ଗୁପ୍ତଚର

ବେଳେବେଳେ ଦେଖାଯାଇଥାଏ ଯେ ଏକ ସ˚ପୂର୍ଣ୍ଣ କପୋଳକଳ୍ପିତ ତଥା ଆଧାରହୀନ କାହାଣୀ ଏକ ବାସ୍ତବ ନାଟକ ରଚନା କରି ଏଭଳି ବିଶ୍ବାସଯୋଗ୍ୟ ହୋଇପଡ଼େ ଯେ ଅନେକଙ୍କ ବ୍ୟକ୍ତିଗତ ତଥା ସାମାଜିକ ଜୀବନ ତା’ ଦ୍ବାରା ଗଭୀର ଭାବେ ବିପର୍ଯ୍ୟସ୍ତ ହୋଇପଡ଼େ; କାହାର କାହାର ରାଜନୈତିକ ଜୀବନ ଅସ୍ତମିତ ହୋଇଯାଏ ଏବ˚ ଏକ ଘୃଣ୍ୟ ଅପଯଶକୁ କଣ୍ଟାର ମୁକୁଟ ଭଳି ପରିଧାନ କରିବାକୁ ସେମାନେ ଅପାତତଃ ବାଧୢ ହୋଇପଡ଼ନ୍ତି। ଆଜି ଏଠାରେ ସେହିଭଳି ଏକ ନାଟକ ସ˚ପର୍କରେ ଆଲୋଚନା କରିବାର ବେଳ ଉପସ୍ଥିତ, ଯାହା ଅଭିନୀତ ହୋଇଥିଲା ଆଜକୁ ପ୍ରାୟ ପଚିଶ ବର୍ଷ ତଳେ। ଆଜି ସେ ନାଟକର ଅବତାରଣା ଏଥି ଲାଗି ଯେ ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଏହି ନାଟକର ମୁଖ୍ୟ ଖଳନାୟକ ଭାବେ ଚିତ୍ରିତ ଅତ୍ୟନ୍ତ ପ୍ରତିଭାସ˚ପନ୍ନ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ କେରଳ ରାଜ୍ୟ ସରକାର ୧ କୋଟି ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରି ନାଟକଟିରେ ଯବନିକା ପକାଇଛନ୍ତି। ‘ଇସ୍ରୋ ଗୁପ୍ତଚର ସ୍କାଣ୍ତାଲ’ ଭାବେ ପରିଚିତ ଏହି ଘଟଣା ସେ ସମୟରେ ଗଣମାଧୢମ‌ର ହଟଚମଟ ସହିତ ଦେଶ ବ୍ୟାପୀ ପ୍ରବଳ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏକ ‘ଥ୍ରିଲର‌୍‌’ରେ ପରିଣତ ହେବା ସକାଶେ ଏଥିରେ ସବୁ ପ୍ରକାର ମସଲା ମହଜୁଦ ଥିଲା।

ସେତେବେଳେ ଘଟଣାଟି ଲୋକଲୋଚନକୁ ଏହିଭଳି ଭାବେ ଆସିଥିଲା: କେନ୍ଦ୍ର ‘ଇଣ୍ଟେଲିଜେନ୍‌ସ ବ୍ୟୁରୋ’ ବା ‘ଆଇ.ବି.’ ପକ୍ଷରୁ ଏକ ଅଭିଯୋଗ ଅଣାଯାଏ ଯେ କେରଳର ଥୁମ୍ବା ମହାକାଶ ପ୍ରତିଷ୍ଠାନରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ନମ୍ବି ନାରାୟଣନ (ହୁଏ’ତ ସେ ହୋଇପାରିଥାଆନ୍ତେ ଇସ୍ରୋର ସର୍ବ କନିଷ୍ଠ ଅଧୢକ୍ଷ), ଡି. ଶଶିକୁମାରନ, ପୁଲିସ ଡି.ଆଇ.