ତ୍ରିବିଦ୍ଧ ଯୁଦ୍ଧ

ଅର୍ଥଶାସ୍ତ୍ରର ସର୍ବକାଳୀନ ସର୍ବପ୍ରସିଦ୍ଧ ପାଠ୍ୟପୁସ୍ତକ ରୂପେ ପରିଗଣିତ ‘ଇକୋନୋମିକ୍‌ସ’ର ରଚୟିତା ବିଚକ୍ଷଣ ଅର୍ଥନୀତିଜ୍ଞ ସ୍ବର୍ଗତ ପଲ୍‌ ସାମୁଏଲ୍‌ସନ୍‌ ଆମ ସମାଜ ଓ ଅର୍ଥନୀତିରେ ମହିଳାମାନଙ୍କୁ ପ୍ରଦାନ କରା ହୋଇ ଆସିଥିବା ନିକୃଷ୍ଟତର ସ୍ଥାନ ସମ୍ବନ୍ଧରେ ସହଜରେ ହୃଦୟଙ୍ଗମ କରି ହେବା ଭଳି ଏକ ଧାରଣା ଦେବା ପାଇଁ ତାଙ୍କର ସ୍ବଭାବସୁଲଭ ଆମୋଦଦାୟକ ଢଙ୍ଗରେ ଏକ ଚଟୁଳ ଉଦାହରଣ ତାଙ୍କ ପୁସ୍ତକର ଆଦ୍ୟ ସ˚ସ୍କରଣମାନଙ୍କରେ ସ୍ଥାନୀତ କରିଥିଲେ। ଉଦାହରଣଟି ଅବଶ୍ୟ ଥିଲା ଦେଶର ମୋଟ ବାର୍ଷିକ ଉତ୍ପାଦ ବା ‘ଜିଡିପି’ ବା ‘ଜାତୀୟ ଆୟ’ର ହିସାବ ପଦ୍ଧତିକୁ କେନ୍ଦ୍ର କରି। ସେ କହିଥିଲେ: ଅନ୍ୟ ସମସ୍ତ କଥା ସ୍ଥିର ଥାଇ, ଜଣେ ବ୍ୟକ୍ତି (ପୁରୁଷ) ଯଦି ତାଙ୍କର ଘରୋଇ ପରିଚାରିକାଙ୍କୁ ବିବାହ କରନ୍ତି, ତେବେ ଦେଶର ‘ଜିଡିପି’ରେ ହ୍ରାସ ଘଟିବ। ଅନ୍ୟ ପ୍ରକାରେ କହିଲେ, ସମ୍ପୃକ୍ତ ମହିଳାଜଣକ ବିବାହ କଲେ ଦେଶର ବାର୍ଷିକ ଆୟ ହ୍ରାସ ପାଇବ। ବିବାହ ପୂର୍ବରୁ ସେ ଗୃହସ୍ବାମୀଙ୍କ ଠାରୁ ନେଉଥିବା ଦରମା ଦେଶର ମୋଟ ବାର୍ଷିକ ଉତ୍ପାଦ ବା ଆୟରେ ମିଶୁଥିଲା। ବିବାହ ପରେ ସେ ଗୃହସ୍ବାମୀଙ୍କର ପତ୍ନୀରେ ପରିଣତ ହୋଇଯିବା ପରେ ପୂର୍ବ ଭଳି କାର୍ଯ୍ୟ କରି ଚାଲିଲେ ଓ ସେବା ଯୋଗାଇ ଚାଲିଲେ ହେଁ, ଗୃହସ୍ବାମୀଙ୍କଠାରୁ ଆଉ ପୂର୍ବଭଳି ପାରିଶ୍ରମିକ ପାଇଲେ ନାହିଁ; ଏଣୁ ଜିଡିପିରୁ ତାଙ୍କର ପୂର୍ବର ପାରିଶ୍ରମିକ ପରିମାଣ ବିଯୁକ୍ତ ହେଲା: ‘ଜିଡିପି’ ତେଣୁ ହ୍ରାସ ପାଇଲା।

