ କି˚ବଦନ୍ତି ଅନୁସାରେ କାଣ୍ଟ୍ ଯେଉଁଦିନ ଏ ପୁସ୍ତକଟି ପାଇଲେ, ତତ୍କ୍ଷଣାତ୍ ତାକୁ ଏକା ନିଃଶ୍ବାସରେ ପଢ଼ିବାରେ ମଜ୍ଜିଗଲେ; ତେଣୁ ସେଦିନ ସେ ସାନ୍ଧ୍ୟଭ୍ରମଣ ବାତିଲ କରିଦେଇଥିଲେ। ପୁସ୍ତକଟିର ମୁଖ୍ୟ ଚରିତ୍ର ସେ ଛାତ୍ରଟିର ନାମ ଥିଲା- ଏମିଲ୍। ଶିକ୍ଷାଶାସ୍ତ୍ର ପରିସରରେ ସୁପରିଚିତ ସେଇ ପୁସ୍ତକଟିର ନାମ ମଧୢ ହେଉଛି- ‘ଏମିଲ୍’। ପୁସ୍ତକର ରଚୟିତା ହେଉଛନ୍ତି ପୃଥିବୀ ପ୍ରସିଦ୍ଧ ସ୍ବିସ୍-ଫରାସୀ ଦାର୍ଶନିକ- ଜଁ ଜାକ୍ ରୁଷୋ।
ଶିକ୍ଷକଙ୍କ ମୁଖନିଃସୃତ ବାଣୀ ନୁହେଁ, ନିଜର ଯୁକ୍ତିସିଦ୍ଧ ଅନୁମାନ ହିଁ ହେଉଛି ଛାତ୍ର ପାଇଁ ଉପଯୁକ୍ତ ଶିକ୍ଷାଲାଭର ଆଧାର ବୋଲି ରୁଷୋ ବିଶ୍ବାସ କରୁଥିଲେ, ଯାହା ଗୁଡ଼ି ଉଡ଼ା ଉଦାହରଣ ସୂଚାଇଥାଏ। ଶିଶୁ ଏମିଲ୍ର ବୟସ ବଢ଼ିବା ସହିତ ତାକୁ ଶାରୀରିକ ଶ୍ରମଭିତ୍ତିକ କୌଣସି ବୃତ୍ତିର କାର୍ଯ୍ୟ କୌଶଳ ଶିକ୍ଷା କରିବାକୁ ହୁଏ। କିଶୋର ବୟସ ପର୍ଯ୍ୟନ୍ତ ଏମିଲ୍କୁ କୌଣସି ଏକ କାରିଗରିରେ ବ୍ୟୁତ୍ପତ୍ତି ହାସଲ କରିବାକୁ ହୁଏ। ଯେଉଁ ଦାର୍ଶନିକମାନଙ୍କର ଚିନ୍ତାଧାରା ଫରାସୀ ବିପ୍ଳବର ସୂତ୍ରପାତ କରି ଫ୍ରାନ୍ସରେ ରାଜତନ୍ତ୍ରର ଅନ୍ତ ଘଟାଇ ଲୋକତନ୍ତ୍ର ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା, ରୁଷୋ ଥିଲେ ସେମାନଙ୍କ ମଧୢରେ ଅଗ୍ରଗଣ୍ୟ। ଏହି ବିପ୍ଳବ ସେ ସମୟରେ ଏପରି ଉତ୍ସାହ ସୃଷ୍ଟି କରିଥିଲା ଯେ ବିଶ୍ବାସ କରାଯାଉଥିଲା ବିପ୍ଳବ ପରବର୍ତ୍ତୀ ରାଷ୍ଟ୍ର ଏକ ଚିର ଆନନ୍ଦମୟ ରାଜ୍ୟରେ ପରିଣତ ହେବ। କିନ୍ତୁ ଏହା ଆପେ ଆପେ ଘଟିବ ନାହିଁ। ଏହାର ଚାବି ହେଲା ଉପଯୁକ୍ତ ଶିକ୍ଷା।
ବିପ୍ଳବର ପ୍ରାୟ ତିନିଦଶନ୍ଧି ପୂର୍ବେ ୧୭୬୧ରେ ପ୍ରକାଶିତ ‘ଏମିଲ୍’ରେ ରୁଷୋ ଯେଉଁଭଳି ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଥିଲେ (ବିପ୍ଳବର ପ୍ରାୟ ଦଶ ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ଘଟିଥିଲା), ବିପ୍ଳବର ଘନଘଟା ସମୟରେ ଏହାର ପୁରୋଭାଗରେ ଥିବା ଅନ୍ୟତମ ନାୟକ ଗଣିତଜ୍ଞ-ଦାର୍ଶନିକ ନିକୋଲାସ୍ କଣ୍ତର୍ସେ ସେଇଭଳି ୧୭୯୩ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ପ୍ରୋଗ୍ରେସ୍ ଅଫ୍ ଦି ହ୍ୟୁମାନ୍ ସ୍ପିରିଟ୍’ରେ ଏକ ଆନନ୍ଦମୟ ଦୁନିଆର ଆବିର୍ଭାବ ପାଇଁ ଯେଉଁ ଏକମାତ୍ର ଉପାଦାନ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ସ୍ଥାପନ କରିଥିଲେ, ତାହା ହେଲା ସାର୍ବଜନୀନ ଶିକ୍ଷା, ଯାହା ମାଧୢମରେ ଜ୍ଞାନ ଓ ବିଚାରଶକ୍ତିର ପ୍ରସାର ଘଟିବ।
କୁହାଯାଇଥାଏ ବିପ୍ଳବ ନିଜର ସନ୍ତାନମାନଙ୍କୁ ଭକ୍ଷଣ କରିଥାଏ; ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ପରେ ପରେ ବନ୍ଦୀ ଅବସ୍ଥାରେ କାରାଗାରରେ କଣ୍ତର୍ସେଙ୍କର ମୃତ୍ୟୁ ଘଟିଲା। ଆଶ୍ଚର୍ଯ୍ୟ ମଧୢ ହେବାର ନାହିଁ ଯେ ବିପ୍ଳବ କ୍ରମେ ଏକ ରକ୍ତାକ୍ତ ଅରାଜକତାରେ ପରିଣତ ହେଲା ଏବ˚ ନବ ପ୍ରତିଷ୍ଠିତ ଲୋକତନ୍ତ୍ରର ଅନ୍ତ ଘଟିଲା- ଏକ ଚିର ଆନନ୍ଦମୟ ରାଜ୍ୟ ଏକ କଳ୍ପନା ହୋଇ ରହିଗଲା। କିନ୍ତୁ ଏଥି ସତ୍ତ୍ବେ ଏହା ଅସ୍ବୀକାର କରାଯାଇ ପାରିବ ନାହିଁ ଯେ ଏକ ରକ୍ତାକ୍ତ ବିପ୍ଳବ ମାଧୢମରେ ଏକ ଆନନ୍ଦମୟ ରାଜ୍ୟ ପ୍ରତିଷ୍ଠା କରାଯାଇ ନପାରିଲେ ମଧୢ, ଯଦି ସେ ଭଳି ଏକ ରାଜ୍ୟ କେବେ ସମ୍ଭବ ହୁଏ, ଯାହା ନିଶ୍ଚିତ ରୂପେ ତାହାର ମୂଳାଧାର ହୋଇଥିବ, ତାହା ହେଉଛି କଣ୍ତର୍ସେ କିମ୍ବା ରୁଷୋ ସ୍ବପ୍ନ ଦେଖିଥିବା ଭଳି ଏକ ଶିକ୍ଷା ବିପ୍ଳବ; ଯେଉଁଥିପାଇଁ ହିଁ ରୁେଷାଙ୍କ ‘ଏମିଲ୍’ କାଣ୍ଟ୍ଙ୍କୁ ଏଭଳି ଆବିଷ୍ଟ କରି ତାଙ୍କର ଦୀର୍ଘଦିନର ସାନ୍ଧ୍ୟଭ୍ରମଣ ତପସ୍ୟା ଭଙ୍ଗ କରିଥିଲା।
ଆମେ ଯଦି ସେମାନଙ୍କୁ ଅନୁସରଣ କରି ଆମ ଦେଶରେ ଏକ ଶିକ୍ଷା ବିପ୍ଳବ ଆରମ୍ଭ କରିବାକୁ ମନ ବଳାଇବା, ତେବେ ଆମକୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଏକ ବିଶେଷ ପରିବର୍ତ୍ତନ ଘଟାଇବାକୁ ହେବ। ଶିକ୍ଷାଖସଡ଼ା ବା ପାଠ୍ୟକ୍ରମର ନକ୍ସା ତିଆରି ଓ ତା’ ଅନୁସାରେ ଶିକ୍ଷାଦାନରେ ଶିକ୍ଷାନୁଷ୍ଠାନ ଓ ଶିକ୍ଷାବିତ୍ମାନଙ୍କୁ ଅଧିକ ସ୍ବାଧୀନତା ପ୍ରଦାନ କରିବାକୁ ହେବ। ଶିକ୍ଷକ ପିଲା ପାଖରେ ଉଦ୍ଦିଷ୍ଟ ଜ୍ଞାନ, କୌଶଳ ଓ ଉପଯୁକ୍ତ ମାନସିକତା ପହଞ୍ଚାଇବା ପାଇଁ ଶିକ୍ଷାଦାନର କେଉଁ ରାସ୍ତା ଅନୁସରଣ କରିବେ, ତାହା ବାଛିବାର ସ୍ବାଧୀନତା ଶିକ୍ଷକଙ୍କୁ ମିଳିବ। ପିଲାଟି ଆବିଷ୍କାର ମାଧୢମରେ ଜ୍ଞାନ ସହିତ ପରିଚିତ ହେଲେ, ନିଜର ଅନୁଭୂତିରୁ ଜ୍ଞାନ ସ˚ଗ୍ରହ କଲେ, ଏବ˚ ମିଶ୍ରିତ କୌଶଳ ପ୍ରୟୋଗ ଦ୍ବାରା ଶିକ୍ଷାଲାଭ କଲେ ଯେଉଁଭଳି ଅର୍ଥପୂର୍ଣ୍ଣ ଓ ସ୍ଥାୟୀ ଜ୍ଞାନର ଅଧିକାରୀ ହେବ, ବହି ପୃଷ୍ଠା ଓଲଟାଇ ଘୋଷା ବଳଦରେ ପରିଣତ ହୋଇ ତାହା ହାସଲ କରିପାରିବ ନାହିଁ। ଏମିଲ୍ର ଗୁଡ଼ି ଉଡ଼ା ଏହାର ଏକ ପ୍ରକୃଷ୍ଟ ଉଦାହରଣ।
ଛାତ୍ରଛାତ୍ରୀମାନେ ଅଧୢୟନ ପାଇଁ ବିଷୟବସ୍ତୁ ବାଛିବା, କିମ୍ବା ବିଜ୍ଞାନ, କଳା, ବାଣିଜ୍ୟ ଭଳି ନିର୍ଦ୍ଦିଷ୍ଟ ସ୍ରୋତ ବାଛିବା କିମ୍ବା ବୈଷୟିକ ଶିକ୍ଷାଲାଭ ଆଦିକୁ ବନ୍ଦ ହୋଇ ରହିଥିବା ଅଲଗା ଅଲଗା ନିବୁଜ କୋଠରିରୁ ମୁକ୍ତ କରି ସେମାନଙ୍କର ପସନ୍ଦକୁ ଅଧିକ ନମନୀୟ କରିବା ଉଚିତ ହେବ। ନିରବଚ୍ଛିନ୍ନ ଦୀର୍ଘକାଳୀନ ଶିକ୍ଷାଲାଭ ସୁଯୋଗରୁ ବଞ୍ଚିତ ଛାତ୍ରଛାତ୍ରୀମାନେ ଯେ କୌଣସି ସମୟରେ ପୁଣି ଶିକ୍ଷାଲାଭ ପାଇଁ ଫେରି ଆସି ପାରିବା ପାଇଁ ସମର୍ଥ ହେବା ଉଚିତ ହେବ। ବ୍ୟାଙ୍କ୍ରେ ନିଜର ଆକାଉଣ୍ଟ୍ରେ ଜମା ହୋଇ ରହିଥିବା ଅର୍ଥ ସୁରକ୍ଷିତ ରହିଥିବା ଭଳି, ଶିକ୍ଷାନୁଷ୍ଠାନରୁ ଅର୍ଜନ କରିଥିବା ମର୍ଯ୍ୟାଦା ଛାତ୍ରର ଆକାଉଣ୍ଟ୍ରେ ଜମା ହୋଇ ରହିଲେ, ସେ ପରବର୍ତ୍ତୀ ସମୟରେ ଅଧିକ ଶିକ୍ଷାଲାଭ କରି ଯେଉଁ ଅତିରିକ୍ତ ମର୍ଯ୍ୟାଦା ଅର୍ଜନ କରିବ, ତାହା ତା’ର ଜମା ହୋଇ ରହିଥିବା ମର୍ଯ୍ୟାଦାରେ ମିଶି ଚାଲିବ। ଯେତେବେଳେ ତା’ର ଶିକ୍ଷା ସମ୍ପୂର୍ଣ୍ଣ ହେବ, ଉପଲବ୍ଧ ଜମା ଅନୁସାରେ ତା’ର ଅନ୍ତିିମ ମର୍ଯ୍ୟାଦା ନିରୂପିତ ହେବ।
ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ କେବଳ ଶୁଷ୍କ କେତେକ ପରୀକ୍ଷା ମାର୍କ ବହନ କରିବା ପରିବର୍ତ୍ତେ ଛାତ୍ରର ସର୍ବାଙ୍ଗୀନ ଆକଳନ ପ୍ରତିଫଳନ କରିବା ଉଚିତ। ତା’ର ଉତ୍ତର ଜୀବନର କାର୍ଯ୍ୟଦକ୍ଷତା ଯେ କେବଳ ତା’ର ପରୀକ୍ଷାରେ ଆସିଥିବା ମାର୍କ ଉପରେ ନିର୍ଭର କରେ ନାହିଁ, ଏଥିରେ କେହି ଦ୍ବିମତ ହେବେ ନାହିଁ। ସେଇଭଳି ବର୍ତ୍ତମାନ କେହି ଦ୍ବିମତ ହେବେ ନାହିଁ ଯେ ସ୍କୁଲ୍ ଶିକ୍ଷାର ପ୍ରତ୍ୟେକ ସ୍ତର ଅତିକ୍ରମ କଲାବେଳକୁ ବା କୌଣସି ଡିଗ୍ରି ହାସଲ କଲାବେଳକୁ ଛାତ୍ରଟିଏ କୌଣସି ବାସ୍ତବ କର୍ମକୌଶଳ ହାସଲ କରିଥିବା ଉଭୟ ସେ ଛାତ୍ର ପାଇଁ ଓ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ। (ଏବେ ବି ଇସ୍ରାଏଲୀ ଶିକ୍ଷା ବ୍ୟବସ୍ଥାର ଏହା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ। ଉଲ୍ଲେଖଯୋଗ୍ୟ ଓଲନ୍ଦାଜ୍ ଦାର୍ଶନିକ ସ୍ପିନୋଜା ଛାତ୍ରାବସ୍ଥାରେ ଶିଖିଥିବା ଲେନ୍ସ ପାଲିସ୍ କରିବା କୌଶଳ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରି ନିଜର ବୌଦ୍ଧିକ ସ୍ବାଧୀନତା ଅକ୍ଷୁଣ୍ଣ ରଖିଥିଲେ)।
ପ୍ରକୃତରେ ଏ ସମସ୍ତ ହେଉଛି ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ନୂତନ ଜାତୀୟ ଶିକ୍ଷାନୀତିର କିୟଦ˚ଶ ମାତ୍ର। ସମୁଦାୟ ନୀତିଟି ଉପରେ ଦୃଷ୍ଟିପାତ କଲେ ମନେହୁଏ ଏହି ନୀତି ନିର୍ଦ୍ଧାରଣ କମିଟିର ମୁଖ୍ୟ କେ କସ୍ତୁରୀରଙ୍ଗନ୍ ସତେଯେମିତି ରୁଷୋଙ୍କ ଭଳି ଏଠାରେ ଆବିର୍ଭୂତ ହୋଇ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏମିଲ୍ ଭଳି ଏପରି ଗଢ଼ିବାକୁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହା ସେମାନଙ୍କୁ ପ୍ରତ୍ୟେକ ଏକ ଆନନ୍ଦମୟ ଦେଶର ସୁଖୀ ନାଗରିକରେ ପରିଣତ କରିବ। କିନ୍ତୁ କସ୍ତୁରୀରଙ୍ଗନ୍ ଏମିଲ୍ ପାଇଁ ପ୍ରସ୍ତୁତ କରିଥିବା ଏହି ଗୁଡ଼ି ଆକାଶରେ ଉଡ଼ିବ କି ନାହିଁ, ତାହା ଏ ଦେଶର ରାଜନୀତି, ଅମଲାତନ୍ତ୍ର ଓ ସମ୍ବଳ ଉପରେ ନିର୍ଭର କରେ।