‘ଏମ୍‌ଏମ୍‌ଟି’

ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଚୀନା କରୋନା ଜନିତ କୋଭିଡ୍‌-୧୯ ବିଶ୍ବ ମହାମାରୀ ଅନୁପ୍ରବେଶ ପରଠାରୁ ବର୍ତ୍ତମାନ ମଧୢରେ ପ୍ରାୟ ଦୁଇକୋଟି ପାଖାପାଖି ବେତନଭୋଗୀ ସେମାନଙ୍କର ଜୀବିକା ହରାଇ ସାରିଲେଣି। ମହାମାରୀ ପ୍ରଭାବରେ ଅର୍ଥନୀତିରେ ଘଟି ଚାଲିଥିବା କ୍ରମାଗତ ସ˚କୋଚନ ଯୋଗୁଁ ଏହା ଘଟୁଛି ଯାହା ଏକ ଦାରୁଣ ମାନବୀୟ ସମସ୍ୟାର ରୂପ ନେଲାଣି। ଏଭଳି ପରିସ୍ଥିତିରେ ଆଉ କୌଣସି ବିତର୍କର ଅବକାଶ ନାହିଁ ଯେ ସରକାର ବର୍ତ୍ତମାନ ଦେଶକୁ ଏହି ଚରମ ସଙ୍କଟରୁ ଉଦ୍ଧାର କରିବା ପାଇଁ ମୁକ୍ତ ହସ୍ତରେ ଖର୍ଚ୍ଚ କରି ପୁଣି ଏକ ବିଶାଳ ଓ ବ୍ୟାପକ ରାଜକୋଷୀୟ ପ୍ରୋତ୍ସାହନ ପ୍ରଦାନ କରିବା ଆବଶ୍ୟକ। ଏହି ସମୟରେ କିନ୍ତୁ ଦେଶର ରାଜକୋଷୀୟ ନିଅଣ୍ଟ ବିଗତ ସାତ ବର୍ଷ ମଧୢରେ ସର୍ବାଧିକ ସ୍ତର- ମୋଟ ଜାତୀୟ ଉତ୍ପାଦ (ଜିଡିପି)ର ୪.୬%ରେ ପହଞ୍ଚିଛି। ସରକାରୀ ଖର୍ଚ୍ଚରେ ଯଦି ଏବେ ବିଶେଷ ବୃଦ୍ଧି ଘଟାଯାଏ, ତା’ହେଲେ ଏହି ନିଅଣ୍ଟ ଅନୁପାତରେ ଆହୁରି ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି, ଯାହା ମୁଦ୍ରାସ୍ଫୀତି ଘଟାଇ ଦରଦାମକୁ ଉପରମୁହାଁ କରିବ। ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟ ଉପରେ ନଜର ରଖିଥିବା ରେଟିଙ୍ଗ୍‌ ଏଜେନ୍‌ସିମାନ ଓ ଅନ୍ୟ ପର୍ଯ୍ୟବେକ୍ଷକମାନେ ଏହି ନିଅଣ୍ଟ ହାର ଉପରେ ସେଥିପାଇଁ ତୀକ୍ଷ୍‌ଣ ନଜର ରଖିଥାନ୍ତି।

ଏହି ଅକଳିଆ ଅବସ୍ଥାରୁ ମୁକୁଳି ଅର୍ଥନୀତିକୁ ସାହାଯ୍ୟ କରିବା ପାଇଁ ସରକାରଙ୍କ ସମ୍ମୁଖରେ ଅବଶ୍ୟ ଗୋଟିଏ ବାଟ ମୁକୁଳା ଅଛି- ସେ ବାଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଭିତର ଦେଇ ଯାଇଛି। ସେ ବାଟର ନାମ ହେଉଛି ‘ନିଅଣ୍ଟର ପ୍ରତ୍ୟକ୍ଷ ମୁଦ୍ରୀକରଣ’ ବା ‘ଡାଇରେକ୍ଟ ମନିଟାଇଜେସନ୍‌ ଅଫ୍‌ ଡେଫିସିଟ୍‌ସ’। ସରକାର କାଳେ ଏହି ବାଟରେ ପାଦ ଦେବେ, ତାହା ଅନୁମାନ କରି ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସି˚ହ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କର ଏକ ଲେଖା ମାଧୢମରେ ସେଭଳି ପନ୍ଥା ଅବଲମ୍ବନ ନ କରିବାକୁ ସରକାରଙ୍କୁ ଚେତାଇ ଦେଇଛନ୍ତି। ତା’ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ବିରଳ ଆଚାର୍ଯ୍ୟ ମଧୢ ଅନୁରୂପ ମତ ପ୍ରକାଶ କରିବା ଦେଖାଯାଇଥିଲା।
ସିଧାସଳଖ କହିଲେ, ସରକାର ନିଜର ଆୟକୁ ଅତିକ୍ରମ କରି କରୁଥିବା ଖର୍ଚ୍ଚ ଭରଣା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍‌ ନୋଟ୍‌ ଛପାଇ ଥାଏ- ଯାହାର ନାମ ହେଉଛି ‘ପ୍ରତ୍ୟକ୍ଷ ନିଅଣ୍ଟ ମୁଦ୍ରୀକରଣ’। ପ୍ରାଥମିକ ବଜାରରୁ ସରକାରୀ ଋଣପତ୍ର ବା ସିକ୍ୟୁରିଟି କ୍ରୟ ମାଧୢମରେ ରିଜର୍ଭ ବ୍ୟାଙ୍କ୍‌ ଛପାଇଥିବା ନୋଟ୍‌ ସରକାରଙ୍କ ତହବିଲରେ ପହଞ୍ଚାଇଥାଏ। ୧୯୯୭ ପର୍ଯ୍ୟନ୍ତ ଆମ ଦେଶରେ ଏହି ପ୍ରକ୍ରିୟା ଏକ ପ୍ରକାର ସ୍ବୟ˚ଚାଳିତ ଥିଲା ବୋଲି କହିଲେ ଚଳେ। ତା’ପର ଠାରୁ କେବଳ ଦ୍ବିତୀୟ ସ୍ତର (ସେକଣ୍ତାରି) ବଜାରରେ ହିଁ ରିଜର୍ଭ ବ୍ୟାଙ୍କ୍‌ ଏପରି ସରକାରୀ ଋଣପତ୍ର କ୍ରୟ କରିପାରିବ ବୋଲି ନିଷ୍ପତ୍ତି ନିଆଗଲା। ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କ୍‌ ନୋଟ୍‌ ଛପାଇ ସିଧାସଳଖ ସରକାରଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। କିନ୍ତୁ ଏହାଦ୍ବାରା ଏ ସିଧା ବାଟ ଯେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ଏପରି ନୁହେଁ। ୨୦୧୭ରେ ବଳବତ୍ତର ହୋଇଥିବା ବିତ୍ତୀୟ ସ˚ଯମ ଆଇନ ‘ଫିସ୍‌କାଲ୍‌ ରେସ୍‌ପନ୍‌ସିବିଲିଟି ଆଣ୍ତ ବଜେଟ୍‌ ମ୍ୟାନେଜ୍‌ମେଣ୍ଟ ଆକ୍ଟ’ (‘ଏଫଆର‌୍‌ବିମ୍‌’)ରେ ବିଶେଷ ପରିସ୍ଥିତି ଉପୁଜିଲେ ପ୍ରାଥମିକ ବଜାରରେ ପ୍ରବେଶ କରି ରିଜର୍ଭ ବ୍ୟାଙ୍କ୍‌ ସରକାରୀ ନିଅଣ୍ଟର ପ୍ରତ୍ୟକ୍ଷ ମୁଦ୍ରୀକରଣ କରିପାରିବ ବୋଲି ବ୍ୟବସ୍ଥା ରହିଛି।

