ଏକଲବ୍ୟଙ୍କ ଲାଗି ବିକଳ୍ପ

ବୋଧହୁଏ ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ମଧୢରୁ ଏଭଳି କେହି ନ ଥିବେ, ଯିଏ ମହାଭାରତ ମହାକାବ୍ୟରେ ବର୍ଣ୍ଣିତ ସ˚କ୍ଷିପ୍ତ ତଥା ଅତ୍ୟନ୍ତ ବଳିଷ୍ଠ ଭୂମିକାରେ ଦୃଶ୍ୟମାନ ହୋଇଥିବା ଚରିତ୍ର ଏକଲବ୍ୟଙ୍କ ଦ୍ବାରା ପ୍ରଭାବିତ ହୋଇ ନ ଥିବେ। ରାଜଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଶିଷ୍ୟତ୍ବ ଲାଭ କରିବାର ଆଶା ପୋଷଣ କରିଥିବା ନିଷାଦ ବାଳକ ଏକଲବ୍ୟ ଗୁରୁଙ୍କ ଦ୍ବାରା ଅତ୍ୟନ୍ତ କ୍ରୂର ଭାବେ ପ୍ରତ୍ୟାଖ୍ୟାତ ହେବାରୁ ଘଞ୍ଚ ଜଙ୍ଗଲ ମଧୢରେ ଗୁରୁଙ୍କର ଏକ ମୃତ୍ତିକା ପ୍ରତିମୂର୍ତ୍ତି ସ୍ଥାପନ କରି ଶସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ ଏବ˚ ଧନୁର୍ବିଦ୍ୟାରେ ଅଦ୍ବିତୀୟ ତୃତୀୟ ପାଣ୍ତବ ଅର୍ଜୁନଙ୍କ ସହିତ ସମକକ୍ଷ ହୋଇ ପାରିଥିଲେ ଅଥବା ମତାନ୍ତରେ ତାଙ୍କୁ ଅତିକ୍ରମ କରି ଯାଇଥିଲେ। ଏହି ବିଷୟ ଆମ ଦେଶରେ ଏକ ସର୍ବାଧିକ ଆଦୃତ ପୁରାଣ କାହାଣୀ ଭାବେ ରହି ଆସିଛି। ସେତେବେଳେ ଗୁରୁଙ୍କ ଦ୍ବାରା ସେ ପ୍ରତ୍ୟାଖ୍ୟାତ ହେବାର କାରଣ ଥିଲା ଯେ ଦ୍ରୋଣାଚାର୍ଯ୍ୟ କେବଳ ରାଜକୁଳର ଦାୟାଦମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ଏହି ପରିପ୍ରେକ୍ଷୀରେ କହିଲେ ଭୁଲ ହେବନାହିଁ ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର ହୋଇ ନ ଥିବା କାରଣରୁ ଶିଷ୍ୟତ୍ବରୁ ବଞ୍ଚିତ ହୋଇଥିବା ଏକଲବ୍ୟଙ୍କ ମର୍ମଦାହର ଗଭୀରତାକୁ ବର୍ତ୍ତମାନ କରୋନା ସ˚କ୍ରମଣ କାଳୀନ ‘ଅନଲାଇନ’ ଶିକ୍ଷା ବ୍ୟବସ୍ଥାରେ ଅସ˚ଖ୍ୟ ଛାତ୍ରଛାତ୍ରୀ ଅନୁଭବ କରିପାରୁଥିବେ, ଯେଉଁମାନଙ୍କ ଲାଗି ଦାରିଦ୍ର୍ୟ (ନିଷାଦ ପୁତ୍ରଙ୍କ ସମତୁଲ) ସେମାନଙ୍କ ଶିକ୍ଷାଲାଭ କରିବାରେ ପ୍ରତିବନ୍ଧ ରୂପେ ବିଦ୍ୟମାନ ହୋଇଛି। ନିକଟରେ କେରଳ ଓ ପଞ୍ଜାବରେ ଦୁଇ ଜଣ କିଶୋରୀ ଏଭଳି ଶିକ୍ଷା ଲାଭରୁ ବଞ୍ଚିତ ହେବା କାରଣରୁ ଆତ୍ମହତ୍ୟା କରିଥିବା ଘଟଣା ଏଥିରୁ ସୃଷ୍ଟ ଚରମ ହତାଶାବୋଧକୁ ସ୍ପଷ୍ଟ କରିଥାଏ। ଏହି ସମୟରେ ଏକ ପ୍ରଶ୍ନ ମଧୢ ଉଠିଥାଏ ଯେ କରୋନା କାଳୀନ ବାଧୢବାଧକତା ହେତୁ ଶ୍ରେଣୀଗୃହରେ ଅନୁପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବାର ଏକମାତ୍ର ଉପାୟ କ’ଣ କେବଳ ‘ଆଣ୍ତ୍ରଏଡ୍‌’ ପ୍ରଯୁକ୍ତି ପରିଚାଳିତ ‘ଅନ୍‌ଲାଇନ୍‌’ ଶିକ୍ଷାଦାନ ବ୍ୟବସ୍ଥା?

ବର୍ତ୍ତମାନର ‘ଅନ୍‌ଲାଇନ୍‌’ ଶିକ୍ଷା ବ୍ୟବସ୍ଥାରେ ଏକ ବୃହତ୍‌ ସ˚ଖ୍ୟକ ଛାତ୍ରଛାତ୍ରୀ ବାଦ ପଡ଼ିଥିବା ବିଷୟ ଏବ˚ ତା’ ପଛରେ ରହିଥିବା ବିଭିନ୍ନ କାରଣ ବାବଦରେ ଅସ˚ଖ୍ୟ ଆଲେଖ୍ୟ ପ୍ରକାଶିତ ହୋଇସାରିଲାଣି, ଯାହାର ପୁନରାବୃତ୍ତି ଅନାବଶ୍ୟକ। କିନ୍ତୁ ଏହି ସଂଦର୍ଭରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଟେଲିଭିଜନ ମାଧୢମରେ ଶିକ୍ଷା ଦାନର ବ୍ୟବସ୍ଥା ବର୍ତ୍ତମାନ ପରିସ୍ଥିତିରେ ଏକ ଅଧିକ ସମର୍ଥ ବିକଳ୍ପରେ ପରିଣତ ହୋଇପାରିଥାଆନ୍ତା। ସ˚ପ୍ରତି ଆମ ଦେଶରେ ଘରୋଇ ଭାବେ ବ୍ୟବହୃତ ହେଉଥିବା ଟେଲିଭିଜନର ସ˚ଖ୍ୟା ହେଉଛି ପ୍ରାୟ ୨୦୦ ନିୟୁତ ବା ୨୦ କୋଟି। ଏକ ଆକଳନ କହିଥାଏ ଯେ ଟେଲିଭିଜନ ଦ୍ବାରା ଶିକ୍ଷା ପ୍ରଦାନ କରାଯାଇଥିଲେ, ତାହା ୭୦% ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିଥାଆନ୍ତା, ଯାହା ଆଣ୍ତ୍ରଏଡ୍‌ ପ୍ରଯୁକ୍ତି ପରିଚାଳିତ ‘ଅନ୍‌ଲାଇନ୍‌’ ଶିକ୍ଷା ବ୍ୟବସ୍ଥାରେ ମାତ୍ର ୩୫%ଙ୍କ ଲାଗି ଉପଲବ୍‌ଧ ହୋଇପାରିଛି।

ଏବେ ଯେଉଁମାନେ ଷାଠିଏ ବର୍ଷ ବୟସରେ ଉପନୀତ ଅଥବା ତାହାକୁ ଅତିକ୍ରମ କରି ସାରିଛନ୍ତି, ସେମାନଙ୍କ ସ୍ମରଣରେ ଥାଇପାରେ ଯେ ୧୯୬୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ନେସନାଲ ଏରୋନଟିକ୍‌ସ ଏଣ୍ତ ସ୍ପେସ୍‌ ଆଡମିନିଷ୍ଟ୍ରେସନ’ ବା ‘ନାସା’ ଦ୍ବାରା ପ୍ରେରିତ ଉପଗ୍ରହ ‘ଏଟିଏସ୍‌-୬’ ମାଧୢମରେ ଭାରତରେ ପରୀକ୍ଷାମୂଳକ ଭାବେ ‘ସାଟେଲାଇଟ୍‌ ଇନ୍‌ଷ୍ଟ୍ରକ୍‌ସନାଲ ଟେଲିଭିଜନ ଏକ୍‌ସପେରିମେଣ୍ଟ୍‌’ ବା ‘ଏସ୍‌.ଆଇ.ଟି.ଇ.’ କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା, ଯହିଁରେ ଛଅଟି ରାଜ୍ୟର ୨୪୦୦ ଗ୍ରାମକୁ ଟେଲିଭିଜନ ମାଧୢମରେ ଶିକ୍ଷା ପ୍ରଦାନର ପରିସରଭୁକ୍ତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହା ଥିଲା ତତ୍କାଳୀନ ବିଶ୍ବରେ ସର୍ବ ବୃହତ୍‌ ସାର୍ବଜନୀନ ଶିକ୍ଷା ପ୍ରଦାନ ବ୍ୟବସ୍ଥାର ଏକ ଦୃଷ୍ଟାନ୍ତ। ଏହାର ପରବର୍ତ୍ତୀ କାଳରେ ଅର୍ଥାତ୍‌ ୧୯୮୪ ମସିହାରେ ଭାରତ ନିଜ ଉପଗ୍ରହ ‘ଇନସାଟ୍‌-୨’ ମାଧୢମରେ ଏହି ପରିସରକୁ ପରିବର୍ଦ୍ଧିତ କରିଥିଲା, ଯହିଁରେ ୟୁଜିସି, ଇଗ୍‌ନୋ (ଇନ୍ଦିରା ଗାନ୍ଧୀ ଓପନ ୟୁନିଭର୍ସିଟି) ଓ ଦୂରଦର୍ଶନ ମିଳିତ ଭାବେ ଅ˚ଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ୨୦୦୪ ମସିହାରେ ଭାରତ ଦ୍ବାରା ପ୍ରେରଣ କରାଯାଇଥିବା ‘ଏଡୁସାଟ୍‌’ ଉପଗ୍ରହ ବିଶେଷ ଧୢାନ ଆକର୍ଷଣ କରିଥିଲା, କାରଣ ଏହା ଥିଲା କେବଳ ଶିକ୍ଷାଦାନ ଲାଗି ଉତ୍ସର୍ଗୀକୃତ ପୃଥିବୀର ଏକମାତ୍ର ଉପଗ୍ରହ। କହିବାରେ ଦ୍ବିଧା ନାହିଁ ଯେ ଛାତ୍ରଛାତ୍ରୀମାନଙ୍କ ନିକଟରେ ଟେଲିିଭିଜନ ମାଧୢମରେ ଶିକ୍ଷା ଉପଲବ୍‌ଧ କରାଇବାର ଅଭିଜ୍ଞତା ତଥା ପ୍ରଯୁକ୍ତି-ଭିତ୍ତିକ ଜ୍ଞାନ ବହୁ ପୂର୍ବରୁ ଭାରତ ନିକଟରେ ରହି ଆସିଛି। ତେଣୁ ଏକ ବଳିଷ୍ଠ ଯୁକ୍ତି ଉଭା ହେଲାଣି ଯେ ବର୍ତ୍ତମାନ ଯଦି ‘ଏନଏମଇଆଇସିଟି’ ସ୍କିମ୍‌ ଭଳି ଯୋଜନାକୁ କାର୍ଯ୍ୟକାରୀ କରି ଟେଲିଭିଜନ ଜରିଆରେ ଶିକ୍ଷା ପ୍ରଦାନ କରାଯାଇଥାଆନ୍ତା, ତେବେ ତାହା ଯଥେଷ୍ଟ ଅଧିକ ସାର୍ବଜନୀନ ହୁଅନ୍ତା ଓ ତା’ ସହିତ ବର୍ତ୍ତମାନର ‘ଅନ୍‌ଲାଇନ୍‌’ ଶିକ୍ଷା ଦ୍ବାରା ପରିଦୃଷ୍ଟ ହୋଇଥିବା ଭଳି ଆର୍ଥିକ ମାନଦଣ୍ତ ଆଧାରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ନ ଥାଆନ୍ତା।

