ଲକ୍ଷ୍ୟରେ ସୂର୍ଯ୍ୟ

ଚଳିତ ୨୦୧୮ ବର୍ଷର ପ୍ରଥମ ମହାକାଶ ଅଭିଯାନର ସଫଳତା ସହ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଭାରତ ତା’ର ବୈଷୟିକ-କାରିଗରି ନୈପୁଣ୍ୟକୁ ପୁନଃପ୍ରତିପାଦିତ କରିଛି। ଚାରି ମାସ ତଳେ ଗତ ବର୍ଷ ଅଗଷ୍ଟରେ ପିଏସ୍‌ଏଲ୍‌ଭି-ସି୩୯ର ବିଫଳତା ପରେ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଦକ୍ଷତା ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଦେଶୀ ଜ୍ଞାନକୌଶଳ ନେଇ ଯାହାବି କିଛି ସନ୍ଦେହ ପ୍ରକାଶ ପାଇଥିଲା, ଶୁକ୍ରବାର ପିଏସ୍‌ଏଲ୍‌ଭି-ସି୪୦ର ସଫଳ ଉତ୍‌କ୍ଷେପଣ ତାକୁ ସଂପୂର୍ଣ୍ଣ ଭାବେ ଦୂର କରି ଦେଇଛି। ଅଗଷ୍ଟର ବିଫଳ ଅଭିଯାନ ଏକ ଆକସ୍ମିକତା ଥିଲା। ଅନ୍ୟଥା ଭାରତୀୟ ମହାକାଶ ବିଜ୍ଞାନୀଙ୍କ ପାଇଁ ସଫଳତା ଏକ ଧାରା। ୧୯୯୩ରୁ ବର୍ତ୍ତମାନ ସୁଦ୍ଧା ବୟାଳିଶଟି ମଧ୍ୟରୁ ଚାଳିଶଟି ଅଭିଯାନର ସଫଳତା ଏହାର ଉଜ୍ଜ୍ୱଳ ପ୍ରମାଣ। ଏଥର ଭାରତର ୧୦୦ତମ ଉପଗ୍ରହ ‘କାର୍‌ଟୋସାଟ୍‌-୨’ ସମେତ ୩୧ଟି ଉପଗ୍ରହର ଏକକାଳୀନ ମହାକାଶରେ ଭୂ-ସ୍ଥିର କକ୍ଷରେ ଅବସ୍ଥାପନ ଉପଗ୍ରହ ପ୍ରକ୍ଷେପଣ ଯାନ ପିଏସ୍‌ଏଲ୍‌ଭିର ବିଶ୍ୱସନୀୟତା ଉପରେ ମୋହର ଲଗାଇଛି। ପିଏସ୍‌ଏଲ୍‌ଭି- ସି୪୦ ବୋହି ନେଇଥିବା ଉପଗ୍ରହ ଗୁଡ଼ିକ ମଧ୍ୟରେ ବିଦେଶୀ ରାଷ୍ଟ୍ରଙ୍କ ୨୮ଟି ଉପଗ୍ରହ ମଧ୍ୟ ରହିଛି। ୧୯୯୯ରୁ ବର୍ତ୍ତମାନ ସୁଦ୍ଧା ବିଗତ ୧୯ ବର୍ଷରେ ‘ଇସ୍ରୋ’ର ପ୍ରକ୍ଷେପଣ ଯାନ ମୋଟ ୨୩୭ଟି ବିଦେଶୀ ଉପଗ୍ରହ ଅନ୍ତରୀକ୍ଷକୁ ପଠାଇ ଏକ ବିରଳ ସଫଳତାର ଅଧିକାରୀ ହୋଇଛି।