ମନମୋହନ ସି˚ହ ଓ ବିରଳ ଆଚାର୍ଯ୍ୟଙ୍କ ପରି ବ୍ୟକ୍ତିମାନେ ଦୁଇଟି ମୁଖ୍ୟ କାରଣ ଯୋଗୁଁ ପ୍ରତ୍ୟକ୍ଷ ମୁଦ୍ରୀକରଣର ବିରୋଧ କରୁଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ଏଭଳି ବିପୁଳ ପରିମାଣର ନୋଟ୍‌ ଛପା ହୋଇ ସରକାରୀ ଖର୍ଚ୍ଚ ମାଧୢମରେ ବଜାରରେ ପ୍ରବେଶ କଲେ, ପୂର୍ବରୁ କୁହାଯାଇଥିବା ଭଳି ମୁଦ୍ରାସ୍ଫୀତି ସୃଷ୍ଟି ହେବ ଏବ˚ ଦ୍ବିତୀୟରେ ଭାରତୀୟ ମୁଦ୍ରା ଟଙ୍କାର ବୈଦେଶିକ ବିନିମୟ ମୂଲ୍ୟରେ ଅବନତି ଘଟି ଏକ ବୈଦେଶିକ ବାଣିଜ୍ୟ ସନ୍ତୁଳନ ପତ୍ର ବା ‘ବାଲାନ୍‌ସ ଅଫ୍‌ ପେମେଣ୍ଟ୍‌ସ’ ସ˚କଟ ସୃଷ୍ଟି କରିବ। ଏହା ଏକ ରକ୍ଷଣଶୀଳ ଆଭିମୁଖ୍ୟ ହୋଇଥିବା ବେଳେ, ଏପରି ନୋଟ୍‌ ଛପାଇ ଖର୍ଚ୍ଚ କରିବାରେ ଯେଉଁମାନେ ବିଶ୍ବାସ କରନ୍ତି, ସେମାନେ ଯେଉଁ ମୁଦ୍ରା ପରିଚାଳନା ତତ୍ତ୍ବରେ ବିଶ୍ବାସ କରନ୍ତି ତାହାର ନାମ ହେଉଛି ‘ମଡର୍ଣ୍ଣ ମନିଟାରି ଥିଓରି’ (‘ଏମ୍‌ଏମ୍‌ଟି’)।

ଏହି ତତ୍ତ୍ବ ଅନୁସାରେ ଯେଉଁ ଦେଶମାନେ ମୌଦ୍ରିକ ସାର୍ବଭୌମତ୍ବ ଉପଭୋଗ କରିଥାନ୍ତି ଏବ˚ ନିଜ ସାର୍ବଭୌମ ମୁଦ୍ରାରେ ଋଣ ଉଠାନ୍ତି ଓ ଟିକସ ଆଦାୟ କରନ୍ତି, ନିଜର ଆୟଠାରୁ ଆବଶ୍ୟକ ହେଲେ ଅଧିକ ବ୍ୟୟ କରିବା ପାଇଁ ନୋଟ୍‌ ଛପାଇ ବିଶାଳ ନିଅଣ୍ଟ ସୃଷ୍ଟି କରିପାରିବେ। ବିଶେଷ କରି ଦେଶରେ ଯେତେବେଳେ ମାନ୍ଦା ଅବସ୍ଥା ଯୋଗୁଁ ଉଭୟ ମାନବ ସମ୍ବଳ ଓ ଅନ୍ୟାନ୍ୟ ସମ୍ବଳ ବେକାର ହୋଇ ରହିଥାନ୍ତି, ସେତେବେଳେ ସରକାର ଏପରି ନିଅଣ୍ଟିଆ ଖର୍ଚ୍ଚ ମାଧୢମରେ ସେଗୁଡ଼ିକୁ ଉତ୍ପାଦନଶୀଳ କରି ଅର୍ଥନୀତିର ସ୍ବାସ୍ଥ୍ୟ ଫେରାଇବାକୁ ସକ୍ଷମ ହେବେ ଏବ˚ ତାହାଦ୍ବାରା ମୁଦ୍ରାସ୍ଫୀତି ମଧୢ ସୃଷ୍ଟି ହେବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ସରକାର ସିଧାସଳଖ ରିଜର୍ଭ ବ୍ୟାଙ୍କ୍‌ ଠାରୁ ନୂଆ ନୋଟ୍‌ ପାଇଗଲେ, ଋଣ ଉଠାଇବାକୁ ଆଉ ବଜାରମୁହାଁ ହେବେ ନାହିଁ। ଏହା ଫଳରେ ଘରୋଇ ଉଦ୍ୟୋଗମାନଙ୍କ ପାଇଁ ବଜାରରେ ଯଥେଷ୍ଟ ଋଣ ଉପଲବ୍‌ଧ ହେବ।

ସରକାରୀ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ଘଟିବ କି ନାହିଁ, ତାହା ଦୁଇଟି କଥା ଉପରେ ନିର୍ଭର କରେ। ନିକଟ ଅତୀତରେ ଅର୍ଥଶାସ୍ତ୍ର ପରିସରରେ ମୁଦ୍ରାସ୍ଫୀତିର ସ˚ଜ୍ଞାରେ ପରିବର୍ତ୍ତନ ଘଟିବାକୁ ଲାଗିଛି। ଏ ପର୍ଯ୍ୟନ୍ତ ଅର୍ଥଶାସ୍ତ୍ରର ଛାତ୍ରମାନେ ମୁଦ୍ରାସ୍ଫୀତିକୁ ତା’ର ନାମ ଅନୁସାରେ ଏକ ମୁଦ୍ରାଗତ ଅବସ୍ଥା ବା ଘଟଣା ରୂପେ ଦେଖି ଆସୁଥିଲେ। କିନ୍ତୁ ନିକଟ ଅତୀତରେ ପ୍ରାବିଧିକ ବିପ୍ଳବ କାରଣରୁ ଓ ଅର୍ଥନୀତିର ସ˚ଗଠନରେ ଦେଖା ଦେଇଥିବା ପରିବର୍ତ୍ତନମାନ ଯୋଗୁଁ (ଯେମିତି ଡିଜିଟାଲ୍‌ ବିପ୍ଳବ କିମ୍ବା ଭାଗୀଦାରି ଅର୍ଥନୀତି ଆଦି) ଦେଶରେ ମୁଦ୍ରା ଯୋଗାଣରେ ବୃଦ୍ଧି ଘଟିଲେ ମଧୢ ମୁଦ୍ରାସ୍ଫୀତି ଘଟୁ ନ ଥିବା ଦେଖାଯାଉଛି ଏବ˚ ତାହା ଅଧିକା˚ଶ ସମୃଦ୍ଧ ଦେଶରେ ଘୋର ମୁଣ୍ତବିନ୍ଧାର କାରଣ ହୋଇଛି। ଏପରିକି ଦରଦାମ ବୃଦ୍ଧି ହାସଲ କରିବା ପାଇଁ ଅନେକ ଦେଶରେ ସୁଧ ହାରକୁ ଅବିଶ୍ବାସ୍ୟ ଭାବରେ ଶୂନ୍ୟ ବା ଶୂନ୍ୟ ନିକଟକୁ ଖସାଇ ଆଣିଥିଲେ ମଧୢ ମୁଦ୍ରାସ୍ଫୀତି ଘଟିବା ଦେଖାଯାଉନାହିଁ। ତେଣୁ ପୁରୁଣା ତତ୍ତ୍ବକୁ ଅନୁସରଣ କରି ମୁଦ୍ରାସ୍ଫୀତିକୁ ଭୟ କରି ନିଅଣ୍ଟିଆ ଖର୍ଚ୍ଚ ଠାରୁ ଦୂରେଇ ରହିବାକୁ ‘ଏମ୍‌ଏମ୍‌ଟି’ ଅନୁସରଣକାରୀମାନେ ସମର୍ଥନ କରନ୍ତି ନାହିଁ।

