ଚୀନା କରୋନା କିଭଳି ବିଭିନ୍ନ ମାନବୀୟ ସମ୍ପର୍କ (ବ୍ୟକ୍ତି-ବ୍ୟକ୍ତି ମଧୢରେ, ପଡ଼ୋଶୀ-ପଡ଼ୋଶୀ ମଧୢରେ, ସ୍ଥାନୀୟ-ପ୍ରବାସୀ ମଧ୍ୟରେ...)କୁ ପ୍ରଭାବିତ କରିଛି, ତାହାର ଦୁଃଖଦାୟକ ଉଦାହରଣମାନଙ୍କରେ ଗଣମାଧ୍ୟମ ଭରପୂର ହୋଇଚାଲିଥିବା ବେଳେ ବର୍ତ୍ତମାନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପାରସ୍ପରିକ ସମ୍ପର୍କ ତା’ର ପ୍ରଭାବ ବଳୟ ମଧୢକୁ ଆସିବା ଦେଖା ଯାଇଛି: କେନ୍ଦ୍ର-ରାଜ୍ୟ ବିତ୍ତୀୟ ସମ୍ପର୍କ। ଏହି ସମ୍ପର୍କ ଚାପଗ୍ରସ୍ତ ହେବା ମୂଳରେ ଯାହା ରହିଛି, ତାହା ଅବଶ୍ୟ ହେଉଛି କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ଅର୍ଥନୀତି, ଯାହା ପୃଥିବୀର ପ୍ରତ୍ୟେକ ଦେଶର ଅର୍ଥନୀତି କ୍ଷେତ୍ରରେ ଘଟିଛି।
ଦେଶରେ ପରୋକ୍ଷ କର ବ୍ୟବସ୍ଥାରେ ଏକ ବୈପ୍ଳବିକ ସ˚ସ୍କାର ଆଣିବା ଉଦ୍ଦେଶ୍ୟରେ ଯେତେବେଳେ ୨୦୧୭ ଜୁଲାଇ ଠାରୁ ଜିଏସ୍ଟି ପ୍ରବର୍ତ୍ତନ କରାହେଲା, ରାଜ୍ୟ ସରକାରମାନେ ଏହି ନୂତନ ବ୍ୟବସ୍ଥା ସ୍ଥିରତା ହାସଲ କରିବା ପାଇଁ ଯେଉଁ ସମୟ ଲାଗିବ, ସେ ସମୟରେ ରାଜସ୍ବ ହରାଇବେ ବୋଲି ଏକ ବାସ୍ତବ ଆଶଙ୍କା ଦେଖା ଦେଇଥିଲା। ଜିଏସ୍ଟି ପ୍ରବର୍ତ୍ତନ ପାଇଁ ଆବଶ୍ୟକ ସମ୍ବିଧାନ ସ˚ଶୋଧନରେ ମଧୢ ଏଥିପ୍ରତି ଧୢାନ ଦିଆଯାଇଥିଲା। ସମ୍ପୃକ୍ତ ୧୦୧ତମ ସମ୍ବିଧାନ ସ˚ଶୋଧନରେ ତେଣୁ କୁହାଯାଇଥିଲା ଯେ ‘ଗୁଡ୍ସ ଆଣ୍ତ ସର୍ଭିସେସ୍ ଟ୍ୟାକ୍ସ’ ପ୍ରବର୍ତ୍ତନ ଯୋଗୁଁ ରାଜ୍ୟମାନେ ଯେଉଁ ସମ୍ବଳ ହ୍ରାସର ସମ୍ମୁଖୀନ ହେବେ ପାର୍ଲିଆମେଣ୍ଟ୍ ତାହା ପାଞ୍ଚ ବର୍ଷ ପାଇଁ ଭରଣା କରିବା ପାଇଁ ଆଇନ ଦ୍ବାରା ବ୍ୟବସ୍ଥା କରିବ। ଏହା ଅନୁଯାୟୀ ପାର୍ଲିଆମେଣ୍ଟ୍ରେ ଯେଉଁ ଆଇନ ପ୍ରଣୀତ ହେଲା, ତାହା ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି ଭରଣା କରିବା ଉଦ୍ଦେଶ୍ୟରେ ଏକ ସେସ୍ ଲାଗୁ କରାଯିବାର ବ୍ୟବସ୍ଥା କଲା। କିନ୍ତୁ ସେ ଆଇନରେ କେଉଁଠି ହେଲେ କୁହାଯାଇ ନଥିଲା ଯେ କେବଳ ସେହି ସେସ୍ରୁ ସ˚ଗୃହୀତ ଅର୍ଥ ଦ୍ବାରା ହିଁ ରାଜ୍ୟ ମାନଙ୍କର ଜିଏସ୍ଟି ଜନିତ ରାଜସ୍ବ କ୍ଷତି ଭରଣା କରାଯାଇପାରିବ, ଅନ୍ୟ କୌଣସି ଉପାୟରେ ନୁହେଁ।
