ବୋର୍ଡମ୍ ବିପଦ
ସମସ୍ତ ମନ୍ଦ କାର୍ଯ୍ୟର ମୂଳରେ ଯାହା ଥାଏ, ତାହା ହେଉଛି ‘ବୋର୍ଡମ୍’। ଏକଥା ଜୋର୍ ଦେଇ କହୁଥିଲେ ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ଦିନାମାର୍ ଦାର୍ଶନିକ ସୋରେନ୍ କିିର୍କେଗାର୍ଡ୍। କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ନରଖିବା ଏବ˚ ତା ସହିତ କେଉଁଥିରେ ଆଗ୍ରହ ନଥିବା ଏହି ଅବସ୍ଥା ବା ‘ବୋର୍’ ହେବା ସହିତ ସମସ୍ତେ ପରିଚିତ। କିିର୍କେଗାର୍ଡ୍ଙ୍କର ‘ବୋର୍ଡମ୍’ ପ୍ରତି ଏଭଳି ଆଭିମୁଖ୍ୟ ପ୍ରଭାବିତ ହୋଇଥିଲା ତାଙ୍କ ପୂର୍ବ ପିଢ଼ିର ମହାନ୍ ଜର୍ମାନ୍ ଦାର୍ଶନିକ ଆର୍ଥର୍ ସୋପେନ୍ହାଓର୍ଙ୍କ ଦ୍ବାରା, ଯିଏ କହୁଥିଲେ ମନୁଷ୍ୟର ଯନ୍ତ୍ରଣା ଜର୍ଜରିତ ଜୀବନ ଯେଉଁ ଦୁଇ ମେରୁ ମଧୢରେ ପେଣ୍ତୁଲମ୍ ପରି ଦୋଳି ଖେଳୁଥାଏ, ତାହା ହେଲା- ଜଞ୍ଜାଳ ଓ ‘ଏନୁଇ’। ଏକ ତୀବ୍ର ‘ବୋର୍ଡମ୍’ର ଅନ୍ୟ ନାମ ହେଉଛି ‘ଏନୁଇ’। ସୋପେନ୍ହାଓର୍ ରହସ୍ୟରେ କହିଥିଲେ: ‘ରବିବାର ମଧୢବିତ୍ତ ଶ୍ରେଣୀ ପାଇଁ ଏନୁଇର ପ୍ରତିନିଧିତ୍ବ କରିଥାଏ ଏବ˚ ସପ୍ତାହର ଅନ୍ୟ ବାରମାନ ପ୍ରତିନିଧିତ୍ବ କରିଥାନ୍ତି ଜଞ୍ଜାଳର।’’
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରକାର ଚିନ୍ତାଧାରା ବହନ କରୁଥିବା ଏକ ସୁପରିଚିତ ଲୋକକଥା ରହିଛି: ଫାଙ୍କା ମୁଣ୍ତ ହେଉଛି ସଇତାନର କର୍ମଶାଳା। ଯଦି ସୋପେନ୍ହାଓର୍ କିମ୍ବା କିର୍କେଗାର୍ଡ୍ ଏବେ ଥା’ନ୍ତେ ତେବେ ଏହି ‘ବୋର୍ଡମ୍’ ବା ‘ଏନୁଇ’ର ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ ସାଧନମାନଙ୍କୁ ମଧୢ ଯେ ତାହାର ସେଇ ମନ୍ଦ ପରିଣାମମାନଙ୍କ ମଧୢରୁ ଗୋଟିଏ ବୋଲି ମତ ଦିଅନ୍ତେ, ଏଥିରେ ସନ୍ଦେହ ନାହିଁ। ଯେମିତି ‘ଟିକ୍ଟକ୍’। ଚୀନା କରୋନା ପୃଥିବୀକୁ କବଳିତ କରିଥିବା ଭଳି ଏହି ବୋର୍ଡମ୍ ହ୍ରାସ ପାଇଁ ଉଦ୍ଦିଷ୍ଟ ଚୀନା ସ˚କ୍ଷିପ୍ତ ଭିଡିଓ ଆପ୍ ପୃଥିବୀ ସାରା ବିସ୍ତାର ଲାଭ କରି କୋଟି କୋଟି ଗ୍ରାହକଙ୍କୁ ନିଜର ମାନସିକ ବନ୍ଦୀରେ ପରିଣତ କରିବା ସହିତ ଏହି ଆପ୍ ମାଧୢମରେ ସ˚ଗୃହୀତ ସେମାନଙ୍କର ବ୍ୟକ୍ତିଗତ ତଥ୍ୟମାନ ନିଜର ଅନ୍ତିମ ମାଲିକ ଚୀନା ସରକାର ଓ କମ୍ୟୁନିଷ୍ଟ ପାର୍ଟି ନିକଟରେ ଉପଲବ୍ଧ କରାଇବାରେ ଲାଗିଛି।
ଏହି ମନ୍ଦଶକ୍ତିର ମୁକାବିଲା କରିବା ପାଇଁ ଯେଉଁ ଦେଶ ପ୍ରଥମେ ଆଗେଇ ଆସିଛି, ସେ ହେଉଛି ଭାରତ। ଭାରତ ଏଠାରେ ଟିକ୍ଟକ୍କୁ ନିଷେଧ କଲା ପରେ ପୃଥିବୀର ଅନ୍ୟ ଦେଶମାନେ ଏହି ବୋର୍ଡମ୍ବିରୋଧୀ ଆପ୍ ବିରୋଧରେ ପଦକ୍ଷେପ ନେବାକୁ ଆଗେଇ ଆସିଲେଣି। ପୃଥିବୀରେ ଅନ୍ୟତ୍ର ଏହାର ବ୍ୟବହାରକାରୀମାନେ ଏହି ଆପ୍କୁ ନିଜ ନିଜର ସ୍ମାର୍ଟ ଫୋନ୍ମାନଙ୍କରୁ ବାହାର କରିଦେବା ଦେଖାଗଲାଣି। କେବଳ ଭାରତରେ ନିଷିଦ୍ଧ ହେବା ଯୋଗୁଁ ଏହି ଆପ୍ର ମାଲିକ କମ୍ପାନି ‘ବାଇଟ୍ ଡ୍ୟାନ୍ସ’ ପ୍ରାୟ ଛ’ବିଲିଅନ୍ ଡଲାର୍ ଆୟ ହରାଇବାକୁ ଯାଉଛି ବୋଲି ଜଣାପଡ଼ିଛି। ପ୍ରକାଶିତ ସୂଚନା ଅନୁସାରେ କେବଳ ମାର୍ଚ୍ଚ ଓ ଏପ୍ରିଲ୍ରେ ‘ଟିକ୍ଟକ୍’ର ନୂତନ ଗ୍ରାହକ ସ˚ଗ୍ରହରେ ୫୧ ଶତା˚ଶ ହ୍ରାସ ଘଟିଥିଲା। ଭାରତ ଥିଲା ‘ଟିକ୍ଟକ୍’ର ଦ୍ବିତୀୟ ବୃହତ୍ତମ ବଜାର। ଏଣୁ ଭାରତର ନିଷ୍ପତ୍ତି ଦ୍ବାରା ‘ଟିକ୍ଟକ୍’ ଏପରି ଆହତ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଭାରତ କିନ୍ତୁ ପରୋକ୍ଷରେ ଏହି ଚୀନା କମ୍ପାନି ପାଇଁ ଆଉ ଏକ ଅଧିକ ଗୁରୁତର ସମସ୍ୟା ସୃଷ୍ଟି କରିଛି। ‘ଟିକ୍ଟକ୍’ର ବୃହତ୍ତମ ବଜାର ହେଉଛି ଆମେରିକା। ଭାରତ ନିଜ ଦେଶରେ ‘ଟିକ୍ଟକ୍’କୁ ନିଷେଧ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ବିରୋଧରେ ଚଳାଇ ଥିବା ବହୁୁମୁଖୀ ସ˚ଗ୍ରାମରେ ‘ଟିକ୍ଟକ୍’କୁ ମଧୢ ଅନ୍ତର୍ଭୁକ୍ତ କରି ଦେଇଛନ୍ତି। ଏକ ସମୟରେ ସେ ଆମେରିକାରେ ‘ଟିକ୍ଟକ୍’ ଉପରେ ନିଷେଧାଜ୍ଞା ଲାଗୁ ହେବା ଆସନ୍ନ ବୋଲି ଘୋଷଣା କରି ଏହାର ମାଲିକ କମ୍ପାନିଠାରେ ଘୋର ଆତଙ୍କ ସୃଷ୍ଟି କରିବା ଦେଖାଯାଇଥିଲା। ପରେ ପରେ ସର୍ବସ୍ବାନ୍ତ ହେବାରୁ ରକ୍ଷା ପାଇବା ପାଇଁ ‘ଟିକ୍ଟକ୍’ ତା’ର