୨୦୦୯ ମସିହାରେ କେନ୍ଦ୍ର କ୍ୟାବିନେଟ୍‌ ଦ୍ବାରା ଅନୁମୋଦନ ଲାଭ କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ନେସନାଲ ମିସନ ଅନ ଏଡୁକେସନ ଫର୍‌ ଇନଫର୍ମେସନ ଟେକ୍ନୋଲଜି’ ବା ‘ଏନଏମଇଆଇସିଟି’ ସ୍କିମ୍‌ର ଭିତ୍ତି ପଡ଼ିଥିଲା ଯାହାର ଲକ୍ଷ୍ୟ ଥିଲା ସବୁ ବୟସ ବର୍ଗର, ସବୁ ଭାଷାର ଏବ˚ ସବୁ ଶ୍ରେଣୀର ପିଲାମାନଙ୍କ ସକାଶେ ପ୍ରାୟ ୧୦୦୦ଟି ଚବିଶ-ଘଣ୍ଟିଆ ଟେଲିଭିଜନ ଚ୍ୟାନେଲ ଉପଲବ୍‌ଧ କରିବା। ଉଲ୍ଲେଖଯୋଗ୍ୟ ଯେ ସ˚ପ୍ରତି ଉଚ୍ଚତର ଶ୍ରେଣୀ ଲାଗି ଉନ୍ନତ ମାନର ଶିକ୍ଷା ପ୍ରଦାନ କରୁଥିବା ୩୫ଟି ଚ୍ୟାନେଲ ସମ୍ବଳିତ ‘ସ୍ବୟ˚ପ୍ରଭା’ କାର୍ଯ୍ୟ କରୁଛି। ‘ଏନଏମଇଆଇସିଟି’ ଯୋଜନା ଲାଗି ୪୬୧୨ କୋଟି ଟଙ୍କାର ବ୍ୟୟ ଧାର୍ଯ୍ର ମଧୢ କରାଯାଇଥିଲା। ଯଦିଓ ପ୍ରଥମ ଦଫାରେ ଆଇଆଇଟି, ଆଇଆଇଏମ, ଏନଆଇଟି ଏବ˚ ମେଡିକାଲ କଲେଜ ଭଳି ୨୧୩ଟି ଉଚ୍ଚକୋଟୀର ଉଚ୍ଚ ଶିକ୍ଷାନୁଷ୍ଠାନ ଲାଗି ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିବା ସକାଶେ ପ୍ରୟାସ ଆରମ୍ଭ ହୋଇଥିଲା, ଏହା କ୍ରମେ ସବୁ ସ୍ତରକୁ ସ୍ପର୍ଶ କରିବାର ଯୋଜନା ରହିଥିଲା। ୨୦୧୪ ମସିହା ବେଳକୁ ଅନ୍ତତଃ ୫୦ଟି ଚ୍ୟାନେଲରେ ଉପର ବର୍ଣ୍ଣିତ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ଶିକ୍ଷା ପ୍ରଦାନର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇ ସାରିଥିଲା।

ଏହାକୁ ଚୂଡ଼ାନ୍ତ ରୂପ ଦେବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଅଧିକାରୀ ଏବ˚ ‘ଡିଟିଏଚ୍‌’ କମିଟିର ଅଧୢକ୍ଷ ତଥା ଚେନ୍ନାଇ ଆଇଆଇଟିର ପ୍ରଫେସର ଡକ୍ଟର ଏସ.