କୋଭିଡ୍ ଯୋଗୁଁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଭୀଷଣ ଭାବରେ ବାଧାପ୍ରାପ୍ତ ହେବା ଯୋଗୁଁ ବିଗତ ମାସ ମାନଙ୍କରେ ଦେଖାଯାଇଛି ଯେ ଏ ବର୍ଷ ରାଜ୍ୟମାନଙ୍କ କ୍ଷତି ପୂରଣ କରିବା ପାଇଁ ଉପରୋକ୍ତ ସେସ୍ରୁ ସ˚ଗୃହୀତ ଅର୍ଥ ଯଥେଷ୍ଟ ନୁହେଁ। କହିବା ବାହୁଲ୍ୟ କେନ୍ଦ୍ର-ରାଜ୍ୟ ସମ୍ପର୍କ ପାଇଁ ଏହା ଏକ ଗୁରୁତର ସମସ୍ୟା ସୃଷ୍ଟି କଲାଣି। ଏହି ନିଅଣ୍ଟ ଭରଣା କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ଉପାୟ ବତାଇବା ଦେଖାଯାଇଛି- ରିଜର୍ଭ ବ୍ୟାଙ୍କ୍ ସହିତ କଥାବାର୍ତ୍ତା କରି ରାଜ୍ୟ ସରକାରମାନେ ନିଅଣ୍ଟ ଭରଣା କରିବା ପାଇଁ ଆବଶ୍ୟକ ଋଣ ଉଠାଇ ପାରିବେ। ବୁଝାଇବା ଅନାବଶ୍ୟକ, ଏ ପ୍ରକାର ପ୍ରସ୍ତାବ ଦେଇ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବା ଦାୟିତ୍ବ କେନ୍ଦ୍ର ନିଜ କାନ୍ଧରୁ ଖସାଇ ରାଜ୍ୟ ସରକାରମାନଙ୍କ କାନ୍ଧରେ ଲଦି ଦେବାକୁ ଚେଷ୍ଟା କରୁଛି। ଏହା ଜିଏସ୍ଟି ପ୍ରବର୍ତ୍ତନ ସମୟର ଏକ ମୌଳିକ ଚୁକ୍ତିର ଉଲ୍ଲ˚ଘନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ସେ ସମୟରେ ରାଜ୍ୟ ସରକାରମାନେ ରାଜସ୍ବ-ହ୍ରାସ ସମ୍ଭାବନା ଯୋଗୁଁ ଜିଏସ୍ଟି ପ୍ରବର୍ତ୍ତନ ପ୍ରତି ଯେଉଁ ସ୍ବାଭାବିକ କୁଣ୍ଠା ପ୍ରଦର୍ଶନ କରିଥିଲେ, କେନ୍ଦ୍ରର କ୍ଷତିପୂରଣ ପ୍ରତିଶ୍ରୁତି ତାହା ଅତିକ୍ରମ କରିବାରେ ସେମାନଙ୍କୁ ସହାୟକ ହୋଇଥିଲା ଏବ˚ ଉପରୋକ୍ତ ଆଇନଗତ ବ୍ୟବସ୍ଥା ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା। ବର୍ତ୍ତମାନ ନିଜେ ଋଣ କରି ସେ ନିଅଣ୍ଟ ଭରଣା କର ବୋଲି ରାଜ୍ୟମାନଙ୍କୁ କୁହାଯିବା ଯେ ସ୍ପଷ୍ଟ ଭାବରେ ଏକ ବିଶ୍ବାସ ଭଙ୍ଗ କାର୍ଯ୍ୟ, ଏଥିରେ କୌଣସି ନିରପେକ୍ଷ ପର୍ଯ୍ୟବେକ୍ଷକ ଦ୍ବିମତ ହେବ ନାହିଁ। କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଟ ସ˚ଗୃହୀତ ଜିଏସ୍ଟି ପରିମାଣରେ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ହ୍ରାସ ଘଟିବାକୁ ଯାଉଛି। ଏଥି ମଧୢରୁ ଉପରବର୍ଣ୍ଣିତ ସେସ୍ ମାଧୢମରେ ଯେତିକି ଅର୍ଥ ସ˚ଗୃହୀତ ହେବ, ତାହାର ପରିମାଣ ପ୍ରାୟ ୬୫,୦୦୦ କୋଟି ଟଙ୍କା ବୋଲି ଆକଳନ କରାଯାଉଛି। ତେଣୁ ୨,୩୫,୦୦୦ କୋଟି ଟଙ୍କାର ଏକ ନିଅଣ୍ଟ ପାଟି ମେଲାଇ ଚାହିଁଛି। ଏପ୍ରିଲ୍ରୁ ଜୁଲାଇ ମଧୢରେ ରାଜ୍ୟମାନେ ପାଇବାକୁ ଥିବା ବକେୟା କ୍ଷତିପୂରଣର ପରିମାଣ ହେଉଛି ୧,୫୦,୦୦୦ କୋଟି ଟଙ୍କା। ଏପ୍ରିଲ୍ରୁ ଜୁନ୍ ମଧୢରେ ସ˚ଗୃହୀତ ସେସ୍ର ପରିମାଣ ହେଉଛି ମାତ୍ର ୧୪,୪୮୨ କୋଟି ଟଙ୍କା। ଏଥିରୁ ପରିସ୍ଥିତିର ଗମ୍ଭୀରତା ସହଜେ ଅନୁମେୟ।
ରାଜ୍ୟ ସରକାରମାନେ ଏଭଳି ପ୍ରତିକୂଳ ପରିସ୍ଥିତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତାବମାନ ଦେବା ମଧ୍ୟ ଦେଖା ଯାଇଛି। ଆଶା କରାଯିବା ଭଳି କେତେକ ଅର୍ଥମନ୍ତ୍ରୀ ଜିନିଷପତ୍ର ଉପରେ ଲାଗୁ ହେଉଥିବା ସେସ୍ ହାରରେ ବୃଦ୍ଧି ଘଟାଯିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା କାର୍ଯ୍ୟକାରୀ ହେଲେ ସମ୍ପୃକ୍ତ ଦ୍ରବ୍ୟମାନ କିନ୍ତୁ ମହଙ୍ଗା ହୋଇ ଯାଆନ୍ତା। ଅନ୍ୟ କେତେକ ପ୍ରସ୍ତାବ ଦେଇଥିଲେ ଯେ ଜିଏସ୍ଟି କାଉନ୍ସିଲ୍ ଋଣ ସ˚ଗ୍ରହ କରି ରାଜ୍ୟମାନଙ୍କୁ ହସ୍ତାନ୍ତର କରୁ ଏବ˚ ରାଜ୍ୟମାନଙ୍କର ପ୍ରାପ୍ୟ ସେସ୍ ସ˚ଗ୍ରହରୁ ଭବିଷ୍ୟତ୍ରେ ତାହା ପରିଶୋଧ ହେବ। ଅନେକ ରାଜ୍ୟ କିନ୍ତୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର ଋଣ ସ˚ଗ୍ରହ କରି ରାଜ୍ୟମାନଙ୍କୁ ଅର୍ଥ ହସ୍ତାନ୍ତର କରନ୍ତୁ। ଏଥିରୁ କୌଣସିଟି ପ୍ରସ୍ତାବ କିନ୍ତୁ କେନ୍ଦ୍ର ସରକାରଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇନାହିଁ।
କୋଭିଡ୍ ଦ୍ବାରା ସୃଷ୍ଟି ହୋଇଥିବା ଏହି ସମସ୍ୟା (ଯାହାକୁ ବିତ୍ତମନ୍ତ୍ରୀ ନିର୍ମଳା ସୀତାରାମନ୍ ଈଶ୍ବରପ୍ରେରିତ ବୋଲି ଅଭିହିତ କରି ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି) ରାଜ୍ୟମାନଙ୍କ ପାଇଁ କିଭଳି ସ˚କଟ ସୃଷ୍ଟି କରିଛି, ତାହା ବୁଝିବା କଷ୍ଟକର ନୁହେଁ। ୨୦୧୯-୨୦ର ବଜେଟ୍ ଆକଳନ ଅନୁସାରେ ରାଜ୍ୟ ସରକାରମାନଙ୍କର ରାଜସ୍ବ ଆୟର ପ୍ରାୟ ଏକ-ତୃତୀୟା˚ଶ ଆସିଥାଏ ଜିଏସ୍ଟିରୁ। କେନ୍ଦ୍ର ସରକାର ବର୍ତ୍ତମାନ ଦେଉଥିବା ପ୍ରସ୍ତାବ ଅନୁଯାୟୀ ସେମାନେ ଯଦି ଏବେ ଋଣ କରି ଜିଏସ୍ଟି ନିଅଣ୍ଟ ଭରଣା କରନ୍ତି, ତେବେ ସେମାନଙ୍କ ଋଣଭାର ବିଶାଳ ଆକାର