କରୋନାକ୍ରାନ୍ତ ପରୀକ୍ଷା

‘‘ଏକ ରାଜନେତା ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ତାଙ୍କ ଦେଶ ପାଇଁ ତୁମ ଜୀବନକୁ ଉତ୍ସର୍ଗ କରି ଦିଅନ୍ତି।’’ ବର୍ତ୍ତମାନ ଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଜେଇଇ’ ଓ ‘ଏନ୍‌ଇଇଟି’ (ସ˚କ୍ଷେପରେ ‘ଜି’ ଓ ‘ନିଟ୍‌’ କୁହାଯାଇପାରେ) ବୈଷୟିକ ଶିକ୍ଷା ପ୍ରବେଶିକା ପରୀକ୍ଷା ବିରୋଧରେ ତେଜୁଥିବା ଆନ୍ଦୋଳନରେ ରାଜନେତାମାନଙ୍କ ପ୍ରବେଶ ବାସ୍ତବରେ ଯାହା ପ୍ରମାଣିତ କରିଥାଏ, ତାହା ଆଉ କିଛି ନୁହେଁ, ଆଦ୍ୟ ବି˚ଶ ଶତାବ୍ଦୀର ଲୋକପ୍ରିୟ ଆମେରିକୀୟ ଅଭିନେତ୍ରୀ ମେରୀ ଲୁଇଜ୍‌ ସେସିଲିଆ ଗୁଇନାନ୍‌ (‘ଟେକ୍‌ସାସ୍‌’ ଗୁଇନାନ୍‌ ରୂପେ ସୁପରିଚିତ) ଙ୍କର ଉପରୋକ୍ତ ଉକ୍ତିର ସତ୍ୟତା ମାତ୍ର। ବିଶେଷ କରି ଅଣରାଜନୈତିକ ଅନୁଷ୍ଠାନ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଏ ସମ୍ପର୍କରେ ଗତ ସପ୍ତାହରେ ପ୍ରଦାନ କରିଥିବା ରାୟ ଦେଖିଲେ ଏହା ହିଁ ମନେ ହୋଇଥାଏ।

କୋଭିଡ୍‌ ଓ ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ବିତ୍ପାତ କାରଣରୁ ଉକ୍ତ ପରୀକ୍ଷାମାନ ବାତିଲ କରିବା ପାଇଁ ଦେଶର ଏଗାରଟି ରାଜ୍ୟର ଏଗାର ଜଣ ଛାତ୍ର କରିଥିବା ଆବେଦନର ବିଚାର କରି ସୁପ୍ରିମ୍‌ କୋର୍ଟ ଆବେଦନକୁ ଖାରଜ କରି ମନ୍ତବ୍ୟ ଦେଇଥିଲେ: ‘‘ଛାତ୍ରଛାତ୍ରୀଙ୍କର କ୍ୟାରିଅର‌୍‌କୁ ଦୀର୍ଘ କାଳ ଧରି ବିପଦଗ୍ରସ୍ତ କରାଯାଇ ପାରିବ ନାହିଁ… ଜୀବନକୁ ଅଟକାଇ ଦେଇ ହେବ ନାହିଁ… ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରି ଆମକୁ ଆଗକୁ ବଢ଼ିବାକୁ ହେବ… ଶିକ୍ଷାକୁ ଉନ୍ମୁକ୍ତ କରିବାକୁ ହେବ… କୋଭିଡ୍‌ ଆହୁରି ବର୍ଷେ କାଳ ଲାଗି ରହିପାରେ, ତୁମେ କ’ଣ ଆହୁରି ଏକ ବର୍ଷ ପାଇଁ ଅପେକ୍ଷା କରିବାକୁ ଚାହୁଁଛ? ଏହା ଦ୍ବାରା ଦେଶର କେତେ କ୍ଷତି ଘଟିବ ଏବ˚ ଛାତ୍ରଛାତ୍ରୀମାନଙ୍କ ପାଇଁ କିଭଳି ବିପଦ ସୃଷ୍ଟି ହେବ, ତୁମକୁ ଜଣା ଅଛି କି?’’

