ସୌମ୍ୟା ସୂତ୍ର

‘‘ଏକ ଜାତି ହେଉଛି ଏକ ପରିବାର ଭଳି ପ୍ରକୃତି ସୃଷ୍ଟ ଏକ ବୃକ୍ଷ, କେବଳ ଅଧିକ ଶାଖା ପ୍ରଶାଖା ବିଶିଷ୍ଟ।’’ ଆଧୁନିକ ଜାତୀୟତାବାଦ ଧାରଣାର ଜନ୍ମଦାତା ଅଷ୍ଟାଦଶ ଶତାବ୍ଦୀର ଜର୍ମାନ୍‌ ଦାର୍ଶନିକ ଜୋହାନ୍‌ ଗଟ୍‌ଫ୍ରିଡ୍‌ ହର୍ଡର‌୍‌ ରାଷ୍ଟ୍ରକୁ ଏହିପରି ଏକ ସମ୍ପ୍ରସାରିତ ପରିବାର ରୂପେ ପ୍ରଦର୍ଶିତ କରିବା ପରେ ପରିବାରର ସଦସ୍ୟମାନଙ୍କର ତଥା ପରିବାରର ମୁଖ୍ୟଙ୍କର ପରିବାର ପ୍ରତି ଯେଉଁଭଳି ଆନୁଗତ୍ୟ ଓ କର୍ତ୍ତବ୍ୟବୋଧ ପ୍ରକାଶ ପାଇଥାଏ, ରାଷ୍ଟ୍ରର ନାଗରିକ ଓ ଶାସକମାନଙ୍କଠାରେ ରାଷ୍ଟ୍ର ପ୍ରତି ଅନୁରୂପ ଆଭିମୁଖ୍ୟ ମୁଣ୍ତ ଟେକିବାକୁ ଆରମ୍ଭ କଲା, ଯାହାକୁ ଜାତୀୟତାବାଦ ବା ଦେଶଭକ୍ତି ବା ରାଷ୍ଟ୍ରବାଦ ରୂପେ ଅଭିହିତ କରାହୋଇ ଆସିଛି। ହର୍ଡର‌୍‌ ଭାଷା ଓ ସ˚ସ୍କୃତିକୁ ଏକ ଜାତିର ମୂଳ ଭିତ୍ତି ରୂପେ ଗ୍ରହଣ କରିଥିଲେ।

ହର୍ଡର‌୍‌ଙ୍କ ଦର୍ଶନରୁ ତୁରନ୍ତ ମିଳିଥିବା ଏକ ସୁଫଳକୁ କେବଳ ଜର୍ମାନୀ ନୁହେଁ, ଆନ୍ତର୍ଜାତିକ ସାହିତ୍ୟ ପ୍ରେମୀ ଓ ଶିଶୁ ପାଠକପାଠିକାମାନେ ଏବେ ବି ଉପଭୋଗ କରୁଛନ୍ତି। ‘ଗ୍ରିମ୍‌ସ ଫେଆରି ଟେଲ୍‌ସ’ର ପରୀ କାହାଣୀମାନଙ୍କରୁ ଯେଉଁମାନେ ଆନନ୍ଦ ପାଇଥିବେ (‘‘ସିଣ୍ତେରେଲା’, ‘ସ୍ନୋ ହ୍ବାଇଟ୍‌ ଆଣ୍ତ୍‌ ଦି ସେଭେନ୍‌ ଡ୍ବାର୍ଫ‌୍‌ସ’, ‘ହାନ୍‌ସେଲ୍‌ ଆଣ୍ତ୍‌ ଗ୍ରେଟେଲ୍‌’, ‘ଦି ପାଏଡ୍‌ ପାଇପର‌୍‌ ଅଫ୍‌ ହାମ୍‌ଲିନ୍‌’, … ଇତ୍ୟାଦି), ସେମାନେ ଏଥିପାଇଁ ହର୍ଡର‌୍‌ ପ୍ରସାର କରିଥିବା ଜାତୀୟତାବାଦକୁ ଧନ୍ୟବାଦ ଦେବା ଉଚିତ। କାରଣ ହର୍ଡର‌୍‌ଙ୍କ ଦର୍ଶନ ଦ୍ବାରା ହିଁ ଉଦ୍‌ବୁଦ୍ଧ ହୋଇ ତାଙ୍କର ସମସାମୟିକ ଗ୍ରିମ୍‌ ଭ୍ରାତା ଦ୍ବୟ (ଜେକବ୍‌ ଏବ˚ ଵିଲ୍‌ହେମ୍‌) ଜର୍ମାନ୍‌ ଲୋକକଥା ଓ ପରୀ କାହାଣୀମାନ ଲାଗିପଡ଼ି ସ˚ଗ୍ରହ କରି ସ˚କଳନ କରିଥିଲେ।

