ବୀରବଲୀୟ ଆନୁଗତ୍ୟ

ବାଇଗଣକୁ କେନ୍ଦ୍ର କରି ଆକବର ଓ ବୀରବଲଙ୍କ ସମ୍ବନ୍ଧରେ ଏକ ମଜାଳିଆ ଗଳ୍ପ ବହୁଳ ଭାବେ ଶୁଣାଯାଇଥାଏ। କାହାଣୀରେ ଅଛି ଯେ ଆକବର ଭିନ୍ନ ଭିନ୍ନ ସମୟରେ ଦୁଇ ଥର ବାଇଗଣରେ ପ୍ରସ୍ତୁତ ବ୍ୟ˚ଜନ ଖାଇ ଥରେ ବାଇଗଣ ଭଳି ପରିବାର ପଟାନ୍ତର ନାହିଁ ବୋଲି ତାରିପ କରିଥିବା ବେଳେ ଅନ୍ୟ ଥର ବାଇଗଣ ଏକ ଅତ୍ୟନ୍ତ କଦର୍ଯ୍ୟ ପରିବା ବୋଲି ନିନ୍ଦା କରନ୍ତେ, ଦୁଇ ଥର ଯାକ ତାଙ୍କ ପାଖରେ ମହଜୁଦ ଥିବା ବୀରବଲ ତହିଁରେ ସମ୍ମତି ପ୍ରଦାନ କରିବା ସହିତ ଆହୁରି ଦୁଇ ଧାଡ଼ି ଯୋଡ଼ିଥିଲେ। ଏଥିରେ ହଠାତ୍‌ ଚିଡ଼ି ଯାଇ ଆକବର ବୀରବଲଙ୍କୁ ଏକ ତୋଷାମଦିଆ ବୋଲି ଆକ୍ଷେପ କରି ତାଙ୍କର ନିଜସ୍ବ କିଛି ମତ ନାହିଁ କି ବୋଲି ପ୍ରଶ୍ନ କରିବାରୁ ବୀରବଲ ସ୍ବଭାବସୁଲଭ ଢଙ୍ଗରେ କହିଥିଲେ ଯେ ସେ ରାଜାଙ୍କ ନିକଟରେ ଚାକିରି କରିଛନ୍ତି, ବାଇଗଣ ପାଖରେ ନୁହେଁ। ଏହାର ଅର୍ଥ ତାଙ୍କର ଆନୁଗତ୍ୟର କେନ୍ଦ୍ର ରାଜା, ବାଇଗଣ ନୁହେଁ। ଏହି ପରିପ୍ରେକ୍ଷୀରେ ସ˚ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ‘ଵାଲ ଷ୍ଟ୍ରିଟ୍‌ ଜର୍ନାଲ’ରେ ପ୍ରକାଶିତ ଏକ ସମ୍ବାଦ ଆଧାରରେ ଫେସ୍‌ବୁକ୍‌ ଓ ବିଜେପିକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ ରାଜନୈତିକ ବିବାଦ ଯହିଁରେ ‘ଫେସ୍‌ବୁକ୍‌’ ଭାରତରେ କ୍ଷମତାସୀନ ବିଜେପି ସରକାରଙ୍କ ପ୍ରତି ଅତ୍ୟନ୍ତ ଅନୁଗତ ବୋଲି ଅଭିଯୋଗ ହୋଇଥାଏ, ଉପରୋକ୍ତ କାହାଣୀଟିକୁ ମନେ ପକାଇ ଦେଇଥାଏ। ଫେସ୍‌ବୁକ୍‌ରେ ସା˚ପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ମନ୍ତବ୍ୟମାନ ପ୍ରସାରିତ ହେଉଥିଲେ ମଧୢ ସ˚ପୃକ୍ତ ଅନୁଷ୍ଠାନ ଦ୍ବାରା ଏଥି ପ୍ରତି ଉଦାସୀନତା ପ୍ରଦର୍ଶନ କରାଯିବା ଏବ˚ ଏହା ବିରୋଧରେ ତହିଁରେ କାର୍ଯ୍ୟରତ କତିପୟ କର୍ମଚାରୀ ଆପତ୍ତି ଉଠାଇବା ସତ୍ତ୍ବେ ସେମାନଙ୍କୁ ନିରବ ରହିବାକୁ ଉପର ସ୍ତରରୁ ପରାମର୍ଶ ଦିଆଯିବା ଭଳି ସୂଚନା ଉପରୋକ୍ତ ଧାରଣାକୁ ପରିପୁଷ୍ଟ କରିଥାଏ। କହିବା ବାହୁଲ୍ୟ ଯେ ଏଭଳି ଏକ ଖବର ପ୍ରକାଶିତ ହେବା ପରେ କ˚ଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ତଥା ପ୍ରତିବାଦ ପ୍ରକାଶ ପାଇଛି ଏବ˚ ଦଳ ପକ୍ଷରୁ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ ପ୍ରେରଣ କରାଯାଇଛି। କିନ୍ତୁ ଏହି ସ˚ଦର୍ଭରେ ଯାହା ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ, ତାହା ହେଲା ଉପରୋକ୍ତ ଅଭିଯୋଗରେ କୁହାଯାଇଥିଲା ଭଳି ‘ଫେସ୍‌ବୁକ୍‌’ କ’ଣ ସତରେ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶ ପ୍ରତି ଅନୁଗତ?

