ସାଉଁଟିଲା କାଣ୍ତ

ଓଡ଼ିଆରେ ଏକ ଢଗ ଅଛି: ‘ସାଉଁଟିଲା କାଣ୍ତ ଯୁଦ୍ଧକୁ ଅଣ୍ଟେନା।’ ଅର୍ଥାତ୍‌ ପୂର୍ବରୁ ଯଦି ଯଥେଷ୍ଟ ସ˚ଖ୍ୟକ ତୀର ତିଆରି କରି ତୂଣୀର ଭର୍ତ୍ତି କରାଯାଇ ନଥିବ, ତେବେ ଯୁଦ୍ଧ କ୍ଷେତ୍ରରେ ପଡ଼ିଥିବା ତୀର ଗୋଟାଇ ବ୍ୟବହାର କରି କେହି ଯୁଦ୍ଧ ଜିତି ପାରିବ ନାହିଁ। ଆଜିର ଭାଷାରେ କହିଲେ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭର ନହେଲେ ଯୁଦ୍ଧରେ ଜୟଲାଭ କରିବା ସହଜ ନୁହେଁ। ଅସ୍ତ୍ରଶସ୍ତ୍ର ପାଇଁ ବିଦେଶ ଉପରେ ନିର୍ଭର କରିବା ଯାହା ରଣ କ୍ଷେତ୍ରରୁ କାଣ୍ତ ଗୋଟାଇ ଯୁଦ୍ଧ କରିବା ତାହା।

ଏହି ସତ୍ୟକୁ ଅନୁସରଣ କଲା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତ ଅଭିଯାନର ଅ˚ଶ ସ୍ବରୂପ ଗତ ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ପର୍ଯ୍ୟାୟକ୍ରମେ ୧୦୧ଟି ପ୍ରତିରକ୍ଷା ସାମଗ୍ରୀର ଆମଦାନି ନିଷେଧ ଘୋଷଣା କରିଛି। ପ୍ରତିବର୍ଷ ସେ ବର୍ଷ କେଉଁ କେଉଁ ସାମଗ୍ରୀର ଆମଦାନି ବନ୍ଦ ହେବ, ତାହା ବିଜ୍ଞପିତ ହେବ ଏବ˚ ଆସନ୍ତା ଚାରି ବର୍ଷ ମଧୢରେ ସମସ୍ତ ୧୦୧ଟି ଯାକ ସାମଗ୍ରୀର ଆମଦାନି ବନ୍ଦ ହୋଇ ସେ ସବୁ ଘରୋଇ ଉତ୍ପାଦନକାରୀଙ୍କଠାରୁ ସ˚ଗୃହୀତ ହେବ। ଏହା ଫଳରେ ଆସନ୍ତା ଛ’ସାତ ବର୍ଷ ମଧୢରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଦେଶ ଭିତରେ ହିଁ ଉତ୍ପାଦିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ, ବୈଦେଶିକ ମୁଦ୍ରା ଖର୍ଚ୍ଚ ହ୍ରାସ କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବଜାରରେ ଚାହିଦା ବୃଦ୍ଧି କରିବ ଏବ˚ ଶେଷରେ ଭାରତ ଏକ ୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବାରେ ସହାୟକ ହେବ ବୋଲି ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରି ଏହାକୁ ସ୍ବାଗତ କରିଛନ୍ତି। ଯେଉଁ ସମସ୍ତ ସାମଗ୍ରୀ ଏହି ତାଲିକାରେ ଅନ୍ତର୍ଭୁକ୍ତ, ସେଥି ମଧୢରୁ କେତେକ ହେଲେ ସ୍ବୟ˚ଚାଳିତ କମାଣ, ବହୁନଳୀବିଶିଷ୍ଟ ରକେଟ୍‌ ଲଞ୍ଚର‌୍‌, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ଓ ହେଲ୍‌ମେଟ୍‌, ଅନେକ ପ୍ରକାର ଯୁଦ୍ଧ ଜାହାଜ, ହାଲୁକା ଲଢ଼ୁଆ ବିମାନ, ହାଲୁକା ଲଢ଼ୁଆ ହେଲିକପ୍‌ଟର‌୍‌, ମାଲ ପରିବହନକାରୀ ଯାନ ଇତ୍ୟାଦି। କ୍ରମେ ପାରମ୍ପରିକ ବୁଡ଼ାଜାହାଜରୁ ଦୂରଗାମୀ କ୍ଷେପଣାସ୍ତ୍ରମାନ ମଧୢ ନିଷିଦ୍ଧ ତାଲିକା ଅନ୍ତର୍ଭୁକ୍ତ ହୋଇ ସେ ସବୁ କେବଳ ଦେଶ ଭିତରେ ହିଁ ନିର୍ମିତ ହେବ। ତେବେ ଉଲ୍ଲେଖଯୋଗ୍ୟ ଯେ ଏପରି ନୁହେଁ କି ତାଲିକାରେ ଥିବା ସମସ୍ତ ୧୦୧ଟି ଯାକ କିସମର ପ୍ରତିରକ୍ଷା ସାମଗ୍ରୀ ବର୍ତ୍ତମାନ ବିଦେଶରୁ ଆମଦାନି ହେଉଛି ଏବ˚ ଏଣିକି ତାହା ଦେଶ ଭିତରୁ ହିଁ ସ˚ଗୃହୀତ ହେବ।

ପ୍ରକୃତ ପକ୍ଷେ ସେଥି ମଧୢରୁ ଅନେକ ସାମଗ୍ରୀ ଏବେ ଦେଶ ଭିତରେ ହିଁ ଉତ୍ପାଦିତ ହେଉଛି। ଭାରତୀୟ ସେନାବାହିନୀରେ ବ୍ୟବହୃତ ହେଉଥିବା ପ୍ରାୟ ସମସ୍ତ ସ୍ଥଳ ପରିବହନ ଯାନମାନ ଭାରତର ମଟର ଗାଡ଼ି ଶିଳ୍ପ ଦ୍ବାରା ହିଁ ଉତ୍ପାଦିତ ହେଉଛି। ସ୍ବୟ˚ଚାଳିତ କମାଣ ଲାର୍ସେନ୍‌ ଆଣ୍ତ୍‌ ଟୁବ୍ରୋ କମ୍ପାନି ତିଆରି କରି ସେନାବାହିନୀକୁ ଯୋଗାଇ ଥାଏ। ଘରୋଇ କମ୍ପାନିମାନଙ୍କ ସହିତ ମିଳିତ ହୋଇ ଭାରତର ମର୍ଯ୍ୟାଦାଜନକ ‘ଡିଆର‌୍‌ଡିଓ’ ସାମରିକ ଗବେଷଣା ସ˚ସ୍ଥା ଏଠାରେ ବହୁନଳୀ ବିଶିଷ୍ଟ ରକେଟ୍‌ ଲଞ୍ଚର‌୍‌ ଓ ଟଣା ହେଉଥିବା କମାଣ ନିର୍ମାଣ କରିବା ପଥରେ ଆଗେଇ ଚାଲିଛି। ନିକଟ ଅତୀତରେ ଭାରତୀୟ ନୌବାହିନୀରେ ପ୍ରବେଶ କରିଥିବା ଅଧିକା˚ଶ ଯୁଦ୍ଧ ଜାହାଜ ଓ ବୁଡ଼ା ଜାହାଜ ଭାରତରେ ହିଁ ନିର୍ମିତ ହୋଇଛି। ଭାରତୀୟ ସେନାବାହିନୀରେ ବ୍ୟବହୃତ ହେଉଥିବା ଅର୍ଜୁନ ଓ ଟି-୯୦ ଆଦି ସମସ୍ତ ଟ୍ୟାଙ୍କ୍‌ ମାନ ଭାରତରେ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଉତ୍ପାଦିତ ହେଉଛି। ରାଷ୍ଟ୍ରାୟତ୍ତ ହିନ୍ଦୁସ୍ଥାନ୍‌ ଏରୋନଟିକ୍‌ସ ଲିମିଟେଡ୍‌ ସୁଖୋଇ, ମିଗ୍‌ ଯୁଦ୍ଧବିମାନ ନିର୍ମାଣ କରିବା ସହିତ ଜାଗୁଆର‌୍‌, ମିରାଜ ଆଦି ଯୁଦ୍ଧ ବିମାନର କ୍ଷମତା ବୃଦ୍ଧି କରିବା ପାଇଁ ଆବଶ୍ୟକ ପରିବର୍ତ୍ତନମାନ କାର୍ଯ୍ୟକାରୀ କରୁଛି। ଅଗ୍ନିରୁ ବ୍ରହ୍ମୋସ୍‌ ପର୍ଯ୍ୟନ୍ତ ବିଭିନ୍ନ କ୍ଷମତାବିଶିଷ୍ଟ କ୍ଷେପଣାସ୍ତ୍ରମାନ ଡିଆର‌୍‌ଡିଓ ଦ୍ବାରା ଦେଶରେ ହିଁ ଉତ୍ପାଦିତ ହେଉଛି। ଏଥିରେ ଅତି ଦୂରଗାମୀରୁ ଆରମ୍ଭ କରି ମଧୢମ ଦୂରଗାମୀ, ଭୂମିରୁ ଆକାଶ, ଆକାଶରୁ ଆକାଶ ଲକ୍ଷ୍ୟଭେଦ କରିପାରୁଥିବା ପାରମ୍ପରିକ ଓ ଆଣବିକ କ୍ଷେପଣାସ୍ତ୍ର ମାନ ଅନ୍ତର୍ଭୁକ୍ତ। ସରକାର ଏବେ ଯେଉଁ ନୂତନ କାଣ୍ତ ସ˚ଗ୍ରହ ଅଭିଯାନ ବିଜ୍ଞପିତ କରିଛନ୍ତି, ତାହା ଯେଉଁଥିପାଇଁ ଗୁରୁତ୍ବ ବହନ କରିଥାଏ, ତାହା ହେଲା ଉପରୋକ୍ତ ଘରୋଇ ସ˚ଗ୍ରହ ବ୍ୟବସ୍ଥାକୁ ବିଧିବଦ୍ଧ ସ୍ଥାୟିତ୍ବ ପ୍ରଦାନ କରିବା। ଅର୍ଥାତ୍‌, କ୍ରମେ ଏହି ୧୦୧ଟି ସାମଗ୍ରୀ ମଧୢରୁ କୌଣସିଟିକୁ ଆଦୌ ବିଦେଶରୁ ଆମଦାନି କରାଯାଇପାରିବ ନାହିଁ। ଉପରେ ଉଲ୍ଲେଖ କରାଯାଇଥିବା ଅନେକ କାରଣରୁ ସରକାରଙ୍କର ଏହି ନିଷ୍ପତ୍ତି ଅତ୍ୟନ୍ତ ସମୟୋପଯୋଗୀ ଓ ସ୍ବାଗତଯୋଗ୍ୟ,ଏଥିରେ ସନ୍ଦେହ ନାହିଁ। ବିଶେଷ କରି ସୀମାନ୍ତରେ ଚୀନ୍‌ର ସଦ୍ୟତମ ସାମରିକ ଶକ୍ତି ପ୍ରଦର୍ଶନ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଯେ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇପଡ଼ିଛି, ଏହା ହୃଦୟଙ୍ଗମ କରିବା ପାଇଁ ବିଶେଷ ସାମରିକ ଜ୍ଞାନର ଆବଶ୍ୟକତା ନାହିଁ। କିନ୍ତୁ ଏକ କଲମର ଗାର ଦ୍ବାରା ଏପରି ନିର୍ଦ୍ଦେଶ ଜାରି କରି ଦେବା ଯେପରି ସିଧାସଳଖ ମନେହୁଏ, ବ୍ୟାପାରଟି ପ୍ରକୃତରେ ସେତିକି ସିଧାସଳଖ ନୁହେଁ। ଏକ ଉଦାହରଣ ସ୍ବରୂପ ଦେଶରେ ନିର୍ମିତ ହେଉଥିବା ବିଭିନ୍ନ ଯୁଦ୍ଧ ସାମଗ୍ରୀ ପଛରେ ନିହିତ ଥିବା ପ୍ରକୃତ ଶତ୍ରୁ ଉପରେ ଦୃଷ୍ଟିପାତ କରାଯାଉ। ଏଥିରୁ ଅଧିକା˚ଶ କୌଣସି ବିଦେଶୀ କମ୍ପାନି ଠାରୁ ଅଣାଯାଇଥିବା ଜ୍ଞାନକୌଶଳ ବ୍ୟବହାର ଉପରେ ନିର୍ଭରଶୀଳ। ଅନେକ ସମୟରେ ଉତ୍ପାଦନରେ ବ୍ୟବହୃତ ଯନ୍ତ୍ରା˚ଶମାନ ବିଦେଶୀ କମ୍ପାନିମାନଙ୍କ ଠାରୁ ଅଣାଯାଇଥାଏ। ଅତଏବ ଏକ ହେଲିକପ୍‌ଟର‌୍‌ ବା କମାଣ ଦେଶରେ ନିର୍ମିତ ହୋଇଥିଲେ ହେଁ ଏଥିରେ ଏକ ବୃହତ୍‌ ଅନୁପାତର ବିଦେଶୀ ଯନ୍ତ୍ରା˚ଶ ଓ ଜ୍ଞାନକୌଶଳ ବ୍ୟବହୃତ ହେବା ଦେଖାଯାଇଥାଏ।

ଏହାର ତାତ୍ପର୍ଯ୍ୟ କେବଳ କଥାରେ ସୀମିତ ନୁହେଁ। ଏହି ବିଦେଶୀ ଜ୍ଞାନକୌଶଳ ଓ ଯନ୍ତ୍ରା˚ଶ ବ୍ୟବହାର ପାଇଁ ଆମର ଘରୋଇ ଉତ୍ପାଦନକାରୀ ସମ୍ପୃକ୍ତ ବିଦେଶୀ କମ୍ପାନିମାନଙ୍କୁ ଆବଶ୍ୟକ ମୂଲ୍ୟ ପ୍ରଦାନ କରିଥାନ୍ତି। ଏକ ବିଶେଷଜ୍ଞ ଆକଳନ ଅନୁସାରେ ଦେଶରେ ନିର୍ମିତ ଅନେକ ଯୁଦ୍ଧ ସାମଗ୍ରୀର ମୂଲ୍ୟର ପ୍ରାୟ ଅଧା ବିଦେଶୀ ଛାପା ବହନ କରିଥାଏ। ଏ ସମ୍ବନ୍ଧରେ ଏକ ସ୍ଥୂଳ ଧାରଣା କରିବା ପାଇଁ କୁହାଯାଇପାରେ ଯେ ଏହି ଅନୁପାତ ଅନୁସାରେ ଦେଶରେ ଉତ୍ପାଦିତ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ଉଦ୍ଦେଶ୍ୟରେ ଚଳିତ ପ୍ରତିରକ୍ଷା ବଜେଟ୍‌ରେ ନିର୍ଦ୍ଦିଷ୍ଟ ଭାବରେ ରଖାଯାଇଥିବା ୫୨,୦୦୦ କୋଟି ଟଙ୍କା ସରକାର ଖର୍ଚ୍ଚ କଲା ପରେ ଦେଖାଯିବ ଯେ ତାହାର ଅଧାରୁ ଅଧିକ ଚାଲିଯିବ ବିଦେଶୀ ଯନ୍ତ୍ରା˚ଶ, ପ୍ରବିଧି ଆଦି ଯୋଗାଣକାରୀଙ୍କ ପକେଟ୍‌କୁ। ଅର୍ଥାତ୍‌ ଆତ୍ମ ନିର୍ଭରତା ହାସଲ କରିବା ପାଇଁ ଉଦ୍ଦିଷ୍ଟ ବଜେଟ୍‌ର ଅଧା ଖର୍ଚ୍ଚ ହୋଇଯିବ ପର ନିର୍ଭରତା ବାବଦରେ। ବୁଝାଇବା ଅନାବଶ୍ୟକ ଯେ ଏଭଳି ପରିସ୍ଥିତି ଥିବା ପର୍ଯ୍ୟନ୍ତ ଆମେ ଆମର ମହତ୍‌ ଲକ୍ଷ୍ୟ ପ୍ରତିରକ୍ଷା ପ୍ରସ୍ତୁତିରେ ପ୍ରକୃତ ଆତ୍ମନିର୍ଭରତା ହାସଲ କରିପାରିବା ନାହିଁ।

ତେବେ ଏହା ମଧୢ ସତ ଯେ ରାତାରାତି ଏହି ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ସରକାର ଯୋଜନାବଦ୍ଧ ଭାବରେ ଦେଶରେ ଉଚ୍ଚମାନର ପ୍ରତିରକ୍ଷା ଗବେଷଣା ଓ ଜ୍ଞାନକୌଶଳ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସମୟ ଲାଗିବା ନିଶ୍ଚିତ। ଆମର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଉଦ୍ୟମ ମଧୢ ଯେପରି ଆମର ତାତ୍‌କାଳିକ ପ୍ରତିରକ୍ଷା ପ୍ରସ୍ତୁତିରେ ବାଧକ ନ ସାଜେ, ସେଥିପ୍ରତି ଧୢାନ ଦିଆଯିବା ମଧୢ ଜରୁରୀ। ଦେଶର ସୁରକ୍ଷା ପ୍ରତି ସାମାନ୍ୟ ଆଞ୍ଚ ନ ଆସିବା ପାଇଁ ଆମ ସେନାବାହିନୀ ହାତରେ ଅବିଳମ୍ବେ ସର୍ବୋତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ଉପଲବ୍‌ଧ ହେବା ଜରୁରୀ। ସମ୍ପୂର୍ଣ୍ଣ ଆତ୍ମନିର୍ଭରତା ଏହି ଜରୁରୀ ଆବଶ୍ୟକତା ପୂରଣ ସହିତ ଖାପ୍‌ ଖାଇ ନ ଥାଏ। ଯଦି ଆଭ୍ୟନ୍ତରୀଣ ଯୋଗାଣ ଅନିବାର୍ଯ୍ୟ କାରଣ ବଶତଃ ବିଳମ୍ବିତ ହୁଏ, ତେବେ ସରକାର ସ୍ବଘୋଷିତ ନୀତିରେ ବାନ୍ଧି ହୋଇ ନିଜକୁ ଅସହାୟ ନ କରି, ବିଦେଶରୁ ଆମଦାନି କରି ତାତ୍‌କାଳିକ ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ ରହିବା ମଧୢ ଉଚିତ୍‌। କାଣ୍ତ ସାଉଁଟିବା ଏକ ନୀତି ନ ହୋଇପାରିଲେ ମଧୢ, ବେଳେବେଳେ ସାଉଁଟିବା କାଣ୍ତ ଦ୍ବାରା ଶତ୍ରୁକୁ ନିଧନ କରାଯାଇପାରେ।

ସମ୍ବନ୍ଧିତ ଖବର