ଚୀନ୍‌ ପ୍ରେରଣ କରିଥିବା କରୋନା ମହାମାରୀ ଯୋଗୁଁ ମାନବ ସମାଜ ଯେଉଁ ସର୍ବାଧିକ କ୍ଷତି ଭୋଗ କରିଛି ଓ କରୁଛି ତାହା ମୃତ୍ୟୁ ସ˚ଖ୍ୟା କିମ୍ବା ସ˚କ୍ରମଣ ସ˚ଖ୍ୟା କିମ୍ବା ଅର୍ଥନୈତିକ କ୍ଷତି ନୁହେଁ; ଅସଲ ଅପୂରଣୀୟ କ୍ଷତି ଘଟିବାରେ ଲାଗିଛି ଯେଉଁ କ୍ଷେତ୍ରରେ, ତାହା ହେଉଛି ଶିକ୍ଷା। ମନୁଷ୍ୟର ସୁଦୀର୍ଘ ବିବର୍ତ୍ତନ ପ୍ରକ୍ରିୟା ମଧୢରେ ମାତ୍ର ଏଇ ନିକଟ ଅତୀତରେ ମନୁଷ୍ୟ ହାସଲ କରିଥିବା ସଭ୍ୟତା ଓ ସମୃଦ୍ଧିର ଏକମାତ୍ର ଆଧାର ହେଉଛି ଶିକ୍ଷା, ଯାହା ମାନବେତର ପ୍ରାଣୀମାନଙ୍କୁ ଉପଲବ୍‌ଧ ହୋଇ ନଥାଏ ଓ ସେଥିଯୋଗୁଁ ସେମାନଙ୍କର କୌଣସି ଉନ୍ନତି ହୋଇ ପାରି ନାହିଁ। କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ପୃଥିବୀ ସାରା ଶିକ୍ଷାନୁଷ୍ଠାନମାନ ମାସ ମାସ ଧରି ବନ୍ଦ ହୋଇ ମନୁଷ୍ୟର ବୌଦ୍ଧିକ ବିିବର୍ତ୍ତନକୁ ସାମୟିକ ଭାବରେ ବନ୍ଦ କରି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଯନ୍ତ୍ରଣା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ପ୍ରତି ମୁହୂର୍ତ୍ତରେ ଅନୁଭବ କରିବାରେ ଲାଗିଛନ୍ତି। ସମାନ ଯନ୍ତ୍ରଣା ହିଁ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କୁ ଏପରି ମନ୍ତବ୍ୟ ପ୍ରଦାନ କରିବାକୁ ପ୍ରେରିତ କରିଛି। ଛାତ୍ରଛାତ୍ରୀ ଓ ଦେଶର ଦୀର୍ଘକାଳୀନ ମଙ୍ଗଳ ସାଧନ କରିବା ପାଇଁ ହିଁ କୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି ଏବ˚ କେନ୍ଦ୍ର ସରକାର ତାହା ପାଳନ କରି ପ୍ରବେଶିକା ପରୀକ୍ଷାମାନ ଅନୁଷ୍ଠିତ କରାଇବାକୁ ପ୍ରସ୍ତୁତ ହେଉଛନ୍ତି।

ଏହି ଉଦ୍ୟମ ବିରୋଧରେ କିନ୍ତୁ ସମ୍ଭାବ୍ୟ ପରୀକ୍ଷାର୍ଥୀ ମହଲରେ ଏକ ଆନ୍ଦୋଳନ ତେଜିବାକୁ ଆରମ୍ଭ କରିଛି ଏବ˚ ରାଜନେତାମାନେ ସେମାନଙ୍କର ଉପରବର୍ଣ୍ଣିତ ଧର୍ମ ପାଳନ କରି ସେମାନଙ୍କ ସହିତ ଯୋଗ ଦେବାକୁ ଆରମ୍ଭ କରିଛନ୍ତି- ଏ ଆନ୍ଦୋଳନରେ କେଉଁମାନଙ୍କ ଜୀବନ ଉତ୍ସର୍ଗ ହେବ, ତାହା କାହାକୁ ଅଛପା ନାହିଁ। ପୃଥିବୀ ଯେ ଆଜିକାଲି ଗୋଟିଏ କୁଟୁମ୍ବରେ ପରିଣତ ହୋଇଛି, ତା’ର ଏକ ପ୍ରମାଣ ସ୍ବରୂପ ଆନ୍ତର୍ଜାତିକ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବିଡେନ୍‌ର ପରିବେଶ ଆନ୍ଦୋଳନକାରିଣୀ ସ୍କୁଲ ଛାତ୍ରୀ ଗ୍ରେଟା ଥୁନ୍‌ବର୍ଗ ମଧୢ ଆନ୍ଦୋଳନକାରୀମାନଙ୍କ ସପକ୍ଷରେ ଯୋଗ ଦେଇ କୋଭିଡ୍‌ ଓ ବନ୍ୟା କାରଣରୁ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ଓ ସ୍ବାର୍ଥରକ୍ଷା ଦୃଷ୍ଟିରୁ ପ୍ରସ୍ତାବିତ ‘ଜି’ ଓ ‘ନିଟ୍‌’ ପ୍ରବେଶିକା ପରୀକ୍ଷା ମାନ ବାତିଲ କରିବା ପାଇଁ ଭାରତ ସରକାରଙ୍କୁ ଆହ୍ବାନ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟଙ୍କର ରାୟ ପରେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ‘ନ୍ୟାସନାଲ୍‌ ଟେଷ୍ଟିଙ୍ଗ୍‌ ଅଥରିଟି’ (‘ଏନ୍‌ଟିଏ’) ଆସନ୍ତା ସେପ୍ଟେମ୍ବରରେ ଏହି ପ୍ରବେଶିକା ପରୀକ୍ଷାମାନ ଅନୁଷ୍ଠିତ କରିବା ପାଇଁ ଦୃଢ଼ ପରିକର ହୋଇ ଆଡ୍‌ମିଟ୍‌ କାର୍ଡ ଇସ୍ୟୁ କରିବା ସହିତ ଏଥିପାଇଁ ମାର୍ଗଦର୍ଶିକା ମଧୢ ପ୍ରସାର କରିଛି। ଏଥିରେ କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନଙ୍କର ନିରାପତ୍ତା ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ। ଉଦାହରଣ ସ୍ବରୂପ ପରୀକ୍ଷାର୍ଥୀମାନେ ନିଜର ବ୍ୟକ୍ତିଗତ ପାଣି ବୋତଲ ଓ ହ୍ୟାଣ୍ତ ସାନିଟାଇଜର‌୍‌ ସାଙ୍ଗରେ ନେଇ ପରୀକ୍ଷା ହଲ୍‌କୁ ଆସିବାକୁ କୁହାଯାଇଛି; ସାମାଜିକ ଦୂରତ୍ବ ରକ୍ଷା ବାଧୢତାମୂଳକ କରାଯାଇଛି; ପରୀକ୍ଷା ହଲ୍‌ରେ ସେମାନେ କର୍ତ୍ତୃପକ୍ଷ ଯୋଗାଇ ଥିବା ମାସ୍କ୍‌ ପିନ୍ଧିବାକୁ ବାଧୢ; ଦେହରେ ୯୯.୪˚ ଫାରେନ୍‌-ହାଇଟ୍‌ରୁ ଅଧିକ ଉତ୍ତାପ ଥିବା ପରୀକ୍ଷାର୍ଥୀମାନଙ୍କୁ ପୃଥକୀକୃତ କକ୍ଷ (ଆଇସୋଲେସନ୍‌ ରୁମ୍‌)ରେ ପରୀକ୍ଷା ଦେବାକୁ ପଡ଼ିବ, ଇତ୍ୟାଦି।