ତା’ଛଡ଼ା ବର୍ତ୍ତମାନ କୋଭିଡ୍‌ ମାଡ଼ରେ ଅର୍ଥନୀତିର ଚାହିଦା ପାର୍ଶ୍ବ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି, ଯେଉଁଥି ଯୋଗୁଁ ଦେଶର ଉତ୍ପାଦନ କ୍ଷମତା ବେକାର ହୋଇ ପଡ଼ି ରହିବାକୁ ବାଧୢ ହୋଇଛି। ‘ଏମ୍‌ଏମ୍‌ଟି’ ଅନୁସାରେ ସରକାର ଯଦି ଖର୍ଚ୍ଚ ବୃଦ୍ଧି କରି ଚାହିଦା ପାର୍ଶ୍ବକୁ ପରିପୁଷ୍ଟ କରନ୍ତି, ତା’ସହିତ ତାଳ ଦେଇ ଉତ୍ପାଦନ ଓ ଯୋଗାଣ ସ୍ରୋତରେ ମଧୢ ବୃଦ୍ଧି ଘଟିବ, ଯାହା ଫଳରେ ମୁଦ୍ରାସ୍ଫୀତି ଘଟିବ ନାହିଁ। ସରକାର ଯେହେତୁ ନିଅଣ୍ଟର ପ୍ରତ୍ୟକ୍ଷ ମୁଦ୍ରୀକରଣ ମାଧୢମରେ ଏହି ଖର୍ଚ୍ଚ କରିବେ, ତାହା ରାଜକୋଷୀୟ ନିଅଣ୍ଟରେ ପ୍ରତିଫଳିତ ହେବ ନାହିଁ ଏବ˚ ରେଟିଙ୍ଗ୍‌ ଏଜେନ୍‌ସି ମାନଙ୍କର ଦୃଷ୍ଟି କଟୁ ହେବ ନାହିଁ। ଅନ୍ୟପକ୍ଷେ ରେଟିଙ୍ଗ୍‌ ଏଜେନ୍‌ସିମାନେ ଯାହାକୁ ଗୁରୁତ୍ବ ଦିଅନ୍ତି, ତାହା ହେଉଛି କୌଣସି ଦେଶର ଅର୍ଥନୀତିର ଉତ୍ପାଦିକା ଶକ୍ତି। ସରକାରଙ୍କ ଖର୍ଚ୍ଚ ମାଧୢମରେ ଯଦି ଅର୍ଥନୀତିର ଉତ୍ପାଦନ କ୍ଷମତା ସକ୍ରିୟ ହୋଇ ଉଠେ, ଜିଡିପିରେ ବୃଦ୍ଧି ଘଟିବାକୁ ଆରମ୍ଭ କରେ ଏବ˚ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଦେଖାଦିଏ, ତାହା ରେଟିଙ୍ଗ୍‌ ଏଜେନ୍‌ସି ସମେତ ସମସ୍ତ ପର୍ଯ୍ୟବେକ୍ଷକଙ୍କର ସନ୍ତୋଷ ବିଧାନ କରିବ।

ବର୍ତ୍ତମାନ ଦେଶର ବୈଦେଶିକ ଦେଣନେଣରେ ସନ୍ତୁଳନ ପରିସ୍ଥିତି ଆଦୌ ଦୁର୍ବଳ ନୁହେଁ। ଦେଶର ବୈଦେଶିକ ମୁଦ୍ରା ଭଣ୍ତାରରେ ବର୍ତ୍ତମାନ ପ୍ରାୟ ୫୫୦ ବିଲିଅନ ଡଲାର‌୍‌ର ରେକର୍ଡ ରାଶି ଗଚ୍ଛିତ ରହିଛି। ଆମର ଆମଦାନି ଖର୍ଚ୍ଚରେ ବର୍ତ୍ତମାନ ବିଶେଷ ସ˚କୋଚନ ଘଟିଛି। (ମୁଖ୍ୟତଃ ନୀଚା ତୈଳଦର ଯୋଗୁଁ)। ଏଣୁ ସରକାରଙ୍କର ରାଜକୋଷୀୟ ପ୍ରୋତ୍ସାହନ ପାଇଁ ତାହା ଏକ ପ୍ରତିବନ୍ଧ ନୁହେଁ। ସବୁ ଦୃଷ୍ଟିରୁ ବିଚାର କଲେ ସରକାର ‘ଏମ୍‌ଏମ୍‌ଏସ୍‌’ଙ୍କ ସତର୍କବାଣୀକୁ ନ ଡରି ‘ଏମ୍‌ଏମ୍‌ଟି’କୁ ଅନୁକରଣ କରିବା ଉଚିତ ମନେହୁଏ।

ସମ୍ବନ୍ଧିତ ଖବର