ଏହି ଆଲୋଚନାକୁ ଆଗକୁ ନେବାକୁ ହେଲେ ସ˚ପ୍ରତି ଲୋକପ୍ରିୟ ହୋଇ ପଡ଼ିଥିବା ‘ଗାଫାମ୍‌’ (GAFAM) ନାମକ ଏକ ‘ଆକ୍ରୋନିମ୍‌’ ବା ସ˚କ୍ଷିପ୍ତୀକୃତ କ୍ଷୁଦ୍ର ନାମ ବିଚାର ପରିସରକୁ ଆସିଥାଏ। ଗୁଗଲ, ଆପଲ, ଫେସ୍‌ବୁକ୍‌, ଆମାଜନ ଏବ˚ ମାଇକ୍ରୋସଫ୍‌ଟ ଭଳି ପାଞ୍ଚଟି ଉଦ୍ୟୋଗ ଯାହା ବର୍ତ୍ତମାନ ସମଗ୍ର ପୃଥିବୀର ବଜାର, ଅର୍ଥନୀତି, ବିଚାର, ମତାମତ, ଲୋକ-ସଂସ୍କୃତି, ସାମାଜିକ ଓ ବ୍ୟକ୍ତିଗତ ଆଚରଣ ଏବ˚ ଆଭିମୁଖ୍ୟ ଇତ୍ୟାଦିକୁ ଅତ୍ୟନ୍ତ ଗଭୀର ଭାବେ ପ୍ରଭାବିତ କରୁଛନ୍ତି, ସେମାନଙ୍କ ନାମର ପ୍ରଥମ ଅକ୍ଷରରୁ ଏହି ‘ଆକ୍ରୋନିମ୍‌’ର ସୃଷ୍ଟି। କୁହାଯାଇଥାଏ ଯେ ଏହି ଉଦ୍ୟୋଗଗୁଡ଼ିକ ପ୍ରତ୍ୟେକ ଯେତିକି ପରିମାଣର ବାର୍ଷିକ କାରବାର ଓ ଆୟ କରିଥାଆନ୍ତି, ତାହା ପୃଥିବୀର ଅଧିକା˚ଶ ରାଷ୍ଟ୍ରର ଜାତୀୟ ଆୟ ବା ଜି.ଡି.ପି.ଠାରୁ ମଧୢ ଅଧିକ। ଉଦାହରଣ ସ୍ବରୂପ ‘ଆପଲ’ କ˚ପାନି ଯଦି ଏକ ରାଷ୍ଟ୍ର ହୁଅନ୍ତା, ତେବେ ବାର୍ଷିକ ୧.୯୬ ଟ୍ରିଲିଅନ ଡଲାରର କାରବାର ସହିତ ଏହା ଜି.ଡି.ପି. ଆଧାରରେ ବିଶ୍ବର ରାଷ୍ଟ୍ର ତାଲିକାରେ ଦଶ ନମ୍ବର ସ୍ଥାନରେ ରହନ୍ତା। ଏବେ ଆଲୋଚ୍ୟ ଫେସ୍‌ବୁକ୍‌ର ବାର୍ଷିକ କାରବାର କେତେ ତାହା ଦେଖାଯାଉ। ତାହା ହେଉଛି ବାର୍ଷିକ ୭୫୦ ବିଲିଅନ ଡଲାର (ଭାରତର ସର୍ବାଧିକ ଦାମୀ ଉଦ୍ୟୋଗ ରିଲାଏନ୍‌ସ ଇଣ୍ତଷ୍ଟ୍ରିଜ୍‌ କରୁଥିବା କାରବାରର ପ୍ରାୟ ଚାରି ଗୁଣ)। ସୁତରା˚, କହିବା ନିଷ୍ପ୍ରୟୋଜନ ଯେ ଫେସ୍‌ବୁକ୍‌ ଏକ ନିରୋଳା ଲାଭଖୋର ବ୍ୟବସାୟ ସ˚ସ୍ଥା ଯାହା କଟକଣା କାରଣରୁ ଚୀନରେ ପ୍ରବେଶ କରି ନ ପାରି ଭାରତରେ ତାର ସର୍ବାଧିକ ବିଶାଳ ବଜାରକୁ ଆବିଷ୍କାର କରିଛି। ତେଣୁ, ଏହି କାରବାରକୁ ନିରଙ୍କୁଶ ଭାବେ ଚଳାଇ ରଖିବାକୁ ସେହି ଉଦ୍ୟୋଗ ରାଷ୍ଟ୍ରରେ କ୍ଷମତାସୀନ ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବା ଅତ୍ୟନ୍ତ ସ୍ବାଭାବିକ ମାତ୍ର। ଉଲ୍ଲେଖଯୋଗ୍ୟ ଯେ ଭିଏତ୍‌ନାମ ଭଳି ଏକ କ୍ଷୁଦ୍ର ଏବ˚ ସ୍ବଳ୍ପ ପ୍ରଭାବଶାଳୀ ରାଷ୍ଟ୍ରରେ ନିଜ କାରବାର ଚଳାଇ ରଖିବା ଲାଗି ଫେସ୍‌ବୁକ୍‌ ସେହି ରାଷ୍ଟ୍ରର ସରକାରଙ୍କ ମନ ରଖିଲା ଭଳି ବିଭିନ୍ନ ପଦକ୍ଷେପ ନେଇଥାଏ। ଏହା ମଧୢ ଭୁଲିଯିବା ଉଚିତ ନୁହେଁ ଯେ ଭବିଷ୍ୟତରେ ଯଦି ବିଜେପିର ରାଜନୈତିକ ବିରୋଧୀ କେନ୍ଦ୍ରରେ କ୍ଷମତାସୀନ ହୁଅନ୍ତି, ତେବେ ‘ଫେସ୍‌ବୁକ୍‌’ ପକ୍ଷରୁ ସେହି ଦଳର ରାଜନୈତିକ ଆଦର୍ଶ ପ୍ରତି ମଧ୍ୟ ଆନୁଗତ୍ୟ ପ୍ରକାଶ କରାଯିବ। କାରଣ ବୀରବଲଙ୍କ ତୁଲ୍ୟ ଫେସ୍‌ବୁକ୍‌ ଏ ନେଇ ଅତ୍ୟନ୍ତ ସ୍ପଷ୍ଟ ଯେ ଆକବର ନା ବାଇଗଣ କାହା ପ୍ରତି ଆନୁଗତ୍ୟ ପ୍ରକାଶ କରିବା ବୁଦ୍ଧିମାନୀର ପରିଚାୟକ।

ଏଠାରେ କହି ରଖିବା ଉଚିତ ହେବ ଯେ ତେଲେଙ୍ଗାନାର ଜନୈକ ବିଜେପି ନେତା ତଥା ଆତ୍ମ ଘୋଷିତ ‘ଗୋ-ରକ୍ଷକ’ ଫେସ୍‌ବୁକ୍‌ରେ ସା˚ପ୍ରଦାୟିକ ଘୃଣା ବହନକାରୀ ବିଷୋଦ୍‌ଗାର କରିବା ଏବ˚ ଏହା ବିରୋଧରେ ଅଭିଯୋଗ ହେବା ସତ୍ତ୍ବେ ସେହି ଭିଡିଓକୁ ଫେସ୍‌ବୁକ୍‌ରୁ ହଟାଇ ଦିଆ ନ ଯିବା ଭଳି ଘଟଣାରୁ ହିଁ ଫେସ୍‌ବୁକ୍‌ର ଦକ୍ଷିଣ ପନ୍ଥା-ଆନୁଗତ୍ୟକୁ ନେଇ ଧାରଣା ସୃଷ୍ଟି ହୋଇଥିଲା। ଏହି ସ˚ଦର୍ଭରେ ଯେଉଁ ପ୍ରଶ୍ନଟି ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବେ ଉଠିଥାଏ, ତାହା ହେଲା କୌଣସି ଏକ ସାର୍ବଭୌମ ରାଷ୍ଟ୍ରର ସମ୍ବିଧାନ ପ୍ରଦତ୍ତ ମୂଲ୍ୟବୋଧରେ ଆଞ୍ଚ ଆଣୁଥିବା ଭଳି କାର୍ଯ୍ୟ କରିବାକୁ ଏକ ବ୍ୟାବସାୟିକ ଅନୁଷ୍ଠାନକୁ ପ୍ରଶ୍ରୟ ଦିଆଯାଇପାରେ କି? ଭାରତୀୟ ସମ୍ବିଧାନର ଧାରା ୧୯-୧(କ)ରେ ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଯେଉଁ ଅଧିକାର ପ୍ରଦାନ କରାଯାଇଛି, ତାହା ସ˚ପୂର୍ଣ୍ଣ ନିଃସର୍ତ୍ତ ନୁହେଁ। ଯେଉଁ ବକ୍ତବ୍ୟ ଦ୍ବାରା ରାଷ୍ଟ୍ରର ବା ସମାଜରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବ˚ ସ˚ହତି ଭଙ୍ଗ ହେବାର ଆଶଙ୍କା ରହିଛି, ତାହାର ନିରଙ୍କୁଶ ପ୍ରସାରକୁ ସମ୍ବିଧାନ ପୂର୍ଣ୍ଣ ବିରୋଧ କରିଥାଏ। ସୁତରା˚, ଏଭଳି ଏକ ସମ୍ବିଧାନ ବିରୋଧୀ କାର୍ଯ୍ୟ ଯଦି ଫେସ୍‌ବୁକ୍‌ ଦ୍ବାରା ପ୍ରଶ୍ରୟ ପାଉଥାଏ, ତେବେ ତାହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ।

କିନ୍ତୁ ବିଡ଼ମ୍ବନାଟି ହେଉଛି ବର୍ତ୍ତମାନ ଦେଶର ଅନେକ ମୁଖ୍ୟ ସ୍ରୋତୀୟ ଗଣମାଧୢମ ସେମାନଙ୍କ ଉପରେ ରହିଥିବା ନିୟନ୍ତ୍ରଣକାରୀ ଅଙ୍କୁଶ ସତ୍ତ୍ବେ ଅତ୍ୟନ୍ତ ନିର୍ଭୟ ଚିତ୍ତରେ ସା˚ପ୍ରଦାୟିକ ବିଦ୍ବେଷର ବିଷ ସଂଚାର କରି ଚାଲିଥିବା ସ୍ଥଳେ ସେମାନଙ୍କୁ ରୋକିବାରେ ଆଇନ ବିଫଳ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଫେସ୍‌ବୁକ୍‌ ଭଳି ଏକ ସାମାଜିକ ଗଣମାଧୢମ ଉପରେ ଅଙ୍କୁଶ ଲଗାଇବା ଲାଗି ଦାବି ଅବାସ୍ତବ ମନେ ହୋଇଥାଏ। ସତ କହିଲେ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧୢମର ମଞ୍ଚଗୁଡ଼ିକ ହେଉଛନ୍ତି ଉନ୍ମୁକ୍ତ ପ୍ରାଙ୍ଗଣ, ଯେଉଁଠାରେ ଯେ କେହି, ଯେ କୌଣସି ରୂପରେ ଅବତୀର୍ଣ୍ଣ ହୋଇ ଆପଣା ବକ୍ତବ୍ୟ ପ୍ରଦାନ କରିପାରିବ। ସେହି ଦୃଷ୍ଟିରୁ ଏହା ଏଭଳି ଏକ ଅନାସକ୍ତ ମାଧୢମ ଯହିଁରେ କୌଣସି ନିର୍ଦ୍ଦିଷ୍ଟ ମତାଦର୍ଶକୁ ଅନୁସରଣ କରିବା ଲାଗି ସୁଯୋଗ ହିଁ ନଥାଏ। ସୁତରା˚, ଫେସ୍‌ବୁକ୍‌ ଠାରୁ ଏ ଦିଗରେ କୌଣସି ସ˚ସ୍କାର ଆଶା କରିବା ମଧୢ ଅଯୌକ୍ତିକ।

ସମ୍ବନ୍ଧିତ ଖବର