କେନ୍ଦ୍ର ସରକାର, ସୁପ୍ରିମ୍‌ କୋର୍ଟ ଓ ‘ଏନ୍‌ଟିଏ’ର ଉଦ୍ଦେଶ୍ୟ ଯେ ମହତ୍‌, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ବିବଦମାନ ପ୍ରସଙ୍ଗଟି କେବଳ ନିରାପଦ ଭାବରେ ପରୀକ୍ଷା ପରିଚାଳନା କରିବାରେ ସୀମିତ ନୁହେଁ। ସମସ୍ୟାର ସାମଗ୍ରିକ ଦିଗ ଗୁଡ଼ିକୁ ଯଦି ଜଣେ କିଏ ସଠିକ୍‌ ରୂପେ ଅନୁଧୢାନ କରିଛନ୍ତି, ସେ ଏପରି ଜଣେ ବ୍ୟକ୍ତି ଯାହାଙ୍କୁ ଏକ ବିଧିବଦ୍ଧ ବା ବିଶୁଦ୍ଧ ରାଜନେତା ବୋଲି କୁହାଯାଇପାରିବ ନାହିଁ, ଯଦି ବା ଦୀର୍ଘକାଳ ଧରି ସେ ରାଜନୀତି ସହ ଯୋଡ଼ି ହୋଇ ରହିଛନ୍ତି। ସେ ହେଉଛନ୍ତି ଏକଦା କି˚ବଦନ୍ତି ଅର୍ଥନୀତିଜ୍ଞ ପଲ୍‌ ସାମୁଏଲ୍‌ସନ୍‌ଙ୍କ ସହ ମିଳିତ ଭାବରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ‘ଏମ୍‌ଆଇଟି’ରେ ଅର୍ଥନୀତି ଅଧୢାପନା କରିଥିବା ଡକ୍ଟର‌୍‌ ସୁବ୍ରମଣ୍ୟନ୍‌ ସ୍ବାମୀ। ଡକ୍ଟର ସ୍ବାମୀ ସମସ୍ୟାର ଅନୁଶୀଳନ କରି ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ କରିବା ପାଇଁ ଯେଉଁ ୧୩ଟି କାରଣ ଉପସ୍ଥାପନ କରିଛନ୍ତି, ତାହା ଏଠାରେ ପ୍ରଣିଧାନଯୋଗ୍ୟ।