ଆମେରିକାର ବ୍ୟବସାୟକୁ ବିଶାଳ ଆମେରିକୀୟ ଟେକ୍ନୋଲୋଜି କମ୍ପାନି ‘ମାଇକ୍ରୋସଫ୍ଟ’କୁ ବିକ୍ରି କରି ଦେବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିବା ଖବର ପ୍ରକାଶ ପାଇଛି। ଡୋନାଲ୍ଡ ଟ୍ରମ୍ପ୍ ଏଥିପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଯଦି ସେଇ ସମୟ ମଧୢରେ ଆମେରିକାରେ ‘ଟିକ୍ଟକ୍’ର ମାଲିକାନା ହସ୍ତାନ୍ତର ସମ୍ପୂର୍ଣ୍ଣ ନହୁଏ, ତେବେ ଟ୍ରମ୍ପ୍ ଭାରତକୁ ଅନୁସରଣ କରି ନିଜ ଦେଶରେ ‘ଟିକ୍ଟକ୍’କୁ ନିଷିଦ୍ଧ କରିଦେବେ ବୋଲି ଘୋଷଣା କରିଛନ୍ତି। ସେପ୍ଟେମ୍ବର ସୁଦ୍ଧା ଏଥିପାଇଁ ସେ ସୀମା ଧାର୍ଯ୍ୟ କରିଛନ୍ତି। ଏହି ମାଲିକାନା ହସ୍ତାନ୍ତର ହେବା ପରେ ଆମେରିକାର ନିୟୁତ ନିୟୁତ ବ୍ୟବହାରକାରୀମାନଙ୍କଠାରୁ ସ˚ଗୃହୀତ ଡେଟା ‘ଟିକ୍ଟକ୍’ ଆଉ ଚୀନା ସରକାର ନିକଟରେ ଉପଲବ୍ଧ କରାଇ ପାରିବ ନାହିଁ।
ଏହାଦ୍ବାରା ଆମେରିକା ପାଇଁ ‘ଟିକ୍ଟକ୍’ ସୃଷ୍ଟି କରୁଥିବା ଗୋଟିଏ ଚିନ୍ତାର ଅବସାନ ଘଟିପାରେ। କିନ୍ତୁ ସେଠାରେ ‘ଟିକ୍ଟକ୍’ ବ୍ୟାପାର ଦ୍ବାରା ସୃଷ୍ଟି ହୋଇଥିବା ଏହା ଏକମାତ୍ର ଚିନ୍ତା ନୁହେଁ। ବର˚ କହିବାକୁ ଗଲେ ଏହା ହେଉଛି ଏକ ଅପେକ୍ଷାକୃତ ଗୌଣ ଚିନ୍ତା। ‘ଟିକ୍ଟକ୍’ର ବିକ୍ରୟ ମୂଲ୍ୟ ହିଁ ସେଠାରେ ମୁଖ୍ୟ ଚିନ୍ତା ସୃଷ୍ଟି କରିବା ଉଚିତ। ଏହା ବର୍ତ୍ତମାନ ବିଶ୍ବାସ କରିହୁଏ ନାହିଁ ଯେ ଏକ ଚୀନା ଭିଡିଓ ସେଆରିଙ୍ଗ୍ ବ୍ୟବସାୟକୁ ପୃଥିବୀରେ କମ୍ପ୍ୟୁଟର୍ ବିପ୍ଳବର ଆରମ୍ଭକର୍ତ୍ତା ବିଲ୍ ଗେଟ୍ସଙ୍କ କମ୍ପାନି ‘ମାଇକ୍ରୋସଫ୍ଟ’ ଆଜି ୫୦ ବିଲିଅନ୍ ଡଲାର୍ ମୂଲ୍ୟ ଦେଇ କିଣିବାକୁ ଯାଉଛି। ଏଭଳି ଏକ ଆପ୍ ତିଆରି କରିବା କ’ଣ ଏପରି ଜଟିଳ ଏବ˚ ଦୁରୂହ କାର୍ଯ୍ୟ ଯେ ଦୁନିଆରେ ନୂତନ ଡିଜିଟାଲ୍ ଟେକ୍ନୋଲୋଜିସବୁର ଅନ୍ତୁଡ଼ିଶାଳ ରୂପେ ପ୍ରଚଣ୍ତ ଖ୍ୟାତି ଅର୍ଜନ କରିଥିବା ଆମେରିକାର ପ୍ରସିଦ୍ଧ ସିଲିକନ୍ ଭ୍ୟାଲିର କୌଣସି କମ୍ପାନି କିମ୍ବା ଷ୍ଟାର୍ଟଅପ୍ ଉଦ୍ୟୋଗ ତାହା କରିବାକୁ ସମର୍ଥ ନଥିଲା ବା ନୁହେଁ?