‘ଜିଡିପି’ର ତ୍ରୁଟିପୂର୍ଣ୍ଣ ହିସାବ ପଦ୍ଧତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ପାଇଁ ସାମୁଏଲ୍‌ସନ୍‌ ଏହି ମଜାଳିଆ ଉଦାହରଣ ପ୍ରଦାନ କରିିଥିଲେ ହେଁ, ସେଇଭଳି ଏକ ହାଲୁକା ଢଙ୍ଗରେ ସେ ଉଦାହରଣଟିକୁ ସମ୍ପ୍ରସାରିତ କରି କୁହାଯାଇପାରେ ଯେ ବିବାହ ମହିଳାଙ୍କ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଉପଯୋଗୀ ନୁହେଁ କିମ୍ବା ଜାତୀୟ ସ୍ବାର୍ଥ ପାଇଁ ଉପଯୋଗୀ ନୁହେଁ। ଏକ ଅତ୍ୟନ୍ତ ସୀମିତ ପରିପ୍ରେକ୍ଷୀରେ ଏହା ସତ ମନେ ହୋଇପାରେ, କିନ୍ତୁ ଉଭୟ ବ୍ୟକ୍ତି ଓ ସମାଜର ଅସ୍ତିତ୍ବ ପାଇଁ ବିବାହ ନାମକ ଅନୁଷ୍ଠାନ ଏପରି ଅପରିହାର୍ଯ୍ୟ ଯେ ସାମୟିକ ଆମୋଦକୁ ଖୋରାକ୍‌ ଯୋଗାଇବା ଛଡ଼ା ଏଭଳି ଚିନ୍ତାଧାରାର ଯେ ଅନ୍ୟ କୌଣସି ଉପଯୋଗିତା ନଥାଏ, ଏହା ସମସ୍ତଙ୍କୁ ବେଶ୍‌ ଭଲ ରୂପେ ଜଣା।

ତେବେ ଏପରି ଚରମପନ୍ଥୀ ଆଭିମୁଖ୍ୟକୁ ଟିକିଏ କୋହଳ କରି ଯଦି କୁହାଯାଏ ଯେ ନାରୀମାନଙ୍କ ପାଇଁ ବିବାହ ଅପରିହାର୍ଯ୍ୟ, କିନ୍ତୁ ତାହା ଯେତେ ବିଳମ୍ବିତ ହୋଇପାରେ, ସେମାନଙ୍କ ପାଇଁ ଓ ଦେଶ ପାଇଁ ସେତେ ଭଲ- ଏଥିରେ ବୋଧହୁଏ କେହି ଦ୍ବିମତ ହେବେ ନାହିଁ। ସେଇ ମୌଳିକ କାରଣ ଯୋଗୁଁ ତ ବାଲ୍ୟ ବିବାହକୁ ଏକ କୁସ˚ସ୍କାର ରୂପେ ବିଚାର କରାଯାଇଥାଏ ଏବ˚ ଆଇନ ଦ୍ବାରା ଦେଶରେ ତାହା ନିଷିଦ୍ଧ ହୋଇଛି। ତଥାପି ପ୍ରଚଳିତ ଆଇନ ଅନୁସାରେ ବର୍ତ୍ତମାନ ମଧୢ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଅପେକ୍ଷାକୃତ ସଅଳ ବିବାହ ମଧୢକୁ ଠେଲି ଦିଆଯାଇପାରୁଛି: ପୁରୁଷମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ତାହା ହେଉଛି ତିନି ବର୍ଷ କମ୍‌-୧୮ ବର୍ଷ।