ସେ କହିଛନ୍ତି ଯେ କରୋନା ଦ୍ବାରା ଧନୀକମାନଙ୍କ ଅପେକ୍ଷା ଗରିବ ଓ ମଧୢବିତ୍ତମାନେ ଅଧିକ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ପକ୍ଷରେ ଉପଯୁକ୍ତ ଚିକିତ୍ସା ପାଇବା କଷ୍ଟକର ହୋଇଥାଏ। ଅର୍ଧାଧିକ କରୋନା ଆକ୍ରାନ୍ତ ଗ୍ରାମାଞ୍ଚଳର ଏବ˚ ଲକ୍‌ଡାଉନ୍‌ ଯୋଗୁଁ ସେଠାକାର ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଯାନବାହନ ପାଇପାରିବେ ନାହିଁ। ଦୂରଦୂରାନ୍ତ ପରୀକ୍ଷା କେନ୍ଦ୍ରରେ ପଡ଼ିଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତର ସମସ୍ୟା ହୋଇ ଦେଖା ଦେଇଛି। ଯେହେତୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ଥିବା ସହରରେ ଅନ୍ତତଃ ଦିନକ ପୂର୍ବରୁ ପହଞ୍ଚିବାକୁ ହେବ, ସେମାନେ ସେଠାରେ ସ˚କ୍ରମଣର ଶିକାର ହେବାର ସମ୍ଭାବନା ଅଧିକ ହୋଇଥାଏ। କରୋନା ଭୟ ଯୋଗୁଁ ସେଠାରେ ରହିବା ପାଇଁ ଏବ˚ ଯାତାୟତ କରିବା ପାଇଁ ଆଶ୍ରୟସ୍ଥଳୀ ଓ ଯାନବାହନ ପାଇବା ପରୀକ୍ଷାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେବ। ସାର୍ବଜନୀନ ପରିବହନ ବ୍ୟବସ୍ଥାର ଅନୁପସ୍ଥିତିରେ ଗରିବ ପରୀକ୍ଷାର୍ଥୀମାନଙ୍କ ପକ୍ଷରେ ଘରୋଇ ଯାନବାହନ ଭଡ଼ାରେ ବ୍ୟବହାର କରିବା ଅତିରିକ୍ତ ବ୍ୟୟସାପେକ୍ଷ ସାବ୍ୟସ୍ତ ହେବ। ସେମାନଙ୍କ ସାଙ୍ଗରେ ପିତାମାତାମାନେ ଆସିବା ସମସ୍ୟା ଓ ନ ଆସିବା ମଧୢ ସମସ୍ୟା ସୃଷ୍ଟି କରିବ। ଏହି ପରୀକ୍ଷାର୍ଥୀମାନେ ବର୍ତ୍ତମାନର କରୋନା ସମୟରେ ଏକ ବାହାର ଜାଗାରେ ନିରାପଦ ଖାଦ୍ୟ ପାଇବେ କେଉଁଠୁ? ବିହାର, ଆସାମ ଓ ଉତ୍ତରପୂର୍ବାଞ୍ଚଳରେ ବନ୍ୟା ବିତ୍ପାତ ଜନଜୀବନକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିବା ବେଳେ ସେଠାକାର ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଯେତିକି କଷ୍ଟକର ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହେବା ସେତିକି କଷ୍ଟକର ହୋଇପଡ଼ିଛି।

ଗୁରୁତ୍ବପୂର୍ଣ୍ଣ ଭାବରେ, କରୋନାଗ୍ରସ୍ତ ପରିବାରର ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ଆବଶ୍ୟକ ମାନସିକ ସନ୍ତୁଳନ ହରାଇଥିବେ। ପରୀକ୍ଷାରେ ବିଫଳତା ସେମାନଙ୍କୁ ଅବସାଦ କିମ୍ବା ଆତ୍ମହତ୍ୟା ଦିଗକୁ ଠେଲି ଦେଇପାରେ। ସ୍ବାମୀଙ୍କ ଉପରୋକ୍ତ ଯୁକ୍ତିମାନଙ୍କରେ ରାଜନୀତିର ଗନ୍ଧ ନାହିଁ। ତାଙ୍କ ପ୍ରସ୍ତାବ ଗ୍ରହଣ କରି ‘ଜି’ ଓ ‘ନିଟ୍‌’ ପରୀକ୍ଷାମାନଙ୍କୁ ଆଉ ଦୁଇ ମାସ ଘୁଞ୍ଚାଇ ଦେଇ ଦୀପାବଳି ପରେ ନଭେମ୍ବରରେ ଆୟୋଜିତ କରାଗଲେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷାର ସ୍ବାର୍ଥ ରକ୍ଷା ହୋଇପାରନ୍ତା; କେନ୍ଦ୍ର ସରକାର ମଧୢ ଛାତ୍ର ବିରୋଧୀ ରୂପେ ଚିତ୍ରିତ ହୁଅନ୍ତେ ନାହିଁ।

ସମ୍ବନ୍ଧିତ ଖବର