ରଷିଆନ ରୁଲେଟ୍!

ଏହି ସ୍ତମ୍ଭର ଏହିଭଳି ଅନେକ ପାଠକପାଠିକା ଥିବେ ଯେଉଁମାନେ ‘ରଷିଆନ ରୁଲେଟ୍‌’ ନାମକ ଏକ ଅତ୍ୟନ୍ତ ବିପଜ୍ଜନକ ପ୍ରାଣଘାତୀ ଖେଳ ବିଷୟରେ ଜାଣିଥିବେ। ସେମାନେ ଜାଣିଥିବେ ଯେ ରୁଷିଆରେ ଜନ୍ମ ନେଇଥିବା ଏହି ଖେଳରେ କିଭଳି ଗୋଟିଏ ରିଭଲଭରର ବୁଲେଟ୍‌ ଚ୍ୟାମ୍ବରର ଛଅଟି ଖୋପ ଭିତରୁ ଗୋଟିକରେ ବୁଲେଟ୍‌ଟିଏ ଭର୍ତ୍ତି କରାଯାଇ ସିଲିଣ୍ତରଟିକୁ ଜୋରରେ ଘୂରାଇ ଦିଆଯାଏ (ସୋଲେ ଚଳଚ୍ଚିତ୍ରରେ ଗବ୍‌ବର ସି˚ହ କରିଥିବା ଭଳି) ଏବ˚ ତା’ ପରେ ରିଭଲଭରର ନଳିକୁ କପାଳ ଉପରେ ରଖି ଖେଳରେ ଭାଗ ନେଇଥିବା ବ୍ୟକ୍ତି ଟ୍ରିଗାର ଦବାଇ ଥାଆନ୍ତି। ଚ୍ୟାମ୍ବରର ଛଅଟି ଖୋପ ଭିତରୁ କେବଳ ଗୋଟିକରେ ବୁଲେଟ୍‌ ଥିବାରୁ ତାହା ଥରେ ମାତ୍ର ଫୁଟିବା ଲାଗି ପ୍ରସ୍ତୁତ ଥାଏ; କିନ୍ତୁ ସିଲିଣ୍ତରକୁ ଘୂରାଇ ଦିଆଯାଇଥିବାରୁ କେଉଁ ଥର ତାହା ଫୁଟିବ ସେ ନେଇ ଅନ୍ତତଃ ପାଞ୍ଚଟି ସମ୍ଭାବନା ସୃଷ୍ଟି ହୋଇଥାଏ; ପ୍ରତି ଥର ଟ୍ରିଗାର ଚିପିବା ସହିତ ଗୋଟିଏ ଗୋଟିଏ କରି ଖୋପ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସି ରିଭଲଭରଟି କାମ ଦେଖାଇବ (ଗୁଳି ଭରା ଖୋପଟି ଆସିଗଲେ ତାହା ଫୁଟିଥାଏ) ନା ନାହିଁ ତାହା ଧାର୍ଯ୍ୟ କରିଥାଏ। ସୁତରା˚ ‘ରଷିଆନ ରୁଲେଟ୍‌’ ଖେଳୁଥିବା ବ୍ୟକ୍ତି ଜିଇବା ଓ ମରିବାର ସୂକ୍ଷ୍ମ ସମ୍ଭାବନା ଭିତର ଦେଇ ଗତି କରିଥାଏ। ଏହି ପରିପ୍ରେକ୍ଷୀରେ ଅନେକ ବିଜ୍ଞ ବ୍ୟକ୍ତି ରୁଷିଆ ଦ୍ବାରା ସର୍ବପ୍ରଥମେ ବିକଶିତ କରାଯାଇଥିବା କରୋନା ଭ୍ୟାକସିନକୁ ଏହିଭଳି ଏକ ସମ୍ଭାବନା ଉପରେ ପର୍ଯ୍ୟବସିତ ଖେଳର ଅ˚ଶ ରୂପେ ଦେଖିଥାଆନ୍ତି, ଯାହାର ସାମଞ୍ଜସ୍ୟ ‘ରଷିଆନ ରୁଲେଟ୍‌’ ସହିତ ରହିଛି। ତେବେ, ଏଭଳି ଏକ ଧାରଣା କାହିଁକି ସୃଷ୍ଟି ହୋଇଛି, ତାହା ଏକ ସ˚କ୍ଷିପ୍ତ ଆଲୋଚନାର ଅପେକ୍ଷା ରଖେ।

