ନୂଆ ଅସ୍ତ୍ର

ପ୍ରାଚୀନ କବି ବା ଚିନ୍ତକମାନେ ସେମାନଙ୍କ ଭଣତିରେ ଯେତେବେଳେ ଜୀବନ-ହାଟ କଥା କହୁଥିଲେ, ସେହି ସମୟରେ ହାଟ ବା ବଜାର ଅବସ୍ଥିତ ଥିଲା ଦୈନନ୍ଦିନ ଜୀବନ କ୍ଷେତ୍ରର ବାହାରେ। ସେହି ସମୟରେ ଜୀବନ ଧାରଣ ଲାଗି କିଛି ଆବଶ୍ୟକ ଦ୍ରବ୍ୟ ହୁଏ’ତ ହାଟ ବା ବଜାର ଭଳି ଏକ ‘ସ୍ଥାନ’ରୁ ଉପଲବ୍‌ଧ ହେଉଥିଲା, କିନ୍ତୁ ହାଟ କୌଣସି ରୂପେ ଜୀବନର କେନ୍ଦ୍ରରେ ନ ଥିଲା। ସୁତରା˚, ସେମାନେ ଯେଉଁ ଜୀବନ-ହାଟ କଥା କହୁଥିଲେ, ତାହା ଥିଲା ପ୍ରତୀକ ଧର୍ମୀ, ଯାହା ଦୈନନ୍ଦିନ ଜୀବନରେ ପରିଦୃଷ୍ଟ ମିଛ-ମାୟାର କୋଳାହଳ ଆଡ଼କୁ ଇଙ୍ଗିତ କରୁଥିଲା, ଯେଉଁ କୋଳାହଳ ଥିଲା ହାଟର ଏକ ପରିଚୟ। ସେତେବେଳେ ହୁଏ’ତ କାହାର ଧାରଣା ନ ଥାଇପାରେ ଯେ ଏଭଳି ଏକ ସମୟ ଆସିବ ଯେତେବେଳେ ହାଟ ବା ବଜାର ଏକ ‘ସ୍ଥାନ’ ମାତ୍ରରେ ସୀମିତ ନ ରହି ନିଃଶ୍ବାସ ପ୍ରଶ୍ବାସ ଭଳି ମନୁଷ୍ୟ ଜୀବନର ଅନ୍ତର୍ସ୍ଥଳକୁ ପ୍ରବେଶ କରିଯିବ; ମନୁଷ୍ୟ କେଉଁଠି ଅବସ୍ଥାନ କରୁଥାଉ ବା ବିଚରଣ କରୁଥାଉ; ତା’ ସହିତ ବିପଣି ବା ବଜାର (ହାଟ) ଅତ୍ୟନ୍ତ ନିରବ ଭାବେ ଉପସ୍ଥିତ ରହିଥିବ; ଏପରିକି ବିମାନରେ ଉଡୁଥିବା ବେଳେ ବି ମନୁଷ୍ୟ ଦ୍ରବ୍ୟର କ୍ରୟ ବିକ୍ରୟ କରିପାରୁଥିବ। ଏହା ମଧ୍ୟ ସେମାନଙ୍କ ଅବବୋଧର ବାହାରେ ଥିବ ଯେ ଦିନ ଆସିବ ମନୁଷ୍ୟର ଜୀବନ ବଜାର ବା ହାଟ ଦ୍ବାରା ପରିଚାଳିତ ଓ ନିୟନ୍ତ୍ରିତ ହେବ ଏବ˚ ସ୍ଥଳ ବିଶେଷରେ ବଜାର ଏକ ଅସ୍ତ୍ର ଭାବେ ମଧୢ ଆବିର୍ଭୂତ ହେବ।

କହିବା ବାହୁଲ୍ୟ ଯେ ଗଲା ଶତାବ୍ଦୀର ନବମ ଦଶକ ପର୍ଯ୍ୟନ୍ତ ଭାରତର ଜନସ˚ଖ୍ୟାକୁ ଏକ ଅତ୍ୟନ୍ତ ବିଶାଳ ବୋଝ ରୂପେ ବିବେଚନା କରାଯାଉଥିଲା, ଯାହା ସ˚ପ୍ରତି ଏକ ପରିବର୍ତ୍ତିତ ଆର୍ଥିକ ବ୍ୟବସ୍ଥା (ଜଗତ୍‌କରଣ ଏବ˚ ଉଦାରୀକରଣ) ପରିପ୍ରେକ୍ଷୀରେ ଏକ ସ˚ପଦରେ ପରିଣତ ହୋଇ ପାରିଛି। କାରଣ ଏକ ଅତ୍ୟନ୍ତ ବିଶାଳ ଉପଭୋଗବାଦୀ ସ୍ବଚ୍ଛଳ ମଧୢବିତ୍ତ ବର୍ଗଙ୍କ ଆବିର୍ଭାବ ବିଶ୍ବ ବଜାରରେ ଭାରତକୁ ଏକ ଅତିକାୟ କ୍ରେତାରେ ପରିଣତ କରିଛି, ଯାହାକୁ ବଜାରର ନିୟନ୍ତ୍ରକ ଶକ୍ତି ରୂପେ ମଧୢ ବିବେଚନା କରାଯାଇପାରେ। ଉଦାହରଣ ସ୍ବରୂପ ଭାରତ ଆଜି ବିଶ୍ବରେ ଖଣିଜ ତୈଳର ତୃତୀୟ ଓ ଯୁଦ୍ଧାସ୍ତ୍ରର ଦ୍ବିତୀୟ ବୃହତ୍ତମ କ୍ରେତା। ଉପଭୋକ୍ତା ସାମଗ୍ରୀକୁ ବିଚାରକୁ ନେଲେ ଭାରତ ହେଉଛି ମୋବାଇଲ ଫୋନ୍‌ର ଦ୍ବିତୀୟ ବୃହତ୍ତମ ତଥା ସୌର ଶକ୍ତି ଉତ୍ପାଦନ ସ˚ପର୍କିତ ଉପକରଣର ତୃତୀୟ ବୃହତ୍ତମ ଖରିଦଦାର। ସେହିଭଳି ଫେସ୍‌ବୁକ୍‌ର ସବୁଠାରୁ ଅଧିକ ସ˚ଖ୍ୟକ ବ୍ୟବହାରକାରୀ ଭାରତୀୟ ହୋଇଥିବା ବେଳେ ‘ଟିକ୍‌ଟକ୍‌’କୁ ନିଷେଧ କରାଗଲା ପର୍ଯ୍ୟନ୍ତ ତାର ସବୁଠାରୁ ବଡ଼ ବଜାର ଥିଲା ଭାରତରେ। କେବଳ ସେତିକି ନୁହେଁ ପ୍ରକ୍ରିୟାକୃତ ଖାଦ୍ୟ ଦ୍ରବ୍ୟରୁ ଆରମ୍ଭ କରି ଫେସନ ଓ ପ୍ରସାଧନ ସାମଗ୍ରୀ ପର୍ଯ୍ୟନ୍ତରେ ବା ମୋଟର ଗାଡ଼ିରୁ ଆରମ୍ଭ କରି ପୁସ୍ତକ ପର୍ଯ୍ୟନ୍ତରେ ଭାରତୀୟ କ୍ରେତାଙ୍କ ଶ୍ବାସରୁଦ୍ଧକାରୀ ଭିଡ଼ ସବୁଠି ଦୃଶ୍ୟମାନ। ସୁତରା˚, ଆନ୍ତର୍ଜାତିକ ବଜାର ଉପରେ ରହିଥିବା ଭାରତୀୟ ‘କ୍ରେତାଙ୍କ କବ୍‌ଜା’ ସ˚ପ୍ରତି ଭାରତକୁ ଏକ ଅସ୍ତ୍ରର ଧାରଣା ପ୍ରଦାନ କରିଛି, ଯାହାର ଉପଯୋଗ ବିଭିନ୍ନ ରଣନୈତିକ ପ୍ରସଙ୍ଗରେ ଭାରତର ଗୁରୁତ୍ବ ଏପରିକି ପ୍ରଭାବ ବୃଦ୍ଧିରେ ସହାୟକ ହୋଇପାରେ। ଏ ସ˚ଦର୍ଭରେ ଏକ ଉଦାହରଣ ହେଉଛି ଧାରା ୩୭୦ର ଉଚ୍ଛେଦନ ପରେ ପାକିସ୍ତାନର ଭାରତ ବିରୋଧୀ ଅଭିଯାନର ସମର୍ଥନ କରିଥିବା ମାଲେସିଆ ସରକାର ସାମନା କରୁଥିବା ଦୁରବସ୍ଥା। ମାଲେସିଆ ସରକାରଙ୍କ ଭାରତ ବିରୋଧୀ ଆଭିମୁଖ୍ୟର ପ୍ରତିକ୍ରିୟା ସ୍ବରୂପ ଗଲା ଜାନୁଆରି ମାସରେ ଭାରତ ସେଠାରୁ ତାଳ ତେଲର ଆମଦାନି ରଦ୍ଦ କରି ଦେଇଥିଲା। ପ୍ରକାଶ ଥାଉ କି ଭାରତ ଥିଲା ମାଲେସୀୟ ତାଳ ତେଲର ବୃହତ୍ତମ କ୍ରେତା ରାଷ୍ଟ୍ର। ଏହାଦ୍ବାରା ମାଲେସିଆ ବିପୁଳ ଆର୍ଥିକ କ୍ଷତି ସହିତ ଏକ ଅଭାବନୀୟ ବଳକା ତାଳ ତେଲ ସ˚କଟର ସାମନା କରୁଛି। ସେହିଭଳି ସଦ୍ୟତମ ଦୃଷ୍ଟାନ୍ତ ଭାବେ ‘ଟିକ୍‌ଟକ୍‌’ ଆପ୍‌କୁ ନିଷେଧ କରି ଭାରତ ଏହି ଅସ୍ତ୍ରର ପ୍ରୟୋଗ କରିଛି।

ତେବେ, କହିବା ନିଷ୍ପ୍ରୟୋଜନ ଯେ ଭାରତ ଭଳି ପୃଥିବୀର ଅନ୍ୟତମ ସର୍ବବୃହତ୍‌ ବଜାର ଚୀନ ମଧ୍ୟ ‘ବଜାର’କୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିବା ଆରମ୍ଭ କରିଛି। ‘କୋଭିଡ୍‌-୧୯’ ଏକ ‘ପାନ୍‌ଡେମିକ୍‌’ରେ ପରିଣତ ହେବା ପରବର୍ତ୍ତୀ କାଳରେ ଯେତେବେଳେ ଅଷ୍ଟ୍ରେଲିଆ ନେତୃତ୍ବରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ଗୋଟିଏ ଚୀନ ବିରୋଧୀ ମେଳି ଦୃଶ୍ୟମାନ ହେଲା, ସେତିକି ବେଳେ ଚୀନ ଏହି ଅସ୍ତ୍ରର ଉପଯୋଗ କରି ଅଷ୍ଟ୍ରେଲିଆକୁ ନତଜାନୁ ହେବାକୁ ବାଧୢ କରିପାରିଛି। ସେହିଭଳି ଜର୍ମାନି ବା ଜାପାନ ଭଳି ରାଷ୍ଟ୍ରଗୁଡ଼ିକ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ଏକ ଅତ୍ୟନ୍ତ ବୃହତ୍‌ କ୍ରେତା ଭାବେ ଜଣାଶୁଣା ଚୀନ ଏହି ଅସ୍ତ୍ରର ବ୍ୟବହାର କରି ସେମାନଙ୍କ ଉପରେ ଚାପ ପକାଇବାରେ ସମର୍ଥ ହୋଇଛି। ଏହା ମଧୢ ସମସ୍ତଙ୍କୁ ଅବଗତ ଯେ ଶସ୍ତାରେ ନିର୍ମାଣ କରି ବିଶ୍ବ ବଜାରରେ ବିଭିନ୍ନ ଦ୍ରବ୍ୟ ଉପଲବ୍‌ଧ କରାଉଥିବା ଚୀନ ତାର ଯୋଗାଣକାରୀ କ୍ଷମତାକୁ ମଧୢ ତାର ବଜାର ଛୁରିକା (ଅସ୍ତ୍ର)ର ଦ୍ବିତୀୟ ପାଖର ଧାର ଭାବେ ଉପଯୋଗ କରୁଛି। ସେଥି ଲାଗି ‘ଆପଲ’ ବା ‘ନାଇକି’ ଭଳି ବୃହତ୍‌ କ˚ପାନିଗୁଡ଼ିକ ଚୀନରୁ ସେମାନଙ୍କ କାରଖାନା ଅନ୍ୟତ୍ର ଉଠାଇ ନେବାକୁ ବ୍ୟଗ୍ର ଥିଲେ ମଧୢ ଚୀନ ସୁଲଭ ଶସ୍ତା ଅଥଚ ଦକ୍ଷ ମାନବ ସମ୍ବଳର ଅଭାବରେ ଏକ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏହି କ୍ରମରେ ଆଶଙ୍କା ପ୍ରକାଶ ପାଇଥାଏ ଯେ ଚୀନ ତାର ବଜାର ଅସ୍ତ୍ରକୁ ପ୍ରୟୋଗ କରି ଭାରତର ‘ଟିକ୍‌ଟକ୍‌’ ଆକ୍ରମଣ ବିରୋଧରେ ମଧୢ ପ୍ରତିଶୋଧ ନେଇପାରେ। କାରଣ ଭାରତୀୟ ଔଷଧ ଉଦ୍ୟୋଗ ଆବଶ୍ୟକ କରୁଥିବା ମୂଳ ଉପାଦାନ ‘ଏକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏନ୍‌ଟ’ ବା ‘ଏ.ପି.ଆଇ. ଲାଗି ଚୀନ ଉପରେ ସ˚ପୂର୍ଣ୍ଣ ରୂପେ ନିର୍ଭରଶୀଳ। ଚୀନ ପକ୍ଷରୁ ଏ.ପି.ଆଇ. ଯୋଗାଣରେ ପ୍ରତିବନ୍ଧ ଲଗାଇ ଦିଆଗଲେ ଅନ୍ୟ କୌଣସି ଉତ୍ସରୁ ଏ.ପି.ଆଇ. ସ˚ଗ୍ରହ କରି ଔଷଧ ନିର୍ମାଣ କରି ପ୍ରଚଳିତ ବଜାର ଦର ସହିତ ତାଳମେଳ ରଖିବା ଭାରତୀୟ ଔଷଧ ଉଦ୍ୟୋଗ ସକାଶେ ସମ୍ଭବ ହୋଇ ନ ପାରେ।

ଏହି ସ˚ଦର୍ଭରେ ଭାରତ ସରକାରଙ୍କ ପକ୍ଷରୁ ସ˚ପ୍ରତି ପ୍ରାରମ୍ଭ କରାଯାଇଥିବା ‘ଆତ୍ମନିର୍ଭରଶୀଳ ଭାରତ’ର ଉଦ୍ୟମ ବିଶେଷ ଗୁରୁତ୍ବ ବହନ କରିଥାଏ। କାରଣ ଉଭୟ କ୍ରେତା ଓ ନିର୍ମାତା-ବିକ୍ରେତା ରୂପେ ବଜାରରେ ନିଜ ସ୍ଥିତିକୁ ସୁଦୃଢ଼ କଲେ ଯାଇ ଭାରତ ବଜାର ଛୁରୀର ଦୁଇ ପଟ ଯାକ ଧାରର ଉପଯୋଗ କରିପାରିବ। ନିକଟରେ ‘ଆତ୍ମନିର୍ଭର ଭାରତ’ ଯୋଜନା ଆଧାରରେ ଭାରତୀୟ ପ୍ରତିରକ୍ଷା ସାଜ-ସରଞ୍ଜାମ ସ୍ବଦେଶରେ ନିର୍ମାଣ କରାଯିବାର ନିଷ୍ପତ୍ତି ପରିପ୍ରେକ୍ଷୀରେ ଭାରତକୁ ସର୍ବାଧିକ ପରିମାଣର ଅସ୍ତ୍ରଶସ୍ତ୍ର ରପ୍ତାନି କରୁଥିବା ରାଷ୍ଟ୍ର ରୁଷିଆ ତାର ବ୍ୟବସାୟ ହାନି ଭରଣା କରିବା ସକାଶେ ପୂର୍ବରୁ ପାକିସ୍ତାନ ଉପରେ ଜାରି କରି ଆସିଥିବା ଅସ୍ତ୍ରଶସ୍ତ୍ର ରପ୍ତାନିର ପ୍ରତିବନ୍ଧକୁ ହଟାଇ ଦେଇଛି। ଯଦିଓ ଭାରତର ଆମଦାନି ହ୍ରାସଜନିତ କ୍ଷତିକୁ ଭରଣା କରିବାକୁ ପାକିସ୍ତାନ ଅସମର୍ଥ, ତଥାପି ଭାରତ ବାହାରେ ଅନ୍ୟ ଗ୍ରାହକ ଅନ୍ବେଷଣ କରିବା ରୁଷିଆ ସକାଶେ ଏକ ବାଧୢବାଧକତାରେ ପରିଣତ ହୋଇଛି।

ଧାରା ୩୭୦ ଉଚ୍ଛେଦନ ପରେ ଯେତେବେଳେ ପାକିସ୍ତାନ ଭାରତ ବିରୋଧରେ ସମସ୍ତ ଇସଲାମୀୟ ରାଷ୍ଟ୍ରଙ୍କ ସମର୍ଥନ ଜୁଟାଇବାରେ ଲାଗିଥିଲା, ସେତିକି ବେଳେ ପ୍ରଭାବଶାଳୀ ଓ ବୃହଦାକାର ଇସଲାମୀୟ ରାଷ୍ଟ୍ର ସାଉଦି ଆରବ ଓ ସ˚ଯୁକ୍ତ ଆରବ ଏମିରେଟ୍‌ସ ସେଥି ପ୍ରତି ଆଦୌ କର୍ଣ୍ଣପାତ କରି ନ ଥିଲେ। ଅନ୍ୟ ପକ୍ଷରେ ‘ତୈଳ ରପ୍ତାନିକାରୀ ରାଷ୍ଟ୍ର ସମୂହ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ଦ୍ବାରା ଭୂଷିତ କଲେ। ଏହାର କାରଣ ପୃଥିବୀର ସର୍ବାଧିକ ପରିମାଣର ଖଣିଜ ତୈଳ କ୍ରୟ କରୁଥିବା ଅନ୍ୟତମ ରାଷ୍ଟ୍ରକୁ କୌଣସି ରୂପେ କ୍ଷୁବ୍‌ଧ କରାଯାଇ ନ ପାରେ। ଭାରତ ତାର ବଜାର ଅସ୍ତ୍ରର ଧାରକୁ ଚିହ୍ନି ସାରିଛି। ଆତ୍ମନିର୍ଭର ଭାରତ ଯୋଜନା ସଫଳ ହେଲେ ଏହି ଅସ୍ତ୍ରର ଦୁଇ ପାଖର ଧାର ଶାଣିତ ହେବ। ତାହା ସଫଳ ହେଲେ ଭାରତ ନିଜ ଦେଶରେ ଔଷଧ ଶିଳ୍ପ ଲାଗି ଏ.ପି.ଆଇ. ପ୍ରସ୍ତୁତ କରିବ ଅଥବା ନିଜ ଦେଶବାସୀ ବ୍ୟବହାର କରିବା ଲାଗି ଅଦ୍ବିତୀୟ ‘ଆପ୍‌’ମାନ ମଧ୍ୟ ବିକଶିତ କରିପାରେ।

ସମ୍ବନ୍ଧିତ ଖବର