ଧାରଣ କରିବ। ପୁଣି ଏତିକିରେ ରାଜ୍ୟ ସରକାରମାନଙ୍କର ଋଣ କରିବାର ଆବଶ୍ୟକତାରେ ସମାପ୍ତି ଘଟିବ ନାହିଁ। ଅର୍ଥନୀତି ସ˚କୁଚିତ ହେଉଥିବାରୁ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଟିକସ ସ˚ଗ୍ରହ ପରିମାଣରେ ବିଶେଷ ହ୍ରାସ ଘଟିବା ନିଶ୍ଚିତ, ଯେଉଁଥିରୁ ରାଜ୍ୟମାନଙ୍କୁ ଏକ ଅ˚ଶ ହସ୍ତାନ୍ତରିତ ହୋଇଥାଏ। ଏଣୁ ସେ ବାବଦରେ ମଧୢ ରାଜ୍ୟମାନେ ଏକ ବିଶେଷ ସମ୍ବଳ ନିଅଣ୍ଟର ସମ୍ମୁଖୀନ ହେବେ, ଯେଉଁଥିପାଇଁ ସେମାନଙ୍କୁ ଋଣ କରିବାକୁ ପଡ଼ିପାରେ। ଫଳରେ ରାଜ୍ୟମାନଙ୍କୁ ଶେଷରେ ଏକ ବିଶାଳ ଋଣବୋଝ ମୁଣ୍ତାଇବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ଦେଶର ମୋଟ ସରକାରୀ ଋଣ ହିସାବ କରାଯାଏ, ସେତେବେଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ କରିଥିବା ଋଣକୁ ଏକାଠି ଦେଖାଯାଏ। ତେଣୁ ସେ ଦୃଷ୍ଟିରୁ ହୁଏତ ବର୍ତ୍ତମାନ ସାମଗ୍ରିକ ଋଣକୁ ବିଚାରକୁ ନେଲେ ରାଜ୍ୟ ସରକାରମାନେ ଋଣ କରନ୍ତୁ କି କେନ୍ଦ୍ର ସରକାର ଋଣ କରନ୍ତୁ, କିଛି ଫରକ୍ ସୃଷ୍ଟି କରି ନପାରେ। କିନ୍ତୁ ଅସଲ କଥା ହେଲା, କେନ୍ଦ୍ର ସରକାରଙ୍କର ଋଣ ପରିଶୋଧ କ୍ଷମତା ହେଉଛି ରାଜ୍ୟ ସରକାରମାନଙ୍କ ଠାରୁ ବହୁ ଅଧିକ, କାରଣ କେନ୍ଦ୍ର ହାତରେ ରହିଛି ସମସ୍ତ ଫଳପ୍ରସୂ ଟିକସମାନ, ଯେଉଁଥିରୁ ମିଳୁଥିବା ସମ୍ବଳ ଅର୍ଥନୀତିର ଅଭିବୃଦ୍ଧି ସହିତ ତାଳ ଦେଇ ବୃଦ୍ଧି ପାଇ ଚାଲିଥାଏ। ଅପରପକ୍ଷେ ରାଜ୍ୟ ସରକାରମାନଙ୍କୁ ହିଁ ବିଭିନ୍ନ ସମାଜମଙ୍ଗଳ କାର୍ଯ୍ୟକ୍ରମ ମାନଙ୍କରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ। ବର୍ତ୍ତମାନ ଅଧିକ ସରକାରୀ ଖର୍ଚ୍ଚ ମାଧୢମରେ ଜନସାଧାରଣ ମାନଙ୍କ ପକେଟ୍ରେ ପଇସା ଭର୍ତ୍ତି କରି ଅର୍ଥନୀତିରେ ସାମଗ୍ରିକ ଚାହିଦା ବୃଦ୍ଧି କରିବା ଜରୁରୀ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ସରକାର ଋଣ କରି ରାଜ୍ୟ ସରକାରମାନଙ୍କ ଜିଏସ୍ଟି ନିଅଣ୍ଟ ଭରଣା କଲେ ସେ ଉଦ୍ଦେଶ୍ୟ ସାଧନ ସହଜ ହୁଅନ୍ତା। କେନ୍ଦ୍ର ସରକାର ତେଣୁ ନିଜେ ଋଣ କରି ରାଜ୍ୟ ସରକାରଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ଉଚିତ।