ଜି ରମଣ ଶ୍ରୀବାସ୍ତବ, ଭାରତ ଭ୍ରମଣରେ ଥିବା ଜନୈକା ମାଲଡିଭୀୟ ଯୁବତୀ ମାରିଅମ ରସିଦା ଓ ଜନୈକ ବ୍ୟବସାୟୀ କେ. ଚନ୍ଦ୍ରଶେଖର ମିଳିତ ଭାବେ ଏକ ଷଡ୍‌ଯନ୍ତ୍ର ରଚନା କରି ପାକିସ୍ତାନର ଆଇ.ଏସ୍‌.ଆଇ.କୁ ‘କ୍ରାୟୋଜେନିକ୍‌ ରକେଟ୍‌ ପ୍ରଯୁକ୍ତି’ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ହସ୍ତାନ୍ତରଣ କରିଛନ୍ତି। ଏଥିଲାଗି କୁଆଡ଼େ ରସିଦା ରାଣୀ ମହୁମାଛି ରୂପେ ନିୟୋଜିତ ହୋଇ ଦୁଇ ବୈଜ୍ଞାନିକଙ୍କ ଯୌନ ଲାଳସା ଚରିତାର୍ଥ କରିଛନ୍ତି ଏବ˚ ତା’ ସହିତ ଏଥି ଲାଗି ପ୍ରଚୁର ଅର୍ଥ କାରବାର ମଧୢ ହୋଇଛି। କହିବା ବାହୁଲ୍ୟ ଯେ ଏକ ଭୂକ˚ପ ସ˚ଘଟିତ କରିବାର ସାମର୍ଥ୍ୟ ବହନ କରିଥିବା ଏହି କାହାଣୀ ଯହିଁରେ ପ୍ରଲୋଭନ, ଯୌନକ୍ଷୁଧା, ସୁନ୍ଦରୀ ଲଳନା ଏବ˚ ଅର୍ଥ କାରବାରର ମସଲା ଭରପୂର ଥିଲା, ଗଣମାଧୢମକୁ ଏଭଳି ପ୍ରଗଳ୍‌ଭ କରି ପକାଇଥିଲା ଯେ ସେମାନେ ଏହି କାହାଣୀର ପୃଷ୍ଠା ପରେ ପୃଷ୍ଠା ଖୋଲି ଚାଲିଥିଲେ। ଏଥିରେ ବିରାମ ଲାଗିଥିଲା ସେତିକି ବେଳେ ଯେତେବେଳେ ଅନୁସନ୍ଧାନ ପ୍ରକ୍ରିୟାରେ ସି.ବି.ଆଇ. ପ୍ରବେଶ କରି ଘଟଣାର ଗଭୀରତମ ପ୍ରଦେଶକୁ ଯାଇ ପରିଶେଷରେ ଏହି ସମସ୍ତ ଅଭିଯୁକ୍ତଙ୍କ ନିର୍ଦୋଷତା ଓ ନିରୀହତାର ପ୍ରମାଣ ରୂପକ ମୁକ୍ତା ଧରି ଉପରକୁ ଉଠିଥିଲା। କେରଳ ପୁଲିସ ଓ ଆଇ.ବି. ଦ୍ବାରା ମିଳିତ ଭାବେ ଏକ ସ˚ପୂର୍ଣ୍ଣ କପୋଳକଳ୍ପିତ କାହାଣୀକୁ ରୂପ ଦିଆଯାଇଥିବା ବିଷୟ ସ୍ପଷ୍ଟ ହୋଇଥିଲା। ତେବେ, ଏହି ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ମିଥ୍ୟା କାହାଣୀ ସୃଷ୍ଟି କରାଯାଇଥିଲା କାହିଁକି? ଏହାର ଉତ୍ତର ଯେଉଁ ପୃଷ୍ଠଭୂମି ଅନାବୃତ କରିବ, ତାହା ଯେତିକି ଲଜ୍ଜାଜନକ ନୁହେଁ, ତା’ ଠାରୁ ଅଧିକ ଉଦ୍‌ବେଗଜନକ। ସୁତରା˚, ସେହି ପୃଷ୍ଠଭୂମି ବାବଦରେ ଅବଗତ ହେବା ଜରୁରୀ।