ଚନ୍ଦ୍ର ଓ ମଙ୍ଗଳ ଅଭିଯାନରେ ସଫଳତାର ଗୌରବ ଏବଂ ଗତବର୍ଷ ଫେବ୍ରୁଆରିରେ ଏକକାଳୀନ ୧୦୪ଟି ଉପଗ୍ରହର ପ୍ରକ୍ଷେପଣ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ବିପୁଳ ଆତ୍ମବିଶ୍ୱାସ ଓ ଉତ୍ସାହ ସୃଷ୍ଟି କରିଥିଲା। ଏହା ଗତ ଅଗଷ୍ଟର ବିଫଳତା ଯୋଗୁ କିଛି ମାତ୍ରାରେ ନିଶ୍ଚୟ ପ୍ରଭାବିତ ହୋଇଥିଲା। ତେବେ ବିଫଳତାର ଭିତ୍ତି ଉପରେ ସଫଳତାର ଇମାରତ ଠିଆ ହୁଏ। ‘ଇସ୍ରୋ’ର ବିଜ୍ଞାନୀମାନେ ଏହାକୁ ପ୍ରମାଣିତ କରିଛନ୍ତି। ପିଏସ୍‌ଏଲ୍‌ଭି-ସି୪୦ର ସଫଳତା ନିଶ୍ଚିତ ଭାବେ ବୈଜ୍ଞାନିକଙ୍କ ନିଅଣ୍ଟିଆ ପଡ଼ିଥିବା ଆତ୍ମବିଶ୍ୱାସ ଓ ଉତ୍ସାହକୁ କେବଳ ଭରଣା କରି ନାହିଁ, ଏହାକୁ ବହୁଗୁଣିତ ମଧ୍ୟ କରିବ, ଯାହା ଆଗାମୀ ଆହ୍ଵାନର ମୁକାବିଲାରେ ନିର୍ଣ୍ଣାୟକ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ‘ଇସ୍ରୋ’ କର୍ତ୍ତୃପକ୍ଷ ଆଗାମୀ ପାଞ୍ଚବର୍ଷ ପାଇଁ ଯେଉଁ ଅଭିଯାନ ସୂଚି ଓ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ତାହା ବର୍ତ୍ତମାନ ତୁଳନାରେ ଅଧିକ ଆହ୍ଵାନ ଭରା। ଅନେକ ଆହ୍ଵାନ ମଧ୍ୟରୁ ଗୋଟିଏ ପ୍ରମୁଖ ଆହ୍ଵାନ ହେଲା, ଉପଗ୍ରହ ପ୍ରକ୍ଷେପଣ କ୍ଷମତା ଓ ଦକ୍ଷତା ବୃଦ୍ଧି।

ସଂପ୍ରତି ପ୍ରତିବର୍ଷ ହାରାହାରି ତିନିରୁ ଚାରିଟି ଉପଗ୍ରହ ମହାକାଶକୁ ପଠାଯାଉଛି। ଚଳିତ ୨୦୧୮ରେ ଏହି ସଂଖ୍ୟାକୁ କୋଡ଼ିଏକୁ ବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ସହିତ ଉଭୟ ବିଦେଶୀ ରାଷ୍ଟ୍ର ଓ ଦେଶୀ-ବିଦେଶୀ ଘରୋଇ ସଂସ୍ଥା ମାନଙ୍କ ଉପଗ୍ରହ ପ୍ରେରଣ ସଂଖ୍ୟାକୁ ମଧ୍ୟ ବଢ଼ାଇବାକୁ ପଡ଼ିବ। କାରଣ ବାହାର ଦେଶ ଓ ଘରୋଇ ସଂସ୍ଥାଙ୍କ ଉପଗ୍ରହର ବ୍ୟବସାୟିକ ପ୍ରକ୍ଷେପଣରୁ ଭାରତୀୟ ମହାକାଶ ଗବେଷଣା ପାଇଁ ଯଥେଷ୍ଟ ପାଣ୍ଠି ଆସିବାର ସମ୍ଭାବନା ରହିଛି। ଏଥିରେ ସଫଳତା ପାଇଁ ‘ଇସ୍ରୋ’ କର୍ତ୍ତୃପକ୍ଷ ଏବଂ ବୈଜ୍ଞାନିକ ମାନଙ୍କୁ ଭାରତୀୟ ମହାକାଶ ଗବେଷଣାର ବୈଶିଷ୍ଟ୍ୟ, କମ୍‌ ଖର୍ଚ୍ଚରେ ଉନ୍ନତ କାରିଗରି, ବୈଷୟିକ ଜ୍ଞାନକୌଶଳ ବଜାୟ ରଖିବା ନିହାତି ଜରୁରୀ। ଅନ୍ୟ ଦେଶ ତୁଳନାରେ ଭାରତରେ ଗୋଟିଏ ଉପଗ୍ରହ ପ୍ରେରଣ ବାବଦ ଖର୍ଚ୍ଚ ୩୦ ରୁ ୩୫ ପ୍ରତିଶତରୁ କମ୍‌। ଏହି ସ୍ୱଳ୍ପ ଖର୍ଚ୍ଚ ହିଁ ଉପଗ୍ରହ ପ୍ରକ୍ଷେପଣ ସକାଶେ ବିଦେଶୀ ରାଷ୍ଟ୍ର ଓ ସଂସ୍ଥାଙ୍କୁ ଭାରତ ପ୍ରତି ଅଧିକ ଆକୃଷ୍ଟ କରୁଛି।

ଏ ପରିପ୍ରେକ୍ଷୀରେ ‘କମ୍ପାକ୍ଟ ବୁଷ୍ଟର’ ସହ ପିଏସ୍‌ଏଲ୍‌ଭିର ଆଧୁନିକୀକରଣ ପାଇଁ ହାତକୁ ନିଆଯାଇଥିବା ପ୍ରକଳ୍ପ ତ୍ୱରାନ୍ଵିତ ହେବା ଉଚିତ। ସଫଳତାର ସହ ଏ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ବର୍ତ୍ତମାନ ପିଏସ୍‌ଏଲ୍‌ଭିର ପ୍ରସ୍ତୁତି ପାଇଁ ୪୦ ଦିନ ସମୟ ଲାଗୁଥିବା ବେଳେ, ଆଧୁନିକୀକରଣ ପରେ ମାତ୍ର ୭୨ ଘଣ୍ଟାରେ ଏହା ସମ୍ଭବ ହୋଇପାରିବ। ଏଥିରେ ୭୦୦ କିଲୋଗ୍ରାମ ଓଜନର ଉପଗ୍ରହ ସାତଶହ କିଲୋମିଟର ଉପରକୁ ପଠାଯାଇ ପାରିବ। ଉନ୍ନତ କାରିଗରି କୌଶଳର ପ୍ରୟୋଗ ଫଳରେ ଯେତେବେଳେ କୃତ୍ରିମ ଉପଗ୍ରହ ନିର୍ମାଣ ବାବଦ ଖର୍ଚ୍ଚ କମୁଛି, ସେତେବେଳେ ଉନ୍ନତ କାରିଗରି କୌଶଳର ପ୍ରୟୋଗ ଦ୍ୱାରା ପ୍ରକ୍ଷେପଣ ଖର୍ଚ୍ଚ ମଧ୍ୟ କମିବା ଏକାନ୍ତ ଆବଶ୍ୟକ।

ଚଳିତ ବର୍ଷ ପାଇଁ ‘ଟିମ୍‌ ଇସ୍ରୋ’ ଆଗରେ ଆଉ ଏକ ପ୍ରମୁଖ ଆହ୍ଵାନ ହେଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ। ଦଶବର୍ଷ ତଳେ ୨୦୦୮ ଅକ୍ଟୋବରରେ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ କେବଳ ଭାରତର ନୁହେଁ, ବିଶ୍ୱର ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂଆ ସ୍ୱର୍ଣ୍ଣାଭ ଅଧ୍ୟାୟ ଯୋଡ଼ି ଥିଲା। ଚନ୍ଦ୍ରଯାନ-୧ ସମଗ୍ର ବିଶ୍ୱକୁ ଜଣାଇଥିଲା ଯେ ଜହ୍ନରେ ପାଣି ଅଛି, ଯାହା ସେଠାରେ ଜନବସତିର ସମ୍ଭାବନାକୁ ଅଧିକ ଉଜ୍ଜ୍ୱଳ କରିଛି। ଚନ୍ଦ୍ରପୃଷ୍ଠରେ ନିଜ ଦେଶର ପତାକା ଉଡ଼ାଇବାରେ ଭାରତ ଥିଲା ବିଶ୍ୱର ଚତୁର୍ଥ ରାଷ୍ଟ୍ର। ଦଶବର୍ଷ ତଳର ପ୍ରଥମ ଚନ୍ଦ୍ର ଅଭିଯାନର ସଫଳତାକୁ ପୁଞ୍ଜି କରି ଆସନ୍ତା ମାର୍ଚ୍ଚ ବେଳକୁ ଦ୍ୱିତୀୟ ଚନ୍ଦ୍ର ଅଭିଯାନ ସକାଶେ ସମୟ ଧାର୍ଯ୍ୟ କରାଯାଇଛି।

‘ଇସ୍ରୋ’ର ସର୍ବବୃହତ୍‌ ଉପଗ୍ରହ ଉତ୍‌କ୍ଷେପଣ ଯାନ ୩,୨୫୦ କିଲୋଗ୍ରାମ୍‌ ଓଜନର ଜିଏସ୍‌ଏଲ୍‌ଭି-ମାର୍କ-୨(ଜିଓ ଷ୍ଟେସନାରି ସାଟେଲାଇଟ୍‌ ଲଞ୍ଚିଙ୍ଗ୍‌ ଭେହିକିଲ୍‌ ଏମ୍‌କେ-୨)ରେ ଚନ୍ଦ୍ରଯାନ-୨ ମହାକାଶକୁ ଉଠି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପ୍ରଥମ ଚନ୍ଦ୍ର ଅଭିଯାନ ଭଳି ଦ୍ୱିତୀୟ ଚନ୍ଦ୍ର ଅଭିଯାନରେ ମଧ୍ୟ ଭାରତୀୟ ମହାକାଶ ଗବେଷଣାର ସ୍ୱାତନ୍ତ୍ର୍ୟ- ମିତବ୍ୟୟିତା- ବଜାୟ ରଖିବା ବିଜ୍ଞାନୀଙ୍କ ପାଇଁ ଆହ୍ଵାନ। ଦଶବର୍ଷ ତଳେ ଜାପାନର ଗୋଟିଏ ଚନ୍ଦ୍ର ଅଭିଯାନ ‘ସେଲେନେ’ ପାଇଁ ୪୮୦ ନିୟୁତ ଡଲାର ବ୍ୟୟ ହୋଇଥିବା ବେଳେ ଭାରତର ଚନ୍ଦ୍ରଯାନ-୨ ପାଇଁ ମୋଟ ବ୍ୟୟ ପରିମାଣ ଥିଲା ମାତ୍ର ୮୦ ନିୟୁତ ଡଲାର। ଏଥର ମଧ୍ୟ ଦ୍ୱିତୀୟ ଚନ୍ଦ୍ର ଅଭିଯାନର ବ୍ୟୟ ଅଟକଳ ୯୧ ନିୟୁତ ଡଲାରରେ ସୀମିତ ରଖାଯାଇଛି। ‘ଇସ୍ରୋ’କୁ ବ୍ୟୟ ଅଟକଳ ଭିତରେ ଖର୍ଚ୍ଚକୁ ସୀମିତ ରଖି ଅଭିଯାନକୁ ସଫଳ କରିବାକୁ ପଡ଼ିବ।

ଚଳିତ ବର୍ଷ ଚନ୍ଦ୍ରକୁ ପୁଣି ଫେରିବା ଯୋଜନା ସହ ‘ଇସ୍ରୋ’ ଊଣେଇଶ ପାଇଁ ଆଉ ଏକ ଉଚ୍ଚାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛି ଯାହାର ଲକ୍ଷ୍ୟ- ସୂର୍ଯ୍ୟ। ମହାକାଶ ଅଭିଯାନରେ ଦୀର୍ଘ ଅଭିଜ୍ଞତା ଥିବା ଯୁକ୍ତରାଷ୍ଟ୍ର ଆମେରିକା ଏ ବର୍ଷ ସୂର୍ଯ୍ୟ ଅଭିଯାନରେ ବାହାରୁଛି। ଏହାର ମାତ୍ର ବର୍ଷକ ପରେ ଭାରତ ପାଇଁ ସୂର୍ଯ୍ୟାଭିମୁଖୀ ‘ଆଦିତ୍ୟ-ଏଲ୍‌-୧’ ଅଭିଯାନକୁ କେହି କେହି ଅତି ମାତ୍ରାରେ ଉଚ୍ଚାକାଂକ୍ଷୀ କିଂବା ଦୁଃସାହସିକ ଅଭିଳାଷ ବୋଲି କହିପାରନ୍ତି। ତେବେ ୨୦୧୪ରେ ଭାରତର ସଫଳ ମଙ୍ଗଳ ଅଭିଯାନର ଅଭିଜ୍ଞତା ପରିପ୍ରେକ୍ଷୀରେ ସୂର୍ଯ୍ୟ ଅଭିଯାନ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସାହସିକ ପଦକ୍ଷେପ।

ଆଗାମୀ ସମୟ ‘ଇସ୍ରୋ’ ଲାଗି ନିଶ୍ଚିତ ଭାବେ ବ୍ୟସ୍ତବହୁଳ ଏବଂ ଆହ୍ଵାନ ଭରା। ତେଣୁ ବିଗତ ସଫଳତାରେ ଆତ୍ମସନ୍ତୋଷ ଲାଭର ଅବକାଶ ନାହିଁ। ବରଂ ‘ଅଳ୍ପ ପଥ ଅତିକ୍ରାନ୍ତ, ବହୁ ପଥ ବାକି’ ମନୋଭାବ ସହ ଭାରତୀୟ ମହାକାଶ ବିଜ୍ଞାନୀ ମାନଙ୍କୁୁ ଦୁଃସାହସିକ ଯାତ୍ରାର ଯାତ୍ରୀ ଭାବେ ଆଗେଇବାକୁ ପଡ଼ିବ। ସାହସ, ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ସହ ଆଗେଇ ଚାଲିଲେ ସଫଳତା ଅବଶ୍ୟ ମିଳିବ।

ସମ୍ବନ୍ଧିତ ଖବର