ଏହି ତାରତମ୍ୟ ସପକ୍ଷରେ ଓ ବିପକ୍ଷରେ ବିଭିନ୍ନ ଯୁକ୍ତି କରାଯାଇପାରେ। କିନ୍ତୁ ଯାହା ମନେହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍‌ ଶୀଘ୍ର ଏହି ତାରତମ୍ୟ ଦୂର କରିବାକୁ ଯାଉଛନ୍ତି। ସ୍ବାଧୀନତା ଦିବସ ଅବସରରେ ସେ ପ୍ରଦାନ କରିଥିବା ନିଜର ଅଭିଭାଷଣରେ କହିବା ଦେଖାଯାଇଥିଲା ଯେ ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ସମ୍ବନ୍ଧରେ ବିଚାର ଆଲୋଚନା କରିବା ପାଇଁ ଏକ କମିଟି ଗଠିତ ହୋଇଛି। ସେ କହିଥିଲେ ଯେ ଆମର କନ୍ୟାମାନେ ଯେପରି ଆଉ ଅପପୁଷ୍ଟିର ଶିକାର ନ ହୁଅନ୍ତି ଏବ˚ ଉପଯୁକ୍ତ ବୟସରେ ବିବାହ କରନ୍ତି, କମିଟି ତାହା ନିଶ୍ଚିତ କରିବାକୁ ନିଷ୍ପତ୍ତି ନେବେ। ପ୍ରଧାନମନ୍ତ୍ରୀ ବୋଧହୁଏ ଗତ ଜୁନ୍‌ରେ କେନ୍ଦ୍ର ସରକାରଙ୍କର ଏକ ବିଜ୍ଞପ୍ତି ବଳରେ ଗଠିତ ହୋଇଥିବା ଏକ ଟାସ୍କଫୋର୍ସ ପ୍ରତି ଏଠାରେ ଇଙ୍ଗିତ କରୁଥିଲେ। ଉକ୍ତ ଟାସ୍କଫୋର୍ସ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର, ଅପପୁଷ୍ଟି ଆଦି ସ୍ବାସ୍ଥ୍ୟ ସଙ୍କେତ ଗୁଡ଼ିକର ମହିଳାମାନଙ୍କର ବିବାହ ବୟସ ଏବ˚ ମାତୃତ୍ବ ଲାଭ ବୟସ ସହିତ ସମ୍ଭାବ୍ୟ ସମ୍ପର୍କର ଅନୁଶୀଳନ କରିବ ବୋଲି ଏହାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସର୍ବଶେଷ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ (୨୦୧୫-୧୬) ଅନୁସାରେ ଦେଶରେ ୨୦ରୁ ୪୯ ବର୍ଷ ବୟସ ମଧୢରେ ରହିଥିବା ମହିଳାମାନଙ୍କ ମଧୢରୁ ପ୍ରାୟ ୬୦ ଶତା˚ଶ ୨୦ ବର୍ଷ ବୟସ ଛୁଇଁବା ବେଳକୁ ବିବାହ କରି ସାରିଥିଲେ। ଆଇନ ଅନୁସାରେ ପୁରୁଷମାନେ ସେ ବୟସରେ ବିବାହ କରି ପାରିବେ ନାହିଁ। ରକ୍ତହୀନତା ଭାରତରେ ମହିଳାମାନେ ଭୋଗୁଥିବା ଏକ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା ରୂପେ ଜଣାଶୁଣା। ସେଇ ସର୍ବେକ୍ଷଣରେ କିନ୍ତୁ ଦେଖାଯାଇଥିଲା