ଭି. ରାଘବନ ବିନିଦ୍ର ରଜନୀ ଅତିବାହିତ କରିଥିଲେ। ପ୍ରକାଶ ଥାଉ କି ପ୍ରଫେସର ରାଘବନ ହେଉଛନ୍ତି ‘ନେସନାଲ ନଲେଜ ନେଟଵାର୍କ’ ଭଳି ମହତ୍ତ୍ବାକା˚କ୍ଷୀ ପ୍ରକଳ୍ପର ମୁଖ୍ୟ ବିନ୍ଧାଣି। ଏବ˚ ଏହି ବ୍ୟବସ୍ଥାରେ ଯାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ହେଉଛି ଉଚ୍ଚ ମାନର ଶିକ୍ଷାକୁ ଘରେ ଲାଭ କରିବା ସକାଶେ ଯେଉଁ ‘ସେଟ୍‌ଟପ୍‌ ବକ୍‌ସ’ର ଆବଶ୍ୟକତା ଥିଲା (ମୂଲ୍ୟ ୨୫୦୦ ଟଙ୍କା) ତାର ବ୍ୟୟ ଭାର ସରକାର ସ˚ପୂର୍ଣ୍ଣ ରୂପେ ବହନ କରିଥାଆନ୍ତେ। ଏହାର ସୁବିଧା ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ କେବଳ ଏକ ନିର୍ଦ୍ଦିଷ୍ଟ ଦିଗରେ ସେମାନଙ୍କ ‘ଡିସ୍‌’କୁ ବାଗେଇ ରଖିବାର ଥିଲା। କିନ୍ତୁ ବିଡ଼ମ୍ବନା ଯେ ୨୦୧୪ରେ ‘ଡିଜିଟାଲ ଭାରତ’ ପରିକଳ୍ପନା ସହିତ ଉପରୋକ୍ତ ପ୍ରୟାସଟିର ବିଲୟ ହୋଇଗଲା। କରୋନା ସ˚କ୍ରମଣ ସମୟର ବିଶେଷ ପରିସ୍ଥିତିରେ ଯେ ଏହା ନିଶ୍ଚିତ ଭାବେ ଏକ ଅତ୍ୟନ୍ତ ସମର୍ଥ ବିକଳ୍ପ ରୂପେ ଉଭା ହୁଅନ୍ତା, ତହିଁରେ ସନ୍ଦେହ ନାହିଁ।

ମହାଭାରତ କାଳରେ ଏକଲବ୍ୟଙ୍କ ସକାଶେ ଗୁରୁ ଉପଲବ୍‌ଧ ନ ଥିଲେ ସତ, କିନ୍ତୁ ଶିକ୍ଷାର ଅଭ୍ୟାସ କରିବା ସକାଶେ ସାଧନ ଭାବେ ଧନୁତୀର ମହଜୁଦ ଥିଲା। କିନ୍ତୁ ଆଜିର ଏକଲବ୍ୟମାନଙ୍କ ବିଡ଼ମ୍ବନା ହେଲା ଯେ ସେମାନଙ୍କ ଲାଗି ନା ଗୁରୁ ଉପଲବ୍‌ଧ ନା ସାଧନ (ଆଣ୍ତ୍ରଏଡ୍‌ ଫୋନ୍‌)! ଏଭଳି ସ୍ଥଳେ ସେମାନଙ୍କ ଠାରେ ପରିଦୃଷ୍ଟ ହେଉଥିବା ଗ୍ଳାନି ଓ ହତାଶା ଅତ୍ୟନ୍ତ ସ୍ବାଭାବିକ। କରୋନା ସ˚କ୍ରମଣର ପ୍ରାଦୁର୍ଭାବ ଦୀର୍ଘ କାଳ ପ୍ରଲମ୍ବିତ ହେବାର ସମସ୍ତ ଆଶଙ୍କା ରହିଛି। ଏଭଳି ସ୍ଥଳେ ‘ଏନଏମଇଆଇସିଟି’ ସ୍କିମକୁ ପୁନର୍ଜୀବନ ପ୍ରଦାନ କରାଗଲେ, ଅସ˚ଖ୍ୟ ଏକଲବ୍ୟ ଗୁରୁଙ୍କ ଶିକ୍ଷାରୁ ବଞ୍ଚିତ ହୋଇ ରହିବାର ଦୁର୍ଭାଗ୍ୟରୁ ମୁକ୍ତି ପାଆନ୍ତେ।

ସମ୍ବନ୍ଧିତ ଖବର