ସେଥି ଲାଗି ଆରମ୍ଭରୁ ହିଁ ଆରମ୍ଭ କରିବାକୁ ହେବ। ବିଜୟନ ନାମକ କେରଳ ପୁଲିସ ବିଭାଗର ଜନୈକ ଅଧିକାରୀ ମାଲଡିଭୀୟ ଯୁବତୀ ରସିଦାଙ୍କୁ ଶଯ୍ୟାସଙ୍ଗିନୀ କରିବାକୁ ଚାହିଁବା ଏବ˚ ରସିଦା ତାକୁ ପ୍ରତ୍ୟାଖ୍ୟାନ କରି ଏଭଳି ପୁନର୍ବାର କଲେ ପୁଲିସ ବିଭାଗରେ ଉଚ୍ଚ ପଦାସୀନ ତାଙ୍କର ଜଣେ ପରିଚିତ (ରସିଦାଙ୍କ ଭାଷାରେ ଜଣେ ‘ବ୍ରିଗେଡିଅର’!)ଙ୍କୁ ଜଣାଇବାର ଧମକ ଦିଅନ୍ତି। ଏହି ଠାରୁ ଘଟଣାକ୍ରମର ଆରମ୍ଭ। ଭିସା ନିୟମ ଉଲ୍ଲ˚ଘନ କରି ରସିଦା ଭାରତରେ ଅଧିକ ଦିନ ରହିଛନ୍ତି ବୋଲି ମିଛ ଅଭିଯୋଗ ଆଧାରରେ ପ୍ରତିଶୋଧପରାୟଣ ବିଜୟନ ତାଙ୍କୁ ଗିରଫ କରନ୍ତି। ସ˚ଯୋଗ କ୍ରମେ ଠିକ ଏହି ସମୟରେ ଆଇ.ବି. ପକ୍ଷରୁ ଏକ ଗୁପ୍ତଚର ବୃତ୍ତିର କପୋଳକଳ୍ପିତ କାହାଣୀ କେରଳ ପୁଲିସକୁ ଦିଆଯାଏ। ଇତି ମଧୢରେ କେରଳ ପୁଲିସ ବିଭାଗ ଭିତରେ ରହିଥିବା ଆଭ୍ୟନ୍ତରୀଣ ଶତ୍ରୁତା ତଥା କେରଳର ତତ୍କାଳୀନ ମୁଖ୍ୟମନ୍ତ୍ରୀ କରୁଣାକରନଙ୍କ ପ୍ରତି ମୁଣ୍ତ ଟେକୁଥିବା ଦଳୀୟ (କ˚ଗ୍ରେସ) ବିରୋଧର ସଦୁପଯୋଗ କରି କରୁଣାକରନଙ୍କ ନିକଟତର ଭାବେ ଜଣାଶୁଣା ଡି.ଆଇ.ଜି. ରମଣ ଶ୍ରୀବାସ୍ତବଙ୍କୁ ରସିଦାଙ୍କ ବର୍ଣ୍ଣିତ ‘ବ୍ରିଗେଡିଅର’ ବୋଲି ନିରାଧାର ଭାବେ ଚିହ୍ନଟ କରାଯାଇ ସାରିଥାଏ। ସୁତରା˚, ଆଇ.ବି. ଦ୍ବାରା ରଚିତ କାହାଣୀରେ ସେ ଏକ ଚରିତ୍ର ଭାବେ ସ୍ଥାନ ପାଆନ୍ତି, ଯେଉଁଥିରେ ପୂର୍ବରୁ ଇସ୍ରୋର ବୈଜ୍ଞାନିକ ଡି. ଶଶୀକୁମାରନଙ୍କୁ ଏକ ମୁଖ୍ୟ ଭୂମିକାେରେ ଅବତୀର୍ଣ୍ଣ କରାଇବା ଲାଗି ପୂର୍ବ ପ୍ରସ୍ତୁତି ସରିଥାଏ। ତେଣୁ ସେତେବେଳକୁ ଜେଲରେ ରହିଥିବା ରସିଦାଙ୍କ ତଥାକଥିତ ସ୍ବୀକାରୋକ୍ତିମୂଳକ ବୟାନ ଆଧାରରେ ଡି. ଶଶୀକୁମାରନ, ରମଣ ଶ୍ରୀବାସ୍ତବ, ନମ୍ବି ନାରାୟଣନ ଓ କେ. ଚନ୍ଦ୍ରଶେଖରଙ୍କୁ ଗିରଫ କରି ଏକ ଜଘନ୍ୟ ଗୁପ୍ତଚର ବୃତ୍ତିର ପର୍ଦାଫାସ କରାଯାଇଛି ବୋଲି ଦାବି କରାଯାଏ। ଏହି ସମୟରେ ଏହି ନାଟକରେ ପ୍ରବେଶ କରନ୍ତି ପ୍ରସିଦ୍ଧ ମାଲାୟାଲୀ ଖବରକାଗଜ ‘କେରଳ କୌମୁଦୀ’ର ମୁଖ୍ୟ ଏମ୍‌.