ଯେ ଅନ୍ୟ ମହିଳାମାନଙ୍କ ଅପେକ୍ଷା ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମହିଳାମାନଙ୍କ ଠାରେ ରକ୍ତହୀନତା ମାତ୍ରାଧିକ ଅନୁପାତରେ ଦେଖାଯାଇଥାଏ। ଏମାନଙ୍କ ଶାରୀରିକ ଓଜନ ମଧୢ ଆବଶ୍ୟକତା ଠାରୁ କମ୍‌ ହୋଇଥାଏ। ତେଣୁ ବିବାହ ଯେ ସେମାନଙ୍କ ମଧୢରୁ ଅଧିକା˚ଶଙ୍କ ପାଇଁ ଏକ ସ୍ବାସ୍ଥ୍ୟଗତ ସମସ୍ୟା ରୂପେ ଆବିର୍ଭୂତ ହୋଇଥାଏ, ଏହା ଏକ ପ୍ରମାଣିତ ସତ୍ୟ। କୋମଳ ବୟସରେ ବିବାହ ସେମାନଙ୍କର ଯେଉଁ ସ୍ବାସ୍ଥ୍ୟଗତ କ୍ଷତି ଘଟାଇଥାଏ, ତାହା ଅଧିକା˚ଶଙ୍କ ପାଇଁ ସାରା ଜୀବନରେ ଆଉ ଭରଣା ହୋଇ ନ ଥାଏ।

ଏହା ପ୍ରତ୍ୟେକ ମହିଳାଙ୍କ ଅନୁଭୂତି ଯେ ବିବାହ ଉଭୟ ଅଧିକ ଶିକ୍ଷା ଲାଭ କରିବା ଏବ˚ ଦକ୍ଷତା ସଂପନ୍ନ ବୃତ୍ତି ହାସଲ କରିବା ପଥରେ ପ୍ରତିବନ୍ଧ ସାଜିଥାଏ। ବିବାହ ପରେ ପରେ ନାରୀକୁ ଯେଉଁ ତ୍ରିବିଦ୍ଧ ଦାୟିତ୍ବ ବହନ କରିବାକୁ ପଡ଼ିଥାଏ, ତାହା ତା’ର ନିଜର ନିଷ୍ପତ୍ତି ନେବା ସ୍ବାଧୀନତା (ସମାଜବିଜ୍ଞାନ ଭାଷାରେ ‘ଏଜେନ୍‌ସି’)କୁ ଗୁରୁତର ଭାବରେ ସଙ୍କୁଚିତ କରିଦେଇଥାଏ। ସାମୁଏଲ୍‌ସନ୍‌ଙ୍କ ଉଦାହରଣରେ ଘରୋଇ ସହାୟିକାଜଣକ ପତ୍ନୀରେ ପରିଣତ ହେବା ପରେ ମଧୢ, ସେ ପୂର୍ବରୁ ଯେଉଁଭଳି ସେବା ଉତ୍ପାଦନ କରୁଥିଲେ, ସେଇଭଳି ସେବା ଉତ୍ପାଦନ କରିଚାଲନ୍ତି। ଏଣୁ ବିଧିବଦ୍ଧ ଦରମା ପାଇ ବୃତ୍ତି ଧାରଣ କରନ୍ତୁ କି ପତ୍ନୀ ରୂପେ ଅବୈତନିକ ପରିଚାରିକାର ଭୂମିକା ନିର୍ବାହ କରନ୍ତୁ; ବିବାହ ପରେ ନାରୀମାନେ ଗୁରୁତ୍ବପୂର୍ଣ୍ଣ ଉତ୍ପାଦନଶୀଳ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି।

