କଠିନ ପାହାର

ଏକ ଅବଧାରିତ ପଦକ୍ଷେପ ସ୍ବରୂପ ଭାରତ ଅବଶେଷରେ ଚୀନ୍‌ ଏଠାରେ ଚଳାଇଥିବା ଏକ ସା˚ସ୍କୃତିକ ଅନ୍ତର୍ଘାତୀ କାର୍ଯ୍ୟକୁ ଅଣୁବୀକ୍ଷଣ ତଳକୁ ଆଣିଛି। ଦେଶରେ ୫୦ଟିରୁ ଅଧିକ ବିଶ୍ବବିଦ୍ୟାଳୟ ଓ ଶିକ୍ଷାକେନ୍ଦ୍ର କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଚୀନ୍‌ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟମାନଙ୍କ ସହିତ ବୁଝାମଣାପତ୍ର (ଏମଓୟୁ) ବନ୍ଧନ ସମ୍ପନ୍ନ କରିଥିବା ବେଳେ (ଏମାନଙ୍କ ମଧୢରେ ଖଡ଼ଗପୁର ଓ ଭୁବନେଶ୍ବର ଆଇଆଇଟି ଅନ୍ତର୍ଭୁକ୍ତ; କେବଳ ଜେଏନ୍‌ୟୁ ୧୨ଟିରେ ବାନ୍ଧି ହୋଇଛି), ଦେଶର ସାତଟି ଉଚ୍ଚଶିକ୍ଷା କେନ୍ଦ୍ରରେ ଘୋର ସନ୍ଦେହଜନକ ଅନୁଷ୍ଠାନ ରୂପେ ପୃଥିବୀ ସାରା ଅପଖ୍ୟାତି ଲାଭ କରିଥିବା ‘କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ମାନ କାର୍ଯ୍ୟ କରୁଛି।

ଅଗଷ୍ଟ ୫ରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଅନୁଷ୍ଠିତ ଏକ ଉଚ୍ଚ କ୍ଷମତାସମ୍ପନ୍ନ ବୈଠକରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଦୁଇଟି ଶିକ୍ଷାନୁଷ୍ଠାନ ସରକାରଙ୍କ ଦୃଢ଼ ସନ୍ଦେହ ବଳୟ ମଧୢକୁ ଆସିଛନ୍ତି। ସେମାନେ ହେଉଛନ୍ତି ମୁମ୍ବାଇ ବିଶ୍ବବିଦ୍ୟାଳୟ ଏବ˚ କଲିକତାର ‘ସ୍କୁଲ୍‌ ଅଫ୍‌ ଚାଇନିଜ୍‌ ଲାଙ୍ଗୁଏଜ୍‌’। ଏ ଦୁଇ ଶିକ୍ଷାନୁଷ୍ଠାନରେ ସକ୍ରିୟ ଥିବା କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନ ଚଳାଇଥିବା ବ୍ୟାପକ ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧୢମରେ ଦେଶ ଭିତରେ ଚୀନ୍‌ ପ୍ରତି ଏବ˚ ବିଶେଷ କରି ଚୀନା କମ୍ୟୁନିଷ୍ଟ ପାର୍ଟି ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ପ୍ରକାଶ କରୁଥିବା ଏକ ବୌଦ୍ଧିକ ଗୋଷ୍ଠୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଗତ ଜୁଲାଇ ୧୫ରେ ଦେଶର ନିରାପତ୍ତା ଉପରେ ନଜର ରଖିଥିବା ଏଜେନ୍‌ସିମାନ ଭାରତର ଉଚ୍ଚଶିକ୍ଷା ଓ ସା˚ସ୍କୃତିକ ଅନୁଷ୍ଠାନମାନଙ୍କରେ ଚୀନା ପ୍ରଭାବ ବୃଦ୍ଧି ପାଇ ଚାଲିଥିବା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ (କୁହାଯାଇ ପାରେ) ଏ ବ୍ୟାପାରରେ ବହୁ ବିଳମ୍ବରେ ଭାରତର ନିଦ ଭାଙ୍ଗିଛି, ବୋଧହୁଏ ଲାଦାଖ୍‌ରେ ଚୀନ୍‌ ସେନା ଅନୁପ୍ରବେଶ କାଣ୍ତ ନ ଘଟାଇ ଥିଲେ ଆମର ନିଦ କେବେ ବି ଭାଙ୍ଗନ୍ତା ନାହିଁ। ଅଥଚ ପୃଥିବୀର ବୋଧହୁଏ ଏକ ନମ୍ବର ଉଦାରବାଦୀ ଦେଶ ସ୍ବିଡେନ୍‌ ବର୍ଷକ ତଳେ ସେଠାରେ ସମସ୍ତ କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନ ବନ୍ଦ କରି ଦେଇଛି। କେବଳ ସ୍ବିଡେନ୍‌ ନୁହେଁ, ଅଷ୍ଟ୍ରେଲିଆରୁ ଆମେରିକା ପର୍ଯ୍ୟନ୍ତ ଅନେକ ଦେଶ ଅନୁରୂପ ପଦକ୍ଷେପ ମାନ ନେବା ଦେଖାଯାଇଛି। ସଦ୍ୟ ସଦ୍ୟ ଅଗଷ୍ଟ ୧୩ରେ ଆମେରିକାରେ ଟ୍ରମ୍ପ ପ୍ରଶାସନ ୱାସିଂଟନ୍‌ଠାରେ ଥିବା ଆମେରିକାରେ କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନଙ୍କର ମୁଖ୍ୟାଳୟକୁ ଏକ କୂଟନୈତିକ କାର୍ଯ୍ୟାଳୟ ରୂପେ ଘୋଷିତ କରି ତା’ର କାର୍ଯ୍ୟ କରିବାର ସ୍ବାଧୀନତାକୁ ସମ୍ପୂର୍ଣ୍ଣ ସ˚କୁଚିତ କରି ଦେଇଛି। ଏହା ବିରୋଧରେ ଆଶା କରାଯାଉଥିବା ଭଳି ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅସ୍ବଚ୍ଛ କାର୍ଯ୍ୟଶୈଳୀ ଚୀନ୍‌ର କୌଣସି କୂଟନୈତିକ କାର୍ଯ୍ୟାଳୟର ଗୋପନୀୟ କାର୍ଯ୍ୟଶୈଳୀ ଭଳି ହୋଇଥିବାରୁ ଆମେରିକା ଏହି ପଦକ୍ଷେପ ନେଇଛି ବୋଲି ପ୍ରକାଶ କରିଛି।