‘ଟିକ୍ଟକ୍’ ବ୍ୟାପାରର ଏହି ଦିଗ ଉପରେ ଦୃଷ୍ଟିପାତ କଲେ ସମସ୍ୟାଟି ‘ଟିକ୍ଟକ୍’କୁ ଅତିକ୍ରମ କରି ଏକ ସୁଦୂରପ୍ରସାରୀ ସମସ୍ୟାରେ ପରିଣତ ହୋଇ ଯାଇଥାଏ। ଉଦାହରଣ ସ୍ବରୂପ ‘ଟିକ୍ଟକ୍’ ଭଳି ଅନ୍ୟ ଏକ ସଫଳ କମ୍ପାନି ହେଉଛି ଚୀନା କମ୍ପାନି ‘ଟେନ୍ସେଣ୍ଟ୍’ ଯାହାର ମାଲିକାନାରେ ରହିଛି ସୋସିଆଲ୍ ଆପ୍ ‘ଉଇଚାଟ୍’, ଯାହାର ପୃଥିବୀବ୍ୟାପୀ ରହିଥିବା ଉପଭୋକ୍ତା ସ˚ଖ୍ୟା ହେଉଛି ପ୍ରାୟ ଏକ ଶହ କୋଟି। ‘ଉଇଚାଟ୍’ ହେଉଛି ଲୋକପ୍ରିୟ ଆମେରିକୀୟ ସୋସିଆଲ୍ ଆପ୍ ‘ହ୍ବାଟ୍ସ ଆପ୍’ର ଅନୁରୂପ ଏକ ସେବା। ଦେଖାଯାଉଛି ଯେ ‘ଉଇଚାଟ୍’ ନୂତନ ନୂତନ ଫିଚର୍ ଖଞ୍ଜିବାରେ ଫେସ୍ବୁକ୍ ମାଲିକାନାରେ ଥିବା ‘ହ୍ବାଟ୍ସଆପ୍’ଠାରୁ ଆଗରେ ରହିଚାଲିଛି।
ଚୀନ୍ ହେଉଛି ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି। ସେ ଦେଶରେ ରହିଛନ୍ତି ପୃଥିବୀର ସର୍ବାଧିକ ସ˚ଖ୍ୟକ େଵବ୍ବ୍ୟବହାରକାରୀ। ସେମାନେ ତେଣୁ ନୂତନ ନୂତନ ଇ-କମର୍ସ ବ୍ୟବସାୟରୁ ଆରମ୍ଭ କରି ସୋସିଆଲ୍ ମିଡିଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ବାଭାବିକ ଭାବରେ ଏକ ସୁବିଧାଜନକ ସ୍ଥିତିରେ ଅଛନ୍ତି। ଏହା ବାଦ୍ ରହିଛି ସେମାନେ ସେଠାରେ ଉପଭୋଗ କରୁଥିବା ସରକାରୀ ଏବ˚ ସରକାରକୁ ନିୟନ୍ତ୍ରଣ କରୁଥିବା କମ୍ୟୁନିଷ୍ଟ ପାର୍ଟିର ପୃଷ୍ଠପୋଷକତା। ଏହି କମ୍ପାନିମାନଙ୍କୁ ବ୍ୟବହାର କରି ଚୀନ୍ ଅନ୍ୟ ଦେଶମାନଙ୍କର ସ୍ନାୟୁକେନ୍ଦ୍ରମାନଙ୍କରେ ପ୍ରବେଶ କଲେ ସମଗ୍ର ମୁକ୍ତ ବିଶ୍ବକୁ କିଭଳି ବିପଦରେ ପକାଇବ, ତାହା ତୃତୀୟ ବିଶ୍ବଯୁଦ୍ଧ ଭଳି ଏକ କରୋନା ମହାମାରୀର ପ୍ରସାର ଘଟାଇବା ପରେ ଏବ˚ ପଡେ଼ାଶୀ ଅଞ୍ଚଳ ସାରା ସୀମା ଲ˚ଘନ କରି ସୃଷ୍ଟି କରି ଚାଲିଥିବା ଉତ୍ତେଜନାମାନଙ୍କରୁ ସ୍ପଷ୍ଟ ହୋଇଥାଏ। ସମୟ ଉପସ୍ଥିତ ‘ଟିକ୍ଟକ୍’ ଓ ‘ହୁଆେଵ’ରୁ ଶିକ୍ଷା ଲାଭ କରି ଆମେରିକା ଏପରି ସମସ୍ତ ଚୀନା ପ୍ରତିଦ୍ବନ୍ଦ୍ବୀଙ୍କୁ ବାସନ୍ଦ କରି ଟେକ୍ନୋଲୋଜି ଦୁନିଆରେ ନିଜର ନେତୃତ୍ବକୁ ପୁଣି ଜାହିର କରିବା ଓ ଚୀନା ଡ୍ରାଗନକୁ ଅଟକାଇବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ମାଇକ୍ରୋସଫ୍ଟ ହାତକୁ ଯିବା ପରେ ମଧୢ ଭାରତରେ ‘ଟିକ୍ଟକ୍’ର ବାସନ୍ଦକୁ ଅବ୍ୟାହତ ରଖି ଏଠାରେ ସ୍ଥାନୀୟ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ ହେବ।