ଏସ୍‌. ମଣି, ଯିଏ କିଛି ଦିନ ହେଲା ଅଭିଯୁକ୍ତ ପୁଲିସ ଅଧିକାରୀ ରମଣ ଶ୍ରୀବାସ୍ତବଙ୍କ ଉପରେ ପ୍ରତିଶୋଧ ନେବା ଲାଗି ଟାଙ୍ଗିଆ ପଜାଉ ଥାଆନ୍ତି। ଏହାର କାରଣ ଥାଏ ଏକ ଅଦାଲତୀ ଆଦେଶ, ଯାହାକୁ କାର୍ଯ୍ୟକାରୀ କରୁଥିବା ସମୟରେ ମଣି ଓ ଶ୍ରୀବାସ୍ତବଙ୍କ ମଧୢରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜି ଥାଏ। କହିବା ନିଷ୍ପ୍ରୟୋଜନ ଯେ ‘କେରଳ କୌମୁଦୀ’ ଚରମ ଆଗ୍ରହାତିଶଯ୍ୟ ପ୍ରଦର୍ଶନ କରି ଅତ୍ୟନ୍ତ ଅତିର˚ଜିତ ସମ୍ବାଦମାନ ପ୍ରକାଶ କରେ, ଯାହା ରାଷ୍ଟ୍ରବ୍ୟାପୀ ଅନ୍ୟାନ୍ୟ ବିଭିନ୍ନ ଗଣମାଧୢମରେ ଅବାସ୍ତବ ଖବରର ସୁନାମି ସୃଷ୍ଟି କରେ। ପରିଣାମ ସ୍ବରୂପ ରମଣ ଶ୍ରୀବାସ୍ତବଙ୍କ ଘନିଷ୍ଠ ରୂପେ ଚିତ୍ରିତ କରୁଣାକରନ ମଧ୍ୟ ମୁଖ୍ୟମନ୍ତ୍ରିତ୍ବ ହରାନ୍ତି ଏବ˚ ଦଳ ମଧୢରେ ତାଙ୍କ ତୀବ୍ର ବିରୋଧୀ ଏ.କେ. ଆଣ୍ଟୋନି ମୁଖ୍ୟମନ୍ତ୍ରୀ ପଦାସୀନ ହୁଅନ୍ତି। ସି.ବି.ଆଇ. ଦ୍ବାରା ଗୋଳିଆ ପାଣି ନିର୍ମଳ କରାଗଲା ବେଳକୁ ଏହା ସବୁ ଘଟି ସାରିଥାଏ।

ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନଟିଏ ଉଠିଥାଏ ଯେ ରସିଦା ଓ ତାଙ୍କର ପରିଚିତ ବୋଲି ସେ ଦାବି କରିଥିବା ତଥାକଥିତ କୌଣସି ‘ବ୍ରିଗେଡିଅର’ଙ୍କ ଉପରେ ଏକ ବ୍ୟକ୍ତିଗତ ପ୍ରତିଶୋଧ ସ୍ବରୂପ କିଛି ପୁଲିସ ଅଧିକାରୀ ସମ୍ଭବତଃ ସୁଯୋଗ ଖୋଜୁଥିଲେ ଯାହା ସେମାନେ କାର୍ଯ୍ୟକାରୀ କଲେ। କିନ୍ତୁ ଆଇ.ବି. ପକ୍ଷରୁ ଏଭଳି ଏକ ବିରାଟ ଚକ୍ରାନ୍ତ ରଚନା କରାଗଲା କାହିଁକି? ଏ ପ୍ରଶ୍ନର ଉତ୍ତର ସମ୍ଭବତଃ ରହିଛି ବ୍ରିଆନ ହାର୍ଭେଙ୍କ ‘ରଷିଆନ୍‌ ଇନ୍‌ ସ୍ପେସ୍‌- ଏ ଫେଲ୍‌ଡ ଫ୍ରନ୍‌ଟିଅର’ ଏବ˚ ରାଜଶେଖର ନାୟାରଙ୍କ ‘ସ୍ପାଇଜ୍‌ ଇନ୍‌ ସ୍ପେସ୍‌’ ପୁସ୍ତକ ଦ୍ବୟରେ। ତହିଁରୁ ଜଣାପଡ଼େ ଯେ ଭାରତ ଦ୍ବାରା ଖୁବ୍‌ ଶସ୍ତାରେ ‘କ୍ରାୟୋଜେନିକ୍‌’ ପ୍ରଯୁକ୍ତି ବିକାଶ ଚମକପ୍ରଦ ସଫଳତା ହାସଲ କରିବା ଘଟଣା ଉଭୟ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଠାରେ ଏ କ୍ଷେତ୍ରରେ ବିପୁଳ ବ୍ୟବସାୟ ହାନିର ସମ୍ଭାବନା ଜନିତ ଅସୁରକ୍ଷା ଭାବନା ସୃଷ୍ଟି କରିଥିଲା। ସୁତରା˚, ସି.