ସ˚ପ୍ରତି କରୋନା ପ୍ରପୀଡ଼ିତ ପୃଥିବୀରେ ସମସ୍ତେ ଅତ୍ୟନ୍ତ ଅସହାୟ ଭାବେ ସତୃଷ୍ଣ ନୟନରେ ଏକ ଭ୍ୟାକସିନ (ପ୍ରତିଷେଧକ) ଲାଗି ପ୍ରତୀକ୍ଷା କରିଥିବା ବେଳେ ରୁଷିଆ ଗଲା ୧୧ ତାରିଖରେ ସର୍ବ ପ୍ରଥମେ ‘ସ୍ପୁତ୍‌ନିକ୍‌-୫’ (sputnik-V) ନାମକ ଭ୍ୟାକସିନକୁ ନେଇ ଆବିର୍ଭୂତ ହୋଇଛି। ଯଦିଓ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଆଶାର ଏକ ତରଙ୍ଗ ସୃଷ୍ଟି କରିଛି, ତେବେ ଏହାର ଫଳପ୍ରଦତା ନେଇ ବିଭିନ୍ନ ବୈଜ୍ଞାନିକ ଓ ଗବେଷକଙ୍କ ମଧୢରେ ସନ୍ଦେହ ମଧୢ ଉତ୍ପନ୍ନ ହୋଇଛି। ତେବେ ଏଭଳି ସନ୍ଦେହର କାରଣ କ’ଣ ହୋଇପାରେ? ପାଶ୍ଚାତ୍ୟ ଦେଶଗୁଡ଼ିକ ଭ୍ୟାକସିନ ପ୍ରସ୍ତୁତିରେ ପ୍ରଥମେ ସାଫଲ୍ୟ ହାସଲ କରିବାରେ ଅସମର୍ଥ ହେବା ଜନିତ ବୌଦ୍ଧିକ ଈର୍ଷାର ଏହା କ’ଣ ଏକ ସୂଚନା? କିନ୍ତୁ ଟିକିଏ ତର୍ଜମା କଲେ ଏହା ପଛରେ ନିହିତ ଏକାଧିକ କାରଣ ଦୃଷ୍ଟିଗୋଚର ହୋଇଥାଏ।

ତହିଁରୁ ପ୍ରଥମ କାରଣଟି ହେଲା ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କ ଉପରେ ଏହି ଭ୍ୟାକସିନର ପରୀକ୍ଷାମୂଳକ ପ୍ରୟୋଗ ଓ ତହିଁରୁ ଉପଲବ୍‌ଧ ନିଷ୍କର୍ଷ ତଥା ପ୍ରୟୋଗର ପରିସରଗତ ବ୍ୟାପକତା ନେଇ ବିଶେଷ କୌଣସି ତଥ୍ୟ ବା ସୂଚନା କୌଣସି ସମ୍ମାନାସ୍ପଦ ଗବେଷଣାମୂଳକ ପତ୍ରପତ୍ରିକାରେ ପ୍ରକାଶିତ ହୋଇନାହିଁ ବା ସମଗୋତ୍ରୀ ଗବେଷକ ବା ବିଶାରଦମାନଙ୍କ ଦ୍ବାରା ପରୀକ୍ଷାନିରୀକ୍ଷା ବା ଚର୍ଚ୍ଚା ଲାଗି ଉନ୍ମୁକ୍ତ ହୋଇ ନାହିଁ। ସୁତରା˚, ଏହାର ପାର୍ଶ୍ବ ପ୍ରତିକ୍ରିୟା ବା ଦୀର୍ଘମିଆଦୀ ବିପଜ୍ଜନକ କୁପ୍ରଭାବ ଇତ୍ୟାଦି ନେଇ କୌଣସି ସ୍ପଷ୍ଟ ଧାରଣା ଉପଲବ୍‌ଧ ନାହିଁ। ତେଣୁ, ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ମଧୢ ଏହାର ବ୍ୟବହାର ନେଇ ସଜାଗତା ଅବଲମ୍ବନ କରାଯିବା ଉପରେ ଗୁରୁତ୍ବ ଆରୋପ କରାଯାଇଛି।