ଜାତୀୟତାବାଦ ଆରମ୍ଭର ଫଳ ଏଭଳି ମଧୁର ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହାର ତିକ୍ତ ଫଳ ସ୍ବରୂପ ଦୁଇ ଦୁଇଟି ବିଶ୍ବଯୁଦ୍ଧ ଘଟିବା ପରେ ଆନ୍ତର୍ଜାତିକ କୂଟନୈତିକ ପରିସରରେ ଏହା ବସ୍ତୁତଃ ଏକ ନିଷିଦ୍ଧ ଶବ୍ଦ ଏବ˚ ଉଦାରବାଦୀ ମହଲରେ ଏକ ଜଘନ୍ୟ ଅପରାଧରେ ପରିଣତ ହୋଇ ଯାଇଛି। ଜାତୀୟତାବାଦର ଉନ୍ମେଷ ସମୟରେ ସମ୍ପୂର୍ଣ୍ଣ ଅଭାବିତ ଭାବରେ ପରୀ କାହାଣୀ ସାହିତ୍ୟରେ ଯେପରି ଏହାର ସୁପ୍ରଭାବ ଅନୁଭୂତ ହୋଇଥିଲା, ଏବେ ସେହିପରି ଅଭାବିତ ଭାବରେ ପୃଥିବୀକୁ ଚୀନା କରୋନା ଗ୍ରାସ କରିବା ପରେ ଏଥିରୁ ମୁକ୍ତି ପାଇବା ପାଇଁ ହେଉଥିବା ପ୍ରାଣମୂର୍ଚ୍ଛା ଉଦ୍ୟମରେ ଏହାର କୁପ୍ରଭାବ ଅନୁଭୂତ ହେବାର ଆଶଙ୍କା ଦେଖା ଦେଇଛି। ଏକ ବିଡ଼ମ୍ବନା ଭଳି ଗତ ଶନିବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ (‘ହୁ’) ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଚେନ୍ନାଇସ୍ଥିତ ‘ଏସିଆନ୍‌ କଲେଜ୍‌ ଅଫ୍‌ ଜର୍ଣ୍ଣାଲିଜମ୍‌’ରେ ଏକ ସ୍ମାରକୀ ବକ୍ତୃତା ପ୍ରଦାନ କରିବା ଅବସରରେ ଚୀନା କରୋନାର ମୁକାବିଲା ପାଇଁ ଟିକା ଉଦ୍ଭାବନ ଆସନ୍ନ ପ୍ରାୟ ହୋଇଥିବା ବେଳେ ଏକ ‘ଟିକା ଜାତୀୟତାବାଦ’ର ଆବିର୍ଭାବ ପ୍ରତି ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ।

ଏହା ଏକ ବିଡ଼ମ୍ବନା ଏଇଥିପାଇଁ ଯେ ଚୀନ୍‌ରୁ ବାହାରି କରୋନା ଭୂତାଣୁ ଏକ ପୃଥିବୀ ବ୍ୟାପୀ ମହାମାରୀ ବା ପ୍ୟାଣ୍ତେମିକ୍‌ ସୃଷ୍ଟି କରିବା ପଛରେ ରହିଥିବା ଏକ ମୁଖ୍ୟ କାରଣ ହେଉଛି ‘ହୁ’ର କର୍ତ୍ତବ୍ୟରେ ଅବହେଳା। ଚୀନ୍‌ର ଗୋଡ଼ାଣିଆ ରୂପେ କୁଖ୍ୟାତ ‘ହୁ’ର ମୁଖ୍ୟ ଟ୍ରେଡ୍ରସ୍‌ ଗେବ୍ରେ ଯୀଶସ୍‌ ଆରମ୍ଭ ସମୟରେ ଚୀନ୍‌କୁ ଘଣ୍ଟ ଘୋଡ଼ାଇବା ପାଇଁ ତଥ୍ୟ ଗୋପନ ରଖିବାରୁ କରୋନା ଭୂତାଣୁ ଅବାଧରେ ଚୀନ୍‌ ବାହାରେ ପ୍ରସାର ଲାଭ କରି ପାରିଲା। ଏହି କାରଣରୁ ଆମେରିକା ‘ହୁ’ ସହିତ ସମ୍ପର୍କ ଛିନ୍ନ କରି ଦେଇଛି। ଏହା ଏକ ନିଷ୍ଠୁର ସ˚ଯୋଗ ଭଳି ମନେ ହୋଇପାରେ, କୋଭିଡ୍‌-୧୯ର ଅନୁଶୀଳନ କରୁଥିବା ଗବେଷକମାନେ (ଯେମିତି ‘ଦି ପ୍ୟାଣ୍ତେମିକ୍‌ ସେଞ୍ଚୁରି’ ପୁସ୍ତକର ରଚୟିତା ପ୍ରଫେସର ମାର୍କ ହୋନିଗ୍‌ସବାମ୍‌) ଗ୍ରିମ୍‌ ଭ୍ରାତାମାନଙ୍କର ଏକ ପ୍ରସିଦ୍ଧ କାହାଣୀକୁ ଅନୁସରଣ କରି ଏଭଳି ପ୍ୟାଣ୍ତେମିକ୍‌ ସୃଷ୍ଟି କରୁଥିବା କରୋନା ଭୂତାଣୁ ମାନଙ୍କର ନାମ ଦେଇଛନ୍ତି ‘ସିଣ୍ତେରେଲା’। ସେମାନଙ୍କୁ ହେୟଜ୍ଞାନ କରାଯାଏ, କିନ୍ତୁ ସେମାନେ ଚୀନା କରୋନା ଭଳି ଉଆସରୁ କୁଟୀର ପର୍ଯ୍ୟନ୍ତରେ ପ୍ରବେଶ କରି ପ୍ୟାଣ୍ତେମିକ୍‌ ସୃଷ୍ଟି କରି ପାରନ୍ତି। ହୋନିଗ୍‌ସବାମ୍‌ କହିଥିବା ଭଳି ଆମେ ହିଁ ଏ ଭୂତାଣୁମାନଙ୍କ ପାଇଁ ନୂତନ ଆଶ୍ରୟସ୍ଥଳୀ ସୃଷ୍ଟି କରି ଏବ˚ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନ କରିବାରେ ସହାୟତା କରି ସେମାନଙ୍କର ଜୟଯାତ୍ରାକୁ ସୁଗମ କରିଥାଉ। କୋଭିଡ୍‌-୧୯ ପ୍ୟାଣ୍ତେମିକ୍‌ କ୍ଷେତ୍ରରେ ଚୀନାମାନଙ୍କର ରାକ୍ଷସସୁଲଭ ଖାଦ୍ୟାଭ୍ୟାସ ଜଙ୍ଗଲୀ ଜନ୍ତୁଙ୍କ ଠାରେ ଥିବା କରୋନା ଭୂତାଣୁକୁ ମନୁଷ୍ୟ ଶରୀରରେ ଏକ ନୂତନ ଆଶ୍ରୟସ୍ଥଳୀ ଯୋଗାଇଥିବା ବେଳେ ‘ହୁ’ର ଅବହେଳା ଯୋଗୁଁ ଚୀନାମାନେ ଅବାଧରେ ଅନ୍ୟ ଦେଶମାନଙ୍କରେ ତା’ର ପ୍ରସାର ଘଟାଇ ଚାଲିଲେ।

ବର୍ତ୍ତମାନ ସୁଦ୍ଧା ଏହି ଚୀନା ଭୂତାଣୁ ପୃଥିବୀର କୋଣ ଅନୁକୋଣରେ ପ୍ରବେଶ କରି ପ୍ରାୟ ଦୁଇ କୋଟି ଲୋକଙ୍କୁ ସ˚କ୍ରମିତ କରିସାରିଲାଣି ଓ ପ୍ରାୟ ସାଢ଼େ ସାତଲକ୍ଷ ଲୋକଙ୍କର ପ୍ରାଣହାନି ଘଟାଇ ସାରିଲାଣି। ଏହି ମହାମାରୀକୁ ପରାହତ କରିବାର ଏକମାତ୍ର ଉପାୟ ହେଉଛି ମନୁଷ୍ୟ ଶରୀରରେ ଏହା ବିରୋଧରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିବା ପାଇଁ ଏକ ଟିକାର ଉଦ୍ଭାବନ। ସୌମ୍ୟା ସ୍ବାମୀନାଥନ୍‌ ସେଠାରେ ପ୍ରକାଶ କରିଥିଲେ ଯେ ପୃଥିବୀର ବିଭିନ୍ନ ଦେଶରେ ମୋଟ ପ୍ରାୟ ୨୦୦ଟି ଟିକା ତିଆରି ଉଦ୍ୟମ ଜାରି ରହିଛି ଏବ˚ ସେଥିରୁ ୨୭ଟି ମନୁଷ୍ୟ ଶରୀରରେ ପରୀକ୍ଷା ବା କ୍ଲିନିକାଲ୍‌ ଟ୍ରାଏଲ ଅବସ୍ଥାରେ ଅଛନ୍ତି। ଏହି ଟିକାଗୁଡ଼ିକର ପରୀକ୍ଷା ସମ୍ପୂର୍ଣ୍ଣ ହେବା ପାଇଁ ୬ରୁ ୯ ମାସ ପର୍ଯ୍ୟନ୍ତ ଲାଗିବ ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ସ୍ବାମୀନାଥନ୍‌ ଏକ ଟିକା ଜାତୀୟତାବାଦର ପଦଶବ୍ଦ ଶୁଭିବାକୁ ଆରମ୍ଭ କଲାଣି ବୋଲି ଚିନ୍ତା ପ୍ରକଟ କରିଛନ୍ତି। ଯେଉଁ ଦେଶରେ ଟିକା ଉତ୍ପାଦିତ ହେବ ସେ ଦେଶ ଏକ ଜାତୀୟତାବାଦୀ ଆଭିମୁଖ୍ୟ ଗ୍ରହଣ କରି ଯଦି ପ୍ରଥମେ ନିଜ ଦେଶର ସମଗ୍ର ଜନସ˚ଖ୍ୟାର ଟିକାକରଣ ଆବଶ୍ୟକତା ପୂରଣ କଲା ପରେ ଯାଇ ଅନ୍ୟ ଦେଶ ପାଇଁ ତାହା ଉପଲବ୍‌ଧ କରାଇବ, ତା’ହେଲେ ମାନବ ସମାଜ ପ୍ରତି ଏହା ଘୋର ଅନ୍ୟାୟ ହେବ ବୋଲି ସ୍ବାମୀନାଥନ୍‌ ସତର୍କ କରାଇ ଦେଇଛନ୍ତି। କାରଣ ଏକ ଜନସ˚ଖ୍ୟାରେ ପ୍ରତ୍ୟେକ ବ୍ୟକ୍ତିର ଟିକା ଗ୍ରହଣ ଆବଶ୍ୟକତା ସମାନ ନୁହେଁ। ସେ କହିଛନ୍ତି ଯଦି ୨୦୨୧ ଆରମ୍ଭ ସମୟରେ ମାତ୍ର କେତେ ଶହ ନିୟୁତ ଟିକା ଉପଲବ୍‌ଧ ହୋଇଥାଏ, ତେବେ ପ୍ରଥମେ ପୃଥିବୀ ସାରାର ସ୍ବାସ୍ଥ୍ୟକର୍ମୀ, ସାମାଜିକ କର୍ମୀ, ପୁଲିସ ଆଦି ଛାମୁହାଁ କୋଭିଡ୍‌ ଯୋଦ୍ଧାମାନଙ୍କ ମଧୢରେ ତାହାର ବଣ୍ଟନ କଲା ପରେ ଯାଇ ଜନସ˚ଖ୍ୟାର ଅନ୍ୟାନ୍ୟ ଅପେକ୍ଷାକୃତ କମ୍‌ ବିପଦଗ୍ରସ୍ତ ତଥା ଅଧିକ ସ୍ବାସ୍ଥ୍ୟବାନ୍‌ ସଦସ୍ୟମାନଙ୍କ ପାଇଁ ତାହା ଉପଲବ୍‌ଧ କରାଯିବା ଉଚିତ।