ବିବାହ ପରେ ଯେଉଁ ନୂତନ ଭୂମିକାରେ ସେମାନେ ପ୍ରବେଶ କରନ୍ତି, ତାହା ହେଉଛି ପ୍ରଜନନଶୀଳ ଭୂମିକା। ଏହା ସାଧାରଣରେ ଧାରଣା ଥିବା ଭଳି କେବଳ ଗର୍ଭଧାରଣ, ସନ୍ତାନ ପ୍ରସବ ଓ ସନ୍ତାନ ଲାଲନ ପାଳନ ମଧୢରେ ସୀମିତ ନୁହେଁ। ସନ୍ତାନର ବାଲ୍ୟାବସ୍ଥା ପର୍ଯ୍ୟନ୍ତ ତା’ର ପୁଷ୍ଟିସାଧନ, ସ୍ବାସ୍ଥ୍ୟ ରକ୍ଷା ଓ ଶିକ୍ଷାଲାଭ ଦାୟିତ୍ବ ମଧୢ ନାରୀକୁ ବହନ କରିବାକୁ ହୋଇଥାଏ। ଯେହେତୁ ଅଧିକା˚ଶ କ୍ଷେତ୍ରରେ ରୋଷେଇଘର ଦାୟିତ୍ବ ପରିବାରର ମହିଳାମାନଙ୍କ ଉପରେ ନ୍ୟସ୍ତ ଥାଏ, ସାରା ପରିବାରର ପୁଷ୍ଟିସାଧନ ନାରୀର ଦାୟିତ୍ବ ହୋଇଥାଏ। ସେତିକି ନୁହେଁ, ପରିବାରରେ କେବଳ ନିଜ ସନ୍ତାନ ଅସୁସ୍ଥତାର ସମ୍ମୁଖୀନ ହେଲେ ନୁହେଁ, ପରିବାରର ଯେ କୌଣସି ସଦସ୍ୟ ରୋଗରେ ପଡ଼ିଲେ, ତା’ର ସେବା ଶୁଶ୍ରୂଷା ନାରୀର ସ୍ବାଭାବିକ ଦାୟିତ୍ବ ରୂପେ ବିବେଚିତ ହୋଇଥାଏ। ଏ ସମସ୍ତ ଦାୟିତ୍ବ ନାରୀର ପ୍ରଜନନଶୀଳ ଦାୟିତ୍ବ ଅନ୍ତର୍ଭୁକ୍ତ ହୋଇଥାଏ, ଯାହା ହେଉଛି ମୁଖ୍ୟତଃ ଏକ ବିବାହ ପରବର୍ତ୍ତୀ ଦାୟିତ୍ବ।

ଏ ଦୁଇ ଗୁରୁ ଦାୟିତ୍ବ ସହିତ ଏକ ତୃତୀୟ ଦାୟିତ୍ବ ମଧୢ ଯୋଡ଼ି ହୋଇଥାଏ, ଯାହାକୁ ଗୋଷ୍ଠୀଗତ ଦାୟିତ୍ବ ବା ଭୂମିକା ରୂପେ ବର୍ଣ୍ଣନା କରାଯାଇଥାଏ। ପରିବାରର ସମସ୍ତ ସଦସ୍ୟମାନଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ, ସାଇପଡ଼ିଶା ପର୍ଯ୍ୟନ୍ତ ସୁସମ୍ପର୍କ ସ୍ଥାପନ କରିବା ଓ ଅକ୍ଷୁଣ୍ଣ ରଖିବା ନାରୀର ଦାୟିତ୍ବ ରୂପେ ବିଚାର କରାଯାଇଥାଏ। ବିବାହ ଯେତେ ସଅଳ ଘଟେ, ସେତେ ସଅଳ ଜଣେ ନାରୀର ଭବିଷ୍ୟତ ଏ ତିନି ଦାୟିତ୍ବ ତଳେ ଚାପି ହୋଇଯାଏ। ତେଣୁ ଅନ୍ତତଃ ପୁରୁଷମାନଙ୍କ ପରି ୨୧ ବର୍ଷ ବୟସ ପର୍ଯ୍ୟନ୍ତ ନାରୀକୁ ନିଜର ଭବିଷ୍ୟତର ମୂଳଦୁଆ ପକାଇବାର ସୁଯୋଗ ମିଳୁ। ନାରୀ ପାଇଁ ମଧୢ ବିବାହର ସର୍ବନିମ୍ନ ବୟସ ୨୧ ହେଉ।

ସମ୍ବନ୍ଧିତ ଖବର