ଆଇ.ଏ ପକ୍ଷରୁ ଆଇ.ବି.ରେ ଭେଦିଆ ନିୟୋଜିତ କରାଯାଇ ଏବ˚ ସେମାନଙ୍କ ଜରିଆରେ ବିପୁଳ ଅର୍ଥ କାରବାର କରାଯାଇ ଏଭଳି ଏକ ହୀନ ଚକ୍ରାନ୍ତ ସମ୍ଭବ କରାଯାଇଥିଲା। ସାନ୍ତ୍ବନାର ବିଷୟ ଯେ ପରିଶେଷରେ ଗଲା ଗୁରୁବାର ଦିନ ଏହି ଅତ୍ୟନ୍ତ ଲଜ୍ଜାଜନକ ନାଟକର ଯବନିକା ପଡ଼ିଛି।

ତେବେ ଉପସ˚ହାରରେ ଏ ସଂଦର୍ଭରେ ଏକ ରୋଚକ ଘଟଣାର ଅବତାରଣା କରାଯିବା ଆବଶ୍ୟକ। ନବମ ଦଶକର ଅନ୍ତିମ ଚରଣରେ ଏଭଳି ଘଟଣାର ଘନଘଟା ଜାରି ରହିଥିବା ବେଳେ ତତ୍କାଳୀନ ‘ଇଣ୍ତିଆ ଟୁଡେ’ରେ ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟରତ ଶେଖର ଗୁପ୍ତା ଏକ ବିମାନଯାତ୍ରା ସମୟରେ ତାଙ୍କ ପାଖରେ ବସିଥିବା ଇସ୍ରୋର ଜଣେ ଅତ୍ୟନ୍ତ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ଏ ସ˚ପର୍କରେ ପଚାରନ୍ତେ ବୈଜ୍ଞାନିକ ଜଣକ କହିଥିଲେ- ତୁମେ ଯଦି ଜଣେ ସାମ୍ବାଦିକ, ତେବେ ନିଜେ ଅନୁସନ୍ଧାନ କରି ଦେଖୁନା? ଏହା ପରେ ଶେଖର ଗୁପ୍ତା ‘ଇଣ୍ତିଆ ଟୁଡେ’ର ସ˚ପାଦକ ଅରୁଣ ପୁରୀଙ୍କ ସମ୍ମତିକ୍ରମେ ଘଟଣାର ଅନୁସନ୍ଧାନ ଆରମ୍ଭ କରି ଯାହା ଜାଣିବାକୁ ପାଇଥିଲେ ତାହା ଡିସେମ୍ବର ୩୧, ୧୯୯୫ରେ ‘ଇଣ୍ତିଆ ଟୁଡେ’ରେ ଏକ ‘କଭର ଷ୍ଟୋରି’ ଭାବେ ପ୍ରକାଶିତ ହୋଇଥିଲା, ଯାହାର ଶୀର୍ଷକ ଥିଲା ‘ଦ ଗ୍ରେଟ୍ ଏସ୍ପିଓନେଜ୍‌ ମେସ୍‌’(ବିରାଟ ଗୁପ୍ତଚର ଗୋଳିଆ)। ଏହାର ଅନେକ ଦିନ ପରେ ଘଟଣାଚକ୍ରରେ ସେହି ବୈଜ୍ଞାନିକଙ୍କ ସହିତ ଶେଖର ଗୁପ୍ତାଙ୍କ ଦେଖା ହେବା ସମୟରେ ବୈଜ୍ଞାନିକ ଜଣକ ଶେଖର ଗୁପ୍ତାଙ୍କ ଛାତିର ବାମ ପଟରେ ଟିପ ଛୁଆଁଇ କହିଥିଲେ- ଯାହା ହେଉ ଶେଖର, ତୁମେ ବୈଜ୍ଞାନିକମାନଙ୍କ ହୃଦସ୍ଥଳରେ ଲାଗିଥିବା କ୍ଷତରେ ମଲମ ଲଗାଇ ଦେଲ!

ସେହି ବୈଜ୍ଞାନିକ ଆଉ କେହି ନ ଥିଲେ, ଥିଲେ ଏପିଜେ ଅବଦୁଲ କଲାମ।

ସମ୍ବନ୍ଧିତ ଖବର