ଏହା ଯେ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତି ଚିନ୍ତାଧାରା, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ କେତେକ ଦେଶର ନେତାମାନେ ନିଜର ରାଜନୈତିକ ବାଧୢବାଧକତାର ଊର୍ଦ୍ଧ୍ବକୁ ଉଠି ସୌମ୍ୟାଙ୍କ ଉପଦେଶକୁ ବା ସୌମ୍ୟା ସୂତ୍ରକୁ କାର୍ଯ୍ୟକାରୀ କରିପାରିବେ, ତାହା ସନ୍ଦେହଜନକ। ଯଦି ‘ହୁ’ର ନିଜର ନୈତିକି ଶକ୍ତି ଅତି ଉଚ୍ଚ ହୋଇଥା’ନ୍ତା, ତେବେ ହୁଏତ ତା’ର ଡାକ ଶୁଣି ସଦସ୍ୟ ଦେଶମାନେ ଏହି ଆଦର୍ଶ ଟିକା ବଣ୍ଟନ ନୀତି ଅବଲମ୍ବନ କରନ୍ତେ; କିନ୍ତୁ ଚୀନ୍‌ ପ୍ରତି ଏକ ଅତିରିକ୍ତ ଆନୁଗତ୍ୟ ପ୍ରଦର୍ଶନ କରି ‘ହୁ’ ନିଜର ନୈତିକ ବଳ ଏପରି ହରାଇ ସାରିଛି ଯେ, ଏହାର ଆହ୍ବାନକୁ କେହି କର୍ଣ୍ଣପାତ କରିବାର ସମ୍ଭାବନା କ୍ଷୀଣ, ଯେମିତି ଆମେରିକା।

ଖୋଦ୍‌ ଚୀନ୍‌ରେ ମଧୢ ଟିକା ତିଆରି ପାଇଁ ପ୍ରବଳ ଉଦ୍ୟମ ଚାଲିଛି। ‘ହୁ’ ଏହି ଆଦର୍ଶ ଟିକା ବଣ୍ଟନ ନୀତି ଅନୁସରଣ କରିବା ପାଇଁ ଚୀନ୍‌କୁ ଯଦି ରାଜି କରାଇ ପାରନ୍ତା, ତେବେ ବର୍ତ୍ତମାନର ବିଶ୍ବ ମହାମାରୀ ପ୍ରସାରରେ ନିଜର ଭୂମିକା ଯୋଗୁଁ ଅର୍ଜନ କରିଥିବା ପାପର କିଛି ମାତ୍ରାରେ ପ୍ରକ୍ଷାଳନ ଘଟନ୍ତା। ଉଲ୍ଲେଖଯୋଗ୍ୟ ‘ହୁ’ର ଉପଦେଶକୁ ଅପେକ୍ଷା ନ କରି ଭାରତ ସରକାର ଟିକା ବଣ୍ଟନ ନୀତି ନିର୍ଦ୍ଧାରଣ ପାଇଁ ଯେଉଁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି, ତାହା ଏହିଭଳି ଏକ ଦାୟିତ୍ବବାନ୍‌ ପଥ ଅନୁସରଣ କରିବାର ସୂଚନା ମିଳୁଛି।

ସମ୍ବନ୍ଧିତ ଖବର