ଦ୍ବିତୀୟ କାରଣଟି ନିହିତ ରହିଛି ଭ୍ୟାକସିନର ନାମକରଣରେ। ସ୍ମରଣ କରାଯାଇପାରେ କି ଗଲା ଷଷ୍ଠ ଦଶକ କାଳରେ ଶୀତଳ ଯୁଦ୍ଧର ସାନ୍ଦ୍ର ଘନଘଟା ଭିତରେ ତତ୍କାଳୀନ ସୋଭିଏତ୍‌ ରୁଷ ଏବ˚ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା କ୍ଷେତ୍ରରେ ଚାଲିଥିବା ଅତ୍ୟନ୍ତ ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ‘ସ୍ପୁତ୍‌ନିକ୍‌-୫’ ଥିଲା ସୋଭିଏତ୍‌ ରୁଷର ବିଜୟର ପ୍ରତୀକ। ସେହି ସମୟରେ ସର୍ବପ୍ରଥମେ ଅନ୍ତରୀକ୍ଷ ପ୍ରବେଶ କରିବାରେ ‘ସ୍ପୁତ୍‌ନିକ୍‌’ ଶୃଙ୍ଖଳାର ଚତୁର୍ଥ ଏବ˚ ପଞ୍ଚମ ମହାକାଶ ଯାନ ସଫଳତା ଲାଭ କରିଥିଲା। ବିଶେଷ କରି ‘ସ୍ପୁତ୍‌ନିକ୍‌-୫’ ଗୋଟିଏ ମନୁଷ୍ୟାକାରର କଣ୍ଢେଇ ଏବ˚ ଗୋଟିଏ କୁକୁରକୁ ଧାରଣ କରି ମହାକାଶ ଯାଇ ସେଠାରୁ ସଫଳତା ପୂର୍ବକ ଭୂପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଥିଲା। ସୁତରା˚, ସେହି ‘ସ୍ପୁତ୍‌ନିକ-୫’ର ଅପୂର୍ବ ସଫଳତାର ପୁନରାବୃତ୍ତିକୁ ପ୍ରଦର୍ଶିତ କରିବା ସକାଶେ ଭ୍ୟାକସିନଟିର ନାମ ‘ସ୍ପୁତ୍‌ନିକ-୫’ ରଖାଯାଇଛି ବୋଲି କହିଲେ ଆଦୌ କୌଣସି ଭୁଲ ହେବନାହିଁ। କିନ୍ତୁ ଏଥିରେ ଯେଉଁ ବିଡ଼ମ୍ବନାଟି ପ୍ରତୀୟମାନ ହୋଇଛି ତାହା ହେଲା ସର୍ବପ୍ରଥମେ ପ୍ରତିଷେଧକ ପ୍ରସ୍ତୁତ କରିବାର ପ୍ରତିଦ୍ବନ୍ଦ୍ବିତାରେ ମାତି କେତେକ ନିର୍ଦ୍ଧାରିତ ଏବ˚ ଅତ୍ୟନ୍ତ ଜରୁରୀ ନିୟମର ଅନୁସରଣ କରା ନ ଯିବା। ଏହାକୁ ‘ଆନାବୋଲିକ୍‌ ଷ୍ଟେରୋଏଡ୍‌’ ସେବନ କରି ଦୌଡ଼ ପ୍ରତିଦ୍ବନ୍ଦ୍ବିତାରେ ଯେନେତେନ ପ୍ରକାରେଣ ପ୍ରଥମ ସ୍ଥାନ ଅଧିକାର କରିବା ଲାଗି ଲାଳାୟିତ ଖେଳାଳିମାନଙ୍କ ପ୍ରୟାସ ସହିତ ତୁଳନା କରାଯାଇପାରେ। ଏହି ଭ୍ୟାକସିନ ଆଉ ଯାହା ପ୍ରମାଣ କରିପାରୁ ବା ନ ପାରୁ ଏତକ ସାବ୍ୟସ୍ତ କରିଛି ଯେ କଠୋରପନ୍ଥୀ ଜାତୀୟତାବାଦୀ ନେତା ରୂପେ ପରିଚିତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ସୋଭିଏତ ରୁଷର ବିଲୟ ପରବର୍ତ୍ତୀ ପୃଥିବୀରେ ନିଜ ରାଷ୍ଟ୍ର ରୁଷିଆକୁ ଏକ ମହାଶକ୍ତି ରୂପେ ପ୍ରତିଷ୍ଠିତ କରିବାକୁ ଉଦ୍‌ଗ୍ରୀବ। ସୁତରା˚, ଏଭଳି ଏକ ମନୋଭାବ ଦ୍ବାରା ପରିଚାଳିତ ହୋଇ କେବଳ ସର୍ବପ୍ରଥମେ ଭ୍ୟାକସିନ ଆଣିବାର ଅଗ୍ରହାତିଶଯ୍ୟ ଯଦି ଏହାର ନିରାପତ୍ତା ଭଳି ପ୍ରସଙ୍ଗ ଉପରେ ଧୢାନ ଦେଇ ନ ଥାଏ, ତେବେ ତାହା ଏକ ବିପଜ୍ଜନକ ପରିସ୍ଥିତିର କାରଣ ମଧୢ ହୋଇପାରେ।

ରୁଷିଆର ସର୍ବପୁରାତନ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ‘ଗାମେଲାୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜି ଏଣ୍ତ ମାଇକ୍ରୋ ବାୟୋଲୋଜି’ ଠାରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରାଯାଇଛି। ଏହି ଭ୍ୟାକସିନର ସୂତ୍ର ହେଲା ସାଧାରଣ ଥଣ୍ତା ବା ଜ୍ବରର କାରଣ ହେଉଥିବା ଏଡିନୋ ଭାଇରସ୍‌ ଠାରେ ଏକ ପ୍ରୋଟିନଗତ ପରିବର୍ତ୍ତନ ଅଣାଯାଇ ‘କୋଭିଡ୍‌-୧୯’ର ଏକ ଛାୟା-ରୂପ ପ୍ରସ୍ତୁତ କରାଯାଇ ତାକୁ ମାନବ ଶରୀରରେ ପ୍ରବେଶ କରାଇବା। ଏହା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ‘କୋଭିଡ୍‌-୧୯’ ଆକ୍ରମଣର ଭ୍ରମରେ ପଡ଼ି ଶରୀରରେ କରୋନା ପ୍ରତିରୋଧକ ‘ଆଣ୍ଟିବଡି’ ପ୍ରସ୍ତୁତ କରି ଶରୀରକୁ କୋଭିଡ୍‌-୧୯ ପ୍ରତିହତକାରୀ ଦୁର୍ଗରେ ପରିଣତ କରିବ। କିନ୍ତୁ ପାଠରେ ଏହା ଠିକ ଶୁଣା ଯାଉଥିାଲେ ମଧ୍ୟ ବାସ୍ତବରେ କିଭଳି କାର୍ଯ୍ୟ କରିବ, ତାହା କେବଳ ସମୟ କହିବ।

‘ରଷିଆନ ରୁଲେଟ୍‌’ ଭଳି ଏହି ଭ୍ୟାକସିନଟି ସଫଳତା ଓ ବିଫଳତାର ସମ୍ଭାବନା ଉପରେ ପର୍ଯ୍ୟବସିତ ବୋଲି ଯଦିଓ ଅନେକ ଗବେଷକ ମତ ପ୍ରକାଶ କରିଥାଆନ୍ତି, କିନ୍ତୁ ଏଭଳି ଅନେକ ଅଛନ୍ତି ଯେଉଁମାନେ ଉଚ୍ଚକୋଟୀର ରୁଷୀୟ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତି ଉପରେ ଆସ୍ଥା ପ୍ରକଟ କରନ୍ତି। ସେମାନଙ୍କ ମତରେ ପୃଥିବୀର ସର୍ବୋତ୍ତମ ବୁଡ଼ାଜାହାଜ ବା କ୍ଷେପଣାସ୍ତ୍ର ନିର୍ମାଣ କରୁଥିବା ରାଷ୍ଟ୍ର ହୁଏ’ତ ସର୍ବୋତ୍ତମ ପ୍ରତିଷେଧକ ମଧୢ ପ୍ରସ୍ତୁତ କରିଥାଇପାରେ। ସେମାନେ କହନ୍ତି ରୁଷୀୟ ବୈଜ୍ଞାନିକ ଗବେଷଣାର ପର˚ପରାରେ ଗୋପନୀୟତା ଏକ ଅବିଚ୍ଛେଦ୍ୟ ବିଭାବ ଭାବେ ରହି ଆସିଥିବାରୁ ଏ କ୍ଷେତ୍ରରେ ମଧୢ କେତେକ ଗୋପନୀୟତା ପରିଦୃଷ୍ଟ ହୋଇଥାଇପାରେ। ସୁତରା˚, ଏହା ‘ରଷିଆନ ରୁଲେଟ୍‌’ ଭଳି ସ˚ପୂର୍ଣ୍ଣ ସମ୍ଭାବନା ଉପରେ ଆଧାରିତ ଏକ ଖେଳ ହୋଇ ନ ଥାଇ ପାରେ!

ସମ୍ବନ୍ଧିତ ଖବର