୨୦୦୪ରେ ପ୍ରଥମେ ଦକ୍ଷିଣ କୋରିଆରେ ସ୍ଥାପିତ ହୋଇଥିବା କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନଙ୍କର ସ˚ଖ୍ୟା ୨୦୨୦ ଶେଷ ସୁଦ୍ଧା ପୃଥିବୀରେ ୧୦୦୦ରେ ପହଞ୍ଚାଇବା ପାଇଁ ଚୀନ୍‌ ଲକ୍ଷ୍ୟ ରଖିଛି। କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଆଶ୍ରୟ ପ୍ରଦାନ କରିଥିବା ବିଶ୍ବବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନ (ଯେମିତି ମୁମ୍ବାଇ ବିଶ୍ବବିଦ୍ୟାଳୟ), ଚୀନ୍‌ର ଏକ ସହଭାଗୀ ବିଶ୍ବବିଦ୍ୟାଳୟ ଏବ˚ ଚୀନ୍‌ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ‘ହାନ୍‌ବାନ୍‌’ ନାମକ ଏକ ବିବଦମାନ ଅନୁଷ୍ଠାନ ମଧୢରେ ସହଯୋଗ ଭିତ୍ତିରେ କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନ କାର୍ଯ୍ୟ କରିଥାନ୍ତି। ଘୋଷିତ ଲକ୍ଷ୍ୟ ଅନୁସାରେ ଚୀନା ଭାଷା ଓ ସ˚ସ୍କୃତି ବିଷୟରେ ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନମାନ ପ୍ରତିଷ୍ଠିତ ହୋଇଥାନ୍ତି, କିନ୍ତୁ ପ୍ରକୃତରେ ଚୀନା କମ୍ୟୁନିଷ୍ଟ ପାର୍ଟି ଓ ସରକାରର ପ୍ରୋପାଗଣ୍ତା ଶାଖା ରୂପେ ଏବ˚ ଚୀନା ସା˚ସ୍କୃତିକ ଓ ରାଜନୈତିକ ବିସ୍ତାରବାଦ ସଫଳ କରିବା ଦିଗରେ ଏମାନେ କାର୍ଯ୍ୟ କରିଥାନ୍ତି। ସୂଚନାଯୋଗ୍ୟ ପୃଥିବୀ ସାରାର କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନଙ୍କୁ ‘ହାନ୍‌ବାନ୍‌’ ମୁକ୍ତ ହସ୍ତରେ ଆର୍ଥିକ ସହାୟତା ପ୍ରଦାନ କରିଥାଏ ଏବ˚ ସେମାନଙ୍କର ପାଠ୍ୟକ୍ରମକୁ ନିୟନ୍ତ୍ରିତ କରିଥାଏ। ଏଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନଙ୍କରେ ତିବ୍ବତ, ଉଇଘୁର‌୍‌ କିମ୍ବା ହଙ୍ଗ୍‌କଙ୍ଗ୍‌ କିମ୍ବା ଟିଆନାନ୍‌ମେନ୍‌ କିମ୍ବା ତାଇଵାନ୍‌ ଆଦି ନିଷିଦ୍ଧ ଶବ୍ଦରେ ପରିଣତ ହୋଇଥାନ୍ତି।

ଏହା ମଧୢ ସୂଚନାଯୋଗ୍ୟ ଯେ ଯେଉଁ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଦାର୍ଶନିକ-ଶିକ୍ଷାବିତ୍‌ଙ୍କ ନାମ ଅନୁସାରେ ଏହି ଅନୁଷ୍ଠାନମାନ ନାମିତ, କମ୍ୟୁନିଷ୍ଟ ଚୀନ୍‌ର ପ୍ରତିଷ୍ଠାତା ଶାସକ ମାଓଜେଡଙ୍ଗ୍‌ଙ୍କ ସମୟରେ ସେଇ କନ୍‌ଫୁସିଅସ୍‌ଙ୍କ ନାମ ଓ ଚିନ୍ତାଧାରାକୁ ଚୀନା ସରକାରୀ, ସା˚ସ୍କୃତିକ ଓ ବୌଦ୍ଧିକ ଜଗତ୍‌ରୁ ସମ୍ପୂର୍ଣ୍ଣ ନିର୍ବାସିତ କରିଦିଆଯାଇଥିଲା। ମାଓଙ୍କ ପରବର୍ତ୍ତୀ ନେତୃବୃନ୍ଦ ବିଚାର କଲେ ଯେ କମ୍ୟୁନିଷ୍ଟ ଆନ୍ଦୋଳନରେ ଯଦି ପ୍ରାଚୀନ ସ˚ସ୍କୃତିର ଏକ ପୁଟ ଦିଆଯାଏ, ତାହା ବୋଧହୁଏ ଅଧିକ ଗ୍ରହଣୀୟ ହେବ। ତେଣୁ ସେଠାରେ କନ୍‌ଫୁସିଅସ୍‌ଙ୍କର ପୁନଃ ଥଇଥାନ ହେଲା ଓ ପରେ ତାଙ୍କ ନାମ ନେଇ ବିଦେଶରେ ଏକ ସା˚ସ୍କୃତିକ-ରାଜନୈତିକ ଅନୁପ୍ରବେଶ ଚଳାଇବା ମଧୢ ବେଶ୍‌ ସୁବିଧାଜନକ ମନେ ହେଲା।

ପାଶ୍ଚାତ୍ୟ ସହାୟତା ଦ୍ବାରା ଚୀନ୍‌ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଯେତେବେଳେ ଏକ ମହାଶକ୍ତି ରୂପେ ଆବିର୍ଭୂତ ହେବାର ସ୍ବପ୍ନ ଦେଖିବାକୁ ଆରମ୍ଭ କଲା, ସେତେବେଳେ ଅନୁଭବ କଲା ଯେ ସାରା ପୃଥିବୀରେ ନିଜର ପ୍ରଭାବ ଅନୁଭୂତ କରିବାକୁ ହେଲେ ଯେଉଁ ଅସଲ ନିୟନ୍ତ୍ରଣ ଆବଶ୍ୟକ, ତାହା ଅର୍ଥନୈତିକ କିମ୍ବା ସାମରିକ ନୁହେଁ, ତାହା ହେଉଛି ସା˚ସ୍କୃତିକ। ତାହା ହିଁ ହେଉଛି କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା ଓ ପ୍ରସାର ପଛରେ ରହିଥିବା କାରଣ। କୌଣସି ଦେଶର ଲୋକମାନଙ୍କର ସା˚ସ୍କୃତିକ ଅଭ୍ୟାସ, ଭାଷା ଏବ˚ ଚିନ୍ତାଧାରାକୁ ନିୟନ୍ତ୍ରିତ କରିପାରିଲେ, ସେମାନଙ୍କୁ ବାସ୍ତବରେ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ମଧୢରେ ରଖାଯାଇପାରିବ। ଏହି ସୁବିଦିତ କୌଶଳର କୂଟନୈତିକ ଜଗତ୍‌ରେ ନାମକରଣ କରାଯାଇଛି- ‘କୋମଳ ଶକ୍ତି’ (‘ସଫ୍‌ଟ ପାଵାର‌୍‌’)। କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମାନ ହେଉଛନ୍ତି ଏହି କୋମଳ ଶକ୍ତି ବିସ୍ତାର ପାଇଁ ପ୍ରତିଷ୍ଠିତ ଦୁର୍ଗ ସଦୃଶ।

ଏହି ଇନ୍‌ଷ୍ଟିଚ୍ୟୁଟ୍‌ଗୁଡ଼ିକ ଯେ ଦାନ ଆକାରରେ ଚୀନ୍‌ଠାରୁ ମିଳୁଛି, ତାହା ଅବଶ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ଦାତାଙ୍କ ପ୍ରତି ଗ୍ରହୀତା ଗୋଷ୍ଠୀ ଠାରେ ଏକ କୋମଳ ଆଭିମୁଖ୍ୟ ଓ ଆନୁଗତ୍ୟ ସୃଷ୍ଟି କରିଥାଏ। ବଦଳରେ ସେମାନେ ଦାତାଙ୍କୁ ଯେଉଁ ଉପହାର ଭେଟି ଦେଇଥାନ୍ତି, ତାହା ହେଉଛି ସା˚ସ୍କୃତିକ ଅନୁସରଣ ଓ ବୌଦ୍ଧିକ ଦାସତ୍ବ। ପୃଥିବୀର ଅନ୍ୟ ଉଦାରବାଦୀ ସମୃଦ୍ଧ ଦେଶମାନେ ମଧୢ ଏପରି କୋମଳ ଶକ୍ତି ବିସ୍ତାର କରିବା ପାଇଁ ଉଦ୍ୟମ କରି ଆସିଛନ୍ତି। ଚୀନ୍‌ର ଉଦ୍ୟମ କିନ୍ତୁ ସେଥିସହିତ ତୁଳନୀୟ ନୁହେଁ। କାରଣ, ଚୀନ୍‌ର ସ˚ସ୍କୃତି ହେଉଛି ଏକଛତ୍ରବାଦ, ବ୍ୟକ୍ତି ସ୍ବାଧୀନତା ସ˚କୋଚନ ଓ ନିଷ୍ପେଷଣର ସ˚ସ୍କୃତି, ଯାହାକୁ ସେ କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ମାନଙ୍କ ମାଧୢମରେ ଆନ୍ତର୍ଜାତିକ ଗ୍ରହଣୀୟତା ଓ ମର୍ଯ୍ୟାଦା ପ୍ରଦାନ କରିବାକୁ ଚେଷ୍ଟା ଚଳାଇଛି। ସେତିକି ନୁହେଁ, ‘ହୁଆେଵ’ ପ୍ରବିଧିଭିତ୍ତିକ ଗୁପ୍ତଚର ବୃତ୍ତି କଲା ଭଳି, ‘କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ମାନ ମାନବ ଭିତ୍ତିକ ଗୋପନୀୟ ତଥ୍ୟ ସ˚ଗ୍ରହ କେନ୍ଦ୍ରରେ ପରିଣତ ହୋଇ ସମ୍ପୃକ୍ତ ଦେଶର ନିରାପତ୍ତା ବିପନ୍ନ କରିବାର କ୍ଷମତା ବହନ କରିଥାନ୍ତି। ଏଗୁଡ଼ିକୁ ନିଷିଦ୍ଧ କରି ଚୀନ୍‌ର କୋମଳ ଶକ୍ତି ବିସ୍ତାର ଯୋଜନା ଉପରେ ଏକ କଠିନ ପାହାର ଦିଆଯାଇପାରିବ।

ସମ୍